Unknown

 

 

 

 

 

 

 

 

 

 

 

ଅରମ୍ୟ ରଚନା

ଚିତ୍ତରଞ୍ଜନ ଦାସ

 

 

 

 

 

 

 

 

 

 

 

 

 

ଶ୍ରୀଯୁକ୍ତ ସର୍ବେଶ୍ୱର ଦାସ ଓ ଶ୍ରୀମତୀ ବସନ୍ତକୁମାରୀ ଦେବୀଙ୍କୁ ଅନେକ ଭକ୍ତିର ସହିତ ।

 

ଭୂମିକା

 

ଆମ ସଂସାରରେ ଅରମ୍ୟବାଦୀ ବୋଲି କେହି ନ ଥାଇ ପାରନ୍ତି, ମାତ୍ର ରମ୍ୟବାଦୀ ଅବଶ୍ୟ ଅଛନ୍ତି । ଏମାନେ ପ୍ରକୃତରେ ବହୁସଂଖ୍ୟାରେ ଅଛନ୍ତି । ଭିତରେ ଅନେକ ଅରମ୍ୟ ସହିତ ଘର କରି ରହିଥିବା ମଣିଷମାନେ ସାଧାରଣତଃ ବାହାରେ ଆଖିଦୃଶିଆ ଭାବରେ ରମ୍ୟକୁ ହିଁ ଖୋଜୁଥାନ୍ତି, ଭାରି ଆଡ଼ମ୍ବରିଆ ଭାବରେ ରମ୍ୟର ପଟନେଇ ଦାଣ୍ଡକୁ ବାହାରି ଥାଆନ୍ତି । ଏହି କିସମର ମନୁଷ୍ୟମାନେ ରଚନା କହିଲେ ନିୟମିତ ରମ୍ୟ ରଚନା ବୋଲି ହିଁ ବୁଝିଥାନ୍ତି । ରଚନା ରମ୍ୟ ହେଲେ ଯାଇ ସେମାନେ ତାହାକୁ ସାହିତ୍ୟ ସହିତ ଭାବରେ ଗଣିବେ ବୋଲି ଜିଦ ଧରି ବସିଥାନ୍ତି । ଅତ୍ୟନ୍ତ ପ୍ରକୁପିତ ଭାବରେ ତଥାକଥିତ ରମ୍ୟଗୁଡ଼ାକୁହିଁ ସଂସ୍କୃତିର ସଂଜ୍ଞା ଭିତରେ ବୁଜୁଳା କରି ଧରିଥାନ୍ତି । ଅନେକ ଅରମ୍ୟ ସହିତ ଘର କରି ରହିବାର ଖେଦକୁ ଭୁଲିଯିବାକୁ ଚେଷ୍ଟା କରନ୍ତି ।

 

ଯେଉଁଗୁଡ଼ାକ ପାଖରୁ ଆମେ ଭୀରୁପରି ପଳାଉ, ଆମେ ଅନେକ ସମୟରେ ସେହିଗୁଡ଼ାକୁ ହିଁ ଅରମ୍ୟ ବୋଲି କହୁ । ପଳାଉଥିବା ମଣିଷର ଜୀବନ ସତକୁ ସତ ବଡ଼ ଅରମ୍ୟ ହୋଇକି ରହିଥାଏ, ଅରଣ୍ୟବତ ହୋଇ ରହିଥାଏ । ସମ୍ମୁଖୀନ ହେବାକୁ ମନ କଲେ ଯାଇ ମଣିଷ ଶ୍ରଦ୍ଧାଶୀଳ ହୁଏ, ଶ୍ରଦ୍ଧାବାନ୍‍ ହୁଏ । ସମସ୍ୟାମାନେ ତେଣିକି ଆଉ ମୋଟେ ମାରି ଘଉଡ଼ାଇ ଦିଅନ୍ତି ନାହିଁ । ମଣିଷର ପାଦ ଯେଉଁ ଭୂଇଁଟି ଉପରେ ରହିଥାଏ ଓ ତା’ର ଆଖିମାନେ ଅପେକ୍ଷମାଣ ଯେଉଁ ଆକାଶକୁ ବ୍ୟାକୁଳ ଭାବରେ ଲୋଡ଼ି ବାହାରିଥାନ୍ତି, ସେହି ଭୂଇଁ ଓ ସେହି ଆକାଶ ପ୍ରକୃତରେ ଶ୍ରଦ୍ଧା କରୁଥିବା ଲୋକ ସକାଶେ ସମସ୍ୟାଗୁଡ଼ିକ ଗୋଟିଏ ଗୋଟିଏ ସୋପାନ ବୋଲି ମନେ ହୁଅନ୍ତି, ଯାହାକୁ ଅତିକ୍ରମ କରି ଆଗକୁ ଯିବା ଅବଶ୍ୟ ସମ୍ଭବ ବୋଲି ମନେ ହୁଏ ଏବଂ ସେହି ଅତିକ୍ରମଣକୁ ହିଁ ଯଥାର୍ଥ ଜୀବନ ବୋଲି ମନେ ହୁଏ । ତା’ପରେ ଜୀବନ ଜୁଗୁପ୍ସାମୁକ୍ତ ହୋଇଯାଏ ।

 

ପ୍ରସ୍ତୁତ ସଂଗ୍ରହଟିର ଲେଖାଗୁଡ଼ିକ ଦୈନିକ ‘ପ୍ରଗତିବାଦୀ’ରେ ପ୍ରକାଶିତ ହୋଇଥିଲା । ସଂଯୁକ୍ତ ସମ୍ପାଦକଙ୍କୁ ସେଥିପାଇଁ କୃତଜ୍ଞତା ଜଣାଉଛି । ପ୍ରକାଶକ ବନ୍ଧୁ ଶ୍ରୀଯୁକ୍ତ ନିୟାମତ ଲାଲ ଗୁପ୍ତ ଏଗୁଡ଼ିକୁ ଏକତ୍ର ପ୍ରକାଶ କରିବାର ଆଗ୍ରହ ଦେଖାଇ ଥିବାରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି ।

 

ଜୁଲାଇ, ୧୯୮୫

ଚିତ୍ତରଞ୍ଜନ ଦାସ

Image

 

ସୂଚୀପତ୍ର

 

୧.

ଅନ୍ଧାରର ଅନ୍ଧାର-ତଦନ୍ତ

ବୃହତ୍‍ଶକ୍ତି ମୁକାବିଲା

୩.

ପ୍ରତିରକ୍ଷା ନା ପ୍ରତିହତ୍ୟା ?

୪.

ଆଲୁମିନିୟମ୍‌ ଓ ଓଡ଼ିଶା ଲୋକ

୫.

ବୟସ୍କପୀଡ଼ିତ ପାଠଶାଳା

୬.

ଆମ ପରେ କ’ଣ ହେବ ?

୭.

ଓଡ଼ିଶାର ଭାଗ୍ୟ-ପରିବର୍ତ୍ତନ

୮.

ଧରାପରା ସାଧୁତା

୯.

ଖେଳପ୍ରିୟ ଓଡ଼ିଶା

୧୦.

ଅହୋରାତ୍ର ଜନ୍ମଜୟନ୍ତୀ

୧୧.

ସଂସ୍କୃତି : ଅପସଂସ୍କୃତି

୧୨.

ପ୍ରଗତି-ପଥରେ ବାଧା

୧୩.

ବାନପ୍ରସ୍ଥେ ବାଳବତ୍‍

୧୪.

ସଜ୍ଜନମାନଙ୍କର ସଂଖ୍ୟା ବୃଦ୍ଧି

୧୫.

ଜଡ଼ବାଦ ଓ ଆଧାତ୍ମବାଦ

୧୬.

ଦଣ୍ଡିବା ଶକ୍ତି କାହାରି ନାହିଁ

୧୭.

ମୁଁ କବିତାଟିଏ ଲେଖନ୍ତି

୧୮.

ମିଛ ସଂଘ ଓ ମିଛ ହିତୈଷିତା (୧)

୧୯.

ମିଛ ସଂଘ ଓ ମିଛ ହିତୈଷିତା (୨)

୨୦.

ଅଦ୍ୱୈତ ଓ ବିଶିଷ୍ଟାଦ୍ୱୈତ

୨୧.

ଶିଶୁମାନଙ୍କର ବିକ୍ଷୋଭ

୨୨.

କୃଷକ ଓ ବିଶ୍ୱବିଦ୍ୟାଳୟ

୨୩.

ଇସ୍ରାଏଲରେ ମଣିଷ ବି ଅଛନ୍ତି

୨୪.

ଅନ୍ୟର କ୍ଷତି କଲେ

୨୫.

ପରିତ୍ରାଣାୟ ପୁତ୍ରାଣାଂ

୨୬.

ବିଶ୍ୱରେ ନିରସ୍ତ୍ରୀକରଣ ପାଇଁ

୨୭.

ଭୋକିଲା ପଟୁଆର

୨୮.

ହରିଜନ ଓ ହାଡ଼ିଜନ

୨୯.

ନ୍ୟାୟ ଏବଂ ଅନ୍ୟାୟର ଆଳୟ

୩୦.

ବିଚାର ମର୍ତ୍ତ୍ୟରେ ହୁଏ (୧)

୩୧.

ବନ୍ଧୁତା ଓ ବିପଦ

୩୨.

ମାଧିଆ, ମାଧୋଇ ଓ ମାଧବାନନ୍ଦ

୩୩.

ସରକାର ବୋଲି କିଛି ନାହିଁ

୩୪.

ସମାନ ଅଧିକାର ଅସମାନ ଶକ୍ତି

୩୫.

ସୁଚିନ୍ତିତ ମାଷ୍ଟରପ୍ଲାନ୍‌

୩୬.

ସବୁଗୁଡ଼ାକ ବାଜେ

୩୭.

ସାହିତ୍ୟ-ପିତ୍ତ

୩୮.

ମୁଁ ନାହିଁ ତ କଛି ନାହିଁ

୩୯.

ସଂଗ୍ରାମୀମାନଙ୍କ ଜୀବନରୁ

୪୦.

କେବଳ ଦୁଇଟି ଲାଗି ସମର୍ଥ

୪୧.

ବିଚାର ମର୍ତ୍ତ୍ୟରେ ହୁଏ (୨)

୪୨.

କୁମ୍ଭୀର-କାନ୍ଦଣା

୪୩.

ଖବର କାଗଜର ମଜା

୪୪.

ଯୋଗ ଓ ପ୍ରାଣାୟାମ ଦ୍ୱାରା

୪୫.

ଉତ୍କଳର ଏଡ଼େ ବଡ଼ ଗୌରବ

୪୬.

ସାହିତ୍ୟ କରିକରି ଆଲର୍ଜି

୪୭.

ବାମାଚାରୀ କାମଯାତ୍ରା

୪୮.

ଭାର୍ଯ୍ୟାଂ ମନୋରମାଂ ଦେହି

୪୯.

ପ୍ରକୃତ ସାହିତ୍ୟର ବ୍ୟାଖ୍ୟାକାର

୫୦.

ଓଡ଼ିଶାରେ ଅକ୍ଷମଙ୍କ ସଂଖ୍ୟା

୫୧.

ସାହିତ୍ୟ, ଗୋଷ୍ଠୀ ଓ ବିବାଦ

୫୨.

ସଉକୀ ପଣ୍ଡିତଙ୍କ ସୁଆଙ୍ଗ

୫୩.

ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ

୫୪.

ହାୟରେ ହତାଶମାନେ

୫୫.

ସେମାନଙ୍କୁ ଆଉ ଚିହ୍ନି ହେଉନାହିଁ

୫୬.

ସବାବଡ଼ କୋର୍ଟର ବିଚାରପତି

୫୭.

କର୍ମ ଓ କର୍ମବାଦ

୫୮.

ଗରିବ ବଞ୍ଚିବେ କିପରି ?

୫୯.

ଯୁଗ ପରା ସେଇଆ ହେଲାଣି

୬୦.

ସାହିତ୍ୟ ଓ ସିଂହାସନ

୬୧.

ଶାମ୍ବକୁ ନାରୀବେଶ କରି

୬୨.

ଚଳଚ୍ଚିତ୍ର ଓ ମାନବଧର୍ମ

୬୩.

କାଙ୍ଗାଳ କେତେ ଭଳି

୬୪.

ଆଗ ଭାଷା ଓ ସଂସ୍କୃତି

୬୫.

ଯଦି ଆମେ ରାଜି ହୁଅନ୍ତେ

୬୬.

ଅନେକ ସମୟରେ

୬୭.

ଲେଖକ ଏବଂ ସାମ୍ମୁଖ୍ୟ

୬୮.

ମୁଷ୍ଟିମେୟ

୬୯.

ଅଶୋକ ଚାହିଁ ନ ଥିଲେ

୭୦.

ବିଚାର ମଞ୍ଚର ମଞ୍ଚ

୭୧.

ନୋଳିଆମାନଙ୍କର ଘର

୭୨.

ଖେଳରୁ ଚରିତ୍ର ନିର୍ମାଣ

୭୩.

ଦେଶବ୍ୟାପୀ ରଥଯାତ୍ରା

୭୪.

ସଂଗ୍ରାମୀ ଦୁଇ ଦଳ

୭୫.

ଭାଗ୍ୟ ହିଁ ଯାହା କରିବ

୭୬.

ବିକାଶଶୀଳ ରାଷ୍ଟ୍ରର ଉନ୍ନତି

୭୭.

ମନ୍ତ୍ରୀ ଆସିଲେ

୭୮.

ଜଞ୍ଜାଳିଆମାନଙ୍କର ଜଞ୍ଜାଳ

୭୯.

କ୍ରିକେଟ ଗୋଟିଏ ଖେଳ

୮୦.

ଜ୍ଞାନୀ ଓ ଅଜ୍ଞାନୀ

୮୧.

ଥାନାଗୁଡ଼ିକ ମନ୍ଦିର ପରି

୮୨.

ଠକମାନଙ୍କର ଚେର କାହିଁ ?

୮୩.

ଭଗବାନ ପରମ ବନ୍ଧୁ

୮୪.

ରାଜନୀତି ଓ ସାହିତ୍ୟ

୮୫.

ଚିତ୍ରପ୍ରତିମା ପ୍ରାଏ

୮୬.

ଏକ ମଞ୍ଚ ଯେତେବେଳେ ଥିଲା

୮୭.

ରାଜନୀତିରୁ ଊର୍ଦ୍ଧ୍ୱରେ

୮୮.

ଯଦି ଲେକମାନେ ଚାହାନ୍ତି

୮୯.

ଓଡ଼ିଶା ଓ ହତଭାଗ୍ୟ ଜୟଦେବ

୯୦.

ଆମେସବୁ କେଡ଼େ ବିଚିତ୍ର

୯୧.

ଆଦର୍ଶବାଦୀ ଏକଛତ୍ର

୯୨.

ଗଣଧର୍ଷଣରେ ଗଣ କେଉଁମାନେ ?

୯୩.

ଏସୀୟ କ୍ଷୁଧା ଓ ଏସୀୟ କ୍ରୀଡ଼ା

୯୪.

ଭାରତବର୍ଷ ତିଆର

୯୫.

ଓଡ଼ିଆ ଭାଷାର ସୁରକ୍ଷା

୯୬.

ପେନସନ୍‌ପ୍ରାସ୍ତ ସ୍ଵାଧୀନତା-ସଂଗ୍ରାମୀ

୯୭.

ଡାକ୍ତର ପରିଜାଙ୍କ ନାମରେ

୯୮.

ଜୀବନ ଥିବାଯାଏ

୯୯.

ସତଷଠିଙ୍କର ବିଚାର

୧୦୦.

ଚାଲ ଏକ ନୂତନ ଦଳ ଗଢ଼ିବା

Image

 

ଅନ୍ଧାରର ଅନ୍ଧାର-ତଦନ୍ତ

 

ସେଦିନ ସ୍ୱୟଂ ଅନ୍ଧାର ଅନ୍ଧାରର ତଦନ୍ତ କରିବାଲାଗି ବିଜେ ହୋଇଥିବା ଦିନ ହସ୍‍ପିଟାଲ ଗୋଟାକଯାକ ଆଲୁଅ ହୋଇଯାଇଥିଲା । ଅନ୍ଧାର ତଦନ୍ତ କରିବାକୁ ଆସିବ ବୋଲି ଖବର ନେଇ ଡଗର ଆଗରୁ ଆସି ପହଁଞ୍ଚି ଯାଇଥିଲା; ତେଣୁ ସେଥିଲାଗି ସାନସାନ ନିତି-ଅନ୍ଧାରମାନେ ପୂର୍ଣ୍ଣ ପରାକ୍ରମ ଓ ପରିପାଟୀ ସହିତ ପ୍ରସ୍ତୁତ ହୋଇ ରହିଥିଲେ । ସେଦିନ ସଜା ହୋଇଥିବା ଆଲୁଅଗୁଡ଼ାକରେ ଅନ୍ଧାର ସତେଅବା ଗୋଟାସୁଦ୍ଧା କୁଆଡ଼େ ପୋତିହୋଇ ପଡ଼ିଥିବା ପରି ମନେ ହେଉଥିଲା । ମନ୍ଦଗୁଡ଼ାକ ସବୁ ଭଲ ପରି ସଜହୋଇ ବାହାରି ଥିଲେ । ଟିଙ୍କମାନେ ପୂରା ଭଦ୍ରଲୋକ ପରି ଦିଶୁଥିଲେ । ରୋଗୀମାନଙ୍କର ଉଦ୍ୟାନରୁ ମାଛିମାନଙ୍କୁ ଅନ୍ୟତ୍ର ଘଉଡ଼ାଇ ଦିଆଯାଇଥିଲା । କୁକୁରମାନଙ୍କୁ ସେହି ଦିନଟାଲାଗି ଅନୁଗ୍ରହ କରି ମୋଟେ ନ ଆସିବାକୁ କୁହାଯାଇଥିଲା । ଚତୁର୍ଦ୍ଦିଗକୁ ଅନାଇଲେ ଖଞ୍ଜାଟାଯାକ ସତେଅବା କୋଉ ନଅର ପରି ଦିଶୁଥିଲା ।

 

ଅନ୍ଧାର ଅନ୍ଧାରକୁ ଭଲକରି ଚିହ୍ନେ । ସେଇଥିଲାଗି ଅନ୍ଧାର ସହିତ ଅନ୍ଧାରର ଭେଟହେଲେ ଚାରିଆଡ଼ଯାକ ଖାଲି ଆଲୁଅ ଜଳୁଥିଵା ପରି ହିଁ ଦେଖାଯାଏ । ସେଦିନ ବନ୍ଦୀମାନଙ୍କୁ ଭଲ ଖାଇବା ଦିଆଯାଏ, ଭାରି ଆଦରରେ ପାଖରେ ବସି ଉଚିତ ଖୋରାକଟିକୁ ଭୁଞ୍ଜାଇ ଦିଆଯାଏ-। ରୋଗୀ ଆଉ ଯମ ପରସ୍ପରର ପରମାତ୍ମୀୟ ପରି ମନେ-ହୁଅନ୍ତି । ବିଜ୍ଞାନୀମାନେ ସତେ ଅବା ନିଜର ମାମୁ ପରି ଦେଖାଯାଆନ୍ତି । ସେଦିନ ଔଷଧ, ଯନ୍ତ୍ରପାତି, ନିର୍ମଳ ଫଳ ଓ ନିର୍ମଳ ଜଳ ଆଦୌ କୌଣସିଟିର ଅଭାବ ହୁଏନାହିଁ । ଖାତାପତ୍ରର ଗଣତିଗୁଡ଼ାକ ସଂପୂର୍ଣ୍ଣ ଭାବରେ ଠିକ୍‍ ରହିଥାଏ-। ଆମ ରାଜ୍ୟଟାରେ ସମସ୍ତେ ଭାରି ସୁସ୍ଥ ଅଛନ୍ତି ବୋଲି ପ୍ରମାଣିତ ହୋଇଯାଏ । ଅତ୍ୟନ୍ତ ସେବାପରାୟଣ ଭାବରେ ସେଦିନ ରାମ ବାବୁଙ୍କଠାରୁ ରାମା ଭଣ୍ଡାରି ପର୍ଯ୍ୟନ୍ତ ସମସ୍ତେ ଭାରି ନସରପସର ହୋଇ ଧାଇଁବାରେ ଲାଗିଥାନ୍ତି । କାହାରି ଭିତରେ ଆଦୌ କୌଣସି କାର୍ପଣ୍ୟ ନ ଥାଏ, ଗ୍ଳାନି ବି ନ ଥାଏ । ମୋଟେ ଦରମା ନପାଉଥିଲେ ମଧ୍ୟ ସେମାନେ ଯେ ଠିକ୍‍ ଏହିପରି ନିଷ୍ଠାର ସହିତ ଅବଶ୍ୟ କାମ କରୁଥାନ୍ତେ, ସେଦିନ ସେମାନଙ୍କର ଆଚରଣଗୁଡ଼ାକରୁ ସେହି ଅଭିନୟଟି ଅତ୍ୟନ୍ତ ସ୍ପଷ୍ଟ ଭାବରେ ଜାହିର ହୋଇ ଯାଉଥାଏ ।

 

ଏମିତି ତଦନ୍ତ ହୁଏ, ତଦନ୍ତ ସରେ । ତଥାପି ଅନ୍ଧାର ରହିଯାଏ । ଯିଏ ବିଜେ କରିଥିଲେ, ତାଙ୍କ କଥା ଖବରକାଗଜରେ ବାହାରେ, ଦରକାର ହେଲେ ଛବିହୋଇ ମଧ୍ୟ ବାହାରେ, ତଥାପି ଅନ୍ଧାର ରହିଯାଏ । କୁକୁରମାନେ ପୁଣି ଫେରି ଆସନ୍ତି, ମାଛିଗୁଡ଼ାକ ପୁଣି ଭଣଭଣ ହୁଅନ୍ତି-। ବାବୁମାନେ ଅଝଟ ପିଲାଙ୍କପରି ଆଗ ଏତେ ମହଣ ଘିଅର ଯୋଗାଡ଼ ହେଲେ ତା’ପରେ ଯାଇ ମୁଣିରୁ ଯନ୍ତ୍ରପାତି ଓ କଲମତରାସ ବାହାର କରିବେ ବୋଲି ଜିଦ୍‍ ଧରି ବସିଥାନ୍ତି । ବନ୍ଦୀମାନେ ଭାଗ୍ୟକୁ ଅଭିଶାପ ଦେଉଥାନ୍ତି । ଅବଶ୍ୟମ୍ଭାବୀ ମୃତ୍ୟୁପୂର୍ବରୁ କାହିଁକି ରୋଗ ଭୋଗିବାକୁ ପଡ଼େ ବୋଲି ବିସ୍ମିତ ହୋଇ ଭଗବାନଙ୍କୁ ପଚାରୁଥାନ୍ତି ।

 

୧୮ । ୯ । ୮୧

Image

 

ବୃହତ୍‍ଶକ୍ତି ମୁକାବିଲା

 

ବୃହତଶକ୍ତିମାନଙ୍କ ଭିତରେ ଉତ୍ତେଜିତ ନାନା ମୁକାବିଲା ଲାଗିରହିବା ଫଳରେ ସମଗ୍ର ପୃଥିବୀପ୍ରତି ତାହା ଏକ ବିପଦ ହୋଇ ରହିଛି ବୋଲି ଶ୍ରୀମତୀ ଇନ୍ଦିରା ଗାନ୍ଧୀ କେନିଆର ରାଜଧାନୀ ନାଇରୋବିଠାରେ ମତ ପ୍ରକାଶ କରି କହିଛନ୍ତି । ଏଥିରେ କୌଣସି ସନ୍ଦେହ ନାହିଁ ଯେ, ପୃଥିବୀର ପ୍ରତ୍ୟେକ ରାଷ୍ଟ୍ର ଆପଣଙ୍କୁ ଯାବତୀୟ ଦୃଷ୍ଟିରୁ ସର୍ବପ୍ରଥମେ ଏକ ଶକ୍ତି ବୋଲି ବିଚାର କରିଥାନ୍ତି । ପୃଥିବୀର ରାଜନୀତିରେ ଜାତୀୟତାବାଦୀ ଯୁଗଟି ଆସି ପ୍ରବେଶ କରିବା ପରେ ଅତ୍ୟନ୍ତ ସ୍ୱାଭାବିକ ଭାବରେ ଏହାହିଁ ହେବା ଅନିର୍ବାଯ୍ୟ । ଏହି ଶକ୍ତିମାନଙ୍କ ମଧ୍ୟରେ କେତୋଟି ଅତିରିକ୍ତ ପରିମାଣରେ ଅଧିକ ଶକ୍ତିଶାଳୀ ହୋଇ ପଡ଼ିଛନ୍ତି । ଅପେକ୍ଷାକୃତ ସାନ ହୋଇ ରହିଥିବା ଶକ୍ତିମାନେ ସେମାନଙ୍କୁ ବୃହତଶକ୍ତି ବୋଲି କହୁଛନ୍ତି । ଏମାନଙ୍କ ପାଖରେ କେବଳ ଯେ ଅଧିକ ଧନ, ବିଜ୍ଞାନ ଓ ସରଞ୍ଜାମ ରହିଛି ତା ନୁହେଁ, ଅଧିକ ବୋମା ମଧ୍ୟ ରହିଛି । ବିଶ୍ୱ ରାଜନୀତିରେ ଏଇମାନେ ହିଁ ଉଚ୍ଚୈଶ୍ରବା ହୋଇ ରହିଛନ୍ତି ଓ ଆଗାମୀ ସବୁକାଳ ପାଇଁ ସେହିପରି ହୋଇ ରହିବେ ବୋଲି ବିଚାର କରୁଛନ୍ତି ।

 

ତେଣୁ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଯାହା କହିଛନ୍ତି, ଅବଶ୍ୟ ଠିକ୍‍ ହିଁ କହିଛନ୍ତି; କିନ୍ତୁ ସିଏ ଶାସନ କରୁଥିବା ଆମର ଏହି ଦେଶରେ ମଧ୍ୟ ସେହିପରି ବୃହତ୍‍ ଶକ୍ତିମାନେ ସମଗ୍ର ଦେଶଲାଗି ଏକ ପ୍ରମାଦ ହୋଇ ରହିଛନ୍ତି । ବୃହତ୍‍ ଶକ୍ତିମାନଙ୍କ ବିଷୟରେ ଅଭିଯୋଗ କରୁଥିବା ଅପେକ୍ଷାକୃତ କ୍ଷୁଦ୍ର ବା ଅବୃହତ୍‍ ଶକ୍ତି ରାଷ୍ଟ୍ରଗୁଡ଼ିକରେ ମଧ୍ୟ ବଡ଼ ମାଛମାନେ ସାନ ମାଛମାନଙ୍କୁ ଗିଳି ପକାଇବାର ନିତ୍ୟ ପ୍ରମାଦ ଲାଗିରହିଛି । ଏଠାରେ ଧନବାନ୍‍ମାନେ ଅଛନ୍ତି, ଶିକ୍ଷିତମାନେ ଅଛନ୍ତି, ଚତୁର ଆତ୍ମଲାଳସୀମାନେ ଅଛନ୍ତି । ସମ୍ପନ୍ନତା ଓ ସମର୍ଥତାର କ୍ଷେତ୍ରରେ ବ୍ରାହ୍ମଣମାନେ ଅଛନ୍ତି, ଶୁଦ୍ରମାନେ ବି ଅଛନ୍ତି । ସହର ଅଛି, ଗାଁ ଅଛି । ରାଜଧାନୀ ଅଛି, ମହାକାନ୍ତାର ବି ରହିଛି । ସମ୍ପନ୍ନମାନେ ଉଚ୍ଚଉଚ୍ଚ ଖୁରା ପକାଇ ଆହୁରି ଅଧିକ ସମ୍ପନ୍ନ ହେବାଲାଗି ଯାବତୀୟ ପ୍ରକାରେ ଉଗ୍ର ହେବାରେ ଲାଗିଛନ୍ତି ।

 

ଏହି ଉଗ୍ରମାନଙ୍କର ପୋଥିଗୁଡ଼ାକ ଅନୁସାରେ ନୀତି ଚଳୁଛି, ଧର୍ମ ଚଳୁଛି, ତାହାରି ଅନୁସାରେ ହିଁ ମଣିଷ ମଣିଷ ଭିତରେ ଭାଗ୍ୟ ବଣ୍ଟା ହେଉଛି । ଉଗ୍ରମାନଙ୍କ ହାତରେ କଚେରୀଗୁଡ଼ାକ ରହିଛି । ବିଚାରାଳୟ ରହିଛି । କଲମଗୁଡ଼ାକ ରହିଛି, ଠେଙ୍ଗାଗୁଡ଼ାକ ବି ରହିଛି । ସାହିତ୍ୟ ସଂସ୍କୃତି ସେହିମାନଙ୍କର ସେବା ଖଟୁଛନ୍ତି । ରାଷ୍ଟ୍ରମାନେ ଆଗ ନିଜନିଜ ଦେଶରେ ଏଗୁଡ଼ିକର ସମ୍ମୁଖୀନ ହୋଇ ତା’ପରେ ଯାଇ ଆନ୍ତର୍ଜାତିକ ମଞ୍ଚ ମାନଙ୍କରେ ଯାହା କହନ୍ତେ, ତାହାର ହୁଏତ ଅଧିକ ମୂଲ୍ୟ ରହନ୍ତା । ଆପଣା ଦେଶରେ ମଣିଷର ଯାବତୀୟ ଅଗ୍ରଗତିରେ ବଡ଼ପରି ଠିଆହୋଇ ବିଦେଶରେ ଆହୁରି ବଡ଼ ବାଡ଼ ଓ ବାଧାମାନଙ୍କ ବିଷୟରେ କହିଲେ ସେହି କଥାରେ ଧର୍ମତଃ ଖୁବ୍‍ ବେଶି ବଳ ମୋଟେ ରହିବ ନାହିଁ ।

 

ସାନ ରାଷ୍ଟ୍ରମାନେ ବି ସୁଯୋଗ ପାଇଲେ ବଡ଼ ରାଷ୍ଟ୍ରମାନଙ୍କଠାରୁ ଆଦୌ କୌଣସି ଗୁଣରେ କମ୍‍ ପାଷଣ୍ଡ ହୁଅନ୍ତେ ନାହିଁ । କ୍ଷୁଦ୍ର ଶକ୍ତି ସ୍ୱୟଂ ବୃହତ୍‍ଶକ୍ତିମାନଙ୍କ ପରି ହେବାକୁ ଇଚ୍ଛା କରୁଛି ଓ ତେଣୁ ସେମାନଙ୍କୁ ଈର୍ଷା କରୁଛି । ଏହି କ୍ଷେତ୍ରରେ ହୁଏତ ସେପରି ଏକ ସଂଶୟ ପୋଷଣ କରିବାଲାଗି ମଧ୍ୟ ଅନେକ କାରଣ ରହିଛି ।

 

ତେଣୁ ଶକ୍ତିମାନେ ଆହୁରି ବଡ଼ ହେଲେ ବା ସୀମା ଭିତରେ ରହିଲେ ମଣିଷର କଦାପି ଦୁଃଖ ଯିବନାହିଁ । ତାହା ଉଗ୍ରମାନଙ୍କୁ ଆହୁରି ଉଗ୍ର କରିବାରେ ସାହାଯ୍ୟ କରିବ । ଅନ୍ଧମାନଙ୍କୁ ଅଧିକ ଅନ୍ଧ ଓ ଉନ୍ମତ୍ତ କରି ରଖିବ । ରାଷ୍ଟ୍ରଶକ୍ତି ସମେତ ଯାବତୀୟ ଶକ୍ତି ମଣିଷର କାମରେ ଲାଗିଲେ ଯାଇ ପୃଥିବୀ ପ୍ରମାଦମୁକ୍ତ ହେବ ।

୨୮ । ୯ । ୮୧

Image

 

ପ୍ରତିରକ୍ଷା ନା ପ୍ରତିହତ୍ୟା ?

 

ପୃଥିବୀରେ ମଣିଷମାନଙ୍କର ଜୀବନକୁ ସୁସ୍ଥ, ସୁନ୍ଦର ଓ ସୁରୁଚି-ଯୁକ୍ତ କରିବାକୁ ଯେତେ ପଇସା ଖରଚ ନ ହେଉଛି, ବିଭିନ୍ନ ରାଷ୍ଟ୍ରର କର୍ତ୍ତାମାନେ ଦେଶର ପ୍ରତିରକ୍ଷା ନାମରେ ଏବେ ତା’ଠାରୁ ଅନେକ ଗୁଣ ଅଧିକ ପଇସା ଖରଚ କରୁଛନ୍ତି । ଜାତୀୟତାବାଦର ଭୂତ ରାଷ୍ଟ୍ରଗୁଡ଼ାକୁ ଗ୍ରାସ କରିବା ଫଳରେ ପ୍ରାୟ ଶହେବର୍ଷ ତଳେ ମଣିଷର ବିବେକକୁ ଯେଉଁ ବିଜ୍ଞାନୀ ଦୁର୍ବୁଦ୍ଧି କାମୁଡ଼ି ଧରିବାକୁ ପ୍ରଥମ ସୁରାକ୍‍ ପାଇଥିଲା, ବର୍ତ୍ତମାନ ତାହା ହିଁ ସରକାରମାନଙ୍କର ଯାବତୀୟ ଗର୍ବର ସର୍ବପ୍ରଧାନ ସନ୍ତକ ହୋଇ ରହିଛି । ଆଜି ପୃଥିବୀଯାକ ସମସ୍ତେ ଅର୍ଥାତ ସବୁ ରାଷ୍ଟ୍ର ସେଇଥିରେ ମାତିଛନ୍ତି । ବଡ଼ମାନେ ଏହି ଦୁର୍ବୁଦ୍ଧିର ଅଧିକ ବ୍ୟାପ୍ତ ଲାଗି ଭଣ୍ଡାରରୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛନ୍ତି-

 

ସାନସାନ ରାଷ୍ଟ୍ରର ଆହୁରି ସାନସାନ ମୁଖ୍ୟମାନେ ବୃହତ୍‍ ଅସ୍ତ୍ରଶକ୍ତିର ମାଲିକ ହେବାର ସ୍ଵପ୍ନ ଦେଖିବାରେ ଲାଗିଛନ୍ତି । କାଲି ହୁଏତ କୌଣସି ସୈନ୍ୟବାହିନୀର ସେନାପତି ଥିବା ସାନ ମଣିଷମାନେ ବଳାତ୍କାରରେ କ୍ଷମତା ଅଧିକାର କରି ଆପଣାକୁ ପୃଥିବୀର ଭାଗ୍ୟାକାଶରେ ସତେଅବା ଏଡ଼େବଡ଼ ଗୋଟାଏ ଗୋଟାଏ ଗ୍ରହ ସଦୃଶ ମନେ କରୁଛନ୍ତି ଯେ, ସେମାନେ ବି ସଂସାର ଭିତରେ ଅସ୍ତ୍ରଜନିତ ଆତଙ୍କ ସୃଷ୍ଟି କରିବାରେ ନିମିତ୍ତ ହୋଇ ବାହାରିଛନ୍ତି ଏବଂ ଏହି ସବୁକିଛି କାରବାର ପ୍ରତିରକ୍ଷା ନାମରେ ହେଉଛି, ଅର୍ଥାତ ଦେଶକୁ ସମ୍ଭାବିତ ବହିଃଶତ୍ରୁମାନଙ୍କର ହାତରୁ ନିରାପଦ ରଖିବା ଉଦ୍ଦେଶ୍ୟରେ ହେଉଛି । ଅନ୍ତତଃ ସେଇଥିଲାଗି ହେଉଛି ବୋଲି କୁହାଯାଉଛି ।

 

ଅଥଚ, ପୃଥିବୀର ଅଧିକ ସଂଖ୍ୟକ ଦେଶରେ ମଣିଷର ଅସଲ ଶତ୍ରୁମାନେ ଦେଶର ବାହାରେ ନୁହନ୍ତି, ଦେଶର ଭିତରେ ରହିଛନ୍ତି ।

 

ଦାରିଦ୍ର୍ୟ, କ୍ଷୁଧା, ଅଶିକ୍ଷା, ରୋଗ, ଅସମ୍ମାନ ଏହିଗୁଡ଼ାକ ହେଉଛନ୍ତି । ଏସବୁ ଦେଶରେ ମନୁଷ୍ୟର ସର୍ବପ୍ରଧାନ ଶତ୍ରୁ । ଆତ୍ମବୋଧ ଓ ସମ୍ମାନବୋଧ ହେଉଛି ସର୍ବପ୍ରଧାନ ସମସ୍ୟା ଏବଂ ଏହିସବୁ ଦେଶରେ ଯେଉଁମାନେ କ୍ଷମତାର ମାହାଲଗୁଡ଼ାକୁ ମାଡ଼ି ବସିଛନ୍ତି, ମଣିଷକୁ ମଣିଷର ଅଧିକାର ମିଳିବାରେ ସେହିମାନେ ହିଁ ସର୍ବପ୍ରଧାନ ଅନ୍ତରାୟ ରୂପେ ଠିଆହୋଇ ରହିଛନ୍ତି ।

 

ପ୍ରତିରକ୍ଷା ନାମରେ ଦରିଦ୍ର ରାଷ୍ଟ୍ରଗୁଡ଼ାକରେ ଦୁର୍ବୁଦ୍ଧିଗ୍ରସ୍ତ ଅଧିନାୟକମାନେ ଯେଉଁ ସାମରିକ ଅଭିବୃଦ୍ଧି ଦ୍ୱାରା ଆପଣାକୁ ବଡ଼ ବଡ଼ ଗଡ଼ର ମାଲିକ ବୋଲି ସାବ୍ୟସ୍ତ କରିବାକୁ ଚାହୁଁଛନ୍ତି, ତଦ୍ୱାରା ସେମାନେ କେବଳ ପରସ୍ପରର ହତ୍ୟାଲାଗି ରାସ୍ତା ପରିଷ୍କାର କରି ଦେଉଛନ୍ତି ।

 

ପ୍ରତିହତ୍ୟା ହିଁ ଏହିସବୁ ପ୍ରତିରକ୍ଷାର ପରିଣାମ ହେବାକୁ ଯାଉଛି । ପ୍ରତିରକ୍ଷାର ଦ୍ଵାହିଦେଇ ଏହି ଶାସକମାନେ ତଥାକଥିତ ବନ୍ଧୁ ରାଷ୍ଟ୍ରମାନଙ୍କ ସହିତ ଯେଉଁ ବେପାର ଭିତରେ ଆପଣାକୁ ଲିପ୍ତ କରୁଛନ୍ତି ଓ ତଦ୍ୱାରା ମହାଦେଶୀୟ ମଣ୍ଡଳଗୁଡ଼ିକ ଭିତରେ ବିପଦର ନିଶ୍ଚିତ ବୀଜଗୁଡ଼ିକୁ ବପନ କରୁଛନ୍ତି, ତାହାହିଁ ଏହି ଦେଶଗୁଡ଼ିକ ଲାଗି ସବୁଠାରୁ ବଡ଼ କାଳ ହେବାକୁ ଯାଉଛି ଏବଂ ଏହି ଦେଶଗୁଡ଼ାକ ଯେତେବେଳେ ଆନ୍ତର୍ଜାତିକ ଖଳବୃତ୍ତିର ଗାତ ଭିତରକୁ ଯାଇ ପଶିବେ, ସେତେବେଳେ ବର୍ତ୍ତମାନ କର୍ତ୍ତା ବୋଲାଉଥିବା ଏହି କ୍ଷୁଦ୍ର ବାଳକମାନେ କଦାପି ରକ୍ଷା ପାଇପାରିବେ ନାହିଁ । ନୂଆ ହୋଇ ସ୍ୱାଧୀନ ହୋଇଥିବା ଦେଶଗୁଡ଼ିକରେ ଏମାନେ ଆଗ ମଣିଷକୁ ନ ଲୋଡ଼ି ଓ ଅସ୍ତ୍ରକୁ ଲୋଡ଼ି ଯେଉଁ କଳଙ୍କ ବହନ କରିଛନ୍ତି, ସେମାନେ ଇତିହାସରେ ଚିରଦିନଲାଗି ସେହି କଳଙ୍କର ସ୍ମାରକ ହୋଇ ରହିବେ ।

 

୨୨ । ୧୦ । ୮୧

Image

 

ଆଲୁମିନିଅମ୍‍ ଓ ଓଡ଼ିଶା ଲୋକ

 

ଓଡ଼ିଶାରେ ନୂଆହୋଇ ପ୍ରତିଷ୍ଠିତ ହେବାକୁ ଯାଉଥିବା ଆଲୁମିନିୟମ୍‍ ପ୍ରକଳ୍ପରେ ଓଡ଼ିଶା ଲୋକଙ୍କର ସ୍ୱାର୍ଥ ସୁରକ୍ଷିତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ ଖବର କାଗଜରେ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ଏହି ପ୍ରତିଶ୍ରୁତି ବାହାରକୁ କେଡ଼େ ବଢ଼ିଆହୋଇ ଦିଶୁଛି, କେତେ ଭରସା ଆଣି ଦେଉଛି; ମାତ୍ର ଅସଲ ମଣିଷ ଓ ଅସଲ ସମାଜଟିରେ ଭୂମି ଉପରେ ତାହାର ବିଚାର କରିବାକୁ ଯିବାମାତ୍ରକେ ହିଁ ଭାରି ବିଡ଼ମ୍ବିତ ହୋଇ ରହିଯିବା ପରି ମନେହେଉଛି । ଜଣେ ଓଡ଼ିଆ ହିସାବରେ ଆଲୁମିନିୟମ୍‍ ଭାରି ବାଦ ହେଉଛି ।

 

ଆଲୁମିନିୟମ୍‍ କାରଖାନାଟିକୁ ନେଇ ଆଣି ଥୋଇ ପାରିବାକୁ ହେଲେ ଯେଉଁ ମଣିଷମାନଙ୍କର ଆବଶ୍ୟକତା ରହିଛି, ସେମାନଙ୍କୁ ସବାଆଗ କଦାପି ଓଡ଼ିଆ ବୋଲି କୁହାଯିବ ନାହିଁ, ସେମାନଙ୍କୁ କାରିଗର ବୋଲି କୁହାଯିବ, ତଦ୍‍ବିତ୍‍ ବୋଲି କୁହାଯିବ, ବୈଜ୍ଞାନିକ ବୋଲି କୁହାଯିବ । ଗୋଟିଏ କାରଖାନା ଚାଲିଲେ ତାହାରି କୃପାରୁ କେତେକ ମଣିଷଙ୍କୁ ଚାକିରି ମିଳେ ସତ, ମାତ୍ର ଆଗ କାରଖାନାଟା ଚଳିଲେ ଯାଇ ସେହି ଚାକିରିଗୁଡ଼ାକ ବି ଏକ ସାର୍ଥକପଣିଆ ଲାଭ କରନ୍ତି । ଆମ ସମାଜରେ ଯେଉଁ ସିଆଣିଆ ମଣିଷମାନେ ସବାଆଗ ଚାକିରି ଲୋଡ଼ନ୍ତି, ସେମାନେ କାରଖାନା ଚାଲୁଛି ବା ନାହିଁ, ସେ ଦିଗରେ କୌଣସି ଖିଆଲ ରଖନ୍ତି ନାହିଁ । କାରଖାନା ବୁଡ଼ିବୁଡ଼ି ଯାଉଥିଲେ ମଧ୍ୟ ସେମାନଙ୍କର ଚାକିରି ଉଠିଉଠି ଯାଉଥିବା ପର୍ଯ୍ୟନ୍ତ ସେମାନେ ଆପଣାର କୁଶଳ ଭାଗ୍ୟ ପାଖରେ ଭାରି କୃତଜ୍ଞ ହୋଇ ରହିଥାନ୍ତି । ଠିକ୍‍ ଏହି ନ୍ୟାୟରେ ଆମ ଦେଶରେ କେତେ ବିପଣି ଯେ ବୁଡ଼ିବୁଡ଼ି ଯାଉଥିଲା ବେଳେ ବାହାରେ ଚାକିରିଗୁଡ଼ାକ କିପରି ଫୁଲିଫୁଲି ଯିବାରେ ଲାଗିଛି ଆଖିଫିଟାଇବା ମାତ୍ରକେ ସେଗୁଡ଼ାକ ବଡ଼ ଜଳଜଳ ହୋଇ ଅବଶ୍ୟ ଦିଶିଯିବ । ସଚିବାଳୟ ବୁଡ଼ିବୁଡ଼ି ଯାଉଛି, କିନ୍ତୁ ଚାକିରିଆମାନେ ଆନନ୍ଦରେ ଅଛନ୍ତି । ଦେଶ ବୁଡ଼ିବୁଡ଼ି ଯାଉଛି, ନେତାମାନେ ମହଲାକୁ ମହଲା ନଅର ଗଢ଼ିବାରେ ଲାଗିଛନ୍ତି । ଜଗନ୍ନାଥେ ବୁଡ଼ିବୁଡ଼ି ଯାଉଛନ୍ତି, ପଣ୍ଡାମାନେ ନଅଖିଅ ପଇତା ପକାଇ ବଡ଼ ଦାଣ୍ଡରେ ବାଗୁଡ଼ି ଖେଳୁଛନ୍ତି । ଇସ୍କୁଲ ଆଉ କଲେଜମାନେ ବୁଡ଼ିବୁଡ଼ି ଯାଉଛନ୍ତି, ଆଚାର୍ଯ୍ୟମାନେ ସୁନା ଶାଳଗ୍ରାମ ଗୁଡ଼ାକର ପୂଜାରେ ବାଇ ହୋଇ ରହିଛନ୍ତି । ଆମେ ସମସ୍ତେ ସତେଅବା କେବଳ ଆପଣା ପ୍ରେମରେ ବାଇ ହୋଇ ଆକାଶଗୁଡ଼ାକୁ ଆଣି ଗାଡ଼ ଭିତରେ ପୋତି ପକାଇବା ଲାଗି ଭାରି ସରଗରମ ହୋଇ ବାହାରିଛୁ ।

 

ଓଡ଼ିଶାର ମୂଳଦୁଆ ଟାଣ ହେଲେ ଯାଇ ଓଡ଼ିଶା ଲୋକଙ୍କର ସ୍ୱାର୍ଥ ରହିବ, ମହତ ଆଉ ଇଜ୍ଜତ ରହିବ । ଏହି କାରଖାନା ଆଉ କଚେରୀଗୁଡ଼ାକ ଓଡ଼ିଶାର ମୂଳଦୁଆକୁ ଟାଣ କରିପାରିବେ ନାହିଁ । ଏମାନେ ଓଡ଼ିଶାର ଯେତିକି ମଣିଷଙ୍କୁ ଚାକିରି ଦେବେ, ସେମାନେ ଓଡ଼ିଶାର ଦ୍ୱାହି ଦେଇ ନିଜକୁ ମୋଟା କରିବେ ଓ ଓଡ଼ିଶାକୁ ଠକିବେ । ଓଡ଼ିଆମାନେ ଯେ ଉପରେ ବସି ଓଡ଼ିଶାକୁ ଠକି ପାରନ୍ତି, ସେ କଥା ବି ଅତ୍ୟନ୍ତ ସ୍ପଷ୍ଟ ଭାବରେ ପ୍ରମାଣିତ ହୋଇ ରହିଛି । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶଟିଏ ଗଠନ କରିବାର ଆନ୍ଦୋଳନଟି ପଛରେ ଯେଉଁ ଅସଲ ମତଲବଟି ରହିଥିଲା, ସେହି ମତଲବ ଆଜି ମଧ୍ୟ ଆମ ତଥାକଥିତ ଜାତୀୟ ସମ୍ପତ୍ତି ଗୁଡ଼ାକର ପଛରେ ସର୍ବପ୍ରଧାନ ହାତ ଓ ଗୋଡ଼ ହୋଇକାମ କରୁଛି । ଆମ ନୂଆ ରାଜାବର୍ଗ ଏବେ ମଧ୍ୟ ଓଡ଼ିଶାକୁ ଶୋଷଣ କରୁଛନ୍ତି । ଶହେରେ ଅଶୀଭାଗ ଲୋକଙ୍କୁ ଅସହାୟ ଓ ବଳହୀନ କରି ରଖିଛନ୍ତି ।

 

ଓଡ଼ିଶାରେ ଆଗ ଓଡ଼ିଆଙ୍କର ନୁହେଁ, ଆଗ ମଣିଷଙ୍କର ଖବର ନିଆଯାଉ, ସବୁ ମଣିଷଙ୍କର ଖବର ନିଆଯାଉ । ତା’ପରେ ଯାଇ ବିଜ୍ଞାନ ବି ଏଠି ସତକୁସତ ମଣିଷଙ୍କର କାମରେ ଲାଗିପାରିବ । ଆଗ ମଣିଷର ଇଜ୍ଜତ ରହିଲେ ଏଠି ରାଜନୀତିର ବି ମଙ୍ଗ ମୋଡ଼ି ହୋଇ ଯାଇ ପାରିବ । ଆନ୍ଦୋଳନଗୁଡ଼ିକ ଚଲାଖ ମଣିଷଙ୍କର ମନ୍ଦ ମତଲବ ନ ହୋଇ ସମୃଦ୍ଧିକାମୀ ପ୍ରକୃତ ଆନ୍ଦୋଳନରେ ପରିଣତ ହେବାକୁ ସମର୍ଥ ହେବ ।

 

୨୬ । ୧୦ । ୮୧

Image

 

ବୟସ୍କପୀଡ଼ିତ ପାଠଶାଳା

 

ଏଡ଼େ ବଡ଼ କୋଠା; ଏଡ଼େ ବଡ଼ ବିଦ୍ୟାଳୟ । ପାଖରେ ବିଶ୍ୱବିଦ୍ୟାଳୟ । ପାହାଡ଼ ତଳିଠାରୁ ଏ ପାଖରେ ପିଚୁଦାଣ୍ଡପର୍ଯ୍ୟନ୍ତ ଏତେ ବଡ଼ ବିଦ୍ୟାନଗରୀ ମୁଖବ୍ୟାଦାନ କରି ରହିଛି । ମଝିରେ ପିଲାଙ୍କ ସ୍କୁଲ । ଆଗରେ ସଦ୍ୟ ଖୋଳା ହୋଇଥିବା ପଡ଼ିଆଟିଏ । ଅବିକଳ ପୋଖରୀଟିଏ ପରି ଦିଶୁଛି । ପୋଖରୀଯାକ ମାଙ୍କଡ଼ା ପଥରର ଗୁଣ୍ଡ । ଉଦୁଉଦିଆ ଖରା ବେଳ । ମଣିଷମାତ୍ରକେ ମୁଣ୍ଡ ଫାଟିଯିବ । ତାହାରି ଭିତରେ ଦଳେ ପିଲା ଆଣ୍ଠୁକୁ ଗୋଡ଼ି ଉପରେ ରଖି ସମସ୍ତ ଶରୀରଟାକୁ ତାହାରି ଉପରେ ଭରାଦେଇ ବିଦ୍ୟାଳୟଟି ଆଡ଼କୁ ବିକଳ ନୟନରେ ଅନାଇ ରହିଥାନ୍ତି । ଗୋଟାଏ ପାଖକୁ ପାଞ୍ଚ କି ଛଅଜଣ ଝିଅପିଲା ଓ ମଝିରେ ବାଉଁଶେ ବାଟ ଛାଡ଼ିଦେଇ ଚଉଦ କି ପନ୍ଦର ପୁଅପିଲା । ବୟସ ଦଶ କି ଏଗାର ହେବ । ପୋଖରୀଟାର ଦାରୁଣ ହୃଦୟହୀନତା ଭିତରେ ଦୁଇଟା ନରଖରିଆ ଦ୍ଵୀପପରି ଦେଖାଯାଉଥାନ୍ତି ।

 

ସେମାନଙ୍କୁ ଇସ୍କୁଲ ତରଫରୁ ଦଣ୍ଡ ଦିଆହୋଇଥାଏ । ଇତିହାସ ଶିକ୍ଷକ ସେହି ଦଣ୍ଡାଦେଶ ଦେଇ ସେମାନଙ୍କୁ ସେହିଭଳି ଅସମ୍ମାନରେ ପରିସ୍ଥିତି ଭିତରକୁ ନିକାଲି ଦେଇଥାନ୍ତି । ପିଲାଙ୍କର ଦୋଷ, ସେମାନେ ଇତିହାସ ବହି ନେଇ ସ୍କୁଲକୁ ଆସିନାହାନ୍ତି । ବାପାମାନଙ୍କର ଦୋଷ ସେମାନେ ପିଲାମାନଙ୍କୁ ଇତିହାସ ବହି କିଣି ଦେଇନାହାନ୍ତି । ସରକାରଙ୍କର ଦୋଷ, ସରକାର ଏପର୍ଯ୍ୟନ୍ତ ଇତିହାସ ବହି ଛପାଇ ବଜାରକୁ ଛାଡ଼ିନାହାନ୍ତି । ଇସ୍କୁଲର ଇତିହାସ ଶିକ୍ଷକ ପିଲାମାନଙ୍କୁ ଶାସ୍ତି ଦେଇ ହିଁ ଏହି ଯାବତୀୟ ଅଭାବର ଏକ ସହଜ ସମାଧାନ କରି ଦେଇଛନ୍ତି ଯଦି ବହିଗୁଡ଼ାକ ବଜାରରେ ମିଳୁଥାନ୍ତା, ବାପାମାନେ ଯଦି ପିଲାମାନଙ୍କୁ ବହିମାନ କିଣି ଦେଇଥାନ୍ତେ, ତେବେ ସୁଦ୍ଧା ପିଲାମାନେ ସାଙ୍ଗରେ ବହି ନେଇ ଇସ୍କୁଲକୁ ନ ଆସିଲେ ବି, କୌଣସି ଭଦ୍ର ଦେଶରେ ପିଲାମାନଙ୍କୁ ଏଭଳି ଅଭଦ୍ର ଶାସ୍ତି କଦାପି ଦିଆଯାଆନ୍ତା ନାହିଁ । କେବଳ ଆମରି ଦେଶରେ, ଯେଉଁଠି ଗୁରୁମାନଙ୍କୁ ସତେ ଅବା ଚେଙ୍ଗିଜ୍‍ ଖାଁମାନଙ୍କ ପରି ସ୍ତୁତି କରାଯାଇଛି ଓ ଯେଉଁଠି ବୟସ୍କ-ଅନୈତିକତାର ଉତ୍ପୀଡ଼ନଗୁଡ଼ାକ ପିଲାଙ୍କୁ ଅତ୍ୟନ୍ତ ପ୍ରତିଶୋଧ-ମୂଳକ ଭାବରେ ଯଥାଶୀଘ୍ର ଏକ ବୟସ୍କରେ ପରିଣତ କରି ଦେବାଲାଗି ସବୁମନ୍ତେ ଶାସ୍ତ୍ରସମର୍ଥିତ ଚକ୍ରାନ୍ତମାନ କରିଆସିଛନ୍ତି, ସେହିଠାରେ ହିଁ ଏପରି ଘଟେ । ସମସ୍ତଙ୍କର ଆଖିଆଗରେ ଏହି ଅକଥାଗୁଡ଼ାକ ଘଟୁଥିଲେ ମଧ୍ୟ କେହି ତାହାର ପ୍ରତିବାଦ କରନ୍ତି ନାହିଁ । ବଡ଼ ଅଧ୍ୟାପକମାନେ ଆପଣାର ଯଥୋଚିତ ଭୋଗଗୁଡ଼ିକୁ ଭୁଞ୍ଜି ଗବେଷଣାରତ ଥାଆନ୍ତି । ଏସବୁ ସାନସାନ କଥାକୁ ଆଗ୍ରହ କରିବାଲାଗି ସେମାନଙ୍କର ଗଡ଼କବାଟଗୁଡ଼ାକ ଆଦୌ ଖୋଲି ପାରେନାହିଁ ।

 

ପ୍ରକୃତି ଉପରେ ମଣିଷ ଅତ୍ୟାଚାର କଲେ କୁଆଡ଼େ ସେହି ପ୍ରକୃତି ହିଁ ମଣିଷ ଉପରେ ତା’ର ପ୍ରତିଶୋଧ ନିଏ ବୋଲି ଏବେ ବୈଜ୍ଞାନିକମାନେ କହୁଛନ୍ତି । ପିଲାଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରତିକାର ହୁଏତ ସେହି ପିଲାମାନଙ୍କୁ ହିଁ କରିବାକୁ ହେବ । ବୟସ୍କମାନେ ଆନ୍ତର୍ଜାତିକ ଶିଶୁବର୍ଷ ପାଳନ କରୁଥିବେ ଏବଂ ତେଣେ ପିଲାମାନଙ୍କ ଉପରେ ଅତ୍ୟାଚାର କରୁଥିବେ । ଜୀବନ ପ୍ରତି ରହିଥିବା ଆପଣାର ବିରକ୍ତିଗୁଡ଼ାକୁ ସେମାନେ ପିଲାଙ୍କ ଉପରେ ଶୁଝାଇବାରେ ଲାଗିଥିବେ । ତେଣୁ, ଆତ୍ମନାଂ ଆମ୍ଭନଂ ଉଦ୍ଧରେତ, ଆଉ ଅନ୍ୟ କୌଣସି ବାଟ ନାହିଁ ।

 

୧୮ । ୧୧ । ୮୧

Image

 

ଆମପରେ କଣ ହେବ ?

 

ଆମପରେ କ’ଣ ହେବ ବୋଲି କହି ବୁଢ଼ାମାନେ ଯେତେବେଳେ ଆର୍ତ୍ତନାଦ କରିବାକୁ ଆରମ୍ଭ କରନ୍ତି, ସେତେବେଳେ ସେମାନେ ତା’ଦ୍ୱାରା କେବଳ ନିଜ ବିଷୟରେ ନିଜର ଅସହାୟତାଗୁଡ଼ିକ ହିଁ ଉତ୍କଟ କରିବାରେ ଲାଗିଥାନ୍ତି । ସେମାନେ ଯେ ସେମାଙ୍କର ବହପ ଗୋଟାକଯାକ କେବଳ ନିଜକୁ ହିଁ ଦେଖିଆସିଛନ୍ତି, ଦେଶକୁ ଦେଖି ନାହାନ୍ତି, କାଳକୁ ଦେଖି ନାହାନ୍ତି ଓ ଭଵିଷ୍ୟକୁ ବି ଦେଖିନାହାନ୍ତି, ସେମାନଙ୍କର ସେହି ଅସଲ କଥାଟା ସେତେବେଳେ ଭାରି ଧରାପଡ଼ିଥାଏ । ଦେଶ, ଜାତି ଓ ରାଜନୀତି ବୋଲି କହି ସେମାନେ ଯେ କେବଳ ଆପଣାର ଖଣ୍ଡିଏ ମାଉଁସକୁ ସାତ ଖଣ୍ଡ କରି ତାହାକୁ ହିଁ କାମୁଡ଼ି ଧରିଛନ୍ତି, ସେହି କଥାଟି ଭାରି ପଦାରେ ପଡ଼ିଯାଏ ।

 

ବର୍ତ୍ତମାନ ଯେଉଁମାନେ ବୁଢ଼ା ବୟସରେ ଆମ ପରେ କ’ଣ ହେବ ବୋଲି ହୁରି କରୁଛନ୍ତି, ଆପଣାର ପାରିଲା ବୟସରେ ସେମାନେ ଏଠି କେତେ ନା କେତେ ଘର ଭାଙ୍ଗିଲେ, କେତେ ସରଳବିଶ୍ଵାସୀଙ୍କୁ ହତ୍ୟା କଲେ, କେବେ ଭବିଷ୍ୟତକୁ ଫାଙ୍କି ଦେଲେ ଓ କେତେ ସ୍ଵପ୍ନର ଇଜ୍ଜତ ନେଲେ । ବର୍ତ୍ତମାନ ବୁଢ଼ାବେଳେ ସେମାନଙ୍କର ସେହି ଅପକାରମତିଗୁଡ଼ାକ ସେମାନଙ୍କୁ ହୁଏତ ଏକ ପରମ ଵ୍ୟର୍ଥତାର ସମ୍ମୁଖରେ ଆଣି ଠିଆ କରାଇଛି ଓ ସେମାନେ ଆପଣାକୁ ଗୋଟାସୁଦ୍ଧା ଲଙ୍ଗଳା ହୋଇ ଠିଆ ହୋଇଥିବା ପରି ଅନୁଭବ କରୁଛନ୍ତି । ସେମାନେ ଯିବେ ଏବଂ ସେମାନଙ୍କ ପରେ ଏହି ଦେଶ ତଥାପି ରହିବ । ଏହି ଦେଶର ଏକ ମୋହଭଙ୍ଗ ହେବ । ହଜିଯାଇଥିବା ଅସଲ ଦଉଡ଼ିଗୁଡ଼ିକ ପୁନର୍ବାର ହାତରେ ଆସି ବାଜି ଯାଉଥିବାପରି ମନେହେବ । ହଜିଯାଇଥିବା ଭରସାଗୁଡ଼ାକୁ ପୁନର୍ବାର ନିଜ ଭିତରେ ଖୋଜି ପାଇବା ପରି ଲାଗିବ । ଏହି ଦେଶ ନୂଆ ହୋଇ ଗଢ଼ାହେବ । ମଣିଷକୁ କେନ୍ଦ୍ର କରି ଗଢ଼ାହେବ । ପୁରୁଣା କପଟତାର ସକଳ ଶାସ୍ତ୍ରକୁ ଆମେ ଏହି ବୃଦ୍ଧମାନଙ୍କ ସହିତ ଏକାଠି ସମାଧି ଦେଇଦେବା । କୃତ୍ରିମତା, ଚାରୁ ବାକ୍ୟ ଏବଂ ମିଛମାଧୁର୍ଯ୍ୟ ପ୍ରଭୃତି ଯେଉଁଗୁଡ଼ାକୁ ସେମାନେ ରାଣୀ କରି ରଖିଥିଲେ ଆମେ ସେମାନଙ୍କୁ ନାକୋଇ କରି ଛାଡ଼ିଦେବା ।

 

ଏହି ଦେଶ ଅବଶ୍ୟ ରହିବ । ସ୍ୱପ୍ନଗୁଡ଼ାକର ପୁଣି ପାଳି ପଡ଼ିବ । ତରୁଣମାନଙ୍କ ହାତକୁ ପୁନର୍ବାର ଲଗାମ ଆସିବ । ବିଶ୍ୱାସ ସିଂହାସନରେ ବସିବ । ନିଶା ଖାଇ ଯେଉଁ ଟୋକାମାନେ ଆଜି ଗୋଷ୍ଠୀ ଭିତରେ ପଶି ରାତି ଗୋଟାକରେ ମହାମନୁଷ୍ୟ ହୋଇ ଯିବାର ଫନ୍ଦି କରୁଛନ୍ତି, ସେତେବେଳେ ସେମାନଙ୍କୁ ଆମେ ମିଉଜିଅମରେ ନେଇ ରଖିଦେବା । ଯିଏ ତରୁଣ, ସିଏ ନିଜେ ତିଆରି କରିବ । ଗାଆଁରୁ ତିଆରି କରି ସିଏ ଭୁବନେଶ୍ୱର ଯାଏ ଆସିବ । ତା’ ପାଠ ତାକୁ କଦାପି ଗିଳି ପକାଇବ ନାହିଁ । ସିଏ ତା’ ପାଠକୁ ଆପଣାର ନୂତନ ଭାଗ୍ୟ ଲାଗି କାମରେ ଲଗାଇବ । ତରୁଣ ବେଶି ଦେବ, ଅଧିକରୁ ଅଧିକ ଦେବାଲାଗି ପ୍ରସ୍ତୁତ ହେବ । ବୁଢ଼ାମାନଙ୍କର ପ୍ରଲୋଭନରେ ଆଦୌ ମଙ୍ଗିବ ନାହିଁ । ଯେଉଁ ଯୁଗ ଆସୁଛି, ତାହା ଏହିପରି ଏକ ନୂତନ ଅଭିମନ୍ତ୍ରଣା ନେଇ ଆସୁଛି-। ଘରକୁ ଫେରି ଆସିବାର ସମୟ ଆସୁଛି । ଭବିଷ୍ୟକୁ ସ୍ମରଣ କରିବାର ବେଳ ନିକଟ ହୋଇ ଆସୁଛି । ସେହି ମୁହୂର୍ତ୍ତଟିର ସ୍ୱାଗତ କରିବା ଲାଗି ଯେଉଁମାନେ ଏବେ ପ୍ରସ୍ତୁତ ହେଉଛନ୍ତି, ସେମାନେ ବୁଢ଼ାମାନଙ୍କ ସହିତ ମୋଟେ କଜିଆ କରିବେ ନାହିଁ । ଯେଉଁମାନଙ୍କର ସମୟ ଗଲା, ସେମାନଙ୍କ ସହିତ ଯୁକ୍ତି ଲଢ଼ି ଓ ସେମାନଙ୍କୁ ଅସାଧୁ ବୋଲି ପ୍ରମାଣ କରି ଆଉ କି ଲାଭ ହେବ-?

 

୩୦ । ୧୧ । ୮୧

Image

 

ଓଡ଼ିଶାର ଭାଗ୍ୟ-ପରିବର୍ତ୍ତନ

 

ସରକାରୀ ମଉଡ଼ମଣି ବକ୍ତୃତା ଦେଇ ସେଦିନ କହିଲେ ଯେ, ଓଡ଼ିଶାର ଭାଗ୍ୟ ପରିବର୍ତ୍ତନ ଲାଗି ଏବେ ପ୍ରବଳ ଉଦ୍ୟମ ଚାଲିଛି । ଅବଶ୍ୟ ଏ କଥା ସତ ଯେ, ସରକାରଙ୍କ ତରଫରୁ ପ୍ରଜାଙ୍କର ପଇସା ଖରଚ ହୋଇ ଯେଉଁସବୁ ଉଦ୍ୟମ ଚାଲିଛି, ସେ କେବଳ ସେହିସବୁ ଉଦ୍ୟମର କଥା ହିଁ କହିଲେ । ଓଡ଼ିଶାରେ ପ୍ରାକୃତିକ ସମ୍ପଦ ଭର୍ତ୍ତି ହୋଇ ରହିଛି ଏବଂ ବିପୁଳ ଲୋକଶକ୍ତି ମଧ୍ୟ ରହିଛି, ଯାହାର ଉପଯୁକ୍ତ ବିନିଯୋଗ ମୋଟେ ହୋଇ ପାରୁନାହିଁ । ପ୍ରାକୃତିକ ସମ୍ପଦ ଏବଂ ଲୋକ-ଶକ୍ତିର ବିନିଯୋଗ ଦ୍ୱାରା ଲୋକମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଯିବ ବୋଲି କେବଳ ଓଡ଼ିଶାରେ କାହିଁକି, ସବୁଠାରେ ଏବେ ସରକାରମାନେ କହି ଆସୁଛନ୍ତି । ବୈଜ୍ଞାନିକମାନେ ଯେତିକି ଦମ୍ଭରେ ଏକଥା କହି ପାରୁନାହାନ୍ତି, ରାଜନୀତିକୁ ବଡ଼ ଓ ତହୁଁ ବଡ଼ କଥାମାନ କହି ପୋଲା କରି ରହିଥିବା ଗଜପତିମାନେ ତାହା କହିବା ସମୟରେ ତା’ ଠାରୁ ଅଧିକ ଦମ୍ଭ ଦେଖାଇଛନ୍ତି ।

 

ଓଡ଼ିଶା ବୃହତ୍ତର ଭାରତବର୍ଷର ଗୋଟାଏ ଅଂଶ । ଭାରତବର୍ଷ ମଧ୍ୟ ଆହୁରି ବୃହତ୍ତର ପୃଥିବୀର ଗୋଟିଏ ଅଂଶ । ପ୍ରଚୁର ପ୍ରାକୃତିକ ସମ୍ପଦ ଓ ବିପୁଳ ଲୋକଶକ୍ତି ଥାଇ ମଧ୍ୟ ଆମ ପୃଥିବୀରେ ଆଜି ପ୍ରାୟ ଅଧେ ମଣିଷ ଦରିଦ୍ର ହୋଇ ରହିଛନ୍ତି ।

 

ସମ୍ପଦଗୁଡ଼ାକର ବିତରଣ ହୋଇପାରୁନାହିଁ । ଯେଉଁପରି ଏକ ସୁସ୍ଥ ନେତୃତ୍ୱ ରହିଥିଲେ ସମ୍ପଦ ଓ ଶକ୍ତିଗୁଡ଼ିକର ଯଥାର୍ଥ ଭାବରେ ବିନିଯୋଗ ହୋଇ ପାରୁଥାନ୍ତା, ଆମ ପୃଥିବୀର ରାଜନୀତିକ ନେତୃତ୍ୱ ମୋଟେ ସେତେ ଯୋଗ୍ୟ ହୋଇ ପାରିନାହିଁ । ଏଠି ଛଞ୍ଚାଣମାନେ ବି ଅଛନ୍ତି, ଯେଉଁମାନେ କି ଅନ୍ୟ ପକ୍ଷୀମାନଙ୍କର ବସାକୁ ଜୁର କରି ନେଉଛନ୍ତି । ଏଠି ବଡ଼ ମାଛମାନେ ବି ଅଛନ୍ତି, ଯେଉଁମାନେ ଆଧୁନିକ ଅର୍ଥନୀତିର ନାମରେ ସାନ ମାଛମାନଙ୍କୁ ଖାଇ ଯାଉଛନ୍ତି । ସରକାରମାନେ ଏହି ଦିଗରେ ପୃଥିବୀରେ ଖୁବ୍‍ ବେଶି ପରିବର୍ତ୍ତନ କରାଇ ପାରିବେ ନାହିଁ ବୋଲି ଏବେ ବିଶେଷଜ୍ଞମାନେ କହିବାକୁ ଆରମ୍ଭ କଲେଣି; ତେଣୁ ପୃଥିବୀସାରା ଆଜି ବିକଳ୍ପମାନ ଖେଜା ହେଉଛି । ଏହିଭଳି ଏକ ପରିସ୍ଥିତିରେ ଓଡ଼ିଶାର ଆମର ଭାଗ୍ୟ ପରିବର୍ତ୍ତନ ଅବଶ୍ୟ ହୋଇଯିବ ବୋଲି ଆମକୁ ଯେ କୁହାଯାଉଛି, ତାହା ପ୍ରକୃତରେ ଆମର ଭାଗ୍ୟର କଥା ।

 

ଆଧୁନିକ ରାଷ୍ଟ୍ରଶକ୍ତି ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିବା ସଙ୍ଗେସଙ୍ଗେ ମଣିଷ ଅଧିକରୁ ଅଧିକ ଶକ୍ତହୀନ ହେବାରେ ଲାଗିଛି । ପୁଞ୍ଜିବାଦୀ ଅର୍ଥନୀତି ଧନୀକୁ ଅଧିକ ଧନୀ କରୁଛି, ଅସହାୟମାନଙ୍କୁ ଅଧିକ ପରିମାଣରେ ଅସହାୟ କରିବାରେ ଲାଗିଛି ।

 

ପୃଥିବୀର ଅଧିକାଂଶ ସରକାର ମଣିଷଙ୍କ ପାଇଁ ଯେତେ ଖରଚ କରୁଛନ୍ତି; ବିନାଶକାରୀ ଅସ୍ତ୍ରଶସ୍ତ୍ର ବଢ଼ାଇବା ଦିଗରେ ତା’ ଠାରୁ ଅଧିକ ଅନୁପାତରେ ଖରଚ କରୁଛନ୍ତି । ଯୋଉସବୁ ଦେଶରେ ମଣିଷମାନେ ଉପାସ ରହୁଛନ୍ତି, ସେସବୁ ଦେଶରେ ମଧ୍ୟ ପୁରୁଷୋତ୍ତମ ଓ ପ୍ରତାପରୁଦ୍ରମାନେ ଅସ୍ତ୍ରଶସ୍ତ୍ରକୁ ଅଧିକ ମନ କରୁଛନ୍ତି । ସାନ ଓଡ଼ିଶା ଏହି କଳ ଭିତରୁ ବାହାରିଲା କୋଉଦିନ ଯେ, ଏଠି ସରକାର ଦ୍ୱାରା ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଯିବ ?

 

ଏପରି ଏକ ଅନ୍ୟ ପୃଥିବୀ ଆସୁଛି, ଯେଉଁଠି ମଣିଷ ରାଷ୍ଟ୍ର ଚଳାଇବ, ଆଜିପରି ରାଷ୍ଟ୍ରଗୁଡ଼ାକ ମଣିଷକୁ ଚଳାଇବେ ନାହିଁ । ସେଦିନ ପ୍ରତାପରୁଦ୍ରମାନେ ମଧ୍ୟ ଆଗ ମଣିଷ ହେବାକୁ ମନ କରିବେ । ମଣିଷ ହେବାରେ ଅଧିକ ଗୌରବ ଅନୁଭବ କରିବେ । ଅସଲ ଭାଗ୍ୟ ପରିବର୍ତ୍ତନ ସେତିକିବେଳେ ହେବ ।

 

୭ । ୫ । ୮୨

Image

 

ଧରାପରା ସାଧୁତା

 

ଆମେ ସମସ୍ତେ ଗୋଟାସୁଦ୍ଧା ଅସାଧୁ ହୋଇ ସାରିଲୁଣି ବୋଲି ନାକଗୁଡ଼ିକୁ ଫୁଲାଇ ଏଡ଼େ ଉତ୍ସାହରେ ଅସାଧୁମାନଙ୍କୁ ଧରିବାଲାଗି ବାହାରିଛୁ । ଅନ୍ତତଃ ଆଉ ଜଣେ ଅସାଧୁ ପଛରେ ଗୋଡ଼ାଉଥିବା ସମୟରେ ଆପଣାକୁ ସତେ ଅବା ଗୋଟାଏ ପୂରା ସାଧୁପରି ମନେ ହେଉଛି । ତଦ୍ଦ୍ୱାରା ନିଜକୁ ବାଦଦେଇ ଆଉ ସମସ୍ତଙ୍କୁ ଅସାଧୁ ବୋଲି କହିବାକୁ ସାହସ ହେଉଛି ଏବଂ ତାହାରି ଫଳରେ ଆମ ସମସ୍ତଙ୍କୁ ନେଇ ଅସାଧୁତାଗୁଡ଼ାକ ଏଇଠି ଆମରି ଭିତରେ ଘର କରି ରହିଲାଣି ।

 

ସାଧୁ,ସାଧୁ ହୁଏ । ଆପଣାର ସକଳ ଅସାଧୁତାକୁ ସିଏ ଆପଣା ଭିତରେ ତଥାପି ରହିଥିବା ସାଧୁତା ଦ୍ୱାରା ହିଁ ଅତିକ୍ରମ କରିବାଲାଗି ଅନ୍ତତଃ ଏକ ଆନ୍ତରିକତା ସହିତ ଚେଷ୍ଟା କରୁଥାଏ । କେତେବେଳେ ହାରେ, କେତେବେଳେ ଜିତେ, ତଥାପି ଚେଷ୍ଟା କରୁଥାଏ । ଆଗକୁ ଯାଉଥାଏ; ମାତ୍ର ଯେଉଁମାନେ ନିଜର ଅସାଧୁତାକୁ ଘୋଡ଼ାଇ ରଖିବା ସକାଶେ ସଂସାରଟାଯାକକୁ ଅସାଧୁ ବୋଲି ପ୍ରମାଣ କରିବାକୁ ବାହାରିଥାନ୍ତି ସେମାନେ ଆପଣା ଭିତରେ ରହିଥିବା ଅସାଧୁତାକୁ ପ୍ରେମ କରୁଥାନ୍ତି ଓ ସେହି ପ୍ରେମଟି ଦ୍ୱାରା ଲାଭବାନ୍‍ ହେଉଥାନ୍ତି । ସେମାନେ ଉପଦେଶ ଦିଅନ୍ତି । ଧର୍ମପୁସ୍ତକ ଧରି ସଭାକରି ବୁଲୁଥାନ୍ତି । ସରକାରୀ ଟଙ୍କା ଖର୍ଚ୍ଚକରି ସଂସାରଯାକକୁ ବାଛି ବହାରିଥାନ୍ତି ।

 

ବର୍ତ୍ତମାନ ଆମେ ସମସ୍ତେ ସମସ୍ତଙ୍କୁ ଧରାପକାଇ ଦେବୁବୋଲି ବୀର ବେଶ ସାଜି ବାହାରିଛୁ । ଏ ଦଳଵାଲା ସେ ଦଳଵାଲାଙ୍କୁ ଧରାପକାଇ ଦେଉଛନ୍ତି । ଏ ନେତା ସେ ନେତାଙ୍କୁ ଧରାପକାଇ ଦେଉଛନ୍ତି । ସାନମାନେ ବଡ଼ମାନଙ୍କୁ ଅଯୋଗ୍ୟ ବୋଲି ଧରାପକାଇ ଦେଉଛନ୍ତି । ବଡ଼ମାନେ ବି ସାନମାନଙ୍କୁ ଅବାଧ୍ୟ ବୋଲି ଧରାପକାଇ ଦେଉଛନ୍ତି । ନିପଟ ଚୋରମାନେ ସଂସାର ମନ୍ଥିବାରେ ଲାଗିଛନ୍ତି । ସାଧୁତାର ମୁଖାଗୁଡ଼ାକ ତୁଚ୍ଛା ଏହିପରି ଭାବରେ ଧରାପରା ହୋଇ ମୁଖାମାନଙ୍କ ତଳେ ଲୁଚି ରହିଥିବା ଅସାଧୁତାଗୁଡ଼ାକୁ ହିଁ ଆଣି ପଦାରେ ପକାଇ ଦେଉଛନ୍ତି ।

 

ଏଗୁଡ଼ାକ ପ୍ରକୃତରେ ଭଲପାଇଁ ହିଁ ହେଉଛି । ପରସ୍ପରକୁ ଧରାଇ ଦେବାର ଏହି ଉତ୍ସାହଗୁଡ଼ାକ ଯତେବେଳେ ଶୀତଳ ହୋଇ ଆସିବ, ସେତେବେଳେ ପରସ୍ପର ଦ୍ୱାରା ଆମେ ସମସ୍ତେ ବିବସନ ହୋଇ ପରସ୍ପର ପାଖରେ ବା ଅନ୍ତତଃ ନିଜ ପାଖରେ ଆସି ଠିଆ ହେବୁ, ସେତେବେଳେ ହୁଏତ ନିଜକୁ ଆମେ ଅଧିକ ଯଥାର୍ଥ କରି ଦେଖିବୁ । ସେତେବେଳେ ଯାଇ ଅସଲ ବିନୟ ସମ୍ଭବହେବ—ଏବଂ ତେଣୁ ଅସଲ ସାଧୁତା ସମ୍ଭବହେବ । ସେତେବେଳେ ଆଉ ପରସ୍ପର ଗୋପନ ଜାଗା ଗୁଡ଼ାକ ଉପରୁ ଲୁଗା କାଢ଼ିବାକୁ ଆମର ଆଉ ମୋଟେ ମନ ହେବ ନାହିଁ । ସେତେବେଳେ ଆମେ ପରସ୍ପରର ଅସଲ ଦଶାଟିକୁ ଦେଖିବା ଲାଗି ସମର୍ଥ ହେବା ଓ ଆଉ କପଟ କରିବାକୁ କିମ୍ବା ଶଠ ହେବାକୁ ମୋଟେ ମନ କରିବା ନାହିଁ । ତାହାହିଁ ଯଥାର୍ଥ ସାଧୁତା ଏବଂ ମୁଖାଲାଗାଇବା ହିଁ କେବଳ; ଗୋଟିଏ ମାତ୍ର ଅସାଧୁତା । ଏହି ଅସାଧୁତା କାଳକ୍ରମେ ଆମକୁ ଖାଇ ଆମ ଦିଅଁମାନଙ୍କୁ ଖାଇବାକୁ ବି ଆରମ୍ଭ କଲାଣି । ଆମପରି ଆମ ଦିଅଁମାନେ ବି ପୋଲା ହେବାକୁ ଆରମ୍ଭ କଲେଣି । ଏ ଖେଳ ଶୀଘ୍ର ସାରିବ । ଆପଣାର ସକଳ ଅଭାବ ସତ୍ତ୍ୱେ ତଥାପି ଯେଉଁମାନେ ପ୍ରଧାନତଃ ଭାବକୁ ନେଇ ହିଁ ପରସ୍ପରର ସଙ୍ଗୀ ହେବାକୁ ବାହାରିବେ, ଆଗାମୀ ଯୁଗରେ ସେହିମାନେ ହିଁ ସାଧୁବୋଲି ଘୋଷିତ ହେବେ ।

 

୧୬-୫-୮୨

Image

 

ଖେଳପ୍ରିୟ ଓଡ଼ିଶା

 

ସେଦିନ ରୁଷିଆରୁ ଖେଳାଳିମାନେ ଓଡ଼ିଶାକୁ ଆସିଲେ, ଇସ୍କୁଲ କଲେଜ ଆଉ କଚେରୀମାନେ ସରକାରୀ ଆଦେଶରେ ଠକ୍‍ଠକ୍‍ ବନ୍ଦ ହୋଇଗଲା । ଆଉଦିନେ ଏଠି କୌଣସି ବିଦେଶୀ ଦଳଙ୍କ ସହିତ ଭାରତୀୟ ଗୋଟାଏ ଦଳର କ୍ରିକେଟ ଖେଳ ହେଲା । ସେଥିଲାଗି ସରକାରୀ ଦୋକାନପତ୍ରଗୁଡ଼ାକ ବନ୍ଦ କରି ସମସ୍ତଙ୍କୁ ଖେଳ ଦେଖି ଆସିବାକୁ ସୁଯୋଗ ଦିଆଗଲା । ଓଡ଼ିଶା ଯେ କେଡ଼େ ଖେଳପ୍ରିୟ, ଓଡ଼ିଶା ସରକାର ସେହି କଥାଟିର ପ୍ରମାଣ ଦେଲେ ।

 

ଖେଳପ୍ରିୟ ହେବାର ବାଟଟା ବି ଠିକ୍‍ ଖେଳପରି ଭାରି କଉତୁକିଆ । ଆପଣାର କାମ ବନ୍ଦକର, ମନଇଚ୍ଛା ଖେଳ, ନିଜେ ନ ଖେଳି ପାରିଲେ ଖେଳ ଦେଖିବାକୁ ଯାଅ, ପରିପୂର୍ଣ୍ଣ ଭାବରେ ମଜ୍ଜି ରହ, ନିଶା ଖାଇ ରହ । ଯେଉଁ ଦେଶରେ ଖୋଦ ସରକାର ଏ ସବୁର ବରାଦ କରି ଦେଉଥିବେ ଓ ମଣିଷମାନଙ୍କୁ ଷଡ଼ଯନ୍ତ୍ର କରି ଖେଳମୁହଁକୁ ଠେଲି ଦେଉଥିବେ, ସେ ଦେଶରେ ଶେଷକୁ ପାଷଣ୍ଡମାନେ ହିଁ ସର୍ବାଧିକାରୀ ଅର୍ଥାତ ସର୍ବନାଶକାରୀ ହୋଇ ବାହାରିବାକୁ କେତେ ନା କେତେ ବାଟ କେତେ କେତେ ସୂତରରେ ଖୋଲି ଯାଉଥିବେ ।

 

ଯେଉଁମାନେ କାମ ଛାଡ଼ି, ଖେଳ ଦେଖିବାକୁ ଯାଆନ୍ତି, ସେମାନେ କାମ ଥାନରେ ବି କ୍ରମେ ଖେଳିବାକୁ ଆରମ୍ଭ କରନ୍ତି ଓ ତଦନୁସାରେ ଯାବତୀୟ ଅପବିଦ୍ୟାକୁ ସତେ ଅବା ଗୋଟାଏ ଗୋଟାଏ ଷଣ୍ଢପରି ଆୟତ୍ତ କରିପକାନ୍ତି । କଚେରୀ ଭିତରେ ଓକିଲମାନେ ଖେଳନ୍ତି, ହାକିମମାନେ ବି ଖେଳନ୍ତି । ସଚିବାଳୟରେ ବଡ଼ ସଚିବ ଓ କୁନି କିରାନିମାନେ ସମସ୍ତେ ସଲା କରିଥିବା ପରି ଖାଲି ଖେଳିବାରେ ଲାଗିଥାନ୍ତି । ପାଠପଢ଼ାଗୁଡ଼ାକ ବି ଖେଳରେ ପରିଣତ ହୋଇଯାଏ; ଅଧ୍ୟାପକ ତାଙ୍କ ଗୋହରୀମାନଙ୍କରେ ଖେଳନ୍ତି ଓ ପିଲାମାନେ ସେମାନଙ୍କର ଅଲଗା । ଗୋଚରଟିଏ ବାଛିନେଇ ସେଇଠି ଯାଇ ଖେଳନ୍ତି । ଏମାନେ ଯେ ବରଷଯାକ ଖେଳ ଖେଳି ଆସିଛନ୍ତି, ପରୀକ୍ଷା ବେଳର ଆଉ ଗୋଟାଏ ଖେଳରେ ବି ତାହାର ପୁରା ପ୍ରମାଣ ମିଳିଯାଏ । ପାସ୍‍ ଓ ଫେଲ୍‍ ଗୁଡ଼ିକ ବି ସମ୍ପୂର୍ଣ୍ଣ ଭାବରେ ଏକ ଖେଳର ନ୍ୟାୟକର ହେବାରେ ଲାଗିଥାଏ । ନିର୍ଧୂମ୍‍ ଅସାଧୁମାନେ ସାଧୁତାକୁ ନେଇ ଖେଳନ୍ତି, ତୁଚ୍ଛା ଶଠମାନେ ସଭାରେ ଆସି ଖେଳନ୍ତି । ରାହୁମାନେ ଆସି ଅମୃତ ଲୁଟି ନେଉଥାନ୍ତି ଓ ତାହାକୁ ସତେଅବା ଏକ ନିୟତି ନିର୍ଦ୍ଦିଷ୍ଟ ଖେଳପରି ମନେକରୁଥାନ୍ତି ।

 

ସମ୍ପାଦକମାନେ ଖବର-କାଗଜରେ ଆପଣାକୁ ଏହି ଅରଣ୍ୟ ଭିତରେ ସବୁଠାରୁ ବଡ଼ ହିରୋ କରି ସବା ଉପରେ ବସାଇ ଯୁଗଟା ସହିତ ଖେଳିବାରେ ଲାଗିଥାନ୍ତି । ଚୋର ଓ ପୋଲିସ ଭିତରେ ଖେଳରେ ଦଉଡ଼ାଦଉଡ଼ି ଲାଗିଥାଏ । କିଏ କେତେବେଳେ କୋଉଟା ହୁଏ ସେକଥା ମୋଟେ ଧରିହୁଏ ନାହିଁ । ଯୁଗଟା ଖେଳପ୍ରିୟ ହେଲେ ମଣିଷମାନେ ଖେଳରେ ମାତିଥାନ୍ତି ଓ ଦୈତ୍ୟମାନେ ନିରଙ୍କୁଶ ହୋଇ ରାଜତ୍ୱ କରନ୍ତି ।

 

ଗୋଟାଏ ଦେଶର ଭାଗ୍ୟ ସହିତ ଦୀର୍ଘ ଚାଳିଶ ବର୍ଷ ହେଲା ଖେଳିଖେଳି ଆମେ ଯେ କୋଉଯାଏ ଆସିଲୁଣି, ଖେଳର ନିଶା ଛାଡ଼ିଲେ ସିନା ଆମେ ସେକଥାକୁ ବୁଝିପାରନ୍ତୁ ! ଆମକୁ ଖେଳ ଭିତରେ ଭୁଲାଇ ଦେଇ ଯେଉଁମାନେ ଗେଣ୍ଡାଳିଆ ପରି ଏହି ଦେଶର ଆକାଶକୁ ଡେଣା ବିସ୍ତାର ତୋଟାସୁଦ୍ଧା ଅନ୍ଧାର କରି ରଖିଛନ୍ତି, ସେମାନେ ଏହି ଅନ୍ଧକାରଗୁଡ଼ାକୁ ସତେଅବା କେବଳ ଗୋଟାଏ ଖେଳପଡ଼ିଆ ପରି ଅନୁଭବ କରୁଛନ୍ତି ।

 

ସେହି ଅନ୍ଧାର ସେମାନଙ୍କୁ ବି ଖାଇଯାଉଛି । ସେହି କଥାଟିକୁ ବୁଝିଲେ ଯାଇ ସେମାନେ ଖେଳ ଛାଡ଼ିବେ, ଜୀବନକୁ ମନ କରିବେ । ଜୀବନକୁ ମନ କରୁଥିବା ମଣିଷ ନିଜେ କଦାପି ନିଶା ଖାଏନାହିଁ ବା ଆଉ କାହାକୁ ବି ନିଶା ଖୁଆଇବାକୁ ମୋଟେ ମନ କରେନାହିଁ ।

 

୨୨ । ୫ । ୮୨

Image

 

ଅହୋରାତ୍ର ଜନ୍ମଜୟନ୍ତୀ

 

ଯେଉଁମାନେ ସାହି ସାହି ବୁଲି ଅଥବା ଡଗର ପଠାଇ ଆପଣାର ଜନ୍ମଜୟନ୍ତୀଗୁଡ଼ାକର ପାଳନ କରାଉଥାନ୍ତି, ସେମାନେ ଆପଣା ଭିତରେ ଏକ ପୂର୍ଣ୍ଣ ପ୍ରତ୍ୟୟ ପାଇଲା ପରି ସମ୍ଭବତଃ ମୋଟେ ଜନ୍ମଗ୍ରହଣ କରିନଥା’ନ୍ତି । ଅନ୍ୟମାନେ ସେମାନଙ୍କର ଜନ୍ମ ଜୟନ୍ତୀ ଗୁଡ଼ାକୁ ପାଳନ କରୁଥିବାର ଦେଖିଲେଏବଂ ଖବର କାଗଜମାନଙ୍କରେ ତାହାର ହିସାବଗୁଡ଼ାକ ଫର୍ଦ୍ଦଫର୍ଦ୍ଦ କରି ବାହାରିଲେ ଯାଇ ଏମାନଙ୍କର ସେହି ବିଷୟରେ କିଞ୍ଚିତ୍‍ ପ୍ରତ୍ୟୟ ହୋଇଥାଏ । ସେହି ଫର୍ଦ୍ଦଗୁଡ଼ାକ ଯେତିକି ଅଧିକ ହୁଏ, ସେମାନଙ୍କର ପ୍ରତ୍ୟୟଟା ବି ହୁଏତ ସେତିକି । ପ୍ରକୃତ ପ୍ରତ୍ୟୟ ପରି ମନେ ହେଉଥାଏ । ତଥାପି ଏ ବର୍ଷର ସଂଗୃହୀତ ପ୍ରତ୍ୟୟଗୁଡ଼ାକ ଆର ବର୍ଷକୁ ରହେନାହିଁ । ସେଥିଲାଗି ବରଷକୁ ବରଷ ପୁଣି ସାହି ବୁଲିବାକୁ ପଡ଼େ, କମିଟି ଗଢ଼ାଇବାକୁ ପଡ଼େ ଓ ପ୍ରତ୍ୟୟ ଭିକ୍ଷା କରିବାକୁ ପଡ଼େ ।

 

ଯେଉଁମାନେ ଜୀବନଯାକ ଖାଲି ନିଜକୁ ଦେଖିଛନ୍ତି, ନିଜକୁ ଲୋଡ଼ିଛନ୍ତି ଓ ତେଣୁ ନିଜ ଭିତରେ ରହିଥିବା ସ୍ୱାର୍ଥ ସଚେତନ ଆମ୍ଭକାମୀ ବଢ଼ାଟାର ପରିଚର୍ଯ୍ୟା କରିଆସିଛନ୍ତି, ସେମାନେ ପ୍ରକୃତରେ କେବେ ଜନ୍ମ ହୋଇଛନ୍ତି ବୋଲି ମୋଟେ ବିଶ୍ୱାସ କରି ପାରନ୍ତିନାହିଁ । ଆପଣା ଭିତରର ପିଲାଟିକୁ ସେମାନେ କୋଉକାଳୁ ମାରି ସାରିଥା’ନ୍ତି । ସେହି ପିଲାଟାକୁ ଭୟ କରୁଥା’ନ୍ତି ବୋଲି ତାକୁ ମାରି ଦେଇଥା’ନ୍ତି ଏବଂ ସେମାନଙ୍କର ଏହି ସଂସାରରେ ସତକୁସତ ଯେ ଏକ ଜନ୍ମ ହୋଇଛି, ସେହି କଥାଟିଲାଗି ବରଷକୁ ବରଷ ପ୍ରତ୍ୟୟ ଖୋଜି ବୁଲୁଥାନ୍ତି । ଏହି ବ୍ୟକ୍ତିମାନେ ପ୍ରକୃତରେ ଭାରି ଦୁଃଖୀ, ଭାରି ଏକାକୀ, ଭାରି ସଙ୍ଗହୀନ । ଏମାନଙ୍କର ଅସଲ ଦୁଃଖ ଓ ଅସଲ ଜ୍ଵାଳାଗୁଡ଼ାକୁ ବୁଝିଲେ ଆମେ କଦାପି ଏମାନଙ୍କ ଉପରେ କ୍ରୋଧ କରିବା ନାହିଁ ବରଂ, ଏମାନଙ୍କ ଭିତରେ, ପ୍ରଚ୍ଛନ୍ନ ହୋଇ ରହିଥିବା ପିଲାଟା ପ୍ରତି ଆବଶ୍ୟକ ସହାନୁଭୂତି ଦେଖାଇବାକୁ ହିଁ ମନ କରିବା ।

 

ଆଉଗୋଟାଏ ଜୀବନସ୍ତର ରହିଛି, ଯେଉଁଠାକୁ ଉଠିଗଲେ ଜଣେ ମଣିଷ କେବେହେଲେ ବଢ଼ା ହୁଏନାହିଁ ଓ ତେଣୁ ଆପଣାର ଜନ୍ମ ବିଷୟରେ ପ୍ରତ୍ୟୟ ଖୋଜି ସିଏ କେବେହେଲେ ବଜାରକୁ ଯାଏ ନାହିଁ ।

 

ଆଉ ଗୋଟାଏ ଚେତନା ସ୍ତର ରହିଛି, ଯେଉଁଟାର ଭାଜନ ହୋଇପାରିଲେ ମଣିଷ ଆପଣା ଭିତରେ ପିଲାଟିକୁ ହିଁ ଆପଣାର ସର୍ବପ୍ରଧାନ ସଙ୍ଗୀ ବୋଲି ଅନୁଭବ କରିପାରେ, ସେହି ପିଲାଟିକୁ ସାଙ୍ଗରେ ନେଇ ସିଏ ସବୁଠାକୁ ଯାଏ ଏବଂ ତେଣୁ କୌଣସି ପ୍ରକାରର ବୁଢ଼ାଳିଆ ବେରସିକତା କରି କଦାପି ପ୍ରତ୍ୟୟ କିଣିବାକୁ ଯାଏନାହିଁ । ମାତ୍ର, ନିଜ ଭିତରେ ରହିଥିବା ସାମନ୍ତବାଦୀ ଆଳସ୍ୟ ଏବଂ ସାମନ୍ତବାଦୀ ଲାଳସାଗୁଡ଼ାକୁ ଆଗ ଛାଡ଼ିପାରିଲେ ଯାଇ ମଣିଷ ସେହି ଜୀବନ ଓ ସେହି ଚେତନାର ଯୋଗ୍ୟ ହୋଇଥାଏ । ତା’ପରେ ସିଏ ସ୍ୱୀକୃତି ମାଗି ବୁଲେନାହିଁ । ସ୍ୱୀକୃତି ମାଗି ଆପଣାର ଯାବତୀୟ ଅନୁଧାବନକୁ ସତେଅବା ଏକ ପ୍ରହସନରେ ମୋଟେ ପରିଣତି କରି ଦିଏନାହିଁ ।

 

ଆପଣ ନିଜ ଭିତରେ ଆଉ ଟିକିଏ ହାଲୁକା ହୋଇପାରିବେ, ଆଉ ଟିକିଏ ସତକୁସତ ଭଲ ପାଇବେ, ସଉତୁଣୀ ସହିତ ଲଢ଼ିବେ ନାହିଁ, ନିଜର କ୍ଷୁଦ୍ରତାଗୁଡ଼ିକ ବଡ଼କରି ଦେଖେଇବାର ଉତ୍ସାହରେ ଆପଣା ଭିତରେ ଯଥାର୍ଥରେ ବଡ଼ହୋଇ ରହୁଥିବା ଗୁଣଗୁଡ଼ିକ ଆପଣ ମୋଟେ ମାରା କରି ପକାଇବାକୁ ମନକରିବେ ନାହିଁ । ତେବେ ଆପଣ ପ୍ରତ୍ୟହ ନୂତନ ହୋଇ ଜନ୍ମଲାଭ କରିପାରିବେ ନିଜକୁ ସଂସାରରେ ଜଣେ ସଙ୍ଗୀପରି ଅନୁଭବ କରିପାରିବେ ଓ ତେଣୁ ଆଉ କଦାପି ପ୍ରତ୍ୟୟ ମାଗି ବଜାରକୁ ଯିବେନାହିଁ ।

 

୨୭ । ୫ । ୮୨

Image

 

ସଂସ୍କୃତି : ଅପସଂସ୍କୃତି

 

ଯୋଉଠି ସଂସ୍କୃତି ନ ଥାଏ, ସେହି ଅବସ୍ଥାକୁ ହିଁ ଅପସଂସ୍କୃତି କୁହାଯାଏ । ଯିଏ ସଂସ୍କୃତି ଭିତରେ ଥାଏ, ସିଏ ସଂସ୍କୃତିକୁ ହିଁ ଦେଖେ । ସଂସ୍କୃତିକୁ ବାଟ ହିସାବରେ ଚାଲେ । ସମସ୍ତେ ସଂସ୍କୃତି ଭିତରେ ରହିଛନ୍ତି ବୋଲି ଯେ ସିଏ ନିଜେ ସଂସ୍କୃତି ଭିତରେ ଥାଏ, ସେକଥା ମୋଟେ ନୁହେଁ । ସମସ୍ତେ ଅପସଂସ୍କୃତି ଭିତରେ ରହିଥିଲେ ମଧ୍ୟ ସିଏ ତଥାପି ସଂସ୍କୃତି ଭିତରେ ରହେ । ଅପସଂସ୍କୃତିର ସମ୍ମୁଖରେ ସଂସ୍କୃତିକୁ ହିଁ ଏକ ବିକଳ୍ପ ରୂପେ ଉତ୍ତୋଳିତ କରି ଧରିଥାଏ । ଯେଡ଼େ ବ୍ୟତିକ୍ରମ ପରି ଦେଖାଯାଉଥିଲେ ମଧ୍ୟ ସିଏ ତଥାପି ଏକ ବିକଳ୍ପହୋଇ ରହିଥାଏ, ମାଥାଟେକି ବାଟ ଚାଲିଥାଏ ।

 

ମାତ୍ର ଯେଉଁଠାରେ ସଂସ୍କୃତିକୁ ବଞ୍ଚିବା ନାଆଁରେ ଦଳେ ମଣିଷ ସଭା କରି ଗଭା ସଜାଇ ଅପସଂସ୍କୃତି ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ବାହାରନ୍ତି, ସେଠାରେ ସଂସ୍କୃତି ପ୍ରକୃତରେ ବଡ଼ ଦୟନୀୟ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଥିବ । ସବୁ ଶୁଦ୍ଧ ହୋଇ ରହିଥିଲା ପରି ସେମାନେ ଆଗ ରାସ୍ତାକଡ଼ରେ ମରାହୋଇଥିବା ଚିତ୍ରଗୁଡ଼ିକୁ ଶୁଦ୍ଧ କରିବେ ବୋଲି ବାହାରନ୍ତି । ଶୁଦ୍ଧ ଗୀତଗୁଡ଼ାକ ପୋଲା ହେଉ ବୋଲି ଏଡ଼େ ପାଟିରେ କହନ୍ତି । ଏଗୁଡ଼ିକ ଅପସଂସ୍କୃତିର କାରଣ ନୁହନ୍ତି, ଏଗୁଡ଼ିକ ଅପସଂସ୍କୃତିର ପରିଣାମ । ଆମ ପାଠ ଭିତରେ ଅପସଂସ୍କୃତି ପଶିଛି, ଆମ କଚେରୀଗୁଡ଼ାକରେ ତୁଚ୍ଛା ଅପସଂସ୍କୃତିମାନେ ଲାଖରାଜୀ ମାଡ଼ି ବସିଛନ୍ତି, ଆମ ସମାଜଟା ଗୋଟାସୁଦ୍ଧା ଅପସଂସ୍କୃତିକୁ ବେକଯାଏ ବୋତାମ ଦେଇ ପିନ୍ଧିଛି । ଆମ ନେତାମାନେ ଖାଲି ଅପସଂସ୍କୃତି ଗୁଡ଼ାକ ଦ୍ଵିତୀୟ ଦାରା ପରିଗ୍ରହ କଲାପରି ଆଦରି ନେଇଛନ୍ତି ଏବଂ ସମ୍ଭବତଃ ସେହି କାରଣରୁ ଭୀରୁମାନେ ବାଜେ ଚିତ୍ର ଓ ବାଜେ ଗୀତ ଗୁଡ଼ାକ ବନ୍ଦ କରିବେ ବୋଲି ଗୋଟିଏ ମିଛ ଯୁଦ୍ଧର ଘୋଷଣା କରି ବାହାରିବାକୁ ମନକରୁଛନ୍ତି । ପେଟରେ ପେଟେ ଅପସଂସ୍କୃତି ପୂରାଇ ଏମାନେ ବାହାରେ ତାଡ଼କା ବଧ କରିବେ ବୋଲି ବେଶ ହୋଇ ବାହାରିଛନ୍ତି ।

 

ଅପସଂସ୍କୃତିଗୁଡ଼ାକ ବଢ଼ିଗଲେ ଯେ ସଂସ୍କୃତିର ବିଲୋପ ହୁଏ, ସେକଥା ମୋଟେ ନୁହେଁ-। ଆମେ ସଂସ୍କୃତିକୁ ମନ ନ କଲେ ହିଁ ସଂସ୍କୃତିର ବିଲୋପ ହୁଏ । ଗୁଡ଼ାଏ ଅପସଂସ୍କୃତି ଉପରେ ଆମେ ନିଜ ନିଜର କୋଠାଘରଗୁଡ଼ାକୁ ଏପରି ମଜବୁତ ଭାବରେ ତିଆରି କରି ରଖିଥାଉ ଯେ,ସଂସ୍କୃତି ତା’ ଭିତରେ ମୋଟେ ପଶିପାରେ ନାହିଁ । ବାହାରେ ବିଳାସ ବଢ଼େ, ସଭାମାନଙ୍କରେ କଥାର ଉଦ୍‍ଗାର ବଢ଼େ, ଚଉକୀ ଗୁଡ଼ାକର କ୍ଷମତା ବଢ଼େ ଏବଂ ଅସଲ ମଣିଷ ନିକାଲି ହୋଇ ରହିଥାଏ; ତେଣୁ ଅବିଶ୍ୱାସ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରି ଏହି ସଂସାରରେ ବିଶ୍ୱାସ ବଢ଼ାଇବାର ଆମର ସକଳ କୌଶଳ କେବଳ ସେଇ କୌଶଳ ହୋଇ ରହିଯାଏ । ବିଶ୍ୱାସକୁ ଲୋଡ଼ିଲେ ବିଶ୍ୱାସ ବଢ଼େ, ବିଶ୍ୱାସ ହିଁ ଜୀବନର ଧର୍ମ ହୋଇ ରହେ । ତେଣୁ ଅବିଶ୍ୱାସ ଲାଗି ଆଉ ମୋଟେ ଥାନ ରହେନାହିଁ । ଅଧିକରୁ ଅଧିକ ମଣିଷ ସଂସ୍କୃତିକୁ ଲୋଡ଼ିଲେ ଯାଇ ସଂସ୍କୃତି ବଞ୍ଚିରହେ-। ଯେଉଁମାନେ ଅପସଂସ୍କୃତିଗୁଡ଼ିକୁ ଆଗ ନିର୍ମୁଳ କରିବେ ବୋଲି ବଳୀ ଓ ମହାବଳୀ ହୋଇ ବାହାରନ୍ତି, ସେମାନେ ନିଜର ସକଳ ସଦିଚ୍ଛା ସତ୍ତ୍ୱେ ସେଇ ଅପସଂସ୍କୃତିଗୁଡ଼ାକୁ ଅଧିକ ଆତ୍ମଗୋପନ କରି ଓ ଅଧିକ ଭଦ୍ରହୋଇ ରହିବାରେ ହିଁ ସାହାଯ୍ୟ କରୁଥାନ୍ତି ।

 

୩୧ । ୫ । ୮୨

Image

 

ପ୍ରଗତି ପଥରେ ବାଧା

 

ଭାରତବର୍ଷରେ ଅସଲ ପ୍ରଗତିଗୁଡ଼ିକର ପଥରେ ଯେଉଁସବୁ ବାଧା ରହିଛି, ସେଗୁଡ଼ାକୁ ଦୂର କରିବାରେ ଜନସାଧାରଣ ସରକାରଙ୍କୁ ସାହାଯ୍ୟ କରନ୍ତୁ ବୋଲି କେତେଦିନ ତଳେ ଭାରତବର୍ଷର ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ଉଦବୋଧନ ଦେଇ କହୁଥିଲେ ।

 

ଭାରତବର୍ଷ ରାଜନୀତିକ ସ୍ୱାଧୀନତା ହାସଲ କରିବାପରେ ଏଠାରେ ଯେତେ ପ୍ରଗତି ହେବାର କଥା, ତାହା କାହିଁକି ହୋଇପାରି ନାହିଁ, ଗତ ଗୋଟିଏ ପୁରୁଷର ଅବଧିକୁ ଅନାଇ ତାହାର ନିଶ୍ଚୟ ଏକ ବିଚାର କରାଯାଇ ପାରିବ । ରାଜନୈତିକ ସ୍ୱାଧୀନତା ପରେ ଯେ କୌଣସି ଦେଶର ଦ୍ଵିତୀୟ ଆବଶ୍ୟକତାଟି ହେଉଛି ସାମାଜିକ ସ୍ୱାଧୀନତା; ଅର୍ଥାତ ସମାଜର ପ୍ରତ୍ୟେକ ମଣିଷକୁ ସମାନ ସୁଯୋଗ ଦିଆଯିବ, ଯେପରିକି ସିଏ ଆପଣା ପ୍ରତିଭାଗୁଡ଼ିକର ବିକାଶ କରାଇ ଏହି ସମାଜର ଅଧିକ କାର୍ଯ୍ୟରେ ଲାଗିପାରିବ । ତାହାର ଅର୍ଥ ହେଉଛି, ଏଠୁ ଵିଷମତା ଓ ବ୍ୟବଧାନଗୁଡ଼ାକ ଯଥାସମ୍ଭବ ସମ୍ପୂର୍ଣ୍ଣ ଭାବରେ ଦୂର ହେବ ଏବଂ ଏକ ସ୍ୱାଧୀନ ଦେଶର ସରକାରଙ୍କର ତାହାହିଁ ହେଉଛି ସର୍ବପ୍ରଧାନ କାର୍ଯ୍ୟ । ଭାରତବର୍ଷର ସରକାର ସ୍ୱାଧୀନତା ପରେ ଆମ ସମସ୍ତଙ୍କୁ ଚକିତ କରି ସୁନାର ଓ ରୁପାର ପର୍ବତମାନ ତିଆରି କରାଇଛନ୍ତି ସତ, ମାତ୍ର ଦେଶରେ ମଣିଷ ମଣିଷ ଭିତରେ ଵିଷମତା ବଢ଼ିଛି, ବ୍ୟବଧାନଗୁଡ଼ାକ ବଢ଼ିଛି । ପ୍ରବଳମାନେ ଆହୁରି ପ୍ରବଳ ହୋଇଛନ୍ତି । ତୁଚ୍ଛା ଅଯୋଗ୍ୟମାନେ ବି ପ୍ରବଳ ହୋଇଛନ୍ତି । ସାମନ୍ତବାଦୀ ଉଦ୍ଧତତାର କେତେ କେତେ ନୂଆ ସଂସ୍କରଣ ବାହାରିଛି । ଦେଶଟାଯାକର ସାମାଜିକ ଓ ରାଜନୀତିକ ଜୀବନର ଚୁଟିକୁ ଦିଲ୍ଲୀରେ ବା ଭୁବନେଶ୍ୱରରେ ବସିଥିବା ସତେଅବା କେଉଁ ଅସୁର ହାତରେ ନେଇ ଧରାଇ ଦିଆଯାଇଛି । ଚତୁରମାନଙ୍କର ସଂଖ୍ୟା ବଢ଼ିଛି । ବିଦ୍ୟାବନ୍ତ ମଣିଷମାନେ ଅଧିକରୁ ଅଧିକ ଭୀରୁ ହୋଇଛନ୍ତି । ବଡ଼ମାନେ ଅସଲ ନେତୃତ୍ୱଟିକୁ ଦେବା ପରିବର୍ତ୍ତେ ଆପଣାକୁ ନଅରଗୁଡ଼ାକ ଭିତରେ ନେଇ ଗେହ୍ଲାକରି ଓ ପ୍ରକୁପିତ କରି ରଖିଛନ୍ତି ।

 

ଭାରତବର୍ଷର ପ୍ରଗତି ପଥରେ ଭାରତବର୍ଷର ଶାସକମାନେ ହିଁ ସବୁଠାରୁ ବଡ଼ ବାଧା ହୋଇ ଠିଆ ହୋଇଛନ୍ତି । ନେତୃତ୍ୱ ନାମରେ ଗୁଡ଼ାଏ ବ୍ୟସନକୁ ପ୍ରଶ୍ରୟ ଦିଆଯାଇଛି । ତୋଷାମଦକାରୀମାନେ ଆପଣାର ଅଧିକରୁ ଅଧିକ ବୃଦ୍ଧିସାଧନ କରିବା ଲାଗି ଉଦ୍ଧତ କ୍ଷମତାସୀନମାନଙ୍କୁ ଆହୁରି ଉଦ୍ଧତ ହେବାର କାମୁକତାମାନେ ଆଣି ଯୋଗାଇ ଦେଇଛନ୍ତି; ତେଣୁ ବାହାରେ ଯାହାକୁ ପ୍ରଗତି ବୋଲି କୁହାଯାଉଛି, ବସ୍ତୁତଃ ତାହା ଏକ ପ୍ରହସନରେ ପରିଣତ ହୋଇ ରହିଛି ।

 

ମଣିଷମାନଙ୍କର କଲ୍ୟାଣଲାଗି କୋଟି କୋଟି ଟଙ୍କା ଖରଚ ହେଉଛି, ମାତ୍ର ସେହି ଟଙ୍କା ମଝିରେ ମନ୍ତୁରା ହୋଇ ଆଉ କୁଆଡ଼େ ଅଦୃଶ୍ୟ ହୋଇଯାଉଛି । ଭବିଷ୍ୟର ରାସ୍ତାଗୁଡ଼ାକ ଚାହୁଁ ଚାହୁଁ ନାନାପ୍ରକାର ଖାଲ ଓ ଖମାରେ ପରିଣତ ହୋଇଯାଉଛି । ଭବିଷ୍ୟର ଭରସା ଦେଇ ତିଆରି ହେଉଥିବା କୋଠାଗୁଡ଼ାକରୁ ବରଷା ନ ହେଉଣୁ ପାଣି ଗଳୁଛି ।

 

ଭାରତବର୍ଷର ନେତୃତ୍ୱ ଆଜି ଘରଛାଡ଼ି ଅରଣ୍ୟକୁ ମୃଗୟା କରିବାକୁ ଯାଉଛି; ତେଣୁ କଚେରୀଠାରୁ ଇସ୍କୁଲ ପର୍ଯନ୍ତ ଯାବତୀୟ ଘର ସତେ ଅବା ଅଗଣାରେ ପରିଣତ ହୋଇଛି, ଯାବତୀୟ ନେତୃତ୍ୱ ପେଟରେ ପେଟେ ଅନ୍ଧାର ପିଇ ପ୍ରମତ୍ତ ହୋଇ ବସିଛି । ସେହି ନେତୃତ୍ୱ ଘରକୁ ବାହୁଡ଼ି ଆସିବ । ତେବେଯାଇ ସକାଳ ହେବ । ତେବେ ଯାଇ ପ୍ରଗତି ହେବ । ପ୍ରହସନଗୁଡ଼ାକ ପ୍ରହସନ ବୋଲି ଘୋଷଣା କରି ଏକ ଅନ୍ୟ ନେତୃତ୍ୱ ରଜ୍ଜୁଗୁଡ଼ାକୁ ହାତକୁ ନେବ । ତେବେଯାଇ ହେବ ।

 

୫ । ୬ । ୮୨

Image

 

ବାନପ୍ରସ୍ଥେ ବାଳବତ୍‍

 

ଚାରି ଆଶ୍ରମରୁ ବାନପ୍ରସ୍ଥ ଗୋଟାଏ ଆଶ୍ରମ । ମଣିଷର ଜୀବନରେ ଗୋଟାଏ ବୟସ ଆସେ, ଯେତେବେଳେ କି ଯଥାସମ୍ଭବ ଅଧିକ ଚୁପ୍‍ ହୋଇ ଯିବାଦ୍ୱାରା ହିଁ ସିଏ ସବୁଠାରୁ ଭଲ କାମ କରେ । ନିଜର ଉପକାର କରେ ଓ ସଂସାରର ବି ଉପକାର କରେ । ସିଏ ତରୁଣ ଅନ୍ୟମାନଙ୍କୁ ବାଟ ଛାଡ଼ିଦିଏ । ସେମାନେ ଯେ ଆପଣାର ଭାଗ୍ୟଟିକୁ ଆପେ ସମ୍ଭାଳିବେ ଅର୍ଥାତ ଆପଣାର ଭାଗ୍ୟଟିକୁ ଆପେ ଗଢ଼ିବେ, ଅର୍ଥାତ ପୁରୁଣା ବାଟଗୁଡ଼ାକରୁ ଶିକ୍ଷା କରି ନୂଆ ବାଟ ଗଢ଼ିବେ—ସିଏ ଏଇଥିରେ ବିଶ୍ୱାସ କରେ ଓ ତେଣୁ ବାଟ ଛାଡ଼ିଦିଏ । ଏବଂ ଆପଣା ଘରକୁ ଫେରିଆସେ । ଆପଣା ପାଖରେ ନୀରବ ହୋଇ ବସେ । କ’ଣ କଲା, କ’ଣ ନ କଲା ତାର ହିସାବ ଦିଏ । ଆପଣା ପାଖରେ ହିଁ ହିସାବ ଦିଏ, ଆପଣାକୁ ଅଧିକ ସମଗ୍ର ଭାବରେ ଦେଖେ । ଆପଣା ପାଖରୁ ବାହାରକୁ ବାହାରିଯାଇ ସେଇ ବାହାରେ ଥାଇ ଆପଣାକୁ ଦେଖେ । ତଦ୍ଦ୍ୱାରା ତାର ଆପଣାର ଭାରି ଉପକାର ହୁଏ, ସଂସାରର ବି ଭାରି ଉପକାର ହୁଏ ।

 

ଅନେକ ଲୋକ ଆପଣା ଭିତରେ ଆପଣା ସହିତ କୋଉ କଜିଆରେ ବ୍ୟସ୍ତ ରହିଥାନ୍ତି କେଜାଣି, ସେମାନେ ବୟସରେ ପୁରା ବୁଢ଼ା ହୋଇ ଯାଇଥିଲେ ମଧ୍ୟ ତଥାପି କାହାକୁ ବାଟ ଛାଡ଼ି ଦିଅନ୍ତି ନାହିଁ । ଆପଣା ପ୍ରତି ଭିତରେ ସେମାନଙ୍କର କୋଉଠି କ’ଣ ଗୋଟାଏ ମୌଳିକ ବେରୀପଣ ରହିଥାଏ କେଜାଣି, ସେମାନେ ନୀରବ ହୋଇଯିବାକୁ ଡରନ୍ତି । ନୀରବ ହୋଇଗଲେ ଆପଣାର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ନୀରବ ହେବାକୁ ଡରନ୍ତି; ତେଣୁ ବାହାରେ ବାହାରେ ବୁଲୁଥାନ୍ତି । ବାଳବତ୍‍ ବୁଲୁଥାନ୍ତି । ବାଳବତ୍‍ କଥା କହୁଥାନ୍ତି ଓ ବାଳବତ୍‍ ଖବରକାଗଜରେ ଆପଣାର ସୁରଞ୍ଜିତ ଫଟୋଗୁଡ଼ିକୁ ଦେଖି ଭାରି ଖୁସି ହେବାରେ ଲାଗିଥାନ୍ତି । ବାଳବତ୍‍ ଈର୍ଷା କରନ୍ତି । ବାଳବତ୍‍ ହାସ୍ୟାସ୍ପଦ ହୁଅନ୍ତି । ତଥାପି ଅଗାଧ ପ୍ରେମରେ ଆପଣାଟାକୁ ହିଁ ଭଲ ପାଉଥାନ୍ତି । ଏହି ଦେଶରେ ଆପଣା ବ୍ୟତୀତ ସତେଅବା କିଛି ଦେଖିପାରନ୍ତି ନାହିଁ ।

 

ଯିଏ ପିଲା ଦିନେ ପିଲା ହୋଇପାରି ନ ଥାଏ, ବାନପ୍ରସ୍ଥ ସମୟରେ ସମ୍ଭବତଃ ସେଇ ବାଳବତ୍‍ ଆଚରଣ କରିବାକୁ ବାଧ୍ୟ ହୁଏ । ବାଧ୍ୟହୋଇ ପିଲା ହେବା ଯେ ପ୍ରକୃତରେ କେଡ଼େ ଦୁଃଖଦାୟକ, ସେକଥା କେବଳ ସେଇ ଅଙ୍ଗେ ନିଭାଇଥିବା ମଣିଷଟିକୁ ହିଁ ମାଲୁମ ଥାଏ । ପିଲାଦିନେ ଅନେକ ମଣିଷ ବାଧ୍ୟହୋଇ ବଡ଼ଙ୍କ ପରି ଅଭିନୟ କରିଥାନ୍ତି । ହୁଏତ ସେହିମାନେ ହିଁ ବଡ଼ହୋଇ ପୁଣି ପିଲା ହେବାକୁ ବାଧ୍ୟ ହୁଅନ୍ତି । ପଦାରେ ପଡ଼ନ୍ତି । ଆପଣାର ଅସଲ ଦୁଃଖଗୁଡ଼ାକୁ ଭୁଲିବାପାଇ ପିଲାଙ୍କ ପରିବେଶ ପିନ୍ଧି, ଅଶେଷ ଅତୃପ୍ତ ଓ ଅଶେଷ କାମନାକୁ ସମ୍ପତ୍ତି କରି ଦାଣ୍ଡରେ ବାହାରିଥାନ୍ତି । ଯେଉଁ କାଳ ସେମାନଙ୍କୁ ସହେ, ତାହା ସେହି କାଳର ଦୁର୍ଭାଗ୍ୟ । ଯେଉଁ ଦେଶ ସେମାନଙ୍କୁ ସହେ, ତାହା ସେହି ଦେଶର ଦୁର୍ଭାଗ୍ୟ । ସେମାନେ ଅଭିନୟଗୁଡ଼ାକୁ ହିଁ ଅସଲ କଳା ବୋଲି ଜାରିକରି ରଖିଥାନ୍ତି । ପିଲାମାନଙ୍କୁ ବୁଢ଼ା କରି ପକାଇବାରେ ଭାରି ସାହାଯ୍ୟ କରନ୍ତି । କାହାକୁ ବାଟ ଛାଡ଼ି ଦିଅନ୍ତି ନାହିଁ ।

 

୧୧ । ୬ । ୮୨

Image

 

ସଜ୍ଜନମାନଙ୍କର ସଂଖ୍ୟାବୃଦ୍ଧି

 

ବର୍ତ୍ତମାନ ଆମ ସମାଜରେ ହେଉଥିବା ନୈତିକ ଅଧଃପତନକୁ ରୋକିବାଲାଗି ସଜ୍ଜନମାନଙ୍କର ସଂଖ୍ୟାବୃଦ୍ଧି ହେବ ଉଚିତ ବୋଲି ସେଦିନ ସଭାରେ ସମସ୍ତେ ମତ ପ୍ରକାଶ କଲେ-। ସଜ୍ଜନ କହିଲେ ପ୍ରକୃତରେ କେଉଁମାନଙ୍କୁ ଯେ ବୁଝାଏ, ସେ ବିଷୟରେ ସେଠାରେ କେହି କୌଣସି କଥା ପକାଇଲେ ନାହିଁ । ତୁଚ୍ଛା ଦୁର୍ଜନମାନେ ବି ସେ ସଭାରେ ବସି ସଜ୍ଜନମାନଙ୍କର ସଂଖ୍ୟାବୃଦ୍ଧି ହେଉବୋଲି ଅତ୍ୟନ୍ତ ସାଧୁଜନୋଚିତ ଭାବରେ ମତ ପ୍ରକାଶ କରିପାରନ୍ତି, ସେ କଥା ସେଠାରେ କେହି ହୃଦୟଙ୍ଗମ କରୁଥିଲା ପରି ମୋଟେ ମାନେ ହେଉନଥିଲା । ଭିତରେ ପକ୍କା ଦୁର୍ଜନ ରହି ଅର୍ଥାତ କେବଳ ଦୁର୍ଜନବୃତ୍ତି କରି ଜଣେ ବ୍ୟକ୍ତି ବାହାରେ ପୂର୍ଣ୍ଣ ବିବେକର ସହିତ ଯେ ଅବିକଳ ସଜ୍ଜନଙ୍କ ପରି ଆଚରଣ ଦେଖାଇ ପାରିବ ଅର୍ଥାତ ଅଭିନୟ କରିପାରିବ, ସେହି ସମ୍ଭାବନାଟି ବିଷୟରେ ସେଠି ଆଦୌ କୌଣସି ଆଲୋଚନା ହୋଇ ନଥିଲା ।

 

ଏକମାତ୍ର ସାହସୀ ମଣିଷ ହେଉଛି ଯଥାର୍ଥ ସଜ୍ଜନ । ଭୀରୁଗୁଡ଼ାକ ଯୁଗେ ଯୁଗେ ତଥାକଥିତ ସଜ୍ଜନମାନଙ୍କ ସୁମାରି ଭିତରେ ସମ୍ଭବତଃ ସବୁଠାରୁ ଅଧିକ ସଂଖ୍ୟାରେ ରହିଆସିଛନ୍ତି । ସେମାନେ ମଧୁର କଥା କହିଛନ୍ତି । ଏକ ଭାଗ୍ୟହୀନ ସମାଜରେ ଯଥାସମ୍ଭବ ଅଧିକ ଭାଗ୍ୟକୁ ଭୋଗକରି ଉତ୍ତମର୍ଣ୍ଣମାନଙ୍କ ପକ୍ଷରେ ରହିଛନ୍ତି । ଭଗବାନଙ୍କୁ ନେଇ ଭୋଗୀମାନଙ୍କ ପକ୍ଷରେ ରଖିଛନ୍ତି । ସତ୍‍ଶାସ୍ତ୍ର ଲେଖିଛନ୍ତି, ସ୍ଥିତିଗୁଡ଼ାକ ଯେତେ ଯାହା ଅସହ୍ୟ ହେଲେ ମଧ୍ୟ ତଥାପି ସହ୍ୟ କରିବା ସକାଶେ ଉପଦେଶ ଦେଇଛନ୍ତି । ସେମାନେ ଵିଵେକଗୁଡ଼ିକ ବିଲକୁଲ ଥଣ୍ଡା କରିରଖିଛନ୍ତି । ଆମକୁ ଯାବତୀୟ ନୀତି କଥାରେ ଭଣ୍ଡାଇ ସବୁ ନୀତିକୁ ତଣ୍ଟି ଚିପି ମାରୁଥିବା ଦୈତ୍ୟମାନଙ୍କ ଦୁଆରେ ଆହୁରି ନୀତିର ପ୍ରଚାର ସକାଶେ ଅର୍ଥଭିକ୍ଷା କରିବାକୁ ଯାଇଛନ୍ତି ।

 

ଗୋଟିଏ ବ୍ୟାଧିଗ୍ରସ୍ତ ସମାଜରେ ଯିଏ ତଥାପି ସଜ୍ଜନ ହେବାକୁ ହିଁ ଅସଲ ଧର୍ମ ବୋଲି ବିଚାର କରେ, ସିଏ ପ୍ରକୃତରେ ନିଜେ ନାନା ଅସମର୍ଥତାର ବ୍ୟାଧି ଭିତରେ ଗ୍ରସ୍ତ ହୋଇ ରହିଥାଏ । ସୁସ୍ଥ ମଣିଷ ସବାଆଗ ବ୍ୟାଧିଗୁଡ଼ାକୁ ଦୂର କରିବାର କଥା କହେ । ବ୍ୟାଧି ଗୁଡ଼ାକୁ ଦୂର କରିବା ପାଇଁ ସାହସବାନ୍ଧି ଅଗ୍ରସର ହୁଏ । ଅନ୍ତତଃ ବ୍ୟାଧିଗୁଡ଼ାକ ବ୍ୟାଧି ବୋଲି କହେ । କୌଣସି ଦରବାରରେ ସିଏ କଦାପି ସଜ୍ଜନ ଶ୍ରେଣୀରେ ଗଣାହେବାକୁ ଯାଏ ନାହିଁ । ଆମ ବ୍ୟାଧିଗୁଡ଼ାକ ଯେମିତି ଅଛି ସେମିତି ଥିବ ଓ ଏଣେ ସଜ୍ଜନମାନେ ସଂଖ୍ୟାରେ ବଢ଼ନ୍ତୁ ବୋଲି ଉପଦେଶ ଦିଆଯାଉଥିବ—ଏପରି ହେଲେ ଖାଲି କପଟତାଗୁଡ଼ାକ ବୃଦ୍ଧି ପାଇବା ହିଁ ସାର ହେବ । ଆମ ସଜ୍ଜନମାନେ ସଭା ଛାଡ଼ନ୍ତୁ, ଦରବାରଗୁଡ଼ାକୁ ଛାଡ଼ନ୍ତୁ । ସେମାନେ ଅସତ୍ୟର ସମ୍ମୁଖୀନ ହୁଅନ୍ତୁ । ଶଠତା ଗୁଡ଼ାକୁ ଶଠତା ବୋଲି କହନ୍ତୁ । ଅନୁରାଗୀ ହୁଅନ୍ତୁ । ବ୍ୟାଧିଗୁଡ଼ାକ ପ୍ରତି ଏକ ଅସହିଷ୍ଣୁତା ଅନୁଭବ କରନ୍ତୁ । ତେବେଯାଇ ହେବ ।

 

ମଣିଷ ସାହସୀ ହେଲେ କଦାପି ସଜ୍ଜନ ହୋଇ ରହିବାକୁ ମନ କରେନାହିଁ । ସଜ୍ଜନତା ଓ ଭୀରୁତା ଇତିହାସରେ ଅଧିକାଂଶ କ୍ଷେତ୍ରରେ ଯେ ପରସ୍ପର ସାଙ୍ଗ ହୋଇଛନ୍ତି, ଆମେ ଅନାଇଦେବା ମାତ୍ରକେ ତାହାର ଏକାଧିକ ଦୃଷ୍ଟାନ୍ତ ଦେଖିବାକୁ ପାଇବା ।

 

୨୫ । ୬ । ୮୨

Image

 

ଜଡ଼ବାଦ ଓ ଆଧ୍ୟାତ୍ମବାଦ

 

ସେଦିନ ଦର୍ଶନ ମେଳାରେ ଭାଷଣ ଦେଇ ତୁଚ୍ଛା ଜଡ଼ବାଦୀମାନେ ଜଡ଼ବାଦ ଉପରେ ଆଧ୍ୟାତ୍ମବାଦର ବିଜୟ ସମ୍ବନ୍ଧରେ କେତେ ପ୍ରତାପରେ ଭାଷଣ ଦେଲେ । ଜୀବନ ବଞ୍ଚିବାଲାଗି ଗୋଟାଏ ଦର୍ଶନର ପ୍ରୟୋଜନ ହୁଏ । ଅଥବା ଅଧିକ ଯଥାର୍ଥ ଭାବରେ କହିଲେ, ମଣିଷ ଯେତେବେଳେ ନିଜର ଜୀବନଟିକୁ ପ୍ରକୃତରେ ସାର୍ଥକରୂପେ ବଞ୍ଚିବାକୁ ମନ କରେ, ସେତିକିବେଳେ ସିଏ ଅନୁରୂପ ଦର୍ଶନଟିଏ ଖୋଜେ ଓ ଯାହା ପାଏ, ସେଇଟି ଅନୁସାରେ ନିଜର ଜୀବନଟିକୁ ବଞ୍ଚେ-। ଆହୁରି ଅନେକ ମଣିଷ ଅଛନ୍ତି, ଯେଉଁମାନେ ଦର୍ଶନ ପଢ଼ନ୍ତି, ଦର୍ଶନ ପଢ଼ାନ୍ତି, ଦର୍ଶନରେ ପ୍ରବୀଣ ହୁଅନ୍ତି । ଏହି ପ୍ରବୀଣମାନଙ୍କୁ ଏକ ଅଧୋଗତ ଯୁଗରେ ଦାର୍ଶନିକ ବୋଲି କୁହାଯାଏ । ସେମାନେ ଶାସ୍ତ୍ରଗୁଡ଼ାକୁ ଖେଳାଇ ଶାସ୍ତ୍ର ଖେଳାଇ ଶାସ୍ତ୍ର ଲେଖନ୍ତି । ସେହି ଶାସ୍ତ୍ର ସହିତ ଜୀବନର କୌଣସି ସମ୍ବନ୍ଧ ନ ଥାଏ । ଶାସ୍ତ୍ରୀମାନେ ଯାହା ନୁହଁନ୍ତି, ଦର୍ଶନାମେଳାଗୁଡ଼ାକରେ ସମସ୍ତଙ୍କ ଆଗରେ ବାଣ ମାରି ସେହି କଥାଗୁଡ଼ାକ କହନ୍ତି ।

 

ଜୀବନ-ମେଳାରେ ଯେଉଁମାନେ ଗୋଟାଶୁଦ୍ଧା ଜଡ଼ବାଦୀ, ଦର୍ଶନ-ମେଳାରେ ସେମାନେ ଆଧ୍ୟାତ୍ମବାଦ କଥା କହନ୍ତି । ଆଧାତ୍ମକୁ କେତେଟା ବହି ଅଥବା କେତେଟା ତୁଚ୍ଛା କଥାରେ ପରିଣତ କରି ରଖନ୍ତି । ରଖନ୍ତି, ଚତୁର ହୋଇଥିବାରୁ ସେମାନେ ସେପରି କରନ୍ତି । ଅଧିକ ଚତୁରମାନେ ଅଧିକ ପାଣ୍ଡିତ୍ୟ ଦେଖାଇ ସେହିକଥା କହନ୍ତି । ସେମାନେ ବାହାରଟା ସହିତ ଭିତରଟାକୁ ମୋଟେ ମିଳାଇ ପାରନ୍ତି ନାହିଁ । ନିଜ ପାଖରେ ମିଳାଇ ପାରନ୍ତି ନାହିଁ କିମ୍ବା ସଂସାର ପାଖରେ ବି ମିଳାଇ ପାରନ୍ତି ନାହିଁ । ସେମାନେ ପଙ୍କ ଭିତରେ ବୁଡ଼ି କରି ରହି ଥାଆନ୍ତି, ଚତୁରପଣରେ ବୁଡ଼ି କରି ରହିଥାଆନ୍ତି ଏବଂ ବାହାରେ କଥା କହି ତାଙ୍କର ନିନ୍ଦା କରିବାରେ ଲାଗିଥାନ୍ତି ଓ ପଙ୍କଗୁଡ଼ାକର ବିଜୟକୁ ଦୋରସ୍ତ କରି ରଖିବାରେ ଆହୁରି ଲାଗିଥାନ୍ତି ।

 

ଆମର ଏହି ଛତରା ସମୟଟାରେ ଯେଉଁମାନେ ଭିତରେ ସତେ ଅବା ଗୋଟାଏ ଗୋଟାଏ ଟିଙ୍କ ପରି ଜଡ଼ବାଦକୁ କାମୁଡ଼ି ଧରିଛନ୍ତି ଓ ତାହାରି ଦ୍ୱାରା କେତେ ଆନନ୍ଦ ପାଉଛନ୍ତି, ବାହାରେ ସେମାନେ ହିଁ ଆମକୁ ଆଧ୍ୟାତ୍ମବାଦର କଥା କହୁଛନ୍ତି । ଜଡ଼ର ପୂର୍ଣ୍ଣ ପରିଚର୍ଯ୍ୟା କରି ଆଧାତ୍ମ ସମ୍ବନ୍ଧରେ ଭାଷଣ ଦେଉଛନ୍ତି । ଦେଉଳଗୁଡ଼ାକୁ ସବୁଠାରୁ ଅଧିକ ମାରା କରି ରଖିଥିବା ଅବର୍ଜିଆମାନେ ଦେଉଳର ସ୍ତୁତି ଗାନ କରୁଛନ୍ତି । ଯୁଗଟାକୁ ଅଧିକରୁ ଅଧିକ ମୂର୍ଖ ଓ ଅବୋଧ କରି ରଖିଥିଵା ଖଳମାନେ ହିଁ ଜ୍ଞାନର କଥା କହୁଛନ୍ତି । ଭୀରୁମାନେ ସାହସର କଥା କହୁଛନ୍ତି । ଆପଣା ଅପକୀର୍ତ୍ତିର ବିଷ୍ଠାଗୁଡ଼ାକୁ ମଧ୍ୟ ଆପଣାର ପ୍ରସାଧନକାୟଟି ମଧ୍ୟରେ ଜାକିଜାକି ରଖିଥିବା ଓ ବାହାରକୁ ଏଡ଼େ ମୋଟା ହୋଇ ଦିଶୁଥିବା କାମଗ୍ରସ୍ତମାନେ ଆମକୁ ତ୍ୟାଗର କଥା କହୁଛନ୍ତି । ସେମାନେ ସଭା ମଣ୍ଡାଇ ଏକଥା କହୁଛନ୍ତି । ଜୀବନର ଦର୍ଶନରେ ଆପଣାର ଅସଲ ଘରଗୁଡ଼ିକରେ ଅତ୍ୟନ୍ତ ନିଃସ୍ୱ ଓ ଅତ୍ୟନ୍ତ ଦରିଦ୍ର ହୋଇ ରହିଥିବା ବ୍ୟକ୍ତିମାନେ ହିଁ ଆଧାତ୍ମପଣ୍ୟର କାରବାର ବିଷୟରେ କଥା କହିବାରେ ଲାଗିଛନ୍ତି । ଜଡ଼ବାଦ ଅଧମତମ ସ୍ତରରେ ଆସି ପହଞ୍ଚିଲେ ଯେ ଏହିପରି ଘଟେ ତାହାର ପ୍ରମାଣ ଦେଉଛନ୍ତି ।

 

୨୯ । ୬ । ୮୨

Image

 

ଦଣ୍ଡିବା ଶକ୍ତି କାହାରି ନାହିଁ

 

ଆଉ ଦଣ୍ଡିବା ଶକ୍ତି କାହାରି ନାହିଁ । ଦୋଷ କଲେ ଦୋଷର ଦଣ୍ଡବିଧାନ ହୁଏ । ଦଣ୍ଡ ଦେଲାବାଲା ଦଣ୍ଡ ଦିଏ ଓ ଦୋଷ କରିଥିବା ମଣିଷ ଦଣ୍ଡପାଏ । ବର୍ତ୍ତମାନ ଆମ ସମାଜରେ ଏପରି ଏକ ପରିସ୍ଥିତି ସତେ ଅବା ଏକ ସ୍ଥାୟୀ ସ୍ଥିତିରେ ପରିଣତ ହେବାକୁ ଆରମ୍ଭ କଲାଣି ଯେ, ଏଠି ଦୋଷ କରିବାକୁ ଆଉ ମୋଟେ ଖରାପ ଲାଗୁନାହିଁ । ଦୋଷଗୁଡ଼ାକ ଆଗେ ହୁଏତ ଲୁଚାଇକରି କରାହେଉଥିଲା, ଏବେ ବଜାର ଭିତରେ ସମସ୍ତଙ୍କ ଆଖି ଆଗରେ କରାହେଉଛି । ଦୋଷ ସହିତ ଯେ ଏକ ଦଣ୍ଡବିଧାନ ମଧ୍ୟ ରହିଛି, ସେକଥା ଆମକୁ ଆଉ ମୋଟେ ଦୋଷ କରିବାରୁ ନିବୃତ୍ତ ରହିବାକୁ ଆହ୍ୱାନ ଦେଉନାହିଁ । ଦୋଷ କରୁଥିବା ମଣିଷମାନେ ଦୋଷ କରିବାରେ ଲାଗିଛନ୍ତି । ଟିକିଏ ନା ଟିକିଏ ଦୋଷ ନ କଲେ ଏହି ଯୁଗରେ ମଣିଷ ସବାପଛରେ ପଡ଼ିଯିବ, ବୋକା ବନିଯିବ ଓ ଅନ୍ୟମାନେ କେଡ଼େ ଚମତ୍କାର ଭାବରେ ଆଗକୁ ଆଗକୁ ଚାଲିଯାଇଥିବେ ଏବଂ ଉପରକୁ ଉପରକୁ ଉଠିଯାଉଥିବେ, ଏପରି ଏକ ବିପଜ୍ଜନକ ବିଶ୍ୱାସ ମଧ୍ୟ ଆମକୁ କ୍ରମେ ଗ୍ରାସ କରିବାକୁ ଆରମ୍ଭକଲାଣି । ଦଣ୍ଡିବା ଶକ୍ତି ଯେ ଆଉ ଆମ କାହାରିଠାରେ ନାହିଁ, ଏହି କଥା ଆମ ସମସ୍ତଙ୍କର ଦୋଷ କରିବାର ଶକ୍ତିକୁ ଗୋଟାଏ ପ୍ରକାର ସାହସ ବି ଆଣି ଦେଲାଣି ।

 

ଆଗେ ଦଣ୍ଡ ଦେବାକୁ ସ୍ୱତନ୍ତ୍ର ମଣିଷମାନେ ନିଯୁକ୍ତି ହୋଇ ରହିଥିଲେ । ସେମାନେ ଯେ ନିଜେ ଦୋଷ କରୁ ନ ଥିଲେ, ସେକଥା ଆଦୌ ନୁହେଁ; ମାତ୍ର ସେମାନଙ୍କୁ ଅନ୍ୟମାନେ ମାନୁଥିଲେ । ଅନ୍ତତଃ ସେମାନଙ୍କର ଆସନଗୁଡ଼ାକ ପ୍ରତି ସମସ୍ତଙ୍କର ଏକ ସ୍ୱୀକୃତି ରହିଥିଲା । ସେମାନେ ନିଜେ ମଧ୍ୟ ସେହି ଆସନଗୁଡ଼ାକୁ କିଞ୍ଚିତ୍‍ ସମ୍ମାନ ଦେଉଥିଲେ ଓ ସେହି ଅନୁସାରେ ସାବଧାନ ରହିବାକୁ ଚେଷ୍ଟା ବି କରୁଥିଲେ । ଏବେ ସେଗୁଡ଼ାକ ଆଉ ମୋଟେ ଚଳୁନାହିଁ । ଏବେ ଦୋଷମାନେ ଆପଣା ହାତରେ ଆପଣାକୁ ଚଉଦପାଆ ବୋଲି ଅନୁଭବ କରୁଛନ୍ତି; ତେଣୁ ପ୍ରଚଣ୍ଡ ଦର୍ପରେ ଆପଣାର ସବୁ ଦଉଡ଼ି ଛାଡ଼ି ଦେଇଛନ୍ତି । ଦୋଷ ନ ହେବା ଥାନରେ ମଧ୍ୟ ଦୋଷ ହେଉଛି । ଦେବତାମାନେ ଅଧିକ ଦୋଷ କରି ଆହୁରି ବଡ଼ ବୋଲାଉଛନ୍ତି ଏବଂ ଦଣ୍ଡିବା ଶକ୍ତି କାହାରି ନାହିଁ ।

 

ଏହି ଅବସ୍ଥା ଏକ ଅରାଜକାତର ଅବସ୍ଥା । ଏଥିରେ ଆମେ ସମସ୍ତେ କେଡ଼େ ଆନନ୍ଦରେ ରାଜା ହୋଇ ବାହାରିଛୁ । ରାଜାଠାରୁ ମୋଟେ ଏତେ ଟିକିଏ କମ ହେବୁନାହିଁ ବୋଲି ଗୋଟାସୁଦ୍ଧା ଜିଦ୍‍ କରି ବାହାରିଛୁ । ଆମ ନିଜ ଭିତରର ଅସଲ ରାଜାଟିକୁ ଭୁଲି ଆମ ଭିତରେ ରହିଥିବା ଦୋଷୀଟାକୁ ସିଂହାସନରେ ବସାଇ ମହା ଆନନ୍ଦରେ ବାହାରିଛୁ । ଆମ ପ୍ରତ୍ୟେକଙ୍କ ଭିତରେ ଆମ ଦୋଷଟା ଆମ ରାଜାଟାକୁ ପୂରା ଚିତ୍‍କରି ତା’ରି ଛାତି ଉପରେ ଯାଇ ବସିଛି ଓ ଇତିହାସର ସବୁଠାରୁ ବଡ଼ ଯୁଦ୍ଧଟାରେ ଜୟଲାଭ କରିଥିବା ପରି ଅନୁଭବ କରୁଛି । ଏଇଟା ପ୍ରକୃତରେ ଏକ କରୁଣ ଅବସ୍ଥା । ଆମର ନିଜପ୍ରତି ପ୍ରକୃତରେ ଦୟା ଲାଗିଲାଭଳି ଏକ ଅବସ୍ଥା । ଏହି ଅବସ୍ଥାଟି ଆସି ପଡ଼ିଲେ ଆମେ ହିଁ ଭିତରୁ ଦୁଆର ବନ୍ଦକରି କେଡ଼େ ଖୁସିରେ ତଡ଼ାଗୁଡ଼ାକୁ ଧରି ଆପଣା ପଛରେ ଦଉଡ଼ିବାରେ ଲାଗିଥାଉ । ଆପଣା ଉପରେ ପ୍ରତିଶୋଧ ନେବାରେ ଲାଗିଥାଉ ।

 

୧୧ । ୭ । ୮୨

Image

 

ମୁଁ କବିତାଟିଏ ଲେଖନ୍ତି

 

ଜଣେ ମଣିଷ ସବା ଆଗ ପଇସାକୁ ମନ କରନ୍ତି । ପଇସାକୁ ମନ କଲେ ପଇସା ଅବଶ୍ୟ ଆସେ । ପଇସା ଅଳପରୁ ଅଧିକ ହୁଏ, ଅଧିକରୁ ଅତିରିକ୍ତ ହୁଏ । ସେତେବେଳେ ବୋଧହୁଏ ଖାଲି ପଇସାରେ ଆଉ ମନ ବୁଝେ ନାହିଁ । ଆଉ ଅଧିକ କିଛି କରିବାକୁ ମନହୁଏ । ପଇସାଦ୍ୱାରା ସବୁକିଛି କରିହେବ ବୋଲି ଆଗରୁ ଯେଉଁ ଅନ୍ଧବିଶ୍ୱାସଟା ଭିତରେ ଭାରି ଟାଣହୋଇ ରହିଥାଏ, ବର୍ତ୍ତମାନ ସେଇଟା ଆହୁରି ଟାଣ ହୁଏ ଓ ପଇସାଦ୍ୱାରା ଆହୁରି କେତେକଣ କରିବ ବୋଲି ବାହାରେ । ସେତେବେଳେ ଯଶକୁ ମନହୁଏ । ଲୋକରଞ୍ଜନକୁ ମନ ହୁଏ । ଧର୍ମପାଇଁ ପଇସା ଖରଚ କରାଯାଏ, ନାନା ଜାତୀୟ କାର୍ଯ୍ୟରେ ପଇସା ଖରଚ କରାଯାଏ । ସେହି ଜୋସରେ ସାହିତ୍ୟ ପାଇଁ ମଧ୍ୟ ପଇସା ଖରଚ କରାଯାଏ ।

 

ଏହପରି ଭାବରେ ବଡ଼ଲୋକ ଘରୁ ପଇସା ବାହାରକୁ ଆସେ ଓ ସାହିତ୍ୟରେ ପୁରାସ୍କାରମାନ ଖଞ୍ଜି ଦେବାରେ ଖରଚ କରାଯାଏ । ମଙ୍ଗୁଳିଆମାନେ ଜୟନାଦ କରନ୍ତି । ପୁରସ୍କାରର ନାମକରଣ ହୁଏ । ମର୍ତ୍ତ୍ୟଭୁବନ କୃତକୃତ୍ୟ ହୁଏ । ସତେ ଯେମିତି ସାହିତ୍ୟ ଲାଗି ଆଜିଯାଏ ଜଣେ ଧନୀ ମିଳୁଥିଲେ ଓ ଏତେଦିନେ ପରମେଶ୍ୱରଙ୍କର ଅପାର କରୁଣା ବଳରେ ତା ଭାଗ୍ୟକୁ ଧନୀଟିଏ ଜୁଟିଲେ, ଚାରିଆଡ଼େ ସେହିଭଳି ଏକ ବାତାବରଣ ସୃଷ୍ଟି କରାଯାଏ । ଶ୍ରେଷ୍ଠୀ ସାହିତ୍ୟକୁ ମନ କରିବାପରେ ଏଣିକି ଆଉ ଆମ ସାହିତ୍ୟର ଆଦୌ କୌଣସି ଦୁଃଖ ରହିବ ନାହିଁ ବୋଲି ଜନରବ ରଟାଇ ଦିଆହୁଏ ଏବଂ ସର୍ବୋପରି ସାହିତ୍ୟରେ ବି ଏପରି କେତେଜଣ କୁଳତିଳକ ରହିଥାନ୍ତି ଯେଉଁମାନେ କି ବାହାରେ ସାହିତ୍ୟ କରୁଥିଲେ ମଧ୍ୟ ଆପଣାର ମନ ଭିତରେ ଶ୍ରେଷ୍ଠକୁ ହିଁ ଲୋଡୁଥାନ୍ତି । ସେମାନେ ବିଧିନିର୍ଦ୍ଦିଷ୍ଟ ପରି ଶ୍ରେଷ୍ଠୀଙ୍କ ପାଖରେ ଯାଇ ପହଞ୍ଚନ୍ତି । ସାହିତ୍ୟକୁ ନେଇ ମହାଜନ ସାଙ୍ଗରେ ବାହା କରାଇ ଦିଆହୁଏ । ଏଡ଼େ ବଡ଼ ହୋଇ ମଧ୍ୟ ଯିଏ ଛାର ଗରିବ କନିଆଟିକୁ କରୁଣା କଲେ, ତାଙ୍କ ନାମରେ ପୁର ଉଛୁଳି ଉଠେ, ହୁଳହୁଳି ପଡ଼େ ।

 

ଯଦି ମୁଁ ଶ୍ରେଷ୍ଠୀ ହୋଇଥିଲେ ମଧ୍ୟ ତଥାପି ସାହିତ୍ୟକୁ ମନ କରନ୍ତି, ତେବେ କବିତାଟିଏ ଲେଖନ୍ତି । ମୋର ଯାବତୀୟ ଧନସମ୍ପତ୍ତିଠାରୁ ସେହି କବିତାଟିକୁ ହିଁ ଅଧିକ ସାର ବୋଲି ମଣନ୍ତି । ମୁଁ ସାହିତ୍ୟକୁ ମନ କଲି ବୋଲି ମୋଟେ ଦେଖାଇ ହୁଅନ୍ତି ନାହିଁ । ମୁଁ ସାହିତ୍ୟର ଯୋଗ୍ୟ ହୁଅନ୍ତି । ପଇସା ଓ ପୁରସ୍କାର ଦେଇ ସାହିତ୍ୟକୁ ନଚାଇବା ଲାଗି ମୋ’ ନିଜ ଦାଣ୍ଡକୁ ଡାକି ଆଣନ୍ତି ନାହିଁ । ମୁଁ ନିଜେ ସାହିତ୍ୟ ପାଖକୁ ଯାଆନ୍ତି ଏବଂ ମୋତେ ଯାବତୀୟ ସୁଆଙ୍ଗର ସମ୍ରାଟ କରି ଯେଉଁମାନେ କେତେ କ’ଣ କରାଇ ପାରିଲେ ବୋଲି ବାଇଦ ବଜାଉଛନ୍ତି, ସେମାନଙ୍କଠାରୁ ସାବଧାନ ରହନ୍ତି । ସଂସାରରେ ଯୁଗେ ଯୁଗେ ଶ୍ରେଷ୍ଠୀମାନେ ଏହିପରି ଚତୁର ସଭା-ବୟସ୍ୟମାନଙ୍କ ଦ୍ୱାରା ବୋକା ବନିଛନ୍ତି । ମୁଁ ବୋକା ବନନ୍ତି ନାହିଁ, ଅନ୍ତତଃ ନିଜ ପାଖରେ ବୋକା ବନନ୍ତି ନାହିଁ । ଅନ୍ୟମାନଙ୍କ ହାତରେ କ୍ରୀଡ଼ନକ ହୁଅନ୍ତି ନାହିଁ । ନିଜେ କବିତାଟିଏ ଲେଖି ମୁଁ ଚତୁରମାନଙ୍କର ଯାବତୀୟ ଷଡ଼ଯନ୍ତ୍ରକୁ ପଣ୍ଡ କରନ୍ତି । ସାହିତ୍ୟର ଇଜ୍ଜତ ରଖନ୍ତି । ନିଜର ଇଜ୍ଜତ ରଖନ୍ତି ।

 

୧୬ । ୭ । ୮୨

Image

 

ମିଛ ସଂଘ ଓ ମିଛ ହିତୈଷିତା (୧)

 

ଆଗେ ଶିକ୍ଷକମାନେ ଥିଲେ, ସେମାନଙ୍କର କୌଣସି ସଂଘ ନ ଥିଲା । ସେମାନଙ୍କର ଗୋଟାଏ ସଂଘ ଗଢ଼ା ହେଲା । କ୍ରମେ ଶିକ୍ଷକମାନେ ଗଲେ । ସଂଘଟା ହିଁ ରହିଲା । ଏହି ଶିକ୍ଷକମାନଙ୍କ ଭିତରୁ ଯେଉଁମାନେ ଆଗକୁ ଭାବିପାରନ୍ତି ଅର୍ଥାତ ଯେଉଁମାନେ ସିଆଣିଆ ଓ ଯେଉଁମାନେ ଅଧିକ ଘ୍ରାଣ କରିପାରନ୍ତି, ସର୍ବପ୍ରଥମେ ସେହିମାନେ ହିଁ ଶିକ୍ଷକମାନଙ୍କୁ ଏକାଠି କରି ସଂଘ ତିଆରି କରିଥିଲେ । ସଂଘର ପରିଚାଳନା ଲାଗି ଏଥିରେ ସେହିମାନେ ହିଁ ଉତ୍ତର ଓ ଦକ୍ଷିଣ-କବାଟ ହୋଇ ରହିଲେ । ତା’ପରେ ଜାଗରଣ ହେଲା । ଆନ୍ଦୋଳନ ହେଲା । ଧାରଣା ଦିଆଗଲା, ବିକ୍ଷୋଭ ବାହାରିଲା—ସରକାର ଗୋଟାକପରେ ଗୋଟାଏ କରି ଦାବି ପୂରଣ କରିବା ସଙ୍ଗେସଙ୍ଗେ ସଂଘ ଗୋଟାକପରେ ଗୋଟାଏ କରି ଗଡ଼ ଜୟ କଲା । ସେନାପତିମାନଙ୍କର ଜୟଜୟକାର ହେଲା । ସଂଘର ଶକ୍ତି ବଢ଼ିଲା, ସଂଘର ସମ୍ପତ୍ତି ବଢ଼ିଲା, ଶିକ୍ଷକମାନଙ୍କର ବେତନ ବଢ଼ିଲା । କ୍ରମେ ସେମାନେ ଯାହା କହିଲେ, ଅର୍ଥାତ ଯୋଉ କଥପାଇଁ ଅଡ଼ି ବସିଲେ, ଠିକ୍‍ ସେହି କଥାଟା ହିଁ ହେଲା ।

 

ମାତ୍ର ଏଣେ ଶିକ୍ଷାଘରେ ବିଲୁଆ ଯାଇ ପଶିଲେ । ଶିକ୍ଷକମାନେ କମ୍‍ ପାଠ ପଢ଼ାଇଲେ, ପିଲାମାନେ ପାଠ ନ ପଢ଼ି ମଧ୍ୟ ପାସ୍‍ କଲେ । ପରୀକ୍ଷା ସମୟରେ କପି କଲେ । ସେଥିରେ ଶିକ୍ଷକମାନେ ସେମାନଙ୍କୁ ସାହାଯ୍ୟ ବି କଲେ । କୋଉଠି କିଛି ନ ହୋଇ ଦାଣ୍ଡରେ ଯେ ସବୁକିଛି ଆଗକୁ ଯାଉଥିବା ପରି ବେଶ୍‍ ଦେଖାଯାଇପାରେ, ଶିକ୍ଷକମାନେ ସେକଥା ରାଜନୀତିରୁ ଶିଖିଲେ । ପିଲାଏ ମୁର୍ଖ ହେଲେ । ଶିକ୍ଷକମାନେ ଆଗରୁ ମୂର୍ଖ ହେବେ ବୋଲି ନିଷ୍ପତ୍ତି କରିସାରିଥିଲେ । ସଂଘର ଶକ୍ତି ବଢ଼ୁଥିବା ପର୍ଯନ୍ତ ମୂର୍ଖ ହେବାରେ ଆଉ କୌଣସି ଲଜ୍ଜା ନାହିଁ ବୋଲି ସମସ୍ତେ ଭଲକରି ବୁଝିଗଲେ । ଯେତେବେଳେ ରାଜନୀତି ମୂର୍ଖ ହେଲା, ସଂସାରନୀତି ଚୁଲିରେ ଯାଇ ପଶିଲା, ସେତେବେଳେ ଶିକ୍ଷକମାନେ ଆଉ କେତେଦିନ ଯାଏ କାହିଁକି ପଛରେପଡ଼ି ରହିବେ ବୋଲି ନେତାମାନେ ଉଦବୋଧନ ଦେବାକୁ ଲାଗିଲେ ।

 

ଅର୍ଥାତ ସଂଘ ଜିତିଲା, ଶିକ୍ଷକମାନେ ହାରିଲେ । ଶିକ୍ଷକମାନେ ସବୁଠାରେ ହାରିଲେ । ପିଲାଙ୍କ ପାଖରେ ହାରିଲେ, ପିଲାଙ୍କ ଆଖିରେ ଇଜ୍ଜତ ହରାଇଲେ । ମାମଲତକାର ହେଲେ । ଅଧିକ ଦରମା ପାଇଲେ । ଅଧିକ ଟଙ୍କା କମାଇଲେ । ଅଧିକ ଠକି ପାରିଲେ ଓ ଅଧିକ ଅଳସୁଆ ହୋଇ ପାରିଲେ । ତଥାପି ହାରିଲେ । ଶିକ୍ଷାୟତନଗୁଡ଼ାକର ମାନକୁ ତଳେ ପକାଇଲେ । ବିବେକ ହରାଇ ସେମାନେ ଯେତିକି ଯେତିକି ସଂଘକୁ ଅବଲମ୍ବନ କରିବାକୁ ମନ କଲେ, ସମାଜର ଆଖିରେ ସେମାନଙ୍କର ମାନ ସେତିକି ସେତିକି ତଳକୁ ହେବାରେ ଲାଗିଲା ।

 

ସେନାପତିମାନେ ଭାବନ୍ତୁ । ସେନାପତିମାନେ ଦାଣ୍ଡରେ ଶୋଭାଯାତ୍ରା କରି ବାହାରିବାର ଆହ୍ୱାନ ଦେବା ପୂର୍ବରୁ ଆଗ ସିପାହୀମାନଙ୍କ ବେକରେ ପଇତା ଅଛି କି ନାହିଁ ଦେଖନ୍ତୁ ଏବଂ, ପଇତା ନ ଥିଲେ ଶିକ୍ଷକମାନଙ୍କୁ କିଏ କାହିଁକି ଶିକ୍ଷକ ବୋଲି କହିବାକୁ ଯିବ ?

 

୯ । ୮ । ୮୨

Image

 

ମିଛ ସଂଘ ଓ ମିଛ ହିତୈଷିତା (୨)

 

ସଂଘ ମିଛ, ତେଣୁ ହିତୈଷିତା ବି ମିଛ । ଶିକ୍ଷକମାନଙ୍କର ଯେତେବେଳେ ସଂଘଟିଏ ଗଢ଼ା ହୋଇଥିବ, ସେତେବେଳେ ସଂଘଦ୍ଵାରା ସେମାନେ ଏହି ଦେଶର ଓ ଏହି ସମାଜର କେତେ କ’ଣ କରାଇବେ ବୋଲି ଖବର କାଗଜରେ ବାହାର କରିଥିଲେ । ସେମାନେ ଶିକ୍ଷାର ମାନବୃଦ୍ଧି କରିବେ ଓ ଶିକ୍ଷାବ୍ୟବସ୍ଥାକୁ ଏକ ନୂଆ ଗୁଳାରେ ଆଣି ପକାଇବେ ବୋଲି କହିଥିଲେ । ସଂଘ ତରଫରୁ ଏଡ଼େ ବଡ଼ ଅଫିସଟାଏ ଖୋଲିଲା । ସତେଅବା ସରକାରୀ ଶିକ୍ଷା ବିଭାଗର ସିରସ୍ତାଟାଏ ପରି ଦିଶିଲା । ଶିକ୍ଷା ବିଭାଗରେ ଯେପରି କାଙ୍କଣ ଓ କୋବି କେତେ କଣ ଫଳିବ ବୋଲି ଢ଼ୋଲ ପିଟା ହେଉହେଉ ଶେଷକୁ ୟାକୁ ସେଠାକୁ ଓ ତାକୁ ଏଠାକୁ ବଦଳି କରିବା ବ୍ୟତୀତ ଆଉ ଗୋଟେ କୌଣସି ଧନ୍ଦା ରହିଲା ନାହିଁ, ସଂଘର ସିରସ୍ତାରେ ମଧ୍ୟ ଦରମା ବଢ଼ାଇବା ଓ ଅଧିକ ସୁଖ ପାଇବା ଲାଗି ଆନ୍ଦୋଳନ କରିବା ବ୍ୟତୀତ ଆଉ ଅଧିକ କିଛି କାମ ହେଲାନାହିଁ ଏବଂ ଶିକ୍ଷାଗୁଡ଼ାକ ଅଶିକ୍ଷାରେ ପରିଣତ ହେଲା । ଶିକ୍ଷକମାନେ କ୍ରମେ ଏପରି ଅନେକ ଅନେକ ମତି ଓ ଅନେକ ଅନେକ ରତିକୁ ମନ କଲେ ଯେ, ସେମାନଙ୍କୁ ପାଠ ପଢ଼ାଇବାଟିକୁ ଛାଡ଼ିଦେଲେ ଆଉ ସବୁକିଛି ଭଲ ଲାଗିଲା । ସେମାନେ ଟିଉସନ କଲେ, କାରଣ ତାହା କଲେ ଅଧିକ ପଇସା ମିଳିଲା, ଇସ୍କୁଲଟାକୁ ପୈତୃକ ଡିହ ପରି ମଣିଲେ । ପୈତୃକ ଡିହଟା ଯାହା କିଛି ହେଲେ ବି ଅବଶ୍ୟ ରହିବ-। ସଙ୍ଘରୂପୀ ପିତା ରହିଥିବା ପର୍ଯ୍ୟନ୍ତ ସେହି ଡିହଟା କଦାପି ହାତରୁ ଯିବନାହିଁ; ତେଣୁ ସେମାନେ ଅର୍ଥାଗମର ଅନ୍ୟାନ୍ୟ ବହୁ ପନ୍ଥାକୁ ମନ କଲେ । ଆହୁରି ଅନେକ ଅନର୍ଥାଗମକୁ ମଧ୍ୟ ମନ କଲେ-। ପିଲାଏ ଅରକ୍ଷିତ ହେଲେ । ସେମାନଙ୍କୁ ସହଜରେ ଉଦ୍ଧାରଗତି ଲାଭ କରିବାର ବାଟମାନ ଦେଖାଇ ଦିଆଗଲା । କପି କରିବାର ବାଟଗୁଡ଼ାକୁ ଛାଡ଼ିଦିଆଗଲା । ଦିନ ଦି’ପହରେ ଆଲୁଅ ଲଗାଇ ମହାଗୌରବର ସହିତ ଏସବୁ ହେଲା । ଅଧିକ ଦରମା ପାଇଁ ଓ ଅନେକ ମାମଲତ ଭିତରେ ପଶି ସଂଘପାଳିତ ଶିକ୍ଷକଙ୍କର ବିବେକ କ୍ରମେ ଏପରି ମୋଟା ହୋଇଯାଇଥିଲା ଯେ, ଏସବୁ ଆଖି ଆଗରେ ଦେଖୁଥିଲେ ମଧ୍ୟ ସିଏ ମୋଟେ କିଛି କରିପାରିଲା ନାହିଁ । ଯେଉଁ ମେରୁଦଣ୍ଡଟି ରହିଥିଲେ ମଣିଷ ଅନର୍ଥକୁ ରୋକିବା ସକାଶେ ସାହସ କରି ଠିଆହୋଇପାରେ, ସଂଘର ଶୁଶ୍ରୂଷା ଫଳରେ ଶିକ୍ଷକ ସେହି ମେରୁଦଣ୍ଡକୁ ବହୁ ଦିନରୁ ହରାଇ ସାରିଥିଲା ।

 

ଶିକ୍ଷାର ଅଧୋଗମନ ଲାଗି ଆମର ଏହି ଦେଶରେ ଶିକ୍ଷକମାନଙ୍କର ଏହି ସଂଘ କେତେ ପରିମାଣରେ ଦାୟୀ, ସେକଥା ସେହି ସଂଘ ନିଜେ ବିଚାର କରୁ । ସଂକଟ ଆସିଲେ ସଂଘଶକ୍ତି ଅନେକ କାମରେ ଆସେ । ସଂଘରୁ ସମାଧାନ ମିଳେ । ସମାଧାନ ପାଇଁ ମନକଲେ ସମାଧାନ ମିଳେ । ସଂଘଧିପତିମାନେ ମନ କଲେ କାଳ ଅବଶ୍ୟ ହଟେ । ଅସଲ ହିତୈଷିତା ତାହାରି ଦ୍ୱାରା ହୁଏ । ନିଜେ ଜିତି ଜିତି ଯାଉଥିବାର ମୋହରେ ପଡ଼ି ସଂଘ ଶିକ୍ଷକମାନଙ୍କ ଭିତରେ ରହିଥିବା ବ୍ୟକ୍ତିଟିକୁ ଖାଇଖାଇ ଯାଉଥିବା ପର୍ଯ୍ୟନ୍ତ କାହାରି ଆଦୌ କୌଣସି ହିତ ହେବନାହିଁ । ଅଧିକ କମାଇ ଓ ଅଧିକ ଉଗ୍ର ହୋଇ ଆମେ କେବଳ ଅଧିକରୁ ଅଧିକ ନିଃସ୍ଵ ହେବାରେ ହିଁ ଲାଗିଥିବା ।

 

୨୨ । ୭ । ୮୨

Image

 

ଅଦ୍ୱୈତ ଓ ବିଶିଷ୍ଟାଦ୍ୱୈତ

 

ବଞ୍ଚିଥିବା ବେଳେ ସଞ୍ଜୟ ସମସ୍ତଙ୍କର ଥିଲେ । ମାଆ, ଭାର୍ଯ୍ୟା, ଘର, ବଜାର, ବର୍ତ୍ତମାନ ଓ ଭବିଷ୍ୟତ ସମସ୍ତଙ୍କର ଥିଲେ । ମରିସାରିବା ପରେ ସିଏ କେବଳ ରାଜନୀତିର ହୋଇ ରହିଲେ । ସେଇଥିରୁ ହିଁ ବିଶିଷ୍ଟାଦ୍ୱୈତ ବାହାରିଲା । ବିଶିଷ୍ଟାଦ୍ୱୈତୀମାନେ ବାହାରିଲେ ।

 

ସଞ୍ଜୟଙ୍କୁ ନେଇ ଆଜି ଘରେ ଝଡ଼, ବାହାରେ ବି ଝଡ଼, ରାଜଧାନୀରେ ଝଡ଼, ସାରା ଦେଶରେ ବି ଝଡ଼ । ଦିନେ ଭାରତର ଏକମାତ୍ର ସନ୍ତାନ ହିସାବରେ ଯେଉଁମାନେ କେବଳ ସଞ୍ଜୟଙ୍କୁ ହିଁ ଦେଖୁଥିଲେ, ସେମାନେ ଆଜି ପ୍ରେମକୁ ଓ ଅନୁରକ୍ତିକୁ ଗୋଟାସୁଦ୍ଧା ରାଜନୀତିରେ ପରିଣତ କରି ଗୋଟାଏ ଘରେ ଦୁଇଭାଗ ହୋଇଯାଇଛନ୍ତି ।

 

ଦୁଇଟିଯାକ ପଟ ସଞ୍ଜୟଙ୍କର ପାଞ୍ଚ ଦଫାକୁ ସତେଅବା ଭଗବାନଙ୍କର କୋଉ ଅବତାରର ପାଞ୍ଚ ଆଜ୍ଞାପରି ଟେକି ଧରିଛନ୍ତି । ମାତ୍ର ଦୁଇ ପ୍ରକାରର ଜର୍ସି ପିନ୍ଧି ପରସ୍ପର ଆଗରେ ନାଚିବାରେ ଲାଗିଛନ୍ତି । ଏ ଦଫାଗୁଡ଼ାକର ଯେ ପ୍ରକୃତରେ ଦଫା ଶେଷ ହୋଇଗଲାଣି, ବଡ଼ ହାସ୍ୟାସ୍ପଦ ଭାବରେ ସେହି କଥାଟାକୁ ପଦାରେ ପକାଇ ଦେଉଛନ୍ତି । ଦାଣ୍ଡହସା ହେଉଛନ୍ତି ।

 

ଅନେକ ମଣିଷ ବିଶ୍ୱାସ କରନ୍ତି ଯେ, ମଣିଷର ଗୋଟାଏ ଆତ୍ମା ଥାଏ । ମରିଗଲାପରେ ଯାହାସବୁ ଯିବାର କଥା ଥାଏ, ମାତ୍ର ଆତ୍ମା ତଥାପି ରହିଯାଏ । ପ୍ରେତଶାସ୍ତ୍ରର କେତେଟା ନିୟମ ଅନୁସାରେ ଅନେକ ଆତ୍ମା କୁଆଡ଼େ ଶରୀର ଯିବାର ଅନେକ ଦିନ ପର୍ଯ୍ୟନ୍ତ ବି ଏହି ପୃଥ୍ଵୀମଣ୍ଡଳରେ ରହନ୍ତି ।

 

ସଞ୍ଜୟଙ୍କର ଆତ୍ମା ହୁଏତ ସେହିପରି କୌଣସି ବିଧାନ ଅନୁସାରେ ଶରୀରଟା ଖତମ ହୋଇ ଯିବାପରେ ମଧ୍ୟ ଏଇଠି ଶୂନ୍ୟମଣ୍ଡଳରେ ରହିଛି । ଦୁଇଫାଳ ହୋଇ ହୁଏତ ଭାରି ଛଟପଟ ହେଉଛି । ଆପଣାର ଭାର୍ଯ୍ୟା ଓ ଆପଣାର ଜନନୀ ଏହିପରି ଦୁହିଁଙ୍କ ପାଖରେ ଦୁଇଫାଳ ହୋଇ ରହିଛି । ପ୍ରତ୍ୟେକ ପଟ ଆପଣା ପାଖରେ ରହିଥିବା ଫାଳଟାକୁ ହିଁ ସବୁଯାକ ବୋଲି ମନେ କରୁଛନ୍ତି ।

 

ଅନ୍ୟ ତରଫରେ ରହିଥିବା ଫାଳଟିକୁ ତୁଚ୍ଛା ପ୍ରେତ ବୋଲି ଦେଖୁଛନ୍ତି ଓ ତାହାକୁ ନିଜ ଭିତରେ କଳିକରି ରଖିଥିବା ମଣିଷଟାକୁ ଡାଆଣୀ ବୋଲି ମନେ କରୁଛନ୍ତି । ଦୁଇ ପକ୍ଷରେ ରହିଥିବା ଗୁଣିଆମାନେ ଅନ୍ୟପଟର ସେଇ ଡାଆଣୀଟାକୁ ଦେଶାନ୍ତର କରିବାରେ ଉନ୍ନତ୍ତ ହୋଇ ଲାଗିଛନ୍ତି । ସେମାନଙ୍କ ଭିତରେ ରହିଥିବା ଭୟ ସେମାନଙ୍କୁ ମନ୍ମଥପ୍ରାୟ ଦହୁଛି ।

 

ଏହି ସୁଆଙ୍ଗ ଆହୁରି ଚାଲୁ । ଭିତରେ ରହିଥିବା ମିଛ କାନ୍ଦଣାଗୁଡ଼ାକ ଏକାବେଳେ ପଦାରେ ପଡ଼ିଯିବା ପର୍ଯ୍ୟନ୍ତ ଏହି ସୁଆଙ୍ଗ ଲାଗିଥାଉ । ଗୋଟାଏ ଘର ଦୁଇଭାଗ ହେଉ । କର୍କଶ ଶାସନରେ ଦୈତ୍ୟମାନଙ୍କୁ ସାଧ୍ୟ କରି ରଖିବାର ପାଞ୍ଚ କରୁଥିବା ମହାମତିମାନଙ୍କର ନିଜ ଘରଭିତରୁ ହିଁ ଦୈତ୍ୟ ବାହାରୁ ଓ ଅନ୍ତଃପୁରର ଅସଲ ସମ୍ବାଦଗୁଡ଼ିକ ରଟାଇ ଦେଉଥାଉ ।

 

ଭାରତବର୍ଷରେ ଦିନେ ପଣ୍ଡିତମାନଙ୍କ ଭିତରେ ଅଦ୍ୱୈତ ଓ ବିଶିଷ୍ଟାଦ୍ୱୈତର ଲଢ଼ାଇ ଚାଲିଥିଲା । ଉଭୟ ପକ୍ଷରୁ ସମ୍ପୂର୍ଣ୍ଣ ଦିଗ୍‍ବିଜୟର ଯୋଜନମାନ ବି ହୋଇଥିଲା । ଉଭୟେ କାଳକ୍ରମେ ଗୋଟିଏ ଗୋଟିଏ ମଠ ହୋଇ ରହିଲେ । ବୀରମାନେ କୁଆଡ଼େ ଉଡ଼ିଗଲେ । ଦେଶ ରହିଲା । ବର୍ତ୍ତମାନ ରାଜନୀତିକୁ ଫାଳଫାଳ କରି ଫାଡ଼ି ସାମୂହିକ ଜୀବନର ଅରଣ୍ୟ ଭିତରେ ଯୁଦ୍ଧ ଲଗାଇଥିବା ଏହି ମତ୍ତମାନେ କାଲିକୁ ନ ଥିବେ । ଦେଶ ତଥାପି ରହିବ । ଲଢ଼ିଥିବା ମତ୍ତଗଜମାନେ ମିଉଜିୟମ୍‍ ହୋଇ ରହିବେ ।

 

୩୧ । ୭ । ୮୨

Image

 

ଶିଶୁମାନଙ୍କର ବିକ୍ଷୋଭ

 

ଆଣବିକ ଅସ୍ତ୍ରପ୍ରସାରର ବିରୋଧ କରି ଆମେରିକାର ନିୟୁୟର୍କ ସହରରେ ଏବେ ପାଞ୍ଚଲକ୍ଷ ଶିଶୁ ବିକ୍ଷୋଭରେ ବାହାରିଥିଲେ । ସେହି ଖବରଟି ପୃଥିବୀର ବଡ଼ବଡ଼ ଖବରକାଗଜରେ ପ୍ରକାଶ ପାଇଥିଲା ।

 

ଶିଶୁ କହିଲେ ସବୁବେଳେ ଭବିଷ୍ୟତକୁ ବୁଝାଏ । ପୃଥିବୀରେ ଯେଉଁମାନେ ରାଜନୀତି କରନ୍ତି, ସେମାନେ ଭବିଷ୍ୟତ ଉପରେ ବିଶ୍ୱାସ କରନ୍ତି ନାହିଁ । ଖାଲି ବର୍ତ୍ତମାନଟାକୁ ସମ୍ଭାଳିବାରେ ହିଁ ସେମାନଙ୍କର ସବୁବେଳ ଚାଲିଥାଏ । ବର୍ତ୍ତମାନଟାର ଭୂମି ଉପରେ ଚତୁର୍ଦ୍ଦିଗକୁ ଚାହିଁ ସେମାନେ କେବଳ ଭୟଗୁଡ଼ାକୁ ହିଁ ଦେଖାନ୍ତି । ଭୟଗୁଡ଼ାକ ଯେତେବେଳେ ଭୁତ ହୋଇ ଡରାଇବାକୁ ଆରମ୍ଭ କରେ, ସେତେବେଳେ ସରକାରଗୁଡ଼ାଙ୍କୁ ଶତ୍ରୁ ବ୍ୟତୀତ ସଂସାରରେ ଆଉ କି ହେଲେ ଦେଖାଯାଏ ନାହିଁ । ସେମାନେ ଶତ୍ରୁ ବିରୁଦ୍ଧରେ ସଜ ହେବାକୁ ହିଁ ସର୍ବପ୍ରଥମ ନିରାପତ୍ତା ବୋଲି ମଣନ୍ତି । ଏହିପରି ଭାବରେ ଆମ ପୃଥିବୀରେ ଅସ୍ତ୍ରଗୁଡ଼ାକ ଭୀଷଣରୁ ଅଧିକ ଭୀଷଣ ହୋଇ କାଳକ୍ରମେ ଅଣୁ ଅସ୍ତ୍ରର ସ୍ତରରେ ଆସି ପହଞ୍ଚିଛନ୍ତି । ବୈଜ୍ଞାନିକମାନେ ଏହି ଅଣୁଅସ୍ତ୍ରର ଉଦଭାବନରେ ସବୁଠାରୁ ଅଧିକ ମୁଣ୍ଡ ଖରଚ କରୁଛନ୍ତି । କାରଣ ସେହି କାର୍ଯ୍ୟଟି ଲାଗିହିଁ ଅଣୁଅସ୍ତ୍ରର ବଣିଜ କରୁଥିବା ସରକାରମାନେ ସେମାନଙ୍କୁ ସର୍ବାଧିକ ପାରିଶ୍ରମିକ ଦେଉଛନ୍ତି ।

 

ସଂସାରର ପିଲାମାନେ ଏହି ଚତୁର ବୈଜ୍ଞାନିକ ଓ ଚତୁର ସରକାରମାନଙ୍କ ସମ୍ମୁଖରେ ପ୍ରକୃତରେ କେଡ଼େ ଅସହାୟ । ସେମାନଙ୍କ ଲାଗି ପୃଥିବୀର କୌଣସି ରାଷ୍ଟ୍ର ପ୍ରାୟ କିଛି ହେଲେ କରୁନାହିଁ ବରଂ ସରକାରମାନଙ୍କ ତରଫରୁ ପୃଥିବୀର ସବୁଦେଶରେ ଏପରି ଏକ ପାଠର ବ୍ୟବସ୍ଥା ହୋଇ ରହିଛି ଓ ସେହି ପାଠରେ ପିଲାମାନଙ୍କୁ ଏପରି ଭାବରେ ମଣକରି ଅଣାଯାଉଛି, ଯାହାଫଳରେ କି ଆଜିର ଏହି ନିର୍ମଳ ହୃଦୟ ପିଲାମାନଙ୍କ ଭିତରୁ କାଲି ଚତୁର ରାଷ୍ଟ୍ରବାଦୀ ଏବଂ ନିର୍ମମ ବୈଜ୍ଞାନିକମାନେ ତିଆରିହୋଇ ବାହାରୁଛନ୍ତି । ପୃଥିବୀଯାକ ସେହି ପୁରୁଣା ଗୁଳାରେ ଚାଲିବାରେ ଲାଗିଛି ।

 

ଏଣେ ପୃଥିବୀ ଦିନକୁ ଦିନ ସତେଅବା ଅଧିକରୁ ଅଧିକ ପରିମାଣରେ ଯୁଦ୍ଧ ଆଡ଼କୁ, ଧ୍ୱଂସ ଆଡ଼କୁ ଟାଣିହୋଇ ଯାଉଛି । କୌଣସି ଉପାୟରେ ଆଜିର ପିଲାମାନେ ବଡ଼ହେଲେ ମଧ୍ୟ ଯଦି କାଲିକୁ ତଥାପି ପିଲାହୋଇ ରହନ୍ତେ, ଆଜିର ବଡ଼ମାନଙ୍କ ବିଷଚକ୍ର ଭିତରେ ପ୍ରବେଶ କରିବାକୁ ସିଧା ମନାକରି ଦିଅନ୍ତେ, ହୁଏତ ତେବେଯାଇ ଆଗକୁ କୌଣସି ବାଟ ଖେଳିଗଲାପରି ମାନେ ହୁଅନ୍ତା । ଏହି ପିଲାମାନଙ୍କର ପାଦତଳେ ଆପଣାର ଦେଶ ବୋଲି ଗୋଟିଏ ଦୃଢ଼ ଭୂଇଁ ଅବଶ୍ୟ ରହିଥାଆନ୍ତା ସତ, ମାତ୍ର ସେମାନେ ତଥାପି ଆପଣା ଦେଶ ନାମରେ ଅଫିମ ଖାଇ ଉଗ୍ର ହୁଅନ୍ତେ ନାହିଁ କି ଘୃଣା କରନ୍ତେ ନାହିଁ । ଘୃଣା ନ କଲେ ଭୟ ବି କରିବାକୁ ପଡ଼ନ୍ତାନାହିଁ । ମଣିଷ ଅଫିମ ନ ଖାଇଲେ ମଣିଷର ରାଜନୀତି ମଧ୍ୟ ଅଲଗା ପ୍ରକାରର ହୋଇଯାଆନ୍ତା । ଦେଶଠାରୁ ମଣିଷ ବଡ଼ ହୋଇ ରହିଥାଆନ୍ତା । ଭୟଠାରୁ ବିଶ୍ୱାସ ଅଧିକ ବଡ଼ହୋଇ ରହିଥାନ୍ତା । ସେହି ଅନ୍ୟ ପୃଥିବୀଟି ଲାଗି ଯେଉଁ ଅନ୍ୟ ପ୍ରକାରର ଶିକ୍ଷା ଦରକାର, ସେହି ଶିକ୍ଷାକୁ କୌଣସି ସରକାର କେବେହେଲେ ଦେଇପାରିବେ ନାହିଁ । ଯିଏ ଏହି ସରକାରଗୁଡ଼ାକ ଅପେକ୍ଷା ମଣିଷଙ୍କୁ ବଡ଼କରି ଦେଖିବ, ଏକଥା ସେ ତ କରିପାରିବେ ।

 

୧୭ । ୮ । ୮୨

Image

 

କୃଷକ ଓ ବିଶ୍ୱବିଦ୍ୟାଳୟ

 

ଆମ ଦେଶର କୃଷକମାନେ ଗାଆଁରେ ଅଛନ୍ତି । ଜମିଗୁଡ଼ାକ ବି ସେଇ ଗାଆଁରେ ଅଛି । ସାମନ୍ତବାଦୀ ଅମଳରେ ସେଗୁଡ଼ାକ ଯେଉଁ ସାଆନ୍ତମାନଙ୍କ ହାତରେ ରହିଥିଲା, ଏବେ ଆମ ସମାଜବାଦୀ ଅମଳରେ ବି ପ୍ରାୟ ସେଇମାନଙ୍କ ହାତରେ ରହିଛି । ଚଷିବା ମଣିଷ ଚଷୁଛି, ପାଇବା ଲୋକ ପାଉଛି ।

 

କୃଷିକୁ ନେଇ ଏକ ବିଦ୍ୟା କାଳେକାଳେ ରହିଥିଲା । ଏବେ ମଧ୍ୟ ରହିଛି । ଆଗେ କୃଷିବିଦ୍ୟା କୃଷକମାନଙ୍କ ପାଖରେ ରହିଥିଲା । ତାହାକୁ ପାଠ ନ କହି ଶାଠ ବୋଲି କୁହାଯାଉଥିଲା-। ସେହି ଶାଠଗୁଡ଼ାକ କାମରେ ଲାଗୁଥିଲା । ସେଥିଲାଗି ସେଗୁଡ଼ାକୁ ଡାକବଚନ ବୋଲି କୁହାଯାଉଥିଲା । ଏବେ ବିଦ୍ୟାକୁ ବିଜ୍ଞାନ ବୋଲି କୁହାଗଲାଣି । ସେହି ବିଜ୍ଞାନଗୁଡ଼ାକ କୁଟା ଏବଂ କଣ୍ଡା ହେବାପାଇଁ ଏବେ ବିଶ୍ୱବିଦ୍ୟାଳୟମାନ ବସିଛି । ଏଗୁଡ଼ାକ ସହର କାନ୍ଥରେ ବସିଛି । ସେଠି ବାବୁମାନେ ପାଠ ପଢ଼ୁଛନ୍ତି, ତହୁଁ ବଳି ବାବୁମାନେ ପଢ଼ାଉଛନ୍ତି । ଏମାନଙ୍କ ଭିତରୁ କେହି ଚାଷୀ ହେବେନାହିଁ । ଚାଷକୁ ମନ କରି ଯେ ଏମାନେ କୃଷିବିଜ୍ଞାନ ପଢ଼ିବାକୁ ଆସିଛନ୍ତି, ସେ କଥା ଆଦୌ ନୁହେଁ । ଏମାନେ କିଛି ମନ କରି ଏଠାକୁ ଆସିନାହାନ୍ତି ।

 

ଯେଉଁମାନେ ଏଠି ପାଠ ପଢ଼ାଉଛନ୍ତି, ସେମାନେ ମଧ୍ୟ ଚାଷକୁ ମନ କରି କୃଷିବିଜ୍ଞାନର ଜଞ୍ଜାଳ ଭିତରେ ମୋଟେ ପଶିନାହାନ୍ତି । ଭାଗ୍ୟର ଅରଣ୍ୟ ଭିତରେ ଆପଣାଲାଗି ସୁଖର ସଂସ୍ଥାନଟିଏ ଖୋଜୁଖୋଜୁ ଏମାନେ ଏଠି ଏହି ଆଖଡ଼ାଟା ଭିତରେ ଆସି ପଶି ଯାଇଛନ୍ତି । ବିଦ୍ୟାଳୟଟାକୁ ସତେଅବା ଗୋଟାଏ ଆଖଡ଼ା କରି ରଖିଛନ୍ତି-। ଏଠାରେ ପଢ଼ିବାକୁ ଆସୁଥିବା ପିଲାମାନଙ୍କୁ ଠିକ୍‍ ଆପଣା ପରି ମଣ କରିବାରେ ଲାଗିଛନ୍ତି, ଅସାଧ୍ୟ କରି ଗଢ଼ିବାରେ ଲାଗିଛନ୍ତି । ବାବୁମାନଙ୍କୁ ଯେ କେହି କଦାପି ସାଧ୍ୟ କରିପାରିବେ ନାହିଁ, ସେହି ସତ୍ୟଟାକୁ ଦୋରସ୍ତ କରିବାରେ ଲାଗିଛନ୍ତି । ବଳିୟାରରୁ ଅତି ବଳିୟାର ହେବାରେ ଲାଗିଛନ୍ତି ।

 

କୃଷକ ଜମିରେ ଅଛି, ବିଦ୍ୟା ବାବୁମାନଙ୍କ ପାଖରେ ଅଛି । ବାବୁମାନେ ଇଂରାଜୀରେ ପାଠ ପଢ଼ୁଛନ୍ତି । ସେହି ପାଠକୁ କୃଷକକୁ ତା’ ନିଜ ଭାଷାରେ ବୁଝାଇ ଦେବାଲାଗି ସରସ୍ଵତୀଙ୍କର ସତେ ଅବା ବାରଣ ରହିଛି; ତେଣୁ ବାବୁମାନେ କୃଷିବିଜ୍ଞାନର ଗବେଷଣା କରୁଛନ୍ତି, ଚାଷକାମ ଯାଇ ବିଚରା ମୂଲିଆ ହାତରେ ରହିଛି । ମଝିରେ ଜମିର ମାଲିକମାନେ ରହିଛନ୍ତି । ସେମାନେ ବାବୁମାନଙ୍କ ପକ୍ଷରେ ଅଛନ୍ତି ।

 

ସରକାର ବି ବାବୁମାନଙ୍କ ପକ୍ଷରେ ରହିଛି; ତେଣୁ କୃଷିର ଲକ୍ଷ୍ମୀ ଚାଲୁଣିଗୁଡ଼ାକର କଣା ଦେଇ ଆଉ କେତେ କୁଆଡ଼େ ଚାଲି ଯାଉଛନ୍ତି ସିନା, ମାତ୍ର ପ୍ରକୃତ କୃଷକକୁ ଅଲକ୍ଷଣା କରି ରଖିଛନ୍ତି । ତା’ ଦେଇ କିଛି ହେଉନାହିଁ । ତା’ର ଆଖିଗୁଡ଼ାକ ଗୋଟାସୁଦ୍ଧା ବନ୍ଦ ହୋଇ ରହିଛି । ତା’ ପିଠି ଉପର ଦେଇ ବିଜ୍ଞାନର ଶଗଡ଼ ଚାଲିଯାଉଛି, ବାବୁମାନଙ୍କର ଶଗଡ଼ ଚାଲିଯାଉଛି । ବାହାରକୁ ଦେଶଟା ବି ଭାରି ବାଗରେ ଚାଲିଥିଲା ପରି ମନେହେଉଛି ।

 

କୃଷି-ବିଶ୍ୱବିଦ୍ୟାଳୟ କୃଷକର ହେଉ । ସେଠି କେବଳ କୃଷକମାନେ ହିଁ ପାଠପଢ଼ନ୍ତୁ । କୃଷକର ସମସ୍ୟାମାନ ସେଠାକୁ ଆସି ସେହିଗୁଡ଼ିକର ହିଁ ବାସ୍ତବ ସମାଧାନ ଲୋଡ଼ାଯାଉ । କୃଷକର ଭାଷାରେ ହିଁ ସେଠି ଯାବତୀୟ କାରବାର ହେଉ । ଏହି ଦେଶ ଯେ ସବାଆଗ କୃଷକମାନଙ୍କର ଦେଶ ଓ କୃଷକର ବିବେକ ଯେ, ଏହି ଦେଶକୁ ହଜାର ହଜାର ବର୍ଷ ହେଲା ବାଟ ଦେଖାଇ ଆସିଛି; ଆମ କୃଷି-ବିଶ୍ଵବିଦ୍ୟାଳୟମାନେ ତାହାରି ସନ୍ତକ ହୋଇ ରହନ୍ତୁ ।

 

୨୨ । ୮ । ୮୨

Image

 

ଇସ୍ରାଏଲରେ ମଣିଷ ବି ଅଛନ୍ତି

 

ଲଙ୍କାରେ ଖାଲି ରାକ୍ଷସ ଥିବେ ବୋଲି ଯେଉଁମାନେ ବିଶ୍ୱାସ କରନ୍ତି, ସେମାନେ ବିଭୀଷଣର ଉପାଖ୍ୟାନ ପାଖକୁ ଆସିବା ପରେ ପ୍ରକୃତରେ ଭାରି କାବା ହୋଇଯାଉଥିବେ । ସେହିପରି ଆମେ ପ୍ରାୟ ସମସ୍ତେ ଇସ୍ରାଏଲକୁ ଇହୁଦୀମାନଙ୍କର ଦେଶ ବୋଲି ପଢ଼ିଆସିଛୁ । ଆମେ ଏହିପରି ଭାବିବାରେ ଅଭ୍ୟସ୍ତ ହୋଇ ଆସିଛୁ ଯେ ଇସ୍ରାଏଲରେ ଯେଉଁମାନେ ଅଛନ୍ତି, ସେମାନେ ଆଗ ଇହୁଦୀ, ତା’ପରେ ଯାଇ ମଣିଷ । ସେମାନେ ରଣରେ ଧୁରନ୍ଧର, ପ୍ରତିଶୋଧ ନେବାରେ ଧୁରନ୍ଧର, ଆପଣାର ଶପଥଗୁଡ଼ିକ କାର୍ଯକାରୀ କରିବାରେ ଧୁରନ୍ଧର । ଇହୁଦୀ ଜାତିର ଧାତୁଟା ମଧ୍ୟ କୁଆଡ଼େ ଠିକ୍‍ ସେମିତି । ସଂସାର ଉଜୁଡ଼ିଗଲେ ଯିବା ପଛକେ ମାତ୍ର ସେମାନେ ଯାହା ସିଦ୍ଧ କରିବେ ବୋଲି ବାହାରିଛନ୍ତି, ସେ କଥା ଅବଶ୍ୟ କରିବେ । ବିବେକକୁ ଛାଡ଼ିବେ ପଛକେ, ନିଶ୍ଚୟ କରିବେ ।

 

ସେଦିନ ପଚାଶ ହଜାର ଇସ୍ରାଏଲବାସୀ ଦେଶର ବୃହତ୍ତମ ସହରରେ ଗୋଟିଏ ବିକ୍ଷୋଭ ଶୋଭାଯାତ୍ରା ବାହାର କରିଥିଲେ । ଇସ୍ରାଏଲର ସରକାର ଲେବାନନରେ ଯାହା କରୁଛନ୍ତି, ସେମାନେ ତାହାର ନିନ୍ଦାବାଦ କରିଥିଲେ । ଇସ୍ରାଏଲ ସରକାର ଏହି କ୍ରୂର ଯୁଦ୍ଧକୁ ବନ୍ଦ କରନ୍ତୁ, ଲେବାନନରୁ ଛାଉଣୀ ଉଠାଇ ଆଣନ୍ତୁ ଓ ପାଲେଷ୍ଟାଇନ ମୁକ୍ତି ସାମ୍ମୁଖ୍ୟ ସହିତ ସମାଧାନ ଲାଗି କଥାବାର୍ତ୍ତା ଆରମ୍ଭ କରନ୍ତୁ, ଶୋଭାଯାତ୍ରାକାରୀମାନେ ଏହି ଦାବିଗୁଡ଼ିକ କରିଥିଲେ । ଇସ୍ରାଏଲ ଦେଶ ଜନ୍ମ ହେବାଦିନୁ ସେଠି ଏପରି ଘଟଣାଟିଏ କେବେ ଘଟିନଥିଲା । ସେହି ଦେଶର ଶିକ୍ଷା, ଶାସନ, ସାଂସ୍କୃତିକ ପ୍ରଚାର ସମସ୍ତେ ଏକାଠି ହୋଇ ସତେଅବା ପ୍ରୟୋଜନରେ ପଡ଼ି ମଣିଷମାନଙ୍କୁ ତୁଚ୍ଛା ଇହୁଦୀ କରି ଗଢ଼ିବାରେ ଏକ ଯୋଜନାକରି ଆସିଥିଲେ । ଏହିସବୁ ସତ୍ତ୍ୱେ ସେହି ଦେଶରେ, ଯେ ମଣିଷ ଅଛନ୍ତି, ସେଦିନର ଶୋଭାଯାତ୍ରା ତାହା ପ୍ରକାଶ କରିଦେଲା ।

 

ଇସ୍ରାଏଲ ଦେଶ ଜନ୍ମ ଲାଭ କରିବାର ଆଜିକୁ ପଇଁତ୍ରିଶ ବର୍ଷ ହୋଇଗଲା । ଆପଣାକୁ କେବଳ ଇହୁଦୀ ବୋଲି ନ ଭାବି ଆପଣା ଇଉରୋପୀୟ ଅତୀତକୁ ସାଙ୍ଗରେ ନେଇ ଆସିଥିବା ଭୟ ଓ ଭୁତଗୁଡ଼ାକୁ ପାଲେଷ୍ଟାଇନର ମାଟି ଉପରକୁ ନ ଆଣି ଆପଣାର ପଡ଼ିଶାମାନଙ୍କ ସହିତ ଏକ ଅଧିକ ମାନବୋଚିତ ଓ ଭୟମୁକ୍ତ, ସମ୍ପର୍କ ସ୍ଥାପନ କରିପାରିଥିଲେ, ଇସ୍ରାଏଲ ବର୍ତ୍ତମାନ ମଧ୍ୟପ୍ରାଚ୍ୟର ନେତା ହୋଇଥାନ୍ତା । ପଡ଼ିଶାଙ୍କ ଆଖିରେ ଶତ୍ରୁ ହୋଇ ରହିନଥାନ୍ତା । ମାତ୍ର ଭୟ ହିଁ ଇସ୍ରାଏଲକୁ ଖାଇଲା, ଅଧିକ ଉଗ୍ର କଲା । କ୍ରମେ ତୁଚ୍ଛା ଦକ୍ଷିଣପନ୍ଥୀ ଚରମବାଦୀଙ୍କ ହାତକୁ ଶାସନ ଆସିଲା । ଦୁଶାସନର ବିଗ୍ରହ ଗ୍ରହଣ କଲା । ଆମେରିକାରୁ ଅସ୍ତ୍ର ଓ ଅର୍ଥ ଆସି ଭୟାଳୁମାନଙ୍କୁ ଆହୁରି ପ୍ରଚଣ୍ଡ କଲା । ସେମାନେ ସମସ୍ତଙ୍କୁ ନିପାତକରି ତେବେ ଯାଇ ତିଷ୍ଠି ରହିପାରିବେବୋଲି ବିଶ୍ୱାସ କଲେ ।

 

ତେଲ୍‍ଆବିବ୍‍ର ଶୋଭାଯାତ୍ରା ପ୍ରମାଣ କରିଦେଲା ଯେ, ଇସ୍ରାଏଲରେ ତଥାପି ମଣିଷ ଅଛନ୍ତି । ଆରବ ଦେଶମାନଙ୍କରେ ସେମିତି ଯେଉଁଦିନ ମଣିଷମାନେ ତଥାପି ଅଛନ୍ତି ବୋଲି ପ୍ରମାଣ ମିଳିବ ଓ ସେହି ମଣିଷମାନଙ୍କର ଶୋଭଯାତ୍ରା ଦାଣ୍ଡକୁ ବାହାରିପାରବ, ସେଦିନ ଯାଇ ମଧ୍ୟପ୍ରାଚ୍ୟରେ ଅସଲ ଶାନ୍ତିର ଅନ୍ୟ ପର୍ଯ୍ୟାୟଟି ଆରମ୍ଭହେବ ।

 

୨୮ । ୮ । ୮୬

Image

 

Unknown

ଅନ୍ୟର କ୍ଷତି କଲେ

 

ଅନ୍ୟର କ୍ଷତି କଲେ ନିଜର ହିଁ କ୍ଷତି ହୁଏ । ନବଘନ ନାମରେ ଜଣେ ବ୍ୟକ୍ତି ଥିଲା । ସିଏ ଗୋଟିଏ ଗାଈର କ୍ଷତି କଲା । ଗାଈକୁ କଷ୍ଟ ଦେଲା; ତେଣୁ ତାହାର ପରିମାଣ ସ୍ଵରୂପ ତା’ନିଜର ବି କ୍ଷତି ହେଲା । ତେଣୁ କାହାର କ୍ଷତି କରିବା ଆଦୌ ଉଚିତ ନୁହେଁ ।

 

ସେଦିନ ସକାଳେ ପିଲାଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମରେ ରେଡିଓରୁ ଏହିଭଳି ଉପାଖ୍ୟାନଟିଏ ଶୁଣିବାକୁ ମିଳିଲା । ଜଣେ ବୟସ୍କ କଣ୍ଠ ପିଲାମାନଙ୍କୁ ଏହି ଉପାଖ୍ୟାନଟିକୁ କହୁଥିଲା ଓ ପିଲାମାନେ କେତେ ସୁତରରେ ମଝିରେ ହଁ ବି ମାରୁଥିଲେ । ନାଟକଟିର ନାଟକୀୟତାକୁ ରକ୍ଷା କରୁଥିଲେ । ନାଟକ ଯେ ଜୀବନଠାରୁ ଏକାବେଳକେ ଅଲଗା, ସେମାନେ ଖୁବ୍‍, ସମ୍ଭବ ସେହି କଥାଟିରେ ହିଁ ହଁ ମାରୁଥିଲେ ।

 

ସଂସ୍କୃତ ଉପାଖ୍ୟାନ ବହିରେ ବିଷ୍ଣୁ ଶର୍ମା ଉପାଖ୍ୟାନ ଛଳରେ ତାଙ୍କ ଜିମାରେ ରଖାଯାଇଥିବା ରାଜକୁମାରମାନଙ୍କୁ କେତେ ଭଲ କଥା ଣୁଣାଉଥିଲେ । କୁମାରମାନେ ତାଙ୍କ କଥାରେ ଆଦୌ କୌଣସି ହଁ ମାରୁଥିଲେ କି ନାହିଁ ସେ ବିଷୟରେ ଅବଶ୍ୟ ବହିରେ କିଛି ଉଲ୍ଲେଖ କରାଯାଇ ନାହିଁ । ମାନ୍ତ୍ର ବିଷ୍ଣୁ ଶର୍ମାଙ୍କର ଶୈଳୀଟା ଆମ ଏଯୁଗ ଯାଏ ମଧ୍ୟ ଚାଲିଆସିଛି । ବଯସ୍କମାନେ ବିଷ୍ଣୁ ଶର୍ମା ହେବାକୁ ଏବେ ମଧ୍ୟ ଭାରି ଭଲ ପାଉଛନ୍ତି, ଭାରି ସହଜରେ ଆପଣାର କାର୍ଯ୍ୟ ସାରି ଦେଉଛନ୍ତି । ସେଦିନ ରେଡିଓରେ ଯେଉଁ ପିଲାମାନେ ନବଘନର ଉପାଖ୍ୟାନ ଛଳରେ ଅନ୍ୟର କ୍ଷତି କଲେ ନିଜର କ୍ଷତି ହୁଏ ବୋଲି ଅମୂଲ୍ୟବାଣୀ ଶୁଣୁଥିଲେ ଓ ହଁ ଭରୁଥିଲେ ସେମାନଙ୍କର ବାପା ଓ ମାଆମାନେ ମଧ୍ୟ ସେହିପରି କେତେ କେତେ ଉପାଖ୍ୟାନ ଶୁଣିଥିବେ ଓ ହଁ ଭରିଥିବେ । ଏକ ନର୍ଦ୍ଦଷ୍ଟି ବୟସ ପର୍ଯ୍ୟନ୍ତ ଯୁଗାଚାର ମାନି ସପରି କରିଥିବେ । ପୁଣି ଯୁଗାଚାରମାନି ଏକ ନିର୍ଦ୍ଦିଷ୍ଟ ବୟସରେ ସେ ଗୁଡ଼ିକୁ ଗୋଇଠା ମାରି ଫିଙ୍ଗି ଦେଇଥିବେ ।

 

ଯେଉଁ ବୟସ୍କମାନେ କେବଳ ଏତିକି କରି ପିଲାମାନଙ୍କ ପ୍ରତି ତାଙ୍କର ସକଳ କର୍ତ୍ତବ୍ୟ ସମ୍ପନ୍ନ କରିଦେଲେ ବୋଲି ବିଚାରୁଛନ୍ତି । ସେମାନେ ଭୁଲ କରୁଛନ୍ତି । ହୁଏତ ଜାଣିଶୁଣି ସେହି ଭୁଲଟିକୁ କରୁଛନ୍ତି । ଆଉ ଅଧିକ କିଛି କରିବାର ସାମର୍ଥ୍ୟ ସେମାନଙ୍କଠାରେ ନାହିଁ ବୋଲି ସେମାନେ କେବଳ ସେତିକି କରୁଛନ୍ତି । ପିଲାଦିନେ ହିତବାଣୀମାନ ଶୁଣି ସେମାନେ ନିଜେ ବଡ଼ ହୋଇ ଯେପରି ଗୋଟାଏ ଗୋଟାଏ ପାଜି ହେଲେ, ଗଧ ହେଲେ ଓ ମେରୁଦଣ୍ଡହୀନ ପ୍ରାଣୀ ହେଲେ । ଏହି ପିଲାମାନେ ମଧ୍ୟ ସେହି ଅବିକଳ ରୀତିରେ ବଡ଼ ହୋଇ ସେହିପରି ପାଜି, ଗଧ ଓ ମେରୁଦଣ୍ଡହୀନ ହୋଇ ନିଶ୍ଚୟ ବାହାରିବେ ବୋଲି ଏହି ବଡ଼ମାନେ ଭଲକରି ଜାଣିଛନ୍ତି । ଭଲ ଉପରେ, ମଣିଷର ଅନ୍ତର୍ଗତ ସାମର୍ଥ ଓ ସାଧୁତା ଉପରେ ସେମାନଙ୍କୁ ବିଶ୍ୱାସ ସମ୍ଭବତଃ ସେମାନଙ୍କୁ ସେତିକିଯାଏ ନେଇଛି, ସେତିକି ଅଳଲ ଦେଇଛି ।

 

ଏବଂ ଅନ୍ୟର କ୍ଷତି କଲେ ଆମ ନିଜର କ୍ଷତି ହେବ, କେବଳ ଏତିକି ପାଇଁ କ’ଣ ଆମେ ଅନ୍ୟର କ୍ଷତି କରିବାରୁ ଆପଣାକୁ ନିବୃତ୍ତ କରି ରଖିବା ? ପ୍ରସଙ୍ଗକ୍ରମେ ଏହି କଥାଟି ଉପରେ ବି ଅଧିକ ଚିନ୍ତା କରଯିବା ଉଚିତ ।

 

୧୧ । ୯ । ୮୨

Image

 

ପରିତ୍ରାଣାୟ ପୁତ୍ରାଣାଂ

 

ଆମ ସମାଜରେ ନିଃସ୍ୱାର୍ଥପରତା ପରିବାର ପର୍ଯ୍ୟନ୍ତ ଉିଠିପାରିଛି । ପରିବାରର ସେପାଖକୁ ଯେ ଏକ ବୃହତ୍ତର ସମାଜ ରହିଛି, ପରିବାରର ସେପାଖକୁ ଯେ ପୃଥିବୀଟାଏ ରହିଛି, ସେହି ପୃଥିବୀରେ ଯେ ଧର୍ମ ବୋଲି ଗୋଟିଏ ବସ୍ତୁ ରହିଛି, ଆମ ଅନେକଙ୍କର ଇଲମ ଓ ଅକଲ ମୋଟେ ସେପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ । ବଶେଷତଃ ଆମେ ଯେଉଁମାନେ ବେଶି ପାଠ ପଢ଼ୁଛୁ ଓ ବଡ଼ବଡ଼ ସ୍ଥାନରେ ରହିଛୁ, ସେମାନେ ଗୌରବ କହିଲେ ଅନେକ ସମୟରେ ପୁତ୍ରର ଗୌରବକୁ ହିଁ ବୁଝୁଛୁ, ଉନ୍ନତି କହିଲେ ସେହି ପୁତ୍ରର ଉନ୍ନତିକୁ ହିଁ ବୁଝୁଛୁ । ହୁଏତ ଅସଲ କଥା ହେଉଛି ଯେ, ଆମ ପୁତ୍ରର ଗୌରବ ଓ ଉନ୍ନତିକୁ ଆମେ କେବଳ ନିଜର ଗୌରବ ଓ ନିଜର ଉନ୍ନତି ବୋଲି ବୁଝୁଛୁ ।

 

ପରୀକ୍ଷାଫଳଗୁଡ଼ାକ ବାହାରିବାର ଅନେକ ପୁର୍ବରୁ ପୁତ୍ରମାନଙ୍କ ଲାଗି ଆମର ଅଶେଷ ତତ୍ପରତା ଆରମ୍ଭ ହୋଇଯାଉଛି । ଆମେ ଶାସନରେ ଅଥବା ରାଜନୀତିରେ କୌଣସି ଏକ ଉଚ୍ଚସ୍ଥାନରେ ରହିଥିବାରୁ ଆମ ପୁଅ ଓ ଝିଅମାନଙ୍କର ପରୀକ୍ଷାଖାତା କେଉଁମାନଙ୍କ ହାତରେ ପଡ଼ିଛି ସେଗୁଡ଼ାକୁ ଜାଣିବାଲାଗି ଆମକୁ ମୋଟେ କଷ୍ଟ କରିବାକୁ ପଡ଼ୁନାହିଁ । ଆମ ତଳକୁ ଏପରି ଅନୁସରଣିଆ ଅଧମ ଓ ଅଧସ୍ତନମାନେ ରହିଛନ୍ତି, ଯେଉଁମାନେ ଆମକୁ ରାଜ୍ୟଯାକର ଖବର ଆଣି ଦେଇ ପାରୁଛନ୍ତି । ଅନେକ ସମୟରେ ଫୋନରେ ବି କାମ ଚଳିଯାଉଛି ଏବଂ ଆମେ ଯଦି ଅଧ୍ୟାଧକ ହୋଇଥାଉ, ତେବେ ଏହି ଧନ୍ଦାଟା ଆହୁରି ଅଧିକ ସହଜ ହୋଇଯାଉଛି । ଅଧ୍ୟାପକର ଲାଙ୍ଗୁଡ଼ ଅନ୍ୟ ସବୁ ଅଧ୍ୟାପକଙ୍କ ଲାଙ୍ଗୁଡ଼ରେ ଯାଇ ଲାଗିଛି । ସବୁ ଅଧ୍ୟାପକ ତ ଗୋଟିଏ ହେଂସର କୁଣ୍ଢାକୁଣ୍ଢି, ହୋଇ ଶୋଇଛନ୍ତି, ଗୋଟିଏ ହେଂସରେ ମୁତୁଛନ୍ତି ଓ ଗୋଟାଏ ଗୁହାଳରେ ହଗୁଛନ୍ତି । ତେଣୁ ମୋ’ପୁଅ ଝିଅଙ୍କ ଖାତା ଯାଇ କାହାପାଖରେ ପଡ଼ିଲା‌ ସେକଥା ମୁଁ ଘରେ ବସି ବି ଜାଣିପାରୁଛି ।

 

ତା’ପରେ ଆମେ ପରସ୍ପରକୁ ସାହାଯ୍ୟ କରୁଛୁ । ମୁଁ ତା’ପୁଅକୁ ସାହାଯ୍ୟ କରୁଛି ଓ ସିଏ ମୋ ଝିଅକୁ ସାହାଯ୍ୟ କରୁଛି । ନମ୍ବରଗୁଡ଼ାକ ମନମୁତାବକ ବଢ଼ିବଢ଼ି ଯାଉଛି । ସିଡ଼ିମାନେ ଯୋଉଁଠିକି ମନ ସେଠାରେ ଯାଇ ଲଗି ଯାଉଛନ୍ତି । ଆମ୍ଭ ପୁଅ ଓ ଝିଅମାନେ ଏକାବେଳକେ ସବା ଉପରେ ପହଞ୍ଚି ପାରୁଛନ୍ତି । ପରିତ୍ରାଣ ପାଇଯାଉଛନ୍ତି । ଯଶ ଅର୍ଜୁଛନ୍ତି ଓ ବାପର ଜନ୍ମକୁ ସାର୍ଥକ କରୁଛନ୍ତି ।

 

ଶିକ୍ଷା ନାମରେ ଭଦ୍ରମାନଙ୍କର ଅନ୍ଧାର ପୋଖରୀରେ ଏବେ ଯେଉଁ ଅଶିକ୍ଷାଗୁଡ଼ାକ ଅତ୍ୟନ୍ତ ନର୍ଲଜ୍ଜ ଭାବରେ ଦୁଇଟାଯାକ ଗୋଡ଼କୁ ଏକାବେଳକେ ମେଲା ଦେଇ ବସିଛି, ଏଇଟା ସେହି ଅଶିକ୍ଷାର ହିଁ ଏକ ଅଧ୍ୟାୟ, ଏପର୍ଯ୍ୟନ୍ତ ପ୍ରକଟ ହୋଇନଥିବା ଅଥଚ ବର୍ଷକୁ ବର୍ଷ ଆମ ଅଫଳନ୍ତି ଘରଗୁଡ଼ାକୁ ବଉଳର ବାସରେ ମହକାଇ ଦେଉଥିବା ଏକ ଅଧ୍ୟାୟ ଯାହା ଆଜି ଅପ୍ରକଟ ହୋଇ ରହିଛି । କାଲି ସେଇଟା ମଧ୍ୟ ପ୍ରକଟ ହୋଇଯିବ; ମାତ୍ର ସେହି ଶେଷ ସମୟଟି ଆସି ପହଞ୍ଚିବା ପର୍ଯ୍ୟନ୍ତ ଆମେ ଆମ ଇଜ୍ଜତ ପାଖରେ ଏସବୁ ଅପଦମ୍ଭର ପ୍ରକୃତରେ ‌କିପରି ଜବାବ ଦେଇ ପାରୁଥିବା କେଜାଣି ?

 

୧୯ । ୯ । ୮୨

Image

 

ବିଶ୍ୱରେ ନିରସ୍ତ୍ରୀକରଣ ପାଇଁ

 

ବିଶ୍ୱରେ ନିରସ୍ତ୍ରୀକରଣ ପାଇଁ ପ୍ରଚାର ଚଳାଇବାସକାଶେ ଭାରତ ଦଶ ଲକ୍ଷ ଟଙ୍କା ଦାନ କରିଛି ବୋଲି ଏବେ ବିଶ୍ଵ ନରସ୍ତ୍ରୀକରଣ ସମ୍ମିଳନୀରେ ଭାରତର ବିଦେଶ ବିଭାଗମନ୍ତ୍ରୀ ଘୋଷଣା କରି କହିଛନ୍ତି । ଏଠାରେ ଭାରତ କହିଲେ ଭାରତ ସରକାରଙ୍କୁ ବୁଝାଉଛି । ବିଶ୍ୱ ନିରସ୍ତ୍ରୀକରଣ ସକାଶେ ବିଶ୍ୱସ୍ତରରେ ଗୋଟିଏ ସମ୍ମିଳନୀ ରହିଛି । ସେଥିରେ ପୃଥିବୀର ବିଭିନ୍ନ ଦେଶର ସରକାର ସଭ୍ୟ ରହିଛନ୍ତି । ସେହି ଦେଶମାନେ ପଇସା ଖରଚ କରି ନିରସ୍ତ୍ରୀକରଣ ଲାଗି ପ୍ରଚାର ଚଳାଇଛନ୍ତି-। ପଇସା ଖରଚ କରୁଥିବା ସରକାରମାନେ ଏଣେ ନିଜ ଦେଶରେ ଆପଣାର ଅସ୍ତ୍ରପରିମାଣକୁ ଅଧିକରୁ ଆହୁରି ଅଧିକ କରାଇବା ଲାଗି କୋଟିକୋଟି ଟଙ୍କା ଖର୍ଚ୍ଚ କରିବାରେ ଲାଗିଛନ୍ତି-

 

ଆମ ପୃଥିବୀର ରାଜନୀତିରେ ହାସ୍ୟାସ୍ପଦ କଥା ଅନେକ ରହିଛି । ଆପଣାର ଅସ୍ତ୍ରଶସ୍ତ୍ରର ଭଣ୍ଡାରକୁ ଗୁଣରୁ ଦଶଗୁଣ କରି ତେଣେ ମଝିରେ ମଝିରେ ନିରସ୍ତ୍ରୀକରଣ ସକାଶେ ଅନୁକୂଳ ହାଉଆ ସୃଷ୍ଟି କରିବା ଲାଗି ପ୍ରଚାରର ବରାଦ କରିବା, ଏଇଟା ସେହି ହାସ୍ୟାସ୍ପଦ କଥାଗୁଡ଼ିକ ମଧ୍ୟରୁ ଗୋଟିଏ । ପୃଥିବୀରେ ସାଧାରଣ ମଣିଷ କେହି ଅସ୍ତ୍ରଶସ୍ତ୍ରରେ ବୃଦ୍ଧି ଚାହାନ୍ତି ନାହିଁ । ସେମାନେ ଖାଦ୍ୟ ଚାହାନ୍ତି, ବସ୍ତ୍ର ଚାହାନ୍ତି, ସ୍ୱାସ୍ଥ୍ୟ ଚାହାନ୍ତି, ମଣିଷ ମଣିଷ ଭିତରେ ଶାନ୍ତି ଚାହାନ୍ତି । ସରକାରମାନେ କ୍ଷମତାରେ ବଡ଼ ହେବାକୁ ଚାହାନ୍ତି । କ୍ଷମତାରେ ବଡ଼ ହେବାକୁ ହେଲେ ଅସ୍ତ୍ର ବଳରେ ବଡ଼ ହେବାକୁ ସେମାନେ ଆବଶ୍ୟକ ବୋଲି ଭାବନ୍ତି । ତେଣୁ ଆମର ଏହ ପୃଥିବୀରେ ପ୍ରାୟ ଅଧେ ମଣିଷ ପେଟପୂରା ଖାଇବାକୁ ପାଉନଥିଲେ ହେଁ ପୃଥିବୀରେ ସବୁଠାରୁ ଅଧିକ ପଇସା ଅସ୍ତ୍ରବଳ ବଢ଼ାଇବାରେ ଖରଚ ହୁଏ । ଅସ୍ତ୍ରବଳ ବଢ଼ାଇବା ଲାଗି ଯେପରି ଏକ ଅନୁକୂଳ ହାଉଆ ସୃଷ୍ଟିହୋଇ ପାରିବ, ସେଥିଲାଗି ସରକାରମାନେ ସଂସାରରେ ଭୟ ଓ ଘୃଣା ବଢ଼ାଇବା ଲାଗି ମଧ୍ୟ କେତେ କୌଶଳ ଖରଚ କରନ୍ତି ।

 

ଭାରତବର୍ଷ ଯଦି ପ୍ରକୃତରେ ନିରସ୍ତ୍ରୀକରଣ ଇଚ୍ଛା କରୁଥାଏ, ତେବେ ଆପଣାର କାର୍ଯ୍ୟଦ୍ୱାରାହିଁ ବିଶ୍ୱ ଆଗରେ ସେହି କଥାଟିକୁ ଦେଖାଇ ଦେବାର ସାହସ କରୁ । ଆପଣାର ଯୁଦ୍ଧ ବିଭାଗର ଖରଚକୁ ଭାରତ ସରକାର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ନ ବୃଦ୍ଧିରେ ଖରଚ କରନ୍ତୁ । ଭାରତ ସରକାର ନିରସ୍ତ୍ରୀକରଣର ଖାଲି ପ୍ରଚାର ଲାଗି ପଇସା ଖରଚ ନକରି ନିଜେ ନିରସ୍ତ୍ରୀକରଣର ଦୃଷ୍ଟାନ୍ତ ଦେଖାଇବାର ଯୋଗ୍ୟ ହୁଅନ୍ତୁ । ନିରସ୍ତ୍ରୀକରଣ ନାଁଆରେ ଯୁଦ୍ଧବାଦୀ ଭୟାଳୁ ସରକାରମାନଙ୍କ ଦ୍ୱାରା ବିଶ୍ୱଯାକ ଯେଉଁ ପ୍ରହସନ ଚାଲିଛି, ଭାରତ ସରକାର ତାହାର ଏକ ବ୍ୟତିକ୍ରମ ହୁଅନ୍ତୁ । ଅଥବା, ଯଦି ପ୍ରକୃତରେ ନିରସ୍ତ୍ରୀକରଣ ନ ଚାହୁଛନ୍ତି, ତେବେ ଆଉ ବୃଥା ନିରସ୍ତ୍ରୀକରଣର ପ୍ରଚାର ନ କରନ୍ତୁ । ଅନ୍ତତଃ ଆପଣା ପାଖରେ ସାଧୁ ହୁଅନ୍ତୁ । ସଂସାରରେ ରାଜନୀତିର ସୁଅକୁ ଅନ୍ୟ ଆଡ଼କୁ ମୁହାଁଇ ନେବାରେ ସହାୟତା କରନ୍ତୁ । ତେବେ ଯାଇ ଏକ ରାଷ୍ଟ୍ର ହିସାବରେ ଭାରତବର୍ଷର ମେରୁଦଣ୍ଡ ବୋଲି ଗୋଟାଏ ପଦାର୍ଥ ଅଛି ବୋଲି ଜଣାପଡ଼ିବ ।

 

୨୩ । ୯ । ୮୨

Image

 

ଭୋକିଲା ପଟୁଆର

 

ଭୋକ ସବୁବେଳେ ଥାଏ । ଖାଲି ପେଟରେ ନୁହେଁ, ଇଜ୍ଜତର ବି ଭୋକ ରହିଥାଏ । ଭାଗ୍ୟଦୋଷରୁ ଭୋକ ଅର୍ଜିବାକୁ ପଡ଼ିଛି ବୋଲି ଆମକୁ ଧର୍ମର ଗଦ ପିଆଇ ରଖାଯାଇଥିବା ପର୍ଯ୍ୟନ୍ତ ଭୋକ ଭିତରେ ଥାଏ, ବାହାରକୁ ଆସିବାଟାକୁ ଅପ୍ରାସଙ୍ଗିକ ବୋଲି ଭାବେ । ଭୋକ ସଚେତନ ହେଲେ ତାହା ବାହାରକୁ ବାହାରେ । ପେଟରେ ଭୋକ ସଚେତନ ହେଲେ ତାହା ମୋଟେ ସେଇ ପେଟରେ ଘାଣ୍ଟି ହୋଇ ପେଟରେ ମରିବାକୁ ଇଚ୍ଛା କରେନାହିଁ । ଇଜ୍ଜତ ସଚେତନ ହେଲେ ତାହା କେବେହେଲେ କର୍ମ ଆଦରି ରହି ଯାଏନାହିଁ । ତାହା ବାହାରକୁ ବାହାରେ । ପଟୁଆରରେ ବାହାରେ । ଭୋକିଲାମାନେ ସଚେତନ ହେଲେ ଆଉ ମୋଟେ କର୍ମବାଦରେ ଭୁଲନ୍ତି ନାହିଁ, ସେମାନେ ବାହାରକୁ ବାହାରନ୍ତି, ପଟୁଆର କରନ୍ତି । ଶୋଇଥିବା ମଣିଷମାନଙ୍କର ବିବେକକୁ ଜାଗ୍ରତ କରନ୍ତି, ଚେଇଁ ଶୋଇଥିବା ଲୋକଙ୍କର ଶାନ୍ତିଭଙ୍ଗ କରନ୍ତି ।

 

ଭୋକ ସବୁଦିନେ ରହିଥିଲା । ବନ୍ୟା ପୂର୍ବରୁ ମଧ୍ୟ ଥିଲା, ବନ୍ୟା ବର୍ତ୍ତମାନ ସଚେତନ ହୋଇଛି । ସଚେତନ ହୋଇ ଦାଣ୍ଡକୁ ଆସିଛି । ହାତୀ ସଚେତନ ହେଲେ ମାହୁନ୍ତର ଶାନ୍ତିଭଙ୍ଗ ହେଲାପରି, ଭୋକିଲା ମଣିଷମାନେ ସଚେତନ ହେଲାପରେ ଆମ ସମାଜର ମାହୁନ୍ତମାନଙ୍କର ଶାନ୍ତିଭଙ୍ଗ ହୋଇଛି । ସେମାନେ ଇତିପୂର୍ବେ ସାହିତ୍ୟ କରୁଥିଲେ । ସାମ୍ବାଦିକତା କରୁଥୁଲେ, ରାଜନୀତି କରୁଥିଲେ, ଧର୍ମ ଓ ସଂସ୍କୃତିର ଆନନ୍ଦ ବଜାରରେ ବାହୁକ ହୋଇ ବୁଲୁଥିଲେ । ବନ୍ୟାପରେ ସମସ୍ତେ ସେବାକରି ବାହାରିଛନ୍ତି । ଦୟାକରି ବାହାରିଛନ୍ତି । ସେମାନେ ସଭାକରି ଦୟା କରୁଛନ୍ତି, ଖବରକାଗଜରେ ଖବର ଛାପି ଚିତ୍ର ମଣ୍ଡାଇ ଦୟା କରୁଛନ୍ତି । କାଣୀମାନେ ସତେଅବା ଛଅଟା ଆଖିରେ ସବୁ ଦେଖିପାରୁଥିବାପରି ଦଉଡ଼ ଧାପଡ଼ କରିବାରେ ଲାଗିଛନ୍ତି । ସତେଅବା କେଡ଼େ ବଦଳି ଯାଇଥିବା ପରି ଲାଗୁଛନ୍ତି । ଦୟାର ଜର ଭାଲୁମାନଙ୍କୁ ଗୋଟାସୁଦ୍ଧା ସୁନାପୁଅ କରିଦେଇଛି । ପଟୁଆରଗୁଡ଼ାକ ବାହାରିବା ପୁର୍ବରୁ ସେମାନେ ଦୟାର ମଧୁର କାଉ ଖାଆଇ ପେଟଗୁଡ଼ାକ ଶାନ୍ତି କରିଦେବେ ବୋଲି ମନ କରିଛନ୍ତି ଏବଂ ପେଟ ଶାନ୍ତ ହୋଇଗଲେ ଇଜ୍ଜତଟା ମଧ୍ୟ ଯେ ଶାନ୍ତ ହୋଇଯାଏ; ସେମାନେ ଏହି ଅପରୀତିଟା ଉପରେ ସବୁବେଳେ ବଶ୍ୱାସ କରି ଆସିଛନ୍ତି ।

 

ଭୋକ ଆହୁରି ସଚେତନ ହେବ, ଇଜ୍ଜତ ଆହୁରି ସଚେତନ ହେଉ । ଭୋକିଲାମାନଙ୍କର ପଟୁଆର ବାହାରୁ । ମାତ୍ର ରିଲିଫପାଇଁ ନୁହେଁ, ଅର୍ଥାତ ଦୟାରପାତ୍ର ହେବାପାଇଁ ନୁହେଁ, ଭୋକର ସମାଧାନପାଇଁ ପଟୁଆର ହେଉ । ଭୋକିଲା ମାନଙ୍କ ଦ୍ୱାରା‌ ପଟୁଆର ବାହାରୁ, କେବଳ ଭୋକିଲାମାନଙ୍କ ପାଇଁ ବାହାରୁ । କୋଟିକୋଟି ମଣିଷଙ୍କୁ ଭୋକିଲା ରଖୁଥିବା ନେତାମାନଙ୍କର ନେର୍ଦ୍ଦଶନାରେ ଏହି ପଟୁଆର ମୋଟେ ନ ବାହାରୁ । ଭୋକ ବନ୍ୟାପରି ମାଡ଼ିଯାଉ, ସଚେତନ ହୋଇ ମାଡ଼ିଯାଉ । କୋଠାଘରଗୁଡ଼ାକୁ ଓ ସିଆଣିଆ ଅମଣିଷମାନଙ୍କୁ ସୁଅରେ ଭସାଇ ନେବାଲାଗି ବନ୍ୟାପରି ପଟୁଆର ବାହାରୁ । ସେହି ପଟୁଆର ଦୟାକୁ ଅସ୍ୱୀକାର କରୁ । ଉପରେ ଥାଇ ସେବା କରିବାର ଅସାଧୁ କର୍ମଗୁଡ଼ାକୁ ତାହା ଅସାଧୁ ବୋଲି ଚିହ୍ନୁ । ଭୋକିଲାମାନଙ୍କର ନେତୃତ୍ୱରେ ହିଁ ଭୋକର ପଟୁଆର ବାହାରୁ । ତଦ୍ଦ୍ୱାରା ଜଗତ ଶାନ୍ତି ନ ହେଉ ପଛକେ, ସତ୍ୟର ପ୍ରତିଷ୍ଠା ହେଉ । ଇଜ୍ଜତର ପ୍ରତିଷ୍ଠା ହେଉ ।

 

୨୫ । ୧୦ । ୮୨

Image

 

ହରିଜନ ଓ ହାଡ଼ିଜନ

 

ବର୍ତ୍ତମାନ ଆମ ସମାଜ ନାନା ପରୀକ୍ଷା ଓ ପ୍ରକ୍ରିୟା ମଧ୍ୟ ଦେଇ ଦୁଇଟି ପ୍ରଧାନ ଭାଗରେ ବିଭକ୍ତ ହୋଇଯିବାରେ ଲାଗିଛି । ଯେଉଁ ପକ୍ଷଟିରେ କ୍ରମେ ଅଧିକରୁ ଅଧିକ ମଣିଷ ଯାଇ ଜୁଟୁଛନ୍ତି, ଯେଉଁ ପକ୍ଷଟିର ହରିବୋଲଗୁଡ଼ାକ ସଂସାରର ଆଉ ସବୁକିଛି ବୋଲକୁ ସତେଅବା ଅକାମୀ କରି ଦେବବୋଲି ବାହାରିଛି, ସେଇଟି ହେଉଛି ହାଡ଼ିଜନମାନଙ୍କର ପକ୍ଷ । ସଂସାରରେ ପ୍ରାୟ ସମସ୍ତେ ହାଡ଼ି ହୋଇଗଲେଣି, ଏହି ସଂସାରର ସବୁଠାରୁ ବଡ଼ ବହି ହାଡ଼ିମାନଙ୍କ ତରଫରୁ ହିଁ ଲେଖା ହେଲାଣି । ତେଣୁ ହାଡ଼ି ବ୍ୟତୀତ ଆଉ ଅନ୍ୟକିଛି ହୋଇ ରହିବାରେ ମୋଟେ କୌଣସି ଲାଭ ନାହିଁ-। ଯେଉଁମାନେ ଏହିପରି ଭାବୁଛନ୍ତି ଓ ସବୁକିଛି ବୁଝିଥିଲା ପରି ନୂଆ ଯୋଡ଼ ପିନ୍ଧି ବାହାରି ପଡ଼ିଛନ୍ତି, ସେମାନେ ହେଉଛନ୍ତି ହାଡ଼ିଜନ ।

 

ଏହି ହାଡ଼ିଜନମାନେ ସମାଜର ସବୁ ବାଟର ମୁହଁରେ ସମାଜ ରଥର ବାହୁକ ହୋଇ ଛିଡ଼ା ହୋଇଛନ୍ତି । ଏମାନେ ଧର୍ମରେ ଅଛନ୍ତି, ଅଧର୍ମରେ ଅଛନ୍ତି, ଦାଣ୍ଡପଟେ ଅଛନ୍ତି ଓ ବାରିପଟେ ଅଛନ୍ତି । ହାତରେ ଦଶ ପ୍ରହରଣ ଧାରଣ କରିଛନ୍ତି ଓ ତେଣେ କେଡ଼େ ସୁତରରେ ଲାଙ୍ଗୁଳ ବି ଜାକିଛନ୍ତି । ଏମାନେ ଧନରେ ଅଛନ୍ତି, ମନରେ ଅଛନ୍ତି, ଆସନରେ ଅଛନ୍ତି, ବିଦ୍ୟାରେ ବି ଅଛନ୍ତି । ଯାବତୀୟ ମଙ୍ଗଳକୁ ଅମଙ୍ଗଳ କରି ରଖିଛନ୍ତି । ଯାବତୀୟ ସମ୍ବନ୍ଧକୁ ଏକ ଶଠତାପୂର୍ଣ୍ଣ ସତର୍କତାରେ ପରିଣତ କରି ରଖିଛନ୍ତି ଓ ଯାବତୀୟ ତତ୍ପରତାକୁ ଏକ ନିର୍ମମ ଅକର୍ମଣ୍ୟତାରେ ପରିଣତ କରି ରହିଛନ୍ତି ।

 

ଯିଏ ହରିଜନ ସିଏ ବିଶ୍ୱାସରେ ଅଛି, ବିଶ୍ୱାସରେ ବଞ୍ଚିଛି । ଅନ୍ଧାରଗୁଡ଼ାକୁ ହିଁ ଯୁଗାନୁକୂଳ ଆଲୁଅ ବୋଲି କହିବାକୁ ଏବେ ବି ସିଏ ମୋଟେ ସମ୍ମତ ହୋଇ ପାରୁନାହିଁ । ସିଏ ଅପେକ୍ଷା କରି ରଖିଛି । ଆପଣା ଭିତରେ କଣିକାଏ ନିଆଁକୁ କେଡ଼େ ଯତ୍ନରେ ସଞ୍ଚୟ କରି ରହିଛି । ସତେଅବା କେଉଁ ଯୁଦ୍ଧରେ କାମରେ ଲାଗିବ ବୋଲି ଅପେକ୍ଷା । କରି ରହିଛି, ଆଦିଷ୍ଟ ହୋଇ ଆସିଥିଲା ପରି ଅପେକ୍ଷା କରି ରହିଛି । ସତକୁ ସତ ଏକ ସକାଳ ଲାଗି ଅପେକ୍ଷା କରି ରହିଛି । ସିଏ ସଂଖ୍ୟାରେ ଏତେ ଟିକିଏ ହେଲେ ବିଶ୍ୱାସ କରୁନାହିଁ । କ୍ଷମତାରେ ମୋଟା ହୋଇ ବସିଥିବା ଉତ୍‍ଫୁଲ୍ଲ ଅବୀରମାନଙ୍କ କଥାରେ ମୋଟେ ପରତେ ଯାଉନାହିଁ । ସିଏ ସତେଅବା ଆଉ ଏକ କାମରେ ଲଗିବ ବୋଲି ଅପେକ୍ଷା କରି ରହିଛି । ଯେପରି ବିହନ ବିଲପାଇଁ ଅପେକ୍ଷା କରି ରହିଥାଏ, ଠିକ୍‌ ସେହିପରି ।

 

ଆଗାମୀ ଯୁଦ୍ଧ ହେଉଛି ଏହି ଦୁଇ ପକ୍ଷ ମଧ୍ୟରେ ହେବାକୁ ଯାଉଥିବା ଏକ ଯୁଦ୍ଧ । ସେହି ଯୁଦ୍ଧରେ ଆଗାମୀ ପୃଥିବୀରେ ଭାଗ୍ୟମୀମାଂସା ହେବ । ଏହି ଯୁଦ୍ଧରେ ହାଡ଼ିଜନମାନଙ୍କର ହାଡ଼ିପଣ ପଦାରେ ପଡ଼ିଯିବ । ଦୁଇ ପକ୍ଷର ହାଡ଼ିଜନମାନଙ୍କର ହାଡ଼ିପଣ ପଦାରେ ପଡ଼ିଯିବ । ଦୁଇ ପକ୍ଷର ଠାକୁରମାନେ ପରସ୍ପର ସହିତ ଲଢ଼ି ବାହାରିବେ । ଆମେ ନିଜ ହୃଦୟ ଭିତରେ ସତକୁ ସତ କେଉଁ ଠାକୁରଟିକୁ ଥାପି ତାହାରି ପୂଜା ଓ ଅର୍ଚ୍ଚନା କରି ଆସୁଥିଲୁ ସେତେବେଳେ ସେହି କଥାଟି ଜଣାପଡ଼ିଯିବ । ତେଣୁ ଆମର ବି ମୀମାଂସା ହୋଇଯିବ ।

 

୪ । ୧୧ । ୮୨

Image

 

ନ୍ୟାୟ ଏବଂ ଅନ୍ୟାୟର ଆଳୟ

 

ନ୍ୟାୟ ମଣିଷ ପକ୍ଷରେ ଥାଏ । ଯାହା ସବୁ ମଣିଷଙ୍କୁ ଲୋଡ଼େ ତାହାହିଁ ନ୍ୟାୟ; ସାମାଜିକ ଅର୍ଥରେ ତାହାହିଁ ଧର୍ମ । କେତେକଙ୍କୁ ବାଟ ଛାଡ଼ିଦେବ ବୋଲି ଯାହା ଆଉ କେତେ ଜଣଙ୍କର ବାଟ ଉଗାଳି ବସିବାକୁ ଆବଶ୍ୟକ ମନେକରେ ରାହା ନ୍ୟାୟ ନୁହେଁ, ତାହା ଏକ କୌଶଳ-। ଅନେକ ସମୟରେ ଏକ ଅଧର୍ମ ।

 

ଯେଉଁଠାରେ ନ୍ୟାୟର ବିଚାର ହୁଏ, ସେହି ସ୍ଥାନକୁ ନ୍ୟାୟାଳୟ ବୋଲି କୁହାଯାଏ । ସେଠାରେ ଯେଉଁମାନେ ଆସ୍ଥାନମାନଙ୍କରେ ବସି ବିଚାର ତଥା ମୀମାଂସାମାନ କରନ୍ତି, ଆଗେ ସେମାନଙ୍କୁ ଧର୍ମାବତାର ବୋଲି କୁହାଯାଉଥିଲା, ଏବେ ନ୍ୟାୟମୂର୍ତ୍ତି ଅଥବା ବିଚାରପତି ବୋଲି କୁହାଯାଇଛି । ପ୍ରତ୍ୟେକ ଦେଶରେ ଗୋଟିଏ ଆଇନ ବହି ଥାଏ । ବିଚାରପତିମାନେ ସେହି ବହିଟିର ବୋଲମାନି ବିଚାର କରନ୍ତି । କାରଣ ସେମାନେ ଅନେକ ସମୟରେ ପ୍ରକୃତରେ ନ୍ୟାୟ ବିଚାର କରିପାରନ୍ତି ନାହିଁ । ଆଗରୁ ତିଆରି ହୋଇଥିବା ଆଇନଗୁଡ଼ାକର ଚଉବାଡ଼ ଭିତରେ ସେମାନଙ୍କୁ ଏପରି ଅକଳ ଭାବରେ ବାନ୍ଧି ହୋଇ ରହିବାକୁ ପଡ଼େ ଯେ, ସେମାନେ ହୁଏତ ସମୟରେ ଆଇନକୁ ମାନନ୍ତି, ନ୍ୟାୟରୁ ହୁଡ଼ନ୍ତି; ବିବେକ ପାଖରୁ ହୁଡ଼ିଯାଆନ୍ତି । ତାହା ଫଳରେ ନ୍ୟାୟାଳୟମାନେ ଆଉ ନ୍ୟାୟାଳୟ ହୋଇ ରହିପାରନ୍ତି ନାହିଁ, ନ୍ୟସ୍ତସ୍ଵାର୍ଥ ହିଁ ମାଲିକ ହୋଇ ରହେ-

 

ଯେଉଁମାନେ ସମାଜରେ ସବା ଉପରେ ଥାଆନ୍ତି, ଗୋଟିଏଦେଶରେ ଆଇନ ସର୍ବତ୍ର ପ୍ରାୟ ସେହିମାନଙ୍କୁ ସୁହାଇଲା ଭଳି ତିଆରି କରାହୋଇଥାଏ । ସ୍ଵୀକୃତ ଅନ୍ୟାୟଗୁଡ଼ାକୁ ସତେଅବା ଧର୍ମପରି ସାବ୍ୟସ୍ତ କରି ରଖିବାକୁ ସେତେବେଳେ ଆଇନଗୁଡ଼ିକର ପ୍ରଣୟନ କରାଯାଏ । ରାଜପାଳିତ ବିଜ୍ଞମାନେ ସେହି ଅନୁସାରେ ଆଇନ ଗୁଡ଼ାକର ପ୍ରଣୟନ କରନ୍ତି । ଆଗେ ଋଷିମାନେ ବି ସମ୍ଭବତଃ ପ୍ରାୟ ଏହିପରି ଆଦିଷ୍ଟ ହୋଇ ନିୟମ ସଂହିତା ଲେଖୁଥିଲେ, ବୃହସ୍ପତି ବୋଲାଉଥିଲେ-। ସମାଜଟା ଯାହାର ଠେଙ୍ଗାଦ୍ୱାରା ଚାଲୁଥାଏ, ଆଇନଗୁଡ଼ାକ ତାହାରି ପରିଚର୍ଯ୍ୟା ପାଇଁ ଲେଖାଯାଏ । ନ୍ୟାୟ ଛତରକୁ ଯାଏ । ଯେଉଁଠି ଭୂମିର ଅଳ୍ପସଂଖ୍ୟକ ମାଲିକମାନେ ହିଁ ଛତ୍ରମଣ୍ଡନ ହୋଇ ରହିଥାନ୍ତି, ସେଠାରେ ସେମାନଙ୍କର ଆଦେଶରେ ଲିଖିତ ଆଇନଗୁଡ଼ାକ କଦାପି ବହୁସଂଖ୍ୟକ ଭୂମିହୀନଙ୍କ ପକ୍ଷରେ ଯାଏନାହିଁ । ଯେଉଁଠି ଚୋରମାନେ ଗଦା ହୋଇ ବସିଥାନ୍ତି, ସେଠି ନ୍ୟାୟମୂର୍ତ୍ତିମାନେ କଦାପି ସାଧୁମାନଙ୍କର ପକ୍ଷରେ କୌଣସି ରାୟ ଦିଅନ୍ତିନାହିଁ-

 

ଅର୍ଥାତ ଯେ କୌଣସି ସମାଜରେ ଆଇନଜୀବୀମାନଙ୍କୁ ଏହିପରି ବାଛି ନେବାକୁ ହିଁ ପଡ଼ିଥାଏ । ନ୍ୟାୟ ଓ ପ୍ରତିଷ୍ଠିତ ଆଇନର ଦ୍ୱନ୍ଦ୍ୱମଧ୍ୟରେ ଯିଏ ଯେତିକି ଉପରେ ବା ଯେତିକି ତଳେ ସାଲିଶ କରି ନେଇଥାଏ, ସିଏ ସେଇଠି ରହିଯାଏ । ବହିଗୁଡ଼ାକ ଥାଏ, ତଥାପି ଅନ୍ୟାୟୀମାନେ ବାଗୁଡ଼ି ଖେଳିବାରେ ଲାଗିଥାନ୍ତି । ଥାନାଗୁଡ଼ାକ ଥାଏ, ତଥାପି ଚୋରମାନେ ବାହାରେ ଥାଆନ୍ତି । ଅନ୍ୟାୟମାନେ କେତେ ପର୍ଯ୍ୟନ୍ତ ନଦି ହୋଇ ରହିଥାନ୍ତି ।

 

ତଥାପି ଓକିଲର କୋଠା ତୋଳା ହୋଇଥାଏ । ନ୍ୟାୟମୂର୍ତ୍ତିମାନଙ୍କର ହାତ ଭିତରେ ଥିବା ଗଛ ଉପରେ ସମ୍ପଦର ବଗମାନେ ଦାଉଦାଉ ହୋଇ ଦିଶୁଥାନ୍ତି । ଆଇନ ଥାଏ, ନ୍ୟାୟ ନ ଥାଏ । ବହିଗୁଡ଼ାକ ଛତା ବାଡ଼ି ଧରି ବୁଲୁଥାନ୍ତି, ତଥାପି ମଣିଷର ପାଦରେ ସତକୁସତ ସିଧା ହୋଇ ଚାଲିବାଲାଗି, ଆଦୌ କୌଣସି ଦଳ ନ ଥାଏ । ନ୍ୟାୟ ଆଇନ ସହିତ ସାଲିଶ କରିବ ବା ଆଇନ ଅଧିକରୁ ଅଧିକ ଭଦ୍ର ହୋଇ ନ୍ୟାୟର ନିକଟବର୍ତ୍ତୀ ହେବାର ଆକାଂକ୍ଷା ରଖିବ, ତାହାହିଁ ଅସଲ ସମସ୍ୟା ।

 

ତା ୧୧ । ୧୧ । ୮୨

Image

 

ବିଚାର ମର୍ତ୍ତ୍ୟରେ ହୁଏ

 

ବିଚାର ମର୍ତ୍ତ୍ୟରେ ହୁଏ, ସ୍ଵର୍ଗରେ ହୁଏନାହିଁ । ଯେଉଁମାନେ ସ୍ୱର୍ଗରେ ଯାଇ ବିଚାର ହୁଏ ବୋଲି ଶାସ୍ତ୍ରବାଣୀ ପ୍ରଚାର କରିଛନ୍ତି; ସେମାନେ ନିଜର ଅପକୃତ୍ୟଗୁଡ଼ାକୁ ନର୍ବିବେକ ଭାବରେ କରିଯିବା ସକାଶେ ଓ ତଜ୍ଜନିତ ପରିଣାମ ଭୋଗରୁ ଆପଣାକୁ ବଞ୍ଚାଇ ରଖିବା ସକାଶେ ସେପରି କରିଛନ୍ତି । ମର୍ତ୍ତ୍ୟରେ ବିଚାର ହୁଏନାର୍ନିଁ; ବିଚାର ମୃତ୍ୟୁପରେ ସ୍ଵର୍ଗରେ ହୁଏ ବୋଲି ଭୁଲ କଥାଟାକୁ ଘୋଷାଇ ଘୋଷାଇ ସେମନେ ଏଠି ମଣିଷମାନଙ୍କୁ ଘୁଷୁରି କରି ରଖିଛନ୍ତି । ଘୁଷୁରି ହୋଇଥିବାରୁ ହିଁ ମଣିଷ ସହୁଛି-ତଥାପି ପ୍ରତିକାର ଲୋଡ଼ୁନାହିଁ ନା ପାଚେରୀ ଭାଙ୍ଗି ବାହାରକୁ ବାହାରି ଆସି ପାରୁନାହିଁ । ବିଚାର ମର୍ତ୍ତ୍ୟରେ ହୁଏ, ମଣିଷ ହିଁ ସେହି ବିଚାରଟିକୁ କରେ । ମଣିଷ ବିଚାରକରି ବାହାରିଲେ ଯୁଗ ବଦଳେ, ଚକାଗଡ଼େ, ବୃଦ୍ଧ ଭାଗ୍ୟମାନେ ବିଦାହୋଇ ଯାଆନ୍ତି ।

 

କର୍ମବାଦୀ ମଣିଷ ଲାଗି ବିଚାର ମର୍ତ୍ତ୍ୟରେ ହୁଏ ନାହିଁ । ମର୍ତ୍ତ୍ୟରେ କେବଳ ଭୁଞ୍ଜିବାକୁ ହୁଏ—କଷଣ ଭୋଗିବାକୁ ହୁଏ, କର୍ମ ଆଦରି ରହିବାକୁ ହୁଏ । ମଣିଷ ନିଜକୁ ଅସହାୟ ମଣିଲେ ତା ହାତରୁ ସହାୟର ଯାବତୀୟ ରଜ୍ଜୁ ହାତଛଡ଼ା ହୋଇ ରହିଯାଏ । ସେତିକିବେଳେ ସିଏ ଗୋଟିଏ କାଳ୍ପନିକ ସ୍ୱର୍ଗ ଉପରେ ହିଁ ବିଚାରର ସକଳ ଦାୟିତ୍ୱକୁ ନେଇ ନ୍ୟସ୍ତ କରିଦିଏ ଏବଂ ତା’ପରେ କଷ୍ଟ ସହିବାରେ ଲାଗିଥାଏ । ଆଉ କେବେ ସକାଳ ହେବ ବୋଲି ମୋଟେ ବଶ୍ୱାସ କରିପାରେ ନାହିଁ । ଆପଣାର ଅସହାୟତାଗୁଡ଼ାକୁ ଦୋରସ୍ତ କରି ରଖିବ ବୋଲି ପୁରାଣ ପଢ଼େ । ସ୍ୱର୍ଗରେ ଯାଇ କିପରି ମଣ୍ଡା ଖାଇବାକୁ ଭଗବାନ ବରାଦ କରି ଯାଇଛନ୍ତି ସେହି ସାନ୍ତ୍ୱନାରେ ସିଏ କଷ୍ଟଗୁଡ଼ାକୁ ସତେଅବା ପିଇ ଯିବାରେ ଲାଗିଥାଏ ।

 

ବିଚାର ମର୍ତ୍ତ୍ୟରେ ହୁଏ । ଏଇଠି ହୁଏ, ମଣିଷ ଭିତରେ କଳ ଏବଂ ବିଶ୍ଵାସ ପ୍ରସନ୍ନ ହେଲେ ଏଇଠି ସଂସାର ବଦଳେ, ଅର୍ଥାତ ସଂସାର ଅନ୍ୟ ପ୍ରକାରେ ଗଢ଼ାହୁଏ । ମଣିଷପାଇଁ ଗଢ଼ାହୁଏ । ସେତେବେଳେ କର୍ମ କହିଲେ ସେହି ମଣିଷଦ୍ୱାରା ସମ୍ଭବ ହେଉଥିବା ଏକ ଭବିଷ୍ୟତକୁ ବୁଝାଏ । ଭିତରେ ବଳ ଆଉ ବିଶ୍ୱାସ ସମ୍ଭବ ହେଲେ ମଣିଷର ଗୋଡ଼ ଆଗକୁ ପଡ଼ିବାକୁ ଆରମ୍ଭ କରେ; ସ୍ପର୍ଗକୁ ଏଇଠୁ ପଡ଼ିଥିବା ପାହାଚଗୁଡ଼ିକ ଗୋଟିଗୋଟି ହୋଇ ଦୃଶ୍ୟ ହୋଇଯାଆନ୍ତି । ବିଚାର ମର୍ତ୍ତ୍ୟରେ ହୁଏ ବୋଲି ବିଶ୍ୱାସ କରୁଥିବା ମଣିଷ ଇତିହାସ ହାତରେ ମୋଟେ କ୍ରୀଡ଼ନକ ହୋଇ ରହେନାହିଁ । ଆପଣାର ଇତିହାସକୁ ସିଏ ଆପେ ଗଢ଼େ । ଭୁଲ କରେ, ଝୁଣ୍ଟେ, ତଥାପି ଆଗକୁ ଯାଉଥାଏ, ବନ୍ଧଗୁଡ଼ାକୁ ଭାଙ୍ଗି ଭାଙ୍ଗି ଆଗକୁ ଯାଉଥାଏ ।

 

ଯେଉଁମାନେ ମର୍ତ୍ତ୍ୟରେ କେବେହେଲେ କୌଣସି ବିଚାର ହୁଏ ନାହିଁ ବୋଲି ଏକ ନିଦକ ଔଦ୍ଧତ୍ୟରେ ମଣିଷ ଉପରେ ଗାଦୀ ମାଡ଼ି ବସିଛନ୍ତି, ରାତିଗୁଡ଼ାକୁ ପାହିବାକୁ ଦେଉନାହାନ୍ତି, ସେମାନଙ୍କର ବିଚାର ମଧ୍ୟ ଏହିଠାରେ ଏହି ମର୍ତ୍ତ୍ୟରେ ହେବ । ସେଦିନ ଲଙ୍କାଗଡ଼ ଭାଙ୍ଗିବ । ଠାକୁରମାନେ ଦେଉଳ ଭିତରୁ ବାହାରି ମଣିଷର ହୃଦୟ ଭିତରେ ଅନୁଭୂତ ହେବେ । ସେଦିନ ଚତୁରମାନଙ୍କର ବିଚାର ହେବ । ନିର୍ମମମାନଙ୍କର ବିଚାର ହେବ । ଶାର୍ଦ୍ଦୁଳମାନଙ୍କର ବିଚାର ହେବ-। ପାଟକନା ପିନ୍ଧି ବେବର୍ତ୍ତା ବୋଲାଉଥିବା ସଭ୍ୟତା ଭୋଜିମାନଙ୍କର ବିଚାର ନଶ୍ଚୟ ହେବ । ସେହି ବଚାର ଏହି ମର୍ତ୍ତ୍ୟରେ ହେବ । ତାହାକୁ ହିଁ ଯୁଗର ପରବର୍ତ୍ତୀ ଅବତାର ବୋଲି କୁହାଯିବ ।

 

୧୮ । ୧୧ । ୮୨

Image

 

ବନ୍ଧୁତା ଓ ବିପଦ

 

ଭାରତବର୍ଷର ପ୍ରଧାନମନ୍ତ୍ରୀ ଆମେରିକା ଗଲେ, ସାଉଦିଆରବ ଗଲେ । ଏହାଦ୍ୱାରା ଭାରତବର୍ଷ ସହିତ ସେହି ଦୁଇଦେଶର ବନ୍ଧୁତ୍ୱ ସ୍ଥାପିତ ହେଲା ଅଥବା ପୂର୍ବରୁ ସ୍ଥାପିତ ହୋଇଥିବା ବନ୍ଧୁତ୍ୱ ଆହୁରି ଦୃଢ଼ ହେଲା ବୋଲି ସରକାରଙ୍କ ତରଫରୁ ପ୍ରଚାର କରାଗଲା । ଏଗୁଡ଼ାକ ଦେଖି ପାକିସ୍ତାନ ସରକାର ଅସ୍ଥିର ହୋଇ ପଡ଼ିଲେ । ପାକିସ୍ତାନ ସରକାର ଭାବିଥିଲେ ଯେ, ପାକିସ୍ତାନ ହିଁ ସାଉଦିଆରବ ଓ ଆମେରିକାର ଆଗ ବନ୍ଧୁ । ଅର୍ଥାତ ଆମେରିକା କିମ୍ବା ସାଉଦିଆରବ ସକାଶେ ଆଗ ପାକିସ୍ତାନ ତା’ପରେ ଯାଇ ଭାରତବର୍ଷ । ପାକିସ୍ତାନ ସରକାର ଶ୍ରୀମତୀ ଗାନ୍ଧୀଙ୍କର ଆମେରିକା ଓ ସାଉଦିଆରବ ଗସ୍ତରେ ପ୍ରକୃତରେ ଏପରି ବିବ୍ରତ ଓ ଅସ୍ଥିର ହୋଇପଡ଼ିଲେ ଯେ, ଏହି ଦୁଇଦେଶ ସହିତ ଭାରତବର୍ଷର ବନ୍ଧୁତ୍ୱ ପାକିସ୍ତାନ ସହିତ ସେମାନଙ୍କର ବନ୍ଧୁତ୍ୱପ୍ରତି ଆଦୌ କୌଣସି ବିପଦ ସୃଷ୍ଟି କରିବ ନାହିଁ ବୋଲି କହି ଖୋଲାଖୋଲି ଭାବରେ ଗୋଟିଏ ବିବୃତ୍ତି ଦେଲେ । ଧରାପଡ଼ିଗଲେ, ସରକାର ସରକାର ମଧ୍ୟରେ ସରକାରୀ ମୁଖ୍ୟମାନଙ୍କର ଗସ୍ତ ଓ ପ୍ରତିଗସ୍ତ ଦ୍ୱାରା ‌ଯେଉଁ ତଥା କଥିତ ବନ୍ଧୁତ୍ୱର ପ୍ରତିଷ୍ଠା ହୁଏ, ତାହାର ଚେରଗୁଡ଼ାକ ଯେ କେଡ଼େ ଈର୍ଷାପରାୟଣ, ସେହି କଥାଟିକୁ ଏକାବେଳେକେ ଧରାପକାଇଦେଲେ ।

 

ଭାରତବର୍ଷରେ ମଧ୍ୟ ସେତେବେଳେ କେତେକ ଲୋକ ନିଶ୍ଚୟ ସେହିପରି ଭାବିଥିବେ । ଆମ ପ୍ରଧାନମନ୍ତ୍ରୀ କେଡ଼େ ଜାକଜମକତା, ସଫଳତା ସହିତ ଆମେରିକା ଓ ସାଉଦିଆରବ ବୁଲିଆସିଲେ, କେତେ ପ୍ରକାରେ ଆପ୍ୟାୟିତ କଲେ ଓ ଆପ୍ୟାୟିତ ହେଲେ—ଖବର କାଗଜରୁ ଏଗୁଡ଼ାକ ଦେଖି ଏହାଦ୍ୱାରା ପାକିସ୍ତାନ ପ୍ରତି ରହିଥିବା ସେହି ଦୁଇଦେଶର ବନ୍ଧୁତ୍ୱରେ ନିଶ୍ଚୟ ଏକ ଘୋଳିଆ ପଡ଼ିବାକୁ ଆରମ୍ଭ କରିବ ବୋଲି ସେମାନେ ଭାବିଥିବେ ଏବଂ ହୁଏତ ଭାବିକରି ଖୁସି ବି ହୋଇଥିବେ ।

 

ଗୋଟିଏ ସରକାର ସହିତ ଆଉ ଗୋଟିଏ ସରକାରର ବନ୍ଧୁତା ଏକ ତୃତୀୟ ସରକାର ଲାଗି ଏହିପରି ବିପଦର ସୂଚକ ହୋଇଥାଏ । ସରକାର ସରକାର ମଧ୍ୟରେ ପ୍ରକୃତରେ ମୋଟେ କୌଣସି ବନ୍ଧୁତା ହୁଏ ନାହିଁ । କୂଟନୀତି ହିଁ ହୁଏ ଏବଂ ତେଣୁ ଗୋଟାଏ ବନ୍ଧୁତା ଆଉଜଣକର ମନରେ ନାନା ଭୟର ପ୍ରେରଣା ଦିଏ । ଆଧୁନିକ ପୃଥିବୀ ସମ୍ଭବତଃ ଏହିପରି ଗୋଟିଏ ଜାଲ ଭିତରେ ଛନ୍ଦିହୋଇ ବନ୍ଧୁତା ଓ ବିପଦକୁ ଆଳକରି ଦୁଇଟା ବା କେତେଟା ପକ୍ଷରେ ଭାଗଭାଗ ହୋଇ ରହିଛି । କୂଟନୀତିର ନାଟକୁ ଜମାଇକରି ରଖିଛି । ଦେଶର ନାଆଁରେ ସାଉକାରମାନେ ସେହି ନାଟରେ ନାୟକ ସାଜିଛନ୍ତି ।

 

ବନ୍ଧୁତା ମଣିଷ ମଣିଷ ଭିତରେ ହୁଏ । ସରକାର ସରକାର ଭିତରେ ବନ୍ଧୁତାର ଅଭିନୟ ହେଉଥାଏ, ବିପଦଗୁଡ଼ାକୁ ଏଡ଼ାଇବା ଲାଗି କଉଶଳରେ ବନ୍ଧୁତା ହୋଇଥାଏ, ବନ୍ଧୁତା କଟୁଥାଏ । ଏଘରେ ପଶିଥିବା ବେଳେ ସେଘରୁ ବାହାରି ଆସିବାପରି ମନେ ହେଉଥାଏ । ସରକାରୀ ମୁଖାଗୁଡ଼ାକୁ ପିନ୍ଧି ନିପଟ କପଟୀମାନେ କେଡ଼େ ଛଦ୍ରମରେ କୋଳାକୋଳି ହୋଉଥାନ୍ତି । ନିଜନିଜର ଦେଶକୁ ଗୋଟିପରି ବ୍ୟବହାର କରି ପଶା ଖେଳିବାରେ ଲାଗିଥାନ୍ତି ।

 

ମଣିଷ ମଣିଷ ଭିତରେ ବନ୍ଧୁତା ବଢ଼ିଲେ ଏହି ଅଭିନୟର ପ୍ରକୋପଗୁଡ଼ାକ ଏକାବେଳକେ କମ୍‌ ହୋଇଯିବ । ଏହି ବନ୍ଧୁତା ଓ ବିପଦ ଉଭୟର ପ୍ରକୋପ ଅନେକ ପରିମାଣରେ କମିଯିବ । ମଣିଷ ମଣିଷ ଭିତରେ ବନ୍ଧୁତା ବଢ଼ିଲେ ଦେଶଦେଶ ମଧ୍ୟରେ ଭିଆହୋଇ ରହିଥିବା ବାଡ଼ଗୁଡ଼ାକର ମଧ୍ୟ ଆଉ ମୋଟେ କୌଣସି ପ୍ରତାପ ରହିବନାହିଁ । ଆମେ ପୃଥିବୀରେ ସରକାରଗୁଡ଼ାକ ଅପେକ୍ଷା ମଣିଷମାନଙ୍କୁ ଅଧିକ ମୂଲ୍ୟ ଦିଆାଗଲେ ଯାଇ ସେକଥା ହେବ । ବିପଦ ଯିବ, ଅସଲ ବନ୍ଧୁତାଗୁଡ଼ିକର ପ୍ରତିଷ୍ଠା ହେବ ।

 

୨୩ । ୧୧ । ୮୨

Image

 

ମାଧିଆ, ମାଧୋଇ, ମାଧବାନନ୍ଦ

 

ଆଗେ କେବଳ ମାଧିଆମାନେ ଥିଲେ । ଏକା ମାଧିଆକୁ ବାଇଶି ପଳ ବୋଲି କୁହାଯାଉଥିଲା । ମାଧିଆଙ୍କ ପରେ ମାଧୋଇ ଆସିଲେ । ମାଧୋଇମାନଙ୍କୁ ବତିଶ ପଳ ବୋଲି କୁହାଗଲା । ସବାଉପରେ ଯେଉଁମାନେ ରହିଲେ, ସେମାନେ ମାଧବାନନ୍ଦରୂପେ ଖ୍ୟାତ ହେଲେ । ମାଧବାନନ୍ଦଙ୍କର ଖଳ ସୁମାରି ହୋଇ ପାରିଲେ ନାହିଁ । ସେମାନେ ସମସ୍ତେ ଏକା ଗାଡ଼ିଆରେ ସାନ ମାଛ ମଧ୍ୟମ କାଟର ମାଛ ଓ ସବାବଡ଼ କାଟର ମାଛ ହୋଇ ରହିଲେ । ମାଧିଆରୁ ମାଧୋଇ ବାଟଦେଇ ଆମ ଆଚାର୍ଯ୍ୟମାନେ କେଉଁଭଳି ମାର୍ଗରେ ଯେ ମାଧବାନନ୍ଦ ପଦର ଅଧିକାରୀ ହୁଅନ୍ତି, ସେହିକଥା ସମ୍ଭବତଃ କେବଳ ସେହି ରାଧାମାଧବଙ୍କୁ ହିଁ ଜଣାଥିବ ।

 

ମାଧିଆ, ମାଧୋଇ ଓ ମାଧବାନନ୍ଦ—ଏମାନଙ୍କ ଭିତରେ ସରକାରୀ ପାଞ୍ଜି ଅନୁସାରେ କୁଆଡ଼େ କେବଳ ବୟସର ହିଁ ତଫାତ୍ । ତୁମେ ଏତେବର୍ଷ ମାଧିଆହୋଇ କଟାଇବା ପରେ ତୁମର ଯେ ମାଧୋଇ ହେବାର ବେଳ ଆସି ବଳେବଳେ ପହଞ୍ଚିବ, ସେକଥା ସୂତ୍ରଘରର ଖଲ୍ୟକାରମାନେ କହୁଛନ୍ତି । ଅର୍ଥାତ, ତୁମେ ଆଳୁ ପଢ଼ାଇଲ କି ସାରୁ ପଢ଼ାଇଲ, ସେକଥା କେହି ମୋଟେ ବିଚାର କରିବେ ନାହିଁ । ପଢ଼ାଇପାରିବା ସକାଶେ ନିଜେ କିଛି ପଢ଼ିଲ କି ନାହିଁ, କାଉ ତୁମକୁ ସେକଥା ମୋଟେ ପଚାରିବାକୁ ଆସିବ ନାହିଁ । ପନ୍ଦର ବର୍ଷକାଳ ତୁମେ ଗାରଟିଏ ଲେଖିଲ କି ନାହିଁ, ବାଟରେ ଅଟକାଇ ତୁମକୁ କେହି କଦାପି ସେକଥା ପଚାରିବ ନାହିଁ । ତଥାପି ଥିବ ଥିବ, ତୁମେ ମାଧିଆରୁ ମଧୋଇ ହୋଇପାରିବ, ସୁଆଗ ପାଇବ, ସମ୍ମାନ ପାଇବ, ଉଚ୍ଚକୁ ଉଠିଲ ବୋଲି ଅଧିକ ବେତନ ମଧ୍ୟ ପାଇବ । ତେଣିକି ମାଧିଆମାନଙ୍କ ଭିତରେ ତୁମେ ଅଧିକ ଉଞ୍ଚା ହୋଇ ଦିଶିବ, ଅଧିକ ମୋଟାଦିଶିବ ଓ ଅଧିକ ଗଉଁର ସହିତ ବିଚରଣ ଓ ବିହରଣ କରିପାରିବା ତୁମକୁ କେହି କିଛି କହିପାରିବେ ନାହିଁ ।

 

ମାଧୋଇରୁ ମାଧବାନନ୍ଦ ହେବା ଆହୁରି ଅହୋଭାଗ୍ୟର କଥା । ସବୁ ମାଧୋଇ କଦାପି ମାଧବାନନ୍ଦ ହୁଅନ୍ତି ନାହିଁ । ସବୁ ମଣିଷଙ୍କର ଯେମିତି ବୁଢ଼ାଦିନେ ନୂଆ ଦାନ୍ତ ଉଠେ ନାହିଁ, ଇଏ ପ୍ରାୟ, ସେହିପରିଏକ କଥା । ଗୋଟିଏ ଜଙ୍ଗଲରେ କେବଳ ଗୋଟିଏ ସିଂହ ବାସ କରୁଥିବା ପରି ଯୋଉଠି ମାଧବାନନ୍ଦମାନେ ଥାଆନ୍ତି, ସେଠି କେବଳ ଗୋଟିଏ ହୋଇ ରହିଥାନ୍ତି, ସତେଅବା ସକଳକଳିଙ୍ଗାଧିପତି ହୋଇ ରହିଥାନ୍ତି । ସତେଅବା ଆପଣାର ଏକ ବୃନ୍ଦାବନ ରଚନା କରି ରହିଥାନ୍ତି । ସିଏ ଯାହା କହନ୍ତି, ସେଗୁଡ଼ାକ ଶିରୋଧାର୍ଯ୍ୟ ହୋଇ ରହେ । ଗୋବର ହଗିଲେ ବି ଅମାଲୁ ପରି ପ୍ରଶଂସା ପାଏ । ମାଧୋଇ ଓ ମାଧିଆମାନେ କେତେ ସମ୍ଭ୍ରମରେ ତାଙ୍କର ବୋଲି ମାନୁଥାନ୍ତି ଓ ସେବା ଖଟୁଥାନ୍ତି ଏବଂ ମାଧବାନନ୍ଦ କୋଉଦିନ ଖସିଲେ ସେମାନେ ଇଞ୍ଚେ ଇଞ୍ଚେ ଉପରକୁ ଉଠିବାର ସୁଯୋଗ ଲାଭ କରିବେ, ସେଥିଲାଗି ଉଚ୍ଛନ୍ନ ମନରେ ଅପେକ୍ଷା କରି ରହିଥା’ନ୍ତି-

 

୩ । ୧୨ । ୮୨

Image

 

ସରକାର ବୋଲି କିଛିନାହିଁ

 

ଜଣେ ନେତା ଓଡ଼ିଶାର କେତେଟା ଅଞ୍ଚଳ ବୁଲିଆସିଲେ ଓ ଭୁବନେଶ୍ୱରଠାରେ ଏକ ବିବୃତ୍ତି ଦେଇ କହିଲେ ଯେ, ଓଡ଼ିଶାରେ ସରକାର ବୋଲି ମୋଟେ କିଛିନାହିଁ । ଚାରିଆଡ଼େ ଅରାଜକତା, କେହି କାହାକୁ ମାନୁନାହାନ୍ତି, ଅଯୋଗ୍ୟଗୁଡ଼ାକ ଶାସନ କରୁଛନ୍ତି, ଇତ୍ୟାଦି ଇତ୍ୟାଦି ।

 

ଅସଲ କଥା ହେଉଛି, ସରକାର ବୋଲ କିଛିନାହିଁ, କାରଣ ମୁଁ ନିଜେ ସରକାରରେ ନାହିଁ । ମୁଁ ସରକାରରେ ଥିଲେ, ସବୁକିଛି ଥାଆନ୍ତା । ଘରଯାକ ପୂରିକରି ରହିଥିବା ପରି ଦେଖାଯାଉଥାନ୍ତା । ରାତିଗୁଡ଼ାକ ଦିନପରି ଲାଗୁଥାନ୍ତା । ଉନ୍ନତିଗୁଡ଼ାକ ଦାଉଦାଉ ହୋଇ ଜଳୁଥା’ନ୍ତା-। ମୁଁ ଆକାଶ ଉପରେ ଚନ୍ଦ୍ରମାପରି ଶୋଭା ପାଉଥାନ୍ତି ଓ ସେହି ଗୋଟିଏ ଚନ୍ଦ୍ରରେ ସମସ୍ତ ଅନ୍ଧକାର ଦୂର ହୋଇ ପାରୁଥା’ନ୍ତା । ମୁଁ ଥିଲେ ସବୁ ଥାଆନ୍ତା । ମୁଁ ନାହିଁ, ତେଣୁ କିଛି ହେଲେ ନାହିଁ-

 

ଯେତେବେଳେ ରାଜନୀତି ଅତି ବାଳୁଙ୍ଗା ହୁଏ, ସେତେବେଳେ ଦେଶରେ ଠିକ୍‌ ଏହିପରି କଥାମାନ ଶୁଣାଯାଏ । ସେତେବେଳେ କ୍ଷମତା ଅନୁସାରେ ସତ ଆଉ ମିଛର ବିଚାର ହୁଏ, କ୍ଷମତା ଥିଲେ ସବୁଥାଏ । କ୍ଷମତା ଗଲେ ସବୁ ଯାଏ । ଏହି ରାଜନୀତିରେ ମଣିଷମାନେ ମୋଟେ କେଉଁଠି ହେଲେ ନଥା’ନ୍ତି । ମଣିଷଙ୍କ ନାମରେ ନଅର ତୋଳା ହୁଏ, ମାତ୍ର ମଣିଷମାନେ ଅଶିକ୍ଷିତ ହୋଇ ରହିଥା’ନ୍ତି । ସେତେବେଳେ ଦୈତ୍ୟମାନେ ହିଁ ପୃଥିବୀକୁ ପାଳନ୍ତି । ଅର୍ଥାତ ପୃଥିବୀକୁ ଗିଳି ଆପଣାକୁ ପାଳନ୍ତି । ଦେଶ ଗାଧୋଇଯାଏ, ଭାଗ୍ୟର ବିଲଗୁଡ଼ାକରେ ମରୁଡ଼ି ଘୋଟି ରହିଥାଏ, ନେତାମାନେ ଏଡ଼େଏଡ଼େ ପାଦ ପକାଇ ମର୍ତ୍ତ୍ୟ କମ୍ପାଉଥାନ୍ତି । ମର୍ତ୍ତ୍ୟମଣ୍ଡନ ହୋଇ ରହିଥା’ନ୍ତି । ସେମାନେ ରାଜଧାନୀରେ ବାଡ଼ିଆପିଟା ହୁଅନ୍ତି । ଖବରକାଗଜରେ ଗର୍ଜନ କରନ୍ତି । ହୁଣ୍ଡାଙ୍କପରି ମାରଣା ହୁଅନ୍ତି, ନର୍ଲଜ୍ଜ ଭାବରେ ଅବିବେକୀ ହୁଅନ୍ତି ଏବଂ ସେମାନଙ୍କର ଏହି ଅକାର୍ଯ୍ୟଗୁଡ଼ାକୁ ହିଁ ସେତେବେଳେ ରାଜନୀତି ବୋଲି କୁହାଯାଉଥାଏ ।

 

ରାଜନୀତି ଆଉ ଗୋଟାଏ ପ୍ରକାରର ବି ରହିଛି । ସେହି ରାଜନୀତି କ୍ଷମତାକୁ ଲୋଡ଼େନାହିଁ, ମଣିଷକୁ ଲୋଡ଼େ । ଦେଶରେ ସେହି ରାଜନୀତି ଚାଲୁଥିଲେ ମଣିଷ ସବାଉପରେ ଥାଏ । ରାଜଧର୍ମ ଉପରେ ଲୋକଧର୍ମ ରହିଥାଏ । ଲୋକଧର୍ମର ବୋଲ ମାନିବାକୁ ହିଁ ରାଜଧର୍ମ ବୋଲି କୁହାଯାଏ । ଭାରତବର୍ଷରେ ଗାନ୍ଧୀ ଓ ଗୋପବନ୍ଧୁ ସେହି ରାଜନୀତିର କଥା କହିଥିଲେ । ସେମାନେ କ୍ଷମତାର ପକ୍ଷରେ ନଥିଲେ, ଲୋକମାନଙ୍କ ପକ୍ଷରେ ରହିଥିଲେ । ସମାଜର ଚାଲାଖମାନେ ସବାବଡ଼ ହୋଇ ଦିଶିବାକୁ ଓ ସବାଉଚ୍ଚ ହୋଇ ବସିବାକୁ ଯାହାକିଛି କରିବେ ତାହାକୁ ହିଁ ଯେ ରାଜନୀତି ବୋଲି କୁହାଯାଉଥିବ, ଗୋପବନ୍ଧୁ ଓ ଗାନ୍ଧୀ ସେହି କଥାର ବହୁ ଦୂରରେ ରହିଥିଲେ ।

 

ବର୍ତ୍ତମାନ ଆମ ଦେଶରେ ସରକାର ଅଛି, କ୍ଷମତା ଅଛି, ରାଜନୀତି ଏକାବେଳେକେ, ପକ୍କା ହୋଇ ରହିଛି; ମାତ୍ର ମଣିଷମାନେ କେଉଁଠି ହେଲେ ନାହାନ୍ତି ।

 

ଏ ଦେଶରେ ମଣିଷର ପାଳି ଏବେମଧ୍ୟ ପଡ଼ିନାହିଁ । ମଣିଷର ପାଳି ଯୋଉଦିନ ପଡ଼ିବ, ସେଦିନ ବର୍ତ୍ତମାନର ମେଦିନୀଗୁଡ଼ାକ ଠୋ’ କରି ଫାଟିଯିବ । ସେତେବେଳେ ବିବେକମାନେ କଥା କହିବେ । ବିବେକମାନେ ସହିବାକୁ ସିଧା ମନା କରିଦେବେ । ଚାଲାଖମାନଙ୍କର ସବୁ ସମ୍ଭାର ଭୁଷୁଡ଼ି ପଡ଼ିବ । ସେଦିନ ଏକ ନୂଆ ନୀତିରେ ସଂସାର ଚାଲିବ । ସରକାରମାନେ ବି ଏକ ଅନ୍ୟ ଧର୍ମରେ ଚାଲିବେ । ରାଜନୀତିରେ ମଣିଷକୁ ହିଁ ସର୍ବପ୍ରଥମ ସ୍ଵୀକୃତି ମିଳିବ, ଅବିଶ୍ୱାସୀମାନେ ସେତେବେଳେ ପୁଣି କୁଆଡ଼େ ଲୁଚିବାକୁ ଯିବେ ?

 

୧୧ । ୧୨ । ୮୨

Image

 

ସମାନ ଅଧିକାର ଅସମାନ ଶକ୍ତି

 

ବାବୁ କହିଲେ ଯେ, ଭଗବାନ ଏହି ସଂସାରରେ ପ୍ରତ୍ୟେକ ମଣିଷକୁ ସମାନ ଅଧିକାର ଦେଇଛନ୍ତି ସତ; ମାତ୍ର ସମାନ ଶକ୍ତି ଦେଇନାହାନ୍ତି । ଅର୍ଥାତ ମଣିଷ ହିସାବରେ ଜଣେ ସମ୍ପୂର୍ଣ୍ଣ ମଣିଷର ଜୀବନ ବଞ୍ଚିବା ଲାଗି ଅଧିକାର ପ୍ରତ୍ୟେକ ମଣିଷର ରହିଛି ସତ ମାତ୍ର ସେଥିଲାଗି ପ୍ରତ୍ୟେକ ମଣିଷ ପାଖରେ ଆବଶ୍ୟକ ଶକ୍ତି ନାହିଁ । ବାବୁ ବଡ଼ ଦୁଃଖ ପ୍ରକାଶକରି ଏକଥା କହୁଥିଲେ-। ଉଗବାନ ଯଦି ସବୁ ମଣିଷଙ୍କୁ ସମାନ ଶକ୍ତି ନ ଦେଲେ ତେବେ ସେମାନଙ୍କୁ ସମାନ ଅଧିକାର ନ ଦେଇଥିଲେ ମଧ୍ୟ ହୁଏତ ଅଧିକ ଭଲହୋଇଥାନ୍ତା ବୋଲି ସିଏ ସତେଅବା ଭାବୁଥିବା ପରି ମନେ ହେଉଥିଲା ।

 

ଆମ ପାରମ୍ପରିକ ସମାଜରେ ପ୍ରତ୍ୟେକ ମଣିଷର ସମାନ ଶକ୍ତି ନଥିଲା ଅଥବା ସମାନ ଅଧିକାର ବି ନ ଥିଲା । ଭଗବାନ ସଂସାରର ହିତପାଇଁ ସବୁ ମଣିଷଙ୍କୁ ସମାନ ଶକ୍ତି ଦେଇନାହାନ୍ତି ଓ ତେଣୁ ସଂସାରରେ ସବୁ ମଣିଷଙ୍କୁ ସମାନ ଅଧିକାର ନ ମିଳିବା ମଧ୍ୟ ପ୍ରାୟ । ବିଧିବଦ୍ଧ ରୀତି ହୋଇ ରହିଛି—ସେତେବେଳେ ବଡ଼ମାନେ ସାନମାନଙ୍କୁ ଅର୍ଥାତ ଉଚ୍ଚମାନେ ନିମ୍ନସ୍ଥମାନଙ୍କୁ ଏହି କଥାରେ ମଣକରି ରଖିଥିଲେ । ଏହି ସୂତ୍ରଟାକୁ ସେତେବେଳେ କର୍ମବାଦ ବୋଲି କୁହାଯାଉଥିଲା । କର୍ମବାଦୀ ଅରାଜକତାକୁ ଭୋଗ କରିଥିବା ରାଜାମାନେ ଆପଣାର ଅନୁକୂଳ କଥାଗୁଡ଼ିକ କୁହାଇ ପାରିବା ଲାଗି ଏକ ଅନୁରୂପ ଉଗବତ କଳ୍ପନାକୁ ମଧ୍ୟ ଶାସ୍ତ୍ରାକାରରେ ସୁଗଠିତ କରି ରଖିଲେ ।

 

ପାରମ୍ପରିକ ସମାଜ ଭାଙ୍ଗି ଯେଉଁ ନୂଆ ସତ୍ୟଟି ଅନୁସାରେ ସଂସାର ଅନ୍ୟ ପ୍ରକାରେ ଗଢ଼ା ହେବାକୁ ଯାଉଛି ସେହି ସତ୍ୟ ପ୍ରତ୍ୟେକ ମଣିଷର ସମାନ ଅଧିକାରକୁ ସମ୍ପୂର୍ଣ୍ଣ ଭାବରେ ସ୍ୱୀକାର କରିନେଇଛିଏବଂ ସମାନ ଅଧିକାର ପରି ପ୍ରତ୍ୟେକ ମଣିଷ ପାଖରେ ଯେପରି ସମାନଶକ୍ତି ମଧ୍ୟ ମହଜୁଦ ହୋଇ ରହେ, ପୃଥିବୀରେ ସବୁଠାରୁ ବଡ଼ ସଂଗ୍ରାମ ବର୍ତ୍ତମାନ ଠିକ୍‌ ସେଇଥି ସକାଶେ ହିଁ ଚାଲିଛି । ଶକ୍ତି ଅଳପ ମଣିଷଙ୍କ ପାଖରେ ରହିଛି ବିଦ୍ୟା, ଧନ ଓ ସାମର୍ଥ୍ୟ ଯେ ସମସ୍ତଙ୍କ ପାଖରେ ନାହିଁ, ବିଦ୍ୟା, ଧନ ଓ ସାମର୍ଥ୍ୟଶକ୍ତିକୁ ଚତୁରପଣରେ ନିଜର ଏକଚାଟିଆ ଅକ୍ତିଆରରେ ରଖିଥିବା ଅଣଅଧିକାରୀମାନେ ହିଁ ସେଥିଲାଗି ସମ୍ପୂର୍ଣ୍ଣ ଦାୟୀ ।

 

ଏହି ଅବ୍ୟବସ୍ଥା ଭାଙ୍ଗିବ । ସବୁ ମଣିଷଙ୍କର ସମାନ ଅଧିକାରର ସତକୁ ସତ ସ୍ଵୀକାର କରିନେଲେ ଯାଇ ଅବ୍ୟବସ୍ଥାମାନ ଭାଙ୍ଗିବ । ଭାରତବର୍ଷରେ ବାବୁମାନେ ଏବେ ମଧ୍ୟ ତାହା କରିପାରିନାହାନ୍ତି । ସେମାନେ ବୁଦ୍ଧି ବଳରେ ଯୁଗକୁ ଅଟକାଇ ରଖିଛନ୍ତି । ତେଣୁ ଆଜି ବୁଦ୍ଧି ଆଉ ହୃଦୟ ମଧ୍ୟରେ ଏକ ଯୁଦ୍ଧ ଲାଗିବାକୁ ଯାଉଛି । ସେହି ଯୁଦ୍ଧର ଫଇସଲା ହୋଇ ଯାଉଥିବା ସଙ୍ଗେସଙ୍ଗେ ସବୁ ମଣିଷ ଆପଣାର ଅଧିକାର ବିଷୟରେ ମଧ୍ୟ ସଚେତନ ହୋଇ ଆସିବେ ଏବଂ ସଚେତନତା ସଙ୍ଗେସଙ୍ଗେ ଶକ୍ତି ମଧ୍ୟ ସମ୍ଭବ ହେବ ।

 

୧୭ । ୧୨ । ୮୨

Image

 

ସୁଚିନ୍ତିତ ମାଷ୍ଟର୍‍ପ୍ଲାନ୍

 

କଟକ ସହର ଲାଗି ବର୍ତ୍ତମାନ ସରକାରଙ୍କର ଅଣସର ଘରେ ଏକ ସୁଚନ୍ତିତ ମାଷ୍ଟର୍‍ପ୍ଲାନ ତିଆରି ହେଉଛି ବୋଲି ସରକାରୀ ମାଷ୍ଟରମାନେ କହି ସାରିଲେଣି । ସେତେବେଳେ କଟକ ସହରର ଆଉ କୌଣସି ଦୁଃଖ ରହିବ ନାହିଁ । ବଢ଼ିପାଣି ଯେତେ ବେଶି ହେଲେ ମଧ୍ୟ ନଈଏ ନଈଏ ଯିବ । ରାସ୍ତାଗୁଡ଼ାକ ରାଜଦାଣ୍ଡ ପରି ଦେଖାଯିବ, ଉଜ୍ୱଳ ଆଲୁଅ ପଡ଼ି କାଳିଆ ମଣିଷ ଗୁଡ଼ାକ ତଥାପି ଭାରି ଉଜ୍ୱଳ ହୋଇ ଦିଶିବେ । ଥାକଥାକ ହୋଇ କୋଠା ତିଆରି ହେବ, ହୋଟେଲଗୁଡ଼ାକ ମଧୁଶାଳାପରି ମନେହେବ; ତେଣୁ ଦୁଃଖ ଥିଲେ ମଧ୍ୟ ତଥାପି ଦୁଃଖ ଥିଲାପରି ଲାଗିବ ନାହିଁ ।

 

ଗତ ତିରିଶ ବର୍ଷକାଳ ସ୍ୱାଧୀନ ଭାରତରେ ଯାହା କିଛି ହୋଇଛି, ସବୁ ପ୍ରଧାନତଃ ମାଷ୍ଟର୍‍ପ୍ଲାନ୍‍ ସ୍ତରରେ ହୋଇଛି । ବାବୁମାନେ ସିଆଡ଼ୁ ଆସି ଆମ ସମସ୍ତଙ୍କ ପାଇଁ ପ୍ଲାନ୍‍ କରିଛନ୍ତି । ଇଂଲଣ୍ଡ ବା ଆମେରିକାରେ ସେମାନେ ଯାହାସବୁ ବିଦ୍ୟାକୁ ଗର୍ଭସ୍ଥ କରି ଆସିଛନ୍ତି, ଏଠାରେ ଆମ ଦେଶରେ ଆସି ହଗିଦେଲେ ହିଁ ଦେଶଟା ବାଗକୁ ଆସିଯିବ ବୋଲି ବିଶ୍ୱାସ କରିଛନ୍ତି । ସେମାନେ ଆମର ଭାଗ୍ୟକୁ ନେଇ ଆମ ଉପରେ ଉପରେ ଉଡ଼ିଛନ୍ତି । ମଣିଷକୁ ଯଥାର୍ଥରେ ଦୃଢ଼କରି‌ ଗଢ଼ିବାକୁ ହେଲେ କିପରି ଯେ ତଳୁ ପାହାଚ ପାହାଚ କରି ଗଢ଼ିବାକୁ ହୁଏ, ଆପଣାର ବଡ଼ ମୁଣ୍ଡଟାରେ ସେମାନେ ଏହି ସାନ ଅକଲଟିକୁ ହୃଏତ ଆଦୌ ବୁଝିପାରି ନାହାନ୍ତି; ତେଣୁ ଏକ ବ୍ୟକ୍ତିଗତ ସମାଧାନ କରିଦେଇ ସେମାନେ ଆମ ନିଃସ୍ୱମାନଙ୍କର ଦେଶରେ ସାଧବଙ୍କ ପରି ବେଭାର ଦେଖାଇଛନ୍ତି, ସାଧବଙ୍କ ପରି ଆମଠାରୁ ଅଲଗା ହୋଇ ରହିଛନ୍ତି । ଆମ ପାଇଁ ଗୋଟାକ ପରେ ଗୋଟାଏ କରି ପାଠୁଆ ପ୍ଲାନ୍‍ମାନ କରିବାରେ ଲାଗିଛନ୍ତି । ଆମକୁ ଏକ ନୂଆ ପ୍ରକାରର ତିମିର ଭିତରେ କଣାକରି ରଖିଛନ୍ତି ।

 

ମାଷ୍ଟର୍‍ପ୍ଲାନ୍‍ ଦ୍ୱାରା କୋଟି କୋଟି ଟଙ୍କା ଯଦି ଉପରଆଡ଼ୁ ଆମ ଉପରକୁ ଅଜାଡ଼ି ଦିଆଯାଇ ଏହି ତଳଆଡ଼ୁ ଆମର ମୂଳଦୁଆ ଭଳିକିଛି ଗଢ଼ିବା ଲାଗି ଆମ କାମରେ ଲାଗି ପାରୁଥାନ୍ତା, ତେବେ ଫଳ ଅନ୍ୟପ୍ରକାର ହୁଅନ୍ତା । ତେବେ ଏହି ତଳଆଡ଼ୁ ଖଣ୍ଡକପରେ ଖଣ୍ଡେ ଇଟା ବସାହୋଇ ଏଠି ଆମେ ବୁଝିପାରିଲା ଭଳି ଓ ଆମେ ରହି ପାରିଲାଭଳି ଘର ଖଣ୍ଡେ ତିଆରି ହୋଇପାରନ୍ତା । ଅସାଧୁମାନେ ହୁଏତ କିଛି ମାରିନେଇ ପାରନ୍ତେ ନାହିଁ । ବାଉଁଶଗୁଡ଼ାକ ଭିତରଟାକୁ ପୋଲାରଖି ବାହାରକୁ ସୁନ୍ଦର ଦିଶିବାକୁ ମୋଟେ ମନ କରନ୍ତେ ନାହିଁ । ବାବୁମାନଙ୍କର ଆଖିରେ ତାହା ମାଷ୍ଟର୍‍ପ୍ଲାନ୍‍ ପରି ନ ଦିଶିଲେ ମଧ୍ୟ ହୁଏତ ତାହାହିଁ ଗଢ଼ିଲାଭଳି କିଛି ଗଢ଼ିପାରନ୍ତା, ଏଠି ମଣିଷଲାଗି ଡିହଟିଏ ଯୋଗାଇ ଦେଇପାରନ୍ତା ।

 

କାଗଜପତ୍ରର ମାଷ୍ଟର୍‍ପ୍ଲାନ୍‍ଗୁଡ଼ାକ ହାତମାରି ଅନୁଭବ କରିପାରିବାଭଳି କୌଣସି ଆକୃତି ପାଇବା ପୂର୍ବରୁ ହୁଏତ ମାଷ୍ଟରମାନେ କୁଆଡ଼େ ବିଦାହୋଇ ଯାଇଥିବେ ।

 

ଏ ଦେଶରେ କେତେ ମାଷ୍ଟର ଯେମିତି ବିଦାହୋଇ ଯାଇଛନ୍ତି, ଠିକ୍‍ ସେହିପରି । ସେତେବେଳେ କେବଳ ଏହି କାଗଜପତ୍ରଗୁଡ଼ାକ ହିଁ ଘରସାରା ହୋଇରହିବ । ଘର ବୋଲି କହିବାକୁ ପ୍ରକୃତରେ କିଛି ନଥିଲେ ମଧ୍ୟ ତଥାପି ଘରସାର ହୋଇ ରହିଥିବ । ମଣିଷଗୁଡ଼ାକ ସାଲୁସାଲୁ ହେବାରେ ଲାଗିଥିବେ, ରାସ୍ତାମାନ ନର୍ଦ୍ଦମା ପରି ଦିଶୁଥିବେ, ଆଲୁଅଗୁଡ଼ାକରେ ଗର୍ଭରେ, ଗର୍ଭେ ଅନ୍ଧାର ଭର୍ତ୍ତି ହୋଇଥିବ । ଇଜ୍ଜତ ଘରେ ଚୋର ପଶିଥିବେ । ହୁଏତ ସେତେବେଳେ ମଧ୍ୟ କାଗଜପତ୍ରରେ ସବୁକିଛି ସର୍ଜି ରଖିବା ଲାଗି ପୁନର୍ବାର ଆଉଦଳେ ମାଷ୍ଟରଙ୍କର ଆବିର୍ଭାବ ହେବ ।

 

୧୯-୧୨-୮୨

Image

 

ସବୁଗୁଡ଼ାକ ବାଜେ

 

କବି ସେଦିନ କହୁକହୁ ଆପଣାର ମରମକୁ ସ୍ପର୍ଶ କଲେ । ବାହାର ଭୁଲିଗଲେ । ଆମେ ଯେ ତାଙ୍କ ମୁହଁର କଥା ଶୁଣିବାକୁ ଏତେ ସଂଖ୍ୟାରେ ସେଠାରେ ଉପସ୍ଥିତ ରହିଛୁ, ସେହି କଥାଟାକୁ ସିଏ ସମ୍ଭବତଃ କୌଣସି ଅନ୍ତଃସଙ୍କଟରେ ପଡ଼ି ଘଡ଼ିକ ପାଇଁ ଭୁଲିଗଲେ । କେବଳ ଆପଣା ଭିତରଟାର ସମ୍ମୁଖୀନ ହୋଇ କହୁଥିବା ପରି କହିଲେ ଯେ, ସିଏ ଜୀବନସାରା ଯେତେଯାହା ଲେଖିଲେ, ସେଗୁଡ଼ାକ ସବୁଗୁଡ଼ାକ ବାଜେ । ଆମେ ବର୍ଷବର୍ଷ ଧରି ଭାବିଆସିଥିଲୁ ଯେ, କବି ଆମକୁ ତାଙ୍କର ଲେଖାଗୁଡ଼ିକର ଜରିଆରେ ପ୍ରକୃତରେ କେତେ କଣ ଦେଇଛନ୍ତି, ସିଏ ଆମର ସାହିତ୍ୟକୁ କେତେ ପ୍ରକାରେ ସମୃଦ୍ଧ କରିଛନ୍ତି । ଆମ ସାହିତ୍ୟ ଗହନରେ ନୂଆଝଡ଼ ଆଣିଛନ୍ତି ଓ ଏକ ନୂଆଯୁଗର ପ୍ରବର୍ତ୍ତନ କରିଛନ୍ତି । ଆମେ ତାଙ୍କୁ ଆଧୁନିକ କହୁଥିଲୁ । ବେଳେବେଳେ ବିପ୍ଳବୀ ବୋଲି ବି କହୁଥିଲୁ । ଏହିସବୁ କାରଣରୁ ସେଦିନ ଯେ ସିଏ ନିଜେ ଲେଖିଥିବା ସବୁକିଛିକୁ ଏପରି ଗୋଟାଏ ନିଶ୍ୱାସରେ ବାଜେ ବୋଲି ଘୋଷଣା କରିଦେଲେ, ସେକଥା ଶୁଣିବା ସମୟରେ କବିଙ୍କ ମୁହଁକୁ ଅନାଇ ମୋତେ ଭାରି ବାଜେପରି ଲାଗୁଥିଲା ।

 

କବି ଯୌବନରେ କେତେ ମାତିଲେ, ଆମ ସମସ୍ତଙ୍କୁ ତତାଇବେ ବୋଲି ନିଜେ କେତେ ତାତିଲେ । ସଂଗ୍ରାମ କଲେ, କବିତାରେ ପତାକା ଉଡ଼ାଇଲେ, କବିତାରେ ଗଡ଼ ଜୟକଲେ । ଅନ୍ଧାରୀ ଶାସନ ଭାଙ୍ଗିଦେଲେ । ତା’ପରେ ପ୍ରୌଢ଼ ହେଲେ । ସ୍ଵାଧୀନଦେଶକୁ ପ୍ରୌଢ଼ର ଆଖିରେ ଦେଖିଲେ । ଦେଶ ଆଗକୁ ଚାଲିଗଲା । ସିଏ ପଛରେ ରହିଗଲେ । ତା’ପରେ ସଂଗ୍ରାମଛାଡ଼ି ଶୈଳୀକୁ ଧରିଲେ, ହୃଦୟକୁ ଛାଡ଼ପତ୍ର ଦେଇ ମସ୍ତିଷ୍କ‌ ସହିତ ସଲା କଲେ । ଭାବଗୁଡ଼ାକୁ ଭେଷ କଲେ, ପ୍ରେରଣା ଗୁଡ଼ାକୁ ଅଳଙ୍କାର କରି ଖଞ୍ଜିଲେ । ପ୍ରୀତିରୁ ହୁଡ଼ିଗଲେ, ସ୍ଫୀତି ଭିତରକୁ ହୁଡ଼ିଗଲେ-। ଯୋଉ ଜଙ୍ଗଲରେ ପାରିଧି କରିବାକୁ ମନ କରିଥିଲେ, କ୍ରମେ ସେହି ଜଙ୍ଗଲକୁ ଡରିଲେ । ଆପଣା ଖୁଣ୍ଟରେ ବନ୍ଧାହୋଇ ରହିଲେ । ଆପଣାର ସିଂହାସନଗୁଡ଼ାକୁ କାମୁଡ଼ି ଧରିଲେ-। ହଇରାଣ ହେଲେ-। ଏକ ଅନ୍ୟ କବି ହେଲେ ।

 

ବୃଦ୍ଧହେବା ସଙ୍ଗେସଙ୍ଗେ ହେତୁ ଆସିଲା । ଖାତାଗୁଡ଼ାକ ବାହାରକରି ହିସାବ କରିବାକୁ ମନହେଲା । ଅବସାଦ ଘାରିଲା । ନିଜର କୂଅଟି ଭିତରେ ଥାଇ ସିଏ ଆପଣାର କଳନା କରିବାକୁ ଆରମ୍ଭ କଲେ । ହତାଶ ହେଲେ । ସିଏ ଯାହାକିଛି ଲେଖିଛନ୍ତି ସବୁଗୁଡ଼ାକ ବାଜେବୋଲି କହିଲେ । ଜଣେ ରାଜା ଯେତେବେଳେ ଆପଣାର ରାଜପଣଟାକୁ ହିଁ ବାଜେବୋଲି କହିବାକୁ ଆରମ୍ଭ କଲେ, ସେତେବେଳେ ତାହାକୁ ହିଁ ତାଙ୍କର ସବୁଠାରୁ ବଡ଼ ଦୁର୍ଭାଗ୍ୟ ବୋଲି ବହିବାକୁ ହେବ । ରାଜା ଯଦି ଖାଲି ରାଜ୍ୟଜୟ କରିବାକୁ ମନ ନକରି ଜୀବନଟିଏ ବଞ୍ଚାଇଥାଆନ୍ତେ, ଯଦି ସିଏ ସାହିତ୍ୟର ବେଦୀରେ ଆପଣକୁ ହିଁ ବରକରି ବସାଇବାକୁ ମନ କରିନଥାନ୍ତେ, ତେବେ ଆପଣାର ଲେଖାଗୁଡ଼ାକୁ ଆଖର ମୁଣ୍ଡକୁ ଆସି କେବେହେଲେ ବାଜେ ବୋଲି କହିନଥାନ୍ତେ । ସିଏ ଆପଣା ସମେତ ଆମ ସମସ୍ତଙ୍କର ବି ମନେ ରଖିପାରିଥାନ୍ତେ ।

 

୨୬-୧୨-୮୨

Image

 

ସାହିତ୍ୟ-ପିତ୍ତ

 

ପିତ୍ତ ଭିତରେ ଥାଏ, ବେଳେବେଳେ ଚହଟେ, ଉପରକୁ ଉଠେ । ପିତ୍ତମୁଣା ଫାଟିଲେ ସବୁଆଡ଼କୁ ପିତ୍ତ ଚରିଯାଏ, ଭାରି ହନ୍ତସନ୍ତ କରା‌ଏ । ଯେତିକି ତତାଏ, ସେତିକି ପରିମାଣରେ ହଟାହଟା ଦାଣ୍ଡହସା ବି କରାଏ । ଆମ ସମଜରେ ଯେଉଁମାନେ ସାହିତ୍ୟ କରନ୍ତି, ସେମାନଙ୍କ ଭିତରେ ବି ଗୋଟାଏ ପ୍ରକାର ପିତ୍ତ‌ ରହିଥାଏ । ସାହିତ୍ୟ କରୁଥିବା ବୀରମାନଙ୍କ ଭିତରୁ ହୁଏତ ଏଭଳି ଥୋକେ ବି ସବୁବେଳେ ରହିଥାନ୍ତି, ଯେଉଁମାନଙ୍କ କି ଆଗ ପିତ୍ତ ଚହଟେ ଓ ତା’ପରେ ଯାଇ ସେମାନେ ସାହିତ୍ୟ ଲେଖନ୍ତି । ସେମାନଙ୍କର ଆଗ କମ୍ପ ଆସେ ତା ପରେ ଯାଇ ଫୁଲଫୁଟେ, ଫୁଲ ପଡ଼େ । ସେମାନଙ୍କର ଆଗ ହୁଙ୍କାର କରିବାକୁ ମନେହୁଏ, ସେହି ହୁଙ୍କାର ଭିତରୁ ସାହିତ୍ୟ ଜନ୍ମଲାଭ କରେ । ଏଇଟା ଗୋଟାଏ ଅନ୍ୟରୀତି, ତଥାପି ରୀତି ।

 

ଯେଉଁମାନଙ୍କର ପିତ୍ତ ଆଗ ଚହଟେ ବୋଲି ସେମାନେ ସାହିତ୍ୟ କରନ୍ତି, ରାଜନୀତି କରନ୍ତି, ଦେଶସେବା ଅଥବା ଧର୍ମପ୍ରବଚନ କରନ୍ତି, ସେମାନେ ଅର୍ଥାର୍ଥୀ, ସେମାନେ ଯଶଃକାମୀ, କ୍ଷମତାକାମୀ । ଭିତରେ ରହିଥିବା ପିତ୍ତଟା ଯେତେବେଳେ ବାହାରକୁ ଆସି ଚମ୍ପା ସାଆନ୍ତାଣୀ ହୋଇ ଦାଣ୍ଡରେ ବୁଲିବାକୁ ମନ କରେ, ସେତିକିବେଳେ ତାହା ଯଶଃକାମନା; ଅର୍ଥକାମନା ଏବଂ କ୍ଷମତା-କାମୁକତାକୁ ରୂପାନ୍ତରିତ ହୋଇଯାଏ । ଏହିଭଳି ଏକ କାମୁକର ମନ ନେଇ ଯେଉଁମାନେ ସଂସାରକୁ ବାହାରିଥାନ୍ତି, ସେମାନେ ସାହିତ୍ୟ, ରାଜନୀତି ଅଥବା ସେବା ଯାହାକିଛି କରୁଥାଆନ୍ତୁ ପଛକେ, ସେମାନେ ସର୍ବଦା ଚମ୍ପା ସାଆନ୍ତାଣୀ ହୋଇ ବୁଲୁଥାନ୍ତି । ଭିତରେ ପୋଇ ଲଟାକୁ ଲୁଚାଇରଖି ବାହାରେ ସାଆନ୍ତାଣୀ ହୁଅନ୍ତି, ଗୋଡ଼ କଚାଡ଼ନ୍ତି ଦର୍ପ ଦେଖାନ୍ତି, ଦର୍ପୀ ହୁଅନ୍ତି । ଆପଣାକୁ ହିଁ ଅସଲ ମଙ୍ଗରାଜ ବୋଲି ମଣନ୍ତି । ସେମାନେ ଶେଷକୁ ଆପଣା କୁମ୍ଭୀରଟାର ଗ୍ରାସରେ ଯାଇ ପଡ଼ନ୍ତି; ତେବେଯାଇ ପିତ୍ତର ଶାନ୍ତି ହୁଏ ।

 

ସାହିତ୍ୟରେ ପିତ୍ତ ଜୋରହେଲେ ମଣିଷ ସାହିତ୍ୟରେ ପୁରସ୍କାର ଦିଏ, ପୁରସ୍କାର ନେବାକୁ ଲୋଭକରେ, ପୁରସ୍କାରକୁ ନେଇ ରାଜନୀତି କରେ । ପକ୍ଷ ଲଢ଼େ, ମୁଦାଲା ହୁଏ ବା ମୁଦେଇ ହୁଏ, ସାମ୍ମୁଖ୍ୟ ଗଢ଼େ । ସିଏ ସଂସାରଟାକୁ ସତେ ଅବା ଗଡ଼ିଆ ପାଣି ବୋଲି ଭ୍ରମ କରୁଥାଏ କି କ’ଣ ସେଇଠି ଯାଇ ଅବିଶ୍ରାନ୍ତ ଭାବରେ ଆପଣାର ମୁହଁଟିକୁ ଦେଖିବାରେ ଲାଗିଥାଏ-। ନିଜର ମୁହଁଟିକୁଛାଡ଼ି ସତେଅବା ଆଉ କିଛିହେଲେ ଦେଖିପାରେ ନାହିଁ । ସିଏ ସଂସାରରେ ନଥିଲେ ସାହିତ୍ୟ ମୋଟେ ଚଳୁନଥାନ୍ତା ବୋଲି ଭାବିବାକୁ ଭାରି ମନକରେ । ସିଏ ଟଙ୍କାଦେଇ ସାହିତ୍ୟକୁ ଗଣେ । ମୁହଁରେ ପିନ୍ଧାହୋଇଥିବା ଗହଣା ଦେଇ ଅନେକ ମଣିଷ ଯେମିତି ମୁହଁକୁ ଗଣିବାଲାଗି ମନ କରନ୍ତି, ପ୍ରାୟ ସେହିପରି ।

 

ଯଖମାନେ ମୁଦାଦେଇ ସାହିତ୍ୟକୁ ଗାର ଭିତରେ ବାଡ଼ଦେଇ ରଖିବାକୁ ମନକରନ୍ତି । ଯଖମାନଙ୍କର ପିତ୍ତ ଜୋର ଥଲାପରି ଯେଉଁ ସାହିତ୍ୟକାମୀମାନଙ୍କର ପିତ୍ତ‌ ଜୋର ଥାଏ, ସେମାନେ ଯଖ ଦୁଆରେ ଯାଇ ମେଳ ଲଗାନ୍ତି । ଯଖ ଦୟା ନକଲେ ସାହିତ୍ୟ ଅବିହାଡ଼ୀ ରହିଯିବ ବୋଲି କାକଳି କରିବାରେ ଲାଗିଥାନ୍ତି । ଯଖ ନ ଲୋଡ଼ିଲେ ସେମାନେ ନିଜେ ଅବିହାଡ଼ୀ ହୋଇ ରହିଯିବେ ବୋଲି ସତେଅବା ଅନୁଭଦ କରୁଥାଆନ୍ତି ।

 

୭ । ୧ । ୮୩

Image

 

ମୁଁ ନାହିଁ ତ କିଛିନାହିଁ

 

ସାହିତ୍ୟ ପ୍ରଦର୍ଶନୀରେ ବହିସବୁ ଥାକଥାକ ହୋଇ ରହିଛି । ଓଡ଼ିଆ ସାହିତ୍ୟର ଆକାଶରେ ଗୋଟିଏ ଗୋଟିଏ ତାରାପରି ଖଞ୍ଜାହୋଇ ରହିଥିବା ପରି ମନେହେଉଛି । ଅନାଇଦେଲା ବେଳକୁ ସତେଅବା ଆଖି ପୂରିଯାଉଛି । ଯେଉଁମାନେ ଥିଲେ, ଯେଉଁମାନେ ଅଛନ୍ତି, ଦୁହିଁକୁ ଏକାଠି ଗୋଟିଏ ସୂତାରେ ବାନ୍ଧି ଆଖି ଆଗକୁ ପକାଇଦେବା ମାତ୍ରକେ, ଯେଉଁମାନେ ଏହାପରେ ବି ଆସିବେ, ଅଧିକ ଉଜ୍ଜ୍ୱଳତାରେ ‌ଆମକୁ ଆହୁରି ଐଶ୍ୱର୍ଯ୍ୟମୟ କରିଦେବାକୁ ଆସିବେ, ସେମାନଙ୍କୁ ବି ସ୍ପର୍ଶକରି ପକାଇଲା ପରି ମନେହେଉଛି । ଭାବିଦେଲା ବେଳକୁ ସତେଅବା ଛାତି ପୂରିଯାଉଛି । ଆକାଶରେ ଯେତିକି ତାରା ଆଖିକୁ ଦେଖାଯାଆନ୍ତି, ଆକାଶରେ ଯେ କେବଳ ସେତିକି ତାରା ଥାଆନ୍ତି ସେକଥା ମୋଟେ ନୁହେଁ । ତାରା ପଛରେ ଆହୁରି ତାରା ରହିଥାନ୍ତି ଯେତିକି ଦୃଶ୍ୟ ହେଉଥାନ୍ତି, ଅଦୃଶ୍ୟ ଭାବରେ ହୁଏତ ତାହାର ତିନି ସେତିକି ପଛକୁ ପଛ ରହି ଏକ ବିପୁଳ ସମଗ୍ରର ରଚନା କରି ରଖିଥାନ୍ତି । ସମଗ୍ର ଭାବରେ ଦେଖିପାରିଲେ ଯାଇ ସେକଥା ଦେଖିହୁଏ । ଦୃଦୟଦ୍ୱାରା ଦେଖିପାରିଲେ ମଣିଷଗୁଡ଼ିକୁ ଏକାଠି କରି ଧରି ରଖିଥିବା ସୂତାଟିକୁ ଦେଖିହୁଏ । ସୂତାଟିକୁ ଦେଖିଲେ ସବୁଟିକୁ ଦେଖିହୁଏ । ଦୃଶ୍ୟ ବି ଦେଖାଯାଏ, ଅଦୃଶ୍ୟ ବି ଦେଖାଯାଏ । ଆପଣାକୁ ଏକାବେଳକେ ଭୁଲିଯାଇ ପାରିଲେ ଯାଇ ଏପରି ଦେଖିହୁଏ ।

 

ମାତ୍ର ଯେଉଁମାନେ ସବୁଥାନରେ ଖାଲି ଆପଣକୁ ଖୋଜି ବୁଲୁଥାନ୍ତି, ସେମାନେ ସୂତାଟିକୁ କେବେହେଲେ ଦେଖିପାରନ୍ତି ନାହିଁ । ଯାବତୀୟ ଦେଖିବାରେ ସେମାନେ କେବଳ ଆପଣାକୁ ହିଁ ଖୋଜନ୍ତି, ତେଣୁ ସୂତାଟିକୁ ମୋଟେ ଦେଖିପାରନ୍ତି ନାହିଁ । ଆପଣାକୁ ସବା ଉଚ୍ଚକରି ଦେଖିବାକୁ ହନ୍ତସନ୍ତ ହେଉଥିବା ମଣିଷ ଯଥାର୍ଥ ଉଚ୍ଚତାଗୁଡ଼ିକ ମୋଟେ ଦେଖିପାରେ ନାହିଁ; ତେଣୁ ଆପଣା ଦେଖିବାର ଯଥାର୍ଥ ମହିମାଟିକୁ ମଧ୍ୟ ସିଏ ଭାରି କ୍ଷୁଦ୍ର କରି ରଖିଥାଏ । ସେଦିନ ଠିକ୍‍ ସେହିପରି ହେଲା । ଜଣେ ପ୍ରଖ୍ୟାତ ଓ ପ୍ରବୀଣ ସାମନ୍ତ ଭଦ୍ର ଲେଖକ ପ୍ରଦର୍ଶନୀ ଭିତରକୁ ପଶିଗଲା ମାତ୍ରକେ ତାଙ୍କ ନିଜର ବହିଗୁଡ଼ାକ କେଉଁଠି କେଉଁଠି ରହିଛି, ଆଗ ତାହାରି ଆବିଷ୍କାର କରିବାରେ ଲାଗିଗଲେ । ତାଙ୍କର ଆତୁର ଆଖିଗୁଡ଼ାକରେ ସିଏ ହଠାତ ସେଗୁଡ଼ାକୁ ମୋଟେ ଦେଖିପାରିଲେ ନାହିଁ । ଆପଣା ଭିତରେ ନିଜକୁ ସିଏ ଯଥାର୍ଥ ପରିଚୟ ଏବଂ ଭେଟଗୁଡ଼ିକର କ୍ଷେତ୍ରରେ କିପରି କାହିଁକ ଏଡ଼େ କ୍ଷୁଦ୍ରକରି ଦେଖିଆସିଛନ୍ତି କେଜାଣି, ଉତ୍ତପ୍ତ ଆଖିଗୁଡ଼ାକ ବୁଲାଇ ଦେଇ ସିଏ କେବଳ ଅନ୍ୟମାନଙ୍କର ବହିଗୁଡ଼ାକୁ ଦେଖିବାକୁ ପାଇଲେ, ଆପଣାର କୌଣସି ଗୋଟିଏ ବହି ବି ତାଙ୍କର ଆଖିରେ ପଡ଼ିଲାନାହିଁ । ସିଏ ଭୁଷ୍ କରି ପଛକୁ ଫେରିଆସଲେ ଓ “ମୋ’ ବହିଗୁଡ଼ିକ କାହିଁ” ? ବୋଲି ପ୍ରଶ୍ନ କଲେ । ପ୍ରଦର୍ଶନୀରେ ବିଭିନ୍ନ ସ୍ଥାନରେ ତାଙ୍କର ତିନୋଟି ବହି ଥିଲା । ତାହା ତାଙ୍କୁ ଦେଖାଇ ଦିଆଗଲା । ତା’ପରେ ଯାଇ ତାଙ୍କର ପ୍ରକୋପନ ବନ୍ଦ ହେଲା ଓ ସିଏ ପ୍ରକୃତିସ୍ଥ ହେଲେ । ଆପଣାର ବିଶ୍ୱାସ ଫେରିପାଇଲେ ।

 

ସାହିତ୍ୟ ପ୍ରଦର୍ଶନୀରେ ଯେଉଁମାନେ ସବାଆଗ ନିଜର ବହିଗୁଡ଼ାକୁ ଖୋଜନ୍ତି; ସେମାନେ ସାହିତ୍ୟ ଭିତରେ ମଧ୍ୟ ଖାଲି ସେହି ‘ମୁଁ’ ଟାକୁ ହିଁ ସବୁବେଳେ ଖୋଜି ଆସିଥାଆନ୍ତି । ସାହିତ୍ୟର ଜଙ୍ଗଲଭିତରେ ‘ମୁଁ’ ହୁଙ୍କାରଟାକୁ ଶୁଣୁଥୁବା ପର୍ଯ୍ୟନ୍ତ ହିଁ ସେମାନଙ୍କର ଯାବତୀୟ ପ୍ରତ୍ୟୟ, ପ୍ରତ୍ୟୟ ପରି ହୋଇ ରହିଥାଏ । ଅସଲ ସାହିତ୍ୟ ‘ମୁଁ’ କୁ ଡେଇଁ ଚାଲିଯାଏ । ‘ମୁଁ’ ଠାରୁ ଆରମ୍ଭ କରିଥଲେ ମଧ୍ୟ । କେତେ କୁଆଡ଼େ ବାଧା ଡେଇଁ ବନ୍ଧ ଡେଇଁ ଚାଲିଥାଏ । ଏହି ଡେଇଁ ଚାଲିବାକୁ ହିଁ ଭଲ ପାଇବା ବୋଲି କହନ୍ତି । ସାହିତ୍ୟ ଲେଖିବାର ଅସଲ ଲାଭ ଏହି ଭଲପାଇ ପାରିବାର ଲାଭ, ବାଡ଼ ଡେଇଁ ପାରିବାର ଲାଭ । ‘ମୁଁ’ ଟା ପାଖରେ ବିଣ୍ଡାହୋଇ ପଡ଼ିଥିବା ପର୍ଯ୍ୟନ୍ତ ମଣିଷ ଭଲ ପାଇବାର ଯୋଗ୍ୟ ହୋଇପାରେ ନାହିଁ । ସଂସାର ଭିତରେ ସିଏ ଅସଲ ସୂତାଗୁଡ଼ାକୁ ମୋଟେ ଦେଖିପାରେ ନାହିଁ, ସାହିତ୍ୟ ଭିତରେ ବି ଅସଲ ଝିଅଟିକୁ ‌ମୋଟେ ପାଇ ପାରେନାହିଁ । ଅସୁରପରି ବହି ଲେଖେ, ବହିପରେ ବହିଲେଖି ଗଦା କରିଦିଏ । ବହିଗୁଡ଼ାକୁ ନେଇ କେତେ ମାମଲତ କରେ । ତଥାପି ଅଭିଆଡ଼ୀ ହୋଇ ରହିଯାଏ । ବାହାରେ ଯେଡ଼େ ପଚଣ୍ଡ ଓ ପ୍ରଖର ହୋଇ ଦିଶୁଥିଲେ ମଧ୍ୟ ଭିତରେ ଭାରି ଦରିଦ୍ର ଓ ଦୟନୀୟ ହୋଇ ରହିଥାଏ ।

 

୨୦ । ୧ । ୮୩

Image

 

ସଂଗ୍ରାମୀମାନଙ୍କ ଜୀବନରୁ

 

ସଂଗ୍ରାମୀମାନଙ୍କର ଜୀବନରୁ ଜନସାଧାରଣ ଶିଷା କରନ୍ତୁ ବୋଲି ଏବେ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ କୌଣସି ଏକ ସଭାରେ ଉଦବୋଧନ ଦେଇ କହିଛନ୍ତି । ସଂଗ୍ରାମୀମାନଙ୍କଠାରୁ କେବଳ ସଂଗ୍ରାମ ହିଁ ଶିକ୍ଷା କରାଯାଏ । ସେମାନଙ୍କ ଜୀବନରୁ ଆମେ ତାହାହିଁ ଶିକ୍ଷାକରିବା । ଭାରତବର୍ଷରେ ସଂଗ୍ରାମୀମାନେ ଯେପରି ସଂଘ ଗଢ଼ି ଚୁପ୍‍ ହୋଇ ରହିଲେ, ଏକଦା ସଂଗ୍ରାମ କରିଥିବା ହେତୁ ସେମାନେ ଯେପରି ଶାସକମାନଙ୍କ ପାଖରୁ ସ୍ଵୀକୃତି ଲୋଡ଼ିଲେ ଏବଂ ଶାସକମାନଙ୍କୁ ଭତ୍ତା ମାଗିଲେ, ଆମେ ସେମାନଙ୍କଠାରୁ ସେହି କଥାଟିକୁ ଆଦୌ ଶିକ୍ଷା କରିବାନାହିଁ ।

 

ରାଜନୀତିକ ସ୍ୱାଧୀନତା ଆସିବା ପରେ ହିଁ କୌଣସି ଦେଶର ସବୁଯାକ ସଂଗ୍ରାମ କଦାପି ସରିଯାଏ ନାହିଁ । ଆମ ଦେଶରେ ରାଜନୀତିକ ସ୍ୱାଧୀନତା ହାତକୁ ଆସିଯିବାପରେ ଯେଉଁମାନେ ତୁଚ୍ଛା କ୍ଷମତା ଓ ତୁଚ୍ଛା ଆସନଗୁଡ଼ାକ ମନ କଲେ, ସେମାନେ ରାଜନୀତିକ ପରିବର୍ତ୍ତନଟାକୁ ହିଁ ସଂଗ୍ରାମର ସର୍ବିଶେଷ ଫଳ ବୋଲି କହିଲେ ଏବଂ ତା’ପରେ ଆଉ ଯାବତୀୟ ସଂଗ୍ରାମକୁ ଅନାବଶ୍ୟକ ଓ ଅବାଞ୍ଛିତ ବୋଲି ମଣିଲେ । ସେମାନେ ଗାଦୀରେ ବସି ପରବର୍ତ୍ତୀ ସଂଗ୍ରାମଗୁଡ଼ାକର ପଥରୋଧ କଲେ, ପ୍ରତିକ୍ରିୟାଶୀଳ ହେଲେ । ରାଜ୍ୟଶାସନର ରଜ୍ଜୁଗୁଡ଼ାକ ଧରି ସେମାନେ ସଂଗ୍ରାମକୁ ନାନା ଭାବରେ ପୋଷା ମନାଇ ରଖିବାକୁ ବାହାରିଲେ । ଏହି ଦେଶରେ ଅନେକ ସଂଗ୍ରାମୀ ସେଇଥିରେ ପୋଷା ମାନିଲେ । ସେମାନେ ସଂଘ ଗଢ଼ିଲେ, ଭତ୍ତା ମାଗିଲେ, ମାଗିବାରୁ ହୀନସ୍ତା ହେଲେ ଓ ମେରୁଦଣ୍ଡ ହରାଇ ବସିଲେ । ସେମାନେ ଦେଖୁଁ ଦେଖୁଁ ବୁଢ଼ା ହୋଇଗଲେ । ସେମାନେ ଦେଖୁଁ ଦେଖୁଁ ଭୀରୁ ହୋଇଗଲେ, ବାଟ ହୁଡ଼ିଲେ । ସଂଗ୍ରାମର ନିନ୍ଦା କରାଇଲେ, ସମ୍ମାନ ହରାଇଲେ ।

 

ଏହି ସଂଗ୍ରାମୀମାନଙ୍କ ଠାରୁ ଆମର ଆଦୌ କିଛିହେଲେ ଶିକ୍ଷା କରିବାର ନାହିଁ । ଏମାନେ ସଂଗ୍ରାମର ଯାବତୀୟ ନୀତିକୁ ଭୁଲି ନିରାପଦ ହୋଇ ରହିବାପାଇଁ ଯେଉଁ ରାଜନୀତିକୁ ଲୋଡ଼ିଛନ୍ତି, ସେହି ରାଜନୀତିରୁ ମଧ୍ୟ ଆମର ଆଦୌ କିଛିହେଲେ ଶିକ୍ଷା କରିବାର ନାହିଁ । ବର୍ତ୍ତମାନର ରାତିଗୁଡ଼ାକ ପରେ ଯେଉଁ ଅନ୍ୟ ସକାଳଟି ଆମଲାଗି ଅପେକ୍ଷା କରି ରହିଛି । ଆମେ ସେହି ସକାଳଟିକୁ ଆପଣାର ଯଥାର୍ଥ ସଂକଳ୍ପଗୁଡ଼ିକ ମଧ୍ୟରେ ଅନୁଭବ କରିପାରିଲେ ହିଁ ଉପସ୍ଥିତ ଓ ଆବଶ୍ୟକ ସଂଗ୍ରାମଗୁଡ଼ିକ ମଧ୍ୟ ଅନୁଭବ କରିପାରିବା । ସେହି ସଂଗ୍ରାମର ଅସଲ ନେତୃତ୍ୱଟିର ଜନ୍ମଲାଭ କରିବାରେ ମଧ୍ୟ ସାହାଯ୍ୟ କରିପାରିବା । ରାଜନୀତିକ ସ୍ୱାଧୀନତାକୁ ପୂର୍ଣ୍ଣତମ ଫଳ ବୋଲି ଧରିନେଇ ଯେଉଁ ଭୋଗକାମୀ ସଂଗ୍ରାମୀମାନେ ରାଜାଦ୍ଵାରକୁ ହିଁ ସର୍ବୋତ୍ତମ ଏବଂ ସର୍ବନିରାପଦ ଗତିବୋଲି ମାନି ନେଇଛନ୍ତି, ସେମାନଙ୍କୁ ଆମେ କ୍ଷମା କରିବା, ସେମାନେ ସେଇଯାଏ ଆସିବାଲାଗି ହିଁ ଅଭିପ୍ରେତ ହୋଇ ରହିଥିଲେ ବୋଲିଜାଣିବା । ଆମେ ଆହୁରି ଆଗକୁ ଯିବା ।

 

ସଂଗ୍ରାମୀ ଭୋଗ କରେ ନାହିଁ, ସଂଗ୍ରାମୀ କଦାପି ଶୀତଳ ହୋଇ ଯାଏନାହିଁ । ସଂଗ୍ରାମଟିଏ କଲାବୋଲି ସଂଗ୍ରାମୀ ସେଥିଲାଗି କଦାପି ଭତ୍ତା ମାଗି ଯାଏନାହିଁ । ସଂଗ୍ରାମୀ କେବେହେଲେ ଆପଣାର ପଗଡ଼ି ବିକି ପୋଷା ହୋଇ ରହିଯିବାକୁ ମନ କରେନାହିଁ । ଭାରତବର୍ଷରେ ରାଜନୀତିକ ସ୍ୱାଧୀନତାର ଆନ୍ଦୋଳନରେ ଯିଏ ସେନାପତିତ୍ୱ କରୁଥିଲେ, ସିଏ ରାଜନୀତିକ ସ୍ୱାଧୀନତା ହାସଲ ହୋଇଯିବା ପରେ ଆମର ବୃହତ୍ତର ଅସଲ ସଂଗ୍ରାମଟି ଆରମ୍ଭ, ହେବ ବୋଲି କେତେ ସ୍ପଷ୍ଟଭାବରେ ସବୁବେଳେ କହୁଥିଲେ । ଯେଉଁମାନେ ତାଙ୍କୁ ଦିଅଁ କରି ବସାଇ ଦେଉଳରେ ଭୋଗ ଖାଇବାରେ ଲାଗିଛନ୍ତି, ସେମାନଙ୍କଠାରୁ ଆମର ଆଦୌ କିଛିହେଲେ ଶିଖିବାକୁ ନାହିଁ । ପରବର୍ତ୍ତୀ ସଂଗ୍ରାମ, ମଣିଷକୁ ହିଁ ସର୍ବୋଚ୍ଚ ସ୍ଥାନରେ ବସାଇବାରେ ସଂଗ୍ରାମ । ଗାନ୍ଧୀଜୀ ସେହି ସଂଗ୍ରାମକୁ ଏକଦା ସାମାଜିକ ବିପ୍ଳବ ବୋଲି, କହିଥିଲେ । ରାଜନୀତିକ ବିପ୍ଳବପରେ ତାହାହିଁ ବିପ୍ଳବର ପରବର୍ତ୍ତୀ ସୋପାନ ।

 

୩୦ । ୧ । ୮୩

Image

 

କେବଳ ଦୁଇଟି ଲାଗି ସମର୍ଥ

 

ପ୍ରକାଶ ପାଇଥିବା ଏକ ସମ୍ବାଦରୁ ଜଣାଯାଇଛି ଯେ, ବୋମା ତିଆରି କରିବା ସକାଶେ ପାକିସ୍ତାନ ପାଖରେ ଯେତିକି ଅର୍ଥବଳ ଓ ଖୋରାକ ରହିଛି ସଥିରେ ସିଏ ମୋଟେ ଦୁଇଟି ବୋମା ତିଆରି କରିବାକୁ ସମର୍ଥ ହେବ । ଘରେ ଯେତିକି ଚୁନାଥାଏ, ସେହି ଅନୁସାରେ କେବଳ ସେତିକିଟି ପିଠା ତିଆରି କରିବା ସମ୍ଭବ ହୋଇଥାଏ । ବର୍ତ୍ତମାନ ତ ପାକିସ୍ତାନର ସର୍ବୋଚ୍ଚ ମାଲିକ ବିଦେଶରେ ଠା’ ଠା’ ବୁଲି ଆଣବିକ ଶକ୍ତିର ଉତ୍ପାଦନ ଲାଗି ଖୋରାକ ସଂଗ୍ରହ କରିବାରେ ଲାଗିଛନ୍ତି । ବେଳେବେଳେ ନିରାଶ ହୋଇ ପଡ଼ିବାଭଳି ଏପରି ମଧ୍ୟ କହି ପକାଉଛନ୍ତି ଯେ, ବାହାରୁ କୌଣସିଠାରୁ ସାହାଯ୍ୟ ନ ପାଇଲେ ମଧ୍ୟ ତାଙ୍କ ଦେଶ ଆପଣା ଗୋଡ଼ରେ ଠିଆହୋଇ ଓ ଆପଣାର ବଳ ଉପରେ ନିର୍ଭରକରି ଯେକୌଣସି ପ୍ରକାରେ ଆଣବିକ ଶକ୍ତି ଉତ୍ପାଦନର ସମର୍ଥ ହେବ । କଦାପି କାହାରି କଥାରେ ହଟିଯିବ ନାହିଁ ।

 

ବିଶ୍ୱ-ରାଜନୀତିରେ ଏବେ ଯାହାକୁ ତୃତୀୟ ପୃଥିବୀ ବୋଲି କୁହାଯାଉଛି, ସେଠି ନେତୃତ୍ୱଗୁଡ଼ାକୁ ପ୍ରାୟ ଠିକ୍‍ ଏହିପରି ହିଁ ଅବାଗିଆ ହୋଇଯାଇଛି ଏବଂ ମଣିଷର ସଂସାରଗୁଡ଼ାକୁ ଉଜୁଡ଼ି ଯିବାରେ ସାହାଯ୍ୟ କରିବାରେ ଲାଗିଛି । ତୃତୀୟ ପୃଥିବୀ ଏକଦା ଉପନିବେଶ ହୋଇ ରହିଥିଲା, ମଣିଷର ଯଥାର୍ଥ ଭାଗ୍ୟ ଦୃଷ୍ଟିରୁ ଜଙ୍ଗଲ ହୋଇ ପଡ଼ିଥିଲା । ସେହି ଜଙ୍ଗଲ ଉପରୁ ପରାଧୀନତା ହଟିଯିବା ପରେ ସେଠି ମହାବଳ ବାଘମାନେ ହିଁ ଏବେ ଏକଧିପତି ମାଲିକ ହୋଇ ବସିଛନ୍ତି । ଅସ୍ତ୍ରଭଣ୍ତାରଗୁଡ଼ାକ ସେହିମାନଙ୍କ ହାତରେ ରହିଛି । ଅସ୍ତ୍ରଭୀତି ଦ୍ଵାରା‌ ସେମାନେ ମଣିଷକୁ କାବୁକରି ରଖିଛନ୍ତି ଓ ଆପଣଙ୍କର ସ୍ଵତନ୍ତ୍ର ଶାସନ ଶାସ୍ତ୍ରଗୁଡ଼ାକର ଭିଆଣକରି ସେମାନେ ରାଜନୀତିକ ବିକାଶର ନାକରେ କଡ଼ା ଗଳାଇ ଯାବତୀୟ ଅଭୁଦ୍ୟୟକୁ ଅଟକାଇ ରଖିଛନ୍ତି । ବିଶ୍ୱର ଶିଳ୍ପୋନ୍ନତ ଦେଶଗୁଡ଼ିକ ସହିତ ସେମାନେ ବୋମାରେ ପ୍ରତିଦ୍ୱନ୍ଦିତା କରିବାଲାଗି ଅଭିଳାଷ କରୁଛନ୍ତି-। ଠିକ୍‌ ସେହିମାନଙ୍କ ପରି ହେବାକୁ ଇଚ୍ଛା କରୁଛନ୍ତି ଓ ନିଜ ଦେଶରେ କଂସପରି ଶାସନ ଜାରି କରି ରଖି ଚିରଞ୍ଜିବୀ ହେବାକୁ ଚାହୁଁଛନ୍ତି ।

 

ନିଜ ଦେଶରେ ଏମାନଙ୍କର ଆଦୌ କୌଣସି ଚେର ନାହିଁ । ମଣିଷମାନଙ୍କର ଅସଲ ସମସ୍ୟାଗୁଡ଼ିକ ପ୍ରତି ଏମାନଙ୍କର ଆଦୌ କୌଣସି ଆଖି ବି ନାହିଁ । ଦେଶରେ ଯଥାର୍ଥ ପରିବର୍ତ୍ତନଗୁଡ଼ାକୁ ଯେଉଁମାନେ ଭୟ କରୁଛନ୍ତି, ସେହି ଶିଷ୍ଟ ସାମନ୍ତ ଓ ବିତ୍ତଶାଳୀମାନେ ହିଁ, ସାମରିକ କର୍ତ୍ତାମାନଙ୍କୁ ସମର୍ଥନ କରୁଛନ୍ତି । ପ୍ରଚାରର ନାନା ଅଫିମ ପ୍ରୟୋଗ କରାଯାଇ ମଣିଷଗୁଡ଼ାଙ୍କୁ ସେଠି ଧର୍ମର ନାନା ଅପବାଦ ସୁଙ୍ଘାଇ ଗଧକରି ରଖିବାକୁ ସକଳ ଚେଷ୍ଟା ହେଉଛି ।

 

ମଣିଷଲାଗି ରାଷ୍ଟ୍ରର ଶାସନକୁ ଉଦ୍ଦିଷ୍ଟ କରି ରଖିବାକୁ ହେଲେ ଏହି ସବୁ ଦେଶରେ ଆଉ ଗୋଟିଏ ବିପ୍ଳବ ଦରକାର ଓ ସେହି ବିପ୍ଳବଲାଗି ଯେ ଆଉ ପ୍ରକାରେ ନେତୃତ୍ୱ ଦରକାର, ସେହି ଆଲୋଚନା ସେଠି ହୁଏତ ଆରମ୍ଭ ହେବାର ହିଁ ସୁଯୋଗ ପାଉନାହିଁ । ସେଥିଲାଗି ଅୟୁତ ମଣିଷଙ୍କୁ ଦରିଦ୍ର ଓ ଶୀତାର୍ତ୍ତ କରି ରଖି ସେଠି ବୋମାର ବିଚାର କରାଯାଉଛି ।

 

ଏହିସବୁ ଦେଶରେ, ଅର୍ଥାତ ଏହି ତଥାକଥିତ ତୃତୀୟ ପୃଥିବୀରେଏପରି ଏକ ନୂତନ ନେତୃତ୍ୱ ଜନ୍ମ ନେବା ଉଚିତ, ଯାହାକି ଦୁଇଟା ବୋମାକୁ ସବାବଡ଼ ସମ୍ପତ୍ତି ‌ବୋଲି ମଣୁଥିବା ଶାସକମାନଙ୍କୁ ସିଧା ହସି ପାରିବ, ଯାହାକି ଅଭ୍ୟୁଦୟର ଏକ ଅନ୍ୟ ବ୍ୟାଖ୍ୟା ଆଣି ଦେଇପାରିବ । ଯାହା ମଣିଷମାନଙ୍କୁ ହିଁ ଅସଲ ଭୂଇଁ କରି ଗଢ଼ିପାରିବ ଓ ସେହି ଭୂଇଁରୁ ଯାବତୀୟ ଅନ୍ୟ ନିର୍ମାଣକୁ ମନ କରିବ । ସାମନ୍ତବାଦୀ ନେତୃତ୍ୱ ଏକଥା ମୋଟେ କରିପାରିବ ନାହିଁ, ଏହି ଆୟତନରେ ଆଦୌ କୌଣସି ଚିନ୍ତାକରି ପାରିବାକୁ ହିଁ ସାମରିକ ଭୟପ୍ରମତ୍ତ କର୍ତ୍ତାମାନଙ୍କର ବୁଦ୍ଧି ବି ପାଇବ ନାହିଁ ।

 

୩ । ୨ । ୮୩

Image

 

ବିଚାର ମର୍ତ୍ତ୍ୟରେ ହୁଏ (୨)

 

ବିଚାର ମର୍ତ୍ତ୍ୟରେ ହୁଏ, ବିଚାର ଏଇଠି ହୁଏ । ମଣିଷମାନେ ହିଁ ଏହି ବିଚାରଗୁଡ଼ିକୁ କରନ୍ତି । ଅନ୍ୟାୟଗୁଡ଼ାକର ବିଚାର ହୁଏ । ଅସମଞ୍ଜସତାଗୁଡ଼ାକର ବିଚାରହୁଏ । ଯାବତୀୟ ମଳିନତା ଓ ଦମ୍ଭପଣର ବିଚାର ହୁଏ । ଯେଉଁମାନେ ଆସନରେ ଥାଆନ୍ତି, ବଚାର କରିବାର ଯାବତୀୟ ଅଧିକାରକୁ ସେମାନେ ହାତରପାଞ୍ଚ କରି ରଖିଥାନ୍ତି ବୋଲି ସର୍ବଦା ଅନ୍ୟପ୍ରକାର ଭାବୁଥାନ୍ତି । ଯେଉଁମାନେ ଶାସ୍ତ୍ରଗୁଡ଼ାକୁ ଆପଣାର କରାୟତ୍ତ କରି ରଖିଥାନ୍ତି, ଶାସ୍ତ୍ର ବାହାରେ ଅଧିକ ବଳଶାଳୀ ହୋଇ ଆହୁରି ଏକ ଶାସ୍ତ୍ରବିବେକ ଓ ଧର୍ମବିବେକ ରହିଛି ବୋଲି ସେମାନେ ପ୍ରାୟ‌ ଏକ ପ୍ରୟୋଜନରେ ପଡ଼ି ଏକାବେଳେକେ ପାସେରି ଦେଇଆନ୍ତି । ସେମାନେ ହୁଏତ ବିଚାରର ସକଳ ପୀଠକୁ ଦଖଲକରି ନେଇଥାନ୍ତି ସତ, ତଥାପି ସେହିମାନଙ୍କୁ ଅବାକ୍‌କରି ଖମ୍ବଭିତରୁ ହିଁ ପରବର୍ତ୍ତୀ ବିଚାରକର ଆବିର୍ଭବ ହୁଏ । ସିଂହ ରୂପରେ ପରବର୍ତ୍ତୀ ଅବତାରର ଆବିର୍ଭାବ ହୁଏ ଓ ସେହିଠାରେ ହିଁ ଅନ୍ୟାୟକାରୀର ବିଚାର ଆରମ୍ଭ ହୋଇଯାଏ । ହିରଣ୍ୟକଶିପୂର ବିଦାରଣ ଦ୍ୱାରା ନ୍ୟାୟ ଆପଣାକୁ ପ୍ରତିଷ୍ଠିତ କରେ ।

 

ଆମେ ଯେଉଁମାନେ ରାଜନୀତି କରୁଛୁ, ପାଠ ପଢ଼ାଉଛୁ, ଦେଶକୁ ଗଢ଼ିବୁ ବୋଲି ବେତନ ପାଉଛୁ, ଆମେ ଯେଉଁମାନେ ଏହି ସବୁକିଛିକୁ ସତେଅବା ଗୋଟାଏ ଆଳପରି ବ୍ୟବହାର କରି ହିଁ କେବଳ ଆପଣାର ବୁଦ୍ଧି ଓ ଆପଣାର ସ୍ଫୀତିଗୁଡ଼ାକୁ ଲୋଡ଼ୁଛୁ ଆମର ବିଚାର ଏଇଠି ଏହି ମର୍ତ୍ତ୍ୟରେ ହେବ । ଅମେ ଯେଉଁମାନଙ୍କୁ ଅନ୍ଧ ଓ ଅକିଞ୍ଚନ କରି ରଖି ଏହି ନିଦା ଅନ୍ଧକାରଗୁଡ଼ାକ ଭିତରେ ରାଜପଣ କରିବାରେ ଲାଗିଛୁ, ଉଚ୍ଚ ଭୋଗମଞ୍ଚାଗୁଡ଼ାକ ଉପରେ ସମ୍ପୂର୍ଣ୍ଣ ନିରଙ୍କୁଶ ଭାବରେ ବସି ମୁକ୍ତି ପାଇଗଲୁ ବୋଲି ଭାବୁଛୁ, ସେହିମାନଙ୍କ ଭିତରେ ହିଁ ଦିନେ ବିଶ୍ୱାସ ନୂତନ ଜନ୍ମଲାଭ କରିବ ଓ ପ୍ରହ୍ଲାଦ ପରି ଆଦେଶ ଦେଇ ଖୁମ୍ବ ଭିତରୁ ନରସିଂହକୁ ବାହାର କରାଇବ । ସେଇଦିନ ଆମର ଯାବତୀୟ ଅବିଶ୍ୱାସଗୁଡ଼ାକର ବିଚାର ହେବ, ଏଇଠି ହିଁ ହେବ ।

 

ଇତିହାସରେ ବାରମ୍ବାର ଏହିପରି ବିଚାର ହୋଇଆସିଛି । ପ୍ରତିଷ୍ଠିତ ଅନେକ ରାଜା ଓ ଅନେକ ରାଜପଣକୁ ଅସ୍ଵୀକାର କରି ଏହି ବିଚାର ହୋଇଛି । ନୂଆମାନେ ଆସିଛନ୍ତି—ପୁରୁଣାଗୁଡ଼ାକୁ ତଡ଼ିବାର ନିଶାରେ ସେମାନେ ଆପେ ନିଶା ଖାଇଛନ୍ତି, ନୂଆ ରାଜାହୋଇ ବସିଯାଇଛନ୍ତି ଓ ବିବେକକୁ ବୋକା ବନାଇଛନ୍ତି । କ୍ଷମତାକୁ ହଟାଇ ସେମାନେ ଆପଣାକୁ ହିଁ କ୍ଷମତାରୂପେ ପ୍ରତିଷ୍ଠିତ କରିଛନ୍ତି । ବିପ୍ଳବଗୁଡ଼ାକ ବହିରେ ପରିଣତ ହୋଇ ଯାଇଛି । ବିପ୍ଳବୀମାନେ ପ୍ରତିକ୍ରିୟାର ପ୍ରତିନିଧି ହୋଇ ବସିଛନ୍ତି ଏବଂ ସେମାନଙ୍କର ବି ବିଚାର ହୋଇଛି । ଏଇଠି ଏହି ମର୍ତ୍ତ୍ୟରେ ହୋଇଛି ।

 

ଏହି ପ୍ରକ୍ରିୟା ସେପର୍ଯ୍ୟନ୍ତ ଲାଗିରହିଥିବ, ଯେପର୍ଯ୍ୟନ୍ତ ମଣିଷ ମଣିଷକୁ ନଲୋଡ଼ି, କ୍ଷମତାକୁ ହିଁ ଲୋଡ଼ିବାରେ ଲାଗିଥିବ ଏବଂ ଆପଣାକୁ ଭଣ୍ଡୁର କରି ପକାଉଥିବ । ରାଜାମାନଙ୍କ ପକ୍ଷରେ ବଶିଷ୍ଠମାନେ ଥିବେ, ଦ୍ରୋଣାଚାର୍ଯ୍ୟମାନେ ଥିବେ, ଭୀକ୍ଷୁ ଓ ଭୀମମାନେ ମଧ୍ୟ ରହିଥିବେ । ତଥାପି ବିଚାରହେବ; ଏଇଠି ଏହି କୁରୁକ୍ଷେତ୍ରରେ ବିଚାରହେବ । ଯେଉଁ ଅନ୍ୟ ମୁହୂର୍ତ୍ତଟିର ପାଳି ଆସି ପହଞ୍ଚିଥିବ, ସେଇ ସେମାନଙ୍କ ରବିଚାର କରିବ । ତକ୍ଷକମାନଙ୍କର ବିଚାର ହେବ । ଇନ୍ଦ୍ର ମାନଙ୍କର ବି ବିଚାର ହେବ । ଯେଉଁ ଇନ୍ଦ୍ରମାନେ ଯୁଗେଯୁଗେ ବିଚାରଗୁଡ଼ାକୁ ଆତ୍ମସାତ କରିରଖି ସର୍ବକାଳ ସକାଶେ କେବଳ ଇନ୍ଦ୍ରପରି ଅନ୍ଧାରଗୁଡ଼ାକୁ ଭୋଗକରିବେ ବୋଲି ଅଣ୍ଟାବାନ୍ଧି ବସିଥାନ୍ତି, ସେମାନଙ୍କର ବିଚାର ହୁଏ । ନୂତନ ଯୁଗର ବିଧାନ ସେମାନଙ୍କର ସିଂହାସନଗୁଡ଼ାକର ଔଚିତ୍ୟ ବିଷୟରେ ପ୍ରଶ୍ନ କରିବାକୁ ଆରମ୍ଭ କରେ । ଆସନଗୁଡ଼ାକ ଟଳିପଡ଼ନ୍ତି । ଏହି ମର୍ତ୍ତ୍ୟରେ ଆଗାମୀ ଅନ୍ୟ ବ୍ୟବସ୍ଥାଟି ଲାଗି ବାଟ ଛାଡ଼ିଦିଅନ୍ତି ।

 

୧୩ । ୨ । ୮୩

Image

 

କୁମ୍ଭୀର-କାନ୍ଦଣା

 

ବଡ଼ଲୋକମାନେ ଯେତେବେଳେ କାନ୍ଦନ୍ତି ସେତେବେଳେ ଆପଣାର ବଡ଼ଲୋକୀଗୁଡ଼ାକୁ ବଜାୟ ରଖି କାନ୍ଦନ୍ତି । ଠିକ୍‌ ବଡ଼ଲୋକଙ୍କ ପରି କାନ୍ଦନ୍ତି । ସେମାନେ ସଭାରେ କାନ୍ଦନ୍ତି, ହୋଟେଲ ଭିତରେ ସୁରା ପାନର ଅନୁଷ୍ଠାନକରି କାନ୍ଦନ୍ତି । ଅମୁକ ଉଜୁଡ଼ିଗଲା ଓ ସମୁକ ଭୁଷୁଡ଼ି ପଡ଼ିଲା ବୋଲି କାନ୍ଦନ୍ତି । ସେମାନଙ୍କୁ ସେହିପରି ଭାବରେ କାନ୍ଦୁଥିବାର ଦେଖିଲେ ସେମାନେ ସତେଅବା ଆରଜନ୍ମରେ କୁମ୍ଭୀର ଥିଲେ ଅଥବା ପରବର୍ତ୍ତୀ ଜନ୍ମରେ କୁମ୍ଭୀର ହୋଇ ଜନ୍ମ ହେବେ ବୋଲି ମନେହୁଏ ।

 

ଦୁଃଖର ବର୍ଣ୍ଣନା କରୁକରୁ ସେମାନେ ସମସ୍ତେ ଦେଖିପାରିବା ଭଳି ସତକୁସତ କାନ୍ଦି ପକାନ୍ତି । ସେମାନଙ୍କର ସତକୁସତ ବାକ୍‌ରୁଦ୍ଧ ହୋଇଆସେ । ସେଥିଲାଗି ସଂସାରକୁ ଦୁଃଖ ପଡ଼ିବା ମାତ୍ରକେ ସେମାନେ ମଟରଗାଡ଼ି ଧରି ସହରରୁ ମଫସଲକୁ ଛୁଟନ୍ତି । ସାଙ୍ଗରେ ସାମ୍ବାଦିକ ନେଇଥାନ୍ତି, ଫଟୋ ଉଠାଇବାବାଲାଙ୍କୁ ବି ନେଇଥାନ୍ତି । ଦୁଃଖର ଦୃଶ୍ୟଗୁଡ଼ିକୁ ଦେଖି ସେମାନଙ୍କର ହୃଦୟ ସତକୁସତ ଫାଟିପଡ଼ୁଥିବା ପରି ଦେଖାଯାଏ । ସେମାନେ ସେହି ଫାଟିପଡ଼ିବାର ଦୃଶ୍ୟଟିକୁ ଫଟୋଯନ୍ତ୍ରରେ ସତେଅବା ଫାଶ ବସାଇ ଧରିଆଣିଲା ପରି ଧରିଆଣନ୍ତି ଓ ଅବିକଳ ଖବରକାଗଜରେ ସୁମଣ୍ଡିତ କରି ଛାପି ଦିଅନ୍ତି । ସଂସାରକୁ ଦୁଃଖ ପଡ଼ିଥିବା ବେଳେ ସେମାନେ ଯେ ସେଠାରେ ଉପସ୍ଥିତ ଥିଲେ ତାହାରି‌ ପ୍ରମାଣ ଦିଅନ୍ତି ।

 

ଆମ ଦେଶରେ ଯୁଗେଯୁଗେ ଦୁଃଖ ରହିଛି, ସେହି ଦୁଃଖକୁ ଦେଖି ଆଖିଦୃଶିଆ ହୋଇପାରିବା ଭଳି କାନ୍ଦିବାର ବଡ଼ଲୋକମାନେ ମଧ୍ୟ ରହିଛନ୍ତି । କୁମ୍ଭୀରମାନେ ଯେପରି କାନ୍ଦିବାର ଇତିହାସରେ ଅମର ହୋଇ ରହିବେ, ସମ୍ଭବତଃ ସବାଆଗ ତାହାରି ବରାଦ କରିବାଲାଗି ଭଗବାନ ଏହି ଦେଶଲାଗି କାଳକାଳ ଧରି ଦୁଃଖର ବି ବରାଦ କରି ରଖିଛନ୍ତ । ଏ ଦେଶରେ ବାତ୍ୟା ହେଉଛି, ବନ୍ୟା ହେଉଛି, ମରୁଡ଼ି ଘୋଟି ମଣିଷର ଶୁଖିଲା ଭାଗ୍ୟଗୁଡ଼ାକ ଫାଟି ଆଁ କରି ରହିଛନ୍ତି । ସଭାକାନ୍ଦଣାଗୁଡ଼ାକ ଅତ୍ୟନ୍ତ ନିର୍ମଳ ଓ ଅବ୍ୟାହତ ଭାବରେ ବି ଲାଗିରହିଛି । ଏ ଦେଶରେ ହିତୌଷୀ ବଡ଼ଲୋକମାନେ ଯେ ଦେଶର ଦୁଃଖ ଦେଖିଲେ ଭୋ’ ଭୋ’ କାନ୍ଦିପାରନ୍ତି, ସମ୍ଭବତଃ ସେହି କଥାଟାକୁ ଆମ ଦେଶର ଏକ ସଂସ୍କୃତିଗତ ସତ୍ୟ ବୋଲି ପ୍ରତିପାଦିତ କରିଦେବାର ଲାଗିଛି ।

 

ଦୀନ ମଣିଷଙ୍କର ଦୁଃଖ ଦେଖି ଯେଉଁମାନେ ଆନୁଷ୍ଠାନିକ ଭାବରେ ଯୁଗେଯୁଗେ କାନ୍ଦି ଆସିଛନ୍ତି ଓ ସେହି କାନ୍ଦଣାକୁ ଫଟୋ ଆକାରରେ ଛାପି ରଖିଛନ୍ତି, କାଳେକାଳେ ହୁଏତ ସେହିମାନେ ହିଁ ମଣିଷମାନଙ୍କର ଅନେକ ଦୁଃଖ ଓ ଅନେକ ଦୀନତାର କାରଣ ହୋଇ ରହିଛନ୍ତି । ଭାରତବର୍ଷରେ ଆମେ ଏଭଳି ଏକ ସମାଜ ବ୍ୟବସ୍ଥାକୁ ପ୍ରାୟ ଏକ ସ୍ଵୀକୃତ ଧର୍ମର ବାଡ଼ ଦେଇ କାଏମ କରି ରଖିଆସିଛୁ, ଯେଉଁଥିରେ କି ଅଧିକଂଶ ମଣିଷ ଅସହାୟ ଓ ଅଳ୍ପବଳ ହୋଇ ରହିଛନ୍ତି-। ପ୍ରବଳର ଦୟା ଉପରେ ଅତିରିକ୍ତ ଓ ଅତ୍ୟନ୍ତ ଦୟନୀୟ ଭାବରେ ନିର୍ଭରଶୀଳ ହୋଇ ରହି ଆସିଛନ୍ତି । ଦୟାଳୁ ପ୍ରବଳମାନେ ହିଁ ଏହି ସମାଜରେ ଦୁର୍ଗତିଗୁଡ଼ାକୁ ସ୍ଥାୟୀ କରି ରଖିବାରେ ସବୁଠାରୁ ଅଧିକ ସାହାଯ୍ୟ କରିଛନ୍ତି ।

 

କୁମ୍ଭୀରମାନଙ୍କର ସେହି କାଳଟା ଏବେ ସରି ସରି ଆସୁଛି । ସେମାନେ ସେହି ସଭା ଭିତରେ ହିଁ ଥାଆନ୍ତୁ, ସଭା ଭିତରେ ହିଁ କାନ୍ଦୁଥାନ୍ତୁ ଓ ନିଜର କାନ୍ଦଟାକୁ ହିଁ ହୃଷ୍ଟ ହୋଇ ଦେଖୁଥାନ୍ତୁ ପଛକେ, ଆମେ ଆଉ କଦାପି ସେମାନଙ୍କ ଲାଗି ଅପେକ୍ଷା କରି ରହିବା ନାହିଁ । ଆମେ ସେମାନଙ୍କୁ ଉପେକ୍ଷା କରି ଆଗକୁ ଚାଲିଯିବା । କୁମ୍ଭୀରଗୁଡ଼ାକ କୁମ୍ଭୀର ହୋଇ ପଛରେ ରହିଯିବେ । ଆମେ ଆଉ ଏକ ସମାଜର ଓ ଆଉ ଏକ ସଂସ୍କୃତିର ମୂଳଦୁଆ ପକାଇବା, ଯେଉଁଠାରେ କି ମଣିଷକୁ ଆଉ ମୋଟେ କୁମ୍ଭୀରମାନଙ୍କ ଉପରେ ନିର୍ଭର କରି ରହିବାକୁ ପଡ଼ିବନାହିଁ ।

 

୧୭ । ୨ । ୮୩

Image

 

ଖବରକାଗଜର ମଜା

 

ଖବରକାଗଜ ଖବର ପାଇଁ ଛାପାହୁଏ । ମାତ୍ର ଆମ ଓଡ଼ିଶାରେ ଏପରି ଦୁଇଟି ଖବରକାଗଜ ଅଛନ୍ତି ଯେଉଁଥିରେ କି ଖବର ଅପେକ୍ଷା ଭାଷଣ ଓ ବିବୃତ୍ତି ଗୁଡ଼ାକ ହିଁ ଅଧିକ ପରିମାଣରେ ବାହାରେ ଓ ତାହାକୁ ହିଁ ଖବର ବୋଲି ପରିବେଷଣ କରି ଦିଆଯାଏ । ଭାଷଣ ଓ ବିବୃତ୍ତିଗୁଡ଼ାକ ସଚିତ୍ର ହୋଇ ବାହାରେ । ଏପାଖରୁ ଗୋଟିଏ ବିବୃତ୍ତି ବାହାରିଲେ ସେପାଖରୁ ତାହାକୁ ଖଣ୍ଡନ କରି ପ୍ରତିବିବୃତ୍ତି ବି ବାହାରେ । ଏହିପରି ଚଢ଼ା ଆଉ ଉତରା ଲାଗି ରହିଥାଏ । ଏପାଖ ସେପାଖଟାକ ଗୋଟାସୁଦ୍ଧା ଅସାଧୁ ବୋଲି କହେ । ଅର୍ଥାତ ଆପଣା ପାଖଟାକୁ ସାଧୁବୋଲି ସାବ୍ୟସ୍ତ କରିବା ସକାଶେ ସବୁମନ୍ତେ ଚେଷ୍ଟା କରେ । ସେପାଖଟା ଓ ଆଦୌ ହଟିଯାଏ ନାହିଁ । ନିଜକୁ ହିଁ ସାଧୁ ଓ ସତ ବୋଲି କହି ଏପାଖଟାକୁ ମିଛ ଓ ଅସାଧୁ ବୋଲି କହେ । ଆବଶ୍ୟକ ପଡ଼ିଲେ ହଲପ କରି କହେ, ଶାସ୍ତ୍ରରୁ ପ୍ରମାଣ ବାଢ଼ିଦେଇ କହେ ଢଗରେ କହେ, ଶ୍ଲେଷରେ କହେ ଓ ଗୀତରେ କହେ । ଓଡ଼ିଶାରେ ଅନେକ ମଣିଷ ପ୍ରାୟ ମଜା ଦେଖିବାକୁ ହିଁ ଏକାବେଳେ ଦୁଇଟାଯାକ ଖବରକାଗଜ କିଣନ୍ତି ଓ ପଢ଼ନ୍ତି । ଆପଣାର ଲବ୍ଧ ଦୀର୍ଘ ଅଭିଜ୍ଞତାଗୁଡ଼ିକ ଖଟାଇ ଦୁଇ ପକ୍ଷର ଦୁଇ ହିରୋ କିପରି ପରସ୍ପରକୁ ପଦାରେ ପକାଇବାକୁ ଯାଇ ଆପେ ପଦାରେ ପଡ଼ନ୍ତି ଓ ହାସ୍ୟାସ୍ପଦ ହୁଅନ୍ତି, ପାଠକମାନେ ନିତି ତାହାର ମଜା ଚାଖନ୍ତି ।

 

ସତ୍ ମଣିଷ ଆଦର୍ଶ ପାଇଁ ସଂଗ୍ରାମ କରେ, ଆପଣାଠାରୁ ଅଧିକ ବୃହତ୍‍ କୌଣସି ଏକ ଉଦ୍ଦେଶ୍ୟ ଲାଗି ସଂଗ୍ରାମ କରେ । ଆପଣାର ସକଳ ବିଦ୍ୟା, ବୁଦ୍ଧି ଓ ଉତ୍ସାହକୁ ସିଏ ସେଇଥିଲାଗି ଖଟାଏ । ମାତ୍ର ତଥାପି ସଂସାରରେ କେତେକ ମଣିଷ ଥାଆନ୍ତି, ଯେଉଁମାନେ କି ଏହି ସଂଗ୍ରାମ ଭିତରକୁ ଆସିବା ମାତ୍ରକେ କେଉଁ ଅନିଷ୍ଟର କବଳ ଭିତରେ ଯାଇ ପଡ଼ିଯାଆନ୍ତି କେଜାଣି ସେମାନେ ଅସଲ ସଂଗ୍ରାମଗୁଡ଼ିକ ଭୁଲି ପରସ୍ପର ସହିତ ସଂଗ୍ରାମ କରନ୍ତି । ପରସ୍ପର ସହିତ ଖୁରି ଖାଇବାରେ ଲାଗିଥାନ୍ତି ଓ ଦାଣ୍ଡରେ ଲୋକହସା ହୁଅନ୍ତି । ଏହିଭଳି ମଣିଷମାନଙ୍କ ହାତରେ ଯଦି ଖଣ୍ଡେ ଖଣ୍ଡେ ଖବରକାଗଜ ରହିଥାଏ, ତେବେ ସେମାନେ ସେଇଟାକୁ ମଧ୍ୟ ପରସ୍ପର ବିରୁଦ୍ଧରେ ସତେଅବା ବାଣ ପରି ବ୍ୟବହାର କରନ୍ତି । ସାନରୁ ବଡ଼ ହୁଅନ୍ତି, ଟୋକାରୁ ବୁଢ଼ା ହୁଅନ୍ତୁ, ତଥାପି ପରସ୍ପର ବିରୁଦ୍ଧରେ ଯୁଝିବା ଛାଡ଼ିପାରନ୍ତି ନାହିଁ । ଭଗବାନଙ୍କ ଠାରୁ ସତେଅବା ଶାପ ପାଇ ଆସିଥିବା ପରି ଏହି ହାସ୍ୟାସ୍ପଦ ପ୍ରହସନଟାକୁ ସର୍ବଦା ସରଗରମ କରି ରଖିଥାନ୍ତି ।

 

ରାଜନୀତିକ ସଚେତନତାର ଅଭିବୃଦ୍ଧି କରିବା ହେଉଛି ଯେକିୌଣସି ଦେଶରେ ଖବରକାଗଜର ସର୍ବପ୍ରଥମ କର୍ତ୍ତବ୍ୟ । ଭାରତବର୍ଷ ଭଳି ଏକ ଦେଶରେ, ଯେଉଁଠାରେ କି ରାଜନୀତିକ ସ୍ୱାଧୀନତା ଆସିବାପରେ ସାମୂହିକ ବିବେକଗୁଡ଼ାକର ମୁହଁରେ ତୁଣ୍ଡି ବାନ୍ଧି ରଖିଦିଆଯିବାର କେତେ ଚକ୍ରାନ୍ତ ହେଉଛି ଓ ତାଦ୍ଵାରା ଏଠି କେତେ ବିପ୍ଳବ ଓ ପରିବର୍ତ୍ତନକୁ ଅଟକାଇ ରଖାଯାଇଛି, ଏଠାରେ ସେହି ରାଜନୀତିକ ସଚେତନତାର ଆବଶ୍ୟକ ପ୍ରସାର ଘଟାଇବା ହିଁ ଖବରକାଗଜମାନଙ୍କର ଆହୁରି ଅଧିକ ପରିମାଣରେ ଆବଶ୍ୟକ ଏକ କର୍ତ୍ତବ୍ୟ ହୋଇ ରହିଛି । ଖବରକାଗଜକୁ ମନ କରିଥିବା ଯେକୌଣସି ବ୍ୟକ୍ତିର ସବାଆଗ ଏହି କଥାଟିକୁ ବିବେକରେ ରଖି ଖବରକାଗଜକୁ ମନ କରିଥିବା ଉଚିତ । ମାତ୍ର, ଅନ୍ତର୍ଗତ କେତେକେତେ ବ୍ୟର୍ଥତା ହେତୁ ଯେଉଁମାନେ ବୁଢ଼ା ହେଲେ ମଧ୍ୟ ତଥାପି ପୁରୁଣା ଖଳତାଗୁଡ଼ାକୁ ଛାଡ଼ି ପାରିନଥାନ୍ତି, ସେମାନେ ଅତ୍ୟନ୍ତ ଅଚେତନ ଭାବରେ ସେହି ଖଳତାଗୁଡ଼ାକର ହିଁ ପ୍ରସାଧନ କରିବାରେ ଲାଗିଥାନ୍ତି ଓ ସମ୍ବାଦ ବୋଲି ଆପଣାର ଢମଗୁଡ଼ାକୁ ହିଁ ମୋହିଁ ଦେଉଥାନ୍ତି । ସମ୍ବାଦପତ୍ର କହିଲେ ଓଡ଼ିଶାର ସବାଆଗ ପ୍ୟାରୀମୋହନଙ୍କ କଥା ମନେପଡ଼େ, ସବାଆଗ ଗୋପବନ୍ଧୁଙ୍କ କଥା ମନେପଡ଼େ । ଏମାନେ ସମସ୍ୟା-ସଚେତନ ଥିଲେ, ଲୋକ ସଚେତନ ଥିଲେ, ତେଣୁ ସେମାନଙ୍କର ସାମ୍ବାଦିକତାରେ ସାଧୁତାର ସ୍ଵାଭାବିକ ଦୀପ୍ତି ରହିଥିଲା । ଓଡ଼ିଶାରେ ବର୍ତ୍ତମାନ ସେହିମାନଙ୍କର ପୁନରାବିର୍ଭାବ ଆବଶ୍ୟକ । ଓଡ଼ିଶାର କ୍ଷେତ୍ରଗୁଡ଼ାକ ବର୍ତ୍ତମାନ ତାହାରିଲାଗି ଅପେକ୍ଷା କରି ରହିଛି, ଦିନ ଗଣୁଛି ଓ ଅସଲ ଦିନଟି ଆସିବା ପର୍ଯ୍ୟନ୍ତ ଏହି ଅଯୋଗ୍ୟ ଯୁଝାଳିମାନଙ୍କର କୁକ୍ରୀଡ଼ାଗୁଡ଼ାକୁ ସହିବା ଲାଗି ବାଧ୍ୟ ହେଉଛି ।

 

୨୩ । ୨ । ୮୩

Image

 

ଯୋଗ ଓ ପ୍ରାଣାୟାମଦ୍ୱାରା

 

ଯୋଗ ଓ ପ୍ରାଣାୟାମ ଦ୍ୱାରା ବହୁ କଠିନ କାର୍ଯ୍ୟ ସାଧିତ ହୋଇପାରିବ ବୋଲି ଏବେ ଜଣେ ପ୍ରଦର୍ଶନକାରୀ ହଠଯୋଗୀ ଏକ ଯୋଗ ସମାବେଶରେ ଭାଷଣ ଦେଇ କହିଛନ୍ତି । ଏବେ ଓଡ଼ିଶାର ସମ୍ବଲପୁରଠାରେ ଯୋଗକୁ ମୂଳ ବିଷୟ କରି ଆୟୋଜିତ ହୋଇଥିବା ଏକ ସମ୍ମୀଳନୀରେ ଜଣେ ଯୋଗବିଶେଷଜ୍ଞ ସେହି କଥା ପ୍ରକାଶ କରିଛନ୍ତି । ତାଙ୍କର ଘୋଷଣା ଅନୁସାରେ ଯୋଗ ଏବଂ ପ୍ରାଣାୟାମ ବଳରେ ଅସାଧାରଣ ଦକ୍ଷତା ଅର୍ଜନ କରି ଜଣେ ବ୍ୟକ୍ତି ମୋଟର ଗାଡ଼ିକୁ ଅଟକାଇ ଦେଇ ପାରିବ । ଛାତି ଉପରେ ରୋଲର ଚଢ଼ାଇପାରିବ, ଗୋଟିଏ ତମ୍ବା ଥାଳିକୁ ହାତରେ ଦୁଇଖଣ୍ଡ କରି ଭାଙ୍ଗି ବି ଦେଇପାରିବ ।

 

ପୁନଶ୍ଚ ପାଣିଭିତରେ ଚବିଶିଘଣ୍ଟା ବୁଡ଼ିକରି ରହିପାରିବ ଓ ଆଠଘଣ୍ଟା ପର୍ଯ୍ୟନ୍ତ ଭୂଇଁତଳେ ବି ରହିପାରିବ । ବେକରେ ରସିଲାଗାଇ ଫାଶୀ ଝୁ‌ଲିପାରିବ । ଅଥଚ ତାହାର ଆଦୌ କିଛି ହେବନାହିଁ । ଏହିସବୁ ପ୍ରସଙ୍ଗ ଶୁଣି ସଭାରେ ଉପସ୍ଥିତ ଲୋକମାନେ ପ୍ରକୃତରେ କେଡ଼େ ଆଶ୍ଚର୍ଯ୍ୟ ହୋଇଯାଇଥିବେ । ସତେ ଅବା ପୁରାଣରେ କେଉଁ ହନୁମାନିଆ ଯୁଗକୁ ଫେରିଗଲା ପରି ଅନୁଭବ କରିଥିବେ ।

 

ଯୋଗଶାସ୍ତ୍ରକୁ ଏବେ ଅନେକ ଅଯୋଗୀପ୍ରାୟ ଏକ ସର୍କସଶାସ୍ତ୍ର‌ରେ ପରିଣତ କରିସାରିଲେଣି । ଯୋଗ ଓ ପ୍ରାଣାୟାମକୁ ଏବେ ପୂର୍ଣ୍ଣ ସନ୍ତର୍ପଣ ସହିତ ଏକ ଟେକ୍‌ନିକ ପରି ବ୍ୟବହାର କରାଗଲାଣି । ଯୋଗ ଯେ କେବେ ଏକ ଆଧ୍ୟାତ୍ମିକ ସାଧନାର ଅଙ୍ଗହୋଇ ରହିଥିଲା, ସେ କଥାକୁ ଲୋକମାନଙ୍କଠାରୁ ପାସୋର କରି ରଖିବାକୁ ଏବର ଗୁରୁମାନେ ଭାରି ଚେଷ୍ଟା କରୁଛନ୍ତି । ଯେଉଁ ଯୋଗରେ ଅସାଧ୍ୟଗୁଡ଼ାକ ହଠାତ୍ ସାଧ୍ୟହୋଇ ଯାଏ, ପାରମ୍ପାରିକ ଭାବରେ ତାହାକୁ ହିଁ ହଠଯୋଗ ବୋଲି କୁହାଯାଉଥିଲା । କାଳକ୍ରମେ ସେହି ହଠାତ୍ ସିଦ୍ଧିଲାଭ ଆଡ଼କୁ ହିଁ କେତେକଙ୍କର ଅଧିକ ମନ ବଲିଲା ଓ ଏହିପରି ଅତ୍ୟୁସ୍ତ୍ରାହୀମାନେ କ୍ରମେ କେବଳ ଏଇଟାକୁ ହିଁ ଏକମାତ୍ର ଯୋଗ ବୋଲି କହିଲେ । ସମ୍ଭବତଃ ଏହିପରି ଭାବରେ ଭାରତୀୟ ଯୋଗସାଧନା କ୍ରମେ ବଡ଼ ଏକୋତ୍ସହୀ ହୋଇଗଲା, ବାଟ ହୁଡ଼ିଗଲା । ପ୍ରଦର୍ଶନ ପାଖରେ ଅଟକି ରହିଗଲା । ଭୂଇଁ ଛାଡ଼ିଲା, ଜୀବନକୁ ଛୁଇଁ ଆସିବାର ଓ ଜୀବନକୁ ବଦଳାଇ ପାରିବାର ସମଗ୍ର ନୟନଟିକୁ ହରାଇ ବସିଲା ।

 

ରାଜ୍ୟର ଲମ୍ବା ମଣିଷମାନଙ୍କୁ ବସାଇ ଏବେ ଯେଉଁମାନେ ଯୋଗକୁ ନେଇ ସମ୍ମୀଳନୀମାନ କରୁଛନ୍ତି ଓ ଯୋଗାଦି ଉପଚାର ଦ୍ଵାରା ଅମୁକ ବା ସମୁକ ହୋଇପାରିବ ବୋଲି ବିଚରା ସାଧାରଣ ମଣିଷମାନଙ୍କୁ ତାଟକା କରି କହିବାରେ ଲାଗିଛନ୍ତି, ସେମାନଙ୍କଠାରେ ମଧ୍ୟ ଯୋଗର ଅସଲ ନୟନଟି ମୋଟେ ନାହିଁ । ସେମାନେ ଅନ୍ୟ ଉତ୍ସାହରେ ଯାଇ ପଶିଛନ୍ତି ।

 

ଭାରତୀୟ ଯୋଗସାଧନା ପ୍ରଧାନତଃ ଯେଉଁ କାରଣଟି ଦ୍ୱାରା‌ ଜୀବନକୁ ହୁଡ଼ିଲା ଓ ପ୍ରାୟ ଏକ ବିଶେଷଜ୍ଞ-ପଣିଆରେ ପରିଣତ ହୋଇ ରହିଲା, ସେମାନେ ସେଇଟି ଦ୍ୱାରା ହିଁ ଗୋଟାସୁଦ୍ଧା ଗିଳିହୋଇ ରହିଛନ୍ତି । ଯୋଗର ପ୍ରକରଣକୁ ପ୍ରାୟ ଏକ ସର୍କସର ପ୍ରକରଣରେ ଆଣି ଥୋଇଛନ୍ତି । ସେହି ପ୍ରକରଣଟାକୁ ଦୂର ବିଦେଶକୁ ରପ୍ତାନୀ କରିବାରେ ଚକ୍ରବର୍ତ୍ତୀ ହୋଇ ବାହାରିଛନ୍ତି । ଯୁକ୍ତ ହେବାର ଯଥାର୍ଥ ବାସନାରୁ ମଣିଷକୁ ଆଢୁଆଳ କରି ରଖିଛନ୍ତି । ଯୋଗର ଉଦବୋଧନକୁ ପୁନର୍ବାର ସମଗ୍ର ଜୀବନକୁ ସ୍ପର୍ଶ କରୁଥିବା ଏକ ସମ୍ପୂର୍ଣ୍ଣ ଉଦବୋଧନ ରୂପେ ଗ୍ରହଣ କରିପାରିଲେ ଯାଇ ଏହି ଦୁର୍ଗତି ଦୂର ହେବ । ଭାରତୀୟ ଆଧ୍ୟାତ୍ମିକତା ପୁନର୍ବାର ଘରକୁ ଫେରିଆସିବ । ପ୍ରଦର୍ଶନର ଯାବତୀୟ ପ୍ରହସନ ଅନାବଶ୍ୟକ ବୋଲି ପ୍ରମାଣିତ ହେବ ।

 

୮ । ୪ । ୮୩

Image

 

ଉତ୍କଳର ଏତେ ବଡ଼ ଗୌରବ

 

ଆମ ବିଶ୍ୱବିଦ୍ୟାଳୟମାନେ ଆମର ସତକୁ ସତ ଗୋଟାଏ ଗୋଟାଏ ଗୌରବ ହୋଇ ପାରିଥାନ୍ତେ, ମାତ୍ର ହୋଇ ପାରିଲେନାହିଁ । ବାର୍ଷିକ ଆବର୍ତ୍ତନକ୍ରମଗୁଡ଼ାକ ଅନୁସାରେ ଆମେ ଯେତେବେଳେ ସମାବର୍ତ୍ତନ ନାମକ ଏକ ଉତ୍ସବ ପାଳନ କରିବାକୁ ବାହାରୁ ଓ ସାମିଆନା ତଳେ ଜଳୁଥିବା, ବଡ଼ବଡ଼ ଆଲୁଅଗୁଡ଼ାକଦ୍ଵାରା ଅନ୍ଧକାରମାନଙ୍କୁ ଲୁଚାଇ ରଖିବାର ଖାନଦାନୀ ଚେଷ୍ଟାମାନ କରାଯାଏ, ସେତେବେଳେ ଆମେ କେଡ଼େ ଗେହ୍ଲା ହୋଇ ଆମ ବିଶ୍ୱବିଦ୍ୟାଳୟକୁ ଆମର ଗୌରବ ବୋଲି କହୁ ।

 

ଏଥିରେ ଏତୋଟି ବିଭାଗ ରହିଛି ଏତେ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି; କଂସର ମଞ୍ଚାପରି ଦିଶୁଥିବା ଗ୍ରନ୍ଥାଳୟରେ ସେଠି ଏତେ ହଜାର ବହି ରହିଛି, ସେଠାରେ ଏବେସୁଦ୍ଧା ଏତେଜଣ ଅମୃତ ଅମୁକ ଡିଗ୍ରୀମାନ ନେଇଛନ୍ତି ଓ ଏତେ ଲକ୍ଷ ଖରଚ କରାଯାଇ ବିଶ୍ୱବିଦ୍ୟାଳୟର ମଝିରେ ଛତାପରି ଏକ ପାଣିଟାଙ୍କି ନର୍ମାଣ କରାଯାଇଛି ବୋଲି ଉଲ୍ଲସିତ ଭାବରେ କେତେ କଣ ଉଦ୍‌ଗାରମାନ କରିବାରେ ଲାଗିଯାଉ ସତ, ତଥାପି ଭିତରକୁ ଅନାଇଦେବା ମାତ୍ରେକେ ଆମର ବିବେକ ଆମକୁ ଅତ୍ୟନ୍ତ ପରିଷ୍କାର ଭାବରେ କହିଦେଉଥାଏ ଯେ ଆମର ବିଶ୍ୱବିଦ୍ୟାଳୟ ପ୍ରକୃତରେ ଯାହା ବା ଯେପରି ହେବାର ଉଚିତ ଥିଲା, ସିଏ ମୋଟେ ତାହାହୋଇ ପାରିଲାନାହିଁ । ଅର୍ଥାତ ଏହି ଆଳୟଟିକୁ ଯଥାର୍ଥରେ ଏକ ବିଶ୍ୱବିଦ୍ୟାଳୟ କରିବା ସକାଶେ ଆମର ଯେଉଁ‌ଭଳି ଓ ଯେତିକି ଯୋଗ୍ୟ ହେବାର କଥା, ଆମେ ମୋଟେ ସେତିକି ଯୋଗ୍ୟ ହୋଇପାରିଲୁ ନାହିଁ ।

 

ବିଶ୍ୱବିଦ୍ୟାଳୟ ସର୍ବପ୍ରଥମେ ବିଦ୍ୟାର ହୋଇଥାନ୍ତା, ବିଦ୍ୟାର୍ଥୀର ହୋଇ ରହିଥାନ୍ତା ମାତ୍ର ନାନା କାରଣରୁ ତାହା ବାବୁମାନଙ୍କର ହୋଇ ରହିଲା । ଦୁର୍ବିନୀତମାନଙ୍କର ହୋଇ ରହିଲା । ସାଧାରଣତଃ ଭିତରେ ଭୀରୁ ହୋଇ ରହିବାକୁ ‌ସବାବଡ଼ ଚାତୁର୍ଯ୍ୟ ଗ୍ରହଣ କରି ନେଇଥିବା ମଣିଷମାନେ ହିଁ ବାହାରକୁ ଦୁର୍ବିନୀତି ହୃଅନ୍ତି । ଦୁର୍ବିନୀତିପଣିଆକୁ ହିଁ ଶିକ୍ଷିତପଣିଆ ବୋଲି ଜାହିର କରନ୍ତି । ଭିତରେ କ୍ଷମତା କାମନା କରୁଥିବା ମଣିଷମାନେ ସତେଅବା ଏକ ଅନ୍ତର୍ଗତ ପ୍ରୟୋଜନରେ ପଡ଼ି ବାହାରେ ଖୋସାମଦିଆ ହୁଅନ୍ତି, ବିଦ୍ୟାଛାଡ଼ି ବିଦୂଷକ ହୁଅନ୍ତି । ଅଳପକୁ ବହୁତ ବୋଲି କହନ୍ତି । କଣାଗୁଡ଼ାକୁ ମୋଟେ ଦେଖିପାରନ୍ତି ନାହିଁ । ପାହାଚଗୁଡ଼ାକୁ ଭାରି ଉଗ୍ର ଓ ବିକଳଭାବରେ କାମୁଡ଼ି ରହିଥାନ୍ତି ଓ ଆପଣା ଆପଣା ଭିତରେ ଲଢ଼ାଲଢ଼ି ହୁଅନ୍ତି । ଆପଣାକୁ ବଡ଼ ବୋଲି ପ୍ରମାଣିତ କରିବା ସକାଶେ ଅପରକୁ ସାନ ବୋଲି ଦେଖାନ୍ତି । ଯାବତୀୟ ଆଳୟକୁ ମାରା କରନ୍ତି; ସେମାନେ ଅଧ୍ୟାପନାକୁ ସତେଅବା ଏକ ଅର୍ଥାର୍ଥୀ ଆତୁରତାରେ ପରିଣତ କରି ରଖିଥାନ୍ତି ।

 

ଆମର ସ୍ୱପ୍ନ, ଆମର ସାହିତ୍ୟ, ଆମର ସାହାସ—ଗୋଟିଏ କଥାରେ କହିଲେ ଆମ ସାମୂହିକ ଜୀବନର ଯାବତୀୟ ପଦକ୍ଷେପ ଓ ଅଭିକ୍ରମରେ ଆମର ବିଶ୍ୱବିଦ୍ୟାଳୟ ଆମର ଆଗୁଆ ହୋଇ ରହିଥାନ୍ତା, ଆମକୁ ବାଟ ଦେଖାଇ ଆଗକୁ ନେଇ ଯାଉଥାନ୍ତା । ନାନା କାରଣରୁ ତାହା ରକ୍ଷଣଶୀଳ ହୋଇ ରହିଲା । ପୁରୁଣାର ପ୍ରତୀକ ହୋଇ ରହିଲା । ଆମ ଘରୁ ପିଲାମାନଙ୍କୁ ବାହାର କରି ଆଣି ଗଦ ସୁଂଘାଇ ବୀର୍ଯ୍ୟହୀ‌ନ କରି ରଖିଲା । ସେମାନେ ଏହି ଦେଶ ଓ ସମାଜକୁ ଗଢ଼ିବାଲାଗି ମୋଟେ ଯୋଗ୍ୟ ହୋଇ ପାରିଲେନାହିଁ । ଆପଣାଘରେ ଭାରି ନୃଶଂସ ଅଥଚ ଅସହାୟ ଭାବରେ ବିଦେଶୀ ହୋଇ ରହିଲେ । ଉପଦ୍ରବୀ ହୋଇ ଶିଖିଲେ । ଅଳପ ଦେଲେ, ଅଧିକରୁ ଅଧିକ ଝୁଣି ନେବାକୁ ହିଁ ଆଦର୍ଶ ମଣିଲେ । ଏହି ସୁଅଟାକୁ ବଦଳାଇ ପାରିଲେ ଯାଇ ଆମ ବିଶ୍ୱବିଦ୍ୟାଳୟ ଆମର ଗୌରବ ହୋଇ ପାରିବ । ତାହା ସେତେବେଳେ ଆମର ଏକ ବୋଝ ହୋଇ ନ ରହି ଆମର ପଥପ୍ରଦର୍ଶକ ହେବ, ସଙ୍ଗୀ ହେବ, —ଆମର ଯାବତୀୟ ଉଦ୍ୟମରେ ତାହା ସତକୁସତ ଗୋଟିଏ ଆଖି ହୋଇ ରହିବ ।

 

୨୨ । ୪ । ୮୩

Image

 

ସାହିତ୍ୟ କରି କରି ଆଲର୍ଜି

 

ସେଦିନ ଜଣେ ସାହିତ୍ୟିକ ବନ୍ଧୁ ସତେଅବା ଗୋଟାଏ ହାତୀର ପରାକ୍ରମରେ ଆପଣାର ଥୋରପାହାରଟାକୁ ବାହାରକୁ ବାହାର କରିଦେଇ, କହିଲେ ଯେ ସାହିତ୍ୟ କରି କରି ସାହିତ୍ୟ ପ୍ରତି ତାଙ୍କର ଗୋଟାଏ ଆଲର୍ଜି ବା ବିରକ୍ତି ଆସିଗଲାଣି । ଅନେକ ମଣିଷ ଅଛନ୍ତି, ଯେଉଁମାନଙ୍କର କି ପ୍ରେମ କରିକରି ପ୍ରେମ ପ୍ରତି ଆଲର୍ଜି ଆସିଯାଏ । ଅନେକ ମଣିଷ ଆଇଁଷ ଖାଇ ଖାଇ କ୍ରମେ ଆଇଁଷ ପ୍ରତି ଏକ ଆଲର୍ଜି ଅନୁଭବ କରିଥାନ୍ତି । ଅନେକଙ୍କର ଗହଣା ନାଇ ନାଇ ଗହଣା ପ୍ରତି ଆଲର୍ଜି ଆସିଥାଏ । ଆହୁରି ଅନେକ ମହାନମାନେ ମଧ୍ୟ ଆମର ଏହି ସଂସାର ଭିତରେ ଥାଆନ୍ତି, ଯେଉଁମାନଙ୍କର କି ସଂସାର କରି କରି କ୍ରମେ ସଂସାରପ୍ରତି ହିଁ ଆଲର୍ଜି ଆସିଯାଏ । ସେମାନେ ପଙ୍କ ଭିତରେ ତୋଡ଼ିମାଛ ରହିଲା ପରି ସଂସାର ଭିତରେ ଚିକ୍କଣ କାଦୁଅ-ସରସର ହୋଇ ରହିଥାନ୍ତି, ସେମାନେ ସଂସାରକୁ କାମୁଡ଼ି ଧରିଥାନ୍ତି ଓ ସଂସାରମଧ୍ୟ ସେମାନଙ୍କୁ କାମୁଡ଼ି ଧରିଥାଏ । ତଥାପି ସତେଅବା ଏକ ଉତ୍କଟ ଅଥଚ ଅନାମଧେୟ ବିରକ୍ତିର ବଶବର୍ତ୍ତୀ ହୋଇ ସେମାନେ ସଂସାରର ହୋଇପାରୁ ନଥାନ୍ତି ଅଥବା ସଂସାରର ବାହାରକୁ ବି ଯାଇପାରୁ ନ ଥାନ୍ତି ।

 

ଆମ ସଂସାରରେ ଆଲର୍ଜି ଲାଗି ହୁଏତ କେବଳ ଗୋଟିଏ ମାତ୍ର ପ୍ରକୃତ ଔଷଧ ରହିଛି-। ଭଲ ପାଇବା ହେଉଛି ଯାବତୀୟ ଆଲର୍ଜିର ଏକମାତ୍ର ଔଷଧ । ଫୁଲକୁ ଭଲ ପାଇଲେ ଫୁଲପ୍ରତି କେବେହେଲେ ଆଲର୍ଜି ହୁଏନାହିଁ । ପାଠକୁ ଭଲ ପାଇଲେ ପାଠପ୍ରତି ଆଲର୍ଜି ହୁଏ ନାହିଁ-। ପାଠ ପଢ଼ାଇବାଟାକୁ ଭଲ ପାଇଲେ ପାଠ ପଢ଼ାଇବା ସକାଶେ ପାଠଶାଳାରେ ଆସି ହାବୁଡ଼ିଥିବା ମାଷ୍ଟର କଦାପି ପାଠ ପାଢ଼ାଇବାଲାଗି ଆଦୌ କୌଣସି ଆଲର୍ଜି ଅନୁଭବ କରନ୍ତି ନାହିଁ-। ଭଲପାଇବାର ଅର୍ଥ ହେଉଛି ଆପଣାକୁ ଦେବା, ଆପଣାକୁ ଅଧୁକରୁ ଅଧିକ ପରିମାଣରେ ଦେବା, ଅଧିକରୁ ଅଧିକ ସମ୍ପୂର୍ଣ୍ଣ ଭାବରେ ଦେଇ ପାରିବା । ଯାହାକୁ ମୁଁ ଭଲ ପାଉଛି, ତାହାରି ଲାଗି ଅଧିକରୁ ଅଧିକ । ପରିମାଣରେ ଯୋଗ୍ୟ ହେବା, ଅଧିକରୁ ଅଧିକ ସଂପୂର୍ଣ୍ଣଭାବରେ ଯୋଗ୍ୟହେବା-। ସଂସାରକୁ ଭଲ ପାଇଲେ ମଣିଷ କେବେହେଲେ ବାବାଜୀ ବା ବୈରାଗୀ ହେବାକୁ ମନ କରନ୍ତାନାହିଁ । ସିଏ ତଥାକଥିତ ମାୟାଗୁଡ଼ାକୁ ଯଥାର୍ଥ ଭାବରେ ମର୍ମରୂପେ ଗ୍ରହଣ କରିପାରନ୍ତା-। ଅନେକ ବର୍ଜନ ଓ ଅସ୍ଵୀକାରକୁ ଶ୍ରଦ୍ଧାରେ ପରିଣତ କରିଦେଇପାରନ୍ତା ।

 

ଅନ୍ୟ ସକୁକଥା ବେଳକୁ ଯାହା, ସାହିତ୍ୟ ବେଳକୁ ମଧ୍ୟ ଠିକ୍‌ ସେଇଆ । ଯୋଉମାନେ ଏକ ଅନ୍ୟ ଫଳକାମନା ରଖି ସାହିତ୍ୟ ମଧ୍ୟରେ ପଶନ୍ତି, ସେମାନେ ସାହିତ୍ୟକୁ ମୋଟେ ଭଲ ପାଇପାରନ୍ତି ନାହିଁ । ସେମାନେ ସାହିତ୍ୟକୁ ଭୋଗ କରିବା ଲାଗି ସାହିତ୍ୟ ଭିତରକୁ ଯାଆନ୍ତି । ସାହିତ୍ୟକୁ ସତେଅବା ମାଇପକରି ରଖିବାକୁ ମନ କରୁଥାନ୍ତି ଏବଂ ସେହି କାରଣରୁ ହିଁ ସାହିତ୍ୟ କରି କରି ସେମାନେ ହାଲିଆ ହୋଇପଡ଼ନ୍ତି । ସେମାନେ ପୁରସ୍କାର ଇଚ୍ଛା କରୁଥାନ୍ତି; ଆପ୍ୟାୟନ ଇଚ୍ଛା କରୁଥାନ୍ତି, ସେଇଥିଲାଗି ବିଡ଼ମ୍ବିତ ହୁଅନ୍ତି । ଆଉଜଣେ ପୁରସ୍କାର ପାଇଲେ ହୁଏତ ସେହି କାରଣରୁ ହିଁ ଆପଣା ପାଖରେ ଝିଙ୍ଗାସି ହେବାରେ ଲାଗିଥାନ୍ତି । ବାହାରକୁ ଯେତେବଡ଼ ହୋଇ ଦେଖାଇ ହେବାକୁ ଯାବତୀୟ ବିଧିରେ ଯେତେ ଚେଷ୍ଟା କରୁଥିଲେ ମଧ୍ୟ ସେମାନେ ଆପଣା ପାଖରେ ଭାରି ଛୋଟ ଓ ତେଣୁ ଉତ୍ତେଜିତହୋଇ ରହିଥାନ୍ତି । ନିଜ ଭିତରେ ନିଜକୁ ମୋଟେ ଆଦରି ନେଇ ପାରନ୍ତିନାହିଁ । ତେଣୁ ଉଗ୍ର ବାବାଜୀ ହୁଅନ୍ତି । ଗୋଟାଏ ପାଖରେ ବାନ୍ଧିହୋଇ ପଡ଼ିଥାନ୍ତି ଓ ଆରପାଖରେ ଘୃଣା କରୁଥାନ୍ତି । ତାହାରି ଅନ୍ୟନାମ ହେଉଛି ଆଲର୍ଜି ।

 

ଭଲପାଇ ନ ପାରିଲେ ଆଲର୍ଜି ହୁଏ । ଆପଣାକୁ ସ୍ୱାଭାବିକ ଭାବରେ ଦେଇ ନ ପାରିଲେ ଆଲର୍ଜି ହୁଏ । ଭଲପାଇବାର ଯୋଗ୍ୟ ହୋଇ ନପାରିଲେ ଆଲର୍ଜି ହୁଏ । ଭଲପାଇ ନପାରୁ ଥିବାରୁ ଯେଉଁ ଆତୁରମାନେ ଆଲର୍ଜି ଭୋଗ କରୁଥାନ୍ତି, କେବଳ ସେହି ଭଲପାଇ ପାରିବା ଦ୍ୱାରା ହିଁ ସେମାନେ ଆରୋଗ୍ୟ ଲାଭ କରନ୍ତି, ଆଲର୍ଜିରୁ ମୁକ୍ତ ହୁଅନ୍ତି ।

 

୧ । ୫ । ୮୩

Image

 

ବାମାଚାରୀ କାମଯାତ୍ରା

 

ରାଜନୀତି ନୀତି ହୁଡ଼ିଲେ ବାମାଚାରୀ ହୁଏ । ଆମ କାମନାଗୁଡ଼ାକ ଯେତେବେଳେ କେବଳ ଆମ ନିଜ ମଣ୍ଡଣିଗୁଡ଼ାକୁ ହିଁ କେନ୍ଦ୍ର କରି ରହିଥାନ୍ତି, ସେତେବେଳେ ଆମର ଯାବତୀୟ ରୀତି ଏକ ବାମାଚାରୀ ରୀତିରେ ପରିଣତ ହୋଇଯାଏ । ମହାତ୍ମା ଗାନ୍ଧୀ ଯେତେବେଳେ ଏହି ଦେଶର ରାଜନୀତିରେ ରୀତି ନିରୂପଣ କରୁଥିଲେ, ସେତେବେଳେ ସିଏ ପଦଯାତ୍ରାକୁ ମଧ୍ୟ ରାଜନୀତିକ ଲୋକସଂପର୍କର ଏକ କାର୍ଯ୍ୟକ୍ରମ ରୂପେ ଗ୍ରହଣ କରିଥିଲେ । ତାଙ୍କଦ୍ୱାରା ନିର୍ଦ୍ଦେଶିତ ରାଜନୀତି ଯେପରି କୌଣସି ପରିସ୍ଥିତିରେ ମଧ୍ୟ ଲୋକମାନଙ୍କ ଠାରୁ ହୁଡ଼ି ନ ଯାଏ, ସେଥିଲାଗି ସିଏ ଏହି କାର୍ଯ୍ୟକ୍ରମକୁ ଗ୍ରହଣ କରିଥିଲେ । ଏହି ରୀତି ପଛରେ ଏକ ବିଶ୍ୱାସ ଥିଲା, ସର୍ବୋପରି ଏକ ସାଧୁତା ମଧ୍ୟ ରହିଥିଲା ।

 

ଏବେ ସତେଅବା ଏକ ନୂଆ ଭେଳିକି ସୃଷ୍ଟି କରିବାକୁ ଆମର ଯାବତୀୟ ଲୋକସମ୍ପର୍କହୀନ ନାୟକ ଏବଂ ଖଳନାୟକମାନେ । ପଦଯାତ୍ରାକୁ ଗୋଟିଏ ରୀତି ବୋଲି ଗ୍ରହଣ କରିଥିବା ପରି ମନେହେଉଛି । ବେଳେବେଳେ ସେମାନେ ଡିଣ୍ଡିମ ବଜାଇ ଭେଷ ପିନ୍ଧି ରାଜଧାନୀରୁ ରାସ୍ତାଏ ରାସ୍ତାଏ କଟକ ବାହାରୁଛନ୍ତି । ବାଟରେ ପୂର୍ବଯୋଜିତ ଭାବରେ ରାଜନୀତିକ ଖାନାପୁରୀମାନ ହେଉଛି ଓ ତାହାହିଁ ଲୋକସମ୍ପର୍କ ବୋଲି ଖବରକାଗଜ ଜରିଆରେ କୁହାଯାଇଛି । ଯେଉଁମାନେ ଦିନେଦିନେ ଉତ୍ସାହରେ ସୁରାପିଇ ରାସ୍ତାରେ ବାହାରୁଛନ୍ତି, ସେମାନେ କୋଉଦିନୁ ଲୋକମାନଙ୍କୁ ଛାଡ଼ି ସାରିଛନ୍ତି ଓ ଆପଣଙ୍କର ଯାବତୀୟ ସମ୍ପର୍କକୁ କେତେଟା ରାଜସିକ ତାମସିକତାରେ ହିଁ ପରିଣତ କରି ପକାଉଛନ୍ତି । ସର୍ବୋପରି ଏମାନଙ୍କ ଭିତରେ ଆଦୌ କୌଣସି ସାଧୁତା ନାହିଁ । ଯେଡ଼େ ବଡ଼ ବିଗୁଲ ବାଜିବାର ଠାଣିରେ ସାମୟିକ ଶୋଭାଯାତ୍ରାରେ ଯେତେ ବାହାରିବାର ଫିକର କଲେ ମଧ୍ୟ କୋଉ ମଣିଷ ଅସାଧୁମାନଙ୍କୁ ସାଧୁ ବୋଲି କାହିଁକି କହିବାକୁ ଯିବ ? ଏହି ଅସାଧୁମାନେ ସହରମାନଙ୍କରେ ଆହୁରି ଜବର ହୋଇ ରହିବେ ବୋଲି ବାହାରେ ଏହିସବୁ ପ୍ରଦର୍ଶନ ଓ ଶୋଭାଯାତ୍ରାର ଆୟୋଜନ କରୁଛନ୍ତି । ଲୋକ ଭଣ୍ଡାଇବା ପାଇଁ ଏକ ନୂଆ ପ୍ରକରଣ ଫାନ୍ଦିଛନ୍ତି ।

 

ଏହିସବୁ ଯାବତୀୟ ବାମାଚାର ସତ୍ତ୍ୱେ କିନ୍ତୁ ଗୋଟାଏ କଥା ଅବଶ୍ୟ ସତ୍ୟ । ଯେତେ ନିଶା ଖାଇ ଅମାର ଘରର ଦୁଆରଗୁଡ଼ାକରେ ଗଡ଼ୁଥିଲେ ମଧ୍ୟ ଏମାନେ ତଥାପି କ୍ରମେ ଚେତିବାକୁ ଆରମ୍ଭ କଲେଣି ଯେ, ଖାଲି ସହରରେ ସୁଆଙ୍ଗ ଜମାଇ ଏମାନେ ଆଉ ବେଶି ଦିନ ତିଷ୍ଠି ପାରିବେନାହିଁ । ଗତ ତିରିଶିବର୍ଷ ହେଲା ଘର ଛାଡ଼ି ବଜାରକୁ ଯାଇଥିବା ଏବଂ ଆପଣାର ଯାବତ ମାମଲତ ଦ୍ୱାରା ଘରକୁ ଲୁଟିବାରେ ଲାଗିଥିବା ଏହି ମଦହୋସ୍‌ମାନଙ୍କର ଏତିକି ହୋସ୍‌ ଆସିବା ମଧ୍ୟ ମୋଟେ କମ୍‌ କଥା ନୁହେଁ, ଏହି ଦେଶ ପଷରେ ମଧ୍ୟ ଆଦୌ କମ୍‌ ଆଶାର କଥା ନୁହେଁ । ରାଜଧାନୀରେ ବର୍ଷବର୍ଷ ଧରି ପଡ଼ିରହିଥିବା ଅନ୍ଧାର ଓ ମଇଳାର ଗଣ୍ଠିଗୁଡ଼ାକ କ୍ରମେ ରାସ୍ତାରେ ଫିଟୁ, ତେବେ ଯାଇ ସିନ୍ଦୁରା ଫାଟିବ । ତେବେଯାଇ ବର୍ତ୍ତମାନର କାମଯାତ୍ରାଗୁଡ଼ାକର ଅବସାନ ଘଟିବ ।

 

୨୪ । ୫ । ୮୩

Image

 

କାର୍ଯ୍ୟାଂ ମନୋରମାଂ ଦେହି

 

ଅସଲ ସାଧନା ଆଦୌ କିଛି ମାଗେନାହିଁ, ଆରାଧ୍ୟ ଦେବତାଙ୍କ ସକାଶେ ଅଧିକରୁ ଅଧିକ ଯୋଗ୍ୟ ହୋଇ ପାରିବାକୁ ସିଏ ସବୁବବେଳେ ଆକାଂକ୍ଷା ରଖିଥାଏ । ଅଧିକରୁ ଅଧିକ ଯୋଗ୍ୟ ହେବା ଅର୍ଥାତ ଅଧିକରୁ ଅଧିକ କାମରେ ଲାଗିବା । ଯାହାପାଇଁ ଯୋଗ୍ୟ ହେବା, ତାହାରି କାମରେ ଲାଗିବା । ସାଧନାରେ ଅଧୋଗତି ଆରମ୍ଭ ହେଲେ ମଣିଷ ନିଜପାଇଁ ମାଗେ, ଅର୍ଥାତ ନିଜଘାଇଁ ଦେବତାମାନଙ୍କର ସନ୍ତୋଷ କରାଏ । ସିଏ ନିଜକୁ ଚାହେଁ, ସଂସାରଟାକୁ ଉଜୁଡ଼ାଇ ଦେଇ ମଧ୍ୟ ସବାଆଗ ନିଜକୁ ଚାହେଁ । ତା’ର ଯାବତୀୟ ପୂଜାର୍ଚ୍ଚନା କୌଣସି ଦେବତା ଅଥବା କୌଣସି ଦେବୀଙ୍କୁ ମାଧ୍ୟମରୂପେ ବ୍ୟବହାର କରି ଅସଲି ନାଡ଼ିରେ କେବଳ ତା ନିଜପାଇଁ ଉଦ୍ଦିଷ୍ଟ ହୋଇ ରହିଥାଏ । ଚିରକାଳ ଏହିପରି ହୋଇଆସିଛି । ଆମ ଭାରତବର୍ଷରେ ହୋଇଛି । ଏବେ ମଧ୍ୟ ହେଉଛି । ଆମ ଜୀବନରେ ଯାହାକିଛି ଚାରଣା ଅଥବା ସାଧନା କରୁଛୁ ତାହାର ପ୍ରତିବଦଳରେ ଆମେ ଆପଣା ଲାଗି ମନୋରମା ଭାର୍ଯ୍ୟାଟିଏ ଖୋଜିବାରେ ହିଁ ଲାଗିଛୁ ।

 

ନେତା, ଦେଶସେବକ, ଅଧ୍ୟାପକ, ଜ୍ଞାନୀ, କୁଶଳ ବୈଜ୍ଞାନିକ ଓ ଆମର ସାମୂହିକ କ୍ଷେତ୍ରରେ ପ୍ରଶାସକମାନେ ଏମାନେ ସମସ୍ତେ ନିଜ ନିଜର ପୂଜାସ୍ଥଳୀରେ ମନୋରମା ଭାର୍ଯ୍ୟାଟିଏ ହିଁ ଭିକ୍ଷା କରିବାରେ ଲାଗିଛନ୍ତି । ମନୋରମା ଭାର୍ଯ୍ୟାଟିଏ ଖୋଜିବାର ଏହି ନିଶା ଆମଦେଶର ରାଜନୀତିକୁ କୋଉଦିନୁ ଗ୍ରାସ କରିସାରିଲାଣି । ଖୋଜିଲେ ବା ମାଗିଲେ ଯଦି ସେମାନଙ୍କୁ ଭାର୍ଯ୍ୟାଟିଏ ନ ମିଳିଲା, ତେବେ ସେମାନେ ବଳାତ୍କାର କରି ମଧ୍ୟ ସେହି ସମ୍ପତ୍ତିଟିର ଅଧିକାରୀ ହେବାକୁ ଆଉ ମୋଟେ ପଶ୍ଚାତ୍ ପଦ ହେଉନାହାନ୍ତି । ଭାର୍ଯ୍ୟାର ପ୍ରତିରୂପଟି ଏବେ ବହୁରୂପ ହୋଇ ଆମକୁ ନଚାଇବାରେ ଲାଗିଛି । କିଏ କ୍ଷମତାକୁ ଭାର୍ଯ୍ୟାଜ୍ଞାନରେ ଅନାଇ ରହିଛି, କିଏ ପଇସାକୁ ଭାର୍ଯ୍ୟା ମନେକରି ତାହାରି ପଛରେ ଗୋଡ଼ାଇଛି । ସାହିତ୍ୟକୁ ଭାର୍ଯ୍ୟାପରି ଦଖଲ କରି ନ ରହବାପର୍ଯ୍ୟନ୍ତ ଆଉ ସାହିତ୍ୟକର ମନ ବି ମୋଟେ ବୁଝୁନାହିଁ । ଭାର୍ଯ୍ୟାଟିଏ ଲାଭ କରିବା, ତାହାହିଁ ଏବେ ଜୀବନର ସର୍ବପ୍ରଧାନ ସଫଳତା ବୋଲି ଚତୁର୍ଦ୍ଦିଗରେ ଘୋଷିତ ହେଉଛି । ଭାର୍ଯ୍ୟାଲାଭପାଇଁ ଲୋକେ ପାଠ ପଢ଼ୁଛନ୍ତି, ଭାର୍ଯ୍ୟାଲାଭ ପାଇଁ ତ୍ୟାଗ କରୁଛନ୍ତି, ଭାର୍ଯ୍ୟାଲାଭ ପାଇଁ ହିଁ ଠାକୁରଙ୍କୁ ମଧ୍ୟ ବଶକରି ଆଣିବାର ମନ୍ତ୍ରଗୁଡ଼ାକୁ ମୁଖସ୍ଥ କରିବାରେ ଲାଗିଛନ୍ତି ।

 

ମୁଁ ଯାହାର ଆରାଧନା ଓ ସାଧନା କରୁଛି, ଗୋଟିଏ ଭାର୍ଯ୍ୟାଲାଭ ନିମନ୍ତେ ତାହାକୁ ମଧ୍ୟମ ରୂପେ ବ୍ୟବହାର ନ କରି ଅଧିକରୁ ଅଧିକ ଆନ୍ତରିକ ଭାବରେ ବେଳୁଁ ବେଳେ ତାହାରି ହୋଇଯିବା—ଏଇ ହେଉଛି ଆଉଗୋଟିଏ ରୀତି । ଏହି ରୀତି ଏକଦା କେଡ଼େ ସାହସୀ ହୋଇ ଆରାଧ୍ୟ ଦେବତାଙ୍କୁ କାନ୍ତରୂପେ ହିପାସନା କରିବାର ବ୍ୟାକୁଳତା ମଧ୍ୟ ପ୍ରକାଶ କରିଥିଲା । ଭାର୍ଯ୍ୟାଲାଭର ଉତ୍କଟ ବାସନା ଆମଲାଗି ଏଗୁଡ଼ାକୁ ମଧ୍ୟ କ୍ରମେ ବଡ଼ ବିକୃତ କରିପକାଇଛି । ତଥାପି ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଦେଇପାରିଲେ ଯେ, ଅନ୍ତର୍ଗତ ସାର୍ଥକତାର କ୍ଷେତ୍ରରେ ମଣିଷ ସବୁଠାରୁ ବେଶିପାଏ, ସେହି ସତ୍ୟଟି ଏବେ ମଧ୍ୟ ବଳବତ୍ତର ରହିଛି । ଆମ ଅନେକ ବ୍ୟଭିଚାରୀଙ୍କ ଲାଗି ତଥାପି ଏକ ଆହ୍ୱାନ ହୋଇ ରହିଛି ।

 

୧୦ । ୬ । ୮୩

Image

 

ପ୍ରକୃତ ସାହିତ୍ୟର ବ୍ୟାଖ୍ୟାକାର

 

ଆମ ଗାଁ ଗଣ୍ଡାମାନଙ୍କରେ ହିଁ ପ୍ରକୃତ ସାହିତ୍ୟ ସୃଷ୍ଟି ହେବା ଉଚିତ ବୋଲି ସେଦିନ ବରେଣ୍ୟ କବି ମଣ୍ଡପ ଉପରେ ମାଇକ୍‍, ସମ୍ମୁଖରେ ଅତ୍ୟନ୍ତ ଗଦ୍‌ଗଦମୁଖ ହୋଇ କହିଲେ । ଆମେ ସମସ୍ତେ ତାଙ୍କର ସେହି ବାକ୍ୟଟିକୁ ଶୁଣିଲୁ ଏବଂ ଅବାକ୍ ହେଲୁ ।

 

କବି ଗାଆଁରେ ଜନ୍ମିଥିଲେ, ନିପଟ ମଫସଲରେ ବଢ଼ିଥିଲେ । ସିଏ ପିଲାଦିନେ ଯେଉଁମାନଙ୍କ ସହିତ ଦିହ ଘଷାଘଷି ହୋଇ ବଡ଼ ହୋଇଥଲେ, ତାଙ୍କ ସାହିତ୍ୟିକ ଜୀବନର ପିଲାକାଳରେ ସେମାନଙ୍କ ପ୍ରତି ତାଙ୍କର ଏକ ଦରଦ ରହିଥିଲା । ସମ୍ଭବତଃ ଏକ ଗରଜ ମଧ୍ୟ ରହିଥିଲା । କବି ବଡ଼ ହେଲେ, ସହରକୁ ଆସିଲେ, ସହରୀ ପର ଲଗାଇ ଉଡ଼ିଲେ, କେତେ ପୁରକୁ ଗଲେ । ପୁରୁଣାଗୁଡ଼ାକ ଛାଡ଼ିଲେ ଓ ନୂଆ ଜରି ଓ ନୂଆ କଣ୍ଠି ଲଗାଇ କବିତା ଲେଖିଲେ, ସାହିତ୍ୟ କଲେ ପ୍ରସିଦ୍ଧହେଲେ । ସାହିତ୍ୟର ନୂତନ ଯୁଗ ବୋଲି ନାମିତ ହେଉଥିବା ଗୋଟିଏ ମାଂସ ପିଣ୍ଡୁଳା ଜନ୍ମ କଲେ, ସୁଲକ୍ଷଣୀ ହେଲେ ମାନ ପାଇଲେ, ପୁରସ୍କାର ପାଇଲେ, ମାନୀ ହେଲେ । ତାଙ୍କ ଭିତରେ ଥିବା ଅଣସାହିତ୍ୟକ ଅନ୍ୟ ପୁରୁଷଟି ମଧ୍ୟ ସେଇଥିରୁ ଶିଖି ନିଜେ ବି ମାନୀ ହେଲା । ଆପଣାର ମୂଳ ମହତଗୁଡ଼ାକୁ ବର୍ଜନ କରି ଏକ ବିଶେଷ ରସିକମାନଙ୍କ ସକାଶେ, ମୂଲ୍ୟବୋଧ ସୃଷ୍ଟି କରିବାରେ ମନ ଦେଲା । ଆମ ଅନେକଙ୍କୁ ଅନ୍ୟଆଡ଼େ ହୁଡ଼ାଇନେଲା, ଭୂଇଁ ଛଡ଼ାଇ ଦେଲା । ଏଗୁଡ଼ିକ ବର୍ତ୍ତମାନ ସାହିତ୍ୟର କ୍ଷେତ୍ରରେ ଆମ ଭିତରେ ଥିବା ଅନେକ ଅସମର୍ଥତା ଏବଂ ଅନେକ ଅନିଚ୍ଛୁକତାର ଇତିହାସ ହୋଇ ରହିଲାଣି ଏବଂ ଠିକ୍‍ ଏତିକିବେଳେ କବି ଆମକୁ ପୁନର୍ବାର ଗାଆଁ ଗଣ୍ଡାର କଥା କହିବାକୁ ମନ କଲେଣି । ଅସଲ ସାହିତ୍ୟ ଗାଆଁ ଗଣ୍ଡାରେ ସୃଷ୍ଟି ହେବା ଉଚିତ ବୋଲି କହିଲେଣି ।

 

ହେ ଅବସନ୍ନ କବି, ଶେଷ ମଥାନକୁ ଆସି ତୁମର ଯଦି ଆମକୁ ଏହି କଥା କହିବାକୁ ଥିଲା, ତେବେ ତୁମେ ସାହିତ୍ୟ ସଂସାରୀ ଭାବରେ ତୁମ ଯୌବନାବସ୍ଥାରେ ସହରରେ ବସା ବାନ୍ଧିଲ କାହିଁକି ? ଅସଲ ଭୂଇଁଗୁଡ଼ାକ ଛାଡ଼ି ୟାଡ଼େସାଡ଼େ ଡେଇଁଲ କାହିଁକି ? ଏଡ଼େ ଅବାଗିଆ ଭାବରେ ଆପଣାଙ୍କୁ ନଚାଇଲ ପକାଇଲ କାହିଁକି ? ତୁମେ ବର୍ତ୍ତମାନ ଯାହା କହୁଛ, କଣ ପ୍ରକୃତରେ ସତ କହୁଛ, ନା ଆମକୁ ତୁମର ଏକ ଦ୍ୱିତୀୟ ଛଳ ଭିତରେ ପକାଇ ନାକେଦମ କରିବାକୁ ତୁମେ ଏପରି କହୁଛ ? ବୃଦ୍ଧାବସ୍ଥାରେ ଅନେକ ଅପାକଳ ମଣିଷଙ୍କର ଏକଦା ଅତିବାହିତ ବାଲ୍ୟ କାଳ ଲାଗି ଏକ ଆସକ୍ତି ଜନ୍ମେ ବୋଲି ଯୁଗେଯୁଗେ ଯେଉଁ‌ ଲୋକାପବାଦ ରହିଛି, ଆମେ କଣ ତୁମର ଗାଆଁଗଣ୍ଡା ବିଷୟକ ସାହିତ୍ୟ—ବାକ୍ୟକୁ ସେହିପରି ଏକ ଉଚ୍ଚାଟନ ହେତୁ ହେଉଥିବା ପ୍ରତିକ୍ରିୟା ବୋଲି ଜାଣିବା ? ଆମେ ଯେଉଁମାନେ ଏବେ ମଧ୍ୟ ସାହିତ୍ୟର ଅସଲ ଗାଆଁରେ ଭୂଇଁ ଭିତରକୁ ‌ଚେର ଲଗାଇରହିଛୁ, ଆମେ କଣ ତୁମର ଏହି ଉକ୍ତିଟିକୁ ନେଇ ପ୍ରକୃତରେ ଗର୍ବ କରିବୁ ନା ତାହାକୁ ଏକ ବକ୍ରୋକ୍ତି ବୋଲି ଗ୍ରହଣ କରି ସେହି ବିଷୟରେ ସତର୍କ ହେବୁ ଏବଂ ତୁମ ବିଷୟରେ ମଧ୍ୟ ସତର୍କ ହେବୁ ?

 

୧୬ । ୭ । ୮୩

Image

 

Unknown

ଓଡ଼ିଶାରେ ଅକ୍ଷମଙ୍କ ସଂଖା

 

ଓଡ଼ିଶା ରଜ୍ୟରେ ଏତେ ହଜାର ବା ଏତେ ଲକ୍ଷ ଅକ୍ଷମ ଲୋକଅଛନ୍ତି ବୋଲି ଏବେ ଖବରକାଗଜରେ ଏକ ହିସାବ ବାହାରିଥିଲା । ମଝିରେ ସାରା ପୃଥିବୀରେ ଗୋଟାଏ ବର୍ଷକୁ ଅକ୍ଷମମାନଙ୍କର ବର୍ଷ ବୋଲି ପାଳନ କରାଗଲା । ସେହି ପର୍ବ-ପାଳନର ଆଘାତ ଭାରତବର୍ଷକୁ ଓ ତେଣୁ ଓଡ଼ିଶାକୁ ମଧ୍ୟ ବାଜିଥିଲା । ହିସାବଗୁଡ଼ାକ ସେହି କାରଣରୁ ସଂଗୃହୀତ ହୋଇଥିଲା । ତଳୁ ସଂଗୃହୀତ ହୋଇ ଉପରକୁ ପଠାଗଲା ।

 

ଓଡ଼ିଶାରେ ଯେତେ ଲୋକ କ୍ଷମତାରେ ରହିଛନ୍ତି, ସେମାନେ ସମସ୍ତେ ହେଉଛନ୍ତି ଅକ୍ଷମ ମଣିଷ । ଅଙ୍ଗଥାଇ ମଧ୍ୟ ବିକଳାଙ୍କ । କ୍ଷମତା କହିଲେ କେତେକ ଲୋକ କେବଳ ରାଜନୀତିକ କ୍ଷମତାକୁ ବୁଝିଥାନ୍ତି । ନେତୃତ୍ୱ କହିଲେ କେବଳ ରାଜନୀତିକ ନେତୃତ୍ୱକୁ ହିଁ ବୁଝିଥାନ୍ତି ମାତ୍ର ଆହୁରି ଅନେକ ଅନ୍ୟ ଜାଗାରେ ମଧ୍ୟ କ୍ଷମତା ଥାଏ, ଆହୁରି ଅନେକ ଅନ୍ୟ ଜାଗାରେ ଏକ ଯଥୋଚିତ ନେତୃତ୍ୱ ଉପରେ ହିଁ ଉଦ୍ୟମଗୁଡ଼ିକର ଗତି ଵା ଦୁର୍ଗତି ନିର୍ଭର କରୁଥାଏ । ଯିଏ ଅଧ୍ୟକ୍ଷ ହୋଇ କୌଣସି କଲେଜ ଚଳାଉଛି ସିଏ ବି କ୍ଷମତାରେ ରହିଛି ସିଏ ବି ଗୋଟାଏ ପ୍ରକାରର ନେତୃତ୍ୱ ଦେବାଲାଗି ସେଠାରେ ରହିଛି । ଯେଉଁମାନେ ଶାସନକାଳରେ ସବାଉଚ୍ଚ ସ୍ଥାନମାନଙ୍କରେ ଅଛନ୍ତି, ରାତି ପାହିଲେ ବଡ଼ରୁ ଆହୁରି ବଡ଼ ହେଉଛନ୍ତି, ସେମାନେ ମଧ୍ୟ କ୍ଷମତାରେ ଅଛନ୍ତି ଏବଂ ସେମାନଙ୍କ ଠାରୁ ବି ଏକ ନେତୃତ୍ୱର ପ୍ରତ୍ୟାଶା କରାଯାଉଛି । କ୍ଷମତା ସାହିତ୍ୟରେ ବି ରହିଛି, ସାହିତ୍ୟ ମଧ୍ୟରେ ବି ଏକ ପ୍ରକାରର ନେତୃତ୍ୱ ଦେବାର ସମ୍ଭାବନା ଅନ୍ତର୍ନିହିତ ହୋଇରହିଛି । ପ୍ରତ୍ୟେକ ସମାଜରେ କ୍ଷମତାସୀନମାନେ ରହିଛନ୍ତି ଏବଂ ସେମାନଙ୍କଠାରୁ ସର୍ବଦା ଏକ ନିର୍ଦ୍ଦିଷ୍ଟ ନେତୃତ୍ୱର ପ୍ରତ୍ୟାଶା କରାଯାଉଛି । ସେହି କ୍ଷମତା କେତେଦୂର ପ୍ରକୃତରେ କ୍ଷମ ବା ଅକ୍ଷମ ଭାବରେ ଆପଣାର କାମ କରୁଛି ଓ ସେହି ନେତୃତ୍ୱ କେତେ ପରିମାଣରେ ଯଥୋଚିତ ଭାବରେ ଉପଯୁକ୍ତ ହୋଇପାରୁଛି ? ତାହାରି ଉପରେ ଗୋଟିଏ ସମାଜ ବା ସମୂହର ଅଗ୍ରଗତି ଓ ବୃଦ୍ଧି ଅନେକ ପରିମାଣରେ ନିର୍ଭର କରୁଛି ।

 

ଓଡ଼ିଶାରେ କ୍ଷମତାସୀନମାନେ ପ୍ରଧାନତଃ ଅକ୍ଷମ ହୋଇ ବସିଛନ୍ତି । କ୍ଷମତା ଓ ନେତୃତ୍ୱରେ ଥାଇ ମଧ୍ୟ ଯେଉଁମାନେ ଅଳସୁଆ ଏବଂ ଅନିଚ୍ଛୁକ ହୋଇ ବସିଛନ୍ତି, ସେମାନଙ୍କୁ ଆମେ ଅକ୍ଷମ ବ୍ୟକ୍ତି ବୋଲି ନକହି ଆଉ କ’ଣ କହିପାରିବା ? ସେମାନେ ବାହାରକୁ କେଡ଼େ ତୋଫା ଦିଶୁଛନ୍ତି; କେଡ଼େ ଗୋରା ଦିଶୁଛନ୍ତି, କେଡ଼େ ହୁଣ୍ଡା କରିତ୍‍କର୍ମାଙ୍କ ପରି ଲସରପସର ହେଉଛନ୍ତି, ମାତ୍ର ଭିତରେ ଭାରି ଅନିଚ୍ଛୁକ ହୋଇବସିଛନ୍ତି । ସେମାନେ କ୍ଷମତାର ଅବସରଗୁଡ଼ାକୁ ନଜକୁ ଦିନୁଁଦିନ ଅଧିକ ମୋଟା ଓ ତେଣୁ ଅଧିକ ଅଚଳ କରିବାରେ ହିଁ କାମରେ ଲଗାଉଛନ୍ତି । ନେତୃତ୍ୱର ଅବକାଶଗୁଡ଼ିକ ନିଜ କଣ୍ଠରେ ମଲ୍ଲୀମାଳ କରି ପିନ୍ଧିଛନ୍ତି ଓ ତଦ୍ୱାରା ଆପଣାର ଅକ୍ଷମତାଗୁଡ଼ାକୁ ତାହାରିତଳେ ଘୋଡ଼ାଇ ରଖିଛନ୍ତି । ଏହି ଅକ୍ଷମ ଲୋକମାନେ ଧର୍ମକଥା କହୁଛନ୍ତି । ସାହିତ୍ୟ ଓ ସଂସ୍କୁତି କଥା କହୁଛନ୍ତି, ଜଗନ୍ନାଥଙ୍କ କଥା କହୁଛନ୍ତି ଓ ଅପଣାକୁ କୁଣ୍ଡା ଖୁଆଇ ମୋଟ କରି ରଖିଛନ୍ତି । କେଡ଼େ ଶୋଭାବନ ଦେଖାଯାଉଛନ୍ତି । ମଣିଷ ଯେ ଭିତରକୁ ପୂରା ଅକ୍ଷମଥାଇ ବାହାରେ ଭାରି ହୁଣ୍ଡାହୋଇ ଦିଶିପାରେ, ଆମ କ୍ଷମତାସୀନମାନେ ତାହାରି ନମୁନା ହୋଇ ରହିଛନ୍ତି-। ତୁଚ୍ଛା ଅକ୍ଷମ ଲୋକମାନେ ଯେ ବାହାରେନେତା ହୋଇ ରହିପାରନ୍ତି, ଆମ ଓଡ଼ିଶା ସଂସାର ଲାଗି ତାହାରି ଏକ ନମୁନା ହୋଇ ରହିଛି । ଗଗନ କମ୍ପିବାରେ ଲାଗିଛି ।

 

୩୦ । ୭ । ୮୩

Image

 

ସାହିତ୍ୟ, ଗୋଷ୍ଠୀ ଓ ବିବାଦ

 

ଓଡ଼ିଶାରେ ସାହିତ୍ୟ କ୍ଷେତ୍ରରେ ନାନା ଗୋଷ୍ଠୀବିବାଦର ସୃଷ୍ଟି ହେଉଥିବାରୁ ଏବେ ନାନା ସମୟରେ ଖେଦ ଓ ଉଦବେଗ ପ୍ରକାଶ ପାଉଛି । ସ୍ୱୟଂ ସାହିତ୍ୟିକମାନେ ହିଁ ଏହି ଖେଦ ଓ ଉଦବେଗମାନ ପ୍ରକାଶ କରୁଛନ୍ତି । ଲାଙ୍ଗୁଳଧାରୀ ପ୍ରାଣୀମାନେ ଯଦି ଲାଙ୍ଗୁଳଗୁଡ଼ାକ ସକାଶେ କେବେ ବିଭିନ୍ନ ଗୋଷ୍ଠୀରେ ବସି ଖେଦ ଓ ଉଦବେଗ ପ୍ରକାଶ କରନ୍ତି, ତେବେ ସେଥିଲାଗି ଆମେ କାହାକୁ ଦୋଷଦେବା ?

 

ପ୍ରକୃତ କଥା ହେଉଛି, ଆଗ ସାହିତ୍ୟକୁ ନ ଲୋଡ଼ି ଆପଣାକୁ ଆଗ ଲୋଡ଼ିଲେ ସାହିତ୍ୟର ଗୋଠରେ ଷଣ୍ଢ ବୋଲାଉଥିବା ବିଶେଷମାନେ ଯାବତୀୟ ଅନ୍ୟ କୋପନକୁ ଆଳକରି ଗୋଷ୍ଠୀ ଗଢ଼ନ୍ତି ଅଥବା ଗୋଷ୍ଠୀ ଗଢ଼ାନ୍ତି । ସେଇଥିରୁ ବିବାଦ ହୁଏ । ଗୋଷ୍ଠୀରୁ ବିବାଦ ହୁଏନାହିଁ । ସଚରାଚର ଯାହାହୁଏ, ଓଡ଼ିଶାରେ ମଧ୍ୟ ତାହାହିଁ ହୋଇଥାଏ । ଆମର ଏଠି ମଧ୍ୟ ଅନେକ ମଣିଷ ରହିଥାନ୍ତି, ଯେଉଁମାନଙ୍କର ଅସଲ ପ୍ରେମଟି ଆଉ କୋଉଠି ଯାଇ ରହିଥାଏ, ମାତ୍ର ସେମାନେ କେତେପ୍ରକାର କାକତାଳୀୟ ନ୍ୟାୟରେ ସାହିତ୍ୟ ଭିତରେ ଆସି ସାମିଲ ହୋଇ ଯାଇଥାନ୍ତି । ସାହିତ୍ୟର ବେଦୀରେ ବସି ସେମାନେ ଆପଣାଲାଗି ରୂପ ମାଗନ୍ତି, ଯଶ ମାଗନ୍ତି, ଶତ୍ରୁମାନଙ୍କର ନିଧନ କାମନା ବି କରନ୍ତି । ସେଥିଲାଗି ଡଗର ଲଗାନ୍ତି, ବୀର ପେଷନ୍ତି, ହାତରେ ଏଡ଼େ ବଡ଼ ତାବିଜଟାଏ ପିନ୍ଧି ସେମାନେ ସିଧା ଆସି ସାହିତ୍ୟ ଘରେ ଏକମାତ୍ର ମରଦ ହୋଇ ରହିବାକୁ ମନ କରୁଥାଆନ୍ତି, ତୋଟା ଗୋଟାକରେ ଏକା ଗେଧ ହୋଇ ବାସ କରିବାକୁ ବାସନା ରଖିଥାନ୍ତି । ଏହିଗୁଡ଼ାକରୁ ଯେଉଁ ଗୋଷ୍ଠୀ ଜନ୍ମନିଏ, ସେଥିରୁ ହିଁ ବିବାଦର ଉକୁ ହୁଏ । ତା’ ଭିତରେ ରାଜନୀତିରେ କିଞ୍ଚିତ୍‍ ଅଭିଜ୍ଞତା ଅର୍ଜନ କରିଥିବା ପଣ୍ଡାମାନେ ଆସି ପହଞ୍ଚିଗଲେ ବିବାଦଗୁଡ଼ାକ ଗୋଟାଏ ଗୋଟାଏ ମଜଲିସରେ ପରିଣତ ହେବାକୁ ଆଦୌ ଉଛୁର ହୁଏନାହିଁ । ସାହିତ୍ୟର ଅସଲ ଗୋଷ୍ଠୀଗୁଡ଼ିକ ନାନା କାରଣରୁ ଓଡ଼ିଶାରେ ତିଆରି ହୋଇ ପାରିନାହିଁ ବୋଲି ହୁଏତ ଗୋଷ୍ଠୀବିବାଦଗୁଡ଼ାକ ଉଦ୍ଦୀପିତ ହେବାକୁ ଅଧିକ ଭୂଇ ପାଇ ଯାଉଛନ୍ତି । ସାହିତ୍ୟକୁ ଲୋଡ଼ି ଓଡ଼ିଶାରେ ଯଦି ଗୋଷ୍ଠୀ ହୋଇ ପାରୁଥାନ୍ତା ସହଭୋଜନ ଲାଗି ଯଦି ସାହିତ୍ୟରେ ଗୋଷ୍ଠୀହୋଇ ପାରୁଥାନ୍ତା, ପରସ୍ପରର କଥାକୁ ଶ୍ରଦ୍ଧାର ସହିତ ପୁଣିବା ଲାଗି ଯଦି ଆମେ ଗୋଷ୍ଠୀ ବସାଇ ପାରୁଥାନ୍ତେ, ତେବେ ସେହିସବୁ ଗୋଷ୍ଠୀରେ ସତେଅବା ଦେବତାଙ୍କର ଅବତରଣ ଘଟି ପାରୁଥାନ୍ତା ଓ ତଦ୍ଦ୍ୱାରା ଆମେ ସମସ୍ତେ ଐଶ୍ୱର୍ଯ୍ୟଶାଳୀ ହୋଇ ପାରୁଥାନ୍ତେ । ସେହିପରି ମନ କରୁଥିଲେ ଆମେ ବାହାର ବଜାରର ଗୃହଗୁଡ଼ାକୁ ସାଙ୍ଗରେ ଧରି କଦାପି ସାହିତ୍ୟ ଭିତରକୁ ଆସନ୍ତେ ନାହିଁ । ଆମେ ଭଦ୍ର ହୋଇ ଆସନ୍ତେ । ଅହଙ୍କାର ଛାଡ଼ି ଆସନ୍ତେ, ପରସ୍ପରର ପାଖରେ ବସିବାକୁ ଆମକୁ ଆଉ ମୋଟେ ଅଇଁଗୁଣ ଲାଗନ୍ତା ନାହିଁ । ପଙ୍କଗୁଡ଼ାକୁ ବୁଜୁଳାକରି ସଭାକୁ ଆଣିଲେ ଗୋଷ୍ଠୀ ଭାଙ୍ଗି ଯାଏ ତେଣିକି ବିବାଦ ହିଁ ସାର ହୋଇ ରହିଥାଏ ।

 

ଆମେ ଯେଉଁମାନେ ଗୋଷ୍ଠୀ ବିବାଦ ସକାଶେ ଉଦବେଗ ପ୍ରକାଶ କରୁଛୁ, ସେମାନେ ସକଳ ପ୍ରକାର ଅହଙ୍କାର ଓ ପ୍ରତି-ଅହଙ୍କାରକୁ ଛାଡ଼ି ସବା ଆଗ ସାହିତ୍ୟକୁ ଓ ପରସ୍ପରକୁ ଲୋଡ଼ି ବିକଳ୍ପ ଗୋଷ୍ଠୀମାନ ଗଢ଼ିପାରିଲେ ହୁଏତ ଏକ ଅନ୍ୟବାଟ ଫିଟିପାରନ୍ତା, ଆମର ଉଦବେଗଗୁଡ଼ାକ ଯଥାର୍ଥ ଉତ୍ସାହ ଓ ଯଥାର୍ଥ ଶକ୍ତିରେ ପରିଣତ ହୋଇପାରନ୍ତା ।

 

୩୧ । ୭ । ୮୩

Image

 

ସଉକୀ ପଣ୍ଡିତଙ୍କ ସୁଆଙ୍ଗ

 

ସଉକୀ ପଣ୍ଡିତମାନେ ବରଷକରେ ଥରେ ପରବ ପାଳନ୍ତି ଏବଂ ତାକୁ କଂଗ୍ରେସ ବୋଲି କହନ୍ତି । ବିଷୟଗୁଡ଼ିକ ଅନୁସାରେ ତାହାକୁ ଇତିହାସ କଂଗ୍ରେସ, ଗଣିତ କଂଗ୍ରେସ ଅଥବା ଭୂଗୋଳ କଂଗ୍ରେସ ବୋଲି କୁହାଯାଏ । ଆୟତନ ଅନୁସାରେ କାହାକୁ ନିଖିଳ ଉତ୍କଳ ଅମୁକ କଂଗ୍ରେସ ବୋଲି କୁହାଯାଏ ତ ଆଉ କାହାକୁ ନିଖିଳ ଭାରତ ଅମୁକ କଂଗ୍ରେସ ବୋଲି ମଧ୍ୟ କୁହାଯାଏ । ବିଭିନ୍ନ କଲେଜରେ ଯେଉଁମାନଙ୍କୁ ଅଧ୍ୟାପକ ବୋଲି କୁହାଯାଏ, ଯେଉଁମାନେ ସେହିସବୁ ତୀର୍ଥରେ ଅମୁକ ବିଷୟ ଅଥବା ସମୁକ ବିଷୟଟିକୁ ପଢ଼ାନ୍ତି, ସେହିମାନେ ବରଷକେ ଥରେ ରୁଣ୍ଡ ହୋଇ କଂଗ୍ରେସ କରନ୍ତି ।

 

କଲେଜମାନଙ୍କରେ ସେମାନେ ଖୋପଖୋପ ହୋଇ ରହିଥାଆନ୍ତି, ପାହାଚ ପାହାଚ ହୋଇ ରହିଥାନ୍ତି, ପାହାଚଗୁଡ଼ାକର ନ୍ୟାୟ ଅନୁସାରେ ଦରମା ପାଉଥାନ୍ତି । ସେହି ପାହାଚଗୁଡ଼ାକର ନ୍ୟାୟ ଅନୁସାରେ ହାକିମୀ କରନ୍ତି ଅଥବା ହାକିମୀ ସହନ୍ତି । ବୟସ ଅନୁସାରେ ଭାଗଭାଗ ହୋଇ ରହିଥାନ୍ତି, ଦରମା ଅନୁସାରେ ଭାଗ ଭାଗ ଭୋଇ ରହିଥାନ୍ତି । ସେହି ଖୋପ ଓ ପାହାଚମାନଙ୍କର ଅପସଂସ୍କାରଗୁଡ଼ାକୁ ସାଙ୍ଗରେ ଆଣି ସେମାନେ କଂଗ୍ରେସକୁ ଆସନ୍ତି । କଂଗ୍ରେସରେ ବକ୍ତୃତା ହୁଏ, ବକ୍ତୃତାର ଦରବାର ବସେ । ପରସ୍ପରର ସମକକ୍ଷ ଭାବରେ କିଛି କୁହାଯାଏ ନାହିଁ କି କିଛି ଶୁଣାଯାଏ ନାହିଁ । ବିଦ୍ୟା ପଛରେ ରହିଯାଏ, ପଦଗୁଡ଼ାକରେ ତିଷ୍ଠି ରହିବା ହିଁ ମହାବିଦ୍ୟାରେ ପରିଣତ ହୁଏ ।

 

କଲେଜମାନଙ୍କରେ ବି ବିଦ୍ୟା ପଛରେ ରହିଥାଏ, ପାହାଚ ଓ ଖୋପଗୁଡ଼ାକର ନ୍ୟାୟକୁ ମାନି ତିଷ୍ଠି ରହିବା ଏବଂ ଦରମା ପାଇ ବୁଢ଼ା ହେବା ହିଁ ସାର ହୋଇ ରହିଥାଏ । କଂଗ୍ରେସଗୁଡ଼ାକରେ ମଧ୍ୟ ସେହି କଲେଜର ହିଁ ସଂସ୍କାର ଚଳେ । ସେଠି ମଧ୍ୟ ଖୋପଗୁଡ଼ାକ ସବାଆଗ ଝସକେତନ ହୋଇ ଜଳୁଥାନ୍ତି । ବିଦ୍ୟା ଯାଇ କୋଉ ପଛରେ ପଡ଼ିଥାଏ ।

 

ଏହିସବୁ କଂଗ୍ରେସ ଅନ୍ୟ ପ୍ରକାରେ ହୋଇ ପାରୁଥାନ୍ତି । ଆମେ ଅନ୍ୟ ପ୍ରକାରେ ହୋଇଥିଲେ ଆମ କଂଗ୍ରେସ ମଧ୍ୟ ଅନ୍ୟ ପ୍ରକାରର ଅବଶ୍ୟ ହୋଇଥାନ୍ତା । ଖାଲି ଭୋଜିଭାତ ଓ ଭାଷଣର ଦରବାରୀ ତୁଚ୍ଛାଡ଼ମ୍ବରରେ କଦାପି ସରିଯାଉ ନଥାନ୍ତା ।

 

ଆମେ ଯଦି ବରଷସାରା ପ୍ରକୃତରେ ପଢ଼ାଉଥିବା ପାଠକୁ ମନକରୁଥାନ୍ତୁ, ଯଦି ଆମେ ଅଧ୍ୟାପନାକୁ ଗୋଟାଏ ଚାକିରି ବୋଲି ଗ୍ରହଣ ନକରି ନିଜେ ବାଛି ନେଇଥିବା ଏକ ଧର୍ମରୂପେ ଗ୍ରହଣ କରିଥାନ୍ତୁ, ଯଦି ଆମେ ନିଜେ ପଢ଼ାଉଥିବା ବିଷୟଗୁଡ଼ିକର କ୍ଷେତ୍ରରେ ପ୍ରକୃତରେ କୌଣସି ବାଟ ଚାଲୁଥାନ୍ତୁ ଓ ଅଗ୍ରସର ହେଉଥାନ୍ତୁ, ତେବେ ଆମର କଂଗ୍ରେସଗୁଡ଼ାକ ନିଶ୍ଚୟ ଅନ୍ୟ ପ୍ରକାରର ହେଉଥାନ୍ତା । ସେଠାରେ ଅଭିଜ୍ଞତା ତଥା ଅଧ୍ୟୟନର ଆଦାନ ପ୍ରଦାନ ହେଉଥାନ୍ତା, ସଂଶୟ ଗୁଡ଼ିକର ସମାଧାନ ମିଳୁଥାନ୍ତା । ସେଠାରେ ଆମେ ସମସ୍ତେ ଜଣେଜଣେ ସମ୍ମନଯୋଗ୍ୟ ବିଦ୍ୟାନୁରାଗୀ ପରି ଆଚରଣ ଦେଖାଉଥାନ୍ତୁ । ପରସ୍ପରକୁ ଯଥାର୍ଥ ବିନୟରେ ଅର୍ଥାତ ଯଥାର୍ଥ ସମ୍ମାନବୋଧ ସହିତ ଗ୍ରହଣ କରୁଥାନ୍ତୁ । ଯେଉଁ ବ୍ୟବସ୍ଥାଟି ମଧ୍ୟରେ ଅଧ୍ୟାପନା କରି ଆମେ ପାରମ୍ପରିକ ଭାବରେ ପ୍ରଧାନତଃ ଗୁଡ଼ାଏ ଅବ୍ୟବସ୍ଥାକୁ ହିଁ ପ୍ରାୟ ଅମର କରି ରଖିଛୁ; ଆମ କଂଗ୍ରେସଗୁଡ଼ିକ ସେହି ବ୍ୟବସ୍ଥାଟିରେ ମଧ୍ୟ କ୍ରମଶଃ ଏକ ପରିବର୍ତ୍ତନ ଆଣିବାରେ ସାହାଯ୍ୟ କରନ୍ତେ-। ସର୍ବୋପରି ଆମେ ପରସ୍ପର ବନ୍ଧୁପରି ଦିଶନ୍ତୁ । ଏମିତି ଲଜ୍ଜାଜନକ ଭାବରେ ଖୋପଖୋପ ହୋଇ ଅଥବା ଥାକଥାକ ହୋଇ ମୋଟେ ଦିଶନ୍ତୁ ନାହିଁ ।

 

୭ । ୮ । ୮୩

Image

 

ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ

 

କଂଗ୍ରେସ ଏଣିକି ଦାରିଦ୍ର୍ୟ ବିରୁଦ୍ଧରେ ଆପଣାର ସଂଗ୍ରାମ ଚାଲୁରଖିବ ବୋଲି ସେଦିନ କଂଗ୍ରେସର ଭଣ୍ଡାରଘରଣୀ ଏକ ସଧାରଣ ସଭାରେ ଭାଷଣ ଛଳରେ କହିଛନ୍ତି । ଭାରତବର୍ଷ ରାଜନୀତିକ ସ୍ୱାଧୀନତା ଲାଭ କଲାପରେ ହିଁ ସରକାରୀ ଭାବରେ ଏହି ଦେଶରେ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ଆରମ୍ଭ ହୋଇଛି । ସେଥିଲାଗି କେତେ କାଗଜପତ୍ର ଲେଖାହୋଇଛି, କେତେ ନୂଆବିଭାଗର ପ୍ରତିଷ୍ଠା ହୋଇଛି ଏବଂ କେତେ ଭାଷଣ ଦିଆଯାଇଛି । ଦେଶର ଧନ ବଢ଼ିଛି, ପଣ୍ଡିତ ବଢ଼ିଛିନ୍ତି, ସଉକିନୀଗୁଡ଼ାକ ସାତସହସ୍ର ଗୁଣ ହୋଇଛି, ଆମ ସାଙ୍ଗର ମଣିଷଗୁଡ଼ାକ ସାହେବମାନଙ୍କର ବେଶ ପିନ୍ଧି ଆମଠାରୁ କେତେ ତଫାତ ପରି ଦେଖା ଯାଇଛନ୍ତି । କେତେ ନଦୀରେ ବନ୍ଧ ପଡ଼ିଛି, କୋଟି କୋଟି ଟଙ୍କା ଗୋଡ଼ି ହୋଇ ଏହି ସବୁ ବନ୍ଧକୁ ତିଆରି କରିଛନ୍ତି । ଚତୁର ମଣିଷମାନେ ସେହି ବନ୍ଧଗୁଡ଼ିକର କାନ୍ଥରେ ଆପଣାଲାଗି ପ୍ରମୋଦ ଉଦ୍ୟାନମାନ ଗଢ଼ିଛନ୍ତି-। ତଥାପି ଦାରିଦ୍ର୍ୟ ଯାଇନାହିଁ, ଦରିଦ୍ରମାନେ ଆହୁରି ଦରିଦ୍ର ହୋଇଛନ୍ତି । ଦାରିଦ୍ର୍ୟ ଦୂର କରିବାର ଉଦ୍ୟମଗୁଡ଼ାକ ଦିନୁଁଦିନୁ ଅଧିକରୁ ଅଧିକ ଅଲକ୍ଷଣା ହୋଇପଡ଼ିଛନ୍ତି । ତୋଟାଗୁଡ଼ାକୁ ଚତୁର ମାଙ୍କଡ଼ମାନେ ଜୁର କରି ଦେବାରେ ଲାଗିଛନ୍ତି ।

 

ଯେଉଁ ନେତୃତ୍ଵର ଘରୁ ଦାରିଦ୍ର ବିରୁଦ୍ଧରେ ଯଥାର୍ଥରେ ସଂଗ୍ରାମ ହୋଇଥାନ୍ତା, ସେହି ଘରଟି କାଳକ୍ରମେ ଭାରି ଖୁଣ୍ଟହୀନ ହୋଇ ପଡ଼ିଲାଣି । ଏହି ଦରିଦ୍ର ଅମଜବୁତ ଘରଟି ଦାରିଦ୍ର ବିରୁଦ୍ଧରେ ପୁଣି କି ସଂଗ୍ରାମ ଚଳାଇ ପାରିବ ? ଖାଇଯିବାକୁ ହିଁ ସର୍ବମହତ୍ୱପୂର୍ଣ୍ଣ ଧର୍ମ ବୋଲି ଧରିନେଇଥିବା ନେତୃତ୍ୱଗୁଡ଼ାକ ଅନ୍ୟମାନଙ୍କ ମୁଖରେ ଆହାର ଆଣି ଦେଇପାରିବା ଲାଗି ନିଜ ଭିତରୁ ବଳ ବା ପାଇବେ କିପରି ? ତେଣୁ ଗତ ତିନି ଚାରିଟା ଦଶକ ଭିତରେ ନେତୃତ୍ୱ ନିଜେ ଯେ କେଡ଼େ ଦରିଦ୍ର ହୋଇପଡ଼ିଛି, ଆଗ ସେହି କଥାଟିର ବିଚାର ହେଉ ଓ ସାଧୁତା ଥିଲେ ଆଗ ସେହି ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ଚାଲୁ । ଆଗ ଏ ଘରଗୁଡ଼ାକ ସଫା ହେଉ, ଘରୁ ଗୁହଗୁଡ଼ାକ ସଫାହେଉ, ମଝିରେ ଥାଇ ସବୁ କିଛିକୁ ଗ୍ରାସକରି ନେଉଥିବା ଏହି କଣାଗୁଡ଼ାକୁ ବନ୍ଦ କରାଯାଉ । ଏଥିପାଇଁ ସବା ଆଗ ଯେଉଁ ସାହସ ଦରକାର ଓ ଯେଉଁ ନିର୍ଭୀକ ଅନ୍ତଃଦୃଷ୍ଟି ଦରକାର, ନେତୃତ୍ୱ ସେଇଟି ଲାଗି ଭାଜକ ହେଉ । ତା’ପରେ ଯାଇ କାଗଜପତ୍ରର ନିର୍ଜୀବ ଯୋଜନା ଗୁଡ଼ାକ ଯଥାର୍ଥରେ ପ୍ରାଣ ପାଇବ ଏବଂ ଯଥାର୍ଥରେ ସକ୍ରିୟ ହୋଇ ପାରିବ । ଏହି ଦେଶର ରାଜନୀତିରେ ପୂରା ମଙ୍ଗମୋଡ଼ି ପାରିବାର ମଣିଷ ବାହାରି ପାରିଲେ ଯାଇ ସେକଥା ସମ୍ଭବ ହେବ ।

 

ବର୍ତ୍ତମାନର ଏ ସେନାପତିମାନେ ଭାରି ବଢ଼ା ହେଇଗଲେଣି । ଏମାନଙ୍କ ନିଜ ଭିତରେ ଆଉ ପ୍ରୟ କୌଣସି ବିଶ୍ୱାସ ନାହିଁ; ତେଣୁ ଯିବା ଆଗରୁ ଏମାନେ ହୁଏତ ସବୁ ଛାରଖାର କରିଦେଇ ଯିବେ ବୋଲି ବାହାରିଛନ୍ତି । ଏମାନେ ଯୋଉ ଖଟୁଲି ଉପରେ ଦେବତା ହୋଇ ବସିଛନ୍ତି, ସେହି ଖଟୁଲିକୁ ସ୍ୱୟଂ ଖାଇ ଯାଉଛନ୍ତି । ଯିଏ ଏହି ଦରିଦ୍ରମାନଙ୍କୁ ପ୍ରକୃତରେ ମଣ କରିପାରିବ, ତାକୁ ଏକ ଅନ୍ୟ ପ୍ରକାର ନେତୃତ୍ୱ ଦେବାକୁ ପଡ଼ିବ । ତେବେ ଯାଇ ଦାରିଦ୍ର୍ୟ ଯିବ ।

 

୧୪-୮-୮୩

Image

 

ହାୟରେ ହତାଶମାନେ

 

ଶିକ୍ଷା କ୍ଷେତ୍ରରେ କ୍ଷେତ୍ରପାଳମାନେ କ୍ରମେ ସମସ୍ତେ ଏକମୁଖ ଏବଂ ଏକସ୍ୱର ହୋଇ କହିଲେଣି ଯେ, ଶିକ୍ଷାରେ କିଛି ହେଉନାହିଁ । ସେମାନେ ସତ ଅବା କେଡ଼େ ଉଲ୍ଲାସର ସହିତ ‘ଆମେ ବିଫଳ ହେଲୁ’ ବୋଲି କହୁଛନ୍ତି । ସଭା ମଣ୍ଡାଇ କହୁଛନ୍ତି, ପେଣ୍ଟ୍‍ କୋଟ୍‍ ଆଉ ଟାଇ ବାନ୍ଧି କହୁଛନ୍ତି । କାନରେ ଫୁଲ ଖୋସି ନୋଳି ପିନ୍ଧି କହୁଛନ୍ତି, ତେଣେ ଗେଲବସରିଆ ପ୍ରାସାଦଗୁଡ଼ାକ ଭିତରେ ଖାଲି ଚଷୁକୁଟିବାରେ ଲାଗିଛନ୍ତି । ଧ୍ଵଜଭଙ୍ଗର ରୋଗୀ ଧ୍ଵଜଭଙ୍ଗ ହୋଇଥିବାର ଜାଣି ସୁଦ୍ଧା କେବେ ଧ୍ଵଜଭଙ୍ଗ ରୋଗୀ ପରି ଆଚରଣ କରେନାହିଁ । ସିଏ ଅଧିକ ପରାକ୍ରମ ଦେଖାଇବାକୁ ମନ କରେ, ଅଧିକ କାମନାର ଭାଗ କରେ । ଭିତରେ ଯେତିକି ଅଧିକ ଉତ୍ପୀଡ଼ିତ ହୋଇ ପଡ଼ିଥାଏ, ବାହାରେ ସେତିକି ଅଧିକ ପରିମାଣରେ ଉତ୍ତେଜିତ ହେବାରେ ଲାଗିଥାଏ ।

 

ଆମ ଶିକ୍ଷାଘରମାନଙ୍କରୁ ରଞ୍ଜକଗୁଡ଼ାକ କୋଉଦିନୁ ସରିଗଲାଣି । ତଥାପି କ୍ଷେତ୍ରପାଳମାନେ କମ୍‍ ବାଣ ମାରୁନାହାନ୍ତି । ନିଜ ହତାଶାଗୁଡ଼ାକୁ ମଧ୍ୟ ସେମାନେ ଉଜ୍ଜ୍ୱଳ ଆଲୋକର ବ୍ୟବସ୍ଥା କରି ଢାଉଁଢାଉଁ କରିବାରେ ଲାଗିଛନ୍ତି । ଆପଣା ଉତ୍ତେଜନା ଦ୍ଵାରା ଆପଣାର ଉତ୍ପୀଡ଼ନ ଓ ଅସମର୍ଥତାକୁ ପ୍ରମାଣ କରିଦେଇଛନ୍ତି ।

 

ହତାଶମାନେ ଯେଉଁଠି ରହି ସବୁକିଛି ବୁଡ଼ିଗଲା ଏବଂ ଉଜୁଡ଼ିଗଲା ବୋଲି ଏତେ ପାଟି କରି କହୁଛନ୍ତି, ସେମାନେ ସେହିସବୁ ଆଡ଼କୁ ଯାବୁଡ଼ି କରି ଧରିଛନ୍ତି । ଆମ ଶିକ୍ଷାକ୍ଷେତ୍ରଗୁଡ଼ାକରେ ପ୍ରାୟ ଏହିପରି ଏକାଦଶା ଲାଗିରହିଛି । ସେହି କ୍ଷେତ୍ରରେ ହତାଶମାନେ ଚକ୍ରବର୍ତ୍ତୀହୋଇ ବସିଛନ୍ତି; ତେଣୁ ଚକଗୁଡ଼ାକ ମୋଟେ ବୁଲୁନାହିଁ । ଯାହା ଯେଉଁଠି ଥିଲା ସେଇଠି ଘସରା ହୋଇ ପଡ଼ିଛି ଏବଂ ଦେଶଟା ଯାକକୁ ଲୋକହସା କରାଇବାର ବରାଦ କରିବାରେ ଲାଗିଛି ।

 

ତେଣୁ ହତାଶମାନେ ବାଟ ଛାଡ଼ି ଦିଅନ୍ତୁ । ବର୍ତ୍ତମାନ ସକଳ ଅସମ୍ଭବ ଓ ଅନ୍ଧାରୁଆ ଅବସ୍ଥା ସତ୍ତ୍ୱେ ତଥାପି କିଛି ହୋଇପାରିବ ବୋଲି ଯେଉଁମାନେ ବିଶ୍ୱାସ କରୁଛନ୍ତି ଓ ସେହି ବିଶ୍ୱାସ ଅନୁସାରେ କୌଣସି ଉଦ୍ୟମ କରୁଛନ୍ତି, ସେମାନଙ୍କ ଲାଗି ବାଟ ଛାଡ଼ି ଦିଆଯାଉ । ବିକଳ୍ପ ଲାଗି ବାଟ ଛାଡ଼ି ଦିଆଯାଉ, ତେବେ ଯାଇ ବାଟ ବାହାରିବ ଓ ଏହି ହତାଶ ଦୂର ହେବ ।

 

ଗୋଟାଏ ପରେ ଗୋଟିଏ କ୍ଷେତ୍ରପାଳମାନେ ଆସି ପଦ ଓ ପାରିଶ୍ରମିକ ଭୁଞ୍ଜି ସମ୍ପୃକ୍ତ ସମସ୍ତଙ୍କୁ ହତାଶ କରି ଅବସର ନେଇ ଚାଲି ଯାଉଥିଲେ, ଏହି ଦେଶରେ ଏହି ଦୁଷ୍ଟ ଦୁଃଖଦ ପ୍ରହସନ ଆଉ କେତେଦିନ ପର୍ଯ୍ୟନ୍ତ ଚାଲିବ ? ତେଣୁ ପୁରୁଣାମାନେ ବାଟ ଛାଡ଼ିଦିଅନ୍ତୁ । ହତାଶମାନେ ଅନ୍ତତଃ ଏତିକି ସାଧୁତାର ଯୋଗ୍ୟ ହୁଅନ୍ତୁ ।

 

ହତାଶମାନଙ୍କ ଦ୍ୱାରା କେବେ କିଛି ହୁଏନାହିଁ । ହତାଶମାନଙ୍କୁ ମାସକୁ ଦୁଇ ହଜାର ଦରମା ଦେଇ ରଖିଲେ ମଧ୍ୟ ସେମାନେ ବିହନରୁ ଗଜା କରାଇ ପାରନ୍ତି ନାହିଁ । ଯିଏ ଭବିଷ୍ୟତ ଉପରେ ବିଶ୍ୱାସ ରଖିଥାଏ ଓ ସେହି ଅନୁସାରେ ଉଦ୍ୟମ କରିବାରେ ଲାଗିଥାଏ, ସେଇ ଖୋଜିକରି ନୂଆ ବିହନ ଆଣିବାକୁ ସମର୍ଥ ହୁଏ, ବିହନରୁ ଗଜା ବାହାର କରିବାକୁ ସମର୍ଥ ହୁଏ; ତେଣୁ ହତାଶମାନେ ବାଟ ଛାଡ଼ିଦିଅନ୍ତୁ । ଆପେ ଫାଶରେ ବାନ୍ଧିହୋଇ ବସି ସଂସାରଟାକୁ ବି ଫାଶ ପକାଇ ଏଇଠି ଅଟକାଇ ରଖିବାକୁ ଆଦୌ ଚେଷ୍ଟା ନ କରନ୍ତୁ । ତା’ ନହେଲେ ଏହି ଫାଶ ସେହି ମାନଙ୍କୁ ହିଁ ଗ୍ରାସ କରି ପକାଇବ । ବାଟ ଚାଲିବାର ଜୟହେବ, ନୂତନ ଆଶାର ଜୟ ହେବ, ନୂତନ ଉଦ୍ୟମର ହିଁ ଜୟ ହେବ ।

 

୨୧ । ୮ । ୮୩

Image

 

ସେମାନଙ୍କୁ ଆଉ ଚିହ୍ନି ହେଉନାହିଁ

 

ପ୍ରଥମେ ସେମାନଙ୍କର ନିଜର ଏକ ପରିଚୟ ଥିଲା ସ୍ଵପ୍ନ ଥିଲା । ଆଖି ଥିଲା, ସଂକଳ୍ପ ଥିଲା ଓ ତେଣୁ ଇଜ୍ଜତ ମଧ୍ୟ ଥିଲା । ତା’ପରେ ସେମାନଙ୍କୁ ସେମାନଙ୍କର ପାର୍ଟି ଦେଇ ଚିହ୍ନିହେଲା । ରାଜନୀତି କରିବେ ବୋଲି ସେମାନେ ଯେଉଁ ପାର୍ଟିରେ ଯାଇ ମିଶିଲେ, ସେତେବେଳେ ସେହି ପାର୍ଟିଗୁଡ଼ାକର ମଧ୍ୟ ସ୍ୱତନ୍ତ୍ର ପରିଚୟ ଥିଲା, ଏକ ବିଶ୍ୱାସ ଥିଲା ଏବଂ ତେଣୁ ସେହି ମୁତାବକ ଏକ ଉଦ୍ୟମ ବି ଥିଲା । ସେମାନଙ୍କର ପାର୍ଟିକୁ ବୁଝିହେଉଥିଲା ବୋଲି ସେମାନଙ୍କୁ ମଧ୍ୟ ମୋଟା-ମୋଟି ଭାବରେ ବୁଝିହେଉ ଥିଲା । ସେମାନେ ଅମୁକ ବା ଅମୁକ ପଲର ଗୋରୁ, କିଛି ନ ହେଲେ ଅନ୍ତତଃ ଏତିକି ଜାଣିହେଉଥିଲା ।

 

ବର୍ତ୍ତମାନ ସେମାନଙ୍କର ଯେ ପ୍ରକୃତରେ କୋଉ ପାର୍ଟି, ସେକଥା ଆଦୌ ଜାଣି ହେଉନାହିଁ ଓ ତେଣୁ ସେମାନଙ୍କୁ ବି ଆଉ ମୋଟେ ଚିହ୍ନି ହେଉନାହିଁ । ସବୁ ପାର୍ଟି ଏକାଭଳିଆ ଦିଶିଲେଣି, ସବୁ ଦ୍ରୁମରୁ ଶିମିଳିତୁଳାଗୁଡ଼ାକ ଉଡ଼ି ଏବେ ଆକାଶଗୁଡ଼ାକୁ ଜଳକା କରି ଦେବାକୁ ବାହାରିଲେଣି; ତେଣୁ ସେମାନେ ବି ଭାରି ଏକାଭଳିଆ ଦେଖାଗଲେଣି, ପରସ୍ପରଠାରୁ ଆଦୌ ବାରି ହୋଇ ପାରୁନାହାନ୍ତି ।

 

ଭାରତୀୟ ରାଜନୀତିରେ ବର୍ତ୍ତମାନ ଏଇଟା ହିଁ ସବୁଠାରୁ ବଡ଼ ଓ ସବୁଠାରୁ ଗହନ ସମସ୍ୟା ହୋଇ ଦେଖାଦେଇଛି । ବର୍ତ୍ତମାନ ରାଜନୀତି ନାହିଁ, ଖାଲି ପାର୍ଟିଗୁଡ଼ାକ ରହିଛନ୍ତି । ପାର୍ଟିମାନେ ଭାଙ୍ଗି ଯାଉଛନ୍ତି; ପୁଣି ଗଢ଼ି ହୋଇଯାଉଛନ୍ତି ବା ଆଉ ପ୍ରକାରେ କହିଲେ ଖାଲି ରାଜନୀତି ଚେତନା ରହିଛି, ରାଜନୀତିକ ବୋଲି କିଛିନାହିଁ । ମାମଲତକାର ହେବାକୁ, ସାହିମାନଙ୍କରେ ସର୍ଦ୍ଦାର ହେବାକୁ ଆଦୌ କୌଣସି ଚେତନା ଥିବା ଦରକାର ହୁଏ ନାହିଁ । ସେତେବେଳେ ଚେତନାଗୁଡ଼ାକୁ ହତ୍ୟାକରି ଯାଇ ପାର୍ଟିମାନଙ୍କରେ ମିଶି ହୁଏ । ତା’ପରେ ଯେପରି ହୁକୁମ ହୁଏ ସେହିପରି କାର୍ଯ୍ୟ କରାଯାଏ । ହୁକୁମ ପାଳନ କରୁଥିବା ପର୍ଯ୍ୟନ୍ତ ପଇସା ମିଳେ ପଦ ମିଳେ । ପଦ ନ ଥିଲେ । ପଦ ସୃଷ୍ଟି କରାଯାଏ । କୌଣସି କାମ ନ ଥିଲେ ଓ ଏପରିକି କୌଣସି କାମର ଯୋଗ୍ୟ ହୋଇ ନ ଥିଲେ ମଧ୍ୟ ସେମାନେ ତଥାପି ପଦଗୁଡ଼ାକରେ ବାନ୍ଧିହୋଇ ପଡ଼ିଥାନ୍ତି । ମୋଟେ ବାହାରି ପାରନ୍ତି ନାହିଁ । ଅଚେତନରେ ଫୁଲକରି ରହିଥାନ୍ତି, ଭାରି ଉଗ୍ର ଓ ପଙ୍କବର୍ଣ୍ଣ ହୋଇ ରହିଥାନ୍ତି । ସେତେବେଳେ ପଙ୍କଗୁଡ଼ାକୁ ଚିହ୍ନିହୁଏ ସତ, ମାତ୍ର ସେମାନଙ୍କୁ ମୋଟେ ଚିହ୍ନିହୁଏ ନାହିଁ ।

 

ଯେଉଁମାନେ ଏହିପରି ଭାବରେ ମୋଟେ ଚିହ୍ନି ହେଉନାହାନ୍ତି; ଅପଣା ପରିଚୟଗୁଡ଼ାକୁ ଗଡ଼ିଆ ଭିତରେ ଉଜାଇଁ ଦେଇ ଯେଉଁମାନେ ଗାଡ଼ିଆରୁ ମାଛ ଖାଇବାରେ ଲାଗିଛନ୍ତି, ସେମାନେ ଶେଷକୁ ଅବଶ୍ୟ ବିଡ଼ମ୍ବିତ ହେବେ । ତୋଟାର ପାଚିଲା ପତ୍ରଗୁଡ଼ାକ ଏଡ଼େଏଡ଼େ ବହଳରେ ତୋଟା ଭର୍ତ୍ତିକରି ପଡ଼ିଥିଲେ ମଧ୍ୟ ଯେପରି ସେମାନଙ୍କୁ ମୋଟେଚିହ୍ନି ହୁଏନାହିଁ ଓ ସେମାନେ ବିଡ଼ମ୍ବିତ ହୋଇ ରହିଥାନ୍ତି, ଠିକ୍‍ ସେହିପରି ପତ୍ରଗୁଡ଼ାକ ଶେଷକୁ ମାଟିରେ ମିଶିଯାନ୍ତି । ମୋଟେ ମନେ ରହନ୍ତି ନାହିଁ । ପରିଚୟ ରହିଥିବା ପର୍ଯ୍ୟନ୍ତ ମଣିଷର ଇଜ୍ଜତ ଥାଏ ।

 

ମଣିଷର ବିଶ୍ଵାସରୁ ମଣିଷକୁ ଚିହ୍ନି ହୁଏ, ମଣିଷର ସଂକଳ୍ପରୁ ମଣିଷକୁ ଚିହ୍ନି ହୁଏ, ଚେତନା ରହିଥିଲେ ଇଜ୍ଜତ ଥାଏ, ଚେତନାରୁ ହିଁ ମଣିଷକୁ ଅନ୍ୟ ମଣିଷଙ୍କଠାରୁ ବାରି ହୋଇଯାଏ । ସେମାନ ସତେ ଅବା ଆଉ କ’ଣ ହେବେ ବୋଲି ଯାବତୀୟ ଚେତନାରୁ ଆପଣାକୁ ବଞ୍ଚିତ କରି ରଖିଛନ୍ତି; ତେଣୁ ସେମାନଙ୍କୁ ମୋଟେ ବାରିହେଉ ନାହିଁ ଏବଂ କେଡ଼େ ଉଗ୍ର ଏବଂ କେଡ଼େ ବାତୁଳ ହୋଇ ସେମାନେ ଯେଉଁ ସବୁ ଗଣ୍ଠି ପକାଇ ଗୋଟିଏ ଗୋଟିଏ ଗୋଷ୍ଠୀରେ ଏକତ୍ର ହେଉଛନ୍ତି, ସେହି ଗଣ୍ଠିସବୁ କ୍ରମେ ସେମାନଙ୍କର ବେକକୁ ଚିପି ଦେବାରେ ଲାଗିଛି; ତେବେ ଏହିପରି ଭାବରେ କ’ଣ ସେମାନଙ୍କର ଶେଷ ହେବ ? ଏହି ବିଡ଼ମ୍ବନାର ମଧ୍ୟ ଶେଷ ହେବ ?

 

୨୮ । ୮ । ୮୩

Image

 

ସବାବଡ଼ କୋର୍ଟର ବିଚାରପତି

 

ମକଦ୍ଦମା ବଢ଼ିବଢ଼ି ତଳ କୋର୍ଟରୁ ଉପର କୋର୍ଟକୁ ଯାଏ । ସେହିପରି ବିଚାରପତିମାନେ ବଡ଼ହୋଇ ତଳ କୋର୍ଟରୁ ଉପରକୋର୍ଟକୁ ଯାଆନ୍ତି । ଆଗ ମଫସଲରେ ଥାଆନ୍ତି, ତା’ପରେ ଜିଲ୍ଲା ମହକୁମାକୁ ଆସନ୍ତି । ସେଠାରୁ ସେଣା କଟକକୁ ଉଠେ । କଟକରୁ ବାରାଣସୀ କଟକ ଓ ବାରାଣସୀ କଟକରୁ ଅଭିନବ ବାରାଣସୀ କଟକ । ଚଉକୀମାନେ ବଡ଼ ହେବାପରେ ଲାଗିଥାନ୍ତି । ତଥାପି ସେମାନେ ଖାଲି ବିଚାରକରନ୍ତି ସିନା, ମାତ୍ର ନ୍ୟାୟ ଦେଇପାରନ୍ତି ନାହିଁ । କୌଣସି ବହି ନ୍ୟାୟ ଦେଇପାରେନାହିଁ । ବହି ଅନୁସାରେ ବିଚାର ହୁଏ । ବହିଗୁଡ଼ାକୁ ମାମଲତକାରମାନେ ଲେଖିଥାନ୍ତି । ଯେଉଁମାନଙ୍କ ହାତରେ ଅଢ଼ା ଥାଏ, ସେଇମାନେ ଲେଖିଥାଆନ୍ତି-। ସେହିମାନଙ୍କ ହାତରେ ଅଢ଼ାଗୁଡ଼ାକ ଯେପରି ସବୁଦିନେ ରହିବ, ସେହି ମୁତାବକ ଲେଖିଥାନ୍ତି-। ସେହି ଅନୁସାରେ ନ୍ୟାୟକୁ ଦେଖିଥାନ୍ତି ।

 

ଯେମିତି ସମାଜ, ସେମିତି ନ୍ୟାୟ । ଯେଉଁ ସମାଜରେ ଜରାସନ୍ଧମାନେ ମାମଲତକାର ହୋଇ ରହିଥାନ୍ତି, ସେଠି ଜରାସନ୍ଧମାନଙ୍କର ନ୍ୟାୟ, ଜରାସନ୍ଧମାନଙ୍କର ଧର୍ମ ଓ ଜରାସନ୍ଧମାନଙ୍କର ବିଚାର । ଅସଲ ନ୍ୟାୟ ସେଥିଲାଗି କୌଣସି କୋର୍ଟରେ ମିଳେନାହିଁ । ସମାଜ ବଦଳିଲେ ଯାଇ ନ୍ୟାୟର ଆୟତନ ମଣିଷକୁ ଅଧିକ ସ୍ଥାନ ଓ ଅଧିକ ସମ୍ମାନ ଦେଇଶିଖେ । ବିଚାରପତିମାନେ ସମାଜ ଭିତରେ କିଳିହୋଇ ବିଚାର କରନ୍ତି; ଯେଉଁ ସମାଜ ସେମାନଙ୍କୁ ମୁତୟନ କରିଛି, ଚଉକୀ ଯୋଗାଇ ଦେଇଛି, ସେହି ସମାଜ ଭିତରେ ବାଧ୍ୟ ହୋଇ କିଳିହୋଇ ରହନ୍ତି । ଆପଣାର ବିବେକକୁ କିଳିକରି ରଖନ୍ତି, ବହିଗୁଡ଼ାକୁ ମାନି ଚଳନ୍ତି । ସଭାମାନଙ୍କରେ ବିବେକର କଥା କହନ୍ତି, ସେଇଥିରେ ମୁକ୍ତିର ସ୍ୱାଦ ଅନୁଭବ କରନ୍ତି ।

 

ଆଗେ ଆମ ସମାଜରେ ଅନେକ ଲୋକ ଥିଲେ, ଯେଉଁମାନେ କି ସବାବଡ଼ କୋର୍ଟ କହିଲେ ଏକ ନିର୍ଦ୍ଧିଷ୍ଟ ବିବେକକୁ ବୁଝୁଥିଲେ । ସେମାନେ ସେହି ବିବେକକୁ ଭଗବାନ ବୋଲି କହୁଥିଲେ । ଧର୍ମ ବୋଲି କହୁଥିଲେ । ଏବେ ଧର୍ମକୁ ଚତୁର ମଣିଷମାନେ କିଣି ନେଇଛନ୍ତି । ଚତୁର ମଣିଷମାନେ ସ୍ୱୟଂ ଧର୍ମାବତାର ବୋଲାଉଛନ୍ତି । ଆପଣାର ବିପଣିମାନେ ବଜାୟ ରଖିବାକୁ ସେମାନେ ଯେଉଁ ପିତୁଳାମାନଙ୍କୁ ଥାପିଛନ୍ତି, ସେହିମାନଙ୍କୁ ହିଁ ସେମାନେ ବଜାରରେ ଭଗବାନ ବୋଲି ଚଳାଇ ନେଉଛନ୍ତି ଏବଂ ଅସଲ ଧର୍ମକୁ ଲାଜରା କରି ରଖିଛନ୍ତି, ଭଣ୍ଡୁର କରି ରଖିଛନ୍ତି; ମାତ୍ର ସେମାନେ ନ ମାନିଲେ ବା ଯେତେ ଯାହା ଭଦ୍ର ଭୁରୁଡ଼ କଲେ ମଧ୍ୟ ତଥାପି ଏକ ସବାବଡ଼ କୋର୍ଟ ରହିଛି । ସେଠି ବିବେକ ଅପେକ୍ଷା କରି ରହିଛି ।

 

ବିବେକଗୁଡ଼ାକ ଦାନା ବାନ୍ଧିବାକୁ ଆରମ୍ଭ କଲେଣି । ତା’ପରେ ସେମାନେ ଆଉ ଚଉକିମାନଙ୍କୁ ମୋଟେ ମାନିବେ ନାହିଁ । ବିବେକମାନେ ଅସନ୍ତୋଷରେ ପରିଣତ ହେବେ, ଏବଂ ତା’ପରେ ଚଉକିଗୁଡ଼ାକର ବିଚାର ହେବ । ଏବେ ତ ଚଉକିଗୁଡ଼ାକ ଅନୁସାରେ ବିବେକର ବିଚାର ହେଉଛି । ସେତେବେଳେ ବିବେକଗୁଡ଼ାକ ଅନୁସାରେ ଚଉକିମାନଙ୍କର ବିଚାର ହେବ । ଅସଲ ନ୍ୟାୟ ସେତିକିବେଳେ ଯାଇ ମିଳିବ । ଯେଉଁମାନେ ଚଉକିରୁ ଚଉକିକୁ ଉଠିଯାଇ ବିବେକରେ ମଧ୍ୟ ଉପରକୁ ଉଠିଗଲୁ ବୋଲି ଭାବୁଛନ୍ତି, ସେତେବେଳେ ସେହି ସାମନ୍ତମାନେ ଧରାପଡ଼ିଯିବେ । ଯୁଗ ଆଗକୁ ଚାଲିଯିବ, ସେମାନେ ପଛରେ ରହିଯିବେ ।

 

୪ । ୯ । ୮୩

Image

 

କର୍ମ ଓ କର୍ମବାଦ

 

ଭାରତବର୍ଷରେ କର୍ମର କଥା କୁହାଯିବା ପୂର୍ବରୁ କର୍ମଯୋଗର କଥା କୁହାଯାଇଥିଲା । ଅନ୍ତତଃ କର୍ମର କଥା ଅପେକ୍ଷା କର୍ମଯୋଗର କଥାକୁ ଅଠରଶହ ଗୁଣ ଅଧିକ କରି କୁହାଯାଇଥିଲା-। ହୁଏତ ସେହି କାରଣରୁ ହିଁ ଭାରତବର୍ଷରେ ଯୋଗ ରହିଲା, କର୍ମ ବିଦାହୋଇ ଚାଲିଗଲା-। ଯୋଗୀମାନେ କର୍ମହୀନତାର ସନ୍ତକ ହୋଇ ରହିଲେ । ସେମାନେ ନୈଷ୍କର୍ମ୍ୟର କଥା କହିଲେ, ନିକିମା ହେଲେ । ସାରା ଦେଶଟାକୁ କର୍ମବାଦ ମାଡ଼ିବସି ରହିଲା ।

 

ଆଗ କର୍ମରୁ ଆରମ୍ଭ କରି କର୍ମଯୋଗର କଥା କୁହା ହୋଇଥିଲେ ଏଠି କର୍ମ ଓ କର୍ମଯୋଗ ଉଭୟର ମହତ ରହିପାରିଥାନ୍ତା । ସେହି ସ୍ୱାଭାବିକ ଧାରାଟିକୁ ଅନୁସରଣ କରିନଥିବାରୁ ଭାରତବର୍ଷ ସମଗ୍ରତଃ କର୍ମକୁ ସତେଅବା ବାଧ୍ୟ ହୋଇ କରାଯାଉଥିବା ଏକ ଶ୍ରମ ରୂପେ ଦେଖିବାକୁ ଆରମ୍ଭ କଲା । ଯେଉଁମାନେ କର୍ମ କଲେ, ସେମାନେ ତଳେ ରହିଲେ;—କର୍ମ ନ କରୁଥିବା ଲୋକମାନେ ଉପରେ ସାଆନ୍ତ ହୋଇ ରହିଲେ । ସେମାନଙ୍କର ବିବେକରଞ୍ଜନ ସକାଶେ କର୍ମଯୋଗର ଶାସ୍ତ୍ରମାନ ଲେଖାହେଲା । ଯେଉଁମାନେ କର୍ମଯୋଗର ପ୍ରବଚନମାନ ଦେଇ ବୁଲିଲେ, ସେମାନେ ସାଆନ୍ତମାନଙ୍କ ଘରେ ଗୁରୁର ମାନ ପାଇଲେ, ଦୀକ୍ଷା ଦେଲେ,ଶିଷ୍ୟ କଲେ । ଯେଉଁଠି ଜୀବନ ବଞ୍ଚିବାକୁ ହେଲେ କର୍ମ କରିବାକୁ ହୁଏ, ସବୁଟି ସହିତ ଯୁକ୍ତ ହୋଇ କର୍ମ କରିବାକୁ ହୁଏ ଓ କୌଣସି ଗୋଟିଏ ପ୍ରକାରର କର୍ମରୁ ମଧ୍ୟ ଆପଣାକୁ ଅଛୁଆଁ ରଖିବାକୁ ପଡ଼େନାହିଁ, ଆମ କର୍ମଯୋଗୀମାନେ ସେହି ସଂସାରରୁ ତିନିହାତ ଛାଡ଼ିକରି ରହିଲେ । ତା’ପରେ କାଳକ୍ରମେ ଯୋଗୀ କହିଲେ ବାବାଜୀମାନଙ୍କୁ ବୁଝାଇଲା, ଗୃହତ୍ୟାଗୀମାନଙ୍କୁ ବୁଝାଇଲା, ମଠ ଓ ଆଶ୍ରମ ପ୍ରଭୃତି ବିଶେଷ ସ୍ଥାନରେ ବାସ କରୁଥିବା ଏକ ବିଶେଷ କାଟର ଜୀବମାନଙ୍କୁ ବୁଝାଇଲା । କର୍ମକୁ କଷଣ ବୋଲିକୁହାଗଲା । ତା’ପରେ ଗୋଟିଏ ହୃଦୟହୀନ କର୍ମବାଦର ଅପନ୍ୟାୟ ଆସି ସମାଜର ଯାବତୀୟ ଉଦ୍ୟମ ଓ ଉତ୍ସାହକୁ ଗିଳି ପକାଇଲା । କର୍ମବାଦର ଦୁଷ୍ଟ ଦର୍ଶନ ଆମ ସମାଜର ସାମନ୍ତମାନଙ୍କୁ ହିଁ ସବୁଠାରୁ ଅଧିକ ସୁହାଇଲା ।

 

ପାପ ଓ ପୁଣ୍ୟର ଏକ ଅତି ଚତୁର ବ୍ୟାଖ୍ୟା କରାଯାଇ ଶ୍ରମ ଓ ଭୋଗକୁ ଏଠାରେ ବଡ଼ ଅମାନୁଷିକ ଭାବରେ ବାଣ୍ଟି ଦିଆଗଲା । ଯେଉଁମାନେ କର୍ମକଲେ, ସେମାନେ ପୂର୍ବଜନ୍ମର କର୍ମଫଳରେ ହିଁ ତାହା କରିବାକୁ ବାଧ୍ୟ ହେଉଛନ୍ତି ବୋଲି ବଖାଣି ଦିଆଗଲା । ଯେଉଁମାନେ ପୂର୍ବଜନ୍ମରୁ ସୁକର୍ମଅର୍ଜି ସଂସାରକୁ ଆସିଛନ୍ତି, ସେମାନେ କର୍ମ ନ କରି କେବଳ ଭୋଗ କରିବା ସକାଶେ ଆଦିଷ୍ଟ ହୋଇ ଆସିଛନ୍ତି ବୋଲି ସେମାନଙ୍କ ଦ୍ୱାରା ପାଳିତ ତତ୍ତ୍ୱକାରମାନେ କହିବାକୁ ଆରମ୍ଭ କଲେ ।

 

କର୍ମରୁ ଯେ ଅତ୍ୟନ୍ତ ସ୍ଵଭାବପ୍ରେରିତ ଭାବରେ ଏକ ଆନନ୍ଦ ମିଳେ, କର୍ମ ଯେ ଅଗ୍ରସର କରାଇ ନିଏ, ସ୍ଵେଚ୍ଛା ପ୍ରଣୋଦିତ ଭାବରେ ଅଧିକରୁ ଅଧିକ କର୍ମକୁ ଆଦରିନେଇ ପାରିଲେ ଯେ ମଣିଷ ତା’ରି ଫଳରେ ଯାବତୀୟ ନିସଙ୍ଗତାର କବଳରୁ ରକ୍ଷା ପାଏ ଓ ଆପଣା ଜୀବନରେ ଏକ ଗ୍ରନ୍ଥି ମୋଚନ ସମ୍ଭବ କରିପାରେ, ଭାରତବର୍ଷରେ କ୍ରମେ ସେ କଥା କେହି କହିଲେନାହିଁ, କେହି ତାହାର ଦୃଷ୍ଟାନ୍ତ ହୋଇ ବାହାରିଲେ ନାହିଁ । ଫଳରେ, କର୍ମ କରୁଥବା ଲୋକେ କର୍ମକୁ ଫାଙ୍କି ଦେଲେ, କର୍ମ ନ କରୁଥିବା ଲୋକେ କର୍ମକୁ ଉପରୁ ଥାଇ ଘୃଣାକଲେ ଏବଂ ଯୋଗର ଯାବତୀୟ ପ୍ରେରଣା ଯୋଗଶାସ୍ତ୍ରରେ ପରିଣତ ହୋଇ ରହିଲା । ତା’ପରେ ଅଳପରୁ ଅଳପ ଦେବା ଓ ଅଧିକରୁ ଅଧିକ ନେବା, ଏହାହିଁ ଭାରତବର୍ଷରେ ବୁଦ୍ଧିମାନ ମଣିଷମାନଙ୍କର ଦୃଷ୍ଟିଗତ ଧର୍ମ ହୋଇ ରହିଲା । କର୍ମବାଦୀ ଅସମର୍ଥତା ଭିତରୁ ଯଥାସମ୍ଭ ବଅଧିକ ଅଧିକାରୀ ହେବାକୁ ଚତୁରମାନେ ଆଉ କ’ଣ କରିପାରିଥାନ୍ତେ ।

 

୨୬ । ୯ । ୮୩

Image

 

ଗରିବ ବଞ୍ଚିବେ କିପରି ?

 

ବଡ଼ଲୋକମାନେ ଖବରକାଗଜରେ ଗରିବମାନଙ୍କ ବିଷୟରେ ତଥ୍ୟସମ୍ବଳିତ ରମ୍ୟ ପ୍ରବନ୍ଧମାନ ଲେଖିଲେ ଗରିବମାନେ କଦାପି ବଞ୍ଚିପାରିବେ ନାହିଁ । ବଡ଼ଲୋକମାନେ ଦୟା କଲେ ଗରିବ ବଞ୍ଚିବେ-ନାହିଁ, ଦାନ କଲେ ବି ବଞ୍ଚିବେ ନାହିଁ । ବଡ଼ଲୋକମାନେ ଗରିବଙ୍କ ନାମରେ ମୁଠମୁଠା ପଇସା ବିଞ୍ଚି ଦେଉଥିଲେ ମଧ୍ୟ ଗରିବମାନେ ବଞ୍ଚିବେ ନାହିଁ । ବଡ଼ଲୋକ ବାପାମାନେ ଗୁଡ଼ାଏ ପଇସା ଖରଚ କରିଦେଲେ ସେମାନଙ୍କର ପିଲାଏ ବଳେବଳେ ମଣିଷ ହୋଇଯିବେ ବୋଲି ଯେପରି ଭାବିଥାଆନ୍ତି ଓ ତେଣୁ ପଇସା ଖରଚ କରିବାରେ ଲାଗିଥାନ୍ତି, ମାତ୍ର ଯେପରି ତଥାପି ପିଲାମାନଙ୍କୁ ମଣିଷ କରିପାରନ୍ତି ନାହିଁ, ଇଏ ପ୍ରାୟ ସେହିପରି ଗୋଟିଏ କଥା ।

 

ଅନେକ ପୁଣି ସିଦ୍ଧାନ୍ତ ତିଆରି କରି କହନ୍ତି ଯେ, ଗରିବମାନଙ୍କ ଭିତରୁ ନେତୃତ୍ୱ ସୃଷ୍ଟି ହେଲେ ତାହାରି ଦ୍ୱାରା ହିଁ ଗରିବମାନେ ଉଦ୍ଧାର ଲାଭ କରିବେ । ଗତ ତିରିଶ ବର୍ଷର ଭାରତୀୟ ରାଜନୀତିରେ ଯେଉଁ ଗରିବମାନେ ନେତୃତ୍ୱ ନେବେବୋଲି ମନେକରି ଆସିଛନ୍ତି, ସେମାନେ କେଡ଼େ ବାଗରେ ଭୁବନେଶ୍ୱରଯାଏ ଆସି ତାହାରି ଭିତରେ କୁଆଡ଼େ ଖପି ଯାଇଛନ୍ତି, ଭୁବନେଶ୍ଵରରେ ସତେ ଅବା ଘର ଜୁଆଁଇ ହୋଇ ରହିଛନ୍ତି, ସିଦ୍ଧି ଲାଭ କରିଛନ୍ତି, ଗୋଟାସୁଦ୍ଧା କିଣିହୋଇ ଯାଇଛନ୍ତି ଅଥବା ବିକିହୋଇ ଯାଇଛନ୍ତି । ଗରିବରୁ ଧନୀ ହୋଇ ସେମାନେ ଧନୀମାନଙ୍କ ପରି ଜର୍ସି ପିନ୍ଧିଛନ୍ତି, ଗରିବମାନଙ୍କୁ ନାକଛିଞ୍ଚାଡ଼ି ଆପଣାକୁ ସତେଅବା ଗୋଟାଏ ଅଲଗା ବର୍ଗ ବୋଲି ମନେକରିଛନ୍ତି । ସେମାନେ ଭାରି ଅବର୍ଗ ହୋଇଯାଇଛନ୍ତି, କେଡ଼େ ମୋଟା ଓ କେଡ଼େ ତୋରା ଦେଖାଯାଉଥିଲେ ମଧ୍ୟ ଗୋଟାସୁଦ୍ଧା ପୋକରା ହୋଇଯାଇଛନ୍ତି ।

 

ପ୍ରାୟ ଦେଢ଼ଶହ ବର୍ଷ ତଳେ କାର୍ଲମାର୍କସ ପୃଥିବୀର ସଂଗ୍ରାମକାମୀ ଦରିଦ୍ରମାନଙ୍କ ଉଦ୍ଦେଶ୍ୟରେ proletariat ବୋଲି ଗୋଟିଏ ଶବ୍ଦ ବ୍ୟବହାର କରିଥିଲେ । ତାକୁ ଆମ ଦେଶରେ ସର୍ବହରା ବୋଲ ଅନୁବାଦ କରାଯାଇଛି । ସର୍ବହରା ଅର୍ଥାତ ଯାହାର କିଛି ନାହିଁ, ଯିଏ ଅସହାୟ, ନିଃସମ୍ବଳ, ଇତ୍ୟାଦି ଇତ୍ୟାଦି । ତାହାର ହୁଏତ ଚେତନା ବୋଲି କିଛି ନାହିଁ । ସମ୍ଭବତଃ ସେହି କାରଣରୁ ହିଁ, ଆମେ ଯେଉଁମାନେ ଆପଣାକୁ ପ୍ରକୃତରେ ଚତୁର ଓ ତେଣୁ ଚେତନା ବୋଲି ଧରିନେଇଛୁ, ସେମାନେ ନେତୃତ୍ଵ ଦେବାର ବାହାନାରେ ସିଧା ଯାଇ ଦରିଦ୍ରମାନଙ୍କ କାନ୍ଧ ଉପରେ ବସିଯାଉଛୁ । ଆମେ ଉଞ୍ଚା ହେବାରେ ଲାଗିଛୁ ସତ, ମାତ୍ର ଆମେ ଯାଇ ଯାହା କାନ୍ଧ ଉପରେ ବସିଛୁ, ସିଏ ଦିନକୁଦିନ ଦବିଦବି ଯାଉଛି, ଅଧିକରୁ ଅଧିକ ଅସହାୟ ଅନୁଭବ କରିବାରେ ଲାଗିଛି-

 

ଆପଣାର ନୈତିକ ତଥା ଭୌତିକ ଦାରିଦ୍ର୍ୟ ବିଷୟରେ ସଚେତନ ହୋଇପାରିଥିବା ଦାରିଦ୍ର୍ୟ, ଆପଣାର ଅଧୋଗତି ସମ୍ୱନ୍ଧରେ ସଚେତନ ହୋଇପାରିଥିବା ଅଧୋଗତି, କାର୍ଲମାର୍କସ ତାହାକୁ ହିଁ ପ୍ରୋଲେଟାରିଆଟ ବୋଲି କହିଥିଲେ । ଦାରିଦ୍ର୍ୟ ସଚେତନ ହେଲେ ସଂଗ୍ରାମୀ ହୁଏ, ଆପଣାର ଭାଗ୍ୟ ବଦଳାଇବାକୁ ବଦ୍ଧପରିକର ହୁଏ । ମଣିଷ ଭିତରେ ଯେଉଁ ମନୁଷ୍ୟୋଚିତ ସମ୍ମାନବୋଧ ରହିଛି, ମଣିଷ ତାହାର ବିଷୟରେ ସଚେତନ ହେଲେ ଅସମ୍ମାନିତ ହୋଇ ରହିବାର ବ୍ୟବସ୍ଥା ଏବଂ ବରାଦଗୁଡ଼ିକ ବିରୁଦ୍ଧରେ ପ୍ରତିବାଦ କରେ । ସଚେତନ ମଣିଷ ସମ୍ମାନ ମାଗେ, ମୋଟେ ଦୟା ମାଗେନାହିଁ । ମହାତ୍ମାଗାନ୍ଧୀଙ୍କ ପରେ ଦରିଦ୍ର ମଣିଷକୁ ତାହାର ମନୁଷ୍ୟୋଚିତ ସମ୍ମାନ ବିଷୟରେ ଏତେଦୂର ଅଧିକ ପରିମାଣରେ ସଚେତନ କରାଇବାର ନେତୃତ୍ୱ ଭାରତରେ ହୁଏତ ସେତେ ସମ୍ଭବ ହୋଇ ପାରିନାହିଁ । ନେତୃତ୍ୱଗୁଡ଼ାକ ବଳଦ ହୋଇ ସହରକୁ ପଳାଇଛନ୍ତି, ଧନୀ ହୋଇ ଦିଶିବାକୁ ଅଧିକ ମନ କରିଛନ୍ତି । ସମ୍ମାନ ହରାଇଛନ୍ତି ଏବଂ ଯିଏ ଆପଣାର ସମ୍ମାନକୁ ହରାଇ ସାରିଲାଣି, ସିଏ ଯେତେବଡ଼ ପାର୍ଟିର ଗୁହାଳରେ ଗୁଣ୍ଠୁଣି ହାତୀ ହୋଇ ରହିଥିଲେ ମଧ୍ୟ ମଣିଷର ସମ୍ମାନ ପ୍ରତିଷ୍ଠାର ସଂଗ୍ରାମରେ ଆଉ କାମରେ ଲାଗିପାରିବ କିପରି ?

 

୨-୧୦-୮୩

Image

 

ଯୁଗପରା ସେଇଆ ହେଲାଣି

 

ଯୁଗ ଯେମିତି ହେଲାଣି, ଆମେ ବି ଠିକ୍‍ ସେମିତି ହେଲୁଣି, ଆମ ଭିତରୁ ଅନେକ ମଣିଷ ଭାରି ନିଷ୍ଠାପର ଭାବରେ ଯେହିପରି ବିଶ୍ୱାସ କରିଥାନ୍ତି । ଯୁଗ ଆଗ ସେଇଆ ହେବାରୁ ଆମେସବୁ ସେଇଆ ହେଲୁ ଅଥବା ଆମେସବୁ ଆଗ ସେଇଆ ହେବାରୁ ତାହାରି ପରିଣାମ ସ୍ୱରୂପ ଯୁଗ ବି ସେଇଆ ହେଲା, ଅବଶ୍ୟ ସେ ବିଷୟରେ ଆମେ ନିଜକୁ ଖୁବ୍‍ ବେଶୀ ପ୍ରଶ୍ନ ପଚାରି ନଥାଉ-। ଆପଣାକୁ ପ୍ରଶ୍ନ ପଚାରିବାକୁ ଇଚ୍ଛା ନ କରୁଥିବା ମଣିଷମାନେ ହିଁ ଦୋଷଗୁଡ଼ାକୁ ଛିଣ୍ଡାଇ ଦେବାକୁଯାଇ ଯୁଗ ଉପରେ ଆପଣାର ସବୁ ଓରିମାନା ମେଣ୍ଟାଇ ଦିଅନ୍ତି ।

 

ଯୁଗ ଅବାଗିଆ ହେଲା, ତେଣୁ ଆମେ ବି ଅବାଗିଆ ହେଲୁ, ଯୁଗ ବାଟ ହୁଡ଼ିଲା, ତେଣୁ ଆମେ ମଧ୍ୟ ବାଟ ହୁଡ଼ିଲୁ । ଯୁଗ ଭିତରେ ଅଧର୍ମ ଆସି ପଶିଗଲା, ତେଣୁ ଆମ ପେଟରେ ବି ଅଧର୍ମ ବ୍ୟତୀତ ଆଉ କିଛିହେଲେ ଗଲାନାହିଁ, –ଆମେ ଯେଉଁମାନେ ଏପରି ଏକ ବୁଦ୍ଧିମତ୍ତା ଦ୍ୱାରା ଆପଣାଲାଗି ଯାବତୀୟ ଅନ୍ୟାୟ ଓ ଅନାଚାର କରିବା ସକାଶେ ଏକ ଅନୁମତିପତ୍ର ହାସଲ କରି ଆଣୁଛୁ, ସେମାନେ ଯୁଗ କହିଲେ ହୁଏତ ଏମିତି ଗୋଟାଏ ଦୁର୍ଦ୍ଦାନ୍ତ ଅନ୍ଧପଣିଆକୁ ବୁଝିଛୁ, ଯାହାର ଦ୍ଵାହିଦେଇ ମଣିଷ ପ୍ରକୃତରେ ସବୁକିଛି କରିପାରିବ । ଏହି ଲୋକମାନେ ପାପକୁ ଡରନ୍ତି, ତଥାପି ପାପକୁ ହିଁ କରନ୍ତି । ଖସି ପଳାଇ ଯିବାଲାଗି ଖଣ୍ଡେ କାଗଜ ଯୋଗାଡ କରିନେବାର ଉଦ୍ଦେଶ୍ୟରେ ସେମାନେ ଯୁଗ ବୋଲି ଗୋଟାଏ ଅନସ୍ତିତ୍ଵକୁ କେଡ଼େ ଉଗ୍ରଭାବରେ ଯାବୁଡ଼ି ଧରିଥାନ୍ତି ।

 

ଯୁଗପରା ସେଇଆ ହେଲାଣି । କାରଣ ଆମେପରା ସେଇଆ ହେଲୁଣି ଏବଂ ଯୁଗକୁ ଯେ ଏହି ମଣିଷ ତିଆରିକରେ, ସ୍ୱୀକୃତି ଦିଏ, ଏକ ଅଭିବନ ଚାଲାଖିଦ୍ୱାରା ପରିଚାଳିତ ହୋଇ ଆମେ ସେହି କଥାଟିକୁ ମଧ୍ୟ ମନେରଖିବାକୁ ଆଉ ମୋଟେ ଇଚ୍ଛା କରୁନାହୁଁ । ମଣିଷ ଖାଲି ତିଆରି କରେନାହିଁ, ମଣିଷ ବାଛେ, ମଣିଷ ଇଚ୍ଛା କଲେ ବଦଳାଇ ବି ଦିଏ । ତା’ ଜୀବନର ଅଭିବୃଦ୍ଧି ଲାଗି ଯେଉଁଭଳି ଯୁଗଟିଏ ଦରକାର, ସିଏ ସେହିଭଳି ଗୋଟିଏ ଯୁଗକୁ ନିଜପାଇଁ ବାଛେ ସେହି ଯୁଗକୁ ତିଆରି କରେ ଅର୍ଥାତ ଆପଣାର ଅଭିରୁଚିଗୁଡ଼ିକ ସେହି ଇପସିତ ଯୁଗର ଅନୁରୂପ କରି ତିଆରି କରେ ଏବଂ ଆହୁରି ସତ ଓ ବଡ଼ କଥା ହେଉଛି ଯେ, ଯୁଗଟି ଯଦି ତା’ପାଇଁ ଅନୁକୂଳ ବା ଅନୁରୂପ ନ ହେଲା ସିଏ ତାହାକୁ ବଦଳାଇ ବି ଦିଏ । ମଣିଷ ସୁସ୍ଥ ଥିବାପର୍ଯ୍ୟନ୍ତ ଏହିପରି ଅନୁଭବ କରୁଥାଏ-। ଅସୁସ୍ଥ ହେଲେ ସିଏ ଭୀରୁହୁଏ । ଭୀରୁହେଲେ ତା ଆପଣା ଭିତରେ କେନ୍ଦ୍ରଟି ତା’ର ହାତଛଡ଼ା ହୋଇଯାଏ । ତା’ ପରେ ସିଏ ଆଉ ବାଛିପାରେ ନାହିଁ । କି ବଦଳାଇ ବି ପାରେନାହିଁ । ସେତିକିବେଳେ ଅତ୍ୟନ୍ତ ହତବଳ ଭାବରେ ବହୁଥିବା ପବନ ଅନୁସାରେ ନାଚେ, ସେହି ପବନକୁ ଯୁଗ ବୋଲି କହେ । ଆପଣାର ଅପାରଗତା ସକାଶେ ଯୁଗକୁ ଦୋଷ ଦିଏ, ଅର୍ଥାତ ଆପଣାର ଦୋଷଗୁଡ଼ାକୁ ସିଏ ଯୁଗ ଉପରେ ନେଇ ଢ଼ାଳି ଦେବାରେ ଲାଗିଥାଏ ।

 

କେତେକ ଚିନ୍ତାଶୀଳ ବ୍ୟକ୍ତି ମଣିଷକୁ ଏକ ନିର୍ବାଚନ-ସମର୍ଥ-ଜୀବ ବୋଲି କହିଛନ୍ତି । ବଳଦ ବାଛି ପାରେନାହିଁ; ତେଣୁ ଖୋପ ଭିତରେ ବାଟ ଚାଲେ ଓ ଖୋପ ଭିତରେ ଜୀବନ ବଞ୍ଚେ । ବଳଦଲାଗି ନିର୍ଦ୍ଧାରିତ କରି ଦିଆଯାଇଥିବା ଖୋପଗୁଡ଼ିକ ସର୍ବସ୍ୱକରି ଜୀବନ ବଞ୍ଚୁଥିବାରୁ ହିଁ ତାହାକୁ ବଳଦ ବୋଲି କୁହାଯାଏ । ମଣିଷ ବାଛେ, କାରଣ ସେ ବାଛିପାରେ । ପୁରୁଣାଗୁଡ଼ାକୁ ବଦଳାଏ, ନୂଆକୁ ଗଢ଼େ । ଏହିପରି କରି ସିଏ ଆପଣା ଭିତରେ ଜଣେ ମଣିଷର ପ୍ରମାଣ ଓ ପରିଚୟ ପାଏ । ଆଧୁନିକ ମଣିଷ ନାନା କାରଣରୁ ତା’ର ଏହି ଅସଲ ବଳ ଓ ଅସଲ ପ୍ରମାଣିକତାକୁ ହରାଇଦେବାକୁ ହିଁ ଅଧିକ ସୁଖକର ମନେକରୁଛି । ସେଇଥିଲାଗି ସିଏ ଆପଣାକୁ କେନ୍ଦ୍ର କରି ଯୁଗର ପରିଧିଗୁଡ଼ାକୁ ଠାବକରି ପାରିବାରେ ଭାରି ଅସମର୍ଥ ହୋଇ ପଡ଼ୁଛି । ଯୁଗ ହସୁଛି, ମଣିଷକୁ ଟାହି କରୁଛି, ନାନା କର୍ତ୍ତୃତ୍ୱର ରୂପ ଧାରଣ କରି ମଣିଷକୁ ଆହୁରି ଅସମର୍ଥ କରି ରଖିବାର ପାଞ୍ଚ କରୁଛି । ଅର୍ଥାତ, ନିଷ୍କର୍ଷ ହେଉଛି, ଆମେ ସେଇଆ ହେଲୁଣି; ତେଣୁ ଆମର ଯୁଗ ମଧ୍ୟ ସେଇଆ ହେବାରେ ଲାଗିଛି ।

 

୯ । ୧୦ । ୮୩

Image

 

ସାହିତ୍ୟ ଓ ସିଂହାସନ

 

ସାହିତ୍ୟକୁ ଛାଇ କରି ଯେଉଁଠି ସାହିତ୍ୟର ସଂଗଠନମାନ ଗଢ଼ା ହୋଇଥାଏ, ସେଠି ସେହିସବୁ ସଂଗଠନର ସଭାପତି ଓ ସମ୍ପାଦକମାନେ ସତେଅବା ଗୋଟିଏ ଗୋଟିଏ ରାଜାପରି ଦିଶନ୍ତି । ସେମାନେ ସାହିତ୍ୟକୁ ମାଧ୍ୟମ କରି ରାଜା ହୁଅନ୍ତି, ସାହିତ୍ୟକୁ ଆଳକରି ଦାଣ୍ଡଗୁଡ଼ାକୁ ଧରି ରହିଥାଆନ୍ତି । ପାଦରେ ଏଡ଼େଏଡ଼େ ପାଦୁକାମାନ ପିନ୍ଧିଥାନ୍ତି, କାନରେ ନୋଳି ଓ ମସ୍ତକରେ ପଗଡ଼ି ଧାରଣ କରନ୍ତି । ଏମାନେ ବେଭାରରେ ଚତୁର ହୁଅନ୍ତି, ବାକ୍ୟରେ ମଧୁର ହୁଅନ୍ତି । ଜାତିର ସେବା କରିବା ବ୍ୟତୀତ ଏମାନେ ମୋଟେ ଆଉ କିଛିହେଲେ କରୁନାହାନ୍ତି ବୋଲି ଭାବିବାରେ ଲାଗିଥାନ୍ତି ।

 

ଆମ କଲେଜମାନଙ୍କରେ ଅନେକ ଅଧ୍ୟାପକଙ୍କ ମଧ୍ୟରେ କେବଳ ଜଣେମାତ୍ର ଅଧ୍ୟକ୍ଷ ଥାଆନ୍ତି । ପ୍ରତ୍ୟେକ ବିଭାଗରେ ଅନେକ କୁଶୀଲବ ମାନଙ୍କ ମଧ୍ୟରେ ଜଣେମାତ୍ର ବିଭାଗୀୟ ମୁଖ୍ୟ ରହିଥାନ୍ତି । ଅଧ୍ୟକ୍ଷ ଓ ମୁଖ୍ୟମାନେ ଧର୍ମତଃ ଅଧ୍ୟାପନା ଛାଡ଼ନ୍ତି, ଗାଆଁ ର କାର୍ଜିମାନଙ୍କ ପରି କଲେଜର କର୍ତ୍ତା ଓ ଭର୍ତ୍ତା ହୋଇରହନ୍ତି । ସେମାନେ ସିଂହାସନରେ ବସିଥାନ୍ତି । ଅଧ୍ୟାପନା ଏହି ସିଂହାସନମାନଙ୍କର ଆଲଟ ଚାମର କରିବାରେ ଲାଗିଥାଏ । ସାହିତ୍ୟକ ଅନୁଷ୍ଠାନମାନଙ୍କର ସମ୍ପାଦକ ଏବଂ ସଭାପତିମାନେ ସେହିପରି କର୍ତ୍ତା ଓ ଭର୍ତ୍ତାହେବାକୁ ମନ କରି ସମ୍ପାଦକ ଓ ସଭାପତି ହୁଅନ୍ତି । ଅଧିକରୁ ଅଧିକ ଅନୁଷ୍ଠାନ ମାନଙ୍କର ଆଖିଦୃଶିଆ ବିଣ୍ଡିଟିଏ ଅଥବା କହୁଣୀଟିଏ ହୋଇ ରହିବାକୁ ଏମାନଙ୍କୁ ବଡ଼ ଭଲଲାଗେ । ଖାଲି ସାହିତ୍ୟ କରିବା କୌଣସି କାରଣରୁ ଆଉ ଆନନ୍ଦ ନ ଦେଲେ ଏମାନେ ଆର ପଦଗୁଡ଼ାକୁ ମନ କରନ୍ତି । ଗାଆଁ ଭଲ ନ ଲାଗିଲେ ଯେମିତି କେତେ ଲୋକ ସହରକୁ ଆସି ସତେଅବା ଏକ ପଦୋନ୍ନତି ଲାଭ କଲାପରି ଅନୁଭବ କରନ୍ତି ଏହା ପ୍ରାୟ ସେହିପରି କଥା । ସଭାପତିଓ ସମ୍ପାଦକମାନଙ୍କୁ ସାହିତ୍ୟ ସଭାର ଯନ୍ତାଗୁଡ଼ାକ ଭିତରେ ସତେଅବା ବାଘପରି ଦେଖାଯାଏ । ମଫସଲରେ ଥିବା ପ୍ରଥମା ପତ୍ନୀକୁ ପରିତ୍ୟାଗ କରି ସେମାନେ ସହରରେ ଦ୍ଵିତୀୟ ଦାରପରିଗ୍ରହ କରିଥିବାର ଏକ ଆନନ୍ଦକୁ ବେଶ କରି ପିନ୍ଧିଥାନ୍ତି ଓ ଦାଉଦାଉ ଦିଶୁଥାନ୍ତି ।

 

ସାହିତ୍ୟ କରୁଥିବା ପର୍ଯ୍ୟନ୍ତ ସାହିତ୍ୟକର ଏକ ସ୍ୱଭାବସ୍ଥ ଲଜ୍ଜା ରହିଥାଏ, ସାହିତ୍ୟକ ସଂଗଠନମାନଙ୍କର ମାମଲତକାର ହେଲେ ଯାହାକି ବିଦା ହୋଇ ଚାଲିଯାଏ । ଯେପରି ନାରୀର ଏକ ସ୍ଵଭାବଗତ ଲଜ୍ଜା ଥାଏ ଏବଂ ବାରନାରୀ ହେଲେ ତାହା ବିଦାୟ ହୋଇଯାଏ, ଏଠାରେ ମଧ୍ୟ ପ୍ରାୟ ସେହିପରି ଘଟେ । ସାହିତ୍ୟିକ ସାହିତ୍ୟିକ ହୋଇ ରହିବାକୁ ମନ କରିଥିବା ପର୍ଯ୍ୟନ୍ତ ତା’ ଭିତରେ ସତେଅବା ନାରୀସୁଲଭ କୁଣ୍ଠା ରହିଥାଏ, ମାତ୍ର ମାମଲତକାର ହେଲେ ତେଣିକି ଖାଲି ମରଦ ହେବାକୁ ମନହୁଏ । କୁଣ୍ଠ ଓ ବ୍ରୀଡ଼ାମାନେ ଅଲୋଡ଼ା ହୋଇ ପଛରେ ରହିଯାଆନ୍ତି । ସିଂହାସନର ମାମଲତକାରମାନେ ତେଣିକି ଆଉ ମୋଟେ ଚାଲନ୍ତି ନାହିଁ କେବଳ ଚଳାନ୍ତି । ଅବସର ଗ୍ରହଣ କରିଥିବା ପରି ଆପଣାର ଅସଲ ଭିତରଟିରେ ସେମାନେ ଚଳତଶକ୍ତିବିହୀନ ହୋଇ ରହନ୍ତି । ବନ୍ଧ୍ୟା ହୋଇ ରହନ୍ତି । ବନ୍ଧ୍ୟାତ୍ଵଜନିତ ପ୍ରକୋପଗୁଡ଼ାକୁ ମାତୃତ୍ତ୍ୱ ବୋଲି କହି ବଡ଼ିମା ଦେଖାନ୍ତି । ଦାଣ୍ଡ ଗୋଟାକୁ ତାଟକା କରି ରଖିଥାନ୍ତି । ଏକାବେଳେକେ ଅନେକ ଭୁଜ ଓ ଅନେକ ଶୃଙ୍ଗବହନ କରି ବଳୀୟାନ ହୁଅନ୍ତି ।

 

ବିଧାତାଙ୍କର ଅଶେଷ କରୁଣା ଯେ, ପୃଥିବୀରେ ସବୁ ସାହିତ୍ୟିକ ସିଂହାସନକୁ ମନ କରନ୍ତି ନାହିଁ । ସେମାନେ ଅପେକ୍ଷା କରି ରହନ୍ତି । ଯାହାକୁ ଲୋଡ଼ନ୍ତି ତାହାଲାଗି ଅପେକ୍ଷା କରି ରହିଥାନ୍ତି । ମିଛ ଯାନଗୁଡ଼ାକରେ ବସି ଚଞ୍ଚଳ ପହଞ୍ଚି ସେମାନେ ଭୋଗଗୁଡ଼ାକୁ ଆଗ ଯାଇ ଜୁର କରିଦେବେ ବୋଲି ଆଦୌ କୌଣସି ପାଞ୍ଚରେ ପଶନ୍ତି ନାହିଁ ।

 

ସେହିମାନଙ୍କ ସକାଶେ ସାହିତ୍ୟ ବି ରହେ, ଲାଗି ହୋଇ ପାରିଲାଭଳି ଫୁଲଟିଏ ବଗିଚାରେ ଫୁଟେ । ମାମଲତକାରମାନେ ସଙ୍ଗଠନ ଗୁଡ଼ାକୁ ଚଲାଉଥାନ୍ତି ।

 

୨୩ । ୧୦ । ୮୩

Image

 

ଶାମ୍ବକୁ ନାରୀବେଶ କରି

 

ଏହି ଦେଶ ଯାହା ହେବାର ନୁହେଁ, ତାକୁ ଆମେ ପ୍ରାୟ ଯୋଜନା କରି ଠିକ୍‍ ସେହିପରି କରି ତିଆରି କରୁଛୁ । ରାଜନୀତି ଯେପରି ଆଦୌ ହେବାର ନୁହେଁ, ଆମେ ସେହିପରି ରଜନୀତିକୁ ଅଧିକ ମନ ବଳାଉଛୁ । ଶିକ୍ଷା ଯେପରି ଆଦୌ ହେବାର ନୁହେଁ, ଆମେ କୋଟିକୋଟି ଟଙ୍କା ଖରଚ କରି ଶିକ୍ଷାକୁ ପ୍ରାୟ ସେହିଭଳି ଏକ ଅରୂପ ଦେବାରେ ସତେଅବା ବଦ୍ଧପରିକର ହୋଇ ବାହାରିଛୁ । ଆମ ନୀତିଗୁଡ଼ାକ ଦୁର୍ନୀତିରେ ପରିଣତ ହୋଇ ଯାଉଛି, ଆମର ସଂକଳ୍ପ ଓ ସ୍ଵପ୍ନମାନେ ଆମକୁ ସତେଅବା ଅପାତ୍ର ମଣି ଆମଠାରୁ ବିଦାହୋଇ ଯିବାକୁ ମନ କରୁଛନ୍ତି । ଆମେ ଗାଁଆଯାକ ମିଶି ଯେଉଁ ବ୍ୟବସ୍ଥାଟିକୁ ଶାସନ ବୋଲି କହୁଛୁ, ତାହା ଉପରକୁ କେତେକେତେ ଫଳଶ୍ରୁତିର ଆସ୍ଫାଳନ କରୁଥିଲେ ମଧ୍ୟ ତା’ ଭିତରେ ଏତେଟିକିଏ ପ୍ରସବ ସାମର୍ଥ୍ୟର ଲକ୍ଷଣ ଦୃଷ୍ଟିଗୋଚର ହେଉନାହିଁ । ତେବେ ଏହିସବୁ ଯାବତୀୟ ବେଶଫାନୁଷର ଶୋଭାଯାତ୍ରା ସହିତ ଆମେ ପ୍ରକୃତରେ କୁଆଡ଼େ ବାହାରିଛୁ ? କାହାଲାଗି ଏହି ବିଦ୍ରୂପଗୁଡ଼ାକୁ ଏଡ଼େ ରୁଦ୍ଧିମନ୍ତ ଗଠନ ଦେଇ ସଜାଡ଼ି ରଖିଛୁ ? କାହାର ଅଭିଶାପ ଲାଗି ଅପେକ୍ଷା କରି ରହିଛୁ ଓ କେଉଁ ବିଲୟ ଲାଗି ମୂଳଦୁଆ ତିଆରି କରୁଛୁ ?

 

ଉପରର ଛାଞ୍ଚଗୁଡ଼ାକ ଏଠି ପ୍ରକୃତରେ କେଡ଼େ ମନୋମୁଗ୍ଧକର ଭାବରେ ତିଆରି ହୋଇଛି । ବାହାରକୁ କୋଉଟା ଇସ୍କୁଲ ପରି ଦିଶୁଛି ତ ଆଉ କୋଉଟା ଡାକ୍ତରଖାନା ପରି ଦିଶୁଛି । କେଉଁଠି କେତେ ଭବ୍ୟ ଅଟ୍ଟାଳିକା ଉପରେ ବାନା ଉଡ଼ୁଛି । ଦେଉଳ ଭିତରେ ଥାପନା କରାହୋଇଥିବା ମୂର୍ତ୍ତିମାନେ ରୂପାସାଜରୁ ସୁନାସାଜ ହେଉଛନ୍ତି । ମାତ୍ର, କେତେ ବୁଦ୍ଧି ଖରଚ କରି ଆମେ ଏଗୁଡ଼ାକୁ ସତେଅବା ଭିତରେ କନା ଭର୍ତ୍ତିକରି ଉପରକୁ ଉଞ୍ଚକରି ଦେଖାଇବାରେ ଲାଗିଛୁ । ଭିତରେ ଅସନାଗୁଡ଼ାକୁ ଘୋଡ଼ାଇ କାହାକୁ ବୋକା ବନାଇବୁ ବୋଲି ସତେଅବା ବାହାରଟାକୁ ଏପରି ଆନନ୍ଦବର୍ଦ୍ଧକ କରି ଦେଖାଇବାରେ ଲାଗିଛୁ । ଉପରେ ରାଜସଭା ମଣ୍ଡାଇ ରଖିଛୁ, ଏଣେ ଭିତରେ ଗୋବର ମାନଙ୍କୁ ଗୁଳାକରି ଠାକୁର କରି ବସାଇଛୁ ।

 

ଜୀବନ ଉପରୁ ଅନୁରାଗ ତୁଟାଇ ବସାଇବାଲାଗି ଏହି ଆୟୋଜନଗୁଡ଼ାକ ଆମକୁ ଭାରି ଉସକାଇବାରେ ଲାଗିଛନ୍ତି । ବାର ବାର ଷଡ଼ଯନ୍ତ୍ର କଲାପରି କହୁଛନ୍ତି, ଏ ଦେଶରେ କିଛି ହେବନାହିଁ, ତେଣୁ ଖାଲି ପ୍ରହସନ କାରିବାରେ ହିଁ ନଶ୍ୱର ଜୀବନଟାକୁ ସାରିଦିଅ । ଏ କ୍ଷେତ୍ରରେ ଆଳୁ ଫଳିବ ନାହିଁ; ତେଣୁ ସାରୁର ଆନନ୍ଦ ନିଅ । ଅର୍ଥାତ ଆମର କ୍ଷେତଟି କେବଳ ସାରୁପାଇଁ ବରାଦ ହୋଇ ଆସିଛି ବୋଲି ଯଥାସମ୍ଭବ ବଡ଼ ପାଟିକରି କହ । ଏହି ଯାବତୀୟ ସୁଆଙ୍ଗ ପଛରେ ଯେଉଁ ଦୈନ୍ୟ ଆମ ଭିତରେ ରହିଛି, ଦୈତ୍ୟପରି ଆମକୁ କାବୁକରି ରଖିଛି ଓ ଆମକୁ ଯାବତୀୟ ସୁଆଙ୍ଗ ଓ ଶୋଭାଯାତ୍ରାରେ ପରାକ୍ରମ ସହିତ ବାହାର କରାଇଛି, ସେହି ଦୈନ୍ୟଟା ଯେ ଆଦୌ ଶେଷ କଥା ନୁହେଁ, ଆମର ହୃଦବୋଧ କରାଇଲାଭଳି ଯିଏ ଆମକୁ ତାହା କହିପାରିବ, ଏହି ଦେଶର ଆଗାମୀ ନେତୃତ୍ୱ ତାହାରି ମାଧ୍ୟମରେ ନିଜକୁ ପ୍ରକଟ କରିବ । ସେଇ ବଳ ଆଣିଦେବ, ବିଶ୍ୱାସ ଆଣିଦେବ, ସାହସ ଆଣିଦେବ । ଯୁଗକୁ ଲେଉଟାଇବାରେ ରହସ୍ୟ ବାଢ଼ିଦେଇ ଯିବ । ଆମେ ଯେଉଁମାନେ, ଆମର ସଂଖ୍ୟା ଯେତେ ଅଳପ ହେଉଥାଉ ପଛକେ, ବର୍ତ୍ତମାନର ଏହି ପ୍ରହାସନଗୁଡ଼ାକର ବାହାରେ ରହି ଅନୁରାଗର ସହିତ ଅପେକ୍ଷା କରି ପାରିଥିବା, ଆମେ ସେହି ନେତୃତ୍ୱଟିକୁ ଅବଶ୍ୟ ଚିହ୍ନି ନେଇ ପାରିବା, ଅଥବା ଅନ୍ୟଭାବରେ କହିଲେ ଆମେ ସେହି ନେତୃତ୍ୱ ଲାଗି ନିମିତ୍ତ ରୂପେ ବ୍ୟବହୃତ ହେବ । ସେହି ନିମିତ୍ତ ହେବାର ଦିନ ସନ୍ନିକଟ ହୋଇଆସୁଛି ।

 

୩୦ । ୧୦ । ୮୩

Image

 

ଚଳଚ୍ଚିତ୍ର ଓ ମାନବଧର୍ମ

 

ଆମର ଚଳଚ୍ଚିତ୍ରଗୁଡ଼ିକ ମାନବଧର୍ମୀ ହେବା ଉଚିତ ବୋଲି ସେଦିନ ଶ୍ରେଷ୍ଠ ବିବେଚିତ ହୋଇଥିବା ଚଳଚ୍ଚିତ୍ରମାନଙ୍କୁ ପୁରସ୍କାର ପ୍ରଦାନ କରୁକରୁ ଏକ ଉତ୍ସବ ସଭାରେ ମନ୍ତ୍ରୀ କହିଲେ । ଅବଶ୍ୟ ମନାବଧର୍ମୀ ହେବାକୁ ହେଲେ କିପରି ହେବାକୁ ହୁଏ, ଏପରିକି ମାନବଧର୍ମ କହିଲେ ପ୍ରକୃତରେ କଣ ବୁଝାଏ, ମନ୍ତ୍ରୀ ମହାଶୟ ସେସବୁ ବିଷୟରେ ଆଦୌ କୋଣସି ଆଲୋକପାତ କରି ନ ଥିଲେ । ଅଥବା ସେହି ଉତ୍ସବରେ ଉପସ୍ଥିତ ଥିବା ଚଳଚ୍ଚିତ୍ରାନୁରାଗୀ ତଥା ଚଳଚ୍ଚିତ୍ର ବ୍ୟବସାୟୀ ସମସ୍ତେ ମାନାବଧର୍ମ କହିଲେ ଅର୍ଥଗୁଡ଼ାକୁ ଅତି ସହଜରେ ବୁଝିପାରୁଥିବେ ବୋଲି ସମ୍ଭବତଃ ସମ୍ମାନିତ ଅତିଥି ବିଶ୍ଳେଷଣ କରି କିଛି କହିଲେ ନାହିଁ ।

 

ଆମର ଚଳଚ୍ଚିତ୍ରଗୁଡ଼ିକ ଏପର୍ଯ୍ୟନ୍ତ ମୁଖ୍ୟତଃ ମନୋରଞ୍ଜନ-ଧର୍ମୀ ହୋଇ ଆସିଛି । ଆମ ସମାଜରେ ଯେଉଁମାନଙ୍କର ସବୁ ଅଛି, ସେମାନଙ୍କର ମନୋରଞ୍ଜନ ଦରକାର । ଯେଉଁମାନଙ୍କର କିଛି ନାହିଁ, ସେମାନଙ୍କର ବି ମନୋରଞ୍ଜନ ଦରକାର । ହୁଏତ ଥିଲାବାଲାଙ୍କର ସ୍ୱାର୍ଥଦୃଷ୍ଟିରୁ ନଥିଲାବାଲାଙ୍କ ପାଇଁ ଏହି ମନୋରଞ୍ଜନ ଅଧିକ ପରିମାଣରେ ଦରକାର । ମନୋରଞ୍ଜନ ମନକୁ ରଞ୍ଜାଏ, ମନକୁ ଭୁଲାଏ, ପେଟରେ ମୋଟେ କିଛି ନଥିଲେ ମଧ୍ୟ ମନଟାକୁ ସାଆନ୍ତିଆ କରାଏ, ଅସଲ ଭୋକଗୁଡ଼ାକୁ ଭୁଲାଇ ରଖେ । ଆମ ଦେଶରେ ଯେଉଁମାନଙ୍କର ପେଟ ପୂରୁନାହିଁ, ସେମାନଙ୍କୁ ଭୋକ ଭୁଲାଇ ରଖିବାକୁ ହେଲେ ଏକ ଅଖଣ୍ଡ ମନୋରଞ୍ଜନର ବରାଦ ହୋଇଥିବା ଏକାନ୍ତ ଆବଶ୍ୟକ । କହିବା ଅନାବଶ୍ୟକ ଯେ, ସମ୍ଭବତଃ ସେହି କାରଣରୁ ମୁଲକଗୁଡ଼ାକର ଶାସକମାନେ ଲୋକମାନଙ୍କର ପେଟ ପୂରିବା ଲାଗି ଯଥେଷ୍ଟ ବରାଦ କରିବା ପୂର୍ବରୁ ସେମାନଙ୍କର ମନୋରଞ୍ଜନ କରାଇ ରଖିବାଲାଗି ହିଁ ଅଧିକ ମନ ଦେଇଥାନ୍ତି ।

 

ମାନବଧର୍ମ ସଚରାଚର ଯେଉଁ ଧର୍ମଟି ବିଷୟରେ ଚେତାଇ ଦେବାକୁ ଆସେ, ତାହା ସାଧାରଣତଃ ମଣିଷ କହିଲେ ସବୁ ମଣିଷଙ୍କୁ ବୁଝାଏ । ଏହି ଧର୍ମ ମଣିଷର ଅସଲ ଭୋକଗୁଡ଼ାକୁ ସବା ଆଗ ଚିହ୍ନେ; ପେଟର ଭୋକକୁ ଆଉ ଯାବତୀୟ ଭୋକର ମୂଳ ପ୍ରତିଷ୍ଠା ବୋଲି ସ୍ୱୀକାର କରେ । ମନାବଧର୍ମ ଦ୍ୱାରା ସତକୁ ସତ ଅନୁପ୍ରାଣିତ ହେଲେ ମଣିଷ ତୁଚ୍ଛା ମନୋରଞ୍ଜନର ଯାବତୀୟ ଫିସାଦରେ ପଡ଼ିବାକୁ ସିଧା ମନା କରିଦିଏ କୌଣସି ସମାଜରେ ମାନବଧର୍ମ ଲାଗି ଅନୁରାଗ ବଢ଼ିଲେ ସ୍ୱୀକୃତ ସାମନ୍ତପଣଗୁଡ଼ାକ ଭାରି ଅଶୋଭନ ଦେଖାଯିବାକୁ ଆରମ୍ଭ କରନ୍ତି ଓ କ୍ରମେ ଅସହ୍ୟ ହୁଅନ୍ତି ।

 

ଚଳଚ୍ଚିତ୍ର ଶିଳ୍ପ ହେଉଛି ଭାରତୀୟ ସାମନ୍ତମାନଙ୍କର ଏକ ପ୍ରଧାନ ଶିଳ୍ପ । ଚଳଚ୍ଚିତ୍ର ରୂପକ ଅସ୍ତ୍ର ହେଉଛି ଭାରତୀୟ ସାମନ୍ତମାନଙ୍କର ହାତରେ ମଣିଷର ଭୋକ ଭୁଲାଇବାର ମତଲବରେ ପ୍ରୟୋଗ କରାଯାଉଥିବା ଏକ ପ୍ରଧାନ ଅସ୍ତ୍ର । ଏହାକୁ ମାନବଧର୍ମୀ କରିବାକୁ ବସିଲେ ସବୁ ଗୋଳମାଳିଆ ହୋଇଯିବ । ମୁନିମାନଙ୍କର ମତିଭ୍ରମ ହୋଇଯିବ । ଆମ ନାଟ ଆମମାନଙ୍କର ଅନେକ ନୂଆ ମୁଣ୍ଡବ୍ୟଥାର କାରଣ ହେବ । ଆମ ଦେଶରେ ଯେଉଁମାନେ ନାଟତାମସାକୁ ସଂସ୍କୃତି ବୋଲି କହନ୍ତି ଓ ସେହି ସଂସ୍କୃତିକୁ ଭାଙ୍ଗକରି ପିଅନ୍ତି, ଏପରି ହେଲେ ସେମାନେ ପ୍ରତିବାଦ କରି ଉଠିବେ । ଏକଦା ଭାରତୀୟ ପାର୍ଲିଆମେଣ୍ଟରେ ଯେପରି ପ୍ରତିବାଦ ହୋଇଥିଲା, ଠିକ୍‍ ସେହିପରି ପ୍ରତିବାଦମାନ ହେବ; ତେଣୁ ମାନବଧର୍ମ ମାନବଧର୍ମର ବାଟରେ ଯାଉ; ଚଳଚ୍ଚିତ୍ର, ମନୋରଞ୍ଜନର ସରୋବରରେ କେଳି କରିବାରେ ଲାଗିଥାଉ । ସ୍ୱାଧୀନ ଭାରତର ଗତ କେତୋଟି ଦଶକ ମଧ୍ୟରେ ଚଳଚ୍ଚିତ୍ର ମାନବ ଓ ସାମୂହିକ ଜୀବନର ଅସଲ ବିବେକ ଗୁଡ଼ାକୁ ଯେପରି ଭଣ୍ଡୁର କରିଛି ଓ ଯେପରି ମଣିଷର ଅସଲ ଭୋକ ଗୁଡ଼ାକୁ ଭୁଲାଇ ରଖିଛି, ଅନ୍ତତଃ ସେଇଥିରୁ ଆମର କିଛିହେଲେ ଶିକ୍ଷା ଲାଭ କରିପାରିବା ଉଚିତ ।

 

୬ । ୧୧ । ୮୩

Image

 

କାଙ୍ଗାଳ କେତେ ଭଳି

 

ଅନେକ ମଣିଷ ଧନଲାଗି କାଙ୍ଗାଳ ହୁଅନ୍ତି ବୋଲି ଆମ ସଂସାରରେ ଏକ ଅପବାଦ ରହିଛି । ତଥାପି ସାଂସାରିକ ମଣିଷମାନେ କେତେକେତେ ଅନ୍ୟ ପଦାର୍ଥ ଲାଗିମଧ୍ୟ କାଙ୍ଗାଳ ହୋଇଥାନ୍ତି । କିଏ କାମଲାଗି କାଙ୍ଗାଳ ହୁଏ । କିଏ କର୍ତ୍ତୃତ୍ଵଲାଗି କାଙ୍ଗାଳ ହୁଏ, ଆଉକିଏ ଯଶ ଓ ଖ୍ୟାତିଲାଗି ମଧ୍ୟ କାଙ୍ଗାଳ ହୁଏ । କିଏ କିଏ ଏପରି ମଣିଷ ବି ଥାଆନ୍ତି, ଯେଉଁମାନେ କି ସାହିତ୍ୟଲାଗି କାଙ୍ଗାଳ ହୁଅନ୍ତି । ଆଉ କେତେକ ପୁରାସ୍କାରଲାଗି କାଙ୍ଗାଳ ହୁଅନ୍ତି । ସାହିତ୍ୟ ଲାଗି ଯେତେ କାଙ୍ଗାଳ ନ ହୁଅନ୍ତି, ସାହିତ୍ୟରେ ପୁରସ୍କାର ଲାଗି ତା’ଠାରୁ ଅଧିକ ପରିମାଣରେ କାଙ୍ଗାଳ ହୁଅନ୍ତି । ଝିଅ ବାପର ପଇସା ଦେଖି ଅନେକ ଟକଳା ମଣିଷ ଯେପରି ଝିଅପାଇଁ କାଙ୍ଗାଳ ହୁଅନ୍ତି ଏହା ପ୍ରାୟ ସେହିପରି କଥା । ପୁରସ୍କାର-କାଙ୍ଗାଳମାନେ ଯୋଜନା କରି ସାହିତ୍ୟ ଲେଖନ୍ତି, ସାହିତ୍ୟକୁ ସେଣାଟିଏ କରି ମୁଣ୍ଡାଇ କେତେ କୁଆଡ଼େ ଦଉଡ଼ିବାରେ ଲାଗିଥାନ୍ତି । କେତେ ଅନୁସରଣ କରନ୍ତି କେତେ ହନ୍ତସନ୍ତ ହୁଅନ୍ତି । ସାହିତ୍ୟର ସଙ୍ଗଲାଭ-କ୍ଷେତ୍ରରେ ସେମାନଙ୍କ ଜୀବନରେ କେଉଁଠି କ’ଣ ଗୋଟାଏ ଗାତ ବା ଫାଙ୍କ ରହିଯାଇଥାଏ କେଜାଣି, ସେମାନେ ଖାଲି ସାହିତ୍ୟରେ ଆଦୌ ମଙ୍ଗନ୍ତିନାହିଁ । ସେମାନେ ସାହିତ୍ୟକୁ ଦୂତୀ ପରି ବ୍ୟବହାର କରନ୍ତି, ପୁରସ୍କାରକୁ ରାଧାପରି ମଣନ୍ତି ଏବଂ ତାହାରି ବିରହରେ ଭାରି ଜ୍ଵଳାକ୍ରାନ୍ତ ହୋଇ ରହିଥାନ୍ତି ।

 

ଆମ ସାହିତ୍ୟରେ ପୁରସ୍କାର କାଙ୍ଗାଳମାନେ ରହିଥିବା ପର୍ଯ୍ୟନ୍ତ ସାହିତ୍ୟ ଭିତରକୁ ସାଧବମାନଙ୍କର ଅନଧିକାର-ପ୍ରବେଶ ଲାଗି ହିଁ ରହିଥିବ । କାଙ୍ଗାଳ ଜୟଚନ୍ଦ୍ରମାନେ ସେମାନଙ୍କୁ କେଡ଼େ ବିଗଳିତ ଭାବରେ ଘର ଭିତରକୁ ଡାକି ଆଣୁଥିବେ ଓ ମସିଣା ପାରି ଦେଉଥିବେ । ଆଗେ ରଜାମାନେ ସାହିତ୍ୟକୁ ପୋଷୁଥିଲେ ଓ ପ୍ରାୟ ଯୁଗଗତ ଏକ ଆବଶ୍ୟକତାରେ ପଡ଼ି ସାହିତ୍ୟକମାନେ ବି ରାଜାମାନଙ୍କୁ ଲୋଡ଼ୁଥିଲେ ଏବଂ ବେଳେବେଳେ ସାହିତ୍ୟକୁ ବନ୍ଧା ପକାଇ ରାଜପ୍ରଶସ୍ତି ଗାନ କରୁଥିଲେ ଏବଂ ରାଜାନୁଗ୍ରହ ଲାଭ କରୁଥିଲେ । ଏବେ ରାଜାମାନେ ଗଲେଣି, ସାଧବମାନେ ସରଘରର ମାଲିକ ହେଲେଣି । ଏହି ସର ଘରର ସଂସ୍କୃତି ସାହିତ୍ୟଘରର ସଂସ୍କୃତିଠାରୁ ସମ୍ପୂର୍ଣ୍ଣ ଭାବରେ ଅଲଗା । ସାଧବମାନଙ୍କର ଛାଞ୍ଚଗୁଡ଼ାକ ସାହିତ୍ୟକ ମାନଙ୍କର ଛାଞ୍ଚ ସହିତ ଧର୍ମତଃ ଆଦୌ ଖାପ ଖାଇବା କଥା ନୁହେଁ । ପୁରାସ୍କାରଗୁଡ଼ାକର ଭିଆଣ ଦ୍ୱାରା ଆମ ଏ ଯୁଗରେ ମଧ୍ୟ ସାହିତ୍ୟର ବେକଧରି ସାଧବମାନଙ୍କର ଦୁଆରକୁ ଅଣାଯାଉଛି । ସ୍ୱୟଂ ସାଧବମାନେ ଏହି ଫିକର କରିଛନ୍ତି । ଯେଉଁ ସାହିତ୍ୟକମାନେ ସାହିତ୍ୟର ମଳି ଚମଡ଼ା ତଳେ ପ୍ରାୟ ଗୋଟାସୁଦ୍ଧା ସାଧବ ହୋଇ ରହିଛନ୍ତି, ସେହିମାନଙ୍କର ସହଯୋଗ ସହିତ ହିଁ ସାଧବମାନେ ସାହିତ୍ୟ ଭିତରକୁ ଡକାହୋଇ ଆସୁଛନ୍ତି ।

 

ପୁରସ୍କାର ଦେଲାବେଳେ ସାଧବମାନେ ସତେଅବା ସାହିତ୍ୟର ଦେହଲଗା ହୋଇ ବସିପାରିଲା ପରି ଅନୁଭବ କରୁଛନ୍ତି । ପୁରସ୍କାର ନେଲାବେଳେ ହୁଏତ ସାହିତ୍ୟିକମାନେ ମଧ୍ୟ ଅନ୍ତତଃ ଘଡ଼ିକଲାଗି ଆପଣାକୁ ସାଧବମାନଙ୍କ ପରି ଅନୁଭବ କରୁଥିବେ । ଶ୍ୟାମଙ୍କୁ ପାଇଲା ପରି ଅନୁଭବ କରୁଥିବେ । ନିଜକୁ ପଦାରେ ପକାଇ ଦେଉଥିବେ । ସାହିତ୍ୟକୁ କେବେଳ ଏକ ମୁଖାପରି ହିଁ ଅନୁଭବ କରୁଥିବେ । ନିଜକୁ ସତେଅବା ଗୋଟାଏ ସାଧବାଣୀ ପରି ଅନୁଭବ କରୁଥିବେ ।

 

ସାହିତ୍ୟକ ସାହିତ୍ୟପାଇଁ ବ୍ୟାକୁଳ ନ ହୋଇ ପୁରସ୍କାର ପାଇଁ ବ୍ୟାକୁଳ ହେଲେ ସାହିତ୍ୟର ଇଜ୍ଜତ ନେବାରେ ଯେ ନିମିତ୍ତପରି କାର୍ଯ୍ୟ କରେ, ଭାରତବର୍ଷରେ ଏହି ପୁରସ୍କାରଗୁଡ଼ାକର ଅସାଧୁ ଭିଆଣ ହେବା ପରେ ଆମକୁ ତାହାଉ ଏକାଧିକ ପ୍ରମାଣ ମିଳିଯାଉଥିବ-। ସାହିତ୍ୟିକ ନିଏ ନାହିଁ, ଦିଏ; ଦେବାର ହାଟମୂଲ କରେ ନାହିଁ । ସିଏ ଆପଣାକୁ ଦିଏ, ଅର୍ଥାତ ଆପଣାକୁ ବ୍ୟକ୍ତ କରେ । ତାହାକୁ ହିଁ ଅସଲ ପ୍ରୀତି ବୋଲି ଗ୍ରହଣ କରୁଥାଏ । ପ୍ରୀତିର କୌଣସି ହାଟମୂଲ ନ ଥାଏ ।

 

୧୩ । ୧୧ । ୮୩

Image

 

ଆଗ ଭାଷା ଓ ସଂସ୍କୃତି

 

ସେଦିନ ଜଣେ କିଏ ପ୍ରାୟ ଏକ ପ୍ରମତ୍ତ ଉଦ୍‍ଗାର କରି କହିଲେ, ଆଗ ଭାଷା ଓ ସଂସ୍କୃତି, ତା’ପରେ ଯାଇ ଜାତି ଓ ଧର୍ମ । ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ଓଡ଼ିଶା ଭାଷା କିପରି ବିଲୁପ୍ତ ହୋଇ ଯାଉଛି, ସୀମାନ୍ତ ଅଞ୍ଚଳରେ ଓଡ଼ିଶା ଭାଷା କିପରି ବିଲୁପ୍ତ ହୋଇ ଯାଉଛି, ତାହାର ବିପଦ ବିଷୟରେ ସମ୍ପୃକ୍ତ ସମସ୍ତଙ୍କୁ ସାବଧାନ କରିଦେଇ, ମାତ୍ର ସ୍ୱୟଂ ବିଚଳିତ ହୋଇପଡ଼ି ସିଏ ବୋଧହୁଏ ଏହିପରି ଏକ ଉଦ୍‍ଗାର କରିଥଲେ ।

 

ଆଗ ଭାଷା ଓ ସଂସ୍କୃତି ନା ଆଗ ଜାତି ଓ ଧର୍ମ, ଏକଥା କେହି ସୁତ୍ର ନିପାତ ନ ସିଦ୍ଧ ଭାବରେ କହିଦେଇ ପାରିବ ନାହିଁ । ହୁଏତ ଏସବୁ କୌଣସିଟି ଆଦୌ ସବାଆଗ ନୁହନ୍ତି, —ସବାଆଗ ହେଉଛି ସମ୍ମାନ, ମଣିଷପରି ସମ୍ମାନ, ମଣିଷପରି ସ୍ୱୀକୃତି, ପ୍ରତ୍ୟେକ ମଣିଷକୁ ମଣିଷ ପରି ସମ୍ମାନ ଓ ସ୍ୱୀକୃତି । ଜଣେ ମଣିଷ ଯେଉଁ ଭାଷା ଯେଉଁ ଜାତି ଅଥବା ଯେଉଁ ଧର୍ମର ହୋଇଥାଉ ପଛକେ, ସିଏ ଅବଶ୍ୟ ମଣିଷର ସମ୍ମାନ ପାଇବ, ସ୍ୱୀକୃତି ପାଇବ, ମଣିଷରେ ଗଣା ହେବ—ତାହାହିଁ ଯେ କୌଣସି ଜାତି ଓ ଯେ କୌଣସି ଜନପଦରେ ସବା ଆଗ ଧାଡ଼ିରେ ବିବେକ ହୋଇ ରହିବା ଉଚିତ । ମାତ୍ର ନାନା କାରଣରୁ ତାହା ହୋଇପାରେ ନାହିଁ । ପ୍ରତ୍ୟେକ ଜାତିରେ ସାଧାରଣତଃ ଅନେକଙ୍କୁ ଗଧ କରି ରଖି କେତେକ ମଣିଷ ଷଣ୍ଢ ହୁଅନ୍ତି—ସଂସ୍କୃତି କରନ୍ତି, ସାହିତ୍ୟ କରନ୍ତି, ବାନା ବୈଜୟନ୍ତୀ ଉଡ଼ାନ୍ତି, କନିଆମାନଙ୍କୁ କେବଳ ନିଜେ ବାହାହୋଇ ରହିବାର ମନ ରଖିଥାନ୍ତି । ଧର୍ମାମାନେ ବି ଅନେକ ସମୟରେ ସେହି ଷଣ୍ଢମାନଙ୍କ ମୁଣ୍ଡରେ ଶିଙ୍ଘ ହୋଇ ରହିଥାନ୍ତି-। ସେତେବେଳେ ସଂସ୍କୃତି ବୋଲି ଗୋଟାଏ ସ୍ୱତନ୍ତ୍ର ସିନ୍ଦୁକ ତିଆରି ହୁଏ, ସେହି ସିନ୍ଦୁକକୁ ଯେଉଁମାନେ ମୁଣ୍ଡାନ୍ତି, ସିନ୍ଦୁକର ଦରବଗୁଡ଼ାକରେ ସେମାନଙ୍କର ଆଦୌ କୌଣସି ଭାଗ ନ ଥାଏ । ସିନ୍ଦୁକର ଦରଦ ଉପରେ ଯେଉଁମାନଙ୍କର ମାଲିକାନା ରହିଥାଏ, ସେହିମାନେ ହିଁ ସିନ୍ଦୁକକୁ ଭୋଗ କରନ୍ତି । ମୋ’ର ବୋଲି କହନ୍ତି ।

 

ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଲୋପ ପାଉଛି ବୋଲି ଯେଉଁ ସୁଧୀମାନେ ଏଡ଼େବଡ଼ ପାଟିକରି ଭାଷାକୁ ହିଁ ଓ ସାବାବଡ଼ ଓ ସବାଆଗ ବୋଲି କହୁଛନ୍ତି; ସେମାନେ ଆଗ ଓଡ଼ିଶା ଭିତରେ ହିଁ ଓଡ଼ିଆ ଭାଷାର ଦଶାକୁ ଦେଖିପାରିବା ଉଚିତ । ଓଡ଼ିଶାର ସୀମା ଭିତରେ ବି ଶହେରେ ସତୁରିଭାଗ ମଣିଷ ଓଡ଼ିଆ ଭାଷାକୁ ଲେଖି ପଢ଼ି ଜାଣନ୍ତି ନାହିଁ । ଦେଶ ସ୍ୱାଧୀନ ହେବାପରେ ଏପରି କାହିଁକି ହୋଇ ରହିଛି, ତାହାର ରାଜନୈତିକ ତଥା ଅର୍ଥନୈତିକ କାରଣମାନ ସେମାନେ କେବେ ଖୋଲି ବାହାର କରି ଦେଖିଛନ୍ତି କି ? ଓଡ଼ିଶାରେ ଯେଉଁମାନେ ସବୁଠାରୁ ଅଧିକ ଭଦ୍ର, ଅର୍ଥାତ ଉଚ୍ଚ ସାବାବଡ଼ ଥାନାମାନଙ୍କରେ ପ୍ରତିଷ୍ଠିତ, ସେମାନେ ପଦାରେ ଓଡ଼ିଆ କହନ୍ତି ନାହିଁ । ନିତାନ୍ତ ବାଧ୍ୟ ହେଲେ କବାଟ ଦେଇ ଓଡ଼ିଆ କଥାବାର୍ତ୍ତା କରନ୍ତି । ଓଡ଼ିଶାରେ ସାଆନ୍ତାଣୀମାନେ ଓଡ଼ିଆ କହନ୍ତି ନାହିଁ । ସେମାନେ ଆପଣା ବିଟପୁରୁଷର ଭାଷା କହନ୍ତି, ସେହି ଭାଷାକୁ ରଞ୍ଜାଇକରି ତୁଣ୍ଡରେ ପୂରାଇ ସେମାନେ କାମଶାନ୍ତି କରନ୍ତି । ଏଠି ଶାସନ, ସରକାର କଲେଜ ଓ କଚେରୀ ସବୁକିଛି ସେହି ସାଆନ୍ତାଣୀମାନଙ୍କ ଦ୍ୱାରା ଚାଲେ । ସେମାନଙ୍କର ତାଲିକାରେ ଓଡ଼ିଆ ଭାଷା ପୋଇଲୀ ହୋଇ ରହିଥାଏ ।

 

ଓଡ଼ିଶା ଭିତରେ ଓଡ଼ିଆ ଭାଷାର ଯେତେବେଳେ ଏଭଳି ଦଶା, ସେତେବେଳେ ବାହାରେ ଭାଷାର ମହତ ଚାଲିଗଲା ବୋଲି ରୋଦନ କଲେ ଲୋକେ ଆମକୁ କଦାପି ପାରୁଆ ବୋଲି କହିବେ ନାହିଁ । ଆମ ଘରେ ଆମେ ଭାଷାକୁ ଯେତିକି ସମ୍ମାନ ଦେବା, ଆମର ଭାଷା ବାହାରେ ମଧ୍ୟ ସେହି ପରି ସମ୍ମାନପାଇବ । ତା’ ନହେଲେ ଓଡ଼ିଆ ଭାଷା ଲୋପ ପାଇଯାଉଛି ବୋଲି ହୁରିକରି ଆମେ ମୁଖ୍ୟତଃ ମିଛକଣ୍ଡୁ ଗୁଡ଼ାକର ଉଦ୍ରେକ କରାଉଥିବା ସିନା, ମାତ୍ର ତା’ ଦ୍ୱାରା ଓଡ଼ିଆ ଭାଷାର କୌଣସି ଲାଭ ହେବ ନାହିଁ । ନିଜ ଭାଷାର ଅଧିକ ଯୋଗ୍ୟ ହେବାରେ ତାହା ଆମକୁ ଆଦୌ କୌଣସି ସାହାଯ୍ୟ କରିବ ନାହିଁ ।

 

୨୦ । ୧୧ । ୮୩

Image

 

ଯଦି ଆମେ ରାଜି ହୁଅନ୍ତେ

 

ଯଦି ଆମେ ରାଜି ହୁଅନ୍ତେ, ତେବେ ଅବଶ୍ୟ ସତ କହିପାରନ୍ତେ । ପୂରା ସତ କହି ଦିଅନ୍ତେ, ସଫା କହି ଦିଅନ୍ତେ, ଆଦୌ କିଛି ହେଲେ ଲୁଚାଇ ରଖିବାକୁ ମନ କରନ୍ତେ ନାହିଁ । ତେବେଯାଇ ଆମର ଇଜ୍ଜତ ରହନ୍ତା । ଆମେ ଲୁଚାଇ ରଖିବାକୁ ଓ ଲାଭବାନ ହେବାକୁ ଇଚ୍ଛା କରୁଛୁ, ତେଣୁ କୈଫିୟତ ପରେ କୈଫିୟତ ଦେବାରେ ଲାଗିଛୁ, ମିଛ ଅଭିଯୋଗକାରୀମାନଙ୍କ ଆଗରେ ଆପଣାକୁ ସତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରୁଛୁ । ହୁଏତ ଏପରି ମଧ୍ୟ ହୋଇପାରେ ଯେ, ଭିତରଟାକୁ ଯେତିକି ଘୋଡ଼ାଇ ରଖିବାର ଚେଷ୍ଟା କରୁଛୁ, ବାହାରେ ସେତିକି ବେଶି ପ୍ରମାଣ ଆଣି ବାଢ଼ିବାର ଉତ୍ସାହ ମାନ ପ୍ରଦର୍ଶନ କରୁଛୁ ।

 

ବହିଗୁଡ଼ାକୁ କିଣାହେବା ପାଇଁ ବଛାହେଲା, ଆମେସବୁ ବଛାଳି ହୋଇ ଏକାଠି ବସିଲୁ, ମିତ ହେଲୁ ଏବଂ ଆଖିଦୃଶିଆ ଭାବରେ ନିଜର ବହିଗୁଡ଼ାକୁ ବି ବାଛିଲୁ । ଯେଉଁସବୁ ଅବିଧିକୁ ବାହାରେ ମୋଟେ ଅବିଧି ବୋଲି ପ୍ରମାଣ କରି ହେବନାହିଁ, ଆମେ ଜାଣିଶୁଣି ସେହିସବୁ ଅବିଧି ଭିତରେ ରହିଲୁ, କାର୍ଯ୍ୟଗୁଡ଼ିକୁ ପଇଠ କଲୁ । ଦାଣ୍ଡରେ ଆମେ ବିଧି ଭିତରେ ରହିଛୁ ବୋଲି ପ୍ରମାଣିତ ହୋଇଗଲା । ତେଣୁ ଆମେ ଜିତିଲୁ । ଆମେ ଯାହା କରିଥିଲୁ, ତାହାକୁ ଅବଶ୍ୟ ଠିକ୍‍ କରିଥିଲୁ ବୋଲି ଏଡ଼େ ତୋଡ଼ ଦେଖାଇ ଆପଣାର ବିବେକ ପାଖରେ କହିବାଲାଗି ଆମକୁ ବାଟ ମିଳିଗଲା । ଆମେ ଯେ ମୋଟେ ଅସନା ନୋହୁ; ନିଜପାଖରେ ତାହାକୁ ନିର୍ମଳ ବୁଦ୍ଧିମତ୍ତା ସହିତ ବୁଝାଇ ଦେଇ ପାରିଲୁ ।

 

ଆମ ସମାଜରେ ଆମେ କର୍ତ୍ତାମାନେ ଯଦି ଅଧିକ ଭଦ୍ର ହୋଇଥାନ୍ତୁ, ତେବେ ବହି ବାଛିବାର ପଙ୍ଗତରେ ବସି ଆମେ ଆପାଣାଦ୍ୱାରା ଲେଖାହୋଇଥିବା ବହିଗୁଡ଼ାକୁ ଆଦୌ ବାଛନ୍ତୁ ନାହିଁ । କୌଣସି ଆଇନସଙ୍ଗତ ଦୁର୍ବଳତାକୁ ପ୍ରଶୟ ଦେବାରେ ପରସ୍ପରକୁ ମୋଟେ ସାହାଯ୍ୟ କରନ୍ତୁ ନାହିଁ । ଆମ ନିଜ ବହିଗୁଡ଼ାକୁ ବାଛିବାଲାଗି ଦୈବବଳରେ ଆମକୁ ଯେ ମୋଟେ ଏପରି ଏକ ସୁଯୋଗ ମିଳିନାହିଁ, ଏହି କଥାଟିକୁ ଆଗେ ଅତ୍ୟନ୍ତ କୋଳାହଳଶୂନ୍ୟ ଭାବରେ ସ୍ୱୀକାର କରିନିଅନ୍ତୁ । ବାପ ବିଚାରପତି ହୋଇ ବସିଥିଲେ ପୁଅ ସେଠି ଓକିଲ ହୋଇ ମକଦ୍ଦମା ଲଢ଼ି ପାରୁନାହିଁ । ମୋ’ ଭାଣିଜୀ ପରୀକ୍ଷା ଦେଉଥିବା ବେଳେ ମୁଁ ପରୀକ୍ଷା ଖାତା ଦେଖିବାରୁ ଓହରି ଯାଉଛି ଗୋଟାଏ ସମାଜକୁ ବିଶ୍ଵାସଯୋଗ୍ୟ ଓ ଭଦ୍ର କରି ଲାଗି ରଖିବା ଏହା ହେଉଛି ସର୍ବନିମ୍ନ ଚଳଣି । ବହି ବାଛିଲା ବେଳେ ମଧ୍ୟ ଏହି ଚଳଣି ରହିବା ଉଚିତ । ଯଦି ଜଣେ କର୍ତ୍ତା ହିସାବରେ ପାଠ୍ୟ ପୁସ୍ତକ ବାଛିବାର କମିଟିରେ ମୁଁ ଏକ ସ୍ଥାନ ପାଇଛି, ତେଣୁ ଅନ୍ତତଃ ସେହି ସମୟ ସକାଶେ ମୋ’ ବହି ପାଠ୍ୟ ପୁସ୍ତକ ରୂପେ ଚଳିବା ଆଦୌ ଉଚିତ ନୁହେଁ । ବହି କିଣିବା ସମୟରେ ମଧ୍ୟ ପାରସ୍ପରିକ ସହମତି ସହିତ ଠିକ୍‍ ସେହି ବିଧିଟି ଅନୁସୃତ ହୋଇ ପାରିବା ଉଚିତ । ମାତ୍ର, ମୋ’ ବହି ମତେ ସ୍ୱର୍ଗ ନେଇ ଯିବନାହିଁ, ମୁଁ ନିଜେ ଭଦ୍ର ଓ ଯୋଗ୍ୟ ହେଲେ ଯାଇ ମୋ’ ବହିର ମଧ୍ୟ ମହତ ରହିବ—ଏହିପରି ଏକ ଆହୁରି ମୂଳ କଥାଟିକୁ ମୁଁ ଅସ୍ଵୀକାର କରୁଥିବା ପର୍ଯ୍ୟନ୍ତ ମତେ ପ୍ରକୃତରେ କିଏ ପାରିବ ?

 

ଅରାଜିମାନଙ୍କୁ କେହି ପାରିବେ ନାହିଁ । ଯେଉଁ ସମାଜରେ ଅଳପ ମଣିଷ କର୍ତ୍ତୃତ୍ୱର ସ୍ଥାନଗୁଡ଼ାକ ଉପରେ ହଡ଼ପ କରି ଆପଣାକୁ ଅନ୍ୟମାନଙ୍କଠାରୁ ଅଧିକ ଭଦ୍ର ବୋଲି ସାବ୍ୟସ୍ତ କରି ରଖିଥାନ୍ତି, ସେଠାରେ ରାଜି ହେବାଟା ମୋଟେ ସମ୍ଭବ ହୁଏ ନାହିଁ । ସେପର୍ଯ୍ୟନ୍ତ ଆଗକୁ ଯାହା ଦେଖାଯାଉଥାଏ ତାହା ହେଉଛି, ହୁଏତ ଏହି ଅରାଜି ମାନେହିଁ ଅରାଜିମାନଙ୍କୁ ସଂହାର କରିବେ ଅର୍ଥାତ ସେମାନେ ପରସ୍ପର ଉପରେ ପ୍ରହାର କରିବେ ଓ ପରସ୍ପରକୁ ପଦାରେ ପକାଇବେ । ସ୍ୱୟଂ ଦୁଃଶାସନ ହୋଇ ଅନ୍ୟମାନଙ୍କୁ ଦ୍ରୌପଦୀ ବନାଇ ସଭାକୁ ଟାଣିବେ ଏବଂ ପୁଣି ଦ୍ରୌପଦୀ ବନି ଦୁଃଶାଟଣା ହୋଇ ଆସିବେ । ମାତ୍ର ଏହାକୁ ହିଁ କ’ଣ ରୀତି ବଦଳିବାର ଏକ ଭଦ୍ର ବାଟ ବୋଲି କୁହାଯାଇ ପାରିବ ?

 

୪ । ୧୨ । ୮୩

Image

 

ଅନେକ ସମୟରେ

 

ଅନେକ ସମୟରେ ଧରମ ସହେନାହିଁ, ମାତ୍ର ତଥାପି ମଣିଷ ସହିବାରେ ଲାଗିଥାଏ । ଧାର୍ମିକ ମଣିଷ ହୁଏତ ସବୁଠାରୁ ବେଶି ଆଗଭର ହୋଇ ସହେ । ସହିବାକୁ ହିଁ ଧରମପଣ ବୋଲି ମାନେ । ସେତେବେଳେ ଶାସ୍ତ୍ରକାରମାନେ ସହିବାକୁ ହିଁ ଧର୍ମସ୍ଥତା ବୋଲି କହି ଶାସ୍ତ୍ର ଲେଖନ୍ତି ।

 

ଅନ୍ୟାୟ ପ୍ରବଳରୁ ପ୍ରବଳତର ହୋଇ ବଢ଼ିଲେ ଭଗବାନ ବି ସହିପାରନ୍ତି ନାହିଁ ବୋଲି ଆମ ଭାରତବର୍ଷରେ ଧାର୍ମିକ କିମ୍ବଦନ୍ତୀ ମାନଙ୍କରେ ହରିଛି । ସେହି କିମ୍ବଦନ୍ତୀଗୁଡ଼ାକୁ ନେଇ ଦର୍ଶନ ତିଆରି ହୋଇଛି । ମାତ୍ର ଯେଉଁ ଦେଶରେ ସ୍ୱୟଂ ଭଗବାନ ମଧ୍ୟ ଆଉ ସମ୍ଭାଳି ନପାରି ଅସୁରଦଳନ କରିବାଲାଗି ବୈକୁଣ୍ଠରୁ ଓହ୍ଲାଇଆସି ଆମର ଏହି କାଦୁଅ ଭିତରେ ଜନ୍ମ ନିଅନ୍ତି, ଦୁଷ୍ଟକୁ ସଂହାର କରନ୍ତି ଓ କାଦୁଅଗୁଡ଼ାକ ଭିତରେ ଜୀବନ ସଞ୍ଚାର କରନ୍ତି; ସେହି ଦେଶରେ ତୁଚ୍ଛା ଅସୁରମାନେ ଆଡ଼ମ୍ବର ଓ ଅବର୍ଜିଆପଣର ଏଡେ଼ଏଡ଼େ ଦାନ୍ତ ବାହାର କରି ଧର୍ମଧର୍ଷଣରେ ମତ୍ତହୋଇ ରହିଥିଲେ ମଧ୍ୟ ଜୀଅନ୍ତା ମଣିଷଗୁଡ଼ାକ ତଥାପି ସହିବାରେ ଲାଗିଥାନ୍ତି । ସହିପାରିଲେ ମଣିଷ ଦେବତାରେ ପରିଣତ ହୁଏ ବୋଲି ଆମ ସାମୂହିକ ଜୀବନର ଖାମିନ୍ଦ ଓ ସାହୁକାରମାନେ ଧର୍ଷଣା ଦେବାରେ ଲାଗିଥାନ୍ତି ।

 

ସହିବା ମଣିଷ ଦେବତା ହୁଏନାହିଁ, ସହିସହି ପଥର ହୋଇଯାଏ, ଗଧପରି ଆଉ କାହାର ଗରଜଗୁଡ଼ାକୁ ବୋହିବାରେ ଲାଗିଥାଏ । ମଣିଷ ଅସଲ ମଣିଷ, ସବାଆଗ ମଣିଷ ହେବାର ପଣ ନିଏ, ତେଣୁ ଗଧ ହୋଇ ସହିବାକୁ ସଫା ମନା କରିଦିଏ । ସିଏ କୌଣସି ପ୍ରକାର ତାମସିକାତାକୁ ସହ୍ୟକରି ପଡ଼ିରହିବାକୁ ମୋଟେ, ମନ କରେନାହିଁ । ଅବତାରମାନେ ଆସୁଥାଆନ୍ତି, ଅବତାରମାନେ ଚାଲି ଯାଉଥାନ୍ତି । ନେତୃତ୍ୱ ଆସେ, ନେତୃତ୍ୱ ଚାଲିଯାଏ, ମୁହୂର୍ତ୍ତଗୁଡ଼ାକ ଆସନ୍ତି, ଚାଲିଯାଆନ୍ତି । ଭାରତବର୍ଷରେ ମଣିଷ ତଥାପି ସାହିବାରେ ଲାଗିଥାଏ । ନେତାମାନେ ନିର୍ଲଜ୍ଜ ମାଙ୍କଡ଼ ହୋଇ ତା’ର ତୁଳିଉପରେ ନାଚୁଥାନ୍ତି, ତଥାପି ସିଏ ସହୁଥାଏ । ଭାଗ୍ୟକୁ ଅନାଇ ରହିଥାଏ, ଅର୍ଥାତ ଭାଗ୍ୟକୁ ଆଦରକରି ରହିଥାଏ ।

 

ଭାରତବର୍ଷରେ ଧର୍ମ ଆଉ ମୋଟେ ସହିପାରୁନାହିଁ ବୋଲି ସମୟ ଅନୁସାରେ ବର୍ଷା ହେଉ ନାହିଁ । ବର୍ଷା ନ ହେବା ବେଳେ ବର୍ଷା ହେଉଛି, ବର୍ଷା ଯେତେବେଳେ ହେବାର କଥା, ସେତେବେଳେ ଧାନ ଗଜାହୋଇ ପୁଣି ଶୁଖିଯାଉଛି । ଟଙ୍କାଗୁଡ଼ାକ ଶୂନ୍ୟରୁ ଆସି ସେହି ଶୂନ୍ୟ ଭିତରେ ପୁଣି କୁଆଡ଼େ ମିଳାଇ ଯାଉଛି । ଟଙ୍କା ଗଛରେ ଟଙ୍କା ଫଳୁନାହିଁ, ଟଙ୍କା ଗଛରେ ତୁଚ୍ଛା ମିଛମାନେ ଫଳୁଛନ୍ତି । ଟହଟହ ଦିଶୁଛନ୍ତି, ଠକି ଦେଉଛନ୍ତି । ମଣିଷମାନେ ତଥାପି ସାହିଯାଉଛନ୍ତି । ସେମାନଙ୍କର ଦେହ ଭିତରେ ମଲା ହାଡ଼ କେତେଟା ବ୍ୟତୀତ ଯେପରି ଆଉ କିଛିହେଲେ ନାହିଁ । ମଣିଷ ଭିତରେ କେଉଁଠି ଖଣ୍ଡେ ନିଆଁ ବି ରହିଥାଏ, କ୍ରୋଧରୂପୀ ଏକ ଆତ୍ମା ବି ରହିଥାଏ, ଅଣ୍ଟାକୁ ସିଧାକରି ଠିଆ ହେବାର ଏକ ବାସନା ବି ରହିଥାଏ । ଭାରତବର୍ଷର ଦାଣ୍ଡଗୁଡ଼ାକରେ ସେସବୁ କଥା ସତେଏବା ଗୋଟାସୁଦ୍ଧା ପାସୋର ହୋଇଗଲାଣି । ଭାରତୀୟ ରାଜନୀତିର ଧାଉଡ଼ିମାନଙ୍କରେ ଏସବୁ କଥା ଆଉ କେହି କହୁନାହାନ୍ତି, ଭାରତର ବିଦ୍ୟାଳୟମାନଙ୍କରେ ଆଚାର୍ଯ୍ୟମାନେ ଏଗୁଡ଼ାକୁ ସିଲାବସ୍‍ ଭିତରୁ କାଢ଼ି ବାହାରକୁ ଫିଙ୍ଗି ଦେଇଛନ୍ତି ଏବଂ ସମସ୍ତେ ଆପଣାର ଯାବତୀୟ ହରକତ ଏବଂ ଗୁଜୁରାଣ ଭିତରେ ଖାଲି ସହିଯିବାକୁ ହିଁ ସବୁଠାରୁ ଅଧିକ ନିରାପଦ ବୋଲି ମାନି ନେଇଛନ୍ତି ।

 

ମଣିଷ ଯେଉଁଦିନ ସହିବାକୁ ମନା କରିଦେବ, ତା’ ରାତି ସେହି ଦିନ ପାହିବ । ସେହିଦିନ ସିଏ ନିଶ୍ଚୟ ଆବିଷ୍କାର କରିପାରିବ ଯେ, ଧରମ ମଧ୍ୟ ତାହାର ପକ୍ଷ ଗ୍ରହଣ କରିବାଲାଗି କୋଉଦିନୁ ଅପେକ୍ଷା କରି ରହିଛି । ମଣିଷ ଆଉ ଧର୍ମ ଆପଣାର ତଥା ପରସ୍ପରର ଅସଲ ପରିଚୟ ପାଇପାରିଲେ ଭାଗ୍ୟ ବଳେବଳେ ବଦଳିଯିବ । ସାରା ପୃଥିବୀରେ ଯୁଗେଯୁଗେ ଯେମିତି ଭାଗ୍ୟ ବଦଳିଛି, ଏଠି ମଧ୍ୟ ଠିକ୍‍ ସେହିପରି ବଦଳିଯିବ ।

 

୧୧-୧୨-୮୩

Image

 

ଲେଖକ ଏବଂ ସାମ୍ମୁଖ୍ୟ

 

ଲେଖକ କହିଲେ ସାଧାରଣତଃ ପ୍ରେମିକଟିଏ ଅଥବା ପ୍ରେମିକାଟିଏକୁ ବୁଝାଏ । ଲେଖକ ଭଲ ପାଉଥାଏ । ଅନେକ ମଣିଷ ଅଛନ୍ତି, ଯେଉଁମାନେ କି ମୂଳତଃ ଆପଣାକୁ ହିଁ ଅତ୍ୟୁଗ୍ର ଭାବରେ ଭଲ ପାଉଥାନ୍ତି, ସେମାନେ ପୃଥିବୀଯାକ ସମ୍ଭାବ୍ୟ ସକଳ ସ୍ତନରୁ ଝୁଣିକରି ସ୍ତନ୍ୟପାନ କରିବାକୁ ବାହାରି ଥାଆନ୍ତି, ବଡ଼ ଅସନ୍ଦିଗ୍ଧ ଭାବରେ ମୃଗୟା କରି ବାହାରି ଥାଆନ୍ତି । ସେହି ମୃଗୟାକୁ ସେମାନେ ଜୀବନ ବୋଲି କହନ୍ତି । ସେହି ଜୀବନକୁ ସେମାନେ ଉପଭୋଗ ବୋଲି କହନ୍ତି ।

 

ଲେଖକ ଭୋଗ କରେନାହିଁ, ଲେଖକ ଆପଣାକୁ ଦିଏ । ବାହାରକୁ ବୋକା ହୋଇ ରହିଥିଲେ ମଧ୍ୟ ସିଏ ଆପଣାକୁ ଦିଏ । ନିଜର ସବୁଦ୍ୱାର ଓ ଗବାକ୍ଷକୁ ଖୋଲିଦେଇ ଦିଏ, ଅର୍ଥାତ ଆପଣାକୁ ବ୍ୟକ୍ତକରେ । ଆପଣା ଭିତରେ ରହିଥିବା ଅହଂର ବୁଜୁଳାଟା କାଳେ ଏଥିରେ ଅନ୍ତରାୟ ହୋଇ ଠିଆହେବ, କାଳେ ପଥ ଓଗାଳିବ, ସେଥିଲାଗି ଆପଣାର ଭଲପାଇବାକୁ ସିଏ କୁଆଡ଼େ ମନ କୁଆଡ଼େ ବ୍ୟାପ୍ତ ଓ ପ୍ରସାରିତ କରିଦେବାକୁ ଇଚ୍ଛା କରୁଥାଏ । ଆକାଶ-ପୃଥିବୀ ଓ ବ୍ରହ୍ମାଣ୍ଡ ନଅଣ୍ଟିଲେ ମଣିଷ ପାଖକୁ ବାହୁଡ଼ି ଆସେ; ମଣିଷ ନିଅଣ୍ଟିଲେ ଆକାଶ, ପୃଥିବୀ, କାଳ ଓ କାଳତୀତ ପାଖକୁ ଧାଇଁଯାଏ । ପାହାଚେ ଉପରକୁ ଉଠି ସେ ଏହି ସମସ୍ତଙ୍କୁ ଗୋଟିଏ ସୂତାରେ ବାନ୍ଧିରଖେ । ଏହିପରି ବାନ୍ଧିରଖିବାର ଅଭିକ୍ରମରେ ସେ ପାହାଚକୁ ପାହାଚ ଉଠି ଚାଲିଯାଉଥାଏ । ଚାଲଖ ମଣିଷମାନେ ତାକୁ ଅଳପ ଭିତରେ ରହିଯିବାକୁ କେତେ ଫୁସୁଲାନ୍ତି, କେତେ ଅନ୍ୟ ମନ୍ତ୍ର ଆଣି ପଢ଼ାନ୍ତି । ଲେଖକ ମଙ୍ଗେନାହିଁ । କାହାରି କୁହା ମାନେନାହିଁ ।

 

ଅନ୍ୟପକ୍ଷରେ କେତେକ ଲେଖକ ଏପରି ଥାଆନ୍ତି ଯେଉଁମାନେ ଅହଂର ସେହି ମୂଳ ବୁଜୁଳାଟା ପାଖରେ ହିଁ ଅଟକି ରହିଯାଆନ୍ତି । ସେଇଟା ଫୁଲିଲେ ନିଜେ ଫୁଲିଲା ପରି ଅନୁଭବ କରନ୍ତି । ଏହିମାନେ ମେଣ୍ଢା ହୋଇ ରହନ୍ତି । ଏଇମାନେ ଏକ ଅବଲମ୍ବନର ତଲାସରେ ବଜାରମାନଙ୍କରେ ଗେଧମାନଙ୍କୁ ଯାଇ ଭେଟନ୍ତି । ଗେଧମାନଙ୍କୁ ଆହୁରି ନିବିଡ଼ କରି ପାଇବେ ବୋଲି ସାମ୍ମୁଖ୍ୟ ଗଢ଼ନ୍ତି, ବୈଠକରେ ବସନ୍ତି; ଗଣିକା ହୁଅନ୍ତି । ସାଧବମାନଙ୍କର ଗଣିକା ହେଲେ ବୈଶାଳୀ ନଗରୀରେ ଟଙ୍କାର ଆଦୌ କୌଣସି ଅଭାବ ରହେ ନାହିଁ । ତେଣିକି ସାହିତ୍ୟ ନାମରେ ଖାଲି ମାଦକତା ହିଁ ବଢ଼େ, ଖାଲି ବେଲୁନ ହୋଇ କଇଁଥା ଅହଂଗୁଡ଼ାକ ରଙ୍ଗବୋଳା ହୋଇ ପାଚିଲା ଫଳପରି ଟହଟହ ଦିଶୁଥାନ୍ତି ।

 

ମେଣ୍ଢାମାନେ ଏକ ଅପସଙ୍ଗମର ନିୟମ ଅନୁସାରେ ଘଡ଼ିକଲାଗି ଆପଣାକୁ ଗେଧପରି ଅନୁଭବ କରନ୍ତି । ରାଜ୍ୟଯାକର କୁଞ୍ଚିବିଡ଼ାକୁ ସତେଅବା କାନି ଆଗରେ ବାନ୍ଧି କାନ୍ଧରେ ପକାଇ ବୁଲୁଥିବା ପରି ସରଗରମ ହୁଅନ୍ତି । ସାହିତ୍ୟ ଆଉ କୁଆଡ଼େ ଯାଇ ଲୁଚିଥାଏ ସାମ୍ମୁଖ୍ୟ ବାସର ଘରର ଆନନ୍ଦ ଦିଏ ।

 

ଯେଉଁଠି ଲେଖକମାନେ ସାଙ୍ଗ ଖୋଜି ବାହାରି ପରସ୍ପରକୁ ଭେଟନ୍ତି ଓ ଏହିପରି ଭାବରେ ସାମ୍ମୁଖ୍ୟଟିଏ ଆପେ ଗଢ଼ିଉଠେ, ସେଠାରେ ଗେଧମାନଙ୍କର ଆଦୌ କୌଣସି ପ୍ରୟୋଜନ ନ ଥାଏ । ମାତ୍ର ଯେଉଁଠି ଗେଧ ହିଁ ପରମ ଉତପ୍ରେରକ ରୂପେ ଲେଖକମାନଙ୍କୁ ନଚାଏ, କିଲିବିଲି କରେ ସେଠି ରାଇଜଯାକ ଥନହରା ବ୍ୟାପିଯାଏ । ଏହି ରୀତିରେ ଗଢ଼ା ହୋଇଥିବା ସାମ୍ମୁଖ୍ୟ ବାଞ୍ଝମାନଙ୍କର ହିଁ ଏକ ଉଗ୍ର ଆଖଡ଼ାଘର ହୋଇ ରହେ । ବାଞ୍ଝମାନେ ଉପରେ ଯେଡ଼େ ଦାଉଦାଉ ହୋଇ ଦିଶୁଥିଲେ ମଧ୍ୟ ଭିତରେ ଭାରି ଦୁଃଖୀହୋଇ ରହିଥାନ୍ତି । ଭାରି କଣ୍ଡୁଗ୍ରସ୍ତ ହୋଇ ରହିଥାନ୍ତି ଏବଂ ଏମାନଙ୍କୁ ଚିତାକାଟି କୃଷ୍ଣ ଗୋପରେ ଯାଇ ବଢ଼ୁଥାନ୍ତି ।

 

୨୫ । ୧୨ । ୮୩

Image

 

ମୁଷ୍ଟିମେୟ

 

ଆମ ଦେଶରେ ମୁଷ୍ଟିମେୟ କେତେକ ଲୋକ ହିଁ କଷ୍ଟାର୍ଜିତ ସ୍ୱାଧୀନତାର ଫଳକୁ ଭୋଗ କରୁଛନ୍ତି ବୋଲି ଏବେ ରାଜ୍ୟପାଳ ତାଙ୍କଲାଗି ଆୟୋଜିତ ଏକ ସଭାରେ ଭାଷଣ ଦେଇ କହିଛନ୍ତି-। ବୃତାନ୍ତଟିର ପୂର୍ଣ୍ଣ ବିବରଣୀ ଦିଆଯାଇ ଖବରକାଗଜରେ ଆହୁରି କୁହାଯାଇଛି ଯେ, ମାନ୍ୟବର ରାଜ୍ୟପାଳ ସାଥିରେ ଥିବା ଗହଣ ଓ ପଲଟଣମାନଙ୍କ ସହିତ ସାନ ସହରଟିରେ ଆସି ପହଞ୍ଚିବା ମାତ୍ରକେ ଆତସବାଜି ଓ କ୍ରୀଡ଼ା ପ୍ରଦର୍ଶନ କରାଯିବା ସଙ୍ଗେସଙ୍ଗେ ବିଭିନ୍ନ ବାଦ୍ୟ ଓ ଶଙ୍ଖ ହୁଳହୁଳି ସହ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ସିଏ କାରରୁ ଓହ୍ଲାଇବା ମାତ୍ରକେ ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିମାନେ ବହୁସଂଖ୍ୟାରେ ତାଙ୍କୁ ମାଲ୍ୟାର୍ପଣ କରିଥିଲେ । କହିବା ବାହୁଲ୍ୟ, ହଜାର ହଜାର ସଂଖ୍ୟାରେ ଆବାଳ-ବୃଦ୍ଧ-ବନିତା ରାଜ୍ୟପାଳଙ୍କୁ ଦେଖିବା ସକାଶେ ସେଠାରେ ରୁଣ୍ଡ ହୋଇଥିଲେ । ତା’ପରେ ସଭା ହେଲା ଓ ରାଜ୍ୟପାଳ ଭାଷଣ ଦେଲେ । ଭାଷଣ ଭିତରେ ହିଁ ସିଏ ମୁଷ୍ଟିମେୟମାନେ ବହୁଜନଙ୍କର କଷ୍ଟାର୍ଜିତ ସ୍ଵାଧୀନତାର ଫଳକୁ ଭୋଗ କରୁଛନ୍ତି ବୋଲି ଉଲ୍ଲେଖ କରିଥିଲେ ।

 

ରାଜ୍ୟପାଳ ଯେଉଁମାନଙ୍କୁ ମୁଷ୍ଟିମେୟ ବୋଲି କହି ଝିଙ୍ଗାସିଲେ, ସେହି ମୁଷ୍ଟିମେୟଙ୍କର ପ୍ରତିନିଧିମାନେ ହିଁ ତାଙ୍କୁ ଅଭ୍ୟର୍ଥନା କରି ଶଙ୍ଖ ବଜାଇ ବରଣ କରି ନେଇଥିଲେ । ଯେଉଁମାନଙ୍କ ଆଗରେ ରାଜ୍ୟପାଳ ଭାଷଣ ଛଳରେ ଆପଣା ମନୋବେଦନା ପ୍ରକାଶ କଲେ, ସେମାନେ ସମସ୍ତେ ସେହି ମୁଷ୍ଟିମେୟ ଗୋଷ୍ଠୀଟିର ହିଁ ପ୍ରତିନିଧିତ୍ଵ କରୁଥିଲେ । ରାଜ୍ୟପାଳ ଯେଉଁଠାକୁ ଯାଆନ୍ତି, ସବୁଠାରେ ଏହି ମୁଷ୍ଟିମେୟମାନେ ହିଁ ତାଟକା କରାଇ ତାଙ୍କୁ ସେହି ସବୁ ଥାନକୁ ନିଅନ୍ତି । ରାଜ୍ୟପାଳ ମନଇଚ୍ଛା କେଉଁଆଡ଼େ ଯାଇ ପାରନ୍ତିନାହିଁ । ଯେଉଁସବୁ କନ୍ଦିରେ ଓ ଖୋଲରେ ଦେଶର ଅଧିକସଂଖ୍ୟକ ମଣିଷ ବାସ କରନ୍ତି, ରାଜ୍ୟପାଳଙ୍କର ରାସ୍ତାକୁ ସେହିଆଡ଼େ ନେବାପାଇଁ ଆମ ଦେଶରେ ଉପଯୁକ୍ତ ପରିବେଶ ଏପର୍ଯ୍ୟନ୍ତ ବି ତିଆରି ହୋଇନାହିଁ । ତେଣୁ ଆମ ରାଜ୍ୟପାଳମାନେ ଅଥାନରେ କାନ୍ଦନ୍ତି, ଅଥାନରେ ବ୍ୟସ୍ତ ହୋଇପଡ଼ନ୍ତି, ତଥାପି କଥାଗୁଡ଼ାକ ସାରିଦେଇ ଥାନାକୁ ବାହୁଡ଼ିଆସନ୍ତି ।

 

କଷ୍ଟାର୍ଜିତ ସ୍ୱାଧୀନତାକୁ ଯେଉଁ ମୁଷ୍ଟିମେୟମାନେ ଗତ ଗୋଟାଏ ପୁରୁଷ ଧରି ଭୋଗକରି ଆସୁଛନ୍ତି, ସେମାନଙ୍କ ହାତରୁ ତାହାକୁ ଛଡ଼ାଇଆଣି ଯଥାର୍ଥ ସାଧୁତା ସହିତ ସର୍ବଜନରେ ପରିଣତ କରିବାର କାର୍ଯ୍ୟଟିକୁ ଏକ ବିପ୍ଳବ ବୋଲି କୁହାଯାଏ । ରାଜନୀତିକ କ୍ଷମତା ପରିବର୍ତ୍ତନ ପରେ ଏହି ସାମାଜିକ ବିପ୍ଳବ ଲାଗି ନେତୃତ୍ୱ ଦିଆଯାଇଥାନ୍ତା । ଆମ ନେତାମାନେ ତାହା କଲେନାହିଁ । କଥା କହିଲେ, ମାତ୍ର କଲେନାହିଁ । ଭୋଗୀମାନେ ଯାହା କରନ୍ତି, ସେମାନେ ତାହାହିଁ କଲେ । ସେମାନେ ଆସନରେ ବସିଲେ, ରାଜ୍ୟପାଳିଲେ କ୍ଷେତ୍ର ପାଳିଲେ, କାଳକୁ ଧୋକା ଦେଲେ । ଅଧିକାଂଶ ମଣିଷଙ୍କୁ ଧୋକା ଦେଲେ । ଦେଶର ବିଦ୍ୟା ବୁଦ୍ଧି; ଅର୍ଥ ଓ କୌଶଳକୁ ମୁଷ୍ଟିମେୟଙ୍କର ସ୍ୱାର୍ଥଗୁଡ଼ିକୁ ହିଁ ଦୋରସ୍ତ କରି ରଖିବାରେ ବ୍ୟବହାର କଲେ । ମାତ୍ର ସେ କଥା ଯାହାହେଉ ପଛକେ, ଗୋଟାଏ କଥା ଏକାନ୍ତ ସତ ଯେ, ଆମ ଭିତରୁ ଯିଏ କଷ୍ଟାର୍ଜିତ ସ୍ୱାଧୀନତାକୁ ମୁଷ୍ଟିମେୟଙ୍କ ଚାଲାଖି ଭିତରୁ ବାହାର କରି ଆଣିବାକୁ ସାଧୁତାର ସହିତ ଇଚ୍ଛା କରିବ, ସିଏ କଦାପି ରାଜ୍ୟପାଳ ହେବାକୁ ଯିବନାହିଁ ଏବଂ ଅପର ପକ୍ଷରେ ରାଜ୍ୟପାଳର ଆସନରେ ବସିଥିବା କୌଣସି ବିବେକ ସମ୍ପନ୍ନ ମଣିଷ ମଧ୍ୟ ଅଥାନରେ ଏହି ସବୁ କଥା ମୋଟେ କହିବନାହିଁ ।

 

୧ । ୧ । ୮୪

Image

 

ଅଶୋକ ଚାହିଁନଥିଲେ

 

ଅଶୋକ ଚାହିଁ ନଥିଲେ ବୌଦ୍ଧ ଧର୍ମ କୁଆଡ଼ୁ ରହିଥାନ୍ତା ? ମଟର ସାଇକେଲ ଚଳାଉଚଳାଉ ଅଶୋକ ବାବୁ ମୋତେ ନାନା ଉଦାହରଣ ଦେଇ ସେହି କଥା ବୁଝାଉ ଥାଆନ୍ତି । ମୁଁ ମଟର ସାଇକେଲ ପଛରେ ବସିଥାଏ । ହୁଁ ମାରୁଥାଏ । ସିଏ କହିଚାଲିଥାନ୍ତି ।

 

ଅଶୋକ ଚାହିଁନଥିଲେ ବୌଦ୍ଧଧର୍ମ ଆଜି କୋଉଠି ଥାଆନ୍ତା, ସ୍ୱୟଂ ବୁଦ୍ଧଦେବ ବି କୋଉଠି ଯାଇ ଥାଆନ୍ତେ ! ଅଶୋକ ଥିଲେ ବୋଲି ବୌଦ୍ଧଧର୍ମ ପ୍ରତି ଆକୃଷ୍ଟ ହେଲେ । ଆକୃଷ୍ଟ ହେଲେ ଅର୍ଥାତ ସଦୟ ହେଲେ । ବୌଦ୍ଧଧର୍ମର କିଆରିକୁ ରଜାଘରୁ ପାଣି ମଡ଼ାଗଲା । ଅମାତ୍ୟମାନେ ଧର୍ମମହାମାତ୍ୟ ହେଲେ । ରାଜାଙ୍କ ଆଦେଶରେ ଧର୍ମଦୂତମାନେ ଧର୍ମର ପାରୁଶ ନେଇ ସିଂହଳ ଗଲେ, ବ୍ରହ୍ମଦେଶ ଗଲେ । ଅଶୋକସ୍ତମ୍ଭମାନ ନିର୍ମିତ ହେଲା । ସେଥିରେ ରାଜାଙ୍କର କୀର୍ତ୍ତି ଗୁଡ଼ାକର କୀର୍ତ୍ତନ ହେଲା । ରାଜାନୁଗ୍ରହ ଆଉଖୋଜେ ଆଗକୁ ଗଲା ପରେ ବୁଦ୍ଧଦେବ ପ୍ରାସାଦବାସୀମାନଙ୍କର ସୁବିଧା ସକାଶେ ମୂର୍ତ୍ତିହେଲେ, ମନ୍ଦିର ଭିତରେ ରହିଲେ, ଅବତାରମାନଙ୍କର ଗୋଠ ଭିତରେ ପଶି ଖୁଣ୍ଟରେ ବନ୍ଧା ହୋଇ ରହିଲେ । ବୁଦ୍ଧବାଣୀ ମରିଗଲା, ସେହି ବାଣୀର କବର ଉପରେ ଵୁଦ୍ଧାକୃତି ଠାକୁରମାନେ ଯାବତୀୟ ବର୍ଗରେ ପୂଜା ପାଇଲେ ।

 

ବୁଦ୍ଧଦେବ ମଣିଷ ଥିଲେ, ମଣିଷର ଦୁଃଖରେ ବ୍ୟଥିତ ହୋଇ ଯାବତୀୟ ଦୁଃଖର ନିରାକରଣ ନିମନ୍ତେ ଏକ ନିର୍ଦ୍ଧିଷ୍ଟ ବାଟ ଦେଖାଇଥିଲେ । ସେହି ବାଟକୁ ଏକ ଜୀବନ ସତ୍ୟରେ ପରିଣତ କରିବାଲାଗି ସେ ପ୍ରତିଷ୍ଠିତ ଅନେକ ଅପଆଚରଣ ବିରୁଦ୍ଧରେ ପ୍ରତିବାଦ କରିଥିଲେ । ଏକ ବିକଳ୍ପର ଇଙ୍ଗିତ ମଧ୍ୟ ଦେଇଥିଲେ । ଅନେକ ପ୍ରକାରର ଧର୍ମକାମୁକତା ଏବଂ ସାମାଜିକ ଧୂର୍ତ୍ତତା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ । ସକଳ ସଦିଚ୍ଛା ସହିତ ଜଣେ ରାଜା ଯେତେବେଳେ ତାଙ୍କର ତୁମୂଳ ପ୍ରଚେଷ୍ଟାରେ ବୌଦ୍ଧ ଧର୍ମକୁ ନିଜର ଧର୍ମ ବୋଲି ଘୋଷଣା କରି ତାକୁ କିଣିନେଲେ, ସେତେବେଳେ ତାଙ୍କର ତୁମୁଳ ପ୍ରଚେଷ୍ଟା ଫଳରେ ବୌଦ୍ଧଧର୍ମ ଦରବାରମାନଙ୍କରେ ରାଜାହୋଇ ବସିଲା । ଜୀବନାନ୍ୱେଷୀ ବୌଦ୍ଧ ଭିକ୍ଷୁମାନେ କ୍ଷମତାରୂପୀ ରାଣୀ ପାଖରେ ମୃଦୁସୁଲି ହୋଇ ରହିଲେ । ବୌଦ୍ଧ ପଣ୍ଡିତମାନେ ଶାସ୍ତ୍ରଲେଖି ଚିତ୍ତବିନୋଦନ କରାଇଲେ, ମାତ୍ର ଆହ୍ଵାନମାନେ ଲାଜରା ହେଲେ ଲୁଚି ରହିଲେ । ବୌଦ୍ଧଧର୍ମ ବୋଇତରେ ବସି ଦେଶକୁ ଦେଶ ଡେଇଁବାରେ ଲାଗିଲା, ମାତ୍ର ସେହି ଆଡ଼ମ୍ବରରେ ପୁରାତନଗୁଡ଼ାକ କେଡ଼େ ସୂତରରେ ନୂଆ ସନ୍ଦେଶଟିକୁ ଗୋଟାସୁଦ୍ଧା ଗିଳି ପକାଇଲେ ।

 

ରାଜା ଯେତେବେଳେ ଧର୍ମକୁ ମନ କରେ, ସେତେବେଳେ ଧର୍ମ ଅନେକ ସମୟରେ ସତେଅବା ଗୋଟାଏ ରାଜାପରି ଦିଶେ ସତ, ମାତ୍ର ସେହି ଧର୍ମ ଆଉ ମଣିଷମାନଙ୍କୁ ବାଟ ଦେଖାଇପାରେ ନାହିଁ । ଧର୍ମର ବାହାନା ଦେଖାଇ ରାଜାମାନେ ମଣିଷମାନଙ୍କୁ ଶୀତଳ କରି ରଖନ୍ତି, ଯୁଗକୁ ବାଉଳା କରିଦିଅନ୍ତି ।

 

ଅଶୋକ ସମ୍ଭବତଃ ଏହିପରି ଏକ ବାଟ ହୁଡ଼ିବାରେ ଏକଦା ଭାରତବର୍ଷରେ ଏକ ନିମିତ୍ତ ରୂପେ କାର୍ଯ୍ୟ କରିଛନ୍ତି । ଅଶୋକଙ୍କ ଠାରୁ ଯେ ବୌଦ୍ଧଧର୍ମ ଅନ୍ୟ ଓର ଧରିଲା ଓ ଅଶୋକଙ୍କ ପରେ ନାନା ଯାନର ସୋପାନରେ ତାହାର ଅଧୋଯାନ ଆରମ୍ଭ ହେଲା, ଧର୍ମକୁ ଜୀବନର ଏକ ପ୍ରେରଣା ରୂପେ ଗ୍ରହଣ କରୁଥିବା ବ୍ୟକ୍ତିମାନେ ଅନେକ ସମୟରେ ଏହିପରି ଏକ ଅନୁମାନ କରିଥାନ୍ତି । ଅଶୋକ ଚାହିଁଥିଲେ ବୁଦ୍ଧଙ୍କର ପ୍ରେରଣାରୁ ଏକ ଯଥାର୍ଥ ଲାଭ ବି ଉଠାଇ ପାରିଥାନ୍ତେ । ତେବେ ସିଏ ବୌଦ୍ଧଧର୍ମକୁ ଉଆସରେ ଗାଈ କରି ବାନ୍ଧି ରଖିବାକୁ ମୋଟେ ମନ କରି ନଥାନ୍ତେ ।

 

୮ । ୧ । ୮୪

Image

 

ବିଚାର ମଞ୍ଚର ମଞ୍ଚ

 

ବିଚାରମଞ୍ଚରେ ବିଚାର ନାହିଁ, ମଞ୍ଚଟାଏ ଅଛି । କୌଣସି ବିଚାରର ଆଦାନ ପ୍ରଦାନ ଅଥବା ସମୀକ୍ଷଣ ସକାଶେ ଏହି ମଞ୍ଚ ଗଢ଼ା ହୋଇନାହିଁ । ଯେକୌଣସି ପ୍ରକାରେ ଗୋଟିଏ ମଞ୍ଚ ହୁଏତ ମିଳିଯାଇ ପାରିବ ବୋଲି ଆକୁଳ ମଞ୍ଚାଲାଳସୀମାନେ ଆପଣାର ପୁରୁଣା ଓ ଖଣ୍ଡିଆ ରୁଅବାଉଁଶଗୁଡ଼ିକରୁ ଖଣ୍ଡେଖଣ୍ଡେ ସାହାଯ୍ୟ ଦେଇ ଏହି ମଞ୍ଚଟିକୁ ତିଆରି କରିଛନ୍ତି ।

 

ବିଚାର କୋଉକାଳରୁ ବିଦା ହୋଇଗଲାଣି । ଏମାନେ ସ୍ୱୟଂ ମାରା ହୋଇ ଯିବା ପରେ ବିଚାର ଏମାନଙ୍କ ପାଖରୁ ବିଦାୟ ନେଇ ଛାଡ଼ିଗଲାଣି । ବିଚାରକୁ ଛାଡ଼ି ମଞ୍ଚକୁ ହିଁ ଏକମାତ୍ର ଜୀବନାଶ୍ରୟ ବୋଲି ଗ୍ରହଣ କରିବା, ଏହା ହେଉଛି ମାରା ହେବାର ସର୍ବପ୍ରଥମ ଲକ୍ଷଣ । ଆପଣାର ମନ ଅନୁସାରେ ବର ପାଇଥିଲେ ଏମାନେ ସମସ୍ତେ କ୍ଷମତାରେ ଥାଆନ୍ତେ, ଜନକ ଘରେ ଜୁଆଁଇ ହୋଇ ବସିଥାନ୍ତେ । ମଞ୍ଚା ଉପରେ ମାମୁଁ ହୋଇ ବସିଥାନ୍ତେ ।

 

ରାଜନୀତିକ ସ୍ୱାଧୀନତାର ପ୍ରାପ୍ତି ପରେ ଏହି ଦେଶରୁ ଯାବତୀୟ ବିଚାର ଓ ଯାବତୀୟ ମହତ ବିଦା ହୋଇଯିବାର ଯେଉଁ କଳଙ୍କ ଇତିହାସ ରହିଛି, ସେହି ଇତିହାସରେ ଏମାନେ ସମସ୍ତେ ଗୋଟାଏ ଗୋଟାଏ ମତ୍ତଗଜ କନ୍ଦର୍ପ ପରି ଅଭିନୟ କରିଛନ୍ତି । କେତେ ଭାଡ଼ିରେ ଚଢ଼ିଛନ୍ତି, କେତେ ଭାଡ଼ିକୁ ହଡ଼ପ କରିଛନ୍ତି । ଶେଷକୁ ହୁଏତ ଭାଡ଼ିରୁ ଖସି ବାହାରେ ଆସି ପଡ଼ିଛନ୍ତି । ପାକୁଆ ହୋଇ ସାରିଥିଲେ ମଧ୍ୟ ଏମାନେ ଦାନ୍ତ ଥିବା ବେଳର ମଉଜଗୁଡ଼ାକୁ ତଥାପି ଭୁଲିପାରି ନାହାନ୍ତି । ବଳ ଆଉ ବଅସ ସେମାନଙ୍କୁ ଅତିକ୍ରମି ଯାଇଥିଲେ ମଧ୍ୟ ସଂସ୍କାରବଶତଃ କ୍ଷମତାକୁ ଆଉଥରେ ବାହା ହେବାର ସବୁଜ ବାସନାଗୁଡ଼ାକ ସେମାନଙ୍କ ଭିତରେ ଭାରି ଉଗ୍ରଭାବରେ ରବେଇଖବେଇ ହେଉଛନ୍ତି । ସେହି କ୍ଷୋଭରେ ସେମାନେ ବିଚାରର ଲାଙ୍ଗୁଡ଼ଟିଏ ଲଗାଇ ମଞ୍ଚଟିଏ ଗଢ଼ିଛନ୍ତି । କାଳେ ଭାଗ୍ୟ ପୁନର୍ବାର ସଦୟ ହେବ ବୋଲି ଆଶା ବାନ୍ଧିଛନ୍ତି ।

 

ବିଚାର ବୁଢ଼ାମାନଙ୍କ ଲାଗି ନୁହେଁ, ବିଚାର ତରୁଣ ଲାଗି । ସକଳ ବିଚାରକୁ ଭଣ୍ଡୁର କରିଥିବା ପାଖଣ୍ଡୀମାନଙ୍କ ଲାଗି ମୋଟେ ନୁହେଁ ! ଆମର ଏଠି ମଞ୍ଚାମାନେ ଯାବତୀୟ ବିଚାରର ମହତ ନେବାଲାଗି ସୁଯୋଜିତ ଭାବରେ କେତେ କ’ଣ କରି ଆସିଥିଲେ ମଧ୍ୟ ଏହି ଦେଶରେ ବିଚାରମାନେ ତଥାପି ରହିଛନ୍ତି । ଆଦୌ କୌଣସି ମଞ୍ଚ ନଥିଲେ ମଧ୍ୟ ରହିଛନ୍ତି । ବିଚାରମାନେ କୁହୁଳୁଛନ୍ତି, ସମୁଚିତ ମୁହୂର୍ତ୍ତଟିର ଅପେକ୍ଷାରେ ରହିଛନ୍ତି । ଯେଉଁମାନେ ବିଚାରର ଆଳରେ ମଞ୍ଚଟାଏ ଗଢ଼ି ଆମ ଆଗରେ ପୁନର୍ବାର ନାଚିବେ ବୋଲି ଡକାଡକି ହୋଇ ବାହାରିଲେଣି, ସେମାନେ ଆଉ କଦାପି ଅପେକ୍ଷାମାଣ ବିଚାରଗୁଡ଼ିକର ପ୍ରତିନିଧି ହୋଇପାରିବେ ନାହିଁ ।

 

ଦିନେ ଜୟପ୍ରକାଶ ବିଚାରର ପକ୍ଷରେ ଥିଲେ । ବିଚାରର ପକ୍ଷରେ ରହିବେ ବୋଲି କେତେ ମଞ୍ଚା ଓ ମଞ୍ଚକୁ ପ୍ରତ୍ୟାଖ୍ୟାନ କରିଥିଲେ । ଜୀବନର ଶେଷ ଚରଣରେ ହୁଏତ କାଳେ ବିଚାର ଏକ ପୁନରୁଦ୍ୟମରେ ପ୍ରାଣ ପାଇ ଉଠିବ ବୋଲି ସେ ମଞ୍ଚଟିଏ ଗଢ଼ିଲେ । ନିଜେ ପିତାମହଙ୍କ ପରି ଅଭିଆଡ଼ି ହୋଇ ରହିଲେ, ମାତ୍ର ନିତାନ୍ତ ଅସମର୍ଥମାନଙ୍କୁ ସମର୍ଥ ପରି ଦେଖାଇ ମଞ୍ଚା ଗଢ଼ିଲେ । ତା’ପରେ ବିଚାର ଭଣ୍ଡୁର ହେଲା ।

 

ଜୟପ୍ରକାଶଙ୍କର ମୋହଭଙ୍ଗ ହେଲାବେଳକୁ ଚକ ଅନେକ ଆଗକୁ ଗଡ଼ିଯାଇ ସାରିଥିଲା-। କେବଳ ମଞ୍ଚରେ ବିଶ୍ୱାସ କରୁଥିବା ବ୍ୟକ୍ତିମାନେ ବର୍ତ୍ତମାନ ଜୟପ୍ରକାଶଙ୍କୁ ମାଦଳାକରି ବସାଇ ଯେଉଁ ମଞ୍ଚର ଭିଆଣ କରୁଛନ୍ତି ସେହି ମଞ୍ଚର ମଞ୍ଚ ଭିତରେ ଯେ ଆଦୌ କୌଣସି ବିଚାର ନାହିଁ, ସେହି କଥାଟି ଧରାପଡ଼ିବାକୁ କ’ଣ ବେଶି ବେଳ ଲାଗିବ ?

 

୨୨ । ୧ । ୮୪

Image

 

ନୋଳିଆମାନଙ୍କ ଘର

 

ସମାଜରେ ଗୋଟିଏ ପ୍ରକାରର ମଣିଷ ଥାଆନ୍ତି; ଯେଉଁମାନେ କି ନିଜ କାନରେ କୌଣସି ନୋଳି ନାଇନଥିଲେ ମଧ୍ୟ ତଥାପି ନୋଳି ପିନ୍ଧିଥିବା ପରି ଦେଖାଯାଉଥାନ୍ତି । ସେମାନେ ସମାଜରେ ଛାତି ଉପରେ ଦୁମଦୁମ ହୋଇ ଚାଲୁଥାନ୍ତି । ସେମାନେ କ୍ଷମତାକୁ ନୋଳି କରି ପିନ୍ଧିଥାନ୍ତି ।

 

ଏକ ବିଶେଷ ଅର୍ଥରେ ପୁରୀ ସମୁଦ୍ର କୂଳରେ ଗୋଟିଏ କିସମର ମଣିଷ ବାସ କରନ୍ତି, ଯେଉଁମାନଙ୍କୁ ନୋଳିଆ ବୋଲି କୁହାଯାଏ । ଏମାନେ ଧୀବର, ତେଣୁ ସମୁଦ୍ର ଉପକୂଳର ବାଲିକୁ ଘର କରି ରହିଥାଆନ୍ତି । ମନୁଷ୍ୟପ୍ରାଣୀର ସମଗ୍ର ଜୀବନଟିକୁ ଏମାନେ ସେଇ ବାଲିଉପରେ ମରା ହୋଇଥିବା ପଲାଘର ମାନଙ୍କରେ ବଞ୍ଚନ୍ତି । ସୂର୍ଯ୍ୟକୁ ସମନାରେ ରଖି ସମୁଦ୍ର ପାଣିକୁ ମାଆ ବୋଲି ମାନି ଏମାନେ ଏଠାରେ ଦିନପରେ ଦିନ ମାଛ ଧରନ୍ତି, ପୁରୁଷ ପରେ ପୁରୁଷ ବିତାଇ ଦିଅନ୍ତି । ଏମାନେ ଆମରି ଆଗରେ କାରବାର ହୁଅନ୍ତି, ତଥାପି ଆମ ସହିତ ଗଣା ହୁଅନ୍ତି ନାହିଁ । ନୋଳିଆମାନଙ୍କର ବାଲିବସ୍ତି ପାଖକୁ ଏବେ ବଡ଼ବଡ଼ ହୋଟେଲମାନ ତିଆରି ହୋଇଛି । ତୀର୍ଥଯାତ୍ରୀମାନଙ୍କ ପାଇଁ ନୁହେଁ, ପର୍ଯ୍ୟଟକମାନଙ୍କ ଲାଗି ଏହି ସବୁ ହୋଟେଲ ତିଆରି ହୋଇଛି । ଏଠାକୁ ଚଢ଼େଇମାନେ ଦି’ଦିନ ସକାଶେ ଆସନ୍ତି । ମୁକ୍ତି ପାଆନ୍ତି, ଆନନ୍ଦ କରନ୍ତି, ପ୍ରାୟ କୌଣସି ଇପ୍ସିତ ମାଂସକୁ ଖାଉଥିବାର ଆନନ୍ଦରେ ସମୁଦ୍ର କୂଳର ହାୱା, ଆଲୁଆ ଆଉ ଜୀବନକୁ ଆଘ୍ରାଣ କରନ୍ତି । ତା’ପରେ ଆପଣା ଆପଣା ନୀଡ଼କୁ ଫେରିଯାଆନ୍ତି । ପର୍ଯ୍ୟଟକମାନଙ୍କଦ୍ୱାରା ସରକାରଙ୍କର ଅନେକ ଆୟ ହୁଏ ।

 

ଏହି ସଂସାରଟା ପ୍ରକୃତରେ କାହାର କେଜାଣି, ଆମ ସମାଜରେ ଯେଉଁମାନେ କାନରେ ସୁନାନୋଳି ପିନ୍ଧିଥିଲାପରି ଜୀବନକୁ ବଞ୍ଚିଥାନ୍ତି,ସେମାନେ ଏହି ସଂସାରକୁ ଗୋଟାସୁଦ୍ଧା ନିଜର ବୋଲି ଧରିନିଅନ୍ତି । ଏଠି ଆଉ କାହାକୁ ହେଲେ ଥାନ ଦିଅନ୍ତିନାହିଁ । କ୍ଷମତା ବଳରେ ଘର ଭାଙ୍ଗନ୍ତି ଓ ତାହାକୁ ଆଇନବୋଲି କହନ୍ତି । ସେହି ଆଇନଗୁଡ଼ାକୁ ସେମାନେ ନିଜେ ତିଆରି କରିଥାନ୍ତି । ଏବେ ପୁରୀକ୍ଷେତ୍ରରେ ସେହିକଥା ହେଲା ।

 

ସମୁଦ୍ରକୂଳରେ ବଡ଼ବଡ଼ ହୋଟେଲ ନିକଟରେ ଥିବା ନୋଳିଆସାହୀର ଶତାଧିକ ନୋଳିଆମାନଙ୍କର ଘରକୁ ଜିଲ୍ଲା ପ୍ରଶାସନ ତରଫରୁ ସଶସ୍ତ୍ର ପୋଲିସ ଏବଂ ମାଜିଷ୍ଟ୍ରେଟଙ୍କ ଦ୍ୱାରା ଭାଙ୍ଗି ଦିଆଗଲା । ସେଦିନ ଘୋର ବର୍ଷା । ଘରଭାଙ୍ଗି ଦିଆଯାଇଥିବା ପ୍ରାୟ ଚାରିଶହ ନୋଳିଆ ସେମାନଙ୍କର ଜିନିଷପତ୍ର, କୁକୁଡ଼ା, ଗୋରୁଗାଈ ଓ ଛୁଆ ପିଲାଙ୍କୁ ଧରି ସମୁଦ୍ରକୂଳିଆ କୋହଲାପବନରେ ଓ ବର୍ଷାରେ ଅତି କରୁଣ ଅବସ୍ଥାରେ କାଳ କଟାଇଲେ । ଏହି ଘରଗୁଡ଼ାକୁ ନ ଭାଙ୍ଗି ବୋମା ପକାଇ ସେମାନଙ୍କୁ ମାରିଦେଇଥିଲେ ବରଂ ଅଧିକ ଭଲ ହୋଇଥାନ୍ତା ବୋଲି କେତେକ ନୋଳିଆ ଚିତ୍କାର କରି ଆପଣାର ଅସହାୟତାକୁ ବ୍ୟକ୍ତ କରୁଥିଲେ ।

 

ସରକାର କହିଲେ ନୋଳିଆମାନେ ବେଆଇନ ଭାବରେ ସେଠାରେ ଘରକରି ରହିଥିଲେ; ତେଣୁ ସେମାନଙ୍କର ଘରକୁ ଭାଙ୍ଗି ଦିଆଗଲା । ନୋଳିଆମାନେ ସେଠାରେ ଶହେବର୍ଷରୁ ଅଧିକକାଳ ରହିଲେଣି । ପୁରୀର ସ୍ଥାନୀୟ ଜୀବନରେ ସେମାନେ ବି ଅରାଏ ଜାଗାର ପ୍ରତିନିଧି ହୋଇ ରହିସାରିଲେଣି । ତଥାପି ଘର ଭାଙ୍ଗିଥିବା ଲୋକମାନେ ସେମାନଙ୍କୁ ସାଙ୍ଗରେ ପୂରାଇବାକୁ ମୋଟେ ରାଜି ନୁହନ୍ତି । ଯେଉଁମାନଙ୍କର ଘରଭାଙ୍ଗି ଦିଆଗଲା, ଆପଣା ଘରର ଚେତନା-ଖୁଣ୍ଟିଟି କେତେ ମଜଭୁତ ହେଲେ ଯାଇ ସେମାନଙ୍କର ଘରକୁ ଯେ କେହି କଦାପି ଭାଙ୍ଗି ପାରିବ ନାହିଁ, ସେମାନଙ୍କୁ ସେହି କଥାଟି ଯାଇ କିଏ କହିଦେଇପାରିବ ?

 

୨୯ । ୧ । ୮୪

Image

 

ଖେଳରୁ ଚରି-ନିର୍ମାଣ

 

ଖେଳ ଯେତେବେଳେ ଚାଲେ ଅଖଣ୍ଡ ଭାବରେ ଚାଲେ । ପକ୍ଷମାନଙ୍କୁ ଦେଶ ବୋଲି କୁହାଯାଏ । କାହାକୁ ଇଣ୍ଡିଆ କୁହାଯାଏ ତ କାହାକୁ ପାକିସ୍ତାନ କୁହାଯାଏ । ତେଣୁ ଇଂଲଣ୍ଡ ଆସେ, ଏଣୁ ଅଷ୍ଟ୍ରେଲିଆ ଯାଏ । ଖେଳ ଗାଧୁଆ ବେଳକୁ ଆରମ୍ଭ ହୋଇ ପ୍ରାୟ ବେଳ ବୁଡ଼ିବାଯାଏ ଚାଲେ-। ଯେଉଁମାନେ ଖେଳାଳି ବେଶରେ ମୁଣ୍ଡରେ ଟୋପି ହାତରେ ମୋଜା ଓ ଗୋଡ଼ରେ ଗୋଡ଼ଗଳା ପିନ୍ଧି ଆସିଥାଆନ୍ତି, ସେମାନେ ସମୟ ଅଭାବରୁ ସେହି ଖେଳ ଭିତରେ ଘଡ଼ିଏ ଥୁକୁଲୁମାରି ଲଞ୍ଚ୍‍ ଖାଆନ୍ତି ଚାହା ପିଅନ୍ତି । ଏମିତି ଦିନଦିନ ହୋଇ ଖେଳ ପାଞ୍ଚଦିନ ସରିକି ଚାଲେ, ଜାଗାଜାଗା ହୋଇ ପାଞ୍ଚଜାଗା ଚାଲେ । ଗୋଟାଏ ଦଳ ଖେଳ ସାରି ନ ଯାଉଣୁ ଆଉ ଗୋଟାଏ ଦଳ ଆଉ ଗୋଟାଏ ଦେଶରୁ ଆସି ପହଞ୍ଚିଯାଆନ୍ତି । ଯେଉଁମାନେ ଖେଳନ୍ତି, ସେମାନେ ମୋଟା ପଇସା ପାଆନ୍ତି, ଜିତିଲେ ପାଆନ୍ତି, ହାରିଲେ ବି ପାଆନ୍ତି । ଅସାଧାରଣ ଭାବରେ ଜିତିଲେ ଘର କରିବାପାଇଁ ଦିଲ୍ଲୀରେ ଜାଗା ପାଆନ୍ତି । ଏହି ଖେଳାଳିମାନଙ୍କ ମଧ୍ୟରୁ ଜଣଜଣକ ସହିତ ଗୋଟାଏ ଗୋଟାଏ ବାଉଁଶର ସମସ୍ତେ ପ୍ରେମରେ ପଡ଼ିଯାଆନ୍ତି ।

 

ଖାଲି ପାଠ ପଢ଼ୁଥିବା ପିଲାମାନେ ଯେ ପ୍ରେମରେ ପଡ଼ନ୍ତି ତା ନୁହେଁ, ଗଜା ଓ ବୁଢ଼ାମାନେ ମଧ୍ୟ ପ୍ରେମରେ ପଡ଼ନ୍ତି । ପୁରୁଷ ସ୍ତ୍ରୀ ଉଭୟେ ପ୍ରେମରେ ପଡ଼ନ୍ତି । ପିଲାମାନେ ଖେଳାଳିମାନଙ୍କର ଫଟୋକୁ ଘରେ କାନ୍ଥରେ ମାରି ରଖନ୍ତି । ପଢ଼ାବହି ପଢ଼ିବା ସମୟରେ ହୁଏତ ଅତି ପାଖରୁ ସେହିମାନଙ୍କୁ ଦେଖି ପ୍ରେରଣା ଲାଭ କରନ୍ତି । ବଡ଼ମାନେ ବି ସତେଅବା ଆପଣାକୁ ୱାକିବହଲା ବୋଲି ପ୍ରମାଣ କରିବା ଲାଗି କିଏ କେତେ ପଏଣ୍ଟ କଲାବୋଲି ଯାଉଣୁ ଆସୁଣୁ ପରସ୍ପରକୁ ପଚରାପଚରି ହୁଅନ୍ତି । ପତ୍ରିକାମାନଙ୍କରେ ଖେଳାଳିମାନଙ୍କର ଚରିତ ଉପାଖ୍ୟାନମାନ ପ୍ରକାଶିତ ହୁଏ । ସିନେମାର ତାରକାମାନଙ୍କର ଜୀବନ ଓ ଅଜୀବନଗୁଡ଼ାକୁ ସାଧାରଣତଃ ଯେତିକି ରହସ୍ୟୋଦ୍ଦୀପକ ପୁଲକ ସହିତ ପଢ଼ାଯାଏ, ଏହି ଖେଳାଳିମାନଙ୍କର ସୁଙ୍ଘିବା ବା ଗନ୍ଧାଇବା ପର୍ଯ୍ୟନ୍ତ ଯାବତୀୟ ଟିକିନିଖିକୁ ଅନେକ ପ୍ରାୟ ସେତିକି ଆଗ୍ରହ ଏବଂ ପୁଲକ ସହକାରେ ପାଠ କରିଥାନ୍ତି ।

 

ଏହିସବୁ ଖେଳର ଆଦୌ କୌଣସି ଋତୁ ନ ଥାଏ । ବ୍ୟବସାୟୀମାନେ ଯେତେବେଳେ ମନକରନ୍ତି, ଆମ୍ବଗଛମାନଙ୍କରେ ସେତେବେଳେ ବଉଳ ହୁଏ । ଖେଳର ମାଦକରେ ତୋଟା ମାତିଉଠେ । ଖେଳ ଦେଖିବାପାଇଁ ଟିକେଟ ହୁଏ । ଆପଣାର ଆଗ୍ରହ ଓ ସାମର୍ଥ୍ୟକୁ ପ୍ରମାଣ କରିବାଲାଗି ନଥିବାଯାଏ ବି ମୋଟା ପଇସାରେ ଟିକେଟ କିଣି ଥିଲାବାଲାଙ୍କ ସହିତ ନିଜକୁ ସମସରି ହୋଇଯିବା ପରି ଅନୁଭବ କରନ୍ତି । ସରକାର ଅଫିସଗୁଡ଼ାକୁ ଛୁଟିକରି ଦିଅନ୍ତି । ଅବଧାନମାନେ କେଡ଼େ ପ୍ରେମରେ ଚାଟଶାଳୀବନ୍ଦ କରନ୍ତି । ଆରାମକୁ ହାରାମ ବୋଲି ଘୋଷଣା କରାଯାଏ । କର୍ମଠମାନେ ଦିନମାନ ଖେଳ ଦେଖିବାକୁ ଆସନ୍ତି । ଦେଶର କେତେଲକ୍ଷ ବା କେତେ କୋଟି ଘଣ୍ଟା ଏହିପରି ଗୋଟାଏ ଗୋଟାଏ ସୁଆଙ୍ଗରେ ଖେଳ ପଡ଼ିଆରେ ଯେ କଟିଯାଉଥିବ, ସେକଥା ପଣ୍ଡିତମାନେ ହିସାବ କରି କହିପାରିବେ । ଏମିତି ମାସମାସ ଧରି ଖେଳ ଚାଲେ, ଖେଳ ବ୍ୟତୀତ ଆଉ ଜୀବନ ଅଛି ବୋଲି ସମଝଦାରମାନଙ୍କର ମୋଟେ ସୋର ରହେ ନାହିଁ ।

 

ଖେଳଦ୍ୱାରା ସ୍ୱାସ୍ଥ୍ୟ ବଢ଼େ, ଏଇଟା ପୁରୁଣା କଥା । ଖେଳରୁ ଚରିତ୍ରର ନିର୍ମାଣ ହୁଏ । ଆମ ଶାସନକର୍ତ୍ତାମାନେ, ଆମର ଚରିତ୍ର ଯେପରି ହେଲେ ଆସେସବୁ ମେଣ୍ଢା ହୋଇ ରହିପାରିବା, ଆମକୁ ସେହିପରି ଚରିତ୍ରର ଜାଲରେ ବାନ୍ଧିକରି ରଖିବାକୁ ବୃଦ୍ଧିକରି ଖେଳ ଗୁଡ଼ାକର ବରାଦ କରିଥାନ୍ତି । ରୋମର ଅଧିବାସୀମାନଙ୍କର ଚରିତ୍ର ଯେପରି ହେଲେ ରୋମର ସମ୍ରାଟମାନଙ୍କୁ ସୁହାଇବ, ରୋମରେ ଠିକ୍‍ ସେହିମନ୍ତେ ଖେଳଗୁଡ଼ାକର ବନ୍ଦ ହୋଇଥାଏ ।

 

୫ । ୨ । ୮୪

Image

 

ଦେଶବ୍ୟାପୀ ରଥଯାତ୍ରା

 

ଏବେ ଦେଶବ୍ୟାପି ରଥଯାତ୍ରା ଚାଲିଲା ଓ ତାହାକୁ ଏକାତ୍ମତାର ଯଜ୍ଞ ବୋଲି କୁହାଗଲା-। ଭାବପ୍ରବଣତାର ଘୋଡ଼ା ଉପରେ ବସି ଲୋକମାନେ ଏଠାକାର ପାଣିକୁ ନେଇ ସେଠାକାର ପାଣିରେ ମିଶେଇଲେ । ହିମାଳୟରେ ପାଣିକୁ ସେମାନେ ରାମେଶ୍ଵରଯାଏ ବୋହିକରି ଆଣିଲେ । ଏକାତ୍ମତା ଏକ ଗୁଣ, ତାହାକୁ ଅର୍ଜନ କରାଯାଏ; ତାହାର ଯୋଗ୍ୟ ହେବାକୁ ହୁଏ । ସମସ୍ତଙ୍କୁ ସ୍ୱୀକାର କରିନେଇ ପାରିଲେ ଯାଇ ଏକାତ୍ମତା ସମ୍ଭବ ହୁଏ । ଭାବଠାରୁ ଦୂରରେ ରହିବାକୁ ମନ କଲେ ସିଆଣିଆ ଅଥବା ସହଜରେ ସବୁଯାକ ସିଦ୍ଧି ହାସଲ କରିବାକୁ ବାହାରିଥିବା ମଣିଷମାନେ ଭାବପ୍ରବଣତାକୁ ମନ କରନ୍ତି । ଆତ୍ମୀୟତାକୁ ଡର ଲାଗିଲେ ହୁଏତ କେତେକ ମଣିଷ ଗୋଟାଏ ଯଜ୍ଞର ଅନୁଷ୍ଠାନ କରି କାହାଳୀ ବଜାନ୍ତି, ବାନା ଉଡ଼ାନ୍ତି—ଆପଣାର ଅସମର୍ଥତା ଅର୍ଥାତ ଅନିଚ୍ଛୁକତାକୁ ବାନାତଳେ ଭାରି ବାଗରେ ଘୋଡ଼ାଇକରି ରଖିଥାନ୍ତି ।

 

ଏକଦା ଏଇ ମଣିଷଦ୍ୱାରା ଲେଖାହୋଇଥିବା ଶାସ୍ତ୍ରଗୁଡ଼ାକରୁ କେତେଧାଡ଼ି ବୋଲିଦେଲେ ମଣିଷ କଦାପି ଅଧିକ ଯୋଗ୍ୟ ହୁଏନାହିଁ । ଯୋଗ୍ୟ ମଣିଷ ଯାହାକିଛି ବୋଲେ, ତାହା ଏକ ମନ୍ତ୍ରରେ ପରିଣତ ହୁଏ । ପାଣିକୁ ମନ୍ତୁରାଇ ଦେଲେ ତାହା ତଥାପି ପବିତ୍ର ହୋଇଯାଏ ନାହିଁ । ଏକାତ୍ମତା ନାଆଁରେ ଦାଣ୍ଡଯାକ ହୁରି କଲେ ମଣିଷ ଭିତରେ ଦୁର୍ଦ୍ଦାନ୍ତଗୁଡ଼ାକ ତଥାପି ବଶ ହୁଅନ୍ତି ନାହିଁ । ଭାରତବର୍ଷରେ ଯାବତୀୟ ସ୍ଵାର୍ଥପରତାକୁ ସମାଜରେ ସହନୀୟ କରି ରଖିବାଲାଗି ଯୁଗେଯୁଗେ ଏହିପରି ପାଣି ମନ୍ତୁରା ହୋଇଛି, ଯୁଗେଯୁଗେ ଏହିପରି ଅଧିକସଂଖ୍ୟକ ମଣିଷଙ୍କୁ ଅରକ୍ଷିତ କରି ରଖି ଅଧିକାରୀମାନେ ପୁଣ୍ୟକାମୀ ମ୍ଳେଚ୍ଛସାଜି ଶୋଭାଯାତ୍ରା କରି ବାହାରିଛନ୍ତି । ଭୂତମାନେ ଭଗବାନଙ୍କୁ ଖାଇ ଯାଇଛନ୍ତି । ମୁଖାଗୁଡ଼ାକୁ ହିଁ ପ୍ରତୀକ ବୋଲି କୁହାଯାଇଛି । କ୍ଷଣିକ ଅତ୍ୟୁତ୍ସାହର ବାଣରୋଷନି ମରାହୋଇ ଅସଲ ଭୋକଗୁଡ଼ାକୁ ମାରି ଦିଆହୋଇଛି । କ୍ରୂରମାନଙ୍କର କ୍ରୂରତା ରଥଦର୍ପରେ ଜୀଅନ୍ତା ମଣିଷମାନଙ୍କ ଉପରେ ମାଡ଼ି ଚାଲିଯାଇଛି ।

 

ତୀର୍ଥ-ଠାକୁରମାନଙ୍କର ପ୍ରତୀକପାଣିକୁ ବହୁବ୍ୟୟରେ ଏକାଠି କରି ଦେଶର ଉତ୍ତରରୁ ଦକ୍ଷିଣ ଯାଏ ଖେଦିଆସିଲେ ଏକାତ୍ମତା କଦାପି ଆସିବ ନାହିଁ । ତାହା ହୁଏତ ରାଜନୀତିର ମଉକା ଦାଣ୍ଡରେ ନିଜଲାଗି ଛତ୍ରିଟିଏ ପୋତିବାକୁ ମନ କରି ବସିଥିବା କେତେଟା ଚଲାଖ ମଣିଷଙ୍କୁ କିଞ୍ଚିତ ସାହାଯ୍ୟ କରିବ ।

 

ଭାରତବର୍ଷରେ ସବାଆଗ ମଣିଷମାନେ ଥିଲେ । ଦେବତାମାନେ ତା’ପରେ ଯାଇ ଆସିଲେ । ଏହି ମଣିଷମାନେ ହିଁ ଏଠି ଏବେସୁଦ୍ଧା ମଣିଷ ବୋଲି ଗଣ୍ୟ ହୋଇ ନାହାନ୍ତି । ଥୋକେ ମଣିଷ ସଂସ୍କୃତି ଧର୍ମ; ସଭ୍ୟତା ଓ ସମ୍ପତ୍ତିକୁ ଭୋଗ କରିବେ ବୋଲି କୋଟିକୋଟି ମଣିଷଙ୍କର ପେଟକୁ ଖାଲିକରି ରଖାଯାଇଛି ।

 

ସେମାନଙ୍କ ଭିତରେ ଯୋଗୋଟାଏ ଆତ୍ମା ରହିଛି, ଅର୍ଥାତ ଅସନ୍ତୋଷ ରହିଛି, କ୍ରୋଧ ରହିଛି ଓ ଏକ ଈଶ୍ୱରୀୟ ଅସହିଷ୍ଣୁତା ରହିଛି, ସେମାନଙ୍କୁ ଜାଣିଶୁଣି ସେକଥା କୁହାଯାଇ ନାହିଁ । ସାଧକମାନଙ୍କର ପ୍ରତିଷ୍ଠିତ ଦୋକାନ ଗୁଡ଼ାକ ତଦ୍ଦ୍ୱାରା ଭାଙ୍ଗିଯିବ ବୋଲି ସେମାନଙ୍କୁ ସେକଥା କୁହାଯାଇ ନାହିଁ । ଏହି ଭୀରୁ ଶଠତାର ମଧ୍ୟ ଦିନେ ଅନ୍ତ ହେବ । ଏଠି ପ୍ରତ୍ୟେକ ମଣିଷ ତା’ର ସମ୍ମାନବୋଧ ଫେରିପାଇବ । ସେଥିଲାଗି ଏକ ଅନୁରୂପ ସାମାଜିକ ଭୂମିର ପ୍ରତିଷ୍ଠା ଲାଗି ଯେଉଁ ବିପ୍ଳବ ଆବଶ୍ୟକ ହେବ, ଦେଶବ୍ୟାପୀ ରଥଯାତ୍ରାରେ ବାହାରିଥିବା ଏହି ଭୋଳମାନେ ଓ ଚାଉଳମାନେ କଦାପି ସେହି ବିପ୍ଳବରେ ନେତୃତ୍ୱ ଦେଇପାରିବେ ନାହିଁ । ସେହି ଅନ୍ୟ ନେତୃତ୍ୱ ଏ ଦେଶରେ ବର୍ତ୍ତମାନ ମଧ୍ୟ କ୍ରମଶଃ ଦାନାବାନ୍ଧି ଚାଲିଛି ।

 

୧୨ । ୨ । ୮୪

Image

 

ସଂଗ୍ରାମୀ ଦୁଇ ଦଳ

 

ସଂଗ୍ରାମ ବେଳେ ସଂଗ୍ରାମୀମାନେ ଏକାଠି ଥାଆନ୍ତି, ସଂଗ୍ରାମ ସରିଲେ ଦୁଇ ଦଳ ହୋଇଯାଆନ୍ତି । ସଂଗ୍ରାମକୁ ଯେଉଁମାନେ ଗୋଟିଏ ଦେଶ ଅଥବା ଗୋଟିଏ ବିଚାରର ଜୀବନରେ ଏକ ନିର୍ଦ୍ଧିଷ୍ଟ ସୋପାନ ପରି ଗ୍ରହଣ କରିଥାନ୍ତି, ସେମାନେ ଗୋଟିଏ ସଂଗ୍ରାମର ଅବସାନ ଘଟିଲେ ଆଉ ଗୋଟିଏ ସୋପାନକୁ ଅତିକ୍ରମ କରିଯାଆନ୍ତି । ତଥାପି ସଂଗ୍ରାମୀ ହୋଇ ରହନ୍ତି, ସେମାନଙ୍କର ସଂଗ୍ରାମ କେବେହେଲେ ଶେଷ ହୁଏନାହିଁ; ଉତ୍‍କ୍ରମଣ ସରେ ନାହିଁ; ତେଣୁ ସଂଗ୍ରାମ ବି ସରେ ନାହିଁ-

 

ସଂଗ୍ରାମୀମାନଙ୍କର ଅନ୍ୟ ପକ୍ଷଟି ସଂଗ୍ରାମ ସରିଲେ ଭୋଗ କରିବାକୁ ବସିଯାଏ । ଅଧିକରୁ ଅଧିକ ମାଡ଼ିବସିବାକୁ ଇଚ୍ଛା କରେ, ଅଧିକରୁ ଅଧିକ ଫୁଲେଇ ହୋଇ ଦାବି କରିବାରେ ଲାଗିଥାଏ । ଏମାନଙ୍କ ମଧ୍ୟରୁ ଥୋକେ କ୍ଷମତା ଭିତରକୁ ଝାସ ଦିଅନ୍ତି । କ୍ଷମତାକୁ ଭୋଗ କରିବା ଲାଗି ହଁ କ୍ଷମତା ଭିତରକୁ ଝାସ ଦିଅନ୍ତି । ଗୁଡ଼କୁ ପେଟପୂରା କରି ଭୋଗ କରିବା ଲାଗି ସଂଗ୍ରାମ କରି ଫଳ ଉପରକୁ ଉଠି ପାରିଥିବା ଜନ୍ଦା ଯେପରି ଗୁଡ଼ହାଣ୍ଡି ଭିତରକୁ ଝାସ ଦିଏ, ଏଠାରେ ପ୍ରାୟ ସେହିପରି ଏକ ଘଟଣା ଘଟେ । ଏମାନେ ଉନ୍ମତ୍ତ ହୁଅନ୍ତି, ଇନ୍ଦ୍ରର ମୁଖା ପରିଧାନ କରନ୍ତି; କାଳକୁ କାଖରେ ଯାକି ଏକାବେଳେକେ ଘରକୁ ପଳାଇବେ ବୋଲି ଭାବି ଥାଆନ୍ତି । ଆଉ ଥୋକେ କ୍ଷମତା ଚାହୁଁ ଥିଲେ ମଧ୍ୟ କ୍ଷମତାରେ ନଥାନ୍ତି । ସେମାନେ କ୍ଷମତାର ଦରବାରରୁ ମାଗିମାଗି ବଢ଼ା ହେବେବୋଲି ପଣ କରିଥାନ୍ତି । ଅଧିକ ବଡ଼ ପାଟିରେ ଓ ଅଧିକ ଲଜ୍ଜାଶୂନ୍ୟ ଭାବରେ ମାଗିପାରିବେ ବୋଲି ଏମାନେ ସଂଗ୍ରାମୀମାନଙ୍କର ସଙ୍ଘ ଗଢ଼ିଥାନ୍ତି, ଦେଶ ସ୍ତରରେ ଗଢ଼ିଥାନ୍ତି, ରାଜ୍ୟ ସ୍ତରରେ ବି ଗଢ଼ିଥାଆନ୍ତି । ଏମାନେ ଆନୁଷ୍ଠାନିକ ଭାବରେ ଭତ୍ତା ମାଗନ୍ତି, ଭାତିଆ ମାଗନ୍ତି; ତମ୍ବାର ଶିରିପା ମାଗନ୍ତି, ଏହି ତୁଚ୍ଛା ମାଗିବା ବ୍ୟତୀତ ଆଉ ଆଦୌ କୌଣସି କଥାରେ କଦାପି ମୁଁହ ଖୋଲିବେ ନାହିଁ ବୋଲି ଭତ୍ତାମାନଙ୍କ ପାଖରେ ହଲପ କରିଥାନ୍ତି । ଏମାନେ ସଂଗ୍ରାମୀମାନଙ୍କର ତାଲିକା ତିଆରି କରନ୍ତି, ଚିଠା କରନ୍ତି, ସଭାମଣ୍ଡାଇ ସେହି ମାଗିବାର ଓ ସେହି ଚିଠାର ଆଲୋଚନା କରନ୍ତି । ଆପଣା ଭିତରେ ବାଡ଼ିଆପିଟା ହୋଇ ସଭାପତି ଓ ସମ୍ପାଦକ ହୁଅନ୍ତି । ହେରେଷା ହୁଅନ୍ତି, ଲୋକହସା ହୁଅନ୍ତି ।

 

ଆମର ଏହି ଗୋଟାଏ ସାହି ଭିତରେ ସଂଗ୍ରାମୀମାନେ ଦୁଇଦଳ ହୋଇ ଏବେ ସଭା କଲେଣି, ଇଏ ତାକୁ ଓ ସିଏ ୟାକୁ ଶିଶୁପାଳ ବୋଲି ପ୍ରମାଣ କରିବାକୁ ଲାଗିଲେଣି, ଆପଣାକୁ ଅପର ଅପେକ୍ଷା ଅଧିକ ସରସ ବୋଲି କହି ନିଜ ଖବରକାଗଜମାନଙ୍କରେ ଲଉଡ଼ି ଖେଲିଲେଣି । ଏମାନେ ଆପଣାକୁ ଯେଡ଼େ ଜାକଜମକରେ ଦୁଇଦଳ ବୋଲି ଦେଖାଇବାକୁ ଲାଗିପଡ଼ିଥିଲେ ମଧ୍ୟ ଏମାନେ ପ୍ରକୃତରେ ଗୋଟିଏ ଭାଡ଼ିର କାକୁଡ଼ି । ଏମାନଙ୍କର ଧାତୁ ଗୋଟିଏ, ଫନ୍ଦି ଗୋଟିଏ, ଏମାନଙ୍କର ନିର୍ଲଜ୍ଜତା ମଧ୍ୟ ଗୋଟିଏ ଜାତିର । ଏମାନେ କେହି ସଂଗ୍ରାମର ନୁହନ୍ତି । ସଂଗ୍ରାମ ପକ୍ଷର ନୁହଁନ୍ତି । ଆମେ ଏମାନଙ୍କୁ ସ୍ୱାଧୀନତା ପରେ ଆମ ଦେଶରେ ଲାଗିଥିବା ଅସମର୍ଥମାନଙ୍କର ତାଆସ ଖେଳରେ ଇସିକା ଆଉ ଚିଡ଼ିଆ ବୋଲି ଚିହ୍ନଟକରି ରଖିବା ।

 

ଏମାନେ ଯେଡ଼େ ବର୍ବର ଔଜ୍ଜଲ୍ୟସହିତ ସଂଗ୍ରାମୀ-ସଙ୍ଗଠନର ଛାଉଣି ପକାଇ ଆନରମଣରେ ମାତିଥିଲେ ମଧ୍ୟ ତଥାପି କାଳ କହୁଛି ଯେ ଆମ ସଂଗ୍ରାମ ତଥାପି ସରିନାହିଁ । ଏମାନେ ଯେଉଁ ସୋପାନଯାଏ ଆସିଥିଲେ, ସେହି ସେପାନରେ ଅଟକି ଯାଇଛନ୍ତି ବୋଲି ପରବର୍ତ୍ତୀ ସୋପାନଗୁଡ଼ିକ ଏମାନଙ୍କୁ ଆଉ ମୋଟେ ଦେଖାଯାଉନାହିଁ । ତଥାପି ସୋପାନମାନେ ରହିଛନ୍ତି । ସେମାନେ ଯଥାର୍ଥ ସଂଗ୍ରାମୀମାନଙ୍କ ଲାଗି ଅପେକ୍ଷା କରିଛନ୍ତି । ଅର୍ଥାତ ଏକ ସମର୍ଥ ନେତୃତ୍ୱ ଲାଗି ଅପେକ୍ଷା କରି ରହିଛନ୍ତି ।

 

୧୯-୨-୮୪

Image

 

ଭାଗ୍ୟହିଁ ଯାହା କରିବ

 

ଏ ଦେଶରେ ଆମେ ଯିଏ ଯାହା କରୁଥିବା, ତାହାକୁ ଅତ୍ୟନ୍ତ ଯତ୍ନ ସହକାରେ ଲୁଚାଇ ରଖୁଥିବା । ଅନ୍ୟ ପକ୍ଷରେ ମୁଣ୍ଡରେ ସବୁଯାକ ଅଠାକୁ ବୋଳି ଦେବାପାଇଁ ତିଆରି ହୋଇ ରହିଥିବା-। ଅନ୍ୟ ପକ୍ଷଟି ମଧ୍ୟ ଅବିକଳ ସେହିକଥା କରୁଥିବ । ସିଏ ମୋତେ ଧରାପକାଇ ଦେବାକୁ ଚେଷ୍ଟା କରୁଥିବ ଓ ମୁଁ ମଧ୍ୟ ତାକୁ ଧରାପକାଇ ଦେବାକୁ ଚେଷ୍ଟା କରୁଥିବି । ତାହାରି ସକାଶେ ଯାବତୀୟ ବିଭ୍ରାଟର ସୃଷ୍ଟି ହେଲାବୋଲି କହୁଥିବି । ଏହିପରି ଭାବରେ ଆମେ କେହି ଆଦୌ ଧରାପଡ଼ୁ ନଥିବୁ-। ଏହିପରି ବଳ କଷାକଷି ହୋଇ ଆମେ ଶେଷ ପର୍ଯ୍ୟନ୍ତ ଯିବାଲାଗି ମନ କରିଥିବୁ । ତା’ପରେ ଯିଏ ଜିତିବ ଓ ଯିଏ ହାରିବ ସେକଥା ସେଇ ଶେଷରେ ଯାଇ ଦେଖାଯିବ । ଯିଏ ଜିତିବ, ସିଏ ଭାଗ୍ୟବାନ ବୋଲି ପ୍ରମାଣିତ ହେବ । ଯିଏ ହାରିଯିବ, ତା’ର ଦୁର୍ଭାଗ୍ୟ ହେତୁ ସିଏ ହାରିଗଲା ବୋଲି କୁହାଯିବ ।

 

ଆମେ ରାମାୟଣ ଓ ମହାଭାରତଠାରୁ ଆରମ୍ଭକରି ଆମର ସିନେମାଗୁଡ଼ାକଯାଏ ଏହିପରି ଏକ ପୌରୁଷହୀନତାର ରାସ୍ତା ପଡ଼ିଛି । ଆମ ରାଜନୀତି ଭିତରେ ସେଥିଲାଗି ପୌରୁଷ ବୋଲିପ୍ରାୟ କିଛି ନାହିଁ । ସଫଳତା ପୌରୁଷକୁ ବୁଝାଉ ନାହିଁ, ଭାଗ୍ୟକୁ ବୁଝାଉଛି । ଭାଗ୍ୟର ତଣ୍ଡରେ ପଡ଼ି ଶ୍ରୀବତ୍ସରାଜା ଯେ କିପରି ଅବସ୍ଥା ହେଲେ, ପ୍ରାୟ ଏକ ଧର୍ମକଥା ପରି ଏହି ଦନ୍ତକଥାଟି ଆମଲାଗି ତାହାର ଅମୋଘ ଦୃଷ୍ଟାନ୍ତଟିଏ ହୋଇ ରହିଛି । ଜ୍ଞାନ ଆଉ ବିଜ୍ଞାନ ପ୍ରତ୍ୟେକ ମଣିଷ ଭିତରେ ଯେଉଁ ପୌରୁଷବୋଧ ଏବଂ ଆତ୍ମବିଶ୍ଵାସ ଆଣିଦିଏ, ଆମଦେଶରେ ଏବେ ଜ୍ଞାନ ଓ ବିଜ୍ଞାନରେ ଏତେ ପ୍ରସାର ହେବା ସତ୍ତ୍ୱେ ଆମେ ତଥାପି ସତେଅବା ଭାଗ୍ୟସକାଶେ ବଞ୍ଚିଛୁ, ଭାଗ୍ୟ ସକାଶେ ହାରୁଛୁ ଏବଂ ଭାଗ୍ୟ ସକାଶେ ଜିତୁଛୁ । ଆମର ପାଠଗୁଡ଼ାକ ମଧ୍ୟ ଭାଗ୍ୟକୁ ଆସି କେଡ଼େ ଚମତ୍କାର ଭାବରେ ଆମର ଆବଶ୍ୟକତା ସ୍ୱୀକାର କରିଯାଉଛନ୍ତି ।

 

ଯେଉଁଠି ମଣିଷ ଉପରେ ଏବଂ ସମାଜର ଯାବତୀୟ ଦୃଷ୍ଟି ଉପରେ ଭାଗ୍ୟ ଏଡ଼େ ଜବର ହୋଇ ବସିଥାଏ, ସେଠି ମଣିଷ ଦାୟିତ୍ୱହୀନ ହୁଏ । ଦାୟିତ୍ୱ ହୀନତାରୁ ଭୀରୁତା ଆସେ ଏବଂ ଶେଷକୁ ଏକ ଅଦ୍ଭୁତ ନ୍ୟାୟଯୁକ୍ତି ଅନୁସାରେ ଭୀରୁତାକୁ ହିଁ ଚାଲାଖି ବୋଲି କୁହାଯାଏ । ଯେଡ଼େ ସଫଳ ହେଲେ ମଧ୍ୟ ଆମ ଦେଶରେ କେଡ଼େ ବଡ଼ବଡ଼ ଲୋକମାନେ ତଥାପି ଭାରି ଭୀରୁ ହୋଇ ରହିଯାଆନ୍ତି । ଭୀରୁତାକୁ ଘୋଡ଼ାଇ ରଖିବାକୁ ଦୃଶ୍ୟ ଓ ଅଦୃଶ୍ୟ ନାନାବିଧ ଡେଉଁରିଆ ପିନ୍ଧି ବସିଥାନ୍ତି । କାରଣ ସେମାନେ ପୌରୁଷର ବାଟରେ ସଫଳତାକୁ ଆସନ୍ତି ନାହିଁ । ସାଧନାବାଟେ ସିଦ୍ଧିକୁ ଆସନ୍ତିନାହିଁ । ସେମାନଙ୍କର କେନ୍ଦ୍ରଟି ସର୍ବଦା ହାତଛଡ଼ା ହୋଇ ରହିଥାଏ, ଅର୍ଥାତ ସେମାନଙ୍କର ଗୋଡ଼ତଳର ମାଟି ସର୍ବଦା ଟଳଟଳ ହେଉଥାଏ ।

 

ଆମ ପିଲାଏ ପରୀକ୍ଷାରେ ପାସ୍‍ କରିବାଲାଗି କେତେ ପ୍ରକାରର ସାହସୀ ପାଠ ପଢ଼ନ୍ତି, ମାତ୍ର ସଂସାର ଭିତରେ ପଶିବାମାତ୍ରକେ ଭାଗ୍ୟବାଦୀ ହୁଅନ୍ତି । ଆଦର୍ଶବାଦୀମାନେ ଆଦର୍ଶକୁ ଅଟ୍ଟାଳିକା ପରି ଦେଖାଇ ତାହାରି ଆଗରେ ଧେଇଧେଇ ହୋଇ ନାଚୁଥାଆନ୍ତି ସତ, ମାତ୍ର ଅନ୍ତଭିତରେ ଭାଗ୍ୟବାଦୀ ହୋଇ ବସିଥାଆନ୍ତି । ଏକ ଭାଗ୍ୟବାଦୀ ବାସ୍ତବ ସଂସ୍କୃତି ଯେ ତଥାପି ଭାବପ୍ରବଣ ହୋଇ କେଡ଼େ ବଡ଼ ଯୋଦ୍ଧାପରି କେତେ କଣ ପୌରୁଷର କଥା କହିପାରେ, ସେକଥା ଆମେ ଚନ୍ଦନ ମାରି ପୂଜା କରୁଥିବା ଅଥବା ନିତିପାରାୟଣ କରୁଥିବା ଆମ ବହିଗୁଡ଼ାରୁ ପ୍ରମାଣିତ ହୋଇପାରିବ । ଏହି ଯାବତୀୟ ଭିତରୁ ବାହାରି ପାରିଲେ ଯାଇ ଆମେ ଯଥାର୍ଥରେ ପୌରୁଷ ପାଖକୁ ଫେରି ଆସିପାରିବା ଏବଂ ପୌରୁଷ ପାଖକୁ ଫେରି ଆସିପାରିଲେ ଆମର ଶାସ୍ତ୍ରଗୁଡ଼ାକ ମଧ୍ୟ ଆମକୁ ପୌରୁଷର ପ୍ରେରଣା ଓ ପୌରୁଷର ଜ୍ୟୋତନା ଦେଇପାରିବ ।

 

୨୪ । ୨ । ୮୪

Image

 

Unknown

ବିକାଶଶୀଳ ରାଷ୍ଟ୍ରର ଉନ୍ନତି

 

ବିକାଶଶୀଳ ରାଷ୍ଟ୍ରମାନେ ବିକଶିତ ରାଷ୍ଟ୍ରମାନଙ୍କଠାରୁ ସାହାଯ୍ୟ ପାଆନ୍ତି । ଏହି ସାହାଯ୍ୟ ଋଣ ଆକାରରେ ଦିଆଯାଏ, ଦାନ ଆକାରରେ ବି ଦିଆଯାଏ । ନଗଦ ଟଙ୍କା ଆକାରରେ ଦିଆଯାଏ, ଜିନିଷପାତି ଆକାରରେ ବି ଦିଆଯାଏ । ପୃଥିବୀରେ ଏପରି କୌଣସି ବିକାଶଶୀଳ ରାଷ୍ଟ୍ର ନାହିଁ, ଯିଏକି ଏହି ସାହାଯ୍ୟ ନ ନିଏ । ଏହି ସାହାଯ୍ୟର ପରିମାଣ ଏବଂ ସର୍ତ୍ତଗୁଡ଼ାକ ପ୍ରତ୍ୟେକ ବିକାଶଶୀଳ ରାଷ୍ଟ୍ରର ଅର୍ଥନୀତି, ରାଜନୀତି, ଭବିଷ୍ୟଦୃଷ୍ଟି ଏବଂ ଜୀବନ-ସଂସ୍କୃତିକୁ ନିୟନ୍ତ୍ରିତ କରିଥାଏ । ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସରକାରମାନେ ହିଁ ଏହି ସବୁ ଋଣ ଓ ଦାନକୁ ଆଣନ୍ତି । ସରକାର ଅର୍ଥାତ କ୍ଷମତାସୀନ ସ୍ୱାର୍ଥ ଓ କ୍ଷମତାସୀନ ଗୋଷ୍ଠୀ ବା ସ୍ୱାର୍ଥ ରାଷ୍ଟ୍ରନାମରେ ପ୍ରାପ୍ତ ସାହାଯ୍ୟକୁ ପ୍ରକୃତରେ ରାଷ୍ଟ୍ରରେ ବାସ କରୁଥିବା ମଣିଷମାନଙ୍କର କଲ୍ୟାଣ ଓ ଉନ୍ନୟନରେ ଯେ ଲଗାଏ, ସେକଥା କେହି ନିର୍ଭର ଭାବରେ ଦାବି କରିପାରିବ ନାହିଁ । ଦାନ ଓ ଋଣଗୁଡ଼ାକ ରାଷ୍ଟ୍ରସ୍ଥ ସରକାର ଜରିଆରେ ନ ଆସି ସିଧା ଅର୍ଥାତ ଆବଶ୍ୟକକାରୀ ମଣିଷମାନଙ୍କ ପାଖକୁ ଯେପରି ନିର୍ଭରଯୋଗ୍ୟ ଭାବରେ ଆସିପାରିବ, ଆଧୁନିକ ଅର୍ଥନୀତି କିମ୍ବା ଆଧୁନିକ ବିଶ୍ୱ-ରାଜନୀତିରେ ଏବେ ମଧ୍ୟ ସେପରି କୌଣସି ପ୍ରତ୍ୟୟଯୁକ୍ତ ଫର୍ମୁଲା ବାହାର କରାଯାଇନାହିଁ । ବିକାଶଶୀଳ ରାଷ୍ଟ୍ରମାନଙ୍କରେ କ୍ଷମତାସୀନ ଗୋଷ୍ଠୀ ହେଉଛନ୍ତି ସେହି ସବୁ ଦେଶର ସାଆନ୍ତଗୋଷ୍ଠୀ-। ଏମାନେ ଯେମିତି ରହିଛନ୍ତି ଠିକ୍‍ ସେହିପରି ରହିବାକୁ ଆପଣାର କଳ ଓ ବଳ ସବୁକିଛି ଖର୍ଚ୍ଚ କରନ୍ତି, ଅଥଚ ଅପରପକ୍ଷରେ ଆଧୁନିକ ଭୋଗଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ଅଧିକାର କରି ରହିବାକୁ ମନ କରୁଥାନ୍ତି । ବିକଶିତ ଦେଶମାନଙ୍କର ଦାନ ଓ ଋଣ ଆଣି ସେମାନେ ସେହି ବିକଶିତ ଦେଶଗୁଡ଼ାକର ଅନୁକରଣ କରୁଥାନ୍ତି । ଅର୍ଥନୀତି, ରାଜନୀତି, ଶିକ୍ଷା ଓ ଅଶିକ୍ଷାର ନୀତି, ଯୁଦ୍ଧନୀତି, କୂଟନୀତି ଯାବତୀୟ କ୍ଷେତ୍ରରେ ପ୍ରଧାନତଃ ସେହି ଅନୁକରଣ ହିଁ ସର୍ବମୀମାଂସକ ହୋଇ ରହିଥାଏ-। ଫଳରେ ଉପରକୁ ସବୁକିଛି ଢ଼ିଲା ଓ ଫୁଲିଲା ପରି ଦେଖାଯାଉଥାଏ, ଭିତରେ ମଞ୍ଜଗୁଡ଼ାକ ଖାଇ ଖାଇ ଯାଉଥାଏ । ଏକ ନବ୍ୟ ସାମନ୍ତବାଦର ଭିଆଣ ହୁଏ । ଖୁଣ୍ଟଗୁଡ଼ାକ ସେତେଅବା ବଇଡ଼ୁର୍ଯ୍ୟ କିମ୍ବା ମରକତରୁ ତିଆରି ହୋଇଥିବା ପରି ଦିଶୁଥିଲେ ମଧ୍ୟ ଡିହଗୁଡ଼ାକୁ ପୋକ ଖାଇଖାଇ ଯାଉଥାଏ ।

 

ଏବେ ସେହି ସଂଶୟଟି ବିଷୟରେ ପୃଥିବୀଯାକ ଚର୍ଚ୍ଚା ଆରମ୍ଭ ହେଲାଣି । ଗୋଟିଏ ବିକାଶଶୀଳ ରାଷ୍ଟ୍ରର ମୂଳଦୁଆଗୁଡ଼ିକୁ ମଜବୁତ କରିବାଲାଗି ବାହାରୁ ଯେଉଁ ସବୁ ସାହାଯ୍ୟ ଆସୁଛି; ସେଗୁଡ଼ାକୁ କ’ଣ ଏହିପରି ଭାବରେ ସବୁଦିନେ ମଝିରେ ଥିବା ଭୂତ ମାନେ ଖାଇ ଯାଉଥିଲେ ? ସାଆନ୍ତମାନଙ୍କ ହାତରୁ ଅଢ଼ାଗୁଡ଼ାକୁ କାଢ଼ିନେବାପାଇଁ କ’ଣ ପ୍ରକୃତରେ କୌଣସି ଉପାୟନାହିଁ ? ତୁଚ୍ଛା ବିଶେଷଜ୍ଞମାନେ ଏହାର ଆଦୌ କୌଣସି ଉତ୍ତର ଦେଇପାରିବେ ନାହିଁ । ବିଶେଷଜ୍ଞମାନେ ସଚରାଚର ସାଆନ୍ତମାନଙ୍କର ହିଁ ଭଣ୍ଡାର ଘରଣୀ ହୋଇ ରହିଥାନ୍ତି । ସାଆନ୍ତମାନଙ୍କର ଖାଆନ୍ତି, ତେଣୁ ସେହିମାନଙ୍କର ବେହେରାଣୀ ହୋଇ ରହିଥାନ୍ତି । ଯାବତୀୟ ବିଦ୍ୟା ଓ ଯାବତୀୟ ବୋଧକୁ ମିଶାଇ ଯେଉଁ ସମଗ୍ର ମୂଲ୍ୟଦୃଷ୍ଟ ମଣିଷକୁ ହିଁ ସବାମଝିରେ ବସାଇ ପାରୁଥିବ, ଆମ ଭିତରେ ସେହି ଦୃଷ୍ଟି ଯଥାର୍ଥ ଉପାୟଟିକୁ ବାହାର କରିପାରିବ ।

 

୪ । ୩ । ୮୪

Image

 

ମନ୍ତ୍ରୀ ଆସିଲେ

 

ମନ୍ତ୍ରୀ ଆସିଲେ ଚିତ୍ତ ମୋଟେ ଥୟ ହୋଇ ରହି ପାରେନାହିଁ । ଆମେ ସାହିତ୍ୟ ସଭାଟିଏ କରି କେଡ଼େ ଉତ୍ସାହରେ ସେଠାକୁ ମନ୍ତ୍ରୀଙ୍କୁ ଡାକିଥାଉ, ଧର୍ମ-ସଭାଟିଏ କରି ସେଠାରେ ସିଏ ଦଣ୍ଡେ ନଡ଼ବଡ଼ ହୋଇଯିବେ ବୋଲି ଆମେ ମନ୍ତ୍ରୀଙ୍କୁ ଯାଇ କେତେକେତେ ପ୍ରୀତି ସହକାରେ ସଂଖୋଳି ଆସିଥାଉ । ବେଳେବେଳେ ପ୍ରୀତି ଏପରି ପ୍ରବଳ ହୁଏ ଯେ, ମନ୍ତ୍ରୀ ଆସିବେ ବୋଲି ଜୟନ୍ତୀଟିଏ ଭିଆଉ ଅଥବା ପାଲାଟିଏ ଉଦଭାବନ କରିଥାଉ । ମନ୍ତ୍ରୀ ଆସନ୍ତି ଦଶ ଦିଗ ଉଜ୍ଜ୍ୱଳ କରି ଆସନ୍ତି, ଆମର ଚିତ୍ତବୃତ୍ତିଗୁଡ଼ାକୁ ଏକାବେଳକେ ଅଥୟ କରିଦେଇ ଆସନ୍ତି ।

 

ମନ୍ତ୍ରୀ ସାହିତ୍ୟ ସଭାକୁ ଆସିଲେ ଦିଗଗୁଡ଼ିକ ଏପରି ପ୍ରଚଣ୍ଡ ଭାବରେ ଗ୍ରାସ କରି ଆସନ୍ତି ଯେ, ସେତେବେଳେ କେବଳ ସେହି ମନ୍ତ୍ରୀ ହିଁ ଦେଖାଯାଉଥାନ୍ତି, ସାହିତ୍ୟ ଆଦୌ ଦୃଷ୍ଟିଗୋଚର ହେଉ ନଥାଏ । ମନ୍ତ୍ରୀ ଧର୍ମସଭାକୁ ଆସିଲେ ଧର୍ମ ଗାଧୋଇ ଚାଲିଯାଏ, ମନ୍ତ୍ରୀ ହିଁ ପୀଢ଼ା ଉପରେ ପୀଢ଼ାମାନ ଥୋଇ ମଞ୍ଜୁଳ ବେଶମଣ୍ଡନରେ ମାଧୋଇ ହୋଇ ବସିଥିବାପରି ଦେଖାଯାଉଥାନ୍ତି । ମନ୍ତ୍ରୀଙ୍କୁ ସଙ୍ଗୀତର କୌଣସି ଅନୁଷ୍ଠାନକୁ ଅଥବା ଖେଳ ପଡ଼ିଆରେ କୌଣସି ଖେଳର ଉଦଘାଟନ କରିବାକୁ ଡାକିଥିବା ସମୟରେ ମଧ୍ୟ ତାହାହିଁ ଅବସ୍ଥା ହୁଏ । ସେତେବେଳେ ସଙ୍ଗୀତ ମୋଟେ ଦୁଶେ ନାହିଁ, ଖେଳ ଗାଧୋଇଯାଏ, କେବଳ ମନ୍ତ୍ରୀହିଁ ସବୁଯାକ ଥାନକୁ ମାଡ଼ିବସିଥାନ୍ତି ଏବଂ ଚିତ୍ତକୁ ଅସ୍ଥିର କରିବାରେ ଲାଗିଥାନ୍ତି । ଏହା ଫଳରେ ସ୍ଵୟଂ ମନ୍ତ୍ରୀଙ୍କର କ’ଣ କେଉଁଠି ବଢ଼ି ଯାଉଥିବ କି ଛିଡ଼ି ଯାଉଥିବ କେଜାଣି ଆମର ଅସଲ ଦେବତାମାନେ ଲାଜରା ହୋଇ ରହନ୍ତି । ନୈବେଦ୍ୟର ଜଳ ଢାଳୁଥିବା ସମୟରେ ଚିତ୍ରସେନ ଗନ୍ଧର୍ବର ଶୋଭାବନ କରାମତି ଗୁଡ଼ାକ ଆଡ଼କୁ ଅନାଇ ଆମେ ମଧ୍ୟ ନିଜକୁ ଅତ୍ୟନ୍ତ ଲଜ୍ଜାକର ଭାବରେ ଗୋଟାସୁଦ୍ଧା ମାରା କରି ପକାଉ, କୁଳଟା ବୋଲି ପ୍ରମାଣିତ ହେଉ ।

 

ଅନେକ ସମୟରେ ସେଥିରୁ ଏକଥା ମଧ୍ୟ ଭାରି ପ୍ରମାଣିତ ହୋଇଯାଏ ଯେ, ଆମର ଯାବତୀୟ ଆୟୋଜନ ଭିତରେ ଆମେ ପ୍ରକୃତରେ ସାହିତ୍ୟ, ସଙ୍ଗୀତ, ଧର୍ମ ଅଥବା ଖେଳ ଆଦୌ କୌଣସିଟିକୁ ଲୋଡ଼ୁ ନଥାଉ । ଆମ ଭିତରେ ଯେଉଁ କ’ଣ ଗୋଟିଏ କେଉଁଠି ଲୁକ୍‍କାୟିତ ହୋଇ ରହି ଅତି ଲାଳସାରେ ସତେଅବା ଗୋଟାଏ ମନ୍ତ୍ରୀ ହେବ ବୋଲି ଚାହୁଁଥାଏ ଅଥଚ ମନ୍ତ୍ରୀ ମନ୍ତ୍ରୀ ହୋଇପାରୁ ନଥାଏ, ଆମେ ସତକୁ ସତ କାହାକୁ ହିଁ ଲୋଡ଼ୁଥାଉ । ଅନ୍ତର୍ଗତ ସହି ନପାରିବାଟାର ଏକ କ୍ଷତିପୂରଣ ରୂପେ ଆମେ ମନ୍ତ୍ରୀଙ୍କୁ ଡାକି ସଭାରେ ଆଣି ବସାଇବାରେ ସେଥିଲାଗି ଏତେ ଆନନ୍ଦ ଲାଭକରୁ—ସେହି ଧନ୍ଦା ଭିତରେ ଆପଣାର ଚିତ୍ତକୁ ଏତେବେଶି ଚହଲାଇ ଦେବାରେ ଭାରି ପରିତୃପ୍ତି ଲାଭକରୁ ।

 

ମନ୍ତ୍ରୀ ଆମ ସାହିତ୍ୟ, ସଙ୍ଗୀତ, ଧର୍ମ ଓ ଖେଳର ଯାବତୀୟ ଅନୁଷ୍ଠାନ ଏବଂ ଆୟୋଜନକୁ ମନ୍ତ୍ରୀ ହୋଇ ନ ଆସି ଦର୍ଶକ ହୋଇ ଆସନ୍ତେ—ଅନେକଙ୍କ ଭିତରେ ଜଣେ ରସଗ୍ରାହୀ ରୂପେ ହିଁ ଆସନ୍ତେ, ରସ ଗୁଡ଼ାକର ଗ୍ରାସକାରୀ ଭାବରେ ଆଦୌ ଆସନ୍ତେ ନାହିଁ । ତେବେ ସେ ଆମ ଅନୁଷ୍ଠାନଗୁଡ଼ାକର ମହତ ରଖି ପାରନ୍ତେ ଆପଣାର ମନ୍ତ୍ରୀତ୍ୱର ବି ମହତ ରଖନ୍ତେ । ଆମ ଭିତରକୁ କେତେଜଣଙ୍କୁ ବିଚଳିତ ଅର୍ଥୀତ ଆମର ଅସଲ ଗୌରବର ଓ ଅସଲ ମହତଗୁଡ଼ାକରୁ ସ୍ଖଳିତ ହୋଇ ନ ଯିବାରେ ସେ ସେତେବେଳେ ପ୍ରକୃତରେ ଭାରି ସାହାଯ୍ୟ କରିପାରନ୍ତେ । ଏହି ଯୁଗଟାକୁ ବର୍ବର ହେବାରୁ ବଞ୍ଚାନ୍ତେ । କିନ୍ତୁ ମନ୍ତ୍ରୀ ତଥା ଆମ ଭିତିରେ ଅସଲ ମଣିଷଟିକୁ ଅନ୍ୟପ୍ରକାରର ଅନେକ ବିଟ ମାଡ଼ିବସି ରହିଥିବା ପର୍ଯ୍ୟନ୍ତ ଏହା କଦାପି ସମ୍ଭବ ହୋଇପାରିବ ନାହି ।

 

୧୧ । ୩ । ୮୪

Image

 

ଜଞ୍ଜାଳିଆମାନଙ୍କର ଜଞ୍ଜାଳ

 

ସଂସାରରେ ଅନେକ ମଣିଷ ଏମିତି ରହିଥାନ୍ତି, ଯେଉଁମାନେ କି ସ୍ୱଭାବତଃ ଜଞ୍ଜାଳିଆ ହୋଇ ରହିଥାଆନ୍ତି, ହୁଏତ ସେପରି କୌଣସି ଜଞ୍ଜାଳ ନଥିଲେ ମଧ୍ୟ ସେମାନେ ଜଞ୍ଜାଳିଆ ହୋଇ ରହିଥାଆନ୍ତି । ସମ୍ଭବତଃ ଏମାନଙ୍କୁ ଜଞ୍ଜାଳ ଭଲଲାଗେ ବୋଲି ଏମାନେ ଜଞ୍ଜାଳିଆ ହୋଇ ରହିଥାନ୍ତି । ଏମାନେ ନିଜ ପେଟରୁ ଜଞ୍ଜାଳର ସୂତାମାନ କାଢ଼ି ଜଞ୍ଜାଳଗୁଡ଼ାକୁ ବୁଣନ୍ତି...ସେହି ଜାଲଟି ଭିତରେ ବୁଢ଼ିଆଣୀଟି ପରି ବସିରହିଥାନ୍ତି । କାହାକୁ ଯେ ଛକି ବସିଥାଆନ୍ତି, ସେକଥା ହୁଏତ ନିଜେ ମଧ୍ୟ ଜାଣିନଥାନ୍ତି । ତଥାପି ଛକି ବସିଥାନ୍ତି । ଛକି ବସିବାକୁ ହିଁ ଜୀବନର ଧର୍ମ ବୋଲି କହନ୍ତି-। ଛକି ବସିଲେ ଯାଇ ଅଗ୍ରଗତି ସମ୍ଭବ ହୁଏ ବୋଲି କହନ୍ତି ।

 

ଜଞ୍ଜାଳିଆମାନେ ରାଜନୀତି ଭିତରକୁ ଆସିଲେ ରାଜନୀତିର ଜଞ୍ଜାଳ ବଢ଼ାନ୍ତି ସାହିତ୍ୟ ଭିତରକୁ ଆସି ସାହିତ୍ୟର ଜଞ୍ଜାଳ ବଢ଼ାନ୍ତି ଏବଂ ଅଧ୍ୟାପନା ଭିତରକୁ ଆସିଲେ ଅଧ୍ୟାପନାକୁ ସମ୍ପୂର୍ଣ୍ଣଭାବରେ ଏକ ଜଞ୍ଜାଳିଆ ଧନ୍ଦାରେ ପରିଣତ କରିଦିଅନ୍ତି । ଜଞ୍ଜାଳିଆମାନେ ସାହିତ୍ୟ ଭିତରକୁ ଆସି ସାହିତ୍ୟକୁ ହିଁ ଏକ ଜଞ୍ଜାଳରେ ପରିଣତ କରିଦିଅନ୍ତି । ସେମାନେ ସାଙ୍ଗରେ ଆଣିଥିବା ମଦକୁ ସାହିତ୍ୟ ନାମକ ବୋତଲଟି ଭିତରେ ନେଇ ପୂରାଇ ଦିଅନ୍ତି । ତା’ପରେ ସତେଅବା କେଉଁ ଅନ୍ୟ ଦେଶରୁ ଆସି ଆମର ଏଠି ପହଞ୍ଚିଥିବା ଗୋଟିଏ ଜିରାଫ ପରି ସେମାନେ ବେକ ଉଞ୍ଚା କରି ସାହିତ୍ୟ ଭିତରେ ବୁଲିବାରେ ଲାଗି ଥାଆନ୍ତି । ସାହିତ୍ୟର ମହତକୁ କେଡ଼େବାଗରେ ନିଜର ସମସ୍ତର କରି ଆସନ୍ତି ଓ ତାହାକୁ ହିଁ ଦୁର୍ଗଜୟ ବୋଲି ମଣନ୍ତି । ତା’ପରେ ସାହିତ୍ୟରେ ଏକ ଭାରି ଅସ୍ୱଭାବିକ ଦୌଡ଼ ଆରମ୍ଭ ହୋଇଯାଏ । ଅର୍ଥାତ ତେଣିକି ସାହିତ୍ୟ ଭିତରେ ଆଉ ସାହିତ୍ୟର କଥା ବେଶି ପଡ଼େ ନାହିଁ, ସାହିତ୍ୟରେ ପୁରସ୍କାରର କଥା ପଡ଼େ, ପ୍ରଖ୍ୟାତିର କଥା ପଡ଼େ, ଆନ୍ତର୍ଜାତିକ ବଜାରରେ ବିକାକିଣା ହେବାର କଥାପଡ଼େ । ଏହି ଗୁଡ଼ାକ କରି କରି ଜଞ୍ଜାଳିଆମାନେ ହୁଏତ ବେଳେବେଳେ ଭାରି ଛେଚେରା ହୋଇଯାଆନ୍ତି ଓ ଛେଚେରା ଦିଶନ୍ତି, ମାତ୍ର ତଥାପି କେବେହେଲେ ହାଲିଆ ହୋଇ ପଡ଼ନ୍ତି ନାହିଁ । ମଣିଷ ଭିତରେ କେଉଁଠି ଗୋଟିଏ ବର୍ବର ଅତ୍ୟନ୍ତ ଶ୍ରଦ୍ଧାର ସହିତ ଲାଳିତ ପାଳିତ ହୋଇ ରହିଥିଲେ ମଣିଷ ପ୍ରକୃତରେ କେବେହେଲେ ହାଲିଆ ହୁଏନାହିଁ । ଛେଚେରା ହୋଇଯାଏ ପଛକେ, ତଥାପି ହାଲିଆ ହୁଏନାହିଁ ।

 

ସାହିତ୍ୟକୁ ଭଲ ପାଉଥିଲେ ଯାଇ ସାହିତ୍ୟ ଭିତରେ ପଶିଥିବା ମଣିଷର ଜଞ୍ଜାଳ କମେ, ଅଧ୍ୟାପନାକୁ ଭଲପାଉଥିଲେ ଯାଇ ଅଧ୍ୟାପନା ଭିତରକୁ ପଶିଥିବା ମଣିଷର ଜଞ୍ଜାଳ କମେ-। ଏବଂ ଅନେକ ସମୟରେ ଭଲ ନପାଉଥିବା ମଣିଷଗୁଡ଼ାକ ହିଁ ସତେଅବା ତାଡ଼ିତ ହେଲାପରି ଯାଇ ଜଞ୍ଜାଳ ଭିତରେ ପଡ଼ନ୍ତି । ହୁଏତ ଭଲପାଇ ପାରନ୍ତି ନାହିଁ ବୋଲି ଜଞ୍ଜାଳ ଆଦରନ୍ତି ଏବଂ ଜଞ୍ଜାଳିଆ ହୁଅନ୍ତି । ସାହିତ୍ୟକୁ ଭଲ ନପାଇ ଜଞ୍ଜାଳିଆମାନେ ଆପଣାକୁ ହିଁ ଅଧିକ ଭଲ ପାଉଥାନ୍ତି-। ଅଧ୍ୟାପନାକୁ ଭଲ ନପାଇ ସେମାନେ ଆପଣାକୁ ହିଁ ଅଧିକ ପରିମାଣରେ ଭଲ ପାଉଥାନ୍ତି । ଆପଣାକୁ ଗୋଟାସୁଦ୍ଧା ଆପଣାର ଜାଲଟା ଭିତରେ ବାନ୍ଧି ରଖିଥାନ୍ତି । ଭିତରେ ବର୍ବରଟା ହିଁ ସର୍ବବଳୀୟାର ହୋଇ ରହିଥିଲେ ମଣିଷର ଜୀବନରେ ଏହିପରି ହୁଏ । ଜଞ୍ଜାଳିଆମାନେ ନିଜ ନିଜର ଧନ୍ଦାକୁ ନେଇ ପଛରେ ରହିଯାଆନ୍ତି । ସାହିତ୍ୟ ଆଗକୁ ଚାଲିଯାଏ, ଶ୍ରଦ୍ଧା ଆଗକୁ ଚାଲିଯାଏ ଓ ଜୀବନ ମଧ୍ୟ ଆଗକୁ ଚାଲି ଯାଉଥାଏ ।

୨୫ । ୩ । ୮୪

Image

 

କ୍ରିକେଟ୍‍ ଗୋଟିଏ ଖେଳ

 

କ୍ରିକେଟ୍‍, ଏକ ଧର୍ମ ନୁହେଁ, କ୍ରିକେଟ୍‍ ହେଉଛି ଏକ ଖେଳ । ଖେଳ ହେଉଛି ଜୀବନର ଏକ ଅଙ୍ଗ । ଯେତେବେଳେ ତାହା ଜୀବନରେ ହିଁ ପରିଣତ ହେଇଯାଏ, ସେତେବେଳେ ତାହା ଏକ ବିକୃତିରେ ପରିଣତ ହୁଏ । ଜୀବନକୁ ଗିଳି ପକାଏ, ତାହା ଆମ ଜୀବନର ଅଣ୍ଟାଗୁଡ଼ାକୁ ଏକା ବେଳକେ ଭାଙ୍ଗି ପକାଏ । ଆମେ ଖେଳ ଖେଳୁ ଖେଳ ଦେଖୁଁ, ମାତ୍ର ଆମକୁ ଯେ ଏକ ଜୀବନ ମଧ୍ୟ ବଞ୍ଚିବାକୁ ହେବ, ସେହି ଅସଲ କଥାଟିକୁ ଭୁଲିଯାଉ । ଖେଳହାତରେ ଗୋଟିଏ ଖେଳନା ହୋଇ ରହୁ । ଏପରି ଏକ ଖେଳ ରହିଥିବା ଉଚିତ, ଯାହାକୁ ବେଳ ଅବେଳ ସବୁ ସମୟରେ ଖେଳାଯାଇ ପାରିବ—ଜୀବନରେ ଏହିପରି ଏକ ଭୁଲ ଭିତରେ ପଶିଗଲେ, ତେଣିକି ଯାବତୀୟ ବିକୃତି ଆସି ଆମକୁ ଗିଳି ପକାଇବାକୁ ବାହାରେ । ଆମକୁ ତାହାର ବଶ କରି ରଖେ । ଆମ ହାତରୁ ସବୁଯାକ ରଜ୍ଜୁକୁ ଛଡ଼ାଇ ନେଇଯାଏ ।

 

ସେହିପରି ରାଜନୀତି ମଧ୍ୟ ଏକ ଧର୍ମ ନୁହେଁ, ରାଜନୀତି ହେଉଛି ଗୋଟିଏ ବାଟ । ସେଥିରେ ଖୁବ୍‍ ବେଶି ଗୁରାଇ ତୁରାଇ ହୋଇ ରହିଥିଲେ ମଧ୍ୟ ତାହା ତଥାପି ଏକ ଧର୍ମ ନୁହେଁ, ତାହା ଗୋଟାଏ ପେଶା । ତେବେ ଧର୍ମ କ’ଣ ? ଜଣେ ମଣିଷ ଯାହାପାଇଁ ଏହି ସବୁକିଛି କରେ ତାହ ହିଁ ଧର୍ମ । ତାହା ହିଁ ପ୍ରଭାବ । ତାହା ପ୍ରଭାବ ସମର୍ଥ । ଆମ ଜୀବନକୁ ଯାହା କିଛି ଏକ ନିର୍ଦ୍ଦିଷ୍ଟ ଅର୍ଥ ଦେଇଯାଏ, ଏକ ନିର୍ଦ୍ଦିଷ୍ଟ ଦିଗ୍‍ଦର୍ଶନ ଦ୍ୱାରା ତାହାକୁ ପ୍ରେରିତ କରିରଖେ, ତାହାହିଁ ହେଉଛି ଧର୍ମ-। ଆମ ଜୀବନର ସେହି ସମଗ୍ର ନିର୍ଦ୍ଧାରଣଟି ମଧ୍ୟରେ ଗୋଟିଏ ଗୋଟିଏ ଅଙ୍ଗ ରୂପେ ଆମର ଖେଳ, ଆମର ନୀତି ଓ ଆମର ରାଜନୀତି ।

 

ଆମେ ଅନେକ ଖେଳୁଖେଳୁ କେବଳ ସେହି ଖେଳଟା ଭିତରେ ହିଁ ବାନ୍ଧିହୋଇ ରହିଯାଉ । ଚଲାଖ ହେଉ ହେଉ ବାଟ ହୁଡ଼ୁ, ସମସ୍ତଙ୍କୁ ବଳିଯାଇ ଆଗକୁ ଚାଲିଯିବାର ମନ୍ଦ ଅତ୍ୟୁତ୍ସାହରେ ଆପଣାକୁ ଭାରି ଖିଅଛିଣ୍ଡା କରିପକାଉ । ଅସଲ କେନ୍ଦ୍ରଟିରୁ ହାତ ଛାଡ଼ିଯିବାରୁ ଆମେ ସତେଅବା ଗୋଟାଏ ନଟୁପରି ଖାଲି ବୁଲିବାରେ ଲାଗିଥାଉ । ହୁଏତ ଅସଲ ଆଖିଟିକୁ ମଧ୍ୟ ହରାଇ ବସିବାରୁ ଏକ ଭ୍ରାନ୍ତ ଉତ୍ତେଜନାକୁ ହିଁ ଗତିଶୀଳତା ବୋଲି କହି ଆମେ ଆଦୌ କିଛି ହେଲେ ଦେଖି ପାରୁ ନଥାଉ ।

 

ସେତେବେଳେ ବାହାରେ ଆଡ଼ମ୍ବରର ଆଦୌ କୌଣସି ସୀମା ନଥାଏ ସତ, ମାତ୍ର ଭୀତରଟା ବଡ଼ ଅଲଷଣା ହୋଇପଡ଼ିଥାଏ । ସେତେବେଳେ ମୁହୁର୍ତ୍ତଗୁଡ଼ାକ ସତେଅବା ଖାଲି ପାଣିପରି ବୋହିଯିବାରେ ଲାଗିଥାନ୍ତି । ସେଗୁଡ଼ିକ ଆଉ ମୋଟେ ଆମର ହୋଇ ରହିପାରନ୍ତି ନାହିଁ-। ସେତେବେଳେ ହୁଏତ ଅହୋରାତ୍ର ଖେଳ ଚାଲିଥାଏ ମାତ୍ର ଭିତରେ ସବୁଶୂନ୍ୟ ହୋଇ ରହିଥାଏ, ଅହୋରାତ୍ର ରାଜନୀତି ଚାଲିଥାଏ। ମାତ୍ର ଆପଣା ଭିତରେ ଆଦୌ କେଉଁଠି ହେଲେ ଗଣ୍ଠିଟିଏ ପଡ଼ିନଥାଏ ।

 

ଖେଳକୁ ହିଁ ଧର୍ମ ବୋଲି ଗ୍ରହଣ କରିଥିବା ମଣିଷଙ୍କର ସଂଖ୍ୟା କୌଣସି ସମାଜରେ ଅତ୍ୟଧିକ ହେଲେ ସମାଜ ଭାରି ହତବୀର୍ଯ୍ୟ ହୋଇଯାଏ । ଚତୁରତାକୁ ହିଁ ଧର୍ମବୋଲି ଗ୍ରହଣ କରିଥିବା ମଣିଷଙ୍କର ସଂଖ୍ୟା କୌଣସି ସମାଜରେ ଅତ୍ୟଧିକ ହେଲେ ସମାଜ ଉଚ୍ଛନ୍ନ ହୁଏ । ସେତେବେଳେ ଆଉ କେହି ହେଲେ କାହାପାଇଁ ଜୀବନ ବଞ୍ଚିବାକୁ ରାଜି ହୁଅ ହିଁ ନାହିଁ । ନାଲିଛକା ବାଡ଼େଇବାକୁ ହିଁ ଦାଣ୍ଡରେ ଜୀବନ ବୋଲି କୁହାଯାଏ । ଦୁନିଆଯାକକୁ ନାନାଭାବେ ବିଫଳ କରି ସମସ୍ତେ ସଫଳ ହେବେ ବୋଲି ଧାଇଁଥାନ୍ତି । ସେତେବେଳେ ସତେ ଅବା ପରମ ଶୃଙ୍ଗାରରେ ଖେଳ ଚାଲିଥାଏ । ଚଉଷଠି ବନ୍ଧରେ ରାଜନୀତି ବି ଚାଲିଥାଏ, ମାତ୍ର ଜୀବନର ଅସଲ ଖୁଣ୍ଟଗୁଡ଼ାକ ଖାଲି ହୁଗୁଳା ହୋଇଯିବାରେ ହିଁ ଲାଗିଥାନ୍ତି ।

 

୧-୪-୮୪

Image

 

ଜ୍ଞାନୀ ଓ ଅଜ୍ଞାନୀ

 

ଧର୍ମ ଓ ରାଜନୀତି ଯେଉଁ ଦିନଠାରୁ କ୍ଷମତାର ଲଟା ଭିତରେ ଆସି ପଶିଲା, ସେହି ଦିନଠାରୁ ହିଁ ଅଜ୍ଞାନୀମାନେ ଜ୍ଞାନୀରେ ପରିଣତ ହେଲେ । ଜଣେ ଜ୍ଞାନ ଲାଭ କଲେ ତାହାକୁ ଯେ ଜ୍ଞାନୀ କୁହାଯିବ, ତା’ପରେ ଏପରି ଗୋଟିଏ ସୂତ୍ରକୁ ଆଦୌ ଏକ ଉଦ୍ଦେଶ୍ୟ-ସାଧକ ସୂତ୍ର ବୋଲି ଗ୍ରହଣ କରାଗଲା ନାହିଁ । ଜ୍ଞାନୀ କେବଳ ଗୋଟିଏ ପଦବୀକୁ ବୁଝାଇଲା । ସେହି ପଦବୀ ପୁଣି ଏକ ପରମ୍ପରା ଭିତରେ ବାନ୍ଧିହୋଇ ରହିଲା । ପରମ୍ପରା ଭିତରେ କଳନା କରି ପାରେନାହିଁ, ତେଣୁ ଦୁନିଆଯାକର ବଡ଼େଇ ସହିତ ବାହାରଟାକୁ ହିଁ ସବୁକିଛି ବୋଲି ଦେଖାଇ ଦେବାକୁ ଇଚ୍ଛା କରୁଥାଏ-। କ୍ଷମତାର ରକ୍ଷିତା ହୋଇ ରହିବାକୁ ଆରମ୍ଭ କଲାପରେ ଧର୍ମ ଭିତରେ ଏହି ଜ୍ଞାନୀମାନଙ୍କର ସଂଖ୍ୟା ଯେତିକି ବଢ଼ିଲା, ଅଜ୍ଞାନ ସେତିକି ପରାକ୍ରମଶାଳୀ ହେଲା । ସାଧାରଣ ମଣିଷମାନଙ୍କୁ ଅଫିମ ଖୁଆଇ ରଖିବାକୁ ହିଁ ପ୍ରତାପୀ କ୍ଷମତାକାମୀମାନେ ଜ୍ଞାନୀ ପଦରେ ରହିବାର ପରମ ସନ୍ତକ ରୂପେ ଗ୍ରହଣ କରିନେଲେ ।

 

ତା’ପରେ ଧର୍ମକୁ ନେଇ କେତେକେତେ ଦ୍ଵେଷର ଆଚାର କାବ୍ୟମାନ ଲେଖାଗଲା । ମର୍ମହୀନ ତୁଚ୍ଛା ବାହ୍ୟାଚାରଗୁଡ଼ାକୁ କେଡ଼େ ଆଡ଼ମ୍ବରରେ ମୂର୍ତ୍ତିରେ ପରିଣତ କରି ପୂଜା କରିବା ଆରମ୍ଭ ହେଲା । ଭଗବାନଙ୍କ ନାମରେ ଘୃଣାର ପ୍ରଚାର ହେଲା । ଅନ୍ଧତାଗୁଡ଼ାକର ପ୍ରଚାର ହେଲା । ଅର୍ଥାତ ମତାନ୍ଧ କ୍ଷମତାକାରୀମାନେ ହିଁ ଭଗବାନଙ୍କୁ କାବୁ କରି ରଖିଲେ । ସେମାନେ ଧର୍ମକୁ ରାଜନୀତି ପରି ଏବଂ ରାଜନୀତିକୁ ଧର୍ମପରି ବ୍ୟବହାର କଲେ । ସମ୍ପୂର୍ଣ୍ଣ ଭାବରେ ହୃଦୟହୀନ ହୋଇ ରହିଥିବା ଜଣେ ଜଣେ ଆତ୍ମସ୍ଫୀତ ମଣିଷଙ୍କ ପରି ଏକାନ୍ତ ଅବଲୀଳା ସହକାରେ ସେସବୁ କଲେ । ଭଗବାନ ପରାଜୟ ସ୍ୱୀକାର କରି ଧର୍ମର ପେଡ଼ିଗୁଡ଼ିକ ଭିତରେ ପୋଷାମାନି ରହିଗଲେ । ଧର୍ମର ଘରମାନଙ୍କରେ ପଦବୀରେ ପ୍ରତିଷ୍ଠିତ ହୋଇ ରହିଥିବା ଅଧମମାନେ ହିଁ ଆପଣାକୁ ଜ୍ଞାନୀ ବୋଲାଇଲେ । ମନ୍ଦିରଗୁଡ଼ାକୁ ସୁନାରେ ଛାଉଣି କରି ରଖିଲେ । ଅପପ୍ରେରଣା ସଂକ୍ରାମିତ ହୋଇ ଏବଂ ଉତ୍ତାପ ପାଇଁ ଶିଷ୍ୟମାନଙ୍କୁ ମଧ୍ୟ ଗ୍ରାସ କଲା, ଶିଷ୍ୟକୁ ତା’ର ଶିଷ୍ୟତ୍ୱ ଭିତରୁ ଆଉ କଉଁଠାକୁ ଉଡ଼ାଇ ନେଇଗଲା ।

 

ଦେଶରେ ଏହି ଅଜ୍ଞାନୀମାନଙ୍କ ଦ୍ୱାରା ବ୍ୟାପିଯିବାରେ ଲାଗିଥିବା ନିଆଁକୁ ଦେଶର ସରକାର କଦାପି ନିଭାଇ ପାରିବେ ନାହିଁ । ଅସତ୍ୟକୁ ନିଭାଇବାର କାର୍ଯ୍ୟଟିକୁ କେବଳ ସତ୍ୟାଗ୍ରହୀମାନେ ହିଁ କରିପାରିବେ । ଆମେ ଯିଏ ଯେଉ ତଥାକଥିତ ଧର୍ମର ହୋଇ ଜନ୍ମଗ୍ରହଣ କରିଥାଉଁ ପଛକେ, ଯଦି ଆମେ ଏହି ମନ୍ଦିର, ମସଜିଦ, ଗୀର୍ଜା ଓ ଗୁରୁଦ୍ୱାରଗୁଡ଼ାକର ଯାବତୀୟ କାନ୍ଥଠାରୁ ଅନେକ ଅଧିକ ଉଚ୍ଚ ଏବଂ ଅନେକ ଅଧିକ ବଡ଼ ହୋଇ ରହିଥିବା ସତ୍ୟକୁ ହିଁ ସେବ୍ୟତମ ବୋଲି ଘୋଷଣା କରି ଏକ ବିକଳ୍ପ ଲାଗି କ୍ଷେତ୍ରଟିର ପ୍ରସ୍ତୁତ କରିଦେଇ ପାରିବା ତେବେଯାଇ ଆମେ ଉପସ୍ଥିତ ପରିସ୍ଥିତିର ସମ୍ମୁଖୀନ ହୋଇ ପାରିବାଭଳି ସତ୍ୟାଗ୍ରହୀକୁ ଆମରି ଭିତରୁ ଜନ୍ମଦେଇ ପାରିବା; ମାତ୍ର ଯଦି ହିନ୍ଦୁ ତା’ ମନ୍ଦିରକୁ, ମୁସଲମାନ ତା’ର ମସଜିଦକୁ, ଖ୍ରୀଷ୍ଟିୟାନ ତା’ର ଗୀର୍ଜାକୁ ଏବଂ ଶିଖ୍‍ (ଶିକ୍ଷ୍ୟ) ତା’ର ଗୁରୁଦ୍ୱାରକୁ ସର୍ବୋତ୍ତମ ସରଗ ତଥା ଉତ୍ତେଜନା ସହିତ କାମୁଡ଼ିଧରି ପଡ଼ି ରହିଥିବେ, ତେବେ ଏଠି କେବଳ କ୍ଷମତାକାମୀମାନେ ହିଁ ଜ୍ଞାନୀ ବୋଲାଇ ବସିଥିବେ ଏବଂ ଆମର ହାୱାଗୁଡ଼ାକୁ ଦୁଷ୍ଟକରି ରଖିଥିବେ । କେବଳ ସତ୍ୟର ଆଗ୍ରହ ହିଁ ଅସତ୍ୟର ଯାବତୀୟ ପ୍ରକୋପ ଆଗରେଏକ ଯଥାର୍ଥ ବିକଳ୍ପ ଯୋଗାଇ ଦେଇପାରିବ ।

 

୮ । ୪ । ୮୪

Image

 

ଥାନାଗୁଡ଼ିକ ମନ୍ଦିର ପରି

 

ଥାନାଗୁଡ଼ିକୁ ଠିକ୍‍ ଗୋଟିଏ ଗୋଟିଏ ମନ୍ଦିର ପରି ଗ୍ରହଣ କରିବା ଉଚିତ ବୋଲି ଜଣେ ପୋଲିସ ହାକିମ ମତପ୍ରକାଶ କରିଛନ୍ତି । ପୋଲିସ ମାନଙ୍କର ଏକ ସଭାରେ ଅର୍ଥାତ ଆପଣା ଘରର ଗୁଣ ବଖାଣୁବଖାଣୁ ସିଏ ଏହିକଥା କହିଛନ୍ତି । ମନ୍ଦିରମାନଙ୍କରେ ଠାକୁର ଥାଆନ୍ତି, ଥାନାମାନଙ୍କରେ ମଧ୍ୟ ଠାକୁର ରହିଥାଆନ୍ତି । ବିଭାଗୀୟ ବଡ଼ସାନ ବରାଦ ଅନୁସାରେ ସମସ୍ତେ ଆପଣା ଆପଣାର ସୀମା ଓ ସରହଦକୁ ଜଗି ଭୋଗ ଖାଉଥାନ୍ତି । ବଡ଼ମାନେ ସାନମାନଙ୍କ ଠାରୁ ସାଲିଉଟ ଖାଇବାରେ ଲାଗିଥାନ୍ତି । ସାନମାନେ ନାନା ପ୍ରକାରେ ବିଭୂଷିତ ରୂପ ଧାରଣକରି ବଡ଼ମାନଙ୍କୁ ସାଲିଉଟ ଦେବାରେ ଲାଗିଥାଆନ୍ତି । ବଡ଼ ଓ ସାନମାନେ ପରସ୍ପରର ଗୁମରଗୁଡ଼ାକୁ ଭାରି ଭଲଭାବରେ ଜାଣିଥାନ୍ତି । ତେଣୁ କେହି କାହାକୁ ମୋଟେ ପଦାରେ ପକାନ୍ତିନାହିଁ । ବାହାରକୁ ଦେଖିଲେ ସବୁଠାରେ ଶାନ୍ତି ବିରାଜମାନ କରୁଥାଏ । ଥାନାଟି ଯେକୌଣସି ମନ୍ଦିରର ଗମ୍ଭୀରିଟିଏ ହୋଇ ରହିଥାଏ । ଥାନାର ବାହାରେ ଥିବା ମଣିଷମାନେ ଥାନାଗୁଡ଼ିକର ଆଦୌ କୌଣସି କଳ ପାଆନ୍ତିନାହିଁ ।

 

ମନ୍ଦିର, ଅର୍ଥାତ ଧର୍ମସ୍ଥାନ । ଭାରତବର୍ଷରେ ଆମର ପାରମ୍ପରିକ ଧର୍ମ ଓ ଧର୍ମସ୍ଥାନଗୁଡ଼ିକ ସତେଅବା ଥାନାପରି ବେଭାର ଦେଖାଇ ଆସିଛନ୍ତି; ତେଣୁ ଉପମାଟିକୁ ବଦଳାଇ ଥାନାଗୁଡ଼ିକ ଧର୍ମସ୍ଥାନ ବୋଲି କହିବାରେ କହିବା ତଥା ଶୁଣିବା ଲୋକ କାହାକୁ ହେଲେ ସେକଥା ଆଦୌ କୌଣସି ପ୍ରକାରେ ଅସ୍ୱାଭାବିକ ବୋଲି ମନେ ହେଉନାହିଁ । ପାରମ୍ପରିକ ଭଗବାନ ହେଉଛନ୍ତି ଆମ ପାରମ୍ପରିକ ଦୃଷ୍ଟି ସୂତ୍ରଗୁଡ଼ାକ ଅନୁସାରେ ସବୁଠାରୁ ବଡ଼ ଥାନାଦ୍ୱାର । ସିଏ ପାପପୁଣ୍ୟର ସ୍ୱୀକୃତ ବହିଗୁଡ଼ିକ ଅନୁସାରେ ମଣିଷମାନଙ୍କର ଦଣ୍ଡବିଧାନ କରନ୍ତି । ମଣିଷକୁ ତା’ର ପ୍ରାପ୍ୟ କର୍ମଟି ଭିତରେ କାବୁକରି ରଖିଥାନ୍ତି । ଅନୁଗ୍ରହ କରନ୍ତି, ନର୍କକୁ ମଧ୍ୟ ପଠାଇ ଦିଅନ୍ତି । ଥାନାଗୁଡ଼ିକ ସେହି ମନ୍ଦିରର ସମସରି ବୋଲି କହିବା ବେଳେ ଆମ ରାଜଚକ୍ରବର୍ତ୍ତୀ ଥାନା ବାବୁ ସମ୍ଭବତଃ ସେହିପରି ଏକ ବିଚାରଦ୍ୱାରା ଅନୁପ୍ରାଣିତ ହୋଇ ତାହା କହିଛନ୍ତି ।

 

ସମ୍ଭବତଃ ଅସଲ କଥା ହେଉଛି, ମନ୍ଦିର ଏବଂ ଥାନାର ଆଚାର ହେଊଛି ଏକାବେଳେକେ ଦୁଇଟା ଅଲଗା ଅଲଗା ଆଚାର । ତେଣୁ ମନ୍ଦିରକୁ ମନକରୁଥିବା ମଣିଷ କଦାପି ଥାନାଆଡ଼କୁ ମନ କରିବ ନାହିଁ କିମ୍ବା ଥାନା ବାବୁ ହେବାକୁ ହିଁ ଜୀବନର ସାରତମ ସତ୍ତ୍ଵବୋଲି ଗ୍ରହଣ କରିବାକୁ ଯାଉଥିବା ମଣିଷ କଦାପି ମନ୍ଦିରକୁ ମନ କରିବନାହିଁ ।

 

ପୃଥିବୀର ଅସଲ ଧର୍ମସ୍ଥମାନେ କାଳେକାଳେ ଯାବତୀୟ ପ୍ରକାରର ଥାନାକୁ ଅସ୍ୱୀକାର କରିଆସିଛନ୍ତି । ହଁ, ମଝିରେ ମଝିରେ ଥାନାକୁ ମନ କରୁଥିବା କର୍ତ୍ତାମାନେ ଆପଣାର ନାନା ଧୃଷ୍ଟତାଦ୍ୱାରା ପରିଚାଳିତ ହୋଇ ସଂସାରର ମନ୍ଦିରଗୁଡ଼ାକୁ ଗ୍ରାସକରିବାକୁ ଆସିଛନ୍ତି ସତ, ମାତ୍ର ତଥାପି ମନ୍ଦିରର ଆଗ୍ରହ ଥାନାର ଆଗ୍ରହଠାରୁ ସର୍ବଦା ଏକ ଅନ୍ୟ ଆଗ୍ରହ ବୋଲି ଘୋଷିତ ହୋଇଛି ।

 

ମନ୍ଦିରକୁ ହିଁ ଯଥାର୍ଥ ଅବଲମ୍ବନ ବୋଲି ଗ୍ରହଣ କରିଥିବା ସାହସୀ ମଣିଷ ଅନେକ ସମୟରେ ଏପରି ଏକ ସମାଜର ଓ ସମ୍ୱନ୍ଧର ସ୍ୱପ୍ନ ଦେଖିଛି, ଯେଉଁଥିରେ କି ଥାନା ଲାଗି ମୋଟେ କୌଣସି ପ୍ରୟୋଜନ ହିଁ ନଥିବ । ଆମ ବିଚରଣର ଏହି ଯାବତୀୟ ଥାନାଗୁଡ଼ାକ ଉଠିଗଲେ ଯାଇ ଅସଲ ମନ୍ଦିରର ପ୍ରତିଷ୍ଠା ହୋଇପାରିବ ଓ ଅସଲ ଆତ୍ମୀୟତାଗୁଡ଼ିକ ସ୍ୱୀକୃତି ମିଳିବ । ମାତ୍ର, ତା’ ପୂର୍ବରୁ ଥାନା ବାବୁମାନେ ଯେତେ ଉତ୍ସାହରେ ବି ଥାନାକୁ ମନ୍ଦିରର ସମାନ ବୋଲି ପାଟିକରି କହିଲେ ମଧ୍ୟ ଆଦୌ ବୋକା ବନିବାକୁ ଇଚ୍ଛା କରୁନଥିବା ମଣିଷ ଥାନାଠାରୁ ଦୂରରେ ରହିବାକୁ ହିଁ ନିଜର ଇଷ୍ଟ ବୋଲି ମନେ କରୁଥିବ ।

୧୫ । ୪ । ୮୪

Image

 

ଠକମାନଙ୍କର ଚେର କାହିଁ ?

 

ଠକମାନଙ୍କର ଆଦୌ କୌଣସି ଚେର ନାହିଁ । ସେମାନେ ଆମକୁ Roots ବିଷୟରେ କେତେ କ’ଣ କହି ବୁଲୁଥାନ୍ତି, ମାତ୍ର ଏହି ଦେଶର ସବୁପ୍ରକାର ଚେରକୁ ଖାଲି କାଟି ଦେବାରେ ହିଁ ଲାଗିଥାନ୍ତି ।

 

ସେମାନେ ଅମକୁ ଜନନୀ ଜନ୍ମଭୂମି କଥା କହନ୍ତି । ସଂସ୍କୃତିର କଥା କହନ୍ତି । କହୁ କହୁ କେଡ଼େ ଭାବପ୍ରବଣତା ସହିତ ଜାତିକୁ ଏବଂ ଦେଶକୁ କୋଉ ମନ କୋଉ ପୃଥିବୀର ସରଗକୁ ଟେକି ନେଇଯାଆନ୍ତି । ଆମକୁ ମୁଗ୍ଧ କରିଦିଅନ୍ତି । ଆମର ଦେବତାମାନଙ୍କୁ ପୃଥିବୀର ସବୁଠାରୁ ବଡ଼ ଦେବତା ବୋଲି କହନ୍ତି, ଆମର ଭାଷାକୁ ହୁଏତ ଭାଷା ଭିତରେ ମଞ୍ଜୁଳତମ ବୋଲି କହନ୍ତି, ଆମର ଅତୀତ ଭିତରେ ସୁନା, ରୂପା, ସାଧବ ଓ ସୌଦାଗରଙ୍କ ବ୍ୟତୀତ ସତେ ଅବା ଆଉ କିଛି ନଥିଲା ବୋଲି କେତେପ୍ରକାର ଗଚ୍ଛାଇକରି କହୁଥାନ୍ତି । ମାତ୍ର ନିଜ ଭିତରେ ସେମାନଙ୍କର ଆଦୌ କୌଣସି ଚେର ନଥାଏ । ଭୂଇଁଟି ସହିତ ସେମାନଙ୍କର ଆଦୌ କୌଣସି ଯୋଗ ନଥାଏ । ଚେର ନ ଥିବା ଏହି ଲୋକମାନେ ଯେତେବେଳେ ଆମର ନେତା ହୋଇ ବାହାରନ୍ତି, ସେତେବେଳେ ଏଇ ଭୂମିକୁ ଗୋଟାସୁଦ୍ଧା ଭୂତ ଖାଇଯାଏ ।

 

ଆମ ଦେଶରେ ବର୍ତ୍ତମାନ ଯେଉଁମାନେ ଜାତି ଓ ଜାତୀୟ ଗୌରବର କଥା ଆମକୁ କହୁଛନ୍ତି, ଯେଉଁମାନେ ସଂସ୍କୃତି ଏବଂ ସାଂସ୍କୃତିକ ବିଭବ ବିଷୟରେ ଆମ ଆଗରେ କେତେ କଣ ବଖାଣି ହେବାରେ ଲାଗିଛନ୍ତି, ଏଇ ଭୂମିଟି ସହିତ ସେମାନଙ୍କ ମଧ୍ୟରୁ ଅଧିକଙ୍କର ଆଦୌ କୌଣସି ଖିଅ ଲାଗିନାହିଁ । ସେମାନେ ଅନେକ ସାନଙ୍କ ଭିତରେ ଆପାଣାକୁ ବଡ଼କରି ରଖିଛନ୍ତି । ଅନେକ ବିଫଳଙ୍କ ଭିତରେ ଆପଣାକୁ ଅତ୍ୟନ୍ତ ସଫଳ ଭାବରେ ବୈଡ଼ୁର୍ଯ୍ୟ ବିଭୂଷିତ କରି ରଖିଛନ୍ତି । ସେହିମାନଙ୍କ ପାଖରେ ସବୁଯାକ ବିଦ୍ୟା ଓ ସବୁଯାକ ବ୍ୟୁତ୍ପତ୍ତି ବାନ୍ଧିହୋଇ ରହିଛି । ସେହିମାନେ ହି ଅନେକଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ବଞ୍ଚିତ କରି ଅଧିକରୁ ଅଧିକ ମାଡ଼ିବସି ରହିଛନ୍ତି । କାବ୍ୟଶାସ୍ତ୍ରର ବିନୋଦ କରୁଛନ୍ତି । ସଂସ୍କୃତି କହିଲେ ସତେଅବା ଏକ ସମ୍ପତ୍ତି ବିଳାସକୁ ବୁଝାଏ ବୋଲି ଆମକୁ କେଡ଼େ ବାଗରେ ବୁଝାଇ ଦେବାରେ ଲାଗିଛନ୍ତି ।

 

ଏଠି ବିଦ୍ୟାର ଚେର ଯଦି ଭୂଇଁକୁ ଲାଗିଥାନ୍ତା, ସରାଗ ଏବଂ ସଉକ ଗୁଡ଼ାକ ଯଦି ସବୁ ମଣିଷଙ୍କୁ ଆପଣା ସହିତ ସାମିଲ କରି ରଖିବାକୁ ଭୟ କରୁନଥାନ୍ତା, ତେବେ ଆମର ଦେଶ ଏକାବେଳେକେ ଅନ୍ୟପ୍ରକାର ହୋଇଥାନ୍ତା । ସଂସ୍କୃତିର ସଂଜ୍ଞା ଅନ୍ୟପ୍ରକାର ହୋଇଥାନ୍ତା । ନିର୍ଧୁମ୍‍ ଠକମାନେ ପଞ୍ଚମୁଖା ହୋଇ ସଂସ୍କୃତି ବିଷୟରେ ଉଦଗାରମାନ କରି ବୁଲିବାଲାଗି ଆଉ ଆଦୌ କୌଣସି ସାହସ କରୁ ନଥାନ୍ତେ । ଆମ ନେତୃତ୍ୱର ଚେରସବୁ ଆମ ଭୂଇଁ ଭିତରେ ପ୍ରକୃତରେ ରହିଥିଲେ, ଏଠି ଯାବତୀୟ ଉଦ୍ୟମ ଏବଂ ଯାବତୀୟ ନିର୍ମାଣ ଏକାବେଳକେ ଅନ୍ୟପ୍ରକାରେ ଚାଲିଥାନ୍ତା । ମଣିଷ ହିଁ ମଣିଷର ସବୁଠାରୁ ବଡ଼ ସଙ୍ଗୀ ବୋଲି ସ୍ଵୀକୃତ ହୋଇ ରହିଥାନ୍ତା । ଏଠି ଯାହାକିଛି ଗଢ଼ା ହେଉଥାନ୍ତା, ତାହାର ଏକ ଗଭୀରତା ରହିଥାନ୍ତା । ସେହି ଗଭୀରତା ହିଁ ସାଧୁତାର ଅସଲ ସଂଜ୍ଞା ହୋଇ ରହିଥାନ୍ତା ।

 

ଆପେ ଚାଲାଖ ସଫଳ ହୋଇ ରହି ଯେଉଁମାନେ ସଂସ୍କୃତି ଓ ସାହିତ୍ୟର କଥା ଭିତରେ ଆମକୁ ମଜ୍ଜାଇ ରଖିବାକୁ ଇଚ୍ଛା କରୁଛନ୍ତି, ସେମାନେ ଆମକୁ ବୋକା ବନାଇବାରେ ଲାଗିଛନ୍ତି । ଆମେ ବୋକା ହୋଇ ବସିବାକୁ ରାଜି ହୋଇଛୁ ବୋଲି ଲକ୍ଷ୍ମୀ ଯାଇ ଠକମାନଙ୍କ ଘରେ ରକ୍ଷିତା ହୋଇ ରହିଛନ୍ତି । ଆମ ଭାଗ୍ୟର ଗଛଗୁଡ଼ାକ ଉପରେ ସେମାନେ ସତେଅବା ଶାଗୁଣା ହୋଇ ବସିଛନ୍ତି । ଆମର ଭୂମିଗୁଡ଼ାକୁ ତୁଚ୍ଛା ପଡ଼ିଆ କରି ରଖିଛନ୍ତି ।

 

୨୨ । ୪ । ୮୪

Image

 

ଭଗବାନ ପରମବନ୍ଧୁ

 

ପୃଥିବୀର ବିଭିନ୍ନ ଧର୍ମରେ ଭଗବାନଙ୍କୁ ହିଁ ସବୁଠାରୁ ବଡ଼ ବୋଲି କୁହାଯାଇଛି । ଅଥବା, ଓଲଟାଇ କରି କହିଲେ, ଯାହାଙ୍କୁ ସବୁଠାରୁ ବଡ଼ର ମାନ୍ୟତା ଦିଆଯାଇଛି, ତାହାଙ୍କୁ ହିଁ ଭଗବାନ ବୋଲି କୁହାଯାଇଛି । ଏହି ଭଗବାନ ସବୁକିଛି କରନ୍ତି, କରାନ୍ତି । ସବୁ ଜାଣନ୍ତି, ସମସ୍ତଙ୍କ ଭିତରେ ପୂରି ରହିଥାନ୍ତି । ଏହି ସଂସାରରେ ଯାହାକିଛି ହୁଏ, ତାହା କେବଳ ସେହି ଭଗବାନଙ୍କର ନିର୍ଦ୍ଦେଶରେ ହିଁ ହୁଏ । ଗୋଟିଏ ଗୋଟିଏ ଧର୍ମରେ ଅବଶ୍ୟ ଭଗବାନଙ୍କୁ ଏହି ପୃଥିବୀର ବାହାରେ ଏକ ସ୍ୱତନ୍ତ୍ର ସ୍ଵର୍ଗରେ ରହିଥିବାର କଳ୍ପନା କରାଯାଇଛି । ମାତ୍ର, ଭାରତବର୍ଷର ହିନ୍ଦୁଧର୍ମ ପୃଥିବୀରେ ହୁଏତ ଏକମାତ୍ର ଧର୍ମ, ଯେଉଁଥିରେକି ଏକାଧାରରେ ଭଗବାନଙ୍କୁ ପୃଥିବୀର ବାହାରେ ଆଉ ଏକ ଲୋକରେ ଥାପି ଦିଆଯାଇଛି ଓ ଏଣେ ସେ ପ୍ରତ୍ୟେକ ମନୁଷ୍ୟର ଭିତରେ ରହିଛନ୍ତି ବୋଲି ଘୋଷଣା ମଧ୍ୟ କରାଯାଇଛି ।

 

ଭଗବାନ ଅଭୟ ଦିଅନ୍ତି, ବିପଦ ଓ ସଙ୍କଟ ଭିତରୁ ମୋଚନ କରାଇ ଆଣନ୍ତି,—ତାଙ୍କୁ ମନୁଷ୍ୟରୂପୀ ଦୀନ ପ୍ରାଣୀର ବନ୍ଧୁ ଓ ପରମବନ୍ଧୁ ବୋଲି ଆଖ୍ୟାନ ଦିଆଯାଇଛି । ଏହିସବୁ କଳ୍ପନା ମନୁଷ୍ୟ-ସଭ୍ୟତାର କୋଉ ଆଦି କାଳର କଳ୍ପନା । ଯେଉଁସବୁ ବହିରେ ଏହିସବୁ କଳ୍ପନା ବର୍ଣ୍ଣିତ ହୋଇଛି, ସେହି ବହିମାନ ଯୁଗଯୁଗ ଧରି ଧର୍ମ ଶାସ୍ତ୍ରରୂପେ ପୂଜା ପାଇ ଆସିଛନ୍ତି । ଶାସ୍ତ୍ରବାକ୍ୟଗୁଡ଼ିକୁ ଅନୁସରଣ କରୁଥିବା ମଣିଷମାନଙ୍କୁ ଧର୍ମସ୍ଥ ଅଥବା ଧର୍ମଭୀରୁ ବୋଲି ମଧ୍ୟ ବର୍ଣ୍ଣନା କରାଯାଇଛି । ସାଧାରଣ ଅନ୍ୟ ସମସ୍ତଙ୍କୁ ସେହି ଧର୍ମଭୀରୁ ମାନଙ୍କର ଅନୁସରଣ କରିବା ଲାଗି ପରାମର୍ଶ ମଧ୍ୟ ଦିଆଯାଇଛି । ଏହିପରି ଭାବରେ କାଳକ୍ରମେ ଧର୍ମର ଘରକୁ ସମୃଦ୍ଧ ଓ ଅତିସମୃଦ୍ଧ କରି ରଖାଯାଇଛି । ମାତ୍ର ଧର୍ମର ଅତୀତ ତଥା ସାମ୍ପ୍ରତିକ ଇତିହାସ ଗୁଡ଼ାକୁ ଅବଲୋକନ କଲେ ମନେହୁଏ, ସତେଅବା ଯେତିକି ଉତ୍ସାହରେ ଭଗବାନଙ୍କୁ ମନୁଷ୍ୟର ପରମବନ୍ଧୁ ବୋଲି ଘୋଷଣା କରାଯାଇଛି, ଅଧିକାଂଶ ସ୍ଥଳରେ ପ୍ରାୟ ସେତିକି ଦୁର୍ଭାଗ୍ୟବଶତଃ ଅନ୍ୟ ମଣିଷମାନଙ୍କୁ ମଣିଷର ଶତ୍ରୁ କରି ରଖାଯାଇଛି । ତଥାକଥିତ ଭଗବାନଙ୍କୁ ଭଲ ପାଇବାକୁ ଯାଇ ମଣିଷ ତା’ରି ଭଳି ଅନ୍ୟ ମଣିଷମାନଙ୍କୁ ଘୃଣାକରି ଶିଖିଛି । ଭୟକରି ଶିଖିଛି ଏବଂ ଈର୍ଷାକରି ଶିଖିଛି । ଗୋଟିଏ ଗୋଟିଏ ଅତିଚାରୀ ବୈରାଗ୍ୟମାର୍ଗରେ ଏହି ସଂସାରକୁ ଏବଂ ସଂସାରର ମଣିଷମାନଙ୍କୁ ବର୍ଜନୀୟ ମାନି ଛାଡ଼ି ଚାଲିଆସି ପାରିଲେ ଯାଇ ଭଗବାନଙ୍କର ନିକଟବର୍ତ୍ତୀ ହେବା ସମ୍ଭବ ହେବ ବୋଲି ମନ୍ତ୍ରଣା ଦିଆଯାଇଛି । ଅଧିକାଂଶ କ୍ଷେତ୍ରରେ ଧାର୍ମିକମାନେ ଭଗବାନଙ୍କୁ ପାଇବା ମାତ୍ରକେ ତାଙ୍କୁ ଲୁଚାଇ କରି ସତେ ଅବା କେବଳ ଆପଣାର ଧନବୋଲି କୋଉ ଗାତ ଭିତରେ ନେଇ ପୂରାଇ ଦେଇଛନ୍ତି ଓ ତାଙ୍କ ସହିତ ଏକୁଟିଆ ରମଣ କରିଛନ୍ତି ।

 

ଭଗବାନ ଯଦି ସର୍ବତ୍ର ରହିଛନ୍ତି, ତେବେ ସିଏ ମଣିଷ ଭିତରେ ମଧ୍ୟ ଅଛନ୍ତି । ତାଙ୍କୁ ପରମବନ୍ଧୁ ବୋଲି ଜାଣିବାର ଅର୍ଥ ହେଉଛି ମଣିଷକୁ ମଧ୍ୟ ବନ୍ଧୁ ଏବଂ ସହଯାତ୍ରୀ ବୋଲି ଜାଣିବା । ମଣିଷକୁ ଉପେକ୍ଷା କରି ଯେଉଁ ଧାର୍ମିକ ମଣିଷ ଏକଆଖିଆ ହୋଇ ଭଗବାନଙ୍କର ଆଶ୍ରୟ ନେଇଛି ବୋଲି କହୁଛି, ସିଏ ପ୍ରକୃତରେ ଭଗବାନଙ୍କୁ ପାଇ ନାହିଁ, ଆପଣାର ମନ ମାନିଯାଇଥିବା କୌଣସି ଏକ ଗାତକୁ ହିଁ ସେ ଭଗବାନ ବୋଲି କହୁଛି । ସେହି ଗାତ ଭିତରେ ନିଜର ଅବିଶ୍ୱାସଗୁଡ଼ାକୁ ହିଁ ସିଏ ଅତି ଦମ୍ଭର ସହିତ ଲୁଚାଇ କରି ରଖିଛି ।

 

୨୯ । ୪ । ୮୪

Image

 

ରାଜନୀତି ଓ ସାହିତ୍ୟ

 

ଆମ ଦେଶରେ ଏପରି ଅନେକ ମଣିଷ ବେଳେବେଳେ ଦେଖିବାକୁ ମିଳନ୍ତି, ଯେଉଁମାନେ କି ରାଜନୀତି ଓ ସାହିତ୍ୟ ଦୁଇଟାଯାକକୁ ନେଇ ସଂସାର କରୁଥାନ୍ତି । କ୍ଷମତା ଲୋଡ଼ି, ରାଜନୀତି ଭିତରେ ପଶନ୍ତି, ସୌନ୍ଦର୍ଯ୍ୟ ଓ ଲାବଣ୍ୟ ଲୋଡ଼ି ଏଣେ ସାହିତ୍ୟ ଭିତରେ ମଧ୍ୟ ମହଜୁଦ ରହିଥାନ୍ତି । ସେମାନେ ଯଦି ଆପଣାର ମଞ୍ଜି ଭିତରେ ରାଜନୀତିକୁ ଲୋଡ଼ୁଥାନ୍ତି, ତେବେ ସାହିତ୍ୟ ଭିତରକୁ ଆସନ୍ତି ବା କାହିଁକି ? ଏବଂ ଯଦି ଅପର ପକ୍ଷରେ, ସତକୁସତ ସାହିତ୍ୟକୁ ଲୋଡୁଥାଆନ୍ତି, ତେବେ ରାଜନୀତି ଭିତରକୁ ଏତେ ଲୋସଡ଼ି ପଡ଼ିଥାନ୍ତି କାହିଁକି ? ଗୋଟାଏ ବପୁରେ ଦୁଇଟାଯାକ କସରତ କରିବାକୁ ମନ କରୁଥିବାରୁ ସେମାନେ ଅଧିକାଂଶ ସମୟରେ ଦୁଇଟାଯାକକୁ ହିଁ ଏକ ମଜଲିସରେ ପରିଣତ କରି ରଖିଥାନ୍ତି । ଉଭୟ କ୍ଷେତ୍ରରେ ପାରଙ୍ଗମପରି ଖେଳ ଦେଖାଉଥାନ୍ତି, ମାତ୍ର ଉଭୟ କ୍ଷେତ୍ରରେ, ନିଜର ଅନ୍ତର୍ଗତତମ ନିବିଡ଼ କ୍ଷେତ୍ରରେ ନିଜ ପାଖରେ ଭାରି ହାସ୍ୟାସ୍ପଦ ହୋଇ ରହିଥାନ୍ତି ।

 

ଜୀବନର ଅନୁରାଗକ୍ରମରେ ଏପରି ଗୋଟିଏ ସ୍ତର ଅବଶ୍ୟ ରହିଛି, ଯେଉଁଠାରେ ପହଞ୍ଚି ପାରିଲେ ଜଣେ ମଣିଷ ରାଜନୀତି ଓ ସାହିତ୍ୟ ଉଭୟର କର୍ଷଣ କରିପାରେ । ଦୁଇଟି ମଧ୍ୟରୁ କୌଣସିଟିକୁ ଆଦୌ କୌଣସି ପ୍ରକାରେ ଦୂଷିତ ନକରି ସିଏ ଦୁଇଟିଯାକ କର୍ଷଣ କରିବାକୁ ସମର୍ଥ ହୋଇଥାଏ । ସେହି ସ୍ତରରେ ସିଏ ଆପଣାକୁ ଦେବାକୁ ହିଁ ଆପଣାର ସର୍ବମୂଳ ଧର୍ମ ବୋଲି ଗ୍ରହଣ କରିଥାଏ, ଅର୍ଥାତ କ୍ଷମତା ଲାଗି ରାଜନୀତିକୁ ଲୋଡ଼େ ନାହିଁ, ଅଥବା କୌଣସି ପ୍ରକାର କ୍ଷୁଧାର୍ତ୍ତତା ଦ୍ୱାରା ଜର୍ଜରିତ ହୋଇ ମଧ୍ୟ ସାହିତ୍ୟ ଭିତରକୁ ସରାଗ ବଢ଼ାଏ ନାହିଁ, ସିଏ ଆପଣାକୁ କାମରେ ଲଗାଏ, ରାଜନୀତିର କାମରେ ଲଗାଏ, ଏବଂ ସାହିତ୍ୟର କାମରେ ଲଗାଏ । ରାଜନୀତି କିମ୍ବା ସାହିତ୍ୟ କୌଣସିଥିରେ ବି ମାମଲତକାରୀ କରିବାଲାଗି କେବେ ମନ ବଳାଏ ନାହିଁ । ସିଏ ନିଶା ଖାଇନାହିଁ, ତେଣୁ କ୍ଷମତାର ଲୋଭକୁ ଜିତେ, କୌଣସି କ୍ଷୁଧା ତାକୁ କୌଣସି ପ୍ରକାରେ ଜର୍ଜରିତ କରିପକାଏ ନାହିଁ । ମାତ୍ର, ଅନୁରାଗର ସେହି ସ୍ତରକୁ ମନ ନ କରୁଥିବା ମଣିଷ ଯେଉଁଟା ଭିତରକୁ ଯାଏ ସେଇଟାକୁ ପ୍ରଧାନତଃ ଦୂଷିତ ହିଁ କରିଦିଏ । ନିଜ ଜୀବନରେ ସିଏ ହୁଏତ କୌଣସି ସତ୍ୟର ପରିଚୟ କରିନଥାଏ । କେତେଟା ସଂସ୍କାର କିମ୍ବା କେତେଟା ଉପଚାରକୁ ପଇଟାଇ ରଖିଥାଏ, ତାହାକୁ ସତେଅବା ଗୁଣିମନ୍ତ୍ରପରି ବ୍ୟବହାର କରି ସଂସାରଗୋଟାକୁ ଆପଣାର ବିମ୍ବର ଭିତରକୁ ଟାଣି ଆଣିବାରେ ପ୍ରାୟ କମାଗ୍ରହୋଇ ବାହାରିଥାଏ । ଆପଣାର କାମ ସାରିଦେବାକୁ ହିଁ ପରମ ଚରିତାର୍ଥତା ଓ ସଫଳତା ବୋଲି ଜାଣେ । ଏହି ଅନାଚାରଣ ଦ୍ୱାରା ସେ ଅନେକ ସମୟରେ ଗୋଟାଏ ଗୋଟାଏ ପୁରୁଷକୁ ମଧ୍ୟ ମାରା କରିଦିଏ । ସିଏ କେବେହେଲେ କାହାରିକୁ ଅନୁପ୍ରାଣିତ କରିପାରେ ନାହିଁ । ଲୋକମାନେ ତା’ ପାଖରେ ବହୁତ ସଂଖ୍ୟାରେ ଆସି ରୁଣ୍ଡ ହୁଅନ୍ତି ସତ, ମାତ୍ର ସେମାନେ ତୁଚ୍ଛା ସ୍ତାବକ ବନନ୍ତି । ତାକୁ ସ୍ୱୀକୃତି ଦିଅନ୍ତି ନାହିଁ, କେବଳ ଚାଟୁ କରିଥାନ୍ତି ଗହଳ ଲଗାଇଥାନ୍ତି ।

 

ସାହିତ୍ୟ କ୍ଷମତାଦ୍ଵାରା ଜର୍ଜରିତ କରି ରଖିବା ଏବଂ ରାଜନୀତିକୁ କ୍ଷୁଧାତୁରତା ଦ୍ୱାରା ଜର୍ଜରିତ କରି ରଖିବା—ଏହାଦ୍ୱାରା ରାଜନୀତି ଓ ସାହିତ୍ୟ ଉଭୟେ ମାଡ଼ଖାଇ ଯାଆନ୍ତି । ଦରବାରଗୁଡ଼ାକ ମାଡ଼ିମାଡ଼ି ଯାଉଥାନ୍ତି ସତ, ମାତ୍ର ଅନୁରାଗ ଅପଦସ୍ଥ ହୋଇ ରହିଥାଏ ।

 

୬ । ୫ । ୮୪

Image

 

ଚିତ୍ରପ୍ରତିମା ପ୍ରାଏ

 

ପୁଅ ଵିଭାହୋଇ ଘରକୁ ବୋହୁଟିଏ ଆଣେ । ଏହି ବିଭାଘରର ବାହାନାରେ କେତେ କ’ଣ ଖରଚ ହୁଏ, କେତେ କ’ଣ ରୋଜଗାର ମଧ୍ୟ ହୁଏ । ଭାରତର ବିବାହଗୁଡ଼ାକୁ ଏକ ଧର୍ମକାର୍ଯ୍ୟ ପରି କୁହାଯାଇଥାଇ । ହୋମ ହୁଏ, ଦେବତାମାନଙ୍କର ଆବାହନ କରି ସେମାନଙ୍କର ସଦିଚ୍ଛା ଏବଂ ସୁଦୃଷ୍ଟି ଲାଗି ପ୍ରାର୍ଥନା କରାଯାଏ । ଏହିସବୁ ଉପଚାରରେ ଆହୁରି ମନୋରମତା କିମ୍ବା ଯଥାର୍ଥତା ଆଣି ଭରିଦେବାକୁ କେବଳ ବ୍ରାହ୍ମଣମାନଙ୍କ ଦ୍ୱାରା ଏହି କାର୍ଯ୍ୟଟିକୁ କରାଯାଏ । ବୋହୁ ଘରକୁ ଆସିଲେ ଭୋଜି ହୁଏ । ନିମନ୍ତ୍ରିତମାନେ ଆସନ୍ତି, ଭୋଜି ଖାଆନ୍ତି । ନିମନ୍ତ୍ରିତ ଅତିଥି ହିସାବରେ ନିଜନିଜର ପାଉଣା ଦେଇ ଘରକୁ ଯାଆନ୍ତି । ଲୋକାଚାରର ଭାଷାରେ ତାହାକୁ ଉପହାର ବୋଲି କୁହାଯାଏ ।

 

ବରବଧୂଙ୍କୁ ଆଶୀର୍ବାଦ କରିବା ଗୋଟିଏ କଥା, ଉପହାର ଦେବା ସମ୍ପୂର୍ଣ୍ଣ ଆଉ ଗୋଟିଏ କଥା । ଆଶୀର୍ବାଦ ତ ଖୁସିରେ ଦିଆଯାଏ, କୃତଜ୍ଞତା ସହିତ ଗ୍ରହଣ କରାଯାଏ । ଭୋଜି ଖାଇବା ଲାଗି ଆସିଥିବା ଚିହ୍ନା ଏବଂ ଅଚିହ୍ନା ଅତିଥିମାନେ ଯେଉଁସବୁ ଉପହାର ଦିଅନ୍ତି, ତାହା ଏକ ରାଜକୀୟ ଅର୍ଥାତ କୃତ୍ରିମ ବାତାବରଣ ଭିତରେ ହୁଏ । ଏଥିଲାଗି ଗୋଟିଏ ସ୍ୱତନ୍ତ୍ର ବଖରାର ବରାଦ ହୋଇଥାଏ । ନଣନ୍ଦ ଓ ଝିଆରୀମାନେ ସେହି ବଖରାଟିକୁ ଭିଡ଼ କରିଥାନ୍ତି । ସମସ୍ତେ ଉତ୍ସବାନୁଷ୍ଠାନର ବସ୍ତ୍ର ପିନ୍ଧି କେତେ ଚକଚକ ଦେଖାଯାଉଥାନ୍ତି । ସମସ୍ତଙ୍କ ମଧ୍ୟରେ ବୋହୁ ବସିଥାଏ । ମଉନ ହୋଇ ବସିଥାଏ । ବିଷଣ୍ଣ ହୋଇ ବସିଥାଏ । ତା’ର ଦେହଯାକ ଅଳଙ୍କାର ଲଗାଇ ଦିଆଯାଇ ତାକୁ ସଜା ଯାଇଥାଏ । ସେଦିନ ତାକୁ ସିଏ ଆଣିଥିବା ସବୁଠାରୁ ବଢ଼ିଆ ଶାଢୀଟିକୁ ପିନ୍ଧାଇ ଦିଆଯାଇଥାଏ । ସାଥୋଇମାନେ କେଡ଼େ ପୌରୁଷତମତମ ହୋଇ ଘର ଭିତରୁ ପଦାକୁ ବାହାରି ଯାଉଥାନ୍ତି, ପୁଣି ସେହିପରି ତମତମ ହୋଇ ଘରଭିତରକୁ ପଶି ଆସୁଥାନ୍ତି-। ଚନ୍ଦ୍ରକୁ ଆବୋରି ଧରି ସତେଅବା ରାହୁଣୀ ଓ କେତୁଣୀମାନେ ନାୟିକା ହୋଇ ରହିଥାନ୍ତି ।

 

ବୋହୁଟି ମଉନ ହୋଇ ବସିଥାଏ । ଆଖି ମିଞ୍ଜିମିଞ୍ଜି କରିବସି ରହିଥାଏ । ଚତୁପାର୍ଶ୍ୱରେ ଦୁଲାଳୀମାନେ ତା’ ସହିତ ସତେଅବା ଗୁରାଇତୁରାଇ ହୋଇ କଥା କହିବାକୁ ଇଚ୍ଛା କରୁଥାନ୍ତି ଓତାକୁ ଏହିପରି ଭାବରେ ସରସ ରଖିବାଲାଗି ଚେଷ୍ଟା କରୁଥାନ୍ତି । ଆଗନ୍ତୁକମାନେ ଆସୁଥାନ୍ତି ଓ ଯାଉଥାନ୍ତି । ବୋହୁ ପାଖରେ ଉପହାରମାନ ଗଦା ହେବାରେ ଲାଗିଥାଏ । ଫୁଲେଇମାନଙ୍କର ଫୁଲାକୁ ଦେଖି ଆପଣା ମନର କୌଣସି ପ୍ରତିକ୍ରିୟା ପ୍ରକାଶ କରିବାଲାଗି ମଧ୍ୟ ବିଚାରୀ ବୋହୁର କୌଣସି ଜୁ’ ନ ଥାଏ । ସିଏ ତ ମୋଟେ ତା’ ଆଗଦିନ ହିଁ ଏହି ଘରକୁ ଆସିଛି; ତେଣୁ ଅଭିବ୍ୟକ୍ତି-ନିରପେକ୍ଷ ହୋଇ ବସିବା ବ୍ୟତୀତ ତା’ର ଆଉ ପ୍ରକୃତରେ କିଛି ହେଲେ କରିବାର ନ ଥାଏ । ଖାଲି କଣ୍ଢେଇବେଶ ହୋଇ କଣ୍ଢେଇ ପରି ବିମର୍ଷ ହୋଇ ବସିବା ବ୍ୟତୀତ ଆଉ କିଛି ହେଲେ କରିବାର ନ ଥାଏ ।

 

ଆଗେ ବାହାଘରମାନଙ୍କରେ ଉପହାର ନ ଥିଲା, ଭାର ଓ ବେଭାର ରହିଥିଲା । ବୋହୁର ମୁହଁ ଦେଖିବା ସମୟରେ ବୋହୁକୁ ଏମିତି ଘଣ୍ଟାଘଣ୍ଟା ବସାଇ ରଖିବାର କୌଣସି ପ୍ରୟୋଜନ ନ ଥିଲା । ଓଡ଼ିଶାକୁ ଏହି ରୀତିଟି ବାହାରୁ ଆସିଛି । ଏବେ ଆସିଛି । ସହରଭିତରକୁ ଆସିଛି । ଗୋଷ୍ଠୀଜୀବନର ଅସଲ ମମତା ଓ ଅସଲ ଉଷ୍ମତାଗୁଡ଼ାକ କ୍ରମେ ପଛରେ ପଡ଼ି ରହୁଥିବା ସଙ୍ଗେସଙ୍ଗେ ସହରର ପ୍ରଦର୍ଶନ-ପଟୁମାନେ ଏହିସବୁ ଭିଆଣ ବାହାର କରୁଛନ୍ତି । ବିଚାରୀ ବୋହୁଟି ସେହି ପ୍ରଦର୍ଶନ-ପଟୁତାର ଶିଳାର ହେଉଛି । ଏଇଟି ମଧ୍ୟରେ ଆଦୌ କୌଣସି ଅସଭ୍ୟତା ରହିଛି ବୋଲି କେହି ଅନୁଭବ କରିପାରୁନାହାନ୍ତି । ବୋହୁ ତ ଉତ୍ସବ ଯଜ୍ଞ ଲାଗି ନୂଆହୋଇ ଧରାହୋଇ ଆସିଥିବା ଛେଳି, ତା’ର ମତ ପଚାରିବାକୁ ଉଗ୍ରସେନମାନଙ୍କର ବେଳ କାହିଁ ?

 

୧୨ । ୫ । ୮୪

Image

 

ଏକ ମଞ୍ଚ ଯେତେବେଳେ ଥିଲା

 

ଯେତେବେଳେ ଏକ ମଞ୍ଚ ରହିଥିଲା, ସେତେବେଳେ ବିଚାର କୁଆଡ଼େ ଯାଇଥିଲା ? ବର୍ତ୍ତମାନ ଫିକରଗୁଡ଼ାକ ପୂରା ଧରାପଡ଼ିଯିବା ପରେ ଯେଉଁମାନେ ତଥାପି ଆଉଥରେ ସଭାମାନଙ୍କରେ ଜୁଆଇଁ ହୋଇ ବସିବାକୁ କେତେ ନା କେତେ ଉତ୍ତେଜନା ଦେଖାଉଛନ୍ତି, ଏମାନଙ୍କର ମଞ୍ଜ ଭିତରେ ଯେ ପ୍ରକୃତରେ ଆଦୌ କୌଣସି ବିଚାରନାହିଁ, ଏପରି କରି ସେମାନେ ହୁଏତ ସେହି କଥାଟିକୁ ଭାରି ଧରାପକାଇ ଦେଉଛନ୍ତି । ଦିନେ ସେମାନଙ୍କର ଏକ ବିଚାର ହୁଏତ ରହିଛି ବୋଲି ବିଶ୍ଵାସ କରି ଲୋକେ ସେମାନଙ୍କୁ ଏକ ମଞ୍ଚ ଉପରକୁ ଡାକି ଆଣିଥିଲେ । ସେହି ମଞ୍ଚ ଉପରକୁ ଆସି ସେମାନେ ପରସ୍ପରକୁ ଶିଶୁପାଳ ବନାଇଲେ, ନାକୋଇ ହୋଇ ପଳାଇଲେ । ମଞ୍ଚଟାଏ ଗଢ଼ି ଏମାନେ ଯେତେବେଳେ ବର୍ତ୍ତମାନ ପୁନର୍ବାର ସ୍ଵୟମ୍ବର ସଭାକୁ ମନକରୁଛନ୍ତି, ସେତେବେଳେ ସେମାନଙ୍କୁ ଅନାଇ ଠୋ’ ଠୋ’ ହସିବା ବ୍ୟତୀତ ଲୋକମାନଙ୍କର ଆଉ କ’ଣ କରିବାର ଅଛି ?

 

ଯାହାର ବିଚାର ବୋଲି କିଛି ଥାଏ, ସିଏ ଆପଣାକୁ ବୁଝେ । ଆପଣାର ଚଉପାଶକୁ ବୁଝେ । ସିଏ ଆପଣାର ଚତୁଃପାର୍ଶ୍ୱ ଲାଗି ଯୋଗ୍ୟହୁଏ । ଯୋଗ୍ୟହୋଇ ତାହାକୁ ନେତୃତ୍ୱ ଦିଏ । ସେହି ଯୋଗ୍ୟହେବାର ଉଦ୍ୟମ କ୍ରମରେ ମଞ୍ଚଟିଏ ହୁଏତ ଆପେଆପେ ଗଢ଼ି ହୋଇଯାଏ । ମଞ୍ଚ ସହିତ ବିଚାର ରହିଥିଲେ ମଞ୍ଚ ଏବଂ ବିଚାର ଉଭୟେ ସଂଗତି ରଖିଥାନ୍ତି । ମଞ୍ଚ ବିଚାରଲାଗି ଅଧିକରୁ ଅଧିକ ଯୋଗ୍ୟ ହେବାରେ ଲାଗିଥାଏ ଏବଂ ବିଚାର ମଧ୍ୟ ମଞ୍ଚଲାଗି ଅଧିକରୁ ଅଧିକ ଆହ୍ୱାନର ଭୂମିଗୁଡ଼ିକ ଆଣି ପ୍ରସ୍ତୁତ କରି ଦେଉଥାଏ । ଏହାଦ୍ୱାରା ଉଭୟେ ସୁସ୍ଥ ରହନ୍ତି । ତେବେ ଯାଇ ସେଥିରୁ ଉଦ୍‍ଭୁତ ହେଉଥିବା ନେତୃତ୍ୱକୁ ଏକ ସୁସ୍ଥ ନେତୃତ୍ୱ ବୋଲି କୁହାଯାଏ । ଯାବତୀୟ ସଭା ଓ ଯାବତୀୟ କଥା ସେତେବେଳେ ଯଥାର୍ଥ ସୁସ୍ଥତାର ବୃଦ୍ଧିସାଧନ କରେ, ଯଥାର୍ଥ ଅଗ୍ରଗତିରେ ନିମିତ୍ତ ହୁଏ ।

 

ବିଚାରବାନ୍‍ ମଣିଷ ଆପଣାର ଲାଜଗୁଡ଼ିକ ମଧ୍ୟ ଭଲକରି ବୁଝିଥାଏ । ଆପଣାର ଲାଜକୁ ବୁଝିବା ଅର୍ଥାତ ଆପଣାର ସୀମାଗୁଡ଼ିକୁ ବୁଝିବା । ଫଳ ଫଳାଇବାର ଆଶା ଚାଲିଗଲେ ଯିଏ ତଥାପି ଫଳ ଫଳାଇବାର ବାହାଦୁରୀ କରି ବାହାରିଥାଏ, ହୁଏତ ସେତିକିବେଳେ ଏକ ହାସ୍ୟକର ପ୍ରକୋପ ଦେଖାଇ ସେହି ବିଚାରହୀନ ବ୍ୟକ୍ତି ମଞ୍ଚଟାକୁ କାମୁଡ଼ିକରି ରହିବାକୁ ଇଚ୍ଛା କରିଥାଏ । ଏବେ ଯେଉଁ ବୁଢ଼ାମାନେ ମଞ୍ଚଟାଏ ଗଢ଼ି ପୁନର୍ବାର ଯୌବନବେଶରେ ସଜ୍ଜିତ ହୋଇ ବସିବାକୁ ହୁଙ୍କାର ମାରୁଛନ୍ତି, ଆମେ ସେମାନଙ୍କୁ ହୁଏତ କେବଳ କରୁଣା ହିଁ କରିବା । ସେମାନଙ୍କର ବେଳ ଗଡ଼ିଯାଇ ସାରିଲାଣି । ତେଣୁ ଏହି ପରିସ୍ଥିତିରେ ଯଦି ସେମାନଙ୍କ ଭିତରେ ବିଚାର ବୋଲି ପ୍ରକୃତରେ ଆଦୌ କୌଣସି ପଦାର୍ଥ ଏତେ ଟିକିଏ ବି ରହିଥାଏ, ତେବେ ସେମାନଙ୍କର ଯାବତୀୟ ମଞ୍ଚରୁ ଅପସରି ଚାଲିଯିବା ହିଁ ହୁଏତ ଏକମାତ୍ର କର୍ତ୍ତବ୍ୟ ହେବ । କେବଳ ତାହାରି ଦ୍ୱାରା ହିଁ ସେମାନେ ଆମର ମନେ ରହିପାରିବେ, ସମ୍ମାନର ସହିତ ମନେ ରହିପାରିବେ ।

 

ଆଗକୁ ଯେଉଁ ବିଚାର ଆସୁଛି ଏବଂ ଆଗକୁ ଯେଉଁ ମଞ୍ଚ ମଣିଷଲାଗି ଅପେକ୍ଷା କରି ରହିଛି, ତାହାର ଆୟତନ ମଧ୍ୟରେ ଏହି ନଷ୍ଟକଟି କାଲିକାମାନଙ୍କ ଲାଗି ଆଦୌ କୌଣସି ସ୍ଥାନ ରହିବ ନାହିଁ । ଏମାନଙ୍କର ଗଣିତଗୁଡ଼ାକ ସେହି ନୂତନ ଉଦବେଳନର କ୍ଷେତ୍ରରେ ଆଦୌ କୌଣସି କାମ ଦେବନାହିଁ । ଏଥର ଦିନ ହୋଇ ଆସୁଛି । ତେଣୁ ବାଦୁଡ଼ିମାନେ ଆପଣା ଆପଣାର ଡାଳଗୁଡ଼ିକ ଆବୋରି ସେହିଠାରେ ହିଁ ରହନ୍ତୁ । ଦିନର ନୂତନ ଆକାଂକ୍ଷା ଗୁଡ଼ିକଲାଗି ଆଉକୌଣସି ପ୍ରକାରେ ବାଟ ଓଗାଳି ନ ବସନ୍ତୁ । ଯାହାର ବିବେକ ଥାଏ, ସିଏ କଦାପି ବଳାତ୍କାର କରି ଘରଗୁଡ଼ାକୁ ମାଡ଼ିବସି ରହିବାକୁ ଇଚ୍ଛା କରେନାହିଁ । ମଞ୍ଚକୁ ହିଁ ବିଚାର ବୋଲି ଭାବୁଥିବା ପ୍ରଲୁବ୍ଧମାନେଏକଥା ଭାବନ୍ତୁ ।

 

୨୦ । ୫ । ୮୪

Image

 

ରାଜନୀତିରୁ ଊର୍ଦ୍ଧ୍ଵରେ

 

ରାଜନୀତିବାଲାମାନେ ଯେତେବେଳେ ରାଜନୀତିରୁ ଉର୍ଦ୍ଧ୍ଵକୁ ଉଠିଗଲେ ବୋଲି କହିବାକୁ ଆରମ୍ଭ କରନ୍ତି, ସେତେବେଳେ ସୁବର୍ଣ୍ଣ କଙ୍କଣଟାଏ ହାତରେ ଧରି ବସିଥିବା ଚାନ୍ଦ୍ରାୟଣ ବ୍ରତଧାରୀ ମିଛବୈରାଗୀ ବାଘଟା କଥା ଭାରି ମନେପଡ଼ିଥାଏ । ସେତେବେଳେ ସେମାନଙ୍କ ଦେହଯାକ ମେଞ୍ଚାମେଞ୍ଚା ରାଜନୀତି ଲାଗି ରହିଥାଏ, କାଶିଦେଲା ମାତ୍ରକେ ନାକ ଭିତରୁ ରାଜନୀତିର ସିଂଘଣିଗୁଡ଼ାକ ହିଁ ବାହାରିବାରେ ଲାଗିଥାଏ, —ଯାବତୀୟ ଗଭାମଣ୍ଡନର ବଚନାବରଣ ତଳେ ମୁଣ୍ଡ ଭିତରେ ସେହି ରାଜନୀତିର ଉକୁଣୀମାନେ ହିଁ ନୂଆନୂଆ ନିଖମାନଙ୍କୁଜନ୍ମ ଦେବାରେ ଲାଗିଥାନ୍ତି । ହୁଏତ ଏହି ମଞ୍ଚମଣ୍ଡଳ ଉପରେ ଗୋଟାଏନୂଆ ପ୍ରକାରର ଶେନ୍ୟଦୃଷ୍ଟି ରଖିବାକୁ ମନସ୍ଥ କରି ପେଟ ଭିତରେ ରାଜନୀତିର ଗୁହଗୁଡ଼ାକୁ ଲୁଚାଇ ରଖିଥିବା ନିପଟ ରାଜନୀତିବାଲାମାନେ ସେମାନେ ରାଜନୀତିରୁ ଉର୍ଦ୍ଧ୍ଵରେ ରହିବେ ବୋଲି ବଜାର ଭିତରେଗୋଟାଏ ହୋ' ଲଗାଇ ଦେବାକୁ ମନ କରୁଥାନ୍ତି । ବୈରାଗ୍ୟ ଏକ କୌଶଳରୂପେ କାମ ଦିଏ, ନିଃଶ୍ଵାସ ମାରିବାକୁ ସମୟ ଦିଏ, ନିରୀହ କଙ୍କଣ ଲୋଭୀ କେତେଟା ସେହି ଉପାୟରେ ହୁଏତ ଧାରା ବିପଡ଼ିଯାଆନ୍ତି ।

 

ଆଉ ଗୋଟାଏ ଦୃଷ୍ଟିରୁ ଦେଖିଲେ, କେବଳ ଆପଣାର ବୃତ୍ତଗୁଡ଼ିକୁ ହିଁ କାମୁଡ଼ି କରି ରହି ସାଧାରଣ ଜୀବନର ଅରଣ୍ୟରେ ମହାବଳ ହୋଇ ରହିବାକୁ ରାଜନୀତି ବୋଲି ଭାବୁଥିବା ମତ୍ତ ଓ ଆତ୍ମକାମୀମାନେ କେତେବେଳେ ହେଲେ ବି ପ୍ରକୃତରେ ରାଜନୀତି ଭିତରେ ନ ଥାନ୍ତି । ସେମାନେ ଆତ୍ମକାମୀ ହୋଇ ରହିଥାନ୍ତି । କାମନାଗୁଡ଼ାକର ଉତ୍କଟ ବିଷରେ ରାଜନୀତିକୁ ବି ମାରା କରନ୍ତି, ଯୁଗମାନଙ୍କୁ ମାରା କରନ୍ତି । ସ୍ଵପ୍ନ ଏବଂ ବିଶ୍ୱାସମାନଙ୍କୁ ହତ୍ୟା କରନ୍ତି । ଭାରତବର୍ଷରେ ହତ୍ୟାର ଏହି ସୁଆଙ୍ଗଗୁଡ଼ାକରେ ଯେଉଁମାନେ ବଳବତ୍ତର ଭୂମିକା ଗ୍ରହଣ କରି ଆସିଛନ୍ତି, ଜାଲ ବିସ୍ତାରି ଅନ୍ୟମାନଙ୍କୁ ଧରିଛନ୍ତି ଓ ହାତରୁ ଜାଲ ଖସିଗଲା ବୋଲି ରାମ୍ପୁଡ଼ି କାମୁଡ଼ି ହୋଇଛନ୍ତି—ସେମାନେ ଯଥାର୍ଥ ରାଜନୀତି ଭିତରେ କେବେହେଲେ ନ ଥିଲେ । ତେଣୁ ନିଜର ପରବର୍ତ୍ତୀ ଫନ୍ଦା ରୂପେ ବର୍ତ୍ତମାନ ସେମାନେ ପ୍ରକୃତରେ କାହାର ଉର୍ଦ୍ଧ୍ଵକୁ ଯିବେ ବୋଲି ବାଇଦ ବଜାଉଛନ୍ତି, ସେମାନେ ସେହିକଥା ବିଚାର କରନ୍ତୁ । ଆପଣା ପ୍ରତି ସାଧୁ ହୋଇ ସେହି କଥାଟିର ବିଚାର କରନ୍ତୁ ।

 

ଉର୍ଦ୍ଧ୍ୱକୁ ଯିବାକୁ ମନ କଲେ ଯାଇ ମଣିଷ ଉର୍ଦ୍ଧ୍ୱକୁ ଯାଇପାରେ । ମାତ୍ର, ସେଥିଲାଗି ପେଟ ଭିତରୁ ସବୁଯାକ ପଙ୍କ ବାହାର କରି ଆଗ ସତକୁସତ ସଫା ହୋଇଯିବାକୁ ପଡ଼େ । ପୁରୁଣା ଗୁଳାଗୁଡ଼ାକୁ ପୁରୁଣା ବୋଲି କହି ପ୍ରକୃତରେ ଛାଡ଼ି ଆସିବାକୁ ପଡ଼େ । ସିଏ ଆପଣାକୁ ହସି ଶିଖେ, ଶରଣାଗତିର ରହସ୍ୟଗୁଡ଼ିକୁ ସ୍ୱୀକାର କରି ଶିଖେ । ଆପଣାର ଅସମ୍ମତ ଓ ମୋଟା ଖୋଳଗୁଡ଼ାକୁ ସିଏ ଖୋଳ ବୋଲି ହିଁ ଜାଣିବାକୁ ଆରମ୍ଭ କରେ ଓ ତେଣୁ ସାହସର ସହିତ ସେଗୁଡ଼ାକୁ ନିଜ ଦେହରୁ କାଢ଼ିପକାଏ । ଆଉ କେବେହେଲେ ଫେରିବାକୁ ମନ କରେନାହିଁ । ନିଜର ଭାଗ୍ୟଟା ନିଜପାଇଁ ପ୍ରସନ୍ନ ହେଲାନାହିଁ ବୋଲି ମାନିକରି ତା’ର ଆଉ ଭାଗ୍ୟରେ ଲୋଡ଼ାନାହିଁ ବୋଲି ଘୋଷଣା କରୁଥିବା ମଣିଷ ଭାରି ଚମତ୍କାର ଭାବରେ ରୁଷିଜାଣେ ସିନା, ମାତ୍ର ଉର୍ଦ୍ଧ୍ୱକୁ ଉଠିପାରେନାହିଁ । ସିଏ କଦାପି ଯୋଦ୍ଧା ହୋଇ ପାରେନାହିଁ ।

 

୩ । ୬ । ୮୪

Image

 

ଯଦି ଲୋକମାନେ ଚାହାନ୍ତି

 

ସେଦିନ ମହାଦେବଙ୍କ ପଡ଼ିଆରେ ଡକା ହୋଇଥିବା ବିରାଟ ଜନସଭାରେ ବକ୍ତା ହୋଇ ଭାଷଣ ଦେଉଥିବା ଜଣେ କର୍ତ୍ତା କହିଲେ ଯେ, ଯଦି ଲୋକମାନେ ଚାହାନ୍ତି, ତେବେ ସେ ପୁଣିଥରେ ଫେରିଆସିବାକୁ ରାଜି ଅଛନ୍ତି, ଅର୍ଥାତ ପ୍ରସ୍ତୁତ ଅଛନ୍ତି, ସଜବାଜ ହୋଇ ବସିଛନ୍ତି । ଫେରି ଆସିବାର ଅର୍ଥ ହେଉଛି କ୍ଷମତାକୁ ଫେରିଆସିବା, ଅର୍ଥାତ, ସରକାର ହେବା, ମନ୍ତ୍ରୀତ୍ୱ କରିବା ଇତ୍ୟାଦି, ଇତ୍ୟାଦି ।

 

ନାୟକମାନେ ଯେତେବେଳେ କ୍ଷମତାରେ ନଥା’ନ୍ତି, ସେତେବେଳେ ଠିକ୍‍ ଏହିଭଳି ରୀତିରେ ଖଳନାୟକର ଭୂମିକାରେ ଅଭିନୟ କରୁଥାନ୍ତି ଓ ତେଣୁ, ସମଗ୍ର ସୁଆଙ୍ଗଟି ଭିତରେ ନିଦା ହୋଇ ରହିଥାନ୍ତି । କ୍ଷମତା ପ୍ରତି ସେମାନଙ୍କର କୌଣସି ଅରୁଚି ଆସେ ବୋଲି ଯେ, ସେମାନେ ବାହାରେ ଥାଆନ୍ତି; ସେକଥା ମୋଟେ ନୁହେଁ । ଲୋକମାନେ ସେମାନଙ୍କୁ ତଡ଼ି ଦେଇଥାନ୍ତି ବୋଲି ସେମାନେ ଦରବାରୀ ବାଡ଼ାଗୁଡ଼ାକର ବାହାରେ ରହିଥାନ୍ତି ଓ ପୁଣି ବାରି ଭିତରେ ପଶିବେ ବୋଲି ସୁରାଖ ଖୋଜୁଥାନ୍ତି, ମଉକା ପାଇଲା ମାତ୍ରକେ ବାଡ଼ି ଭିତରେ ମୁଣ୍ଡ ଗଳାଇ ଦେଉଥାନ୍ତି । ସମଗ୍ର ସୁଆଙ୍ଗଟିରେ ଏକ ଅପରିହାର୍ଯ୍ୟ ଅଂଶ ହୋଇ ରହିଥାନ୍ତି ।

 

ମାତ୍ର ଅସଲ କଥା ହେଉଛି, ଲୋକମାନେ ଆଉ ଏସବୁକୁ ମୋଟେ ମନ କରୁନାହାନ୍ତି । ଯେଉଁମାନେ ଦରବାର ଭିତରେ ଅଛନ୍ତି ସେମାନଙ୍କୁ ମନ କରୁନାହାନ୍ତି, ଅଥବା ଯେଉଁମାନେ ଦରବାର ବାହାରେ ରହି ପୁନର୍ବାର ଦରବାର ଭିତରେ ଆସି ପଶିବାକୁ ଛକପକ ହେଉଛନ୍ତି, ଲୋକମାନେ ସେମାନଙ୍କ ଭିତରୁ ଆଦୌ କାହାରିକୁ ଚାହୁଁ ନାହାନ୍ତି । ଲୋକମାନେ ଏମାନଙ୍କୁ ଭଲକରି ପରୀକ୍ଷା କରି ଦେଖିସାରିଲେଣି । ଲୋକେ ଆଉ ଅନ୍ୟ କିଛି ଚାହୁଛନ୍ତି, ସେମାନେ ଆଉ ଏକ ଅନ୍ୟ ପ୍ରକାରର ନେତୃତ୍ୱ ଚାହୁଁଛନ୍ତି । ଚେରଥିବା ମଣିଷମାନେ ଆପଣାର ଚେରଗୁଡ଼ାକୁ ଛିଣ୍ଡାଇ ଏଡ଼େ ଅସ୍ୱାଭାବିକ ଭାବରେ ପୃଥୁଳ ହୋଇ ବସିଥିବା ଏହି ତଥାକଥିତ ନାୟକ ଏବଂ ଖଳନାୟକମାନଙ୍କୁ ଆଦୌ କାହିଁକି ଇଚ୍ଛା କରିବାକୁ ଯିବେ ? ମାତ୍ର ଲୋକମାନେ ଚାହୁଁନଥିଲେ ମଧ୍ୟ, ଏମାନେ ବାରବାର ସତେଅବା ଦୁଗୁଣେଇ ହୋଇ ଆସୁଛନ୍ତି । ବାରବାର ବାହା ହେବାକୁ ମନ କରୁଛନ୍ତି ।

 

ବାହାରର ଏହି ଯାବତୀୟ ସକସକ ଏବଂ ସରସରର ବାହାରେ କାଳର ଅସଲ ବିଧାତା ଏହି ଦେଶରେ ଏକ ତୃତୀୟ ନେତୃତ୍ୱ ଲାଗି ଭୂଇଁଗୁଡ଼ାକୁ ପ୍ରସ୍ତୁତ କରି ଆଣୁଛି, କ୍ରୋଧଗୁଡ଼ାକୁ ଦାନା ବନ୍ଧାଇ ଆଣୁଛି, ଅସନ୍ତୋଷଗୁଡ଼ାକୁ ଏକ ନିର୍ଦ୍ଦିଷ୍ଟ ମାର୍ଗରୂପ ଦେବାରେ ଲାଗିଛି-। ଅସଲ ନେତୃତ୍ୱଟି ଆପଣାକୁ ଘୋଷିତ କରିବା ପର୍ଯ୍ୟନ୍ତ ବର୍ତ୍ତମାନର ଏହି ସୁଆଙ୍ଗ ଅବଶ୍ୟ ଚାଲିଥିବ, ପ୍ରହସନମାନେ ଆହୁରି ଅଧିକ ହାସ୍ୟକର ବି ହେଉଥିବେ, ଚଳିତଶକ୍ତି ନଷ୍ଟବୀର୍ଯ୍ୟମାନେ ତଥାପି ନାନାଭଳି ଦର୍ପରେ ସୁଆଙ୍ଗ ଦେଖାଇବାରେ ଲାଗିଥିବେ । ଏମାନଙ୍କର ଅଭିନୟଗୁଡ଼ିକ ପରବର୍ତ୍ତୀ ଅନ୍ୟ ନେତୃତ୍ୱଟିକୁ ସମ୍ଭବତଃ ଭାରି ସୁଯୋଜିତ ଭାବରେ ତ୍ୱରାନ୍ୱିତ କରି ଆଣୁଥିବ-

 

୧୦ । ୬ । ୮୪

Image

 

ଗଣଧର୍ଷଣରେ ଗଣ କେଉଁମାନେ ?

 

ଗଣଧର୍ଷଣରେ ଆମେ ସମସ୍ତେ ଗଣ, କେବଳ କୌଣସି ତାତ୍କାଳିକ ମଉକା ପାଇଁ ଯେତିକିଜଣ ପୁରୁଷ ଜଣେ ସ୍ତ୍ରୀକୁ କାବୁ କରି ପକାନ୍ତି ଓ ବାହାରୁ କେହି କୌଣସି, ସୁରାଖ ପାଇବା ପୂର୍ବରୁ ଭାରି ଅସମ୍ମାନଜନକ ଭାବରେ ହାବୁଡ଼ି ଯାଇଥିବା କାର୍ଯ୍ୟଟିକୁ ସାରିଦିଅନ୍ତି, ଗଣଧର୍ଷଣଗୁଡ଼ାକରେ ଆମେ ଖାଲି ସେହିମାନଙ୍କୁ ମୋଟେ ଦାୟୀକରି ପାରିବାନାହିଁ । ଏମାନେ ହେଉଛନ୍ତି ଆମ ସମାଜର ପ୍ରତିନିଧି । ଏକ ସମାଜ ନାମରେ ଯେଉଁସବୁ ବିଡ଼ମ୍ବନାକୁ ଆମେ ଏଠାରେ ଶାସ୍ତ୍ରୀୟ ଉଗ୍ରୋଧ ଦେଇ ରଖିଆସିଛୁ, ସେହିସବୁ ବିଡ଼ମ୍ବନାର ହିଁ ପ୍ରତୀକ ।

 

ଗଣଧର୍ଷଣରେ ପୁରୁଷର ଯୌନ ଲାଳସା ଖୁବ୍‍ ବେଶୀ ଭୂମିକା ଗ୍ରହଣ କରେନାହିଁ । ଆପଣାକୁ ଯଥାର୍ଥ ଭାବରେ ପରିତୃପ୍ତ କରିବା ସକାଶେ ଯୌନ ଲାଳସା ମଧ୍ୟ ଆଉ ଜଣକୁ ସହଯୋଗିନୀ ରୂପେ ପାଇବାଲାଗି ଖୋଜୁଥାଏ । ଯାହାର ଯୌନ ଲାଳସା ପ୍ରକୃତରେ ଯୌନଭୂମିର ହିଁ ଏକ ଲାଳସା ହୋଇ ରହିଥାଏ, ସିଏ କଦାପି ଅଇଁଠା ଥାଳିଟାଏ ଦେଖିବା ମାତ୍ରକେ ତାହାରି ଉପରକୁ ଫକ୍‍କରି ଡେଇଁ ପଡ଼େନାହିଁ । ଯୌନ କାମନାରେ ସତ ଏକ କ୍ରୀଡ଼ାଭାବ ବି ରହିଥାଏ ଯାହାକି କୌଣସିପ୍ରକାର ଏକତରଫା ଦୁର୍ଦ୍ଦଣ୍ଡତା ଦ୍ୱାରା ଆଦୌ ପରିତୃପ୍ତି ଲାଭ କରେନାହିଁ । ଆମେ ଯେଉଁ ତଥାକଥିତ ସାମାଜିକମାନେ ଗଣଧର୍ଷଣକୁ ଅସାମାଜିକ ବୋଲି କହି ହୁରିପକାଉ ଏବଂ ତାହାକୁ ଅତ୍ୟନ୍ତ ଅହେତୁକୀ ଭାବରେ ଏକ ନୈତିକ ବର୍ଣ୍ଣାଢ଼୍ୟତା ଦେଇ ବର୍ଣ୍ଣନ କରିବାରେ କେତେ ଉତ୍ସାହ ଦେଖାଉ ଆମ ସମାଜର ପ୍ରତ୍ୟେକ ଗଣଧର୍ଷଣ ପାଇଁ ଆମେ ସମସ୍ତେ ଦାୟୀ ।

 

ଯେଉଁ ସମାଜ କାଳକାଳ ଧରି ପୁରୁଷକୁ ଯାବତୀୟ ଉଦ୍ଦଣ୍ଡତାକୁ ପରିଭୂଷିତ କରି ରଖିବାରେ କେଡ଼େ ପାଣ୍ଡିତ୍ୟ ଦେଖାଇଛି ଏବଂ ତେଣୁ ନାରୀକୁ ଏକ ନିକୃଷ୍ଟ ସ୍ତରର ଅବଳା କରି ରଖିବାକୁ ହିଁ ସମାଜର ଗୌରବ ବୋଲି ମଣିଛି ସେହି ସମାଜରେ ହିଁ କୌଣସି ଗଣଧର୍ଷଣ ସମ୍ଭବ ହୋଇପାରେ । ବୈଷମ୍ୟଗୁଡ଼ାକ ଯାବତୀୟ ପ୍ରଶୟ ଦିଆଯାଇ ରଖାଯାଇଥିବା ଆମ ସମାଜରେ ଗଣଧର୍ଷଣର ଏକ ଆର୍ଥିକ ପ୍ରସ୍ଥ ମଧ୍ୟ ରହିଛି କେବଳ ଦରିଦ୍ର ଘରର ନାରୀମାନେ ହିଁ ଏହିସବୁ ଆବର୍ଜିଆପଣର ଶରବ୍ୟ ହେଉଛନ୍ତି । ଯେଉଁ ମଣିଷ ଭିତରେ ସିଏ ଆପେ ଜଣେ ମଣିଷ ବୋଲି ଏତେକିଟିଏ ବି ସମ୍ମାନବୋଧ ରହିଥିବ, ତାକୁ ସଂସାରର ସବୁଯାକ ଗଧିଆ ମିଶିଲେ ମଧ୍ୟ କଦାପି ଧର୍ଷଣ କରିପାରିବେ ନାହିଁ ।

 

ସମାଜରେ ଉପରବାଲାଙ୍କ ଭିତରେ ନୈତିକତାର ପ୍ରଚାର କରୁଥିଲେ ସମାଜର ବର୍ବରତା ଯିବ ନାହିଁ । ସମାଜର କୌଣସି ମଣିଷ; ସିଏ ପୁରୁଷ ହେଉ ଅଥବା ସ୍ତ୍ରୀ ହୋଇଥାଉ, ଯେପରି ନୀରବଏବଂ ଅସହାୟ ଭାବରେ ଆଦୌ କୌଣସି ଧର୍ଷଣକୁ ମାନି ନେବନାହିଁ, ତାକୁ ଆମ ସମାଜର ଏକ ଅତ୍ୟାବଶ୍ୟକ ସାଧାରଣ ସଂସ୍କାର ହିସାବରେ ସେତିକି ବଳର ଉପଯୁକ୍ତ ହେବାଲାଗି ଅବସର ଯୋଗାଇ ଦିଆଯାଇ ପାରିଲେ, ଧର୍ଷଣ ଲାଗି ରହିଥିବା ଯାବତୀୟ ଅନୁକୂଳ ପରିସ୍ଥିତି ଦୂର ହୋଇଯିବ । ମାତ୍ର, ଯେଉଁ ସମାଜ ବହୁସଂଖ୍ୟକଙ୍କୁ ଅଧମ ରଖି ଅଳପଙ୍କୁ ସକଳ ଗୁଣର ଉପଭୋଗୀ କରି ରଖିବାର ମନ୍ଦ ଚେଷ୍ଟାକୁ ଏକ ଉତ୍ତମ ନୀତି ବୋଲି ମାନିଆସିଛି, ସେହି ସମାଜରେ ଠିକ୍‍ ଏହି କାର୍ଯ୍ୟଟି ହିଁ ସବୁଠାରୁ ଅଧିକ ଉପେକ୍ଷିତ ହୋଇ ରହିଥାଏ ।

 

୨୨ । ୭ । ୮୪

Image

 

ଆଦର୍ଶବାଦୀ ଏକଛତ୍ର

 

ସାମରିକ କର୍ତ୍ତାମାନେ ଯେତେବେଳେ ଖାଲି ସୈନ୍ୟବାହିନୀରେ ରହି ସନ୍ତୋଷ ନ ପାଆନ୍ତି, ସେମାନେ ସେତିକିବେଳେ ଆଦର୍ଶବାଦୀ ବନାନ୍ତି । ସୈନ୍ୟଶକ୍ତି ବଳରେ ସେମାନେ ରାଜଶକ୍ତି ଅର୍ଥାତ ରାଷ୍ଟ୍ରଶକ୍ତିକୁ ଅଧିକାର କରିନିଅନ୍ତି । ପୃଥିବୀରେ ଆମର ଆଧୁନିକ ଇତିହାସରେ ଏକାଧିକ ଦେଶରେ ସାମରିକ ବାହିନୀର ମୁଖ୍ୟମାନେ ସୈନ୍ୟଶକ୍ତି ବଳରେ ରାଜଶକ୍ତିକୁ ହଡ଼ପ କରି ନେଇଛନ୍ତି ବୋଲି କ୍ରମେ ଶକ୍ତିହୀନମାନେ ତାହାକୁ ହିଁ ସତେ ଅବା ଏକ ସ୍ୱାଭାବିକ ଘଟଣା ବୋଲି ପରତେ ଯିବାକୁ ଆରମ୍ଭ ବି କଲେଣି । ସୈନ୍ୟଶକ୍ତି ଧର୍ମତଃ ଏକଛତ୍ର ବ୍ୟତୀତ ଆଉ ଅନ୍ୟ କୌଣସି ତନ୍ତ୍ର ଜାଣେନାହିଁ । ତେଣୁ ଯେଉଁଠି ସୈନ୍ୟାଧ୍ୟକ୍ଷମାନେ ବନ୍ଧୁକ ମାରି ହତ୍ୟାର ବୈତରଣୀ ପାରିହୋଇ ରାଜାହୋଇ ବସୁଛନ୍ତି, ସେଠାରେ ସେମାନେ ଏକଛତ୍ରଟାକୁ ହିଁ ଜାରି କରି ରଖୁଛନ୍ତି । ଏକଛତ୍ର ଦ୍ୱାରା ଶାସିତ ହେଉଥିବା ଏକ ରାଜ୍ୟ ଯେ ରାମରାଜ୍ୟଠାରୁ ମଧ୍ୟ ଅଧିକ ସୁଆଦିଆ, ମଣିଷକୁ ସାଧ୍ୟ କରି ସେମାନଙ୍କୁ ସେହିପରି ଏକ ଅପବିଶ୍ଵାସରେ ମଣ କରି ରଖୁଛନ୍ତି । ଯାଉଣୁ ଆସୁଣୁ ଧର୍ମର କଥା କହୁଛନ୍ତି । ଧର୍ମ ଅନୁସାରେ ତନ୍ତ୍ରବସିବ ଓ ତାହାକୁ ହିଁ ଅଲବତ ଗଣତନ୍ତ୍ର କୁହାଯିବ ବୋଲି ଅଧ୍ୟାଦେଶମାନ ଜାରି କରୁଛନ୍ତି ।

 

ଏହି ଆଦର୍ଶବାଦୀମାନେ ଆପଣାର କିଲ୍ଲାଗୁଡ଼ାକୁ ମଜବୁତ କରି ରଖିବା ଉଦ୍ଦେଶ୍ୟରେ ପାଶ୍ଚାତ୍ୟ ଦେଶମାନଙ୍କରୁ ସାହାଯ୍ୟ ଆଣୁଛନ୍ତି । ସାମରିକ ସାହାଯ୍ୟ ଆଣୁଛନ୍ତି—ଭାତହାଣ୍ଡି ପାଇଁ ଭାତ ମାଗି ଆଣୁଛନ୍ତି ଓ ଗୁଡ଼ହାଣ୍ଡି ପାଇଁ ଗୁଡ଼ ବି ମାଗିଆଣୁଛନ୍ତି । ପାଶ୍ଚାତ୍ୟ ଦେଶମାନଙ୍କରେ ଗଣତନ୍ତ୍ର ଚାଲିଛି । ଆମ ଆଦର୍ଶବାଦୀ ଏକଛତ୍ରମାନେ ବନ୍ଧୁହିସାବରେ ତେଣୁ ସବୁକିଛି ମାଗୁଛନ୍ତି ଓ ସବୁକିଛି ଆଣୁଛନ୍ତି ସତ ମାତ୍ର ଗଣତନ୍ତ୍ରକୁ କଦାପି ମାଗୁନାହାନ୍ତି । ଗଣତନ୍ତ୍ରର ଯେତିକି ହାଉଆ ତଥାପି ଦେଶ ଭିତରେ ଆସି ପହଞ୍ଚିପାରୁଛି, ଏକଛତ୍ର ଶାସକର ଦାଉରେ ତାହାକୁ ଏକ ଧର୍ମବାଦୀ ଜର୍ସି ପିନ୍ଧିବାକୁ ପଡ଼ୁଛି । ଧର୍ମ ରହିଥିବା ପର୍ଯ୍ୟନ୍ତ ଏକଛତ୍ର ଅବଶ୍ୟ ରହିଥିବ । ଅଳ୍ପବିଶ୍ୱାସୀ ସେନାଧ୍ୟକ୍ଷମାନେ ସେହି କଥାଟିକୁ ଭଲକରି ଜାଣିଛନ୍ତି ।

 

ଅର୍ଥାତ; ପଶ୍ଚିମରୁ ଅର୍ଥ ଆସିବ; ଅସ୍ତ୍ରଶସ୍ତ୍ର ଆସିବ, ମାତ୍ର ଧର୍ମପୁସ୍ତକ ଅନୁସାରେ ଶାସନ ଚାଲିବ । ପଶ୍ଚିମର ଶାସନଛାଞ୍ଚଗୁଡ଼ାକୁ ଆଦୌ ଆସିବାକୁ ଦିଆଯିବନାହିଁ । ଧୁରନ୍ଧର ଦୁଃଶାସନମାନେ ଏବେ ଏହିପରି ଏକ ସୂତ୍ରରେ କୋଟିକୋଟି ଲୋକଙ୍କର ଭାଗ୍ୟକୁ ବାନ୍ଧିକରି ରଖିଛନ୍ତି । ଆଧୁନିକ ବିଶ୍ୱ-ରାଜନୀତିରେ ଏଇଟା ଏବେ ଏକ ପ୍ରଧାନ ବିଡ଼ମ୍ବନାରେ ପରିଣତ ହେବାକୁ ଯାଉଛି । ପୃଥିବୀର ଲୋକମାନଙ୍କୁ ଧର୍ମଦାଣ୍ଡର ଛେରାପହଁରାଗୁଡ଼ାକ ଭିତରେ ଏପରି ବିଚକ୍ଷଣତା ସହିତ ଶାନ୍ତ ଛେଳି କରି ରଖିଦିଆଯାଇଛି ଯେ, ସେମାନେ ଅନେକ ସମୟରେ ସେହି ବିଡ଼ମ୍ବନା ଭିତରୁ ବାହାରିବାକୁ ବି ମନ କରୁନାହାନ୍ତି । ବିଶ୍ୱର ରାଜନୀତି ଦିନୁଁ ଦିନ ଅଧିକରୁ ଅଧିକ ଅବର୍ଜିଆ ହେବାରେ ଲାଗିଛି । ବିଶ୍ୱ-ନିୟତି ମାଡ଼ଖାଇ ଯାଉଛି । ବନ୍ଧୁକଧାରୀମାନେ ଯେଉଁ ପୃଥିବୀରେ ଆଦର୍ଶବାଦଗୁଡ଼ାକର ସତ୍ତ୍ୱାଧିକାରୀ ହୋଇ ରହିଲେ, ସେହି ପୃଥିବୀର ରାଜନୀତି ମଞ୍ଚରୁ ଆମେ ଆଉ ଅଧିକ କ’ଣ ଆଶା କରିପାରିବା ?

 

୧୫ । ୭ । ୮୪

Image

 

ଓଡ଼ିଶା ଓ ହତଭାଗ୍ୟ ଜୟଦେବ

 

ଜୟଦେବ କବି ଥିଲେ, ପ୍ରେମିକ ଥିଲେ, ସ୍ରଷ୍ଟା ଥିଲେ, ଦ୍ରଷ୍ଟା ଥିଲେ । ଗୋବିନ୍ଦଙ୍କୁ ନେଇ ଗୀତ ଲେଖୁଥିଲେ । ଯିଏ ଗୋବିନ୍ଦଙ୍କୁ ପାଇଥାଏ, ସିଏ ଅକସ୍ମାତ୍‍ ଭାବରେ ଯେଉଁ ଭୂଇଁରେ ଜନ୍ମ ହୋଇଛି, ସେହି ଭୂଇଁଟା ଯେ ତା’ର ସେକଥା ଅତ୍ୟନ୍ତ ସହଜ ଏବଂ ଅନାସକ୍ତ ଭାବରେ ଭୁଲିଯାଏ ସିଏ ଗୋବିନ୍ଦଙ୍କୁ ପାଇଥାଏ, ତେଣୁ ଭୂଇଁଟା ମଧ୍ୟ ସେହି ଗୋବିନ୍ଦଙ୍କର ହିଁ ହୋଇଥିବ ବୋଲି ଅତ୍ୟନ୍ତ ପ୍ରତ୍ୟକ୍ଷ ଭାବରେ ଅନୁଭବ କରୁଥାଏ । ଭୂଇଁଟା ଗୋବିନ୍ଦଙ୍କର ବୋଲି ଏହି ଭୂଇଁକୁ ସେ ଆପଣାର ବୋଲି ଅନୁଭବ କରେ ।

 

ଗୋବିନ୍ଦଙ୍କୁ ଆପଣାର ଅନୁଭବ କରିପାରୁ ନାହିଁ ବୋଲି ଆମେ ଯେଉଁ ଅରସିକମାନେ ଭୂଇଁ ଭୂଇଁ ଭିତରେ ନାନା ବାରଣ ଆଣି ପୂରାଇଦେଉ ଓ ତେଣୁ ଏ ଭୂଇଁକୁ ନିଜର ବୋଲି କହିପାରିବାକୁ ଭୂଇଁଗୁଡ଼ାକୁ ଅନ୍ୟର ବୋଲି ହୁଙ୍କାରିବାରେ ବାହାରି ଥାଉ, ଭିତରେ ଆମ କଲିଜା ଭିତରେ ଆମକୁ ଆମ ଅସମର୍ଥତାଗୁଡ଼ାକର କେତେ ନା କେତେ କଙ୍କଡ଼ାବିଛା କାମୁଡ଼ି ଧରିଥାନ୍ତି । ଏହି କଙ୍କଡ଼ାବିଛାମାନେ ଆଦୌ ଭୂଇଁ ବାରନ୍ତି ନାହିଁ । ଓଡ଼ିଶାର ଭୂଇଁରେ ଯେପରି ମାତି ପାରନ୍ତି, ବଙ୍ଗଳାର ଭୂଇଁରେ ମଧ୍ୟ ଠିକ୍‍ ସେହିପରି ସମାନ ଓଜସ୍ଵିତା ସହିତ ମାତି ପାରନ୍ତି । ଗୀତଗୋବିନ୍ଦର କବି ଓଡ଼ିଶାର କିମ୍ବା ବଙ୍ଗଳାର ବୋଲି ପ୍ରମାଣ କରିବାରେ ସେମାନେ ଗବେଷଣର କଚେରୀ ବସାନ୍ତି ଓ ସେହି କଚେରୀରୁ ଫଇସଲା ଆଣି ଆପଣାର ଡିହ ଉପରେ ଭାରଣ୍ଡା ପକ୍ଷୀପରି ନାଚୁଥାନ୍ତି । ମହା ଭାଗ୍ୟର କଥା ଯେ, କବି ଜୟଦେବଙ୍କୁ ଏପରି କୌଣସି କଙ୍କଡ଼ା ବିଛା କାମୁଡ଼ିଧରି ନଥିଲା । ତାଙ୍କର କାବ୍ୟପ୍ରୀତି ଭୂଇଁ ସୁଆଦକୁ ଚାଖି ଭୂଇଁରେ ବାନ୍ଧିହୋଇ ରହିବାଲାଗି ତାଙ୍କୁ ଆଦୌ କୌଣସି ଫୁରସତ ଦେଇ ନଥିଲା; ତେଣୁ ଜୟଦେବ ଅମର ହୋଇ ରହିଲେ, ତାଙ୍କର କାବ୍ୟଗାଥା ମଧ୍ୟରେ ଗୋବିନ୍ଦ ସବୁଦିନ ପାଇଁ ଗୁଣକାର ହୋଇ ରହିଲେ । ମାତ୍ର ଭୂଇଁ ବେପାରୀ ଗବେଷକମାନେ ତୁଚ୍ଛା ଆଇଁଷଗୁଡ଼ାକ ମଧ୍ୟରେ ହିଁ ଘାଣ୍ଟି ହେଲେ, ସେମାନେ ମିଛ କାଷ୍ଠା କଲେ, ମାତ୍ର ଅସଲ ଗହନଟିର ଯୋଗ୍ୟ ହେଲେ ନାହିଁ । ହୁଏତ ଯୋଗ୍ୟ ହେବାକୁ ମନ ବି କଲେନାହିଁ ।

 

ଗୀତଗୋବିନ୍ଦକୁ ନେଇ ଆହୁରି ଅଧିକ ବେପାର ହେଉ, ନାଟ ହେଉ, ଗବେଷଣା ହେଉ, ଭୂଇଁ ବିକଳ ମାନେ ଆହୁରି ଅଧିକ ଉଚ୍ଛନ୍ନ ହୋଇ କ୍ରନ୍ଦନ ଲଗାଇଥାନ୍ତୁ ଓ ତାହାକୁ ହିଁ ଜୀବନର ଅସଲ ଲୋଡ଼ିବା ବୋଲି କହି ଡିଣ୍ଡିମ ବଜାଉଥାନ୍ତୁ ପଛକେ, ସକଳ ଭୂଇଁର ସ୍ଵାଧିକାର ପ୍ରମତ୍ତତାଗୁଡ଼ାକୁ ଅତିକ୍ରମ କରି ସଂସାରରେ କାବ୍ୟ ଅବଶ୍ୟ ବଞ୍ଚି ରହିବ, କବିମାନେ ଅବଶ୍ୟ ଗୋବିନ୍ଦଙ୍କୁ ହିଁ ଲୋଡ଼ିବେ । ଲୋଡ଼ି ଲୋଡ଼ି ଯୁଆଡ଼େ ଯାଉଥିବେ, ସେହି ଭୂଇଁଗୁଡ଼ାକୁ ବୃନ୍ଦାବନ ବୋଲିଅନୁଭବ କରୁଥିବେ । ଜୟଦେବଙ୍କ ସମୟରେ କୌଣସି ଓଡ଼ିଶା ନ ଥିଲାକି କୌଣସି ବଙ୍ଗଳା ନ ଥିଲା, —ଏହାକୁ କାବ୍ୟ ଲାଗି ପ୍ରକୃତରେ ଏକ ମହାଭାଗ୍ୟ ବୋଲି କହିବାକୁ ହେବ । ଆମ ବେପାରୀମାନଙ୍କ ପାଇଁ ଭୂଇଁଗୁଡ଼ାକ ଥିଲେ ମଧ୍ୟ ବ୍ରହ୍ମାସ୍ୱାଦର ଭାଗ୍ୟ ଯେ ଆମଲାଗି ଆଦୌ କେଉଁଠି ହେଲେ ନାହିଁ, ତାହାକୁ ମଧ୍ୟ ଗୋବିନ୍ଦଙ୍କର ଏକଲୀଳା ବୋଲି କୁହାଯିବ ।

 

୧୭ । ୬ । ୮୪

Image

 

ଆମେ ସବୁ କେଡ଼େ ବିଚିତ୍ର

 

ଆମେ ଯେଉଁମାନେ ବର୍ତ୍ତମାନର ସମାଜରେ ସବୁଠାରୁ ଅଧିକ ସାମାଜିକ ଅର୍ଥାତ ସବୁଠାରୁ ଅଧିକ ସଫଳହୋଇ ବସିଛୁ ବା ଅନ୍ତତଃ ତାହାହିଁ ହେବାପାଇଁ ଅନବରତ ଚେଷ୍ଟା କରୁଛୁ, ଆମେ ସବୁ ପ୍ରକୃତରେ ଭାରି ବିଚିତ୍ର । ଆମେ ମୁଣ୍ଡ ନୁଆଁଉ ଥିବାବେଳେ ଯେତିକି ବିଚିତ୍ର, ମୁଣ୍ଡ ନୁଆଁଇବା ଉଚିତ ହେବ କି ନାହିଁ ସେ କଥା ଚିନ୍ତା କରୁଥିବା ବେଳେ ମଧ୍ୟ ସେତିକି ବିଚିତ୍ର । କାହାକୁ ନୃପରାଜ ବୋଲି ଘୋଷଣା କରି ବଡ଼ ଚଉକୀରେ ବସାଇ ତା’ ଉପରେ ଚାଟୁ ବଚନ ବର୍ଷଣ କରିଥିବା ସମୟରେ ଯେତିକି ବିଚିତ୍ର, ଆପଣାକୁ ନୃପରାଜ ଅଥବା ମୃଗରାଜ ବୋଲି ଭାବି ଆମେ ମଧ୍ୟ ସେହି ଚଉକୀରେ କାହିଁକି ବସି ନ ପାରିବୁ ବୋଲି ତାଙ୍କୁ ଇର୍ଷା କରୁଥିବା ସମୟରେ ମଧ୍ୟ ଠିକ୍‍ ସେତିକି ବିଚିତ୍ର । ଆମ ଦେଶରେ ସବୁ ହୋଇପାରିବ ବୋଲି ବାରଟା ମାଇକ ଆଗରେ କେଡ଼େ ପାଟିରେ କହୁଥିବାବେଳେ ଯେତିକି ବିଚିତ୍ର; ବାରାନ୍ତାରେ ଆପଣା ପାଖରେ ମଉନ ହୋଇ ଜବାବ ଦେଉଥିବା ବେଳେ ଏହି ଦେଶରେ ମୋଟେ କିଛି ହୋଇପାରିବ ନାହିଁ ବୋଲିସିଦ୍ଧାନ୍ତ କରି ପକାଉଥିବାବେଳେ ମଧ୍ୟ ପ୍ରକୃତରେ ସେତିକି ବିଚିତ୍ର । ଅନ୍ୟମାନଙ୍କ ଆଗରେ କାଢ଼ପଣ ଦେଖାଇ ହେବାବେଳେ ଯେତିକି ବିଚିତ୍ର, ଆପଣା ପାଖରେ ଅସମର୍ଥ ନପୁଂସକ ପରି ଛିଡ଼ାହୋଇ ଆଦୌ କୌଣସି ଜବାବ ଦେଇ ପାରୁନଥିବା ବେଳେ ଠିକ୍‍ ସେତିକି ବିଚିତ୍ର । ଏ ଯୁଗଟା ମୋଟେ ବିଚିତ୍ର ନୁହେଁ, ଏହି ଯୁଗଟାକୁ ଗୋଟାସୁଦ୍ଧା ନିଜ କବଳରେ ରଖିବାକୁ ମନଇଚ୍ଛା ଭୋଗ କରିବାକୁ ଇଚ୍ଛା କରୁଥିବା ଆମେମାନେ ହିଁ ପ୍ରକୃତରେ ହିଁ ଅତୀବ ବିଚିତ୍ର ।

 

ଆମେ ଯେଉଁଗୁଡ଼ିକ ଉପରେ ଦୃଢ଼ଭାବରେ ବିଶ୍ଵାସ କରୁବୋଲି ଦାଣ୍ଡରେ କହିଦେଉଥାଉ, ଆପଣାର ମଞ୍ଜଭିତରେ ସେସବୁ ପ୍ରତି ଆମର ହୁଏତ ଆଦୌ କୌଣସି ବିଶ୍ୱାସ ନ ଥାଏ । ଆଦର୍ଶ ନାମରେ ଆମେ ଆମ ଚାରିପାଖରେ ଯେଉଁ ତମ୍ବୁ ଗୁଡ଼ାକ ବାନ୍ଧି କେଡ଼େ ମନ କେଡ଼େ ଫୁଲକରି ଦେଖାଯାଉଥାଉ, ସେହି ତମ୍ବୁଗୁଡ଼ାକ ଭିତରେ ଆମେ କେବେହେଲେ ନ ଥାଉ, ଫାଙ୍କିଦେଇ ଚିତାକାଟି ନିଜ ପାଖରେଧରା ନ ଦେଇ କେତେ କୁଆଡ଼େ ବୁଲୁଥାଉ ।

 

ଆମେ ସମସ୍ତେ ଏହି ଦେଶରେ ଥାଉ, ତଥାପି ଏହି ଦେଶରେ ମୋଟେ ନ ଥାଉ । ଆପଣାର କୁନିକୁନି ବୁଜୁଳାଗୁଡ଼ାକ ଭିତରେ କେତେ ସୁତରରେ ବାନ୍ଧିହୋଇ ରହିଥାଉ । ତାହାରି ଭିତରେ ପଚିସଢ଼ି ଯିବାରେ ଲାଗିଥାଉ । ତଥାପି ତାହାରି ଭିତରେ ରହିଥାଉ । ତରୁଣ ବୟସରେ ଥିବାବେଳେ ନିରାପଦ ବିମ୍ବଲଟିଏ ଖୋଜିବାର ଯାବତୀୟ ଚାଲିଖିରେ ବୁଢ଼ାହୋଇ ବୁଲୁଥାଉ, ବୁଢ଼ା ହୋଇଗଲେ ତାରୁଣ୍ୟ ଦେଖାଇହେଉ, ତରୁଣମାନଙ୍କୁ ଉଦବୋଧନ ଦେବାଲାଗି ଦୁଆରିଙ୍କପରି ରାଜ୍ୟଟାଯାକ ବୁଲୁଥାଉ । ଖବରକାଗଜରେ ଆପଣାର ରୂପଗୁଡ଼ାକୁ ଦେଖି କେଡ଼େ ରଜୋଦୀପ୍ତ ଭାବରେ ଆପଣାର ପ୍ରେମରେ ପଡ଼ିଯାଉ । ସମ୍ଭବତଃ ସେହି ପ୍ରେମଟି ହିଁ ଆମଲାଗି ଆମ ଜୀବନର ଏକମାତ୍ର ସତ ପ୍ରେମ ହୋଇ ରହିଥାଏ । ସେହି ଗଣ୍ଠିଟି ଆମର ଅସଲ ଗଣ୍ଠିହୋଇ ରହିଥାଏ ।

 

ଆମେ ବିଚିତ୍ର, ତେଣୁ ଆମ ଯୁଗଟା ମଧ୍ୟ ବିଚିତ୍ର । ଆମେ କୋଢ଼ି ତେଣୁ ଆମ ଯୁଗଟା ମଧ୍ୟ କୋଢ଼ି । ଆମେ ଫମ୍ପା, ତେଣୁ ଆମର ଆଦର୍ଶ ଏବଂ ଅନୁଧାବନ ଗୁଡ଼ିକ ମଧ୍ୟ ନିଷ୍ଠାପର ଭାବରେ ଅତ୍ୟନ୍ତ ଫମ୍ପା ।

 

୨୪ । ୬ । ୮୪

Image

 

ଏସୀୟ କ୍ଷୁଧା ଓ ଏସୀୟ କ୍ରୀଡ଼ା

 

ଆଗ କ୍ଷୁଧାର ଅପସାରଣ । ତା’ପରେ ଯାଇ କ୍ରୀଡ଼ା । ଆମ ଦେଶ ଏପରି ଗୋଟିଏ କ୍ରୁରତାର ପ୍ରତୀକ ହେବାରେ ଲାଗିଛି, ଯେଉଁଠାରେ କି ମଣିଷମାନଙ୍କର ନିର୍ବାହଲାଗି ଗଢ଼ା ହୋଇଥିବା ରାଷ୍ଟ୍ରର ମୁଣ୍ଡମାନେ କେଡ଼େ ଖୁସିହୋଇ ଆଗ କ୍ରୀଡ଼ାର କଥା ଭାବୁଛନ୍ତି, —ମୋଗଲ ଅମଳର କାଇଦାରେ କ୍ରୀଡ଼ାର ବ୍ୟବସ୍ଥା ହେଉଛି ଏବଂ ସେହି ମୋଗଲମାନଙ୍କର କାଇଦାରେ କ୍ଷୁଧାକୁ ଉପେକ୍ଷା କରାଯାଉଛି ।

 

ଭାରତର ରାଜଧାନୀ ଦିଲ୍ଲୀ ସହରକୁ ଆସିଲେ ସେଠାରେ ସଦ୍ୟନିର୍ମିତ ହୋଇଥିବା ଭବ୍ୟ କ୍ରୀଡ଼ାହିର୍ମ୍ୟମାନ କଣ୍ଟା ଫୋଡ଼ି ମଣିଷର ବିବେକରେ ଏହିପରି ଏକ ପାହାର ସୃଷ୍ଟି କରିଥାନ୍ତି । ଆମ ଦେଶରେ ଯେଉଁମାନଙ୍କର ପେଟସବୁ ଚାରିପେଟ ହୋଇ ପୂରିକରି ରହିଛି, ଏଠି ସେମାନଙ୍କ ଲାଗି କ୍ରୀଡ଼ାଙ୍ଗନଗୁଡ଼ାକୁ ଖଞ୍ଜିକରି ରଖିବାଲାଗି ଯେତେ ଆୟୋଜନ ହେଉଛି, ମଣିଷର ମୁହଁରେ ଆହାର ଯୋଗାଇବାକୁ ଏବଂ ସେମାନଙ୍କ ଲାଗି ମଣିଷର ଇଜ୍ଜତକୁ ସୁପ୍ରତିଷ୍ଠ କରି ରଖିବାକୁ କେଉଁଠି କଣ ହେଉଛି ! ତଥାପି, ଆଗ କ୍ଷୁଧାର ଅପସାରଣ ତା’ପରେ କ୍ରୀଡ଼ା ।

 

ଏସିଆ ମହାଦେଶର ଅଧିକାଂଶ ରାଷ୍ଟ୍ର ଏସିଆର କ୍ଷୁଧାକୁ ଉପେକ୍ଷା କରିବାରେ ଲାଗିଛନ୍ତି । ଅଳପ ମଣିଷ ଉପରେ ଥାଇ ଜୀବନକୁ ସତେଅବା ଏକ କ୍ରୀଡ଼ାବୋଲି ମଣୁଛନ୍ତି ଏବଂ ଅଧିକ ମଣିଷ ଅତ୍ୟନ୍ତ ଅଳପ ମଧ୍ୟରେ ରହିବାକୁ ବାଧ୍ୟହୋଇ ଜୀବନର ନିମ୍ନତମ କ୍ଷୁଧାଗୁଡ଼ିକର କ୍ଷେତ୍ରରେ ମଧ୍ୟ ବଞ୍ଚିତ ଏବଂ ଅପମାନିତ ହୋଇ ରହିଛନ୍ତି । କ୍ଷୁଧିତ ମନୁଷ୍ୟମାନଙ୍କ ଉପରେ ପ୍ରମତ୍ତ ଅମନୁଷ୍ୟମାନଙ୍କର କ୍ରୀଡ଼ା ଚାଲିଛି । ହିଟଲର ଅମଳରେ ଜର୍ମାନୀ ଦେଶକୁ ବି କେତେ କ୍ରୀଡ଼ାଗୌରବର ଅହମିକା ଭିତରେ ବିସ୍ମୃତ କରି ରଖାଯାଇଥିଲା । କ୍ରୀଡ଼ାରୁ ହଳାହଳ ସୃଷ୍ଟିହେଲା । ହଳାହଳ ସାରା ପୃଥିବୀକୁ ଚରିଗଲା ।

 

ଗରିବ ଦେଶରେ ଏହି କ୍ରୀଡ଼ା ଭୋକ ଭୁଲାଇ ରଖିବାକୁ ଏକ ଷଡ଼ଯନ୍ତ୍ରପରି କାର୍ଯ୍ୟ କରେ କି ? ଅନ୍ତତଃ ପ୍ରାଚୀନ ରୋମ ସାମ୍ରାଜ୍ୟରେ ତାହା ପ୍ରାୟ ଏହିପରି ଏକ ଭୂମିକା ଗ୍ରହଣ କରିଥିଲା । ଏହାଦ୍ୱାରା ରାଜ୍ୟଭାର ନିରାପଦ ହୋଇ ରହିଥଲେ ମଣିଷମାନେ ଅଫିମ ଖାଇ ରହିଥଲେ । ଆମ ଏ ଯୁଗର ସଙ୍ଗଠିତ କ୍ରୀଡ଼ାଗୁଡ଼ିକ ଆଉକେବେ କଣ କରୁଥିଲା କେଜାଣି, ମାତ୍ର ଏବେ ତାହା ମଣିଷର ସ୍ୱାସ୍ଥ୍ୟ ବଢ଼ାଇବାରେ ଆଦୌ ଖୁବ୍‍ ବେଶୀ ସାହାଯ୍ୟ କରୁନାହିଁ । କ୍ଷୁଧା ଅପେକ୍ଷା କ୍ରୀଡ଼ାଲାଗି ଅଧିକ ଉତ୍ସାହ ଦେଖାଇ ନେତୃତ୍ୱଗୁଡ଼ାକ ମଧ୍ୟଭାରି ଅବାଗିଆ ହୋଇ ଯାଉଛନ୍ତି । ଅନେକ ମଣିଷଙ୍କୁ ଏହି କ୍ରୀଡ଼ା ସେମାନଙ୍କର ବ୍ୟାକୁଳତା ଏବଂ ଅସଲ ଭଦ୍ରତାଗୁଡ଼ିକରୁ ଭାରି ବଞ୍ଚିତ କରିରଖିଛି । ଯେଉଁ ଦେଶରେ ସରକାର କ୍ଷୁଧା ଅପେକ୍ଷା କ୍ରୀଡ଼ାରେ ଅଧିକ ମାତିବାକୁ ଭଲପାଏ, ସେହିପରି ଦେଶର ମଣିଷମାନେ ମଧ୍ୟ ଆପଣାର ଅସଲ ଆକାଂକ୍ଷାଗୁଡ଼ିକରୁ ହୁଡ଼ିବସିବା ନିମନ୍ତେ ଭାରି ପ୍ରଶୟ ପାଇଥାନ୍ତି । ସେତେବେଳେ କ୍ରୀଡ଼ାକୁ ନେଇ ନାନା ମିଛ ଜାତୀୟତାର ବାନାମାନେ ଉଡ଼ିବାରେ ଲାଗିଛନ୍ତି । ମଣିଷ ଭାରି ଅସହାୟ ହୋଇ ରହିଥାଏ ।

 

୨୯ । ୭ । ୮୪

Image

 

ଭାରତବର୍ଷ ତିଆର

 

ପାକିସ୍ତାନ ପଟୁ ଆଣବିକ ଯୁଦ୍ଧ ଘଟିଲେ ଏଣୁ ମୁକାବିଲା ପାଇଁ ଭାରତବର୍ଷ ତିଆରି ରହିଛି ବୋଲି ଆମ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଆମକୁ ନିର୍ଭର ଦେଇ କହିଛନ୍ତି । ଆମପଟୁ ଆମେ ତିଆରି ଅଛୁ । ଆମେ ମୁକାବିଲା ପାଇଁ ତିଆରି ଅଛୁ । ଅର୍ଥାତ ପ୍ରତିରକ୍ଷା ପାଇଁ ତିଆରି ଅଛୁ । ଆମେ କଦାପି ଆମନ୍ତ୍ରଣ କରିବୁ ନାହିଁ । ଆମ ଏ ଯୁଗରେ ଯେତେ ଯେଉଁଠାରେ ଯୁଦ୍ଧ ଲାଗିଛି ଅଥବା ଲାଗୁଛି, ସର୍ବଦା ଆଗ ଶତ୍ରୁପକ୍ଷରୁ ହିଁ ଆକ୍ରମଣ ହେଉଛି । ଅର୍ଥାତ ଏପଟ କହୁଛନ୍ତି ଯେ, ସେପଟ ଆଗ ଆକ୍ରମଣ କଲେ ଆମେ ଏପଟ କେବଳ ସେହି ଆକ୍ରମଣରୁ ନିଜକୁ ରକ୍ଷାକରିବା ସକାଶେ ହିଁ ଯୁଦ୍ଧରେ ପଶିଲୁ । ସତେଅବା ବାଧ୍ୟହୋଇ ପଶିଲୁ । ଅର୍ଥାତ ବାଧ୍ୟହୋଇ ପଶିବାକୁ ପଡ଼ିବ ବୋଲି ଆଗରୁ ପ୍ରସ୍ତୁତ ହୋଇ ରହିଥିଲୁ ।

 

ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ତଥା ଅନ୍ୟ ସରକାରୀ ସାମନ୍ତମାନେ ମଧ୍ୟ ସେପଟ ଲୋକଙ୍କୁ ଠିକ୍‍ ସେହିକଥା କହୁଥିବେ । ସେମାନେ ସମାନ ପ୍ରତ୍ୟୟର ସହିତ ସେଠି ସଂପୃକ୍ତ ସମସ୍ତଙ୍କୁ ନିଶ୍ଚୟ କହୁଥିବେ ଯେ, ଭାରତବର୍ଷ ପଟୁ ଆଣବିକ ଯୁଦ୍ଧ ଘଟିଲେ ମୁକାବିଲା ପାଇଁ ପାକିସ୍ତାନ ସବୁବେଳେ ତିଆରି ରହିଛି । ଅର୍ଥାତ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେଲେ ଭାରତ ପାକିସ୍ତାନକୁ ଆକ୍ରମଣକାରୀ ରୂପେ ଦାୟୀ କରିବ ଏବଂ ପାକିସ୍ତାନ ଭାରତବର୍ଷକୁ ଆକ୍ରମଣକାରୀ ବୋଲି ଦାୟୀ କରିବ । ଅତୀତରେ ସବୁଥର ଏହିପରି ହୋଇଛି । କେବଳ ଆପଣାର ପ୍ରତିରକ୍ଷା ନିମନ୍ତେ ହିଁ ଭାରତ ଓ ପାକିସ୍ତାନ ଉଭୟେ ବାଧ୍ୟହୋଇ କୁରାଢ଼ୀ ଓ କଟୁରୀଗୁଡ଼ାକୁ ପଜାଇକରି ରଖୁଛନ୍ତି । ଆକ୍ରମଣ କରିବା ଲାଗି କଦାପି ନୁହେଁ । କୁରାଢ଼ୀ ଏବଂ କଟୁରୀଗୁଡ଼ାକ ପ୍ରତି ଉଭୟ ପଟରେ କାହାରି ଏତେ ଟିକିଏ ହେଲେ ମୋହ ନାହିଁ ।

 

ଏକଥା ସରକାରୀ କର୍ତ୍ତାମାନେ ସବୁବେଳେ କହନ୍ତି । ଏଇଟା କୂଟନୀତିର ଭାଷା, ଭୟକୁ ଭିତ୍ତିକରି ଗଢ଼ା ହୋଇଥିବା ରାଷ୍ଟ୍ରୀୟତାର ଭାଷା । ଜାତୀୟତାବାଦ ହିଁ ଯୁଗୋପଯୋଗୀ ରାଷ୍ଟ୍ରୀୟ ଧର୍ମରୂପେ ସ୍ୱୀକୃତ ହେବା ଦିନଠାରୁ ସେଥିରୁ ଲାଭ ଉଠାଉଥିବା ପକ୍ଷମାନେ ଭାଷା ବ୍ୟବହାର କରିଆସିଛନ୍ତି । ଜାତୀୟତାବାଦର ଗାରଗୁଡ଼ିକରୁ ଉପରକୁ ଉଠିଯାଇ ନ ପାରିଲେ ଆମେ କଦାପି ଏଇ ଭାଷାରେ ମୂଳଭୁତ ହୋଇ ରହିଥିବା ମିଥ୍ୟାଟିକୁ ମିଥ୍ୟା ବୋଲି ଅନୁଭବ କରିପାରିବା ନାହିଁ ।

 

ଏପଟ ଅଥବା ସେପଟ ମୁକାବିଲାଲାଗି ଯେତେ ପୌରୁଷର ସହିତ ତିଆରି ହେଉଥିବା ପର୍ଯ୍ୟନ୍ତ ଯୁଦ୍ଧରେ ଏପଟ ଅଥବା ସେପଟ କାହାରି ହେଲେ ଜିତାପଟ କଦାପି ହେବନାହିଁ । ଉଭୟପଟେ ରାଷ୍ଟ୍ରୀୟ ଉଗ୍ରାଭିମାନଗୁଡ଼ାକ ଫୁଲିଫୁଲି ଯାଉଥିବା ଏବଂ ମଣିଷ ହାରାହାରି ଯାଉଥିବା ଏବଂ ପ୍ରତିରକ୍ଷା ମନ୍ତ୍ରୀ ଯାହା କହନ୍ତୁ ବା ନକହନ୍ତୁ ପଛକେ ଭାରତ ଓ ପାକିସ୍ତାନ ଉଭୟପଟେ ମୂଳତଃ ମଣିଷ ହିଁ ରହିଛନ୍ତି । ସେହି ମଣିଷମାନଙ୍କ ଲାଗି ହିଁ ଇନ୍ଦ୍ରମାନେ ଅଛନ୍ତି । ଆମ ପୃଥିବୀରେ ଏବେ ସବୁଠି ମଣିଷ ହାରିହାରି ଯାଉଛି । ପୃଥିବୀଯାକର ଇନ୍ଦ୍ରମାନେ ଦେଶକୁ ତିଆରି ରଖିବା ନାଁଆରେ ମଣିଷଠାରୁ ତାର ଐଶ୍ଵର୍ଯ୍ୟ-ଗୁଡ଼ାକୁ ହରଣ କରି ନେଉଛନ୍ତି । ମଣିଷକୁ ଏହି ଜାଲରୁ ବାହାରିବାକୁ ପଡ଼ିବ ।

 

୫ । ୮ । ୮୪

Image

 

ଓଡ଼ିଆ ଭାଷାର ସୁରକ୍ଷା

 

ଓଡ଼ିଆ ଭାଷାର ସୁରକ୍ଷା ନିମନ୍ତେ କେଉଁମାନେ କ’ଣ କରିପାରିବେ, ସେହି କଥାର ବିଚାର ପଡ଼ୁଥିବା ବେଳେ ଓଡ଼ିଶା ସାରକାରଙ୍କର କର୍ତ୍ତବ୍ୟ କ’ଣ ହେବା ଉଚିତ ଭାରତ ସରକାରଙ୍କର କ’ଣ ସବୁ କର୍ତ୍ତବ୍ୟ ରହିବା ଉଚିତ, ସେ ବିଷୟରେ ଉତ୍ସାହର ସହିତ କେତେ କ’ଣ କୁହାଯାଇଛି । ମାତ୍ର ସ୍ୱୟଂ ଓଡ଼ିଆମାନଙ୍କର କର୍ତ୍ତବ୍ୟ କ’ଣ, ସେହି କଥାକୁ ବଡ଼ ବାଗରେ ଏପରି ଏଡ଼ାଇ ଦିଆଯାଉଛି କାହିଁକି ? ଭାଷାର ସୁରକ୍ଷା କରିବା ସରକାରଙ୍କର କାମ ନୁହେଁ—ସେହି ଭାଷାଭାଷୀ ମଣିଷମାନଙ୍କର କାମ ।

 

ଆହୁରି ନିର୍ଭୁଲ ଭାବରେ କହିଲେ, ଓଡ଼ିଶାରେ ଯେଉଁମାନେ ଶିକ୍ଷିତ, ସବାଆଗ ସେଇମାନଙ୍କର କାମ । ଓଡ଼ିଆ ଭାଷା ଯେ ମୋର ନିଜ ଭାଷା, ଆମେ ଓଡ଼ିଆମାନେ ଯେ’ ଏହି ଭାଷାର ଫୁଲପାଣି ଛିଞ୍ଚାହୋଇ ମଣିଷ ହୋଇଛୁ ଏବଂ ଏହି ଭାଷାକୁ ମୂଳଦୁଆ କରି ଯେ, ଓଡ଼ିଶାରେ ସଂସ୍କୃତି ଓ ସଂହତିର ଅସଲ ଚେରଗୁଡ଼ିକ ବିକଶିତ ହୋଇପାରିବ, ଆମର ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରେ ଆମ ପିଲାଏ ମୋଟେ ସେହି ପ୍ରେରଣାଲଭ କରନ୍ତିନାହିଁ । ନାନା କାରଣରୁ ଆମ କଲେଜମାନଙ୍କରେ ଓଡ଼ିଆ ବିଭାଗଟି ସାଆନ୍ତମାନଙ୍କ ଆଶ୍ରାରେ ସେତେଅବା ରାଣ୍ଡୀ ବ୍ରାହ୍ମଣୀଟିଏ ହୋଇ ଚଳୁଥାଏ, —ଅର୍ଥାତ, ବ୍ରାହ୍ମଣବୋଲି ଅନୁଷ୍ଠାନଗତ ସ୍ୱୀକୃତି ପାଉଥାଏ ସତ, ମାତ୍ର ବଡ଼ ଅକିଞ୍ଚନ ଏବଂ ମିଳନ ହୋଇ ରହିଥାଏ । ଆମ ଓଡ଼ିଶାର ଅଧ୍ୟାପକମାନେ ଆପଣା ଭିତରେ କଥା ହେଲାବେଳେ ଦଣ୍ଡକ ମଧ୍ୟରେ ଜାଣିଶୁଣି ବାଟ ହୁଡ଼ିଯାଆନ୍ତି ଏବଂ ଇଂରାଜୀରେ କଥାବାର୍ତ୍ତା କରନ୍ତି । ପିଲାମାନେ ଶିକ୍ଷାନୁଷ୍ଠାନଗୁଡ଼ିକର ଉତ୍ସାହ ପାଳନ କଲାବେଳେ ଓଡ଼ିଆ କୁଳପୁଙ୍ଗବମାନେ ପ୍ରାୟ ପିଲାଙ୍କପରି ଏକଜିଦିଆ ହୋଇ ଇଂରାଜୀରେ କାକୁଡ଼ି ଚୋବାନ୍ତି ଏବଂ ସେଥିରେ କେତେ ନା କେତେ ଫୁଲାଇ ହୁଅନ୍ତି । ଓଡ଼ିଆ କଚେରୀରେ, ଓଡ଼ିଆ ବିଚାରପତିମାନଙ୍କ ଆଗରେ, ଓଡ଼ିଆ ଆସାମୀମାନଙ୍କର ତରଫରୁ ଓଡ଼ିଆ ଓକିଲମାନେ ଇଂରେଜୀରେ ମକଦ୍ଦମା ଲଢ଼ନ୍ତି । ଓଡ଼ିଶା ଭିତରେ ଓଡ଼ିଆ ଶିକ୍ଷିତମାନେ ଓଡ଼ିଆଭାଷାକୁ ଯେଉଁ ବାଳୁଙ୍ଗାଜ୍ଞାନରେ ଦେଖନ୍ତି, ତାହା ଭାରତର ଅନ୍ୟ କୌଣସି ରାଜ୍ୟରେ ଦେଖାଯାଏ ନାହିଁ ।

 

ଆମର ଏଠି ଉଚ୍ଚପଦସ୍ଥ ଓଡ଼ିଆ ଲେଖକମାନେ ଟାଉଟଉ କରି ନିଜର ଓଡ଼ିଆ ଲେଖାଗୁଡ଼ିକ ଇଂରାଜୀରେ ଅନୁବାଦ କରିପକାନ୍ତି । ଲେଖା ଇଂରାଜୀ ଭାଷାରେ ବାହାରିଲେ, ଓଡ଼ିଆ ସାହିତ୍ୟର ସ୍ଵୟମ୍ବର ସଭାରେ ସେମାନଙ୍କୁ ହୁଏତ ଚଞ୍ଚଳ କନିଆ ମିଳିଯିବ ବୋଲି ବାଉଳାଙ୍କପରି ବିଶ୍ୱାସ କରୁଥାନ୍ତି । ଆଉକେହି ଓଡ଼ିଆରେ ସେମାନଙ୍କର ଲେଖାପଢ଼ି ଆଗ୍ରହରେ ତାହାକୁ ଇଂରାଜୀରେ ଅନୁବାଦ କରିବା ପୂର୍ବରୁ ସେମାନେ ପ୍ରବଳ ଆତ୍ମରତିରେ ପୀଡ଼ିତ ହୋଇ ନିଜେ ସେଗୁଡ଼ିକ ଇଂରାଜୀ କରିପକାନ୍ତି । କେହିକେହି ହୁଏତ ଆଗ ଇଂରାଜୀରେ ଲେଖନ୍ତି, ତା’ପରେ ତାକୁ ଓଡ଼ିଆ କରି ଏଠି ଆମ ନିଜ ହାଟକୁ ପଠାନ୍ତି । ଏମାନଙ୍କୁ ଆମେ ବୀର ବୋଲି କହୁ-

 

ତେଣୁ, ସରକାରଙ୍କର କର୍ତ୍ତବ୍ୟମାନ ନିର୍ଦ୍ଧାରଣ କରିବାକୁ ଯିବା ପୂର୍ବରୁ ଆମେ ଯେଉଁ ଓଡ଼ିଆମାନେ ଏଠି ଅଧ୍ୟାପକ, ଓକିଲ, ବାବୁ ଓ ହାକିମ କିମ୍ବା ଲେଖକହୋଇ ରହିଛୁ, ଦରବାରୀ ବୋଲାଉଛୁ, ଓଡ଼ିଆ ଭାଷା ପ୍ରତି ଆମର ହିଁ ସବାଆଗ ବହୁ କର୍ତ୍ତବ୍ୟ ରହିଛି ।

 

୨ । ୯ । ୮୪

Image

 

ପେନସନ୍‍ପ୍ରାପ୍ତ ସ୍ୱାଧୀନତା-ସଂଗ୍ରାମୀ

 

୧୯୪୭ ମସିହାରେ ଭାରତରେ ସବୁ ସଂଗ୍ରାମ ସରିଗଲା ଏବଂ ଏଣିକି କେବଳ ଭୋଗର ସମୟ ଆସିଲା ବୋଲି ଯେଉଁମାନେ ଆପଣାର ମନକୁ ଗୋଟାସୁଦ୍ଧା ବୁଝାଇଦେଲେ ଏବଂ ବିବେକଟାକୁ ଗୋଡ଼ଛନ୍ଦି ରଖିଲେ, ସେମାନେ ଆପଣାର ଏକ ଅଲଗା ସଙ୍ଗଠନ କଲେ ଓ ସଙ୍ଗଠନର ମାଧ୍ୟମରେ ସରକାରଙ୍କ ଠାରୁ ଅର୍ଥପେନସନ୍‍ ପାଇଲେ । ପେନସନ୍‍ ପାଇଲା ବେଳକୁ ସେମାନେ ବୁଢ଼ା ହୋଇ ଯାଇଥିଲେ । ଅର୍ଥାତ, ଆଉ ଆଗକୁ ଦେଖି ପାରୁନଥିଲେ । କେବଳ ଗୁହାଳରେ ବନ୍ଧାହୋଇ ରହିବା ବ୍ୟତୀତ ସେମାନଙ୍କର ଆଉ ଅନ୍ୟ କୌଣସି ସାମର୍ଥ୍ୟ ନଥିଲା । ଜନକଲ୍ୟାଣ-ରାଷ୍ଟ୍ର ସେମାନଙ୍କୁ ହତାଶ ବା କାହିଁକି କରିଥାନ୍ତା ? ତେଣୁ, ସଂଗ୍ରାମ କଲାବେଳେ ଏହି ସଂଗ୍ରାମୀମାନେ ଯାହା ହେବ ବୋଲି କଦାପି କଳ୍ପନା କରିନଥିଲେ, ତାହାହିଁ ହେଲା । ସେମାନେ ନିଜର ବିବରଣୀଗୁଡ଼ିକକୁ ପେଶ୍‍ କଲେ ଓ ଦରବାରରୁ ପେନସନ୍‍ ପାଇଲେ ।

 

ଏବେ କଥା ପଡ଼ିଛି ଯେ, ଏହି ପେନସନ୍‍ପ୍ରାପ୍ତ ସ୍ୱାଧୀନତା-ସଂଗ୍ରାମୀମାନଙ୍କୁ ଭାରତଭ୍ରମଣର ସୁଯୋଗ ଦିଆଯିବ । ଅର୍ଥାତ, ସେମାନେ ମାଗଣାରେ ରେଳଗାଡ଼ିରେ ବସି ଦେଶଯାକ ବୁଲିପାରିବେ । ସ୍ୱାଧୀନତାପାଇଁ ସଂଗ୍ରାମ କରୁଥିବା ସମୟରେ ସେମାନେ ଦେଶଟାକୁ ଭଲକରି ଦେଖିନଥିଲେ କି କ’ଣ କେଜାଣି, ବର୍ତ୍ତମାନ ଦେଶ ବୁଲିବେ, ପଞ୍ଚୁପ୍ରୟାଗ କରିବେ ଓ ଦେଶକୁ ଚିହ୍ନିବେ । ଦେଶର ଯେଉଁସବୁ ପ୍ରାଚୀନ ମନ୍ଦିର ରହିଛି, ପାହାଡ଼ ଅଛି, ନଦୀ ଅଛି, ଶୈଳନିବାସ ଅଛି, ଗତ କେତେ ଦଶନ୍ଧି ମଧ୍ୟରେ ଯେତେ ଯେଉଁଠି ବନ୍ଧ ବନ୍ଧାଯାଇଛି, କୋଠା ତୋଳାଯାଇଛି ଓ କଲ୍ୟାଣ ନାମରେ ନୂଆ ଦରବାରମାନ ବସିଛି, ସେମାନେ ପରସ୍ପରର ଗହଣରେ ସରକାରୀ ପ୍ରେରଣାରେ ସେସବୁ ବୁଲି ଦେଖିବେ, ଗର୍ବ ଅନୁଭବ କରିବେ ଓ ଖୁସୀ ହେବେ ଓ ଆହୁରି ଅଧିକ ବିବେକର ସହିତ ପୋଷା ମାନି ରହିବେ । ଏହି ଦେଶର ମଣିଷ ଅଛନ୍ତି ବୋଲି ଭୁଲିଯିବେ । ଆମ ଦେଶର ଅନ୍ୟ ଅନେକ ଗୁଣସମ୍ପନ୍ନ ସ୍ଥାନମାନଙ୍କରେ ନାନା ଦାୟିତ୍ୱ ମୁଣ୍ଡାଉଥିବା ବାବୁମାନେ ଯେପରି ଭୁଲି ଯାଉଛନ୍ତି, ଠିକ୍‍ ସେହିପରି ।

 

ବଢ଼ାମାନଙ୍କୁ ଦେଶ ଭ୍ରମଣର ସୁଯୋଗ ଦିଆନଯାଇ ଆମ ଦେଶର ପିଲାମାନଙ୍କୁ ସେହି ସୁଯୋଗ ଦିଆଯାଉ । ଗୋଟିଏ ଅଞ୍ଚଳର ପିଲାମାନଙ୍କୁ ଆଉ ଗୋଟିଏ ଅଞ୍ଚଳର ପିଲାମାନଙ୍କ ସହିତ ମିଶିବାର ସୁଯୋଗ ଦିଆଯାଉ । ବଢ଼ାମାନଙ୍କର ଅଥବା ବଡ଼ମାନଙ୍କର ଦର୍ପଣରେ ନୁହେଁ, ଆମ ପିଲାଏ ପରସ୍ପରର ଦର୍ପଣ ଉପରେ ହିଁ ଏହିଦେଶକୁ ଦେଖିବାର ଓ ଚିହ୍ନିବାର ସୁଯୋଗ ପାଆନ୍ତୁ । ଏକ ଅନ୍ୟ ଭବିଷ୍ୟତର ପ୍ରସ୍ଥ ଉପରେ ସେମାନେ ଏକ ନୂତନ ପାରସ୍ପରିକତାର ନିକିତିରେ ଏହି ଦେଶକୁ ତଉଲି ଦେଖିବାର ସୁଯୋଗ ପାଆନ୍ତୁ । ଅବଶ୍ୟ ଏକଥା ସତ ଯେ, କୌଣସି ଦେଶର ସରକାର ମଣିଷମାନଙ୍କର ଆଖିକୁ ଏତେ ଅଧିକକୁ ଭେଦ କରି ଦେଖିବାକୁ ଅଥବା ଚିହ୍ନିବାକୁ ଆଦୌ ଇଚ୍ଛା କରେନାହିଁ । ସରକାରମାନେ ଉପରେ ଉପରେଦେଖାଇ ଆଣନ୍ତି ଏବଂ ଉପରେ ଉପରେ ଭଣ୍ଡାଇ ଆଣନ୍ତି । ବର୍ତ୍ତମାନ ସଂଗ୍ରାମୀମାନଙ୍କୁ ଯେମିତି ଭଣ୍ଡାଉଛନ୍ତି ପ୍ରାୟ ସେହିପରି । ତଥାପି ବଳ, ବହପ ଏବଂ ଆପଣାର ଅସଲ କ୍ରୋଧଗୁଡ଼ାକୁ ହରାଇଥିବା ପେନସନ୍‍ପ୍ରାପ୍ତ ସଂଗ୍ରାମୀମାନଙ୍କୁ ଦେଶଭ୍ରମଣର ସୁଯୋଗ ଦିଆନଯାଇ ପିଲାମାନଙ୍କୁ ହିଁ ସେହି ସୁଯୋଗ ଦିଆଯାଉ ।

 

୯ । ୯ । ୮୪

Image

 

ଡାକ୍ତର ପରିଜାଙ୍କ ନାମରେ

 

ଓଡ଼ିଶାର କୃଷି ବିଶ୍ୱବିଦ୍ୟାଳୟ ଡାକ୍ତର ପ୍ରାଣକୃଷ୍ଣ ପରିଜାଙ୍କର ନାମରେ ନାମିତ ହେଉବୋଲି ଏବର୍ଷ ତାଙ୍କର ବାର୍ଷିକ ଶ୍ରାଦ୍ଧସଭାରେ ସୁଧୀମାନେ ପ୍ରସ୍ତାବ କରିଛନ୍ତି । ଗୋଟାଏ ବିଶ୍ୱବିଦ୍ୟାଳୟ ଜଣେ ବ୍ୟକ୍ତିଙ୍କ ନାମରେ ନାମିତ ହେଲେ ତଦ୍ଦ୍ୱାରା ପ୍ରକୃତରେ ବ୍ୟକ୍ତିର ସମ୍ମାନ ବଢ଼େ ଅଥବା ବିଶ୍ୱବିଦ୍ୟାଳୟର ସମ୍ମାନ ବଢ଼େ, ତାହା ସହଜରେ ଆଦୌ କହିହେବ ନାହିଁ । ମାତ୍ର ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତିର ନାମରେ ନାମିତ ହେବାଦ୍ୱାରା ଏକ ବିଶ୍ୱବିଦ୍ୟାଳୟ ଆପଣାକୁ ଯେ ସମ୍ମାନିତ ବୋଧ କରିବ, ସେକଥା ସବାଆଗ ସେହି ବିଶ୍ୱବିଦ୍ୟାଳୟର ପର୍ଯ୍ୟାୟରେ ହିଁ ଅନୁଭୂତ ହୁଅନ୍ତା । ତେଣୁ ପ୍ରସ୍ତାବଟି ସେଇଠାରୁ ଆସନ୍ତା ଓ ତାହାହିଁ ସୁନ୍ଦର ହୁଅନ୍ତା ।

 

ବିଶ୍ୱବିଦ୍ୟାଳୟ କହିଲେ ଏବେ ଆମ ଦୈନନ୍ଦିନ ଜୀବନର କିଆରି ଗୁଡ଼ାକରେ ଯେଉଁ ମାଳମାଳ କୋଠା ଏବଂ ମାଳମାଳ ଜଟିଳ ସଂଶୟଗୁଡ଼ାକୁ ବୁଝାଉଛି; ଆତ୍ମସମ୍ମାନ ରହିଥିବା କୌଣସିବ୍ୟକ୍ତି ତା’ ନିଜ ନାମରେ ସେଇଟି ବା ଏଇଟି ନାମିତ ହେବାର ପ୍ରସ୍ତାବରେ ମୋଟେ ପ୍ରସନ୍ନତା ଅନୁଭବ କରିବ ନାହିଁ । ଏବେ ମଧ୍ୟ କେତେ ବିଶ୍ୱବିଦ୍ୟାଳୟର ଏଠି ସେଠି କେଡ଼େକେଡ଼େ ମୂର୍ତ୍ତି ସତେଅବା ଅସନା ଓ ଅପଚରା ହୋଇପଡ଼ିଛି, କେଡ଼େକେଡ଼େ ବଡ଼ମଣିଷଙ୍କ ନାଆଁରେ କେତେ ଉତ୍ସାହରେ ନାମିତ ହୋଇ ରହିଥିବା ବୃହତ ବିଦ୍ୟାକେନ୍ଦ୍ରଗୁଡ଼ାକ ଗୁହାଳ ହୋଇ ପଡ଼ିଛି, ଗୋଟାଏ ଗୋଟାଏ ଦୋକାନ ହୋଇ ରହିଛି । ସେଗୁଡ଼ାକ ଜାଣି ମଧ୍ୟ ଇଜ୍ଜତ ଥିବା କୌଣସି ବ୍ୟକ୍ତି କାହିଁକି ଆପଣାର ନାମକୁ ସେମାନଙ୍କୁ ସହିତ ଯୋଡ଼ ହୋଇ ରହୁ ବୋଲି ଇଚ୍ଛା କରିବ ? ଡାକ୍ତର ପରିଜାଙ୍କୁ ନିମିତ୍ତ କରି ଯେଉଁ ଦଳେ ମଣିଷ ପୂଜ୍ୟ ପୂଜାର ଆନନ୍ଦ ଲାଭ କରିବାକୁ ବରଷକେ ଥରେ ସଭାର ଆୟୋଜନ କରୁଛନ୍ତି ଓ ସେହି ପୁରୁଣା ରୀତିରେ ହିତାକାଂକ୍ଷୀ ପ୍ରସ୍ତାବମାନ ପାଶ କରାଉଛନ୍ତି ସେମାନେ ଡାକ୍ତର ପରିଜାଙ୍କୁ ସବା ଆଗରେ ରଖି ଆପଣା ଉପଚାରଗୁଡ଼ାକର ସମୀକ୍ଷା କଲେ ହୁଏତ ସେକଥା ହୃଦୟଙ୍ଗମ କରିପାରନ୍ତେ ।

 

ଡାକ୍ତର ପରିଜା ସାନରୁ ବଡ଼ ହୋଇଥିଲେ, ଦରିଦ୍ରରୁ ଧନୀ ହୋଇଥିଲେ । କାରଣ ନିଜ ଜୀବନରେ ସର୍ବଦା କୌଣସି ଏକ ଲକ୍ଷ୍ୟକୁ ସମ୍ମୁଖରେ ରଖି ସେ ଅଗ୍ରସର ହେଉଥିଲେ । ଅର୍ଥାତ ଲକ୍ଷ୍ୟ ଅନୁସାରେ ଉଦ୍ୟମ କରୁଥିଲେ । ନିଜ ଲକ୍ଷ୍ୟରେ ଭାଜନ ହେଉଥିଲେ । ଭାଗ୍ୟ ତାଙ୍କୁ ଅତି କମର ଅଧିକାରୀ କରାଇଥିଲା, ଆପଣାର ପ୍ରବଳ ଇଚ୍ଛାଶକ୍ତି ବଳରେ ସିଏ ଏକ ମନୋମତ ଭାଗ୍ୟର ଅଧିକାରୀ ହୋଇପାରିଥିଲେ । ସେହି ଭିକ୍ଟୋରିଆ ଅମଳରେ ସିଏ ଜଣେ ଲକ୍ଷ୍ୟ ସଚେତନ ଉଦ୍ୟମୀ ଛାତ୍ରଥିଲେ । ହୁଏତ ଜୀବନସାରା ତାହାକୁ ହିଁ ନିଜ ଜୀବନର ଅସଲ ବୃତ୍ତିକରି ରଖିଥିଲେ । ତାଙ୍କଠାରୁ ଆମେ ମଧ୍ୟ ଏକ ଲକ୍ଷ୍ୟ ଅନୁସାରେ ନିଜର ଜୀବନକୁ ଗଢ଼ିବାର ଓ ତାହାକୁ ବଞ୍ଚିବାର ପ୍ରେରଣା ପାଇପାରିବା । ଡାକ୍ତର ପରିଜାଙ୍କ ଯୁଗରେ ବ୍ୟକ୍ତିର ସକଳ ପ୍ରତିଭାକୁ ସେହି ବ୍ୟକ୍ତିଗତ ସଫଳତାର ପରିମାଣ ବୃଦ୍ଧି ସକାଶେ ନିୟୋଜିତ କରାଯାଇଥିଲା । ଏବେ ସେହି ପ୍ରୟୋଜନଗୁଡ଼ାକ ଅବଶ୍ୟ ବଡ଼ ଅଳ୍ପ ବୋଲି ସାବ୍ୟସ୍ତ ହେଲେଣି । ତଥାପି ନିଜକୁ ନେଇ ବୃହତ୍ତର କରି ଗଢ଼ିବାର ଆକାଂକ୍ଷା, ଆମ ଏ ଯୁଗରେ ମଧ୍ୟ ତାହାର କେତେ ନା କେତେ ଆବଶ୍ୟକତା ରହିଛି-। ଡାକ୍ତର ପରିଜାଙ୍କ ନାମରେ ଯେଉଁମାନେ ଆପଣାକୁ ବସାଇ ସ୍ମୃତି ସମିତିଟିଏ ଗଢ଼ିଛନ୍ତି, ସେମାନେ ସେହି ବ୍ୟକ୍ତିତ୍ୱର ପ୍ରେରଣା ଦ୍ୱାରା ଆମ ସମସ୍ତଙ୍କୁ ଅନ୍ତତଃ ଏହି ଦିଗରେ ଏକ ଉଦବୋଧନ ଦେଇପାରନ୍ତେ ।

 

୨୩ । ୯ । ୮୪

Image

 

ଜୀବନ ଥିବାଯାଏ

 

ଜୀବନ ଥିବାଯାଏ ସେ ଦେଶର ସେବା କରିବେ ବୋଲି ଭାରତବର୍ଷର ପ୍ରଧାନମନ୍ତ୍ରୀ ଏବେ ତାଙ୍କ ଦେଶବାସୀଙ୍କୁ ଚେତାଇ ଦେଇଛନ୍ତି ।

 

ସେବା ଏପରି ଏକ ଜିନିଷ ଯେ, ଥରେ ତା’ ଭିତରେ ପଶିଲେ ଅର୍ଥାତ ଥରେ ତା’ର ସୁଆଦ ମିଳିଗଲେ ସୁଆଦ ପାଇଥିବା ମଣିଷର କେବଳ ସେହି ସେବା କରିବାକୁ ହିଁ ମନହୁଏ, ଆଉ ଅନ୍ୟ କିଛି କରିବାକୁ ମୋଟେ ମନ ହୁଏନାହିଁ । ରାଜନୀତି ମଧ୍ୟ ଏପରି ଏକ ଗହନ ଯେ, ଥରେ ତା’ ଭିତରେ ପଶିଗଲେ ଏପରି ବାନ୍ଧିହୋଇ ଯିବାକୁ ହୁଏ ଯେ, ଇଚ୍ଛା କରୁଥିଲେ ମଧ୍ୟ ତା’ ଭିତରୁ ମୋଟେ ବାହାରି ହୁଏନାହିଁ । ଆପଣାର ଖୋଇଗୁଡ଼ାକ ମଧ୍ୟ କ୍ରମେ ଏପରି ହୋଇଯାଆନ୍ତି ଯେ, ମଣିଷ ବାହାରକୁ ଦେଖାଇବାକୁ ଆଉ ଯାହାକିଛି କରୁଥାଉ ପଛକେ, ସେଗୁଡ଼ାକର ଅନ୍ତକୁ କେବଳ ସେହି ରାଜନୀତି ହିଁ କାମୁଡ଼ି ଧରିଥାଏ । ତେଣୁ ବିବଶହୋଇ ଶେଷକୁ ଆପଣାକୁ ରାଜନୀତି ହାତରେ ହିଁ ଛାଡ଼ିଦେବାକୁ ହୋଇଥାଏ ।

 

ରାଜନୀତିକ କ୍ଷମତା ଭିତରେ ରହି ଯେଉଁମାନେ ଜୀବନସାରା ନିଜ ଦେଶର ସେବା କରିବେ ବୋଲି ପ୍ରକାଶ୍ୟ ଭାବରେ ମନସ୍ଥ କରନ୍ତି ସେମାନେ କ୍ଷମତାରେ ରହିବେ ବୋଲି ଯାହାକିଛି କରୁଥାନ୍ତି, ତାହାକୁ ହିଁ ସେବା ବୋଲି ଏଡ଼େ ପାଟିକରି କହନ୍ତି; ଅଥବା, ସେବା କରିବାକୁ ହେଲେ ରାଜନୀତିକ କ୍ଷମତା ହାତରେ ରହିବା ଯେ ଅବଶ୍ୟମ୍ଭାଵୀ ଏହିପରି ଏକ ଗାତ ଭିତରେ ପଶି କ୍ଷମତା ହାତରେ କ୍ରୀଡ଼ନକ ହୋଇ ରହନ୍ତି । ସେବାଗୁଡ଼ାକୁ ଚୁଟିଧରି ନଚାନ୍ତି । ଏ କିଆରିରୁ ସେ କିଆରି କରାଇବାରେ ଲାଗିଥାନ୍ତି, ଏଠି ହଗାନ୍ତି ତ ସେଠି ନେଇ ମୁତାନ୍ତି । ସଂସାରର ଦୁଃଖମୟ ଇତିହାସରେ ଏହି କ୍ଷମତାଧାରୀ ସେବକମାନଙ୍କର ପ୍ରକୃତରେ ଭୁରିଭୁରି ନଜିର ରହିଆସିଛି ।

 

ଆମେ ଯେଉଁମାନେ ଏହି ଦେଶରେ ଜନ୍ମଗ୍ରହଣ କରିଛୁ ଓ ଜୀବନ ଥିବାଯାଏ ଏହି ଦେଶରେ ରହିବୁ ବୋଲି ସ୍ଥିର କରିଛୁ; ଆମେ ଯେଉଁଠି ରହି ଯାହାକିଛି କରିଥାଉନା କାହିଁକି; ତାହା ପ୍ରକୃତରେଏହି ଦେଶର କାମରେ ହିଁ ଲାଗିପାରୁଥିବା ଉଚିତ । ମାତ୍ର କେତେକ ମଣିଷ ଗୋଟାଏ ଅନ୍ୟପ୍ରକାରର ଧାତୁନେଇ ସଂସାରକୁ ଆସିଥାନ୍ତି କି କ’ଣ କେଜାଣି, ସେମାନେ କାମରେ ଲାଗିପାରିବା ପୂର୍ବରୁ ଆଗ ଅନ୍ୟମାନଙ୍କୁ କାମରେ ଲଗାଇବାକୁ ଚାହାନ୍ତି ।

 

ଅନ୍ୟମାନଙ୍କୁ କାମରେ ଲଗାଇ ପାରିବାର ସାମର୍ଥ୍ୟକୁ ଯେଉଁ ନୀତିର ସଂସାରରେ କ୍ଷମତାବୋଲି କୁହାଯାଏ, ସେମାନେ ସେହି ନୀତିର କାନିଧରି ରାଜନୀତି ଭିତରେ ପଶନ୍ତି ଏବଂ ଜୀବନ ଥିବାଯାଏ ରାଜନୀତିରେ ରହନ୍ତି-। ସେମାନେ ଯଥାର୍ଥରେ ଆଦୌ କୌଣସି ସେବା କରନ୍ତି କି ନାହିଁ କେଜାଣି, ମାତ୍ର ସେମାନଙ୍କର ଅନୁପ୍ରେରଣାରେ ସେବାଗୁଡ଼ାକ ମଧ୍ୟ ଆଖର ରାଜନୀତିରେ ପରିଣତ ହୋଇଯାଏ ।

 

ରାଜନୀତି ଓ କ୍ଷମତା ପକ୍ଷର ମଣିଷମାନେ ଏହିପରି ସେମାନଙ୍କର ଜୀବନ ଥିବାଯାଏ ସଂସାରର ସେବା କରୁଥାନ୍ତୁ ପଛକେ, ତଥାପି ଯଥାର୍ଥ ସେବକମାନେ ଯଥାସମ୍ଭବ ରାଜନୀତି ଓ କ୍ଷମତାର ବାହାରେ ହିଁ ରହିଥାଆନ୍ତୁ । ଜୀବନ ଥିବାଯାଏ ଦେଶର ସେବା କରିବି ବୋଲି କହିବାର ଦୁଃସାହସ ସେମାନଙ୍କର କେବେହେଲେ ନ ହେଉ । ତେବେ ଯାଇ ସେବା ଓ ସେବା ଭିତରେ ରହିଥିବା ଫରକଗୁଡ଼ାକ ଚାହିଁଲା ମାତ୍ରକେ ଧରାପଡ଼ି ଯାଉଥିବ ଏବଂ ସେବା କରିବାକୁ ଇଚ୍ଛା କରୁଥିବା ମଣିଷଲାଗି କ୍ଷମତା ଭିତରେ ଯାଇ ପଶିବା ତଥାପି ଅବଶ୍ୟମ୍ଭାବୀ ବୋଲି ପ୍ରତୀତ ହେବନାହିଁ ।

 

୩୦ । ୯ । ୮୪

Image

 

ସତଷଠିଙ୍କର ବିଚାର

 

ଶହେ ପିଲା ପରୀକ୍ଷା ଦେଇଥିଲେ । ସେଥିରୁ ଷତଷଠି ଫେଲ ହେଲେ । ପାରି ହୋଇ ପାରିଲେ ନାହିଁ । ସେମାନଙ୍କୁ ଶିକ୍ଷକମାନେ ପାଠ ପଢ଼ାଇଥିଲେ । ସେମାନେ ଫେଲ ହେବେ ବୋଲି ନୁହେଁ, ପାସ କରିବେ ବୋଲି ହିଁ ସେମାନଙ୍କୁ ଶିକ୍ଷକମାନେ ପାଠ ପଢ଼ାଇଥିଲେ । ଶିକ୍ଷକମାନେ ଏବେ ଖାଲି ଶିକ୍ଷକ ହୋଇ ନାହାନ୍ତି । କେବଳ ଜଣେ ଶିକ୍ଷକର ମହିମାରେ ଠିଆହୋଇ ପାରିବା, ଏବେ ଶିକ୍ଷକକୁ ସେଇଟା ମୋଟେ ସୁହାଉନାହିଁ । ତେଣୁ ଏବେ ଶିକ୍ଷକମାନେ ମହାସଂଘ ଗଢ଼ିଛନ୍ତି । ମହାସଂଘର ମୋଟା ଦଉଡ଼ିରେ ବାନ୍ଧିହୋଇ ରହିଥିଲେ ଯାଇ ସେମାନେ ପ୍ରକୃତରେ କିଛି ନା କିଛି ପରି ଦିଶିପାରିବେ, ଏହି ବିଶ୍ୱାସ ସେମାନଙ୍କୁ ଅନେକ ଦିନରୁ ଗିଳିବାକୁ ଆରମ୍ଭ କଲାଣି । ସଂଘା ରାମରେ ପ୍ରକୃତରେ ଆରାମ ରହିଛି ।

 

ଶିକ୍ଷକ ମହାସଂଘରେ ଯେଉଁମାନେ ସମୀକ୍ଷା କରି କହିପାରନ୍ତି, ସେମାନେ ଏବେ କହିଛନ୍ତି ଯେ, ସରକାରଙ୍କର ତ୍ରୁଟିପୂର୍ଣ୍ଣ ଶିକ୍ଷାନୀତି ଯୋଗୁଁ ହିଁ ଏତେ ପିଲା ଶେଷମୁଣ୍ଡକୁ ଆସି ଫେଲ ହେଉଛନ୍ତି । ଅର୍ଥାତ ଶିକ୍ଷକମାନେ ସେମାନଙ୍କର କାର୍ଯ୍ୟରେ ଆଦୌ କୌଣସି ତ୍ରୁଟି କରୁନାହାନ୍ତି । ପାଠ ପଢ଼ୁଥିବା ସବୁ ପିଲା ପରୀକ୍ଷାରେ ପାସ କରିଯାଆନ୍ତୁ, ଏହିପରି ଏକ ସାଧୁ ବିଶ୍ୱାସ ରଖି ସେମାନେ ସମ୍ପୂର୍ଣ୍ଣ ନିଷ୍ଠାରେ ପାଠ ପଢ଼ାଉଛନ୍ତି; ମାତ୍ର ବାଟରେ ସରକାରଙ୍କର ଶିକ୍ଷାନୀତି ମୁଦେଇ ହୋଇ ଛିଡ଼ା ହୋଇଛି । ତାହା ଅତ୍ୟନ୍ତ ସାଙ୍ଘାତିକ ଭାବରେ ତ୍ରୁଟିପୂର୍ଣ୍ଣ ହୋଇ ରହିଥିବାରୁ ଶିକ୍ଷକମାନଙ୍କର ଯାବତୀୟ ପ୍ରୟାସ ପଣ୍ଡ ହୋଇଯାଇଛି । ଜଣେ ବ୍ୟକ୍ତି ହିସାବରେ କୌଣସି ଶିକ୍ଷକ ଏକଥା କହିବାକୁ ସାହସ କରନ୍ତା ନାହିଁ । ଜଣେ ବ୍ୟକ୍ତି ହିସାବରେ ଯେକୌଣସି ଶିକ୍ଷକ ଏକାବେଳକେ ଏଡ଼େ ବଡ଼, ଫମ୍ପା କଥାଟାଏ କହିବାକୁ ହୁଏତ ସଂକୋଚ ବୋଧ କରନ୍ତା । ମହାସଂଘର ମୋଟ ଦଉଡ଼ିରେ ବନ୍ଧାହୋଇ ରହିଥିଲେ ଯାଇ ଜଣେ ବ୍ୟକ୍ତି ହିସାବରେ ଶିକ୍ଷକ ଯାବତୀୟ ସଙ୍କୋଚକୁ ଜୟ କରିପାରେ ଓ ଏତେଗୁଡ଼ାଏ ସାହସ କରିପାରେ ।

 

ଯେଉଁ ସତଷଠି ଜଣ ପିଲା ଫେଲ ହେଲେ, ସେମାନେ ଗଲେ କୁଆଡ଼େ ? ସେମାନଙ୍କୁ ବି ପଚରାଯାଉ, ସେମାନଙ୍କର ଅଭିଭାବକମାନଙ୍କୁ ପଚରାଯାଉ । ତେବେ ଯାଇ ମହାସଂଘର ମାରୀଚମାନେ କାରଣ ବୋଲି ଯାହା ଦର୍ଶାଉଛନ୍ତି, ତାହାର ସଦର ମଫସଲ ଧରାପଡ଼ିଯିବ । ଆମ ଶିକ୍ଷକମାନେ କଦାପି ଆମ ବାହାରୁ ଆସି ନାହାନ୍ତି । ଆପଣାକୁ ଯେକୌଣସି ପ୍ରକାରେ ଦାୟିତ୍ୱମୁକ୍ତ ବୋଲି ଦେଖାଇ ପାରିଲେ ଯେ, ବାପାର ନାଆଁ ରହିବ, ଆମେ ଅନ୍ୟ ସମସ୍ତଙ୍କ ପରି ସେମାନେ ବି ସେହି କଥାଟିକୁ ଉତ୍ତମ କରି ଜାଣିଛନ୍ତି । ବଳ ଦେବାକୁ ପଛରେ ମହାସଂଘ ରହିଛି । ମହାସଂଘ ହିଁ ତ ସେମାନଙ୍କୁ ଏକ ବଳୁଆ ଓ ଲଢ଼ୁଆ ଦଳ ହିସାବରେ ତିଆରି କରିଛି । ସେମାନଙ୍କ ଦରମାକୁ ଗୁଣରୁ ଅଠର ଗୁଣ କରିଛି । ବିପଦ ଆପଦରେ ରକ୍ଷା କରିଛି, ଲଜ୍ଜା ଚାଲିଯାଉଥିବା ସମୟରେ ତଥାପି ଡିଙ୍ଗର ପରି ବଞ୍ଚିବାର ସୁଯୋଗ ଦେଇଛି । ଶିକ୍ଷକଗୁଣ ଗୁଡ଼ାକର ଲୋପ ହୋଇ ଯାଉଥିଲେ ମଧ୍ୟ ତଥାପି ସିଏ ସେହି କୃପାରୁ ହିଁ ବଞ୍ଚିଛି । ସନ୍ତକଟାର ଖାତାରୁ ନାଆଁ କାଟି ଦେବାକୁ ଆଉ କାହାରିହେଲେ ସାଧ୍ୟ ନାହିଁ ।

 

୧୪ । ୧୦ । ୮୪

Image

 

ଚାଲ ଏକ ନୂତନ ଦଳ ଗଢ଼ିବା

 

ଆଗେ ନେତାମାନେ ନେତୃତ୍ୱ ଗ୍ରହଣ କରୁଥିଲେ, ନେତୃତ୍ୱ ଦେଉଥିଲେ । ଏବେ ସେମାନେ ଅଧିକତର କ୍ଷେତ୍ରରେ ଦଳମାନ ଗଠନ କରିବାରେ ଲାଗିଛନ୍ତି । ସେମାନେ ନୂଆନୂଆ ଦଳ ଗଢ଼ୁଛନ୍ତି । କହିବା ବାହୁଲ୍ୟ, ଗଢ଼ାଯାଉଥିବା ଏହି ନୂଆଦଳମାନଙ୍କରେ ସେମାନେ ସଭାପତି ଅଥବା ସଭାକର୍ତ୍ତ ହୋଇ ରହୁଛନ୍ତି । ଗୋଟିଏ ଘର ଦଶଭାଗ ହୋଇ ବଣ୍ଟା ହୋଇଗଲେ ଭାଗଗୁଡ଼ିକ ଯେପରି ଭାରି ଅଳପ, ହତାଶ ଓ ନରଖର ହୋଇ ଦିଶୁଥାନ୍ତି, ଏହି ଦଳଗୁଡ଼ିକ ଅନେକ ସମୟରେ ଠିକ୍‍ ସେହିପରି ଅତ୍ୟନ୍ତ ନରଖର ହୋଇ ଦିଶୁଛନ୍ତି ସତ, ମାତ୍ର ସେହି ଭାଗଟିକୁ ଗୋଟାସୁଦ୍ଧା ଅଲଗା କରି ମାଡ଼ିବସିଥିବା ନେତା ତାହାରି ଭିତରେ ସତେଅବା ମତ୍ତଗଜ ହୋଇ ଦେଖାଯାଉଛି । ଆପେ ଯେକୌଣସି ପ୍ରକାରେ ତିଷ୍ଠି ରହିବାକୁ ଯେ ସିଏ ଗରଜରେ ପଡ଼ି ଏହି ଦଳଟିକୁ ଗଢ଼ିଛି ସିଏ ବାହାରେ ଦେଖାଉଥିବା ଶହେ ପ୍ରକାରର ପ୍ରକୋପ ସତ୍ତ୍ୱେ ତାହାର ସେହି ଦୁଃଖଟି ଭାରି ଜଳଜଳ ହୋଇ ବାରିହୋଇ ପଡ଼ୁଛି ।

 

ଯେଉଁମାନଙ୍କର ବହପ ବା ବୟସ ସରିଯାଉଛି, ଆପଣା ଲାଗି ଆଶ୍ରାଟିଏ ତିଆରି କରି ରଖିବାକୁ ସେମାନେ ନୂଆ ଦଳଟିଏ ଗଠନ କରୁଛନ୍ତି । ଐତିହାସିକ ଆବଶ୍ୟକତା ଥିବାରୁ ରାଜନୀତିରେ ଯେଉଁ ଦଳମାନ ଗଢ଼ାଯାଏ, ସେହି ସବୁ ଦଳକୁ ସତେଅବା କାଳ ଅପେକ୍ଷାକରି ରହିଥାଏ, ଜନଗଣ ଅପେକ୍ଷା କରି ରହିଥାଏ । ହୁଏତ ଗୋଟିଏ ଦେଶ ବା ସମୂହର ନିୟତି ମଧ୍ୟ ସେଥିଲାଗି ଅପେକ୍ଷାକରି ରହିଥାଏ । ସେହି ଦଳ ଆଗରୁ ଶୂନ୍ୟ ପଡ଼ିଥିବା ଏକ ସ୍ଥାନର ପୂରଣ କରେ । ସେଥିରେ ଅନ୍ୟମାନେ ଆସି ଯୋଗ ଦିଅନ୍ତି, ନିମିତ୍ତ ରୂପେ ବ୍ୟବହୃତ ହୁଅନ୍ତି—ଆପଣାର ପରୀକ୍ଷା ନେଇ ନେତାରୂପେ ଉତ୍ତୀର୍ଣ୍ଣ ହୁଅନ୍ତି । ବର୍ତ୍ତମାନ ଏକାବେଳକେ ଉଭେଇଯିବାର ଭୟରେ ଯେଉଁ ନେତାମାନେ ନୂଆ ଦଳମାନ ଗଠନ କରୁଛନ୍ତି, ସେମାନେ ଉତ୍ତୀର୍ଣ୍ଣ ହୋଇପାରି ନାହାନ୍ତି ବୋଲି ଏପରି କରୁଛନ୍ତି । ଇତିହାସ ପାଖରୁ ନିଜ ପାଇଁ ସତେ ଯେପରି କ’ଣ ଗୋଟାଏ ଝାମ୍ପି ନେଇଯିବାକୁ ସେମାନେ ଆମ ରାଜନୀତିର ସାଧାରଣ କ୍ଷେତ୍ରଟିରେ ଆସି ପହଞ୍ଚିଥିଲେ କି କ’ଣ କେଜାଣି,ସେମାନେ ଗୋଟିଗୋଟି ହୋଇ ଧରାପଡ଼ିଗଲେ । ସେମାନେ ଯେ ଆପଣା ବ୍ୟତୀତ ଆଉ କାହାରି ପାଇଁ କିଛି ଚାହୁଁ ନ ଥିଲେ, ସେକଥା ଧରାପଡ଼ିଗଲା । ତା’ପରେ ଗୋଟାଏ ନୂତନ ଦଳ ଗଢ଼ି ଅଲଗାହୋଇ ରହିବାର ଭାଣ ଦେଖାଇ ଯେକୌଣସି ପ୍ରକାରେ ମରିବା ପର୍ଯ୍ୟନ୍ତ ଆପଣାକୁ ଲୁଚାଇ ରଖିବା ବ୍ୟତୀତ ଆଉ ପ୍ରକୃତରେ କ’ଣ ଚାରା ଅଛି ?

 

ଏମାନେ ଯିଏ ଯେତେ ଡାଳରେ ଯାଇ ଅଲଗା ଅଲଗା ଦଳର ଆଡ଼ମ୍ବର କରୁଥାନ୍ତୁ ପଛକେ, ଏମାନେ ଆମର କୌଣସି କାମରେ ଲାଗିବେ ନାହିଁ । ଏମାନଙ୍କର କାନ୍ଧ ଉପରେ ପାଦଦେଇ ଯୁଗର ଅସଲ ଆହ୍ୱାନଗୁଡ଼ିକ ଏମାନଙ୍କୁ ଅତିକ୍ରମ କରି ଚାଲିଯିବ । ପୋଖରୀର କୌଣସି ଏକ କଣ ବା ଦାଢ଼କୁ ଆବୋରି ଏମାନେ ଅଲଗା ହୋଇ ଭୁରୁଭୁରୁ ହେବାରେ ଲାଗିଥିବେ ସତ, ମାତ୍ର ପ୍ରତୀକ୍ଷିତ ଅସଲ ଘୂର୍ଣ୍ଣିଟିକୁ ସୃଷ୍ଟି କରିବାରେ ଏମାନଙ୍କର ଆଉ କୌଣସି ଭାଗ ରହିବ ନାହିଁ । ଆପଣା ଆପଣାର ପଲମଟି ଭିତରେ ଏମାନେ ଏମିତି ଖତରା ହୋଇ ସରିସରି ଯାଉଥିବେ, ମରିମରି ଯାଉଥିବେ ।

 

୨୮ । ୧୦ । ୮୪

Image